Unknown

 

 

 

 

 

 

 

 

 

 

 

ଜୀବନ ବିଦ୍ୟାଳୟ

ଚିତ୍ତରଞ୍ଜନ ଦାସ

 

ମୂଳ କଥା

 

ଡେନ୍‌ମାର୍କରେ ଅଧ୍ୟୟନ କରୁଥିବା ସମୟରେ ଅବସର ଅନୁସାରେ ମୁଁ ସେହି ଦେଶର ଲୋକ-ବିଦ୍ୟାଳୟ (Folkehoejskole) ମାନ ବୁଲି ଦେଖୁଥିଲି । ୧୯୫୨ ମସିହାର ଶୀତକାଳରେ କୋପେନହେଗେନ ସହରର ଅନତିଦୂରରେ ମାଓଲୋସ (Magleaas) ଗଣବିଦ୍ୟାଳୟରେ ସେହିପରି କେତୋଟି ଦିନ କଟାଇବାର ସୁଯୋଗ ମୋତେ ମିଳିଥିଲା । ବିଦ୍ୟାଳୟର ପ୍ରଧାନ ଶ୍ରୀଯୁକ୍ତ ନଓରପ୍ (Novrup) ପ୍ରତ୍ୟେକ ଦିନ ସକାଳ-ପ୍ରାର୍ଥନା ପରେ ଛାତ୍ରଛାତ୍ରୀମାନଙ୍କୁ ଘରୁ ଲେଖି ଆଣିଥିବା ଏକ ଲିଖିତାଂଶ ପଢ଼ି ଶୁଣାଉଥିଲେ । ସେହି ଲିଖିତାଂଶର ବିଷୟବସ୍ତୁ ଉପରେ କୌଣସି ପ୍ରକାର ଚର୍ଚ୍ଚା ହେଉ ନଥିଲା । ସିଏ ଏଇଟି ପାଠ କରି ସାରିବା ପରେ ସମସ୍ତେ ନୀରବରେ ଆପଣା ଆପଣାର ଆସନ ଛାଡ଼ି ଯାଉଥିଲେ ଏବଂ ବିଦ୍ୟାଳୟର ନାନା କାର୍ଯ୍ୟକ୍ରମରେ ଭାଗ ନେଉଥିଲେ । ପ୍ରତିଦିନର ଏହି କ୍ଷୁଦ୍ର ଲିଖିତାଂଶ ଛାତ୍ରଛାତ୍ରୀମାନଙ୍କ ମନରେ ଅନେକ ପ୍ରଭାବ ପକାଉଥିଲା । ଆପଣା ଜୀବନର ମୂଲ୍ୟ ଅନ୍ୱେଷଣ କରିବାରେ ସେମାନେ ଏଥିରୁ ଅନେକ ପ୍ରେରଣା ପାଉଥିଲେ । ସ୍ୱତନ୍ତ୍ର ଚିନ୍ତନର ଉଦ୍ରେକ କରିବା ଲାଗି ଏହା ଯଥେଷ୍ଟ ଖାଦ୍ୟ ଯୋଗାଉଥିଲା । ଅଧିକାଂଶ ସମୟ ଛାତ୍ରଛାତ୍ରୀ ବିଦ୍ୟାଳୟର ସାଧାରଣ ପାଠପଢ଼ା ଏବଂ ଅନ୍ୟାନ୍ୟ ନାନା କାର୍ଯ୍ୟକ୍ରମ ଅପେକ୍ଷା ସକାଳର ଏହି ପ୍ରବଚନକୁ ଅଧିକ ମୂଲ୍ୟବାନ୍ ମନେ କରୁଥିଲେ ।

 

ଶିକ୍ଷକ-ଜୀବନରେ ମୋର ଅନୁଭୂତି ଓ ଅଭିଜ୍ଞତା ଯେତିକି ଯେତିକି ବଢ଼ିଛି, ମାଓଲୋସ ବିଦ୍ୟାଳୟର ଏହି ପଦ୍ଧତିଟିର ମହତ୍ତ୍ୱ ମୁଁ ସେତିକି ସେତିକି ଅଧିକ ଅନୁଭବ କରିଚି । ଶିକ୍ଷକର ବ୍ୟକ୍ତିଗତ ଅନୁଭୂତି ତା’ର ନିଜସ୍ୱ ସମ୍ପତ୍ତି ନୁହେଁ; ଶିକ୍ଷାର୍ଥୀର ମଧ୍ୟ ସେଥିରେ ମୂଲ୍ୟବାନ୍ ଭାଗ ନିଶ୍ଚୟ ରହିବା ଉଚିତ । ଯେଉଁ ଶିକ୍ଷକ ତା’ର ପ୍ରତ୍ୟେକ ଦିନର ଶ୍ରେଷ୍ଠ ଭାବନାକୁ ଶିକ୍ଷାର୍ଥୀସମାଜ ଆଗରେ ସୁଯୋଗ୍ୟରୂପେ ବାଢ଼ିଦେଇ ଜାଣେ, ତଦ୍ଦ୍ୱାରା ସେ ଶିକ୍ଷାର୍ଥୀଙ୍କ ଧ୍ୟାନମୟ ଜୀବନକୁ ଅନେକ ପ୍ରେରଣା ଯୋଗାଏ; ତା’ର ଅନୁଭବ କରିବାର ଶକ୍ତିକୁ ସେ ଅଧିକ ଗଭୀର କରେ । ଘଟନା ଓ ଭାବନାବଳୀର ଉତ୍ତେଜିତ ତରଙ୍ଗରେ ଭାସି ନ ଯାଇ ଶିକ୍ଷାର୍ଥୀ ତରଙ୍ଗତଳର ଅବିଚଳିତ ଓ ସ୍ଥାୟୀମୂଲ୍ୟକୁ ଆପଣାର କରି ଶିଖେ ।

 

ପ୍ରାୟ ଦୁଇବର୍ଷରୁ ଅଧିକା ହେବ, ଏହି ପଦ୍ଧତିଟିକୁ ମୁଁ ଆମର କ୍ଷୁଦ୍ର ବିଦ୍ୟାଳୟରେ ଆରମ୍ଭ କରିଚି । ମୋର ମନର କୌଣସି ବିଶେଷ ଭାବନାକୁ ମୁଁ ଲେଖିରଖି ପିଲାମାନଙ୍କୁ ପ୍ରତିଦିନ ତାହା ଶୁଣାଇବି, ଏହି ବାସନା ମୋର ଦିନକୁ ଦିନ ବଢ଼ିବାରେ ଲାଗିଚି । ବିଦ୍ୟାଳୟ ସଂକ୍ରାନ୍ତ ନାନା ଜଞ୍ଜାଳ ଜାଲରେ ଛନ୍ଦିହୋଇ ରହି ଲେଖିବାର ଅବସର ଅବଶ୍ୟ ଅନେକ ଦିନ ମୋତେ ମିଳେ ନାହିଁ-। ତଥାପି ଯେଉଁ ଦିନ କିଞ୍ଚିତ୍ ସମୟ ପାଇଚି, ସେଦିନ କିଛି ଲେଖି ପିଲାଙ୍କୁ ପଢ଼ି ଶୁଣାଇବାର ଅଭ୍ୟାସ ମୁଁ ରଖିଆସିଚି । ଏ ଉଦ୍ୟମରେ ପିଲାମାନେହିଁ ମୋତେ ସବୁଠାରୁ ଅଧିକ ଉତ୍ସାହ ଦେଇଚନ୍ତି ବୋଲି ମୁଁ କହିବି । ଏହି ଉଦ୍ୟମ ଟିକକ ଜରିଆରେ ମୁଁ ସେମାନଙ୍କର ଅଧିକ ନିକଟକୁ ଆସିପାରିଚି; ସେମାନଙ୍କର ଅଧିକ ଆପଣାର ହୋଇପାରିଚି । ଅନେକ ପ୍ରକାର ପରମ୍ପରାଗତ ବ୍ୟବଧାନକୁ ଲଙ୍ଘନ କରି ସେମାନଙ୍କର ସେବାରେ ନିଜକୁ ସମର୍ପଣ କରିଦେବା ଲାଗି ମୁଁ ଅନେକ ପ୍ରେରଣା ପାଇଚି । ଆମର ବିଦ୍ୟାଳୟକୁ ଏକ ପରିବାରର ପରିବେଶ ଦେବାରେ ଏ ଲେଖା ଅନେକ ସାହାଯ୍ୟ କରିଚି ।

 

ଏମିତି ଲେଖୁ ଲେଖୁ କେତେ ଦିନ ପରେ ପିଲାଏ ଏହାର ଗୋଟାଏ କିଛି ନାଆଁ ଦେବାକୁ କହିଲେ । କେତେକ ପିଲା ଏଗୁଡ଼ିକୁ କେବଳ ‘ଲେଖା’ ବୋଲି କହିଲେ । ଆଉ କେତେକଙ୍କର ମୁଣ୍ଡରେ କି ଖିଆଲ ଆସି ପଶିଲା କେଜାଣି, ସେମାନେ ଏହାକୁ ‘ଖୋଇ’ କହିବାକୁ ଆରମ୍ଭ କରିଦେଲେ । ସେମାନେ ଠିକ୍ ଅନୁମାନ କରିନେଲେ ଯେ ଏପରି ଲେଖିବା କ୍ରମେ ମୋର ଏକ ଖୋଇ ହୋଇଗଲାଣି । ଯେଉଁଦିନ ସ୍ଥିର ହୋଇ ଏତକ ଲେଖିବା ଲାଗି ଦିପହରେ ଘଣ୍ଟାଏ ସମୟ ପାଏ, ସେଦିନ ମୋତେ ଭାରି ଉଶ୍ୱାସ ଲାଗେ; ଆଉ ଯେଉଁଦିନ ଏତକ କରି ନ ପାରେ, ସେଦିନ ମନ ଭିତରେ ଭାରି ଅସନ୍ତୋଷ ରହିଯାଏ; ଆପଣାର ଦିନକର କର୍ତ୍ତବ୍ୟ ଅସମ୍ପୂର୍ଣ୍ଣ ରହିଗଲା ପରି ବୋଧହୁଏ ।

 

ଅଳ୍ପଦିନ ଗଲେ ଆମ ବିଦ୍ୟାଳୟର ତିନିବର୍ଷ ପୂରା ହୋଇଯିବ; କିନ୍ତୁ ଏପର୍ଯ୍ୟନ୍ତ ଏହାର କୌଣସି ନାମକରଣ ହୋଇପାରିନାହିଁ । ଯେଉଁସବୁ ସ୍ୱତନ୍ତ୍ର ବାସନା ଓ ବ୍ୟତିକ୍ରମକୁ ମନରେ ରଖି ବିଦ୍ୟାଳୟଟିର ଆରମ୍ଭ ହୋଇଚି, ସେ ସବୁର ବ୍ୟଞ୍ଜନା ସୂଚିତ କରୁଥିବା ଗୋଟିଏ ନାମ ଆମେ ସମସ୍ତେ ଖୋଜିବୁଲିଚୁ । ସରକାରଙ୍କ ଖାତାରେ ଆମକୁ Post Basic School ବା ‘ଉତ୍ତର ମୌଳିକ ବିଦ୍ୟାଳୟ’ ବୋଲି କୁହାଯାଉଚି; କିନ୍ତୁ ଓଡ଼ିଶାରେ ଏପରି ଅଭିଧାର ଅନ୍ୟ କୌଣସି ବିଦ୍ୟାଳୟ ନ ଥିବାରୁ ଅନେକେ ଆମକୁ ନେଇ ଟିକିଏ ଧନ୍ଦାରେ ପଡ଼ିଯାଉଚନ୍ତି । କେହି କେହି ଆମକୁ ପଚାରୁଚନ୍ତି, ‘ତୁମର ଏଇଟା ମାଟ୍ରିକ୍‍ଠାରୁ କମ୍ ନା ବେଶି ?’ କେତେ ଦିନ ତଳେ କେହି ଜଣେ ଭାଇ ଇଂରେଜୀରେ ଚିଠି ଖଣ୍ଡେ ଲେଖିବାକୁ ଯାଇ ବିଦ୍ୟାଳୟର ନାମଟିକୁ ସିଧା ଅନୁବାଦ କରି North Elementary Training Institute ବୋଲି ଲେଖିପକାଇଥିଲେ । ଆମ ପିଲାଏ ଏହାର ନାମ ‘ବନବିଦ୍ୟାଳୟ’ ଦେଇଚନ୍ତି । ତଥାପି ଏହି ନାମଟିରେ ବିଦ୍ୟାଳୟର ସମସ୍ତ ସ୍ୱାତନ୍ତ୍ର୍ୟ ଧରାପଡ଼ୁ ନାହିଁ ।

 

ଶହେବର୍ଷ ତଳେ ବିଶପ ଗ୍ରୁନ୍ତଉଇଗ (Grundtvig) ଯେତେବେଳେ ଡେନମାର୍କର ଶିକ୍ଷା-ବିଚାର ଓ ଶିକ୍ଷା-ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ବାହାରିଲେ, ତାଙ୍କର ଲେଖା ଓ ବକ୍ତୃତାମାନଙ୍କରେ ସେ ସେତେବେଳର ପ୍ରଚଳିତ ବିଦ୍ୟାଳୟମାନଙ୍କୁ ‘ମରଣ-ବିଦ୍ୟାଳୟ’ ବୋଲି କହୁଥିଲେ । ଦେଶର ସଂସ୍କୃତି, ଲୋକ ମନର ଆବଶ୍ୟକତା ତଥା ସମସ୍ତ ମାନବିକ ଓ ଆଧ୍ୟାତ୍ମିକ ମୂଲ୍ୟବୋଧକୁ ଯେଉଁ ବିଦ୍ୟାଳୟ ଅସ୍ୱୀକାର କରେ, ତାକୁ ଶିକ୍ଷା ବିଧାନର ଭାଷାରେ ‘ମରଣ ବିଦ୍ୟାଳୟ’ହିଁ କହିବାକୁ ହେବ । ଏହି ‘ମରଣ ବିଦ୍ୟାଳୟ’ର ପରିବର୍ତ୍ତନରେ ଗ୍ରୁନ୍ତଉଇଗ ‘ଜୀବନ-ବିଦ୍ୟାଳୟ’ (Livetsskole)ର ପ୍ରବର୍ତ୍ତନ ଇଚ୍ଛା କରିଥିଲେ । ଜାତୀୟସଂସ୍କୃତି ଓ ମାନବିକ ଶ୍ରଦ୍ଧାର ଆଧାର ଉପରେ ଯେଉଁ ବିଦ୍ୟାଳୟରେ ଛାତ୍ର ଆପଣାର ଜୀବନ-ପଥ ଆବିଷ୍କାର କରିପାରିବ, ବିଚାର ଓ ବିଶ୍ୱାସର ସହିତ ଯେଉଁଠି ଜୀବନର ମୂଲ୍ୟ-ନିରୂପଣ କରିବାର ଶକ୍ତି ସେ ଅର୍ଜନ କରିପାରିବ, ଅନ୍ୱେଷଣଲବ୍‍ଧ ସକଳ ଜ୍ଞାନକୁ ଯେଉଁଠି ସେ ପ୍ରଧାନତଃ ଅଧିକ ଅନ୍ୱେଷଣର ସାଧନରୂପେ ବ୍ୟବହାର କରି ଶଖିବ, ଏହିପରି ଗୋଟିଏ ବିଦ୍ୟାଳୟର ସ୍ୱପ୍ନ ଗୁନ୍ତଉଇଗ ଦେଖୁଥିଲେ । କୌଣସି ଏକ ନିର୍ଦ୍ଦିଷ୍ଟ ସଂସ୍କାର ବା ଶାସନର ଅନୁଗତ କରି ମଣିଷକୁ ତିଆରି କରିବାର ନିକୃଷ୍ଟ ପ୍ରୟାସକୁ ଶିକ୍ଷା କୁହାଯାଇ ପାରିବ ନାହିଁ । ସକଳ ସଂସ୍କାର ଓ ଶାସନକୁ ସାଧନରୂପେ ବ୍ୟବହାର କରି ନୂଆ ସୃଷ୍ଟି କରିପାରିବାର ଶକ୍ତିମାନ୍ ମଣିଷ ଗଢ଼ିବାରେହିଁ ଶିକ୍ଷାର ଗୌରବ । ଯେଉଁ ବିଦ୍ୟାଳୟ ଏହି ଗୌରବରୁ ବିସ୍ମୃତ ହୋଇଚି, ଯାବତୀୟ ଆଡ଼ମ୍ବର ସତ୍ତ୍ୱେ ତାହାକୁ ବିନାଶ ବିଦ୍ୟାଳୟ ବା ମରଣ-ବିଦ୍ୟାଳୟ ବୋଲି କହିବା ଆଦୌ ଅସଙ୍ଗତ ହେବ ନାହିଁ । ଆମର କ୍ଷୁଦ୍ର ବିଦ୍ୟାଳୟରେ ଆମେ ସକଳ ପ୍ରକାର ବିନାଶ ଏବଂ ମରଣରୁ ବଞ୍ଚିବା ଲାଗି ଉଦ୍ୟମ ଆରମ୍ଭ କରିବା; ମରଣୋନ୍ମୁଖୀ ଏକ ସମାଜ ଓ ସଂସ୍କାରର ଉପଯୋଗୀ ସୁନା ପୁଅ ହୋଇ ଗଢ଼ାହେବାକୁ ଆମେ ଅସ୍ୱୀକାର କରି ଦେଇଚୁ । ଅଧିକ ଆଲୋକ ଏବଂ ଅଧିକ ଜୀବନକୁ ଆମେ କାମ୍ୟ କରି ଧରିବୁ । ଆମ ବିଦ୍ୟାଳୟକୁ ଜୀବନ ବିଦ୍ୟାଳୟର ପର୍ଯ୍ୟାୟକୁ ନେଇଯିବା ଉଦ୍ୟମ ନିୟୋଜିତ କରିବାରେହିଁ ଆମର ଗୌରବ ନିହିତ ହୋଇ ରହିଚି ।

 

ପ୍ରସ୍ତୁତ ପୁସ୍ତକର ଅଂଶଗୁଡ଼ିକ ଆମର ବିଦ୍ୟାଳୟରେ ଅଧିକ ହାର୍ଦ୍ଦିକତା ଏବଂ ଅଧିକ ଜୀବନ ଭରିଦେବାର ଅଭିଳାଷ ରଖି ଲେଖା ହୋଇଥିଲା । ତେଣୁ ପୁସ୍ତକଟିର ନାମ ‘ଜୀବନ ବିଦ୍ୟାଳୟ’ ରଖିବା ମୁଁ ସବୁଠାରୁ ଅଧିକ ଉଚିତ ମନେ କରୁଚି ।

 

ଚିତ୍ତରଞ୍ଜନ ଦାସ

ତା ୨୫ । ୬ । ୫୭

Image

 

ପୁନଶ୍ଚ

 

ପ୍ରାୟ ସାଢ଼େ ତିନିବର୍ଷ ତଳେ ‘ଜୀବନ-ବିଦ୍ୟାଳୟ’ ପାଇଁ ମୁଁ ଗୋଟିଏ ଭୂମିକା ଲେଖି ଦେଇଥିଲି । ସାଢ଼େ ତିନି ବରଷ କାଳ ପରେ ବର୍ତ୍ତମାନ ଯେତେବେଳେ ‘ଜୀବନ-ବିଦ୍ୟାଳୟ’ର ମୁଦ୍ରିତ ରୂପ ଆତ୍ମପ୍ରକାଶ କରିବାକୁ ଯାଉଛି, ସେତେବେଳେ ନୂତନ କରି ଆଉ ଗୋଟିଏ ଭୂମିକା ଲେଖିଦେବାକୁ ହେବ ବୋଲି ପ୍ରକାଶକ-ବନ୍ଧୁ ଶ୍ରୀଯୁକ୍ତ ଶ୍ରୀଧରବାବୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସାଢ଼େ ତିନି ବରଷ ଭିତରେ ‘ଜୀବନ-ବିଦ୍ୟାଳୟ’ର ଜୀବନରେ ଅନେକ ପରିବର୍ତ୍ତନ ଘଟିଚି । ଚମ୍ପତିମୁଣ୍ଡାର ଅରଣ୍ୟ ଛାଡ଼ି ମୁଁ ମଧ୍ୟ ଆଗ୍ରାର ଉପକଣ୍ଠ ଏହି ବିଚ୍‌ପୁରୀରେ ପହଞ୍ଚିଛି । ତେଣୁ ମୂଳ ଭୂମିକା ସହିତ ଗଅଁଠାଇ ପଢ଼ିବାକୁ ଆଉ ଗୋଟିଏ ନୂତନ ଭୂମିକା ଲେଖି ଦେବାର ଆବଶ୍ୟକତା ଅବଶ୍ୟ ରହିଚି । ମୁଁ ଶ୍ରୀଧରବାବୁଙ୍କର ନିର୍ଦ୍ଦେଶକୁ ମାନି ନେଉଚି ।

 

ଚମ୍ପତିମୁଣ୍ଡାରେ ବର୍ତ୍ତମାନ ମଧ୍ୟ ବିଦ୍ୟାଳୟ ରହିଚି । ଏହାର ଆକାର ବୃଦ୍ଧି ପାଇଚି ଏବଂ ସେଠାରେ ଥିବା ବିଦ୍ୟାଳୟର ପିଲାମାନେ ବର୍ତ୍ତମାନ ସମ୍ପୂର୍ଣ୍ଣ ସନ୍ତର୍ପଣରେ ମାଧ୍ୟମିକ ଶିକ୍ଷାବୋର୍ଡ଼ର ମାଟ୍ରିକ୍ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଚନ୍ତି । ସ୍ୱାଧୀନତା ପରେ ଇଂରେଜ ଅମଳରୁ ସରକାରୀ ଶିକ୍ଷା ବିଭାଗକୁ ପହରା ଦେଇ ଚଳାଉଥିବା ପୁରୁଣା ସିପାହିମାନେ ପୁରାତନ ଶିକ୍ଷା ଓ ମୌଳିକ ଶିକ୍ଷାକୁ ଏକାଠି ମିଶାଇ, ନ ମିଶୁଥିବା ଅଂଶଗୁଡ଼ାକୁ ଦୁହିଁ ବାହାର କରିଦେଇ ଦେଶଟାଯାକ ଯେଉଁ ଗୋବର-ଗଣେଶ ଗଢ଼ି ଥୋଇବାର ଅସାଧୁ ଚତୁରକର୍ମ କରୁଚନ୍ତି, ଚମ୍ପତିମୁଣ୍ଡାର ଜୀବନ-ବିଦ୍ୟାଳୟକୁ ତାହାରି ପ୍ରାଦୁର୍ଭାବ ସହିବାକୁ ହୋଇଚି । ଆପେ ଯେକୌଣସି ମତେ ବଞ୍ଚିରହିବା ଲାଗି ସରକାରୀ କାରଖାନାର ବରାଦମତେ ଆପଣାକୁ ଖାପ ଖୁଆଇବାର ଆକୁଳତାରେ ଏହା ବର୍ତ୍ତମାନ ଆପଣାକୁ ସଜାଡ଼ିବାରେ ବ୍ୟସ୍ତ ଅଛି । କିନ୍ତୁ ଗୋପବନ୍ଧୁଙ୍କର ସତ୍ୟବାଦୀ ବକୁଳବନ ସତ୍ୟବାଦୀ ହାଇସ୍କୁଲରେ ରୂପାନ୍ତରିତ ହେବାଲାଗି ଆପଣାକୁ ସଜାଡ଼ିବାର ବ୍ୟସ୍ତତାରେ ପଡ଼ି କ’ଣ ପାଇଚି ବା କ’ଣ ହରାଇଚି, ତାହାର ପୃଷ୍ଠଭୂମି ଉପରେ ଚମ୍ପତିମୁଣ୍ଡାରେ ଥିବା ‘ଜୀବନ-ବିଦ୍ୟାଳୟ’ର ଚମ୍ପତିମୁଣ୍ଡା ହାଇସ୍କୁଲ ନାମକ ଏକ ନୂତନ କଳେବର ଧାରଣ କରିବା ପ୍ରୟାସଟିର ବିଚାର କରାଯାଇ ପାରିବ ।

 

‘ଜୀବନ-ବିଦ୍ୟାଳୟର’ ପିଲାଆଗେ ମାଟ୍ରିକ୍ ପରୀକ୍ଷା ଲାଗି ପ୍ରସ୍ତୁତ ହେଉ ନଥିଲେ । କୌଣସି ଯୁଗର ଉପଯୋଗୀ ସୁନାପୁଅ ହେବାକୁ ହୁଏତ ସେମାନେ ପ୍ରସ୍ତୁତ ହେଉ ନଥିଲେ । ସେମାନେ ଜୀବନର ନାନା କ୍ଷେତ୍ରରେ ଶିକ୍ଷକ ସହିତ ଏକତ୍ର ହୋଇ ଆପଣା ଆପଣା ଜୀବନର ସ୍ୱକୀୟ ପଥ ଆବିଷ୍କାର କରିବାପାଇଁ ପ୍ରବୃତ୍ତ ହେଉଥିଲେ । ଏହି ପ୍ରବୃତ୍ତ ହେବାରେ କୌଣସି ପ୍ରମତ୍ତତା ନଥିଲା ବା ଭୟର ଲେଶମାତ୍ର ନଥିଲା । ଗୋଡ଼, ହାତ ଓ ବିଚାରକୁ ବାନ୍ଧି ପକାଇବା ପାଇଁ କୌଣସି ବାହ୍ୟ ଶୃଙ୍ଖଳାର ଶୃଙ୍ଖଳ ମଧ୍ୟ ନଥିଲା । ପୁରୁଣା ଶିକ୍ଷାବିପଣିର ଅବଧାନମାନେ ଯାହାକୁ ପାଠ ବୋଲି କହନ୍ତି, ସେହି ପାଠରେ ମଧ୍ୟ ଜୀବନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ କିପରି ବ୍ୟୁତ୍ପତ୍ତି ଦେଖାଉଥିଲେ, ଓଡ଼ିଶାର ଏକାଧିକ ଅଧ୍ୟାପକ, ପଣ୍ଡିତ ଓ ଗୁଣିଜନ ସେକଥା ଭଲ କରି ଜାଣିଚନ୍ତି । ତଥାପି ସରକାର ସନ୍ତୁଷ୍ଟ ହୋଇପାରିଲେ ନାହିଁ । ସରକାରୀ କଳଘରର ବିଗ୍ରହ ମୁହେଁ ମୁହେଁ ଫତୁଆ ଶୁଣାଇଦେଲେ ଯେ ପିଲାମାନେ କୋଟ୍ ପ୍ୟାଣ୍ଟ୍‍ ପିନ୍ଧି ଆସନ୍ତୁ ବା ପାଞ୍ଚହାତି ଖଦଡ଼ଲୁଗା ପିନ୍ଧି ଆସନ୍ତୁ, ତାଙ୍କର ସେଥିରେ କୌଣସି ଆପତ୍ତି ନାହିଁ । କିନ୍ତୁ ସେମାନଙ୍କୁ ମାଟ୍ରିକ୍‌ ପରୀକ୍ଷାରେ ବସିବାକୁହିଁ ହେବ । ତା’ ନହେଲେ ସେମାନେ କେତେ ଦୂର ଯୋଗ୍ୟ ହେଲେ ବୋଲି କିପରି କୁହାଯାଇପାରିବ ? ସେମାନଙ୍କୁ ମାପିବାର ମାପକାଠି କ’ଣ ରହିବ ? ମାପକାଠି ବିଷୟକ ଏହି ଫତୁଆ ମୁଁ ୧୯୫୭ ମସିହା ଏପ୍ରିଲ ମାସରେ ଶୁଣିଥିଲି । ତା’ପରେ ତଥାପି ବର୍ଷେକାଳ ଆପଣା ରୀତିରେ ବଞ୍ଚିରହିବା ଲାଗି ଆମକୁ ସଂଗ୍ରାମ କରିବାକୁ ପଡ଼ିଥିଲା । ଶେଷକୁ ନିରସ୍ତ ହୋଇ ୧୯୫୮ ମଇ ମାସରେ ମୁଁ ଚମ୍ପତିମୁଣ୍ଡା ଛାଡ଼ି ଆସିଲି । ମୋର ଚାରି ବରଷର କର୍ମ-ପ୍ରବାହରେ ଆପାତତଃ ଏକ ବ୍ୟବଚ୍ଛେଦ ପଡ଼ିଗଲା ।

 

ହଁ ଆପାତତଃ । ସତ୍‍ନିଷ୍ଠା ଓ ସଦିଚ୍ଛା ନେଇ ମଣିଷ ଯେଉଁ ଉଦ୍ୟମ ଆରମ୍ଭ କରିଥାଏ, ତାହାର କଦାପି ସମ୍ପୂର୍ଣ୍ଣ ଇତି ହୋଇଯାଏ ନାହିଁ । କାରଣ ଏହି ଉଦ୍ୟମର ପଛରେ ଦେବତାର ଆଶୀର୍ବାଦ ରହିଥାଏ । ହଁ, ବେଳେବେଳେ ଉଦ୍ୟମ ମାନ୍ଦା ପଡ଼ିଯାଏଁ, ବେଳେବେଳେ ଅପସରି ଯିବାପରି ମନେହୁଏ । କିନ୍ତୁ ବେଳେବେଳେ ଅପସରି ଯିବାକୁ ଶ୍ରୀଯୁକ୍ତ ଆର୍‍ନୋଲ୍‌ଡ଼୍‌ ଟଏନ୍‌ବି ଏକ ଐତିହାସିକ ଆବଶ୍ୟକତା ବୋଲି କହିଚନ୍ତି । ଅପସାରଣ ହେଉଚି ପୁନଃ ପ୍ରତ୍ୟାବର୍ତ୍ତନର ଅନୁପୂରକ ଅଙ୍ଗ । ଆଜି ଯେଉଁ ଉଦ୍ୟମ ଅପସରି ଯାଉଚି, କାଲି ପ୍ରତ୍ୟାବର୍ତ୍ତନ କରିବା ଲାଗି ହୁଏତ ସେ ଆଜି ପ୍ରସ୍ତୁତ ହେଉଚି । ସେ ମରିଯାଉ ନାହିଁ । ଠିକ୍ ସେହିପରି କୌଣସି ସତ୍ୟ ମରିଯାଏଁ ନାହିଁ,- କେବଳ ପୁନଃପ୍ରତ୍ୟାବର୍ତ୍ତନ ଲାଗି ପ୍ରସ୍ତୁତ ହେବାକୁ ଆପାତ କାଳପାଇଁ ଅପସରି ଯାଏଁ ମାତ୍ର ।

 

ମଣିଷକୁ ସୁଯୋଗ୍ୟ ଓ ସୁସମ୍ପନ୍ନରୂପେ ବିକଶିତ ହେବାଲାଗି ଯେଉଁସବୁ ସାଧନ ଓ ଜ୍ଞାନ ଦରକାର, ବର୍ତ୍ତମାନ ସେହିସବୁ ସାଧନ ଓ ଜ୍ଞାନ ଅନେକ ବୃଦ୍ଧି ପାଇଲାଣି । କିନ୍ତୁ ମାନବିକ ବିକାଶ ଲାଗି ଯେଉଁ ସହିଷ୍ଣୁ ଓ ଭୟମୁକ୍ତ ବାତାବରଣ ଦରକାର, ତାହା ଦିନକୁ ଦିନ ଅଧିକ ବିରଳ ହେବାରେ ଲାଗିଛି । ଆମ ଦେଶରେ ଖାସ୍ ସ୍ୱାଧୀନତା ପରେ ଏହି ବିରଳତା ଅତ୍ୟଧିକ ପରିମାଣରେ ଅନୁଭୂତ ହେଉଚି । ସମସ୍ତେ ଆପଣାର ମତ ଅନୁସାରେ ସଂସାରର ସବୁ ମଣିଷଙ୍କୁ ସାଉଁଟି ନେଇ ଗୋଟାଏ ମୁଣିରେ ଭର୍ତ୍ତି କରିବା ଲାଗି ବଡ଼ ବ୍ୟଗ୍ର ହୋଇ ପଡ଼ିଚନ୍ତି । ଏ ଦେଶରେ କେହି କାହାରିକୁ ବଞ୍ଚିବାକୁ ଦେବାଲାଗି ତିଆର ନୁହେଁ; କାରଣ କେହି ବଞ୍ଚିବାକୁ ମଧ୍ୟ ତିଆର ନୁହେଁ-। ଗଡ଼ ଜିଣିବାର ଜ୍ୱର ଆଜି ସମସ୍ତଙ୍କୁ ଗ୍ରାସ କରି ବସିଚି । ତଥାପି ଆଶା ରଖିବାକୁ ହେବ-। କାରଣ ଏହି ଦୁର୍ଦ୍ଦଶା କଦାପି ଚିରସ୍ଥାୟୀ ହୋଇ ରହିବ ନାହିଁ । ତେଣୁ ଅପେକ୍ଷା କରିବାକୁ ହେବ; ଅଧିକ ଅନୁକୂଳ ଅବସର ଲାଗି ଅପେକ୍ଷା କରିବାକୁ ହେବ । ସମୟକୁ ଅଧିକ ଅନୁକୂଳ କରିବା ଲାଗି ଆପଣା ଭିତରେ ଯୋଗ୍ୟତା ଅଛି ବୋଲି ଅନୁଭବ କରିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ ଏବଂ ସେପର୍ଯ୍ୟନ୍ତ ଆପଣାକୁ ଅଧିକ ଯୋଗ୍ୟ କରି ପ୍ରସ୍ତୁତ କରିବାକୁ ପଡ଼ୁଥିବ । ଆପଣାର ଅନ୍ତର୍ଗତ ଜୀବନରେ ଆପଣାକୁ ନିରନ୍ତର କଳନା କରିବାକୁ ହେବ । ପ୍ରାଚୀନ ଗ୍ରୀକ୍ ଦାର୍ଶନିକ ଏପିକିଉରସ୍‌ଙ୍କର ଭାଷାରେ, ସେପର୍ଯ୍ୟନ୍ତ ଆପଣାକୁ ‘ଲୁଚାଇ ରଖିବାକୁ’ ହେବ ।

 

ପଛକୁ ଚାହିଁ ଆଜି ‘ଜୀବନ-ବିଦ୍ୟାଳୟ’ର ସେହି ଦିନଗୁଡ଼ିକ ଉପରେ ଦୃଷ୍ଟିପାତ କରୁକରୁ ଆଜି ଦିଓଟି କଥା ଭାରି ମନକୁ ଆସୁଚି । ଧର୍ମକାମ କହିଲେ ସାଧାରଣତଃ ଆମ ଦେଶରେ ଲୋକେ ଯାହା ବୁଝନ୍ତି, ବିଦ୍ୟାଳୟ ବସାଇବା ବା ବିଦ୍ୟାଳୟ ଚଳାଇବା ଆଦୌ ସେପରି ଏକ ଧର୍ମକାମ ନୁହେଁ । ବରଷଯାକ ଅଧର୍ମ କରି ମଣିଷ ଯାହା ରୋଜଗାର କରେ, ସେଇଥିରୁ କିଛି ଦାନ କରି ସେ ଧର୍ମଶାଳା ଗଢ଼ିଦିଏ, ଠାକୁର ମନ୍ଦିରରେ ପାହାଚ ବସାଇଦିଏ, କୂଅ ଖୋଳିଦିଏ ବା ସାଧୁ ସନ୍ନ୍ୟାସୀଙ୍କ ପାଇଁ ସଦାବର୍ତ୍ତ ଖଞ୍ଜିଦିଏ । କିନ୍ତୁ ଶିକ୍ଷାରେ ଆଗ୍ରହ ରଖିଥିବା ଶିକ୍ଷକପାଇଁ ଏତିକି ଧର୍ମ କାର୍ଯ୍ୟ ଯଥେଷ୍ଟ ନୁହେଁ । କାରଣ ଶିକ୍ଷକ ହେବାକୁ ହେଲେ ତାକୁ ଜୀବନ-ଧର୍ମରେ ଅଟଳ ବିଶ୍ୱାସ ରଖିବାକୁ ହେବ, ଅର୍ଥାତ୍ ପ୍ରତ୍ୟେକକୁ ତା’ର ଆପଣା ମାର୍ଗ ଆବିଷ୍କାର କରି ସେହି ମାର୍ଗରେ ତାକୁ ଚାଲିବାକୁ ଦେବାଲାଗି ଶିକ୍ଷକ ପାଖରେ ଧୈର୍ଯ୍ୟ ଥିବ, ସମୟ ଥିବ, ଶ୍ରଦ୍ଧା ଓ ବିଶ୍ୱାସ ମଧ୍ୟ ଥିବ । ଅନ୍ୟ କାହାରି ମୁକୁଳିତ ବୃକ୍ଷଶାଖା ଉପରକୁ ଯେପରି ତା’ର ଉଚ୍ଚ ଓ ଉଗ୍ର ଶାଖାର ଛାଇ କୌଣସି ପ୍ରକାରେ ନ ମାଡ଼ି ଯାଏଁ ସେଥିପ୍ରତି ତାକୁ ସତତ ସାବଧାନ ରହିବାକୁ ପଡ଼ିବ । ତା’ ନହେଲେ ତା’ର ଆଳୟ ଯନ୍ତ୍ରାଳୟ, ଅନାଥାଳୟ, ବଚସାଳୟ, ସ୍ତବନାଳୟ ବା ଆଉ ଯେକୌଣସି ଆଳୟ ହେବପଛେ, ବିଦ୍ୟାଳୟ ହୋଇପାରିବ ନାହିଁ । ‘ଜୀବନ ବିଦ୍ୟାଳୟ ହେବା ତ ଆହୁରି ଦୂରର କଥା ।

 

ଜଣେ ମଣିଷକୁ ଗଢ଼ିବା ଆଉ ଜଣେ ମଣିଷର ହାତର କଥା ନୁହେଁ । ମୋତେ ନିଜକୁ ଗଢ଼ିବାହିଁ ମୋ ହାତର କଥା । ମୋତେ ନିଜକୁ ବିଗାଡ଼ିବା ମଧ୍ୟ ମୋ ହାତର କଥା । ସ୍ୱାଧୀନତାରେ ସବୁଠାରୁ ବଡ଼ ମଙ୍ଗଳ ନିହିତ ରହିଛି, ସବୁଠାରୁ ବଡ଼ ବିପତ୍ତି ମଧ୍ୟ ନିହିତ ରହିଛି । ତଥାପି ସ୍ୱାଧୀନତା ଦେବା ବ୍ୟତୀତ ଶିକ୍ଷାରେ ଅନ୍ୟ ପନ୍ଥା ନାହିଁ । କୃଷ୍ଣମୂର୍ତ୍ତିଙ୍କ ଭାଷାରେ କହିଲେ, ଯେଉଁଠି ଶ୍ରଦ୍ଧା ନଥାଏ, ସେହିଠାରେହିଁ ଶୃଙ୍ଖଳା ରହିଥାଏ । ଯେଉଁଠି ଶ୍ରଦ୍ଧା ଥାଏ, ବ୍ୟକ୍ତିର ଶ୍ରଦ୍ଧା ନୁହେଁ, ମହାନ୍ ଅନିର୍ଦ୍ଦେଶ୍ୟ ଅଥଚ ସମ୍ଭବମାନ ଜୀବନର ଶ୍ରଦ୍ଧା ଥାଏ, ସେହିଠାରେହିଁ ସ୍ୱାଧୀନତା ଦେଇହୁଏ-। ସେହିଠାରେହିଁ ସ୍ୱାଧୀନତା ସହ୍ୟ ହୁଏ । ତେଣୁ କୌଣସି ଆଦର୍ଶ ବା କୌଣସି ମତବାଦର ଲୁହାଛାଞ୍ଚ ଭିତରେ ମଣିଷକୁ ପକାଇ ତାକୁ ତିଆରି କରିବାର ପ୍ରୟାସ ହେଉଛି ଶିକ୍ଷାକ୍ଷେତ୍ରରେ ସବୁଠାରୁ ବଡ଼ ପ୍ରମାଦ । ନାତ୍‍ସି ଜର୍ମାନୀରେ ହିଟ୍‍ଲର୍ ଏହି କଥା କରିବାର ଧୃଷ୍ଟତା ଦେଖାଇଥିଲେ-। ଆଜି ଆଧୁନିକ କେତେକ ଶାସନତନ୍ତ୍ରରେ ମଧ୍ୟ ଏହି ଧୃଷ୍ଟତାର ପ୍ରୟାସ ଚାଲିଚି, କିନ୍ତୁ ତାହା ମଣିଷକୁ ଶିକ୍ଷିତ କରିବା ପରିବର୍ତ୍ତରେ ଅଧିକ ବର୍ବର ଓ ଅଶିକ୍ଷିତ କରିବାରେହିଁ ସହାୟତା କରୁଚି-। ଯେକୌଣସି ଆଦର୍ଶ ସୂତ୍ର ବା ନୀତିସାରଠାରୁ ମଣିଷ ଆହୁରି ବଡ଼, ଯେକୌଣସି କଳନାର ପରିସୀମିତ ଆୟତନଠାରୁ ମଣିଷ ଆହୁରି ଆକଳନୀୟ, ଯେକୌଣସି ଯୋଜନାର ସଂଯୋଜନ ଠାରୁ ମଣିଷର ସମ୍ଭାବନା ଯୋଜନ ଯୋଜନ ଅଧିକ ଦୂର । ତେଣୁ କରୁଣା, କାନୁନ ବା କତଲ୍ ଯେଉଁ ବାଟରେ ହେଉ ପଛକେ, ଏକତନ୍ତ୍ରୀ, ଗଣତନ୍ତ୍ରୀ ବା ଗୁଣତନ୍ତ୍ରୀ ଯେକୌଣସି କୀର୍ତ୍ତନିର ଦୁଆ ଧରି ହେଉ ପଛକେ, ମଣିଷକୁ ଆପଣାର ଖିଆଲ ଅନୁସାରେ ଗଢ଼ିବାକୁ ବସିଲେ ଆମର ଲୋଭୀ ଅହଂକାର ହୁଏତ ତୃପ୍ତି ପାଇବ, କିନ୍ତୁ ଶିକ୍ଷାର ଉଦୟ ହେବ ନାହିଁ । କାରଣ ଶ୍ରୀ ଏରିକ୍ ଫ୍ରମ୍‌ଙ୍କ ଭାଷାରେ କହିବାକୁ ଗଲେ Man is not a thing.– ମଣିଷ ଗୋଡ଼ି, ମାଟି ବା ପଥର କିଛି ନୁହେଁ, କୁମ୍ଭାର-ଗୁରୁଜନ ହାତର କଞ୍ଚା କାଦୁଅ ମଧ୍ୟ ନୁହେଁ ।

 

‘ଜୀବନ ବିଦ୍ୟାଳୟ’ରେ ଚାରିବର୍ଷ କ’ଣ ହେଉଥିଲା, ଏଠି ସେ କଥା ବଖାଣି କହିବାର ଜାଗା ନୁହେଁ । ସେଠାରେ ଯେଉଁ ଭାଇ ଓ ଭଉଣୀଙ୍କ ମେଳରେ ମୋର ଚାରିବର୍ଷ କଟିଗଲା, ସେମାନଙ୍କ ଭିତରୁ କେହି ଯୋଗ୍ୟ ହୋଇ ସଂସାରକୁ ବାହାରିଲେ ହୁଏତ ତା’ରିଦ୍ୱାରା ଭଗବାନ୍ ‘ଜୀବନ-ବିଦ୍ୟାଳୟ’ର କଥା କୁହାଇବେ, ହୁଏତ ତା’ରି କଲମରେ ‘ଜୀବନ ବିଦ୍ୟାଳୟ’ର ଇତିବୃତ୍ତ ଲେଖାହେବ । ସେହି ଲେଖା ମୋର ସମସ୍ତ କହିବାଠାରୁ ଯଥେଷ୍ଟ ଯୋଗ୍ୟତର ହେବ । ଆଜି ଏହି ଭୂମିକା ଲେଖୁ ଲେଖୁ ମୁଁ ମନୋନେତ୍ରରେ ସେହିମାନଙ୍କୁ ଦେଖିବାକୁ ପାଉଚି । ସେହିମାନଙ୍କୁ ମୋର ପ୍ରଣାମ ଜଣାଉଛି । କାହାରି ପାଖରେ ମୋର କୌଣସି ଅଭିଯୋଗ ନାହିଁ । ମୋର ସଫଳ ହେବା ବା ବିଫଳ ହେବାରେ ଜ୍ୟେଷ୍ଠ ଓ କନିଷ୍ଠ ଯେତେ ଯାହାର ହାତ ରହିଚି, ମୁଁ ଆଜି ସମସ୍ତଙ୍କୁ ପ୍ରଣାମ ଜଣାଉଚି । ସେହିମାନେ ମୋତେ ଅନେକ ସୌଭାଗ୍ୟର ଅଧିକାରୀ କରାଇଚନ୍ତି, ଜଗତ ଓ ଜୀବନ ବିଷୟରେ ଅନେକ ଅନ୍ତର୍ଦୃଷ୍ଟି ଯୋଗାଇ ଦେଇଚନ୍ତି । ସେମାନେ ସମସ୍ତେ ମୋର ମିତ୍ର, ମୋର ଗୁରୁ, ମୋର ପଥପ୍ରଦର୍ଶକ ।

 

ବିଚ୍‌ପୁରୀ, ଆଗ୍ରା

ଚିତ୍ତରଞ୍ଜନ ଦାସ,

ତା ୧୮।୧୨।୬୦

 

Image

 

୧୬ । ୧ । ୫୫

 

ପଶ୍ଚିମ ବଙ୍ଗଳାର ବାଙ୍କୁଡ଼ାଠାରେ ଶ୍ରୀ ବିନୋବାଙ୍କ ସହିତ ଦିନେ କଟାଇବାର ସୌଭାଗ୍ୟ ମିଳିଲା । ପ୍ରତ୍ୟେକ ଦିନର ସଞ୍ଚୟ ଜମାକରି ରଖି ମଣିଷ ତୀର୍ଥଯାତ୍ରା କରିଯାଏ । ତା’ ଭିତରେ ଅନେକ ଦିନରୁ ଜମା ହୋଇଥିବା ଅନେକ ପ୍ରକାରର ମଇଳା ସେଇ ତୀର୍ଥରେ ସେ ଧୋଇଦେଇ ଆସେ । ତୀର୍ଥରେ ସେ ଆପଣାକୁ ଶୁଦ୍ଧ କରିଦେଇ ଆସେ । ମହାତ୍ମାମାନଙ୍କର ଦର୍ଶନଲାଭ ତୀର୍ଥ ଦେଖିବାର ଫଳ ଆମକୁ ଦିଏ । ମହାତ୍ମାର ସଙ୍ଗ ଲାଭ କରି ମଣିଷର ଜୀବନ ଶୁଦ୍ଧ ହୁଏ । ମହାତ୍ମାର ବଚନ ଶ୍ରବଣ କରି ମଣିଷର କଥା ଭିତରେ ଥିବା ଅନେକ ମଇଳା ଓ ଅନେକ ମିଥ୍ୟା ଅପସାରିତ ହୋଇଯାଏ । ପୃଥିବୀକୁ ଅଧିକ ଶୁଦ୍ଧ ଓ ଅଧିକ ପବିତ୍ର କରିବାକୁ ମହାତ୍ମାମାନେ ସଂସାରକୁ ଆସନ୍ତି । ସମାଜର ମଇଳାରୁ ମଣିଷର ମନକୁ କାଢ଼ିନେଇ ତା’ର ମୋହ ଭାଙ୍ଗିଦେଇ ସୁନ୍ଦର ଓ ଧାର୍ମିକ ଜୀବନ ଲାଗି ମଣିଷକୁ ପ୍ରସ୍ତୁତ କରିବା ଲାଗି ବୋଧହୁଏ ସଂସାରରେ ମହାପୁରୁଷମାନେ ଜନ୍ମଗ୍ରହଣ କରନ୍ତି ।

 

ଶଙ୍କରାଚାର୍ଯ୍ୟ ଦେହକୁ ଦେବାଳୟ ବୋଲି କହିଛନ୍ତି । କିନ୍ତୁ ସବୁ ମଣିଷଙ୍କର ଦେହକୁ ଆମେ ଦେବାଳୟ ବୋଲି କହିପାରିବା ନାହିଁ । ନାନାପ୍ରକାର ଅନ୍ଧ ଆସକ୍ତି ଓ ଖଣ୍ଡ ବିଶ୍ୱାସରେ ଆମେ ଆମ ଦେହ ଭିତରେ ଥିବା ଦେବତାର ଆସ୍ଥାନକୁ କଳୁଷିତ କରି ଦେଇଥାଉ । ସେଥି ଉପରେ ଦେବତାର ପ୍ରତିଷ୍ଠାନ ହୋଇପାରେ ନାହିଁ । ଦେବତା ଅପମାନ ପାଇ ପଳାଇଯାଏ । ତା’ ଜାଗାରେ ଆମର ମୋହ ଆଉ ଗର୍ବୋନ୍ମତ୍ତତା ଆମ ଦେହରେ ଆସନ ମାଡ଼ିବସେ । ଯିଏ ମୋହକୁ ଆଉ ସକଳ ପ୍ରକାର ଉନ୍ମତ୍ତ ତା’ର ଲୋଭକୁ ଏଡ଼ି ନିଜର ଜୀବନକୁ ଭଗବାନ୍‍ଙ୍କ କାର୍ଯ୍ୟ ଲାଗି ଅର୍ପଣ କରି ଦେଇଥାନ୍ତି, ସେଇମାନଙ୍କର ଦେହକୁ ଯଥାର୍ଥରେ ଦେବାଳୟ କୁହାଯାଇପାରିବ । ସେହିପରି ମହାତ୍ମାମାନଙ୍କୁ ଦେଖିଲେ ଅନ୍ତର ଭିତରେ ଭକ୍ତିର ସଞ୍ଚାର ହୁଏ, ତଳର ଧୂଳି ଓ ମଇଳା ଛାଡ଼ି ମନ ଅନେକ ଊର୍ଦ୍ଧ୍ୱକୁ ଉଠିଯାଏଁ । କେଉଁ ଦେବତା ଦେଉଳର ପାବଚ୍ଛ ଉପରେ ଠିଆ ହୋଇଗଲା ପରି ଲାଗେ । ମହାତ୍ମାର ଦର୍ଶନ ମଣିଷକୁ ଆପଣାକୁ ଆବିଷ୍କାର କରି ଶିଖାଏ, ଆପଣାକୁ ଶୁଦ୍ଧ କରିଦିଏ । ଅନେକ ଦିନର ସ୍ୱାର୍ଥ ଓ ଅହଂକାରର ଆବରଣ ଖୋଲିଯାଏଁ । ଶ୍ରୀ ବିନୋବାଜୀଙ୍କର ସାକ୍ଷାତ ଲାଭ କରି ଠିକ୍ ଏହିପରି ଏକ ଦେବାଳୟର ସାନ୍ନିଧ୍ୟ ଅନୁଭବ କରିଆସିଲି ।

 

୧୭ । ୦୧ । ୫୫

 

ଶିକ୍ଷାକୁ ଯୁଗୋପଯୋଗୀ କରିବା ଦରକାର, ଏକଥା ଅନେକ ସମୟରେ ଶୁଣିବାକୁ ମିଳେ । ଯୁଗ ଯାହା ଚାହୁଁଛି, ସେହି ଅନୁସାରେ ଅମୁକ ଶିକ୍ଷା ଆମର ପିଲାଙ୍କୁ ପ୍ରସ୍ତୁତ କରି ପାରୁନାହିଁ–ଏହିପରି ଆପତ୍ତି ଅନେକ କରିଥାନ୍ତି ।

 

ଖାଲି ଯୁଗର ଉପଯୋଗୀ କରି ମଣିଷକୁ ତିଆରି କରିବାକୁ ଯେଉଁ ଶିକ୍ଷା ନିଜର ଏକମାତ୍ର ବା ପ୍ରଧାନ ଲକ୍ଷ୍ୟ ବୋଲି ଧରିନିଏ, ତାକୁ ଶିକ୍ଷା ବୋଲି କହିଲେ ଅନ୍ୟାୟ ହେବ । ପରିସ୍ଥିତି ଯାହା ଚାହୁଁଛି, ସେଇଥିରେ ଖାପ ଖାଇ ରହିବାର ଜୀବନ ହେଉଛି ପଶୁର ଜୀବନ । ଯେକୌଣସି ପରିସ୍ଥିତିରେ ଆପଣାକୁ ଖାପ ଖୁଆଇ ବଞ୍ଚି ରହିବାର ପ୍ରବୃତ୍ତି ହେଉଛି ପଶୁର ପ୍ରବୃତ୍ତି । କେବଳ ପେଟର ଭୋକ, ଶୋଷ ଶାନ୍ତ କରିବାକୁ ପଶୁ ଖାଦ୍ୟ ଖାଇ, ପାଣି ପିଏ । କେବଳ ଶୀତ, ଖରା, ବର୍ଷାରୁ ଆପଣାର ଶରୀରଟାକୁ ବଞ୍ଚାଇ ରଖିବାକୁ ପଶୁ କୌଣସି ଗଛ ତଳେ ବା ଗୁମ୍ଫା ଭିତରେ ଆଶ୍ରୟ ନିଏ । ପ୍ରକୃତି ବା ପରିସ୍ଥିତି ସହିତ ଖାପ ଖୁଆଇ ଆପଣାକୁ ଜିଆଇ ରଖିବା–ଏହା ହେଉଛି ପଶୁର ଜୀବନ ।

 

ମଣିଷ କେବଳ ଖାଇ, ପିଇ, ଶୋଇ, ହସ ସନ୍ତୁଷ୍ଟ ହୋଇ ରହିପାରିବ ନାହିଁ । ସେଥିଲାଗି ମଣିଷର ଖାଇବା, ପିଇବା, ଶୋଇବା କେବଳ ଖାଇବା, ପିଇବା, ଶୋଇବାରେ ସୀମାବଦ୍ଧ ହୋଇନାହିଁ । ଆପଣାର ସବୁ କାମ ଭିତରେ ମଣିଷ କେତେ ହସ, କାନ୍ଦ ଓ କରୁଣା ଭରି ଦେଇ ସବୁଟିକୁ ଏକ ବିଶିଷ୍ଟ ସମ୍ବନ୍ଧରେ ବାନ୍ଧି ରଖି ପାରିଛି । ଏହି ସମ୍ବନ୍ଧରୁ ମଣିଷର ସ୍ନେହ, ପ୍ରେମ, ଧର୍ମ ଓ ଅନୁରାଗର ସୃଷ୍ଟି ହୋଇଛି; ମଣିଷର ଜୀବନ ସରସ ହୋଇ ପାରିଛି ।

 

ମଣିଷ କେବଳ ପରିସ୍ଥିତି ସହିତ ଖାପ ଖୁଆଇ ଚାଲେ ନାହିଁ, ଆପଣାର ରୁଚି ଓ ଦୃଷ୍ଟି ଅନୁସାରେ ସେ ପରିସ୍ଥିତିକୁ ବଦଳାଇ ଦିଏ । ପୁରୁଣା ପରିସ୍ଥିତିକୁ ଭାଙ୍ଗି ସେ ନୂଆ ସ୍ତରର ପରିସ୍ଥିତି ସୃଷ୍ଟି କରେ । ତେଣୁ ତା’ର ଶିକ୍ଷା ମଧ୍ୟ ସେହିପରି ହେବା ଉଚିତ । ମଣିଷର ଦୃଷ୍ଟି, ମଣିଷର କଳ୍ପନା, ମଣିଷର କର୍ମପିପାସା ପ୍ରତ୍ୟେକ ମୁହୂର୍ତ୍ତରେ ତା’ର ଜୀବନକୁ ନୂଆ ନୂଆ ରଙ୍ଗ ଓ ନୂଆ ନୂଆ ଅର୍ଥ ଦେଇ ଚାଲିଛି । ଖାଲି ଯୁଗୋପଯୋଗୀ ହେବାକୁ ଆପଣାର ଲକ୍ଷ୍ୟ କରି ଧରିଲେ ମଣିଷର ଶିକ୍ଷାକୁ ସମୁଚିତ ଓ ସମ୍ପୂର୍ଣ୍ଣ କୁହାଯାଇ ପାରିବ ନାହିଁ । ଆମକୁ ଯୁଗସୃଷ୍ଟିକାରୀ ଶିକ୍ଷା ନେବାକୁ ହେବ । ପୁରୁଣା ଆବଦ୍ଧ ଜଳାଶୟର ବେଷ୍ଟନୀ ଭାଙ୍ଗି ଆମକୁ ନୂଆ ସୃଷ୍ଟିର ସ୍ରୋତ ବୁହାଇବାକୁ ହେବ । ଆମ ଜୀବନରେ, ଆମ ପ୍ରତ୍ୟେକଙ୍କର ଦୈନନ୍ଦିନ ଜୀବନ ଭିତରେ ପ୍ରତି ମୁହୂର୍ତ୍ତରେ ପୁରୁଣା ଭାଙ୍ଗୁଥିବ, ନୂଆ ଗଢ଼ା ହେଉଥିବ; ପୁରୁଣାର ବର୍ଜନ ଓ ନୂଆର ସୃଷ୍ଟି ଚାଲିଥିବ । ତେବେ ଯାଇ ଏଇଠି ଆମର ଶିକ୍ଷାକୁ ଆମେ ସାର୍ଥକ ଶିକ୍ଷା ବୋଲି କହିପାରିବା । ମୌଳିକ ହେଉ କି ବେମୌଳିକ ହେଉ, ଦେଶୀ ହେଉ କି ବିଦେଶୀ ହେଉ, ଶିକ୍ଷାର ଏଇ ମୂଳ ସାରଟିକୁ ଆମେ ସମସ୍ତେ ଶିକ୍ଷକ ଓ ଛାତ୍ର ଉଭୟେ ମନେ ରଖିବା । ଆମେ ଯୁଗର ଉପଯୋଗୀ ହେବା ନାହିଁ, ପଶୁ ପରି ଖାଲି ପରିସ୍ଥିତି ସହିତ ଖାପ ଖୁଆଇ ନେବାର ହୀନ ସାଧନା କରିବା ନାହିଁ । ଆମେ ଯୁଗ ସୃଷ୍ଟି କରିବା ।

 

୧୮ । ୧ । ୫୫

 

ଆମର ଭାବନା ଅନେକ ହୋଇପାରେ, କିନ୍ତୁ ବାସନା ଏକ ହେବା ଉଚିତ । ସେଦିନ ବାଙ୍କୁଡ଼ା କର୍ମୀ ସମ୍ମିଳନୀରେ ଶ୍ରୀ ବିନୋବା ଏଇ କଥା କହିଥିଲେ । ହଠାତ ଏଇ କଥାଟିର ପୂରା ଅର୍ଥ ସହଜରେ ବୁଝି ହୁଏ ନାହିଁ । ଟିକିଏ ଗଭୀର ଭାବରେ ଚିନ୍ତା କରିବାକୁ ପଡ଼ିବ । ତେବେ ଯାଇ ହୃଦୟ ଭିତରକୁ ଯାଇପାରିବା । ଆମେ ଦେଖିବା ଯେ କେବଳ ଭୂଦାନ-ଯଜ୍ଞ ବିପ୍ଳବର କର୍ମୀମାନଙ୍କର ଜୀବନରେ ନୁହେଁ, ସବୁ ମଣିଷଙ୍କର ଜୀବନରେ ମଧ୍ୟ ଏଇ କଥାଟିର ମହତ୍ତ୍ୱ ରହିଛି-। ଆମର ଏହି ଛୋଟ ସଂସାରଟିରେ ଯେଉଁଠି ସବୁଦିନେ ଆମେ ପ୍ରତ୍ୟେକେ ଏକ ସୁନ୍ଦର ଭବିଷ୍ୟତ୍‍ର ସ୍ୱପ୍ନ ଦେଖୁଛେ, ସେଥିଲାଗି ଆଗକୁ ବାଟ କାଢ଼ି କାଢ଼ି ଚାଲିଛେ–ଆମର ଏଠାରେ ମଧ୍ୟ ଏଇ କଥାଟିକୁ ବେଶ୍ ଲାଗୁ କରାଯାଇପାରିବ ।

 

ଆମେ କିପରି ବାସନା ନେଇ ଏଠିକି ଆସିଛୁ ? ଚାଲ ଘଡ଼ିଏ ନୀରବ ରହି ଆପଣାର ହୃଦୟ ଭିତରେ ଆମେ ଆପଣାକୁ ଏଇ ପ୍ରଶ୍ନ ପଚାରିବା । ଏଠିକାର ଚାରି ପାଖର ଦୃଶ୍ୟ ଅତି ସୁନ୍ଦର । କିନ୍ତୁ ଖାଲି ସୁନ୍ଦର ଦୃଶ୍ୟ ଦେଖିବାକୁ କ’ଣ ଆମେ ଏଠିକି ଆସିଛୁ ? ଉତ୍ତର-ବୁନିଆଦି ପାସ୍ କରିସାରିବା ପରେ ଆମର ସମ୍ମାନ ସମାଜରେ ବଢ଼ିବ । ଆମ ପାଠର ଦାମ୍ ବଢ଼ିବ । କିନ୍ତୁ ଖାଲି ପାଞ୍ଚଜଣଙ୍କର ଖାତିର ପାଇବାକୁ ବା ଭବିଷ୍ୟତ୍‍ରେ ଅଧିକ ପଇସା କମାଇବାର ଆଶା ରଖି କ’ଣ ଆମେ ଏଠିକି ଆସିଛୁ ? ପାଠ ପଢ଼ିବାର ଜୀବନ ବେଶ୍ ମଜାର ଜୀବନ; ନିଶ୍ଚିନ୍ତ ହୋଇ ଭୋଗ କରିବାର ଜୀବନ; ସେଥିରେ ପୁଣି ସରକାର ଆମକୁ ମାସକୁ ମାସ ସାହାଯ୍ୟ ଦେବ । କିନ୍ତୁ ଉପୁରି ପଇସାରେ ଏଠି ଚାରିଟା ବରଷ ଭୋଗ କରିଯିବାର ଲୋଭରେ ପଡ଼ି କ’ଣ ଆମେ ଏଠିକି ଆସିଛୁ ? ଆମ ପରିବାରର ଶିକ୍ଷକ ଓ ଛାତ୍ର, ବଡ଼ଭାଇ ଓ ସାନଭାଇ, ଚାଲ ଆମେ ସମସ୍ତେ ଆପଣା ଆପଣାକୁ ଏଇ ପ୍ରଶ୍ନ ପଚାରିବା ।

 

କୌଣସି ଶିକ୍ଷାନୁଷ୍ଠାନ ଶ୍ରମ କରିବାର ଓ ମଜୁରି ଦେବାର କାରଖାନା ସହିତ ତୁଳନା କରାଯାଇପାରିବ ନାହିଁ । ଏହା ଉପଭୋଗ କରିବାର ପ୍ରମୋଦବାଟିକା କଦାପି ହୋଇପାରିବ ନାହିଁ-। ତେବେ ଏ କ’ଣ ? ଯେଉଁମାନେ ଏଠାକୁ ଆସିବେ, କିଭଳି ବାସନା ନେଇ ସେମାନେ ଏଠାକୁ ଆସିବେ ? ଯଦି ହୃଦୟ ଖୋଲିଦେଇ ମନର କଥା ତୁମମାନଙ୍କୁ କହିଦେବାର ଅଧିକାର ତୁମେମାନେ ମୋତେ ଦିଅ, ତେବେ ମୁଁ କହିବି, ଚାଲ ଆମେ ସମସ୍ତେ ମିଶି ଏଇଠି ଭଲ ମଣିଷ ହେବାର ସାଧନା କରିବା । ଭଲ ମଣିଷର ବାସନା ନେଇ ଆମେ ଏଠିକି ଆସିଛୁ । ଏଇ କଥା ଆମେ ପ୍ରତ୍ୟେକ ଦିନ ଆପଣା ଆପଣାକୁ ସ୍ମରଣ କରାଇଦେବା । ଆମର ପାଠ, ଆମର କାମ, ଆମର ଅଭ୍ୟାସ, ଆମର ଆଚରଣ, ସବୁ ପ୍ରଧାନତଃ ଆମକୁ ଭଲ ମଣିଷ ହେବାକୁ ସାହାଯ୍ୟ କରୁ-। ଆମେ ସୁସ୍ଥ ଶରୀର ଓ ସୁସ୍ଥ ମନ ନେଇ ଏଠି ରହିବା । ଆମେ ସମସ୍ତେ ସରସ ହେବା; ଅନ୍ୟକୁ ସରସ ହେବାରେ ସାହାଯ୍ୟ କରିବା । ଯିଏ ଆଗକୁ ଚାଲିଯାଉଛି, ତା’ର ଶୁଭ କାମନା କରିବା-। ଯିଏ ପଛରେ ପଡ଼ିଯାଉଛି, ହାତ ବଢ଼ାଇ ତାକୁ ଆମର ସମକକ୍ଷ କରିନେବା । ଆମେ ସମସ୍ତେ ଗୋଟିଏ ବାଟର ବାଟୋଇ, ପଥର ସାଥୀ–ହଁ, ଶିକ୍ଷକ ଓ ଛାତ୍ର ସମସ୍ତେ । କାରଣ ଭଲ ମଣିଷ ହେବାର ସାଧନା ଆମ କାହାରି ଶେଷ ହୋଇ ନାହିଁ; ଶେଷ ହେବ ନାହିଁ । ଛାତ୍ରର ନୁହେଁ କି ଶିକ୍ଷକର ନୁହେଁ । ଯେଉଁ ବାସନା ଆମକୁ ଏଠି ଏକାଠି କରାଇଛି, ସେଇ ବାସନା ଆମକୁ ଗୋଟିଏ ପଥର ସ୍ନେହଶୀଳ ଓ ସହିଷ୍ଣୁ ସାଥୀ କରି ରଖିଥାଉ ।

 

୨୭ । ୧ । ୫୫

 

କାଲି ଆମର ଗଣତନ୍ତ୍ର ଦିବସ ଗଲା । ଆମେ ସେଇ ଦିନଟିକୁ ଯଥାବିଧିରେ ପାଳନ କରିଥାନ୍ତୁ, ଆନନ୍ଦ ଉତ୍ସବ, ସଭାସମିତି କରିଥାନ୍ତୁ, ଏକଥା ହୁଏତ ଆମ ଭିତରୁ ଅନେକେ ଇଚ୍ଛା କରିଥିଲେ । ପତାକା ଉଡ଼ାଇଲେ କି ଜାତୀୟସଙ୍ଗୀତ ଗାଇଲେ ଗଣତନ୍ତ୍ର ଦିବସର ପାଳନ ହୁଏ ନାହିଁ । ଆମେ ବର୍ତ୍ତମାନ ପାଠ ପଢ଼ୁଛେ । ଆମେ ବର୍ତ୍ତମାନ ପିଲା । ଦେଶରେ ଆମରି ପରି ଆହୁରି ଅନେକ ପିଲା ଅଛନ୍ତି । ଆମଠାରୁ ବୟସରେ ଛୋଟ ପିଲା ମଧ୍ୟ ଅଛନ୍ତି । ଏଇ ଦେଶର ଆକାଶ ତଳେ ଏପର୍ଯ୍ୟନ୍ତ ସେମାନଙ୍କ ସକାଶେ ଘର ଖଣ୍ଡେ ତିଆରି ହୋଇ ନାହିଁ । ଖାଇବା ପିନ୍ଧିବା ଏପର୍ଯ୍ୟନ୍ତ ଆମ ଦେଶର ଅନେକ ପିଲାଙ୍କର ଭାଗ୍ୟରେ ଯୁଟିନାହିଁ । ପାଠ ପଢ଼ିବା କଥା କିଏ ପଚାରୁଛି ? ଯେଉଁ ଦେଶର ପିଲା ପେଟର ଭୋକ ମେଣ୍ଟାଇବାକୁ ଜୋତା ପାଲିସ୍ କରୁଛି, ରାସ୍ତା କଡ଼ରେ ଲଙ୍ଗଳା ହୋଇ ବୁଲି ଭିକ ମାଗୁଛି, କୁଲି ହୋଇ ଆମରିମାନଙ୍କର ବୋଝ ବୋହୁଛି, ସେହି ଦେଶର ପିଲାଏ ପାଠ ପଢ଼ିବେ ! ସବୁ ପିଲାଏ ଭଲ ପାଠ ପଢ଼ିବେ, ଏକଥା ଲାଗି ଆହୁରି ଅନେକ ବର୍ଷ ସାଧନା କରିବାକୁ ପଡ଼ିବ ।

 

ଦେଶର ଗଣତନ୍ତ୍ର ପ୍ରକୃତ ଗଣତନ୍ତ୍ର ହୋଇଥିଲେ ଦେଶର ପ୍ରକୃତ ମଣିଷ ତାହା ଅନୁଭବ କରିପାରୁଥାନ୍ତା । ତାକୁ ଆଉ ସରକାରୀ ନୋଟିସ ଦିଆଯାଇ ଗଣତନ୍ତ୍ର ଦିବସ ପାଳନ କରିବା ଲାଗି କହିବା ଦରକାର ପଡ଼ନ୍ତା ନାହିଁ । ଡେନ୍‌ମାର୍କ ବା ଆମେରିକାରେ ଏପରି ହୁଏ ନାହିଁ । ସେଠି ସମସ୍ତେ ସ୍ୱାଧୀନଭାବରେ ପରିଶ୍ରମ କରନ୍ତି; ସ୍ୱାଧୀନଭାବରେ ପାଠ ପଢ଼ନ୍ତି; ସ୍ୱାଧୀନ ଓ ସମାନ ଭାବରେ ମନର କଥା କହିପାରନ୍ତି । ସେଠି ମଣିଷକୁ ମଣିଷର ସମ୍ମାନ ଦିଆଯାଏ; ମଣିଷକୁ ଉପଯୁକ୍ତ ଶିକ୍ଷା ଦିଆଯାଏ । ସେଠି ପିଲାକୁ ସମସ୍ତେ ଆଦର କରନ୍ତି, ପିଲାକୁ ସାରା ଦେଶର ସମ୍ପତ୍ତି ଭାବୀ ତା’ର ଭବିଷ୍ୟତ୍ ଗଢ଼ନ୍ତି । ଆମ ଦେଶରେ ସେଇ ସ୍ଥିତି ସମ୍ଭବ କରିବାକୁ ଅନେକ ବାଟ ବାକି ଅଛି ।

 

ରାଜନୈତିକ ସ୍ୱାଧୀନତା ପାଇବା ପୂର୍ବରୁ ମଧ୍ୟ ଜାନୁଆରୀ ୨୬ ତାରିଖକୁ ଆମେ ଜାତୀୟପର୍ବରୂପେ ପାଳନ କରିଥିଲୁ । ସେଦିନ ଭାରତର ଲୋକେ ଦେଶକୁ ସ୍ୱାଧୀନ କରିବାର ଶପଥ ପତ୍ର ପଢ଼ୁଥିଲେ । ମଣିଷ ହିସାବରେ ସଂସାରରେ ସ୍ୱାଧୀନ ହୋଇ ବଞ୍ଚିବାର ଅଧିକାର ଆମର ଅଛି, ଆମେ ସ୍ୱାଧୀନ ହେବା ଲାଗି ସବୁ ସମର୍ପଣ କରିଦେବାକୁ ତିଆରି ହେବୁ, ଏହିପରି ଗୋଟାଏ ସଂକଳ୍ପ ସେଦିନ ସମସ୍ତେ ନେଉଥିଲେ । ସ୍ୱାଧୀନତା ପରେ ଆମେ ସତ୍ୟ ଓ ଅହିଂସାର ମୂଳଦୁଆ ଉପରେ ନୂଆ ସମାଜ ଓ ନୂଆ ବ୍ୟବସ୍ଥା ଗଢ଼ିବୁ, ଶପଥପତ୍ରରେ ଆମେ ଏଇ କଥା କହି ଆସୁଥିଲୁ । ଅହିଂସାର ବାଟରୁ ଆମେ ଅନେକ ବାଟ ହଟି ଆସିଛୁ । ଶପଥପତ୍ରଟିରୁ ଅହିଂସା ବିଷୟକ ସଂକଳ୍ପଟି ବର୍ତ୍ତମାନ ଉଠାଇ ଦିଆଯାଇଛି । ଜାନୁଆରୀ ୨୬ ତାରିଖ ପାଳନ କରିବା ପୂର୍ବରୁ ପ୍ରତ୍ୟେକ ଛାତ୍ରକୁ ଗଭୀର ଭାବରେ ସେଇ କଥା ଭାବିବାକୁ ହେବ ।

 

୨୯ । ୧ । ୫୫

 

ଆମେ କେତେ ଦିନ ହେଲା ବକ୍ତୃତା ବିଷୟରେ ସୋପାନ କରୁଛୁ । ଆମେ ସମସ୍ତେ କିପରି ଯେକୌଣସି ବିଷୟରେ ଭଲକରି ପାଞ୍ଚପଦ କଥା କହି ପାରିବା, ଏଥିଲାଗି ଆମେ ଏକ ନୂଆ ସୋପାନ ଆରମ୍ଭ କରିଛୁ । କଥା କହି ଶିଖିବା ଗୋଟାଏ କଳା । ଏହାଲାଗି ଅନେକ ଉଦ୍ୟମ ଦରକାର, ଅନେକ ଅଧ୍ୟବସାୟ ଦରକାର । ଦୁଇହଜାରବର୍ଷ ତଳେ ଗ୍ରୀସ୍ ଦେଶରେ ଡିମିସ୍ଥିନିସ୍ ବୋଲି ଜଣେ ଲୋକ ଥିଲେ । ସେ ପିଲାଟିଦିନରୁ ଖନା, ଅଥଚ ଏଣେ ଭଲ ବକ୍ତୃତା ଦେବା ଲାଗି ତାଙ୍କର ଭାରି ମନ । ସବୁଦିନେ ସେ ଗୋଟାଏ ନିକାଞ୍ଚନ ଜାଗାକୁ ଯା’ନ୍ତି, ପାଟି ଭିତରେ ଗୋଡ଼ି ଭର୍ତ୍ତି କରି ଦୁଇ ଗାଲରେ ମୁଥ ମାରନ୍ତି । ଏହିପରି ସେ ସ୍ପଷ୍ଟ କଥା କହିଶିଖିଲେ; ବଡ଼ ହୋଇ ଗ୍ରୀସ୍ ଦେଶରେ ଜଣେ ସୁଖ୍ୟାତ ବକ୍ତା ହିସାବରେ ପରିଚିତ ହେଲେ । କଥା କହିବାର କଳା ହାସଲ କରିବାକୁ ଅନେକ ସାଧନା ଦରକାର ।

 

କଥା କହିବାର କଳା ହାସଲ କରିବା ସଙ୍ଗେ ସଙ୍ଗେ ଆମକୁ ନୀରବ ରହିବାର କଳା ମଧ୍ୟ ହାସଲ କରିବାକୁ ହେବ । ତା’ ନ ହେଲେ ଆମ ଜୀବନରେ ଭାରସାମ୍ୟ ଆସିବ ନାହିଁ । କେତେବେଳେ ମୋର ମନର ଭାବ ସ୍ପଷ୍ଟ ଓ ସହଜ ଭାବରେ ମୁଁ କହିବି ଏହା ଜାଣିରଖିବା ଯେତିକି ଦରକାର, କେତେବେଳେ ମୋର ଆପଣା ମନର ନୀଡ଼ ଭିତରେ ମୁଁ ନୀରବ ହୋଇ ବସିବି, ଏଇଟି ଜାଣିବା ମଧ୍ୟ ସେତିକି ଦରକାର ।

 

ଯିଏ କଥା କହିବା ଦରକାର ଥିଲାବେଳେ ଚୁପ୍‌ହୋଇ ପଛକୁ ରହିଯାଏଁ, ଆମେ ତାକୁ ବୋକା ବୋଲି କହୁ । ତାହା ଠିକ୍ । ବିନା ସଙ୍କୋଚ ଓ ବିନା ଲଜ୍ଜାରେ ମୋତେ ମୋର ମନର କଥା ପାଞ୍ଚ ଜଣଙ୍କ ଆଗରେ କହିବାକୁ ହେବ । କିନ୍ତୁ କଥା କହିବା ଦରକାର ଥିଲାବେଳେ ଯିଏ କଥାକୁହା କଳପରି ବଜର ବଜର ହେଉଥାଏ, ତାକୁ ମଧ୍ୟ ଆମେ ବୋକା କହିବା । ଜୀବନରେ ସେ ଅନେକ ହରାଏ । ତା’ର ଭିତରଟା କଥା କହି କହି ଫମ୍ପା ହୋଇ ପଡ଼ି ରହିଥାଏ । ସିଏ ସଂସାରରୁ କିଛି ଗ୍ରହଣ କରିପାରେ ନାହିଁ, ତେଣୁ ସଂସାରକୁ କିଛି ଦେଇପାରେ ନାହିଁ । ଗ୍ରୀଷ୍ମ କାଳରେ ପାଣି ବାମ୍ଫ ହୋଇ ଗଗନମଣ୍ଡଳରେ ଜମା ହୁଏ । ବର୍ଷା ଦିନରେ ତାହା ମେଘ ହୋଇ ପାଣି ବର୍ଷା କରେ; ସାରା ସଂସାରକୁ ଜୀବନ ଓ ବେଗରେ ଭରପୂର କରିଦିଏ । ଗ୍ରୀଷ୍ମ କାଳର ନୀରବ ସଂଗ୍ରହର ସାଧନା ଆମେ ସମସ୍ତେ କରିବା । ତା’ହେଲେ ଆମେ ସଂସାରକୁ ଦେବାର ଯୋଗ୍ୟ ଅନେକ କିଛି ଦେଇପାରିବା, ନିଜର ଜୀବନକୁ ଧନ୍ୟ କରିବା ।

 

ଦିନମାନଙ୍କର କାର୍ଯ୍ୟକ୍ରମ ଭିତରେ ଆମକୁ ଏଇ ଦୁଇଟିଯାକ କଳାର ଏକତ୍ର ସାଧନା କରିବାକୁ ହେବ । ମୁଁ ନୀରବ ହେବି, ସଂଗ୍ରହ କରିବି, ଆପଣା ବାହାରେ ଠିଆ ହୋଇ ଆପଣାଙ୍କୁ ନିରୀକ୍ଷଣ କରି ଶିଖିବି, ମୁଁ ଆତ୍ମ-ସମାଲୋଚନା କରିବି । ପୁଣି ମୁଁ କଥା କହିବି, କାମ କରିବି, ସଂସାରର ଷାଠିଏ ଜଣଙ୍କ ସହିତ ଏକତ୍ର ହୋଇ ଜୀବନର କର୍ମ ସାଧନ କରିବି, ଆତ୍ମନିବେଦନ କରିବି । ଜୀବନରେ ବାର ବାର ମୋର କବାଟ ବନ୍ଦ କରି ମୁଁ ଏକାନ୍ତରେ ମଧୁ ସଂଗ୍ରହ କରିବି, ପୁଣି ବାର ବାର ମୋର ସମସ୍ତ କବାଟ ଖୋଲିଦେଇ ମୁଁ ସଂଗୃହୀତ ସମସ୍ତ ମଧୁ ବିତରଣ କରିଦେବି । ମୋର ତଥା ଅନ୍ୟ ସଭିଙ୍କ ଜୀବନକୁ ମଧୁମୟ କରିଦେବି ।

 

୩୦ । ୧ । ୫୫

 

ସେ ଆଜିକୁ ସାତବର୍ଷ ତଳର କଥା । ସାତବର୍ଷ ତଳେ ଗାନ୍ଧି ଏଇ ଦେଶରେ ଶରୀର ଧରି ରହିଥିଲା । ଏଇ ଦେଶର ଦୁଃଖ ଦୈନ୍ୟକୁ ସମ୍ଭାଳିବା ଲାଗି ସେ ଆଗ ହୋଇ ବାହାରି ପଡ଼ୁଥିଲା । ଏଇ ଦେଶ ପିତା ହିସାବରେ ଆଗକୁ ବାଟ କଢ଼ାଇ ନେଉଥିଲା । ସେତେବେଳେ ଦେଶର ପାଣି, ପବନ, ମଣିଷର ମନ ଓ ବିଚାର ଭିତରେ ଗାନ୍ଧି ପୂରି ରହିଥିଲା । ଗାନ୍ଧି କହିଲେ ସାରା ଦେଶ କାନଡ଼େରି ଶୁଣୁଥିଲା । ଗାନ୍ଧି ରୁଷିଲେ ସାରା ଦେଶ ପ୍ରମାଦ ଗଣୁଥିଲା । ଆଜି ସେସବୁ ପୁରୁଣା ହୋଇଗଲାଣି । ଆଉ ସେସବୁ କଥା ମନେ ପଡ଼ୁ ନାହିଁ । କେତେ ଗାଁରେ, ସହରରେ, ରାଜପଥରେ, ଉପବନରେ ଗାନ୍ଧିର ବହୁମୂଲ୍ୟ ମୂର୍ତ୍ତି ପ୍ରତିଷ୍ଠା କରାଯାଇଛି । ଗାନ୍ଧି ନାଆଁରେ ଲକ୍ଷ ଲକ୍ଷ ଟଙ୍କା ସଂଗ୍ରହ ହୋଇଛି । ଦେଶର ଦରିଦ୍ରଙ୍କ ଲାଗି କିଛି ହିତକର କାମ କରାଯିବାର ନାନା ବ୍ୟବସ୍ଥା ହେଉଚି । ଗାନ୍ଧି କହିଛି ବୋଲି ଦେଶର ସହାୟହୀନ ଦୁର୍ଭାଗ୍ୟ ଲୋକଙ୍କୁ ଦୟା ଦେଖାଇବା ଲାଗି ଆଜି କେତେ ବଡ଼ଲୋକ ଆଗୁଆ ହୋଇ ବାହାରିଛନ୍ତି ।

 

ପୃଥିବୀର ବିଖ୍ୟାତ ବୈଜ୍ଞାନିକ ଓ ଦାର୍ଶନିକ ଆଇନ୍‌ଷ୍ଟାଇନ୍‌ଙ୍କ ନାଆଁ ଆମେ ସମସ୍ତେ ଶୁଣିଛୁ । ଗାନ୍ଧିଜୀଙ୍କର ତିରୋଧାନ ପରେ ସେ ତାଙ୍କ ବିଷୟରେ ଗୋଟିଏ ଭବିଷ୍ୟତ୍ ବାଣୀ କରିଥିଲେ । ସେ କହିଥିଲେ, ଆଉ କେତେ ବର୍ଷ ଚାଲିଗଲେ ଆମେ ହୁଏତ ବିଶ୍ୱାସ କରିପାରିବା ନାହିଁ ଯେ ଚମ-ମାଂସ-ହାଡ଼ର ଦେହ ଧରି ଏପରି ଜଣେ ମହାପୁରୁଷ ପୃଥିବୀରେ ଅବତୀର୍ଣ୍ଣ ହୋଇଥିଲା; ପୃଥିବୀର ଦୁଃଖ ସୁଖରେ ଭାଗୀ ହୋଇଥିଲା । ପ୍ରେମ ବଳରେ ଜଗତକୁ ଆପଣାର କରିବାର କଳାକୁ ନିଜର ଛୋଟବଡ଼ ସବୁ କାମରେ ପ୍ରୟୋଗ କରୁଥିଲା ।

 

ତାଙ୍କର ଭବିଷ୍ୟତ୍‍ବାଣୀକୁ ଆମେ ସବୁ ଅଯୋଗ୍ୟ ମଣିଷ ସଫଳ କରି ଚାଲିଛୁ । ଗାନ୍ଧି ଦେଉଳ ଭିତରେ ଥାଉ, ଗାନ୍ଧିର ପୂଜା ବର୍ଷକୁ ବର୍ଷ ଅଧିକରୁ ଅଧିକ ଆଡ଼ମ୍ବରରେ ହେଉଥାଉ, ଗାନ୍ଧିର ମୂର୍ତ୍ତି ଗାଁ ଗାଁରେ ତିଆରି ହେଉ, ସେଥିରେ ମୋଟେ ଆପତ୍ତି ନାହିଁ । ଏସବୁ ତ ମଲା ଗାନ୍ଧିର ଉପାସନା, ମଲା ଗାନ୍ଧିର ଆରାଧନା, ମଲା ଗାନ୍ଧିର ଭକ୍ତି । ଏ ଭକ୍ତିରେ କୌଣସି ଦାୟିତ୍ୱ ନାହିଁ । କିନ୍ତୁ ଜିଅନ୍ତା ଗାନ୍ଧିର ପୂଜା କିଏ କରିବ । ଗାନ୍ଧି ଯାହା କହୁଥିଲା, ଯାହାପାଇଁ ଦେହଧରି ରହିଥିଲା ଓ ଯାହାପାଇଁ ପୁଣି ଦେହ ଛାଡ଼ିଲା, ତାକୁ ଯିଏ ଜୀବନରେ ସବୁଠାରୁ ବେଶି ମୂଲ୍ୟ ଦେବ, ଆପଣାର ବ୍ୟକ୍ତିଗତ ଓ ସାମାଜିକ ଜୀବନାଚରଣର ଛୋଟବଡ଼ ସବୁ କାମରେ ଗାନ୍ଧିକୁ ଆଣି ବସାଇପାରିବ, ସେଇ ଜିଅନ୍ତା ଗାନ୍ଧିର ପୂଜା କରିପାରିବ ।

 

ଗାନ୍ଧି ଯେତେବେଳେ ବଞ୍ଚିଥିଲା, ସେତେବେଳେ ତା’ର କଥା ଓ କାମ ଭିତରେ ଭଗବାନ୍ କଥା କହୁଥିଲେ । ସାରା ଦେଶରେ ବିବେକ କଥା କହୁଥିଲା । ଗାନ୍ଧିର ଶରୀର ମରିଗଲା; ଏଥର ଆମରି ଜୀବନ ଭିତର ଦେଇ ଆମର ବିବେକ କଥା କହୁ । ଆମର କଥା ଭଗବାନ୍‍ଙ୍କର କଥା ହେଉ । ଆମର କାମ ଭଗବାନ୍‍ଙ୍କର କାମ ହେଉ । ଗାନ୍ଧିକୁ ଆମେ ପୂଜା କରିବାର ମୂର୍ଖତା କରିଛୁ, ଦୁର୍ବଳ କର୍ମହୀନ ଭକ୍ତି ଦେଖାଇଛୁ । ସେଥିଲାଗି ଜିଅନ୍ତା ଗାନ୍ଧିର ସ୍ପର୍ଶ ଆମେ ପାଇଲୁ ନାହିଁ-। ଆମ ଭକ୍ତି ଆଉ ଆରାଧନାର ରାସ୍ତା ଅଲଗା ପ୍ରକାରର ହେଉ । ଚାଲ, ଆମେ ସମସ୍ତେ ଆମ ହୃଦୟ ଭିତରେ ଗାନ୍ଧିଙ୍କୁ କହିବା–ଆମେ ଯିବାକୁ ପ୍ରସ୍ତୁତ ଅଛୁ, ହେ ମହାନ୍ ପିତା, ତୁମେ ଆମର ହାତଧରି ପଥ କଢ଼ାଇ ନେଇଯାଅ । ଆମେ ପ୍ରସ୍ତୁତ ଅଛୁ, ତୁମେ ଆମକୁ ତୁମରି ପ୍ରିୟ କାମରେ ଉଦ୍ୟତ କରିନିଅ ।

 

୮ । ୨ । ୫୫

 

ଓଡ଼ିଶାର ଚାରିଆଡ଼ୁ ଆମେ ଗୋଟାଏ ଜାଗାରେ ଏକତ୍ର ହୋଇଚେ । ଆସିଲାବେଳେ କେତେ ସ୍ୱପ୍ନ, କେତେ ବାସନା ନେଇ ଆମେ ଏଠିକି ଆସିଛେ । ସମସ୍ତଙ୍କ ମନରେ ସେଇ ଗୋଟାଏ ଅଭିଳାଷ, ଛାତ୍ର ଓ ଶିକ୍ଷକଙ୍କ ମନରେ ସେଇ ଗୋଟାଏ କଳ୍ପନା ଯେ ଆମେ ଏକାଠି ମିଶି ଗୋଟାଏ ମନୋମତ ଶିକ୍ଷା-ଅନୁଷ୍ଠାନ ତିଆରି କରିବା ।

 

କିନ୍ତୁ ଆମର ଏ ଅନୁଷ୍ଠାନକୁ ଶିକ୍ଷା ଅନୁଷ୍ଠାନ ବୋଲି କହିବା ଲାଗି ଆମର କ’ଣ ଅଛି ? କେତେ ବଡ଼ ବଡ଼ କୋଠାରେ ଆମର ସ୍କୁଲ, କଲେଜ ବସିଛି । ଖେଳପଡ଼ିଆ ଅଛି । ବିଜ୍ଞାନର ପ୍ରୟୋଗ ଲାଗି ବଡ଼ ବଡ଼ ପ୍ରୟୋଗଶାଳା ଅଛି । ସେଠି ଯିଏ ପାଠ ପଢ଼ୁଛି, ସେମାନଙ୍କର ଭେକ ସେମାନଙ୍କୁ ଅନ୍ୟମାନଙ୍କଠାରୁ ପାଠୁଆ ବୋଲି ଚିହ୍ନା ପକେଇ ଦେଉଛି । ଯିଏ ଦେଖୁଛି, ତା’ର ଆଖି ପୂରିଯାଉଛି । ଯିଏ ସେ ବାଟେ ଯାଉଛି, ସିଏ ଆମ ଦେଶର ଶିକ୍ଷା ଅନୁଷ୍ଠାନକୁ ଚିହ୍ନିପାରୁଛି । କିନ୍ତୁ ଆମର କ’ଣ ଅଛି ? ଭଲ ଘର ଖଣ୍ଡେ ନାହିଁ, ପାଠପଢ଼ାର ସରଞ୍ଜାମ ନାହିଁ, ସଫା ଲୁଗା ଖଣ୍ଡେ ଖଣ୍ଡେ ପିନ୍ଧିବାର ସାମଗ୍ରୀ ଆମ ପାଖରେ ନାହିଁ । ଆମର ଏଠି ଶିକ୍ଷକ ନାହାନ୍ତି, ନିୟମିତ କାର୍ଯ୍ୟକ୍ରମ ନାହିଁ, ମନୋମତ ପାଠ ପଢ଼ିବାର ଉପକରଣ ଆମର ନାହିଁ । କ’ଣ ଦେଖି ଆମର ଅନୁଷ୍ଠାନକୁ ଶିକ୍ଷା-ଅନୁଷ୍ଠାନ ବୋଲି କୁହାଯିବ ? ଆମର ଏଠିକା ଅଧିବାସୀଙ୍କ ଠାରେ କି ଲକ୍ଷଣ ଦେଖି ଲୋକେ ଆମକୁ ଶିକ୍ଷକ ଓ ଶିକ୍ଷାର୍ଥୀ ବୋଲି ଚିହ୍ନିବେ ? ସେପରି ଯଦି କୌଣସି ଲକ୍ଷଣ ଆମ ପାଖରେ ନ ଥାଏ, ତେବେ ଆମର ଅନୁଷ୍ଠାନ ଏକ ଶିକ୍ଷା-ଅନୁଷ୍ଠାନ,ଏପରି ଦାବି କରିବାର କି ଅଧିକାର ଆମର ରହିବ ?

 

ଆମର ନମ୍ରତା, ଆମର ବିନୟ, ଆମର ସହନଶୀଳତାହିଁ ଆମ ଅନୁଷ୍ଠାନର ପ୍ରଧାନ ଓ ପ୍ରଥମ ଲକ୍ଷଣ ହେଉ, ଆମ ଜୀବନର ସବୁଠୁ ମୂଲ୍ୟବାନ୍ ସନ୍ତକ ହେଉ । ଆମେ ନମ୍ର ହେବା; ଆପଣାର ଦୈନନ୍ଦିନ କାର୍ଯ୍ୟରେ ନମ୍ର ହେବା, ସେବାରେ ନମ୍ର ହେବା, ସାମାଜିକ କାର୍ଯ୍ୟରେ ଆଉ ପନ୍ଦର ଜଣଙ୍କ ସମ୍ପର୍କରେ ଆସିଲାବେଳେ ଆମେ ନମ୍ର ହେବା । ଆମେ ସହିଷ୍ଣୁ ହେବା । ଉତ୍ତେଜନା ସବୁବେଳେ ଅଳ୍ପବୁଦ୍ଧି ଓ ଅଳ୍ପବିଦ୍ୟାର ସଙ୍କେତ ଦିଏ । ପାକସ୍ଥଳୀ ଯେତିକି ସହିପାରିବ, ତା’ଠାରୁ ଅଧିକ ଖାଇଲେ ମଣିଷର ବଦହଜମି ହୁଏ । ଜ୍ଞାନକୁ ଯିଏ ହଜମ କରିପାରେ, ସେ ସ୍ୱଭାବତଃ ସହିଷ୍ଣୁ ହୋଇଯାଏ । ନଚେତ ଜ୍ଞାନର ବଦହଜମି ହୋଇ ବଦହଜମି ପେଟ ପରି ତାକୁ ସବୁବେଳେ ଉତ୍ତ୍ୟକ୍ତ ଉତ୍ତେଜିତ ହୋଇ ରହିବାକୁ ପଡ଼େ ।

 

ଆମ ଶାସ୍ତ୍ରମାନଙ୍କରେ ଶିକ୍ଷାକୁ ବିନୟ ବୋଲି କୁହାଯାଇଛି । ସୁନା, ରୁପା ଅଧିକରୁ ଅଧିକ ବାନ୍ଧିଲେ ଗଣ୍ଠି ବଡ଼ ହୁଏ । ଧାନ, ଚାଉଳ ଜମାକଲେ ଅମାର ବଡ଼ କରିବାକୁ ପଡ଼େ । କିନ୍ତୁ ଶିକ୍ଷାକୁ ଅର୍ଜନ ଓ ସଞ୍ଚୟ କରିବାର ରୀତି ସ୍ୱତନ୍ତ୍ର । ଯେ ଯେତିକି ଅଧିକ ଶିକ୍ଷା ପାଏ, ଯେତିକି ଯିଏ ଶିକ୍ଷାକୁ ହଜମ କରି ଆତ୍ମଜ୍ଞାନ ଓ ଜୀବନ-ଜ୍ଞାନରେ ପରିଣତ କରେ, ସେ ସେତିକି ନମ୍ର, ସେତିକି ବିନୀତ, ସେତିକି ଶାନ୍ତ ହୋଇଯାଏ । ସ୍ୱାମୀ ବିବେକାନନ୍ଦ ଅଧା ମାଠିଆ ଓ ପୂରା ମାଠିଆ କଥା କହିଛନ୍ତି । ପାଣି ଭିତରେ ଖାଲି ମାଠିଆଟିକୁ ବୁଡ଼ାଇବାବେଳେ ମାଠିଆ ଘଡ଼ ଘଡ଼ ଶବ୍ଦ କରେ । କିନ୍ତୁ ଯେଉଁ ମୁହୂର୍ତ୍ତରେ ମାଠିଆ ପୂରି ଯାଏଁ, ମାଠିଆ ନିଃଶବ୍ଦ ଓ ଶାନ୍ତ ହୋଇଯାଏ । ଶିକ୍ଷିତ ମଣିଷ ପୂର୍ଣ୍ଣ ହୋଇ ରହିଥିବା ମାଠିଆ ପରି । ସେ ନମ୍ର, ସେ ବିନୀତ, ସେ ସହିଷ୍ଣୁ, ସେ ଶାନ୍ତ ।

 

୧୩ । ୨ । ୫୫

 

ଅନେକ ସମୟରେ ମୁଁ ତୁମକୁ ଅବିଶ୍ୱାସ କରି ପକାଉଛି । ମନେ ମନେ ତୁମମାନଙ୍କ ଉପରେ ଭାରି ବିରକ୍ତ ହେଉଛି । ମୁଁ ଜାଣେ ଏପରି ଅବିଶ୍ୱାସ କରିବା ଓ ଏପରି ବିରକ୍ତ ହେବା ମୋର ମୂର୍ଖତା ମାତ୍ର । ମୋର ଦୁର୍ବଳତାକୁ ମୁଁ ମୋର ରାଗ ଓ ଆଖି ନାଲିର ଢାଙ୍କୁଣି ଦେଇ ଘୋଡ଼ାଇ ରଖିବାକୁ ଚାହୁଁଛି । ତୁମେ ସବୁ ଯଦି ଗୋଛାଏ ଗୋଛାଏ ଛଣ ବା କାଉଁରିଆ ଡାଙ୍ଗ ହୋଇଥାନ୍ତ, ତେବେ ତୁମମାନଙ୍କୁ ମୁଁ ମୁଣ୍ଡରେ ଉଠାଇ ଯୋଉଠୁ ସେଠିକି ନେଇପାରୁଥାନ୍ତି, ଯୋଉଠୁ ଇଚ୍ଛା ନେବା ଆଣିବା କରନ୍ତି, ପକାଇ ରଖିପାରନ୍ତି । ପିଲାଏ ନିର୍ଜୀବ ହେଲେ ଶିକ୍ଷକର କାମ ଅତି ସହଜ ହୋଇଯାଏ । ପିଲାଏ ଜଡ଼, ଶିଥିଳ ହୋଇଗଲେ ଶିକ୍ଷକ ଲମ୍ବା ଶିକ୍ଷଣବାଟକୁ ଗୋଟାଏ ଡିଆଁରେ ପାର ହୋଇଯାଇପାରେ; କିନ୍ତୁ ଏଇଆକୁ କ’ଣ ଶିକ୍ଷା କହନ୍ତି ?

 

ଅନେକ ସମୟରେ ତୁମେମାନେ ମୋତେ ଅବିଶ୍ୱାସ କରୁଛ । ମୋର ମର୍ଜି ମୁତାବକ କାମକୁ ତୁଲାଇ ନ ପାରିଲେ ତୁମେ ଭୟ କରୁଛ । ମୁଁ ଥିଲାବେଳେ ତୁମେ ଇଚ୍ଛାନୁସାରେ କଥା କହିବାକୁ କି କାମ କରିବାକୁ ସଙ୍କୋଚ ବୋଧ କରୁଛ । ମନେ ମନେ ଭାବୁଛ, ଏଠି ପାଠ ପଢ଼ିବାକୁ ଆସି ଭୁଲ୍ ହେଲା । ଏଠିକାର ଶିକ୍ଷକ ଆମର ଆଶା ପୂରଣ କରିପାରିବ ନାହିଁ, ଆମ ମନର କ୍ଷୁଧା ଓ ଅନ୍ତରର ପିପାସାକୁ ଖାଦ୍ୟ ପାନୀୟ ଯୋଗାଇ ପାରିବ ନାହିଁ । କିଏ ଭାବୁଛି, ଏଠି ଖାଲି କାମ କରାଇ ଆମକୁ ମୂଲିଆ କରି ଦିଆଯାଉଛି । କିଏ କହୁଛି ଆମକୁ ଭୂଦାନ-କର୍ମୀ ହେବାକୁ ବାଧ୍ୟ କରାଯାଉଛି । ପୁଣି କିଏ କହୁଛି, ଏଠି ଠିକ୍ ମୌଳିକ ଶିକ୍ଷା ଦିଆଯାଉ ନାହିଁ । ଏପରି ଯାବତୀୟ ବିଚାରରେ କେବଳ ମନର ଦୁର୍ବଳତାହିଁ ପ୍ରକାଶ ପାଉଛି ।

 

ଆମେ ଏଠି ଭୂଦାନ ଶିବିର ଖୋଲିବା ନାହିଁ । ମୌଳିକ ଶିକ୍ଷାର କୌଣସି କାଳ୍ପନିକ ଛାଞ୍ଚରେ ଆମର ବହୁମୂଲ୍ୟ ଆକାଂକ୍ଷା ଓ ବାସନାକୁ ପକାଇ ଆମେ ଯାନ୍ତ୍ରିକ ଛାତ୍ର ଓ ଯାନ୍ତ୍ରିକ ମନ ତିଆରି କରିବା ନାହିଁ । ଆମେ ସମସ୍ତେ ଭଲମଣିଷ ହେବା । ଆମର ଶରୀର ସୁସ୍ଥ ସବଳ ରହିବ, ହୃଦୟ ସ୍ୱଚ୍ଛ ରହିବ, ମନରେ ତେଜସ୍ୱିତା ରହିବ, ଆଚରଣରେ ନମ୍ରତା ରହିବ । ସବୁଥିରୁ ଆମେ ଶଖିବା । ଜୀବନର ଗ୍ରନ୍ଥ ଅଗାଧ ସମୁଦ୍ର ପରି । ଆମେ ସେଇ ସମୁଦ୍ରର ଉପକୂଳରେ ଏକାଠି ବାଟ ଚାଲିଯିବା । ଆମର ତେଜସ୍ୱୀ ମନଦ୍ୱାରା ଆମ ବାତାବରଣ ମଧ୍ୟ ତେଜସ୍ୱୀ ହୋଇ ଉଠିବ । ଆମର ସଂସ୍ପର୍ଶରେ ଯିଏ ଆସିବ, ସିଏ ଆମର ତେଜସ୍ୱିତା ଓ ନମ୍ରତାର ସ୍ପର୍ଶ ପାଇଯିବ ।

 

ଡେନ୍‌ମାର୍କରେ ଶହେବର୍ଷ ତଳେ ଜଣେ ଯୁବକ ଳୁଡ଼୍ୱିଗ୍‍ସ୍‍କ୍ର୍ୟୁଦର (Ludwig Schroedor) ଆପଣାର ଗୋଟିଏ ବିଦ୍ୟାଳୟ ଆରମ୍ଭ କରିଥିଲେ । ସେ କହିଛନ୍ତି, ଶିକ୍ଷକର ଦେବାର ଇଚ୍ଛା ଓ ଶିକ୍ଷାର୍ଥୀର ଗ୍ରହଣ କରିବାର ଇଚ୍ଛାର ସ୍ୱାଭାବିକ ମିଳନ ହୁଏ, ସେଇଠି ଆଦର୍ଶ ଓ ସଫଳ ଶିକ୍ଷାନୁଷ୍ଠାନ ଗଢ଼ି ଉଠେ । ସ୍‌କ୍ର୍ୟୁଦର ଆଜି ଡେନ୍‌ମାର୍କର ସବୁ ଶିକ୍ଷକଙ୍କର ଆଦର୍ଶ ହୋଇ ରହିଛନ୍ତି । ଲୋକ ବିଦ୍ୟାଳୟର ମୂଳଦୁଆ ସେ ଦେଶରେ ସେ ପକାଇଛନ୍ତି ।

 

୧୪ । ୨ । ୫୫

 

ଏଥର ଜଣେ ଭାଇଙ୍କର ଡାଏରୀ ପଢ଼ୁ ପଢ଼ୁ କାନ୍ଦି ପକାଇଲି । କାନ୍ଦିବାଟା ସବୁବେଳେ ଦୁର୍ବଳତାର ପରିଚୟ ଦିଏ ନାହିଁ । ଜଣକୁ ମଣିଷ ଯେତେବେଳେ ଅତି ଆତ୍ମୀୟ ଓ ଆପଣାର କରି ପାଏ, ସେତେବେଳେ ତା’ର ଅନ୍ତରର ଶ୍ରଦ୍ଧା ଆଖିର ଲୁହ ହୋଇ ବାହାରି ଆସେ । କାଲି ସେ ଡାଏରୀଟି ପଢ଼ି ମୋର ସେହିପରି ମନେ ହେଲା । ତୁମେମାନେ ମୋର ଅତି ଆତ୍ମୀୟ, ଅତି ଆପଣାର, ଏଇ କଥା ଅନୁଭବ କଲାବେଳେ ମୁଁ ଭାରି ବଳ ପାଏ । ସେତେବେଳେ ତୁମମାନଙ୍କର ଦୁଷ୍ଟାମି ମୁଁ ଭୁଲିଯାଏ, ମୋ ଭିତରେ ପୂରି ରହିଥିବା ଅଜସ୍ର ଦୁର୍ବଳତା ମୁଁ ପାସୋରି ଯାଏଁ । ଆପଣାର ବିଶ୍ୱାସ ଶତଗୁଣ ହୋଇଯାଏ । ମୁଁ ଭାବେ ସବୁ ହୋଇପାରିବ । ଚମ୍ପତିମୁଣ୍ଡା ଆଜି କଣ୍ଟାବଣ ହୋଇ ପଡ଼ିଛି । କିନ୍ତୁ ଆମେ ସେଠି ନିଶ୍ଚୟ ସବୁ ସମ୍ଭବ କରାଇପାରିବା । ସେଠି ଆମେ ଏକାଠି ପଢ଼ିବା, ପରସ୍ପର ଠାରୁ ଶିଖିବା, ପରସ୍ପରକୁ ଶିଖାଇବା । ସେଇ ଅନୁଷ୍ଠାନର ଆଶ୍ରୟତଳେ ଆମେ ଏକାଠି ସ୍ୱପ୍ନ ଦେଖିବା, ଏକାଠି ସଂସାରକୁ ଅଧିକ ଭଲ ପାଇ ଶିଖିବା । ସେଠି ଆମେ ପରସ୍ପରର ଆତ୍ମୀୟ ହୋଇଯିବା । ଆମ ଛୋଟିଆ ପରିବାରରେ ଆମେ ଏହି ଆତ୍ମୀୟ ଭାବ ରଖିପାରିଲେ ସାରା ସଂସାରକୁ ମଧ୍ୟ ଆତ୍ମୀୟ କରି ନେଇପାରିବା । ଯିଏ ଛୋଟରୁ ଆରମ୍ଭ କରେ, ତା’ ଜୀବନରେ ବଡ଼ କଥା ମଧ୍ୟ ଦିନେନା ଦିନେ ସମ୍ଭବ ହୋଇଯାଏ । ଯିଏ ବଡ଼ ବଡ଼ କଥାରେ ବାକ୍‌ବାଣ ମାରି ବଡ଼େଇ କରେ, ମୟୂରପକ୍ଷୀ ପରକୁ ନେଇ ଆପଣାର ଡେଣାରେ ଗୁଞ୍ଜିଥିବା କାଉ ପରି ତା’ର ଜୀବନଟାଯାକ ଶୂନ୍ୟ ଓ ବ୍ୟର୍ଥ ହୋଇ ପଡ଼ିରହେ ।

 

ମୁଁ ଦେଶରେ ଓ ଦେଶ ବାହାରେ ଯେଉଁ ସବୁ ପାଠ ମୁଖସ୍ଥ କରି ଆସିଛି, ସେଇଗୁଡ଼ାକ ପାଞ୍ଚଜଣଙ୍କ ଆଗରେ ଉଦ୍‍ଗାରି ପକାଇବାକୁ ମୁଁ କଦାପି ଶିକ୍ଷକ ହୋଇ ନ ଥାନ୍ତି । ଗୋଟାଏ ଭଲ ସ୍କୁଲ ବସାଇ ନାଆଁ କମେଇବାର ଉଚ୍ଚ ଅଭିଳାଷ ମୋର ଆଦୌ ନାହିଁ । ପାଠ, ପାଣ୍ଡିତ୍ୟ, କାମ, କାରିଗରି ଏ ସବୁ ଆମ ଅନୁଷ୍ଠାନର ପ୍ରଧାନ ସନ୍ତକ ହୋଇ ରହିବ ନାହିଁ । ଆମେ ଏଠାରେ ପାଠ ପଢ଼ିବା, ପାଣ୍ଡିତ୍ୟ ଅର୍ଜନ କରିବା, କାମ କରିବା, ଓ ନାନାପ୍ରକାର କାରିଗରିରେ ଆମେ ନିପୁଣତା ଲାଭ କରିବା । କିନ୍ତୁ ଏ ସବୁ କେବଳ ସାଧନ ମାତ୍ର । ଆମର ଅସଲ ଆଦର୍ଶରେ ପହଞ୍ଚିବାକୁ ଏ ସବୁ ଆବଶ୍ୟକ ସାମଗ୍ରୀ ମାତ୍ର । କେଉଁ ଆଦର୍ଶ ରଖି ଆମେ ସବୁ ସାମଗ୍ରୀର ସଂଗ୍ରହ କରିବା ?

 

ଜର୍ମାନୀର ଶିକ୍ଷାବିତ୍ ଫ୍ରୋଏବେଲ୍ (Froebel)ଙ୍କ ନାଆଁ ଆମେ ସମସ୍ତେ ଶୁଣିଛେ । ସଂସାରରେ ଶିଶୁ ଲାଗି ଆନନ୍ଦ ଓ ଶିକ୍ଷଣର ନନ୍ଦନ-କାନନ ଗଢ଼ିବାର ସ୍ୱପ୍ନ ଫ୍ରୋଏବେଲ୍ ଦେଖିଥିଲେ । ପୃଥିବୀର ସମାଜ-ନେତାମାନଙ୍କୁ ସମ୍ବୋଧନ କରି ଥରେ ସେ କହିଥିଲେ, “ଲୋକମାନଙ୍କୁ ଖାଦ୍ୟ, ବସନ ଓ ଆଶ୍ରୟ ଯୋଗାଇବାକୁ କାମ ତୁମ୍ଭମାନଙ୍କର; କିନ୍ତୁ ସେମାନଙ୍କୁ ଆତ୍ମ-ପରିଚୟ କରାଇଦେବାର କାମ ମୋର ।” ଆମେ ଏଠି ସମସ୍ତେ ଆପଣାର ପୂର୍ଣ୍ଣ ପରିଚୟ ପାଇବା, ଆମ ଭିତରର ଅସଲ ମଣିଷର ପିପାସା ମେଣ୍ଟାଇବାକୁ ଆମେ ରସ ଯୋଗାଇବା । ଏ ଦାୟିତ୍ୱ ଆମ ସମସ୍ତଙ୍କର । ଏହାହିଁ ଆମର ଆଦର୍ଶ । କାରଣ ଯିଏ ନିଜର ସତ୍ୟ-ପରିଚୟ ପାଏ, ସିଏ ସମସ୍ତ ଜଗତର ସତ୍ୟ-ପରିଚୟ ପାଏ । ସିଏ ଆପଣାକୁ ତଥା ସାରା ଜଗତକୁ ଭଲପାଇ ଶିଖେ ।

 

୧୫ । ୨ । ୫୫

 

ସଂସାରରେ ଅନେକ ଦେଶରେ ଅନେକ ଲୋକ ମଦ ପିଅନ୍ତି, ଅଫିମ ଖାଆନ୍ତି, ଗଞ୍ଜାଇ ଟାଣନ୍ତି । ଜଣେ ଜଣେ ଲୋକ ଅଛନ୍ତି, ଯେଉଁମାନେ କିଛି ନ ଖାଇ ଦିନେ ଅଧେ ରହିପାରିବେ, ଅଥଚ ବିଡ଼ି ବା ସିଗାରେଟ୍ ବିନା ଦଣ୍ଡେ ହେଲେ ଚଳିପାରିବେ ନାହିଁ । ଇଉରୋପ ଓ ଆମେରିକାରେ ପ୍ରତିଦିନ ହଜାର ହଜାର ଲୋକ ସିନେମା, ସର୍କସ ଓ ଥିଏଟର ଦେଖି ଯାଆନ୍ତି । କିଏ କାରଖାନାରେ କାମ କରେ, କିଏ ଅଫିସ କଚେରିରେ ମୂଲ ଲାଗେ, କାମରେ ବ୍ୟସ୍ତ ରହି ସମୟ କଟିଯାଏଁ । କିନ୍ତୁ କାମରୁ ଫେରିବାମାତ୍ରକେ ସମୟଟା ଗୋଟେ ବୋଝ ପରି ମାଡ଼ିବସେ । ଅବସର ସମୟଟା କିପରି କଟିବ, ତାହାର କୌଣସି ବୁଦ୍ଧିବାଟ ଦେଖାଯାଏ ନାହିଁ । ଯେଉଁ ମଣିଷ ଏହିପରି ଅବସର ସମୟକୁ ଭୟ କରେ, ସେ ସିନେମା ସର୍କସ ବା ଥିଏଟର ଦେଖିଯାଏ, ସମୟ ଓ ଅବସରର ବୋଝରୁ ସେ ନିସ୍ତାର ପାଇଗଲା ବୋଲିଭାବେ । ଥିଏଟରରେ କେଉଁ ନାଟକ ଅଭିନୀତ ହେଉଚି, ସିନେମା ଘରେ କେଉଁ ଚିତ୍ର ପ୍ରଦର୍ଶିତ ହେଉଛି, ଏ କଥା ନ ଜାଣି ମଧ୍ୟ ଅନେକ ସିନେମା ଓ ଥିଏଟର ଘରେ ଟିକେଟ୍ କାଟି ପଶନ୍ତି । ଏପରି ଅନେକ ଅନେକ ଦୃଷ୍ଟାନ୍ତ ମୁଁ ଇଉରୋପରେ ଦେଖିଚି । ସିନେମା ଦେଖି ବା ଥିଏଟର ଦେଖି ପାଞ୍ଚ କଥା ଦେଖିବାର ବା ଶୁଣିବାର ମନ ଥିଲେ ସିନା ମଣିଷ ଥିଏଟର, ନାଟକ ବା ସିନେମାର ଚିତ୍ର ବିଷୟରେ କିଛି ଜାଣିବାକୁ ଇଚ୍ଛା କରୁଥାନ୍ତା ! କେତେ ଅଣା ପଇସା ଦେଇ ଗୋଟାଏ ନିବୁଜ ଘରେ ଦୁଇ ଘଣ୍ଟା ସବୁ ଜଞ୍ଜାଳ ଓ ଦାୟିତ୍ୱ ଭୁଲି ବସିପାରିବାର ସୁଯୋଗ ମିଳିଲା, ତା’ ଲାଗି ଏଇ ଯଥେଷ୍ଟ । ରାତିରେ ମଧ୍ୟ ଅନେକଙ୍କୁ ନିଦ ହୁଏ ନାହିଁ । ଦିନଯାକ ହାଡ଼ଭଙ୍ଗା ପରିଶ୍ରମ କରି ମଧ୍ୟ ମଣିଷ ରାତିରେ ବିଛଣାରେ ପଡ଼ି ଛଟପଟ ହୁଏ । ତା’ ମନରେ ଶାନ୍ତି ନ ଥାଏ, ଜୀବନର ନାନା ଅତୃପ୍ତି ଓ ଅସଫଳତା ତାକୁ ଛଟପଟ କରେ, ରାତିରେ ବିଛଣା ତାକୁ ନିଆଁ ଗଦା ପରି ଲାଗେ । ଇଉରୋପରେ ଏସବୁ ଲୋକଙ୍କୁ ଶାନ୍ତି ଦେବା ଲାଗି ରାତି କ୍ଳବର ବ୍ୟବସ୍ଥା ଅଛି । ପଇସା ଦେଇ ଟିକଟ କର, ରାତିଯାକ ସବୁ ଭୁଲି ମଉଜ କରିପାରିବ; ମଦ ପିଇପାରିବ; ନାଚ ଦେଖିପାରିବ; ଗୀତ ଓ ବାଦ୍ୟରେ, ରୂପ ଓ କାମୁକତାରେ ମନ୍ତ୍ରମୁଗ୍ଧ ନାଗସାପ ପରି ରାତିଯାକ ଖେଳିପାରିବ; ନିଦ ନ ହେବାର ଅଶାନ୍ତିରୁ ପରିତ୍ରାଣ ମିଳିବ ।

 

ଜୀବନରୁ ପଳାଇଯିବାର ଏହିପରି ଅନେକ ବାଟ ଅଛି । ଦାୟିତ୍ୱ ଓ ଜୀବନକୁ ଏଡ଼ିଯିବାର ଅନେକ ରାସ୍ତା ଚତୁର ମଣିଷ ମୁଣ୍ଡକୁ ଯୁଟୁଛି । ଅଶ୍ଳୀଳ ଭାଷା କହିବା, ଅଶ୍ଳୀଳ ଦୃଶ୍ୟ ଦେଖିବା ଓ ମନ ଭିତରେ ଅଶ୍ଳୀଳ ଭାବନା ପୋଷଣ କରିବାରେ ଅନେକଙ୍କର ଗୋଟାଏ ପ୍ରକାରର ଆଗ୍ରହ ଥାଏ । ସମାଜର ନାନା ଦାୟିତ୍ୱ ଓ ଶୃଙ୍ଖଳାରେ ବନ୍ଧା ହୋଇ ଅନେକ ମଣିଷ ଆପଣାର ଅସଲ ଅତୃପ୍ତିଗୁଡ଼ିକ ପ୍ରକାଶ କରିପାରନ୍ତି ନାହିଁ । ଟିକିଏ ଆଢ଼ୁଆଳକୁ ଚାଲିଗଲେ, ଟିକିଏ ମଉକା ମିଳିଲେ ସେମାନଙ୍କର ମୁହଁ ଖୋଲିଯାଏଁ । କୌଣସି ପ୍ରକାର ଅବଗୁଣ୍ଠନର ଅପେକ୍ଷା ନ ରଖି ସେମାନେ ନାନାପ୍ରକାର ଅକଥ୍ୟ କଥା ଓ ଅଶୋଭନୀୟ ଆଚରଣରେ ଖୁବ୍ ଆନନ୍ଦ ପାଆନ୍ତି । ଘଡ଼ିଏ, ଦି’ଘଡ଼ି ନିଜ ଭିତରେ ଅତୃପ୍ତିକୁ ଭୁଲିଯାଆନ୍ତି, ଠିକ୍ ଅଫିମିଆ ଯେମିତି ଅଫିମ ଖାଇ ଜୀବନର ଦହଗଞ୍ଜ ଭୁଲିଯାଏ । ଯେ କୌଣସି ନିଶା ଖାଇବା ପରି ଏ ମଧ୍ୟ ଗୋଟାଏ ପଳାୟନର ବାଟ । ଏହିସବୁ ପଳାୟନ ବାଟର ଆଶ୍ରୟ ନେଇ ଯିଏ ଦଉଡ଼ି ପଳାଏ, ମୁହୂର୍ତ୍ତକ ଲାଗି ସେ ଟିକିଏ ଆନନ୍ଦ ପାଏ ସତ, କିନ୍ତୁ ଜୀବନର ବ୍ୟାପକ ଦୃଷ୍ଟିରୁ ତାକୁ କେବଳ ଦୁଃଖୀ ବୋଲି କହିବାକୁ ହେବ । ଆମ ଭିତରେ କି ଦୁଃଖ ଅଛି । କି କି ଅତୃପ୍ତି ଓ ଅସଫଳତାର ଗ୍ଳାନି ଆମର ଅନ୍ତର ଭିତରର ମଞ୍ଜ କାମୁଡ଼ି ଧରିଛି, ଯାହା ଫଳରେ କି ଅଶ୍ଳୀଳ କଥାରେ, ଅଶ୍ଳୀଳ ଆଚରଣରେ ଆମେ ଦଣ୍ଡକର ଖୁସି ହେବା ପଛରେ ଗୋଡ଼ାଇଛୁ ? ଆଜି ଆମେ ସମସ୍ତେ ନିଜକୁ ଏଇ କଥା ପଚାରିବା ।

 

୧୬ । ୨ । ୫୫

 

ଜୀବନର ଦାୟିତ୍ୱକୁ ଏଡ଼ାଇବା ପାଇଁ ଜୀବନର ମୂଲ୍ୟକୁ ଯଥାର୍ଥ ଭାବରେ ବୁଝି ନ ପାରି ମଣିଷ ଜୀବନଠାରୁ ଦୂରକୁ ପଳାଏ, ଏଇ କଥା ମୁଁ କାଲି କହିଛି । ସେଇଥିଲାଗି ସେ ମଦ ପିଏ, ରାତି କ୍ଳବକୁ ଯାଏଁ, ନିଶା ଖାଏ । ସେଇଥିଲାଗି ସିଏ ପଦେ ଅକଥ୍ୟ କଥା କହିବାରେ ବା ଶୁଣିବାରେ ଏତେ ସନ୍ତୋଷ ପାଏ; ଗୋଟାଏ ଅଶ୍ଳୀଳ ଦୃଶ୍ୟ ଦେଖିବାକୁ ସେ ଏତେ ଆଗ୍ରହ ପ୍ରକାଶ କରେ । ଏସବୁ ଭିତରେ ବୁଡ଼ି ରହି କ୍ଷଣକପାଇଁ ସେ ଭାବେ, ଜୀବନଟା ବେଶ୍ ମଜାରେ କଟିଯାଉଛି । କିନ୍ତୁ ତା’ କି ହୁଏ ?

 

ଜୀବନକୁ ଡରି ଜୀବନଠାରୁ ଦୂରକୁ ପଳାଇଲେ କେହି ଜୀବନର ସମସ୍ୟା ସମାଧାନ କରିପାରିବ ନାହିଁ । ଯିଏ ପଳାଇବ, ତା’ରି ଭିତରେ ତା’ର ବିବେକ ତାକୁ ଖାଇ ଗୋଡ଼ାଇବ । ଆପଣା ଭିତରର ଅସନ୍ତୋଷ ତାକୁ ସଦାସର୍ବଦା ସନ୍ତପ୍ତ ଓ ବିବଶ କରି ରଖିବ । ମଣିଷର ଅସଲ ଦାୟିତ୍ୱକୁ ଫାଙ୍କିଦେଇ ମୁହୂର୍ତ୍ତକର ଉତ୍ତେଜନାରେ ଭୁଲି ରହିବା ଲାଗି ଇଉରୋପରେ ଅନେକ ବିଳାସ ସାମଗ୍ରୀ ଓ ବିନୋଦବ୍ୟସନର ଆଡ଼୍‍ଡ଼ା ଅନୁଷ୍ଠାନ ରହିଛି । କିନ୍ତୁ ଯାଇ ଇଉରୋପରେ ପଚାର, ସେଠି କିଏ ସୁଖୀ, କିଏ ସେଠି ପରିପୂର୍ଣ୍ଣ ଜୀବନର ଉପଭୋଗ କରିପାରିଛି ? ପେଟ ଓ ଶରୀର କ୍ଷୁଧା ମେଣ୍ଟାଇବାର ସାମଗ୍ରୀ ଇଉରୋପରେ ଯେତିକି ଯେତିକି ବଢ଼ିଚାଲିଛି, ତା’ର ମନର ସନ୍ତାପ ଓ ଦୁଃଖ ସେତିକି ବଢ଼ି ଚାଲିଛି । ସ୍ନେହ, ପ୍ରେମ ଓ ଶ୍ରଦ୍ଧାଭରା ଆମର ଏଇ ସଂସାରରେ ସେତିକି ସିଏ ନିଜକୁ ଏକୁଟିଆ ବୋଲି ଭାବୁଛି; ନିଜ ପ୍ରତି ଓ ଆପଣାର ପଡ଼ୋଶୀ ପ୍ରତି ତା’ର ଅବିଶ୍ୱାସ ସେତିକି ବଢ଼ିଚାଲିଛି । ଇଉରୋପର ସାହିତ୍ୟ, ଶିଳ୍ପକଳା, ସମାଜ-ବିଜ୍ଞାନ, ରାଜନୀତି ଆଉ ଦର୍ଶନ, ସବୁଠାରେ ଆଜି ଏହି ଦୁଃଖୀ ମଣିଷର ଆର୍ତ୍ତନାଦ ଶୁଣିବାକୁ ମିଳିବ । ବିଳାସ ଅୟସ୍‍ର ଇନ୍ଦ୍ରଭୁବନରେ ମଣିଷ ସେଠି ସୁଖୀ ହୋଇପାରୁ ନାହିଁ । ତା’ର ଆପଣାର ଅସନ୍ତୋଷର ନିଆଁ ତାକୁ ଆଜି ଗିଳି ରହିଛି ।

 

ଅଳ୍ପକରେ ସନ୍ତୁଷ୍ଟ ହୋଇଯିବା, ମୁହୂର୍ତ୍ତକର ଫୂର୍ତ୍ତି ଆଉ ବିନୋଦନ ଲାଗି କୀଟ ପରି ଆପଣାକୁ କୁକଥା, କୁଦୃଶ୍ୟ ଓ କୁଆଚରଣର ନର୍ଦ୍ଦମାରେ ଲୋଟାଇ ରଖିବା, ଏସବୁ ଆମ ଭିତରେ ଲୁଚି ରହିଥିବା ପଶୁପ୍ରବୃତ୍ତିର ଫିକର । ଯିଏ ମଣିଷ, ଯିଏ ଜାଗ୍ରତ, ତା’ର ଭୋକ ଏଇ କ୍ଷଣକର ଉପଭୋଗରେ ମେଣ୍ଟି ପାରିବ ନାହିଁ । ଯିଏ ଆଜି ସେ ଭୁଲ୍ କରୁଛି, ଯିଏ ଜୀବନର ଶ୍ରେୟଃକୁ ଭୁଲି ଘଡ଼ିକର ବିନୋଦ-ସଭାରେ ବିଦୂଷକ ପରି ବୁଲିବାକୁ ଆଗ୍ରହ ରଖୁଛି, ମୁଁ କହିବି ସେ ଆପଣାର ଭୋକକୁ ମାରି ଦେଉଛି । ସିଏ ଆପଣା ହୃଦୟର ଅସଲ ଦୁଆରକୁ କିଳି ଦେଇ ବସୁଛି । ବାହାରକୁ ଯେତେ ମଜା ଓ ଆନନ୍ଦ ପରି ଦେଖାଯାଉଥିଲେ ମଧ୍ୟ ଏସବୁ ଆମର ଭୋକକୁ ଭୁଲାଇ ରଖୁଛି, ଆମ ଭିତରର ଅସଲ ମଣିଷକୁ ଉପାସରେ ରଖୁଛି; ଆମ ଭିତରର ବିକାଶୋନ୍ମୁଖ ଫୁଲକୁ ଏହା ମଉଳାଇ ପକାଉଛି ।

 

ଉପନିଷଦ୍‍ରେ ମନ୍ତ୍ରଦ୍ରଷ୍ଟା ଋଷି ମଣିଷକୁ “ଅମୃତସ୍ୟ ପୁତ୍ରାଃ” ବୋଲି ସମ୍ବୋଧନ କରିଛନ୍ତି । ଆମେ ସମସ୍ତେ ଅମୃତର ସନ୍ତାନ । ଘଡ଼ିକର କୀଟ ଜୀବନରେ ଆମେ ସନ୍ତୁଷ୍ଟ ହୋଇପାରିବା ନାହିଁ । ରଙ୍ଗରସର ହାଟ ଭିତରେ କ୍ଷଣ କ୍ଷଣକେ ଆପଣାକୁ ବିକିଦେଇ, ହଜାଇଦେଇ ଆମେ ନିଜ ପ୍ରତି ଭାରି ଅନ୍ୟାୟ କରିବା । ଆମର ଆଗ୍ରହ, ଆମର ବିଚାର ଯେତିକି ବଡ଼ ହେବ, ଆମର ଜୀବନ ବଞ୍ଚିବା ସେତିକି ଗଭୀର ହୋଇପାରିବ । ଆମର ପ୍ରଭୁ ଯେଡ଼େ, ମନକୁ ସେତିକି ବଡ଼ କରି ଆମେ ତିଆରି କରିବା, ଏ କଥା ଓଡ଼ିଶାର ଆଦିବାସୀ କବି ଭୀମଭୋଇ କହିଛନ୍ତି । ଯେତିକି ବଡ଼ ଆଦର୍ଶକୁ ଓ ଯେତିକି ବ୍ୟାପକ ଜୀବନକୁ ଆମେ ଆପଣାର ବୋଲି ଗ୍ରହଣ କରିବା, ଆପଣାର ଆଗ୍ରହ, ବିଚାର ଓ ଆଚରଣକୁ ଆମେ ସେତିକି ବଡ଼ କରିବାର ଚେଷ୍ଟା କରୁଛୁ କି ? ଆମେ ଆଜି ଏଇ କଥାକୁ ଗମ୍ଭୀର ଭାବରେ ଚିନ୍ତା କରିବା ।

 

୨୦ । ୨ । ୫୫

 

ଗରୁଡ଼ର ଜନ୍ମ ବିଷୟରେ ପୁରାଣରେ ଗୋଟିଏ ଚମତ୍କାର କଥା ଅଛି । ଗରୁଡ଼ ଜନ୍ମ ହେବାମାତ୍ରକେ କହିଲା, “ଭୋକ କରୁଛି ।” କୌଣସି ପ୍ରକାରର ଖାଦ୍ୟ ଓ ପାନୀୟରେ ତା’ର ଭୋକ ଶାନ୍ତ ହେଲା ନାହିଁ । ଆକାଶରେ ଜଳୁଥିବା ଜହ୍ନକୁ ହାତ ବଢ଼ାଇ ସେ କହିଲା, “ମା, ମତେ ସେଇ ଫଳଟି ଆଣିଦେ, ମୁଁ ଖାଇବି ।” ସେଇଠି ଜଣେ ଋଷି ଥିଲେ, କହିଲେ, “ଏଇ ଶିଶୁଟିର କ୍ଷୁଧା ମହାନ୍; ଏ ଏକ ମହାନ୍ ଶିଶୁ ।”

 

ପୁରାଣରେ ଗପ ଛଳରେ ଆମକୁ ବଡ଼ ବଡ଼ ଜୀବନ-ବାକ୍ୟର ଇଙ୍ଗିତ ଦିଆଯାଇଛି । ଗରୁଡ଼ର ଏଇ ଭୋକର କାହାଣୀ ସେଇପରି ଉପଲକ୍ଷ ମାତ୍ର । କିନ୍ତୁ ତା’ରି ଜରିଆରେ ଆମକୁ ଜୀବନର ଏକ ବଡ଼ ସତ୍ୟ କଥା କହି ଦିଆଯାଇଛି । ଆମର କ୍ଷୁଧା ମହାନ୍ ହେବ, ତାହାହେଲେ ଯାଇ ଜୀବନ ମହାନ୍ ହୋଇପାରିବ । ଯାହାର ଭୋକକୁ ଯିଏ ଯେତିକି ଗଭୀର ଓ ବ୍ୟାପକ କରିପାରିଛି, ଆପଣା ଜୀବନକୁ ସେ ସେତିକି ଗଭୀରତା ଓ ବ୍ୟାପକତା ଦେଇପାରିବ, ଜଗତ ଓ ଜୀବନର ଆନନ୍ଦକୁ ସିଏ ସେତିକି ଗଭୀର ଓ ସାର୍ଥକ କରି ଉପଭୋଗ କରିପାରିବ ।

 

ଆମ ଆଗ୍ରହକୁ ଆମେ କେତେ ଦୂର ମହାନ୍ କରିପାରିଛେ, ଆମ ଜୀବନର କ୍ଷୁଧାକୁ ଆମେ କେତେ ଦୂର ବ୍ୟାପକ ଓ ଗଭୀର କରିପାରିଛେ ? କୌଣସି ଆଗ୍ରହ ଖରାପ ନୁହେଁ । କୌଣସି ଆଗ୍ରହକୁ ହଠାତ ଭଲ ବା ମନ୍ଦ ବୋଲି କହିବା ଠିକ୍ ହେବ ନାହିଁ । ଆମ ସମସ୍ତଙ୍କଠିଁ ଭଲପାଇବାର ଆଗ୍ରହ ଅଛି, ତାକୁ ମୁଁ ନିଶ୍ଚୟ ସ୍ୱୀକାର କରିବି, ସମ୍ମାନ ଦେବି । କିନ୍ତୁ ଆମର ମନର ଯୋଗ୍ୟତା ଓ ଭୋକର ବ୍ୟାପକତା ଅନୁସାରେ ଆମେ ଏଇ ଭଲପାଇବାର ଆଗ୍ରହକୁ ଗଭୀର ବା ଅଗଭୀର କରି ଦେଇପାରିବା । ଆମ ଭିତରର ଭଲପାଇବା ଗୁଣ ଗଭୀରରୁ ଗଭୀରତର ହୋଇ ଦିନେ ସାରା ପୃଥିବୀର ମଣିଷଙ୍କୁ ଆପଣା ହୃଦୟ ଭିତରେ ବାନ୍ଧିରଖି ପାରିବାର ଶକ୍ତି ଅର୍ଜନ କରିପାରିବ । ପୁଣି ଉଚିତ ଭୋକର ଉଚିତ ବାତାବରଣ ନ ପାଇଲେ ଏଇ ଭଲପାଇବା ଗୁଣକୁ ଆମେ କ୍ଷୁଦ୍ର ମୋହ ଓ କାମାତୁରତା ଭିତରେ ବ୍ୟର୍ଥ ମଧ୍ୟ କରି ଦେଇପାରିବା । ଭଲପାଇବାର ରସ ଆସ୍ୱାଦନ କରିବାର ବାହାନାରେ ଆମେ ଲାଙ୍ଗୁଡ଼ାପୋକ ପରି ନର୍ଦ୍ଦମାର ପଙ୍କପାଣି ଭିତରେ ସଡ଼ସଡ଼ ହେଉଥିବା ।

 

ଆମେ ସମସ୍ତେ ଅଜଣାକୁ ଜାଣିବା, ଅଚିହ୍ନାକୁ ଚିହ୍ନିବା, ଏହିପରି ଗୋଟାଏ ଆଗ୍ରହ ଆମ ସମସ୍ତଙ୍କ ଭିତରେ ଅତି ପିଲାଟି ଦିନରୁ ଅଛି । ସୁସ୍ଥ ଉପାୟରେ ଆମର ଏହି ସବୁ ଆଗ୍ରହକୁ ତୃପ୍ତ କରିବାର ବାତାବରଣ ଆମକୁ ସୃଷ୍ଟି କରିବାକୁ ହେବ । ତା’ ନ ହେଲେ ନାନା ନିକୃଷ୍ଟ ଉପାୟରେ ଆମର ଅନ୍ତର-ମନ ଏହି ଆଗ୍ରହର ତୃପ୍ତିରେ ଲାଗିଯିବ । ଆମ ଭିତରେ ଏହି ଖୋଜିବାର ଆଗ୍ରହକୁ ଉଚିତ ରାସ୍ତା ଦେବାକୁ ହେବ । ଜୀବନରେ ଏହି ଜିଜ୍ଞାସା ରହିବା ଅତି ସ୍ୱାଭାବିକ । ଯିଏ ନିଜ ଭିତରର ଜିଜ୍ଞାସୁ ଆଗ୍ରହୀ ଲାଗି ଉଚିତ କ୍ଷେତ୍ର ତିଆରି ନ କରୁଛି, ତା’ର ଅସଲ ମନ ନାନା ଅରୁଚିକର ଉପାୟରେ ଆପଣାର ତୃପ୍ତି ଲାଗି ଚେଷ୍ଟା କରୁଛି । ସେତିକିବେଳେ ଅକଥ୍ୟ କଥା ଶୁଣିବା, ଅଦର୍ଶନୀୟ ଦୃଶ୍ୟ ଦେଖିବା ଓ ଅଶୋଭନୀୟ ଆଚରଣ କରିବାକୁ ଆମକୁ ଏତେ ଭଲ ଲାଗୁଛି । ଦୁନିଆର ସବୁ ଗୋଳିପାଣି ଆମକୁ ସେତିକିବେଳେ ସୁହାଉଛି । ଏସବୁଥିରୁ ଆପଣାକୁ ଦୂରେଇ ନେବା ଲାଗି ଏଇ ଗୋଟାଏ ବାଟ ରହିଛି–ଆମେ ଆମର ଦୃଷ୍ଟିକୁ ଉଚ୍ଚତର କରିନେବା । ଆମର ଆଗ୍ରହକୁ ଶୁଦ୍ଧତର କରିନେବା, ଆମର ଭୋକକୁ ଆମେ ମହାନ୍ କରିବା; ତା’ହେଲେ ଆମର ଜୀବନ-ଭୂମି ମହାନ୍ ହୋଇଯିବ ।

 

୨୧ । ୨ । ୫୫

 

ଆମ ଦେଶରେ ଜନସାଧାରଣଙ୍କ ଲାଗି ସାଧାରଣ ଅନୁଷ୍ଠାନମାନ ଅଛି । ସାଧାରଣଙ୍କର ସେବା କରିବା ଲାଗି ସେସବୁ ତିଆରି ହୋଇଛି । କିନ୍ତୁ ଏପର୍ଯ୍ୟନ୍ତ ଏସବୁ ସାଧାରଣଙ୍କର ଅନୁଷ୍ଠାନ ହୋଇପାରି ନାହିଁ । ଏଠିକାର କର୍ମକର୍ତ୍ତାମାନେ ସରକାରରୁ ଦରମା ପାଉଛନ୍ତି । କିନ୍ତୁ ଯେଉଁ ସାଧାରଣ ଲୋକଙ୍କର ପ୍ରତିନିଧି ଆଜି ସରକାର ଚଳାଉଛନ୍ତି, ସେହି ସାଧାରଣଙ୍କର ସେବା ଦୃଷ୍ଟିରୁ କାମ କରିବା ଆମ ଦେଶରେ କ୍ୱଚିତ୍ ଦେଖାଯାଏ । ହଁ ଆମ ଦେଶରେ ମଧ୍ୟ ରୋଗବିରାଗରେ ଡାକ୍ତର ମହଜୁଦ ଅଛନ୍ତି । କିନ୍ତୁ ସେ କେବଳ କେତେ ଜଣଙ୍କ ପାଇଁ । କିଏ ଲାଞ୍ଚ ଦେଇ ସେବା ଯତ୍ନ ପାଉଛି । କିଏ ବ୍ୟକ୍ତିଗତ ଆତ୍ମୀୟତାର ସୁଯୋଗ ନେଇ ପାଉଛି, କିଏ ବଡ଼ ଚାକିରିଆ ବା ହାକିମଙ୍କ ଲାଞ୍ଜ ଧରି ପାଉଛି । କିନ୍ତୁ ମଣିଷକୁ ମଣିଷ ହିସାବରେ ସମ୍ମାନ ଦେବା, ତା’ର ଆବଶ୍ୟକତାବେଳେ ତା’ର ଉଚିତ ଯତ୍ନ ନେବା, ଏକଥା ଆମ ଦେଶର ରକ୍ତରେ ଏପର୍ଯ୍ୟନ୍ତ ମିଶି ନାହିଁ । ଆମ ସମାଜଟା ସେମିତି ଅସମ୍ମାନ ଓ ଅପମାନଜନକ ବ୍ୟବସ୍ଥାରେ ଗଢ଼ାଯାଇଚି । ଆମ ସମାଜରେ ମଣିଷକୁ ମଣିଷର ସମୁଚିତ ସମ୍ମାନ ଦିଆଯାଇ ନାହିଁ-

 

ଆମର ଅମୁକ ବାବୁ ବା ଅମୁକ ଡାକ୍ତରଙ୍କ ସହିତ ଚିହ୍ନା ଅଛି, ଆମେ ଖଣ୍ଡେ ସଫା ଲୁଗା ପିନ୍ଧିଛେ ବା ଆମେ ପାଠ ପଢ଼ି ଡିଗ୍ରୀ ହାସଲ କରିଛେ । ତେଣୁ ଆମେ ଯେତେବେଳେ ଅଭାବରେ ପଡ଼ି ଡାକ୍ତର ପାଖକୁ ଯିବା, ସେତେବେଳେ ଭାରି ଭଦ୍ରତାର ସହିତ ସମସ୍ତେ ଆମ କାମ କରିବାକୁ ଆଗଭର ହୋଇ ଆସିବେ, ଏଇ କଥା ଆଜି ଆମ ଦେଶରେ ଚାଲୁଛି । କିନ୍ତୁ ଏତିକିରେ ମୋ କାମଟା ସିନା ଚଳିଯାଉଛି, କିନ୍ତୁ ମୂଳ ସମସ୍ୟାର ସମାଧାନ ହୋଇପାରୁ ନାହିଁ, ସମାଜର ଦୁଃଖ ଯାଉନାହିଁ ।

 

ଗୋଟାଏ ପାଖରେ ଦଳେ ଲୋକଙ୍କର ଖୋସାମତି ହେଉଛି, ଅନ୍ୟ ପାଖରେ ତଳେ ଥିବା ଲୋକଙ୍କର ବେଇଜ୍ଜତି କରାଯାଉଛି । ଆମେ ସମସ୍ତେ ଉପରବାଲାଙ୍କୁ ହାତ ଯୋଡ଼ୁଛେ, ତଳବାଲାଙ୍କୁ ତୋଡ଼ ଦେଖାଉଛେ । ଯେଉଁ ଯୁବକ ଦେଶରେ ଏହିପରି ଅସମ୍ମାନଜନକ ସ୍ଥିତିକୁ ମାନିନେଉଛି, ସେ ଯେତେ ବଡ଼ଲୋକୀ କରି ଦିନ କାଟୁଥାଉ ପଛକେ, ତା’ର ଜୀବନ ନାହିଁ ବୋଲି କହିବାକୁ ହେବ । ତା’ର ତାରୁଣ୍ୟ ମରିଯାଇଛି । ତେଣୁ ସେ ଆପଣାର ଅତି କ୍ଷୁଦ୍ର ନିଜ ସ୍ୱାର୍ଥର ସଂସାରଟି ଛଡ଼ା ବାହାରକୁ କିଛି ଦେଖିପାରୁ ନାହିଁ । ଆମେ ମଣିଷ ହୋଇ ଏ ସମାଜକୁ ବଦଳାଇବୁ, ଏ ଅବିଚାରକୁ ଭାଙ୍ଗିବୁ, ଆମର ପାଠ ଓ ଆମର ବିଦ୍ୟା ଆମକୁ ଏଇ ବଳ ଦେଇଯାଉ-। ଆମେ କାହାରିକୁ ଖୋସାମତ୍ କରିବୁ ନାହିଁ ବା କାହା ଉପରେ ଧମକାଣ ଚମକାଣ ଦେଖାଇବୁ ନାହିଁ । ବିଷମତାରେ ପୂରି ରହିଥିବା ଆମର ବର୍ତ୍ତମାନ ସମାଜରେ ବାବୁ ହୋଇ ବସିବା ଅପେକ୍ଷା ଆମେ ଏକ ଦରିଦ୍ର, ଅଥଚ ସମାନ ସମାଜରେ ମୂଲିଆ ହୋଇ ରହିବାକୁ ଅଧିକ ପସନ୍ଦ କରିବା ଚାହିଁ । ଆମେ ନମ୍ର ହେବା, ଆମେ ଆଗ ଆମର କର୍ତ୍ତବ୍ୟ କରିବା; ଯିଏ ଅତି ଅବିନୀତ ଭାବରେ ଆମକୁ ଧମକାଇବାକୁ ଆସିବ, ଆମେ ତା’ର କଥା ଶୁଣିବାକୁ ସିଧା ମନା କରିଦେବା ।

 

ଆମ ଦେଶର ଶିକ୍ଷକ ଓ ଡାକ୍ତର ଆଜି ଦେବତୁଲ୍ୟ ମଣିଷ ହୋଇଥାନ୍ତେ, ଦେବତୁଲ୍ୟ ଶ୍ରଦ୍ଧା ଓ ଆଦର ପାଉଥାନ୍ତେ । ଆମେ ଯେତେବେଳେ ବଡ଼ ହୋଇ ସମାଜର କର୍ମକ୍ଷେତ୍ରରେ ପ୍ରବେଶ କରିବା, ସେତେବେଳେ ଆମେ ଆଜିକାର ଡାକ୍ତର ପରି କଦାପି ହେବା ନାହିଁ । କୌଣସି ଅନ୍ୟାୟ ଅସମ୍ମାନ କରିବା ନାହିଁ କି ଅନ୍ୟାୟ ଅସମ୍ମାନ ସହିବା ନାହିଁ । ଆମେ ମଣିଷର ସମ୍ମାନ ଦେବା ଓ ମଣିଷର ସମ୍ମାନ ପାଇବା ।

 

୨୨ । ୨ । ୫୫

 

ସୋପାନ ଆରମ୍ଭରେ ମୁଁ ସବୁଦିନେ ଯେଉଁ କାଗଜ ଖଣ୍ଡିକ ପଢ଼ି ଶୁଣାଉଛି, ତା’ ବିଷୟରେ ସମସ୍ତଙ୍କ ଭିତରେ କ୍ରମେ ଅଧିକରୁ ଅଧିକ ଆଗ୍ରହ ଯେ ପ୍ରକାଶ ପାଉଛି, ତାହା ମୁଁ ବେଶ୍ ଲକ୍ଷ୍ୟ କରିପାରୁଚି । ପ୍ରତ୍ୟେକ ଦିନ ମୁଁ କ’ଣ ଲେଖୁଛି, କାହିଁକି ଲେଖୁଛି, କେଉଁ କଥା ବା ଘଟନାର ସୂଚନା ଦେଇ ମୁଁ ତାହା ଲେଖୁଛି, ଏପରି କୌତୂହଳ ଅନେକଙ୍କଠାରେ ପ୍ରକାଶ ପାଉଛି । ଏହା ଆଶାର କଥା । ତୁମେମାନେ ଯେ ଏହି ଲେଖାଗୁଡ଼ିକ ପ୍ରତି ଏତିକି ମନଧ୍ୟାନ ଦେଇପାରୁଛ, ସେଇଥିଲାଗି ମୁଁ ସମସ୍ତଙ୍କ ପାଖରେ ନିଶ୍ଚୟ କୃତଜ୍ଞ ରହିବି ।

 

ସେଦିନ ମୋତେ ଭାରି କ୍ଳାନ୍ତ ଲାଗୁଥିଲା; ଶୋଇପଡ଼ିଲି । ଲେଖିବାକୁ ସମୟ ପାଇଲି ନାହିଁ । ତେଣୁ ସୋପାନ ଆରମ୍ଭରେ ସେଦିନ ମୁଁ କିଛି ଶୁଣାଇ ପାରିଲି ନାହିଁ । ଏହି ଘଟନାଟି ବିଷୟରେ ତୁମମାନଙ୍କ ମନରେ ଅନେକ କଳ୍ପନା ଜଳ୍ପନା ଚାଲିଛି; ଏପରି ସୂଚନା ମଧ୍ୟ ମୁଁ ପାଇଛି । ମୁଁ ତ ସବୁଦିନେ କିଛି ନା କିଛି ପଢ଼େ, ସେଦିନ କାହିଁକି ପଢ଼ିଲି ନାହିଁ, ଏଇଟା ଅନେକଙ୍କୁ ବେଶ୍ ଧନ୍ଦାରେ ପକାଇ ଦେଇଛି । ଏଇଥିରୁ ଜଣାପଡ଼ୁଛି, ପ୍ରତ୍ୟେକ ଦିନ କିଛି ପଢ଼ି ଶୁଣେଇବା ଯେପରି ମୋର ଅଭ୍ୟାସରେ ପଡ଼ିଯାଇଛି, ପ୍ରତ୍ୟେକ ଦିନ କିଛି ଶୁଣିବା ମଧ୍ୟ ତୁମମାନଙ୍କରବି ଅଭ୍ୟାସ ହୋଇଯାଇଛି । ତେଣୁ ଦିନେ ସେଇଟା ନ ଶୁଣିଲେ ତୁମମାନଙ୍କୁ ଗୋଟାଏ ବ୍ୟତିକ୍ରମ ପରି ଲାଗୁଛି-

 

ମୁଁ ଏମିତି ଗୋଟାଏ ଗୋଟାଏ କାହିଁକି ପଢ଼ୁଛି ? ଯାହା ଲେଖୁଛି ତା’ର ଅର୍ଥକୁ ଭଲ କରି ବୁଝାଇ ଦେଉନାହିଁ କାହିଁକି ? ତା’ ବିଷୟରେ ସୋପାନରେ ଆଲୋଚନା ହେଉନାହିଁ କାହିଁକି-? ମୁଁ ଏସବୁ ପ୍ରଶ୍ନର କି ଉତ୍ତର ଦେବି ? ବଢ଼ିଆ ବଢ଼ିଆ ବିଷୟ ବାଛି ସୋପାନରେ ଗୋଟାଏ ଗୋଟାଏ ବକ୍ତୃତା ଦେବା ମୋର ଇଚ୍ଛା ନୁହେଁ । ବଡ଼ ବଡ଼ କଥା କହି ତୁମମାନଙ୍କୁ ମୋହିତ କରିବାରେ ମୋର ମୋଟେ ଉତ୍ସାହ ନାହିଁ । ମୁଁ ତ ଦିନରାତି ବକ୍ତୃତା ଦେଉଛି, ଦିନରାତି ପାଟି କରୁଛି । ଯେତେବେଳେ ତୁମେ ଯାହା ଶୁଣୁଛ, ସେସବୁ ତୁମେ ମୋରି ପାଟି ଦେଇ ଶୁଣୁଛ-। ମଣିଷଭାବେ, ଆପଣାର ସେ ଗୋଟାଏ ବଡ଼ପାଟି କରି କହିଦେବ ବା ଗୋଟାଏ ବକ୍ତୃତା ଝାଡ଼ି ଶେଷ କରିଦେବ । କିନ୍ତୁ ସେ ଚେଷ୍ଟା ତା’ର ସଫଳ ହୁଏ ନାହିଁ । ପାଟିତୁଣ୍ଡର କୋଳାହଳ ଓ ବଡ଼ିମା ଭିତରୁ ମଣିଷ ଯେତେବେଳେ ଅପସରି ଆସେ, ନୀରବ ହୋଇ, ନିଶ୍ଚିନ୍ତ ହୋଇ ଯେତେବେଳେ ସେ ଆକାଶର ତାରାକୁ ଚାହିଁ ରହିବାକୁ ଭଲ ପାଏ, ଚାରିଆଡ଼େ ବ୍ୟାପୀ ରହିଥିବା ନୀରବ ଶୂନ୍ୟ ଭିତରେ ଯେତେବେଳେ ଆପଣାର ଆଖି, କାନ, ମନ, ଅନ୍ତର ସବୁ ଖୋଲିଦିଏ, ସେତିକିବେଳେ ସେ ଅନେକ ସତ୍ୟର ପରିଚୟ ପାଏ; ଆପଣାକୁ ଓ ଅନ୍ୟ ସମସ୍ତଙ୍କୁ ଅଧିକ ସତ୍ୟ ରୂପରେ ଦେଖିବାର ସୁଯୋଗ ପାଏ । ମୁଁ ଏଠି ଆମ ସମାଜରେ ଜଣେ ହୋଇ ଅଛି । ସମସ୍ତଙ୍କ ସହିତ ମିଳିମିଶି ରହିଲାବେଳେ, କଥା କହୁଥିଲାବେଳେ ହୁଏତ ମୋର ମନର ସବୁ ବିଚାର, ହୃଦୟର ସବୁକଥା ମୁଁ କହି ଦେଇପାରୁ ନାହିଁ । କୋଳାହଳରୁ ଦୂରକୁ ଯାଇ ହୁଏତ ମୁଁ ଅନେକ ଦିନ ଅନେକ ମୂଲ୍ୟବାନ୍ ରତ୍ନ ସଂଗ୍ରହ କରିପାରୁଛି । ଆମ ସମାଜ ଏବଂ ଆମ ଜୀବନ ବିଷୟରେ ସେତିକିବେଳେ ମୁଁ ଅଧିକ ଗଭୀର କରି ଭାବିପାରୁଛି । ସେସବୁ ବିଚାରକୁ ସମସ୍ତଙ୍କ ଆଗରେ ବାଢ଼ି ଥୋଇବାକୁ ମୁଁ ମୋର କର୍ତ୍ତବ୍ୟ ବୋଲି ମନେ କରୁଛି । ମୋର ଆଶା, ଏଥିରେ ସମସ୍ତେ ଉପକୃତ ହେବେ ।

 

୨୪ । ୨ । ୫୫

 

ପ୍ରାୟ ମାସେ ହେଲା ଓଡ଼ିଶାରେ ବିନୋବାଜୀଙ୍କର ପଦଯାତ୍ରା ଆରମ୍ଭ ହୋଇଛି । କ୍ରମେ ସେ ଆମର ଅଧିକରୁ ଅଧିକ ନିକଟବର୍ତ୍ତୀ ହୋଇ ଆସୁଛନ୍ତି । ମୁଁ ବି ଅନୁମାନ କରିପାରିଛି, ଆମେ ମଧ୍ୟ କ୍ରମେ ତାଙ୍କ ବିଚାରର ଅଧିକରୁ ଅଧିକ ନିକଟବର୍ତ୍ତୀ ହୋଇଆସୁଛେ । ଏ କଥାଟି ଠିକ୍ ଆମର ସମୁଦ୍ର ଦେଖିବା ପରି । ଆମ ଭିତରୁ ଅନେକେ ଆଗରୁ ସମୁଦ୍ର ଦେଖି ନଥିଲେ । ସାଙ୍ଗସାଥୀଙ୍କଠାରୁ ସମୁଦ୍ର ବିଷୟରେ କେବଳ ଶୁଣିଥିଲେ । କିଏ କହୁଥିଲା ସମୁଦ୍ରଟା ଏମିତି, କିଏ କହୁଥିଲା ସମୁଦ୍ରଟା ସେମିତି । କିନ୍ତୁ ତାହା ଖାଲି ନ ଦେଖିଲା ଓଉର କଳ୍ପନା କଲା ପରି । ସେଥିରେ ମନବୋଧ ହେଉ ନଥିଲା । ଯେଉଁଦିନ ପ୍ରଥମ କରି ଆମେ ସମୁଦ୍ର ଦେଖିଲେ, ଯେଉଁଦିନ ସେ ବିଶାଳ ଆକାଶ ଓ ବିରାଟ ବାଲିବେଳାର ବନ୍ଧନୀ ଭିତରେ ଉଚ୍ଛ୍ୱସିତ ନୀଳ-ପର୍ବତର ପ୍ରଥମ ଦର୍ଶନ କଲେ, ସେଦିନ ସମୁଦ୍ର ବିଷୟରେ ଶୁଣିଥିବା କଥା କୁଆଡ଼େ ପାସୋରି ଗଲା । ବିନୋବା ବିଷୟରେ ଖବରକାଗଜ ଓ ଲୋକ ମୁହଁରୁ ଆମେ ଅନେକ କଥା ଶୁଣିଛେ । କେଉଁଠି ଚେଲା ମୁହଁରୁ ବିନୋବାର ଭାବବିହ୍ୱଳ ସ୍ତୁତି ଶୁଣୁଥିଲେ, କେଉଁଠି ସନ୍ଦେହୀ ସମାଲୋଚକ ମୁହଁରେ ବିନୋବାର ଅନୁଦାର ସମାଲୋଚନାହିଁ ଶୁଣୁଥିଲେ; କିନ୍ତୁ ବର୍ତ୍ତମାନ ଆମେ ବିନୋବାର ଅନେକ ପାଖକୁ ଆସିବାର ସୁଯୋଗ ପାଇଛେ । ସବୁଦିନେ ଆମର ଅତି ପାଖରେ ଓଡ଼ିଶାର କୌଣସି ନା କୌଣସି ସ୍ଥାନରେ ତା’ର କଥା ଶୁଣିବାକୁ ମିଳୁଚି । ଆମେ ନିଜେ ଆପଣା କାନରେ ତାହା ଶୁଣୁଚେ । ଆପଣା ବିଚାରରେ ସେସବୁ ବିଚାର କରିବାର ଅବସର ଆମକୁ ମିଳୁଛି । ଆମେ କେବଳ ଭକ୍ତ ହୋଇ ଆତୁର ଭାବପ୍ରବଣ ହୋଇଯିବା ନାହିଁ ବା କେବଳ ସମାଲୋଚକ ବୋଲାଇ ମାଟି ସହିତ ମୁକ୍ତାକୁ ଫିଙ୍ଗିଦେବା ନାହିଁ । ଆମେ ବିଚାର କରିବା, ଆମେ ଗ୍ରହଣ କରିବା, ଆମେ ଶ୍ରଦ୍ଧା ରଖିବା, ଆମେ ନମ୍ର ହେବା, ଆମେ ଜୀବନର ରାଜଦାଣ୍ଡରେ ଭଗବାନ୍‍ଙ୍କର ଆଶୀର୍ବାଦ ନେଇ ଆଗକୁ ଚାଲିବା ।

 

ବିନୋବାଜୀ ମଧ୍ୟ ଓଡ଼ିଶାରେ ସେଇ କଥା କହି ସାରିଲେଣି । ବାହାରେ ସେ ଯାହାକୁ ଭୂମିକ୍ରାନ୍ତି ବୋଲି କହୁଛନ୍ତି, ତା’ର ପ୍ରଧାନ ଅର୍ଥ ହେଉଛି ବିଚାର-କ୍ରାନ୍ତି । ବିଚାରର ପରିବର୍ତ୍ତନ କରିବାକୁ ହେଲେ ଆଗ ମନ ଭିତରୁ ସମସ୍ତ ପ୍ରକାର ଭୟ ଦୂର କରିବାକୁ ହେବ । ଆମେ ସମାଜରୁ ଯେପରି ବାବୁମାନଙ୍କର ସତ୍ତା ବା ଶାସନ ଲୋପ କରିଦେବା, ଠିକ୍ ସେମିତି ବାବାର ସତ୍ତା ଲୋପ କରିଦେବାକୁ ବିନୋବାଜୀ ଆମକୁ କହି ସାରିଲେଣି । ଯିଏ ଭଗବାନ୍‍ଙ୍କର ଶାସନ ଉପରେ ବିଶ୍ୱାସ କରେ, ସେ ଅନ୍ୟ କୌଣସି ସତ୍ତା ପାଖରେ ମୁଣ୍ଡ ନୁଆଁଇବ ନାହିଁ । ଭଗବାନ୍‍ଙ୍କର ଶାସନ ଚାଲିବ ଅର୍ଥାତ୍ ବିବେକର ଶାସନ ଚାଲିବ । କେହି କାହାରି ପାଖରେ ଅଧୀନ ହୋଇ ରହିବ ନାହିଁ, କାହାରିକୁ ଅଧୀନ କରି ରଖିବ ନାହିଁ । ପ୍ରତ୍ୟେକ ଆପଣାକୁ ତଥା ଅପରକୁ ସମ୍ମାନ କରି ଶିଖିବ । ତାହାହେଲେ ମଣିଷ ମଣିଷ ଭିତରେ ଶ୍ରଦ୍ଧାର ସମ୍ପର୍କ ରହିବ, ମଣିଷ ନମ୍ର ହେବ, ମଣିଷର ଜୀବନରେ ଓ ବିଚାରରେ ଆମୂଳ ପରିବର୍ତ୍ତନ ହୋଇଯିବ । ବିନୋବାଜୀ ଆମକୁ ଆମର ବିରାଟ୍ କର୍ତ୍ତବ୍ୟ ସୂଚାଇଦେବାକୁ ଆସିଛନ୍ତି । ଭୂମିଦାନ ଆନ୍ଦୋଳନ ଏଥିରେ ଉପଲକ୍ଷ ହୋଇଛି । ଶାଳଗ୍ରାମ ଭିତରେ ଭକ୍ତ ଭଗବାନ୍‍ଙ୍କର ଅଗାଧ କଳ୍ପନା କଲାପରି ଭୂମିଦାନ ଓ ଭୂମି ବିତରଣର କାର୍ଯ୍ୟକ୍ରମ ଭିତରେ ଗୋଟିଏ ମହତ୍ତର ଜୀବନ-ଦର୍ଶନର ଆହ୍ୱାନ ନିହିତ ରହିଛି । ଆମେ ଶ୍ରଦ୍ଧାର ସହିତ ଏହି ଦର୍ଶନର ବିଚାର କରିବା; କିନ୍ତୁ ସେଥିଲାଗି ଆଗ ଆପଣାକୁ ନିର୍ଭୟ କରିବାକୁ ହେବ, ଆପଣାକୁ ଶୁଦ୍ଧ କରି ରଖିବାକୁ ହେବ । ବିନୋବା-ଜୀବନର ଗଭୀର ସାଧନା ଆମକୁ ଏକ ସାଧନାମୁଖ ଜୀବନ ଲାଗି ପ୍ରବୃତ୍ତ କରାଉ ।

 

୩ । ୩ । ୫୫

 

ଯୁଗ ସହିତ ତାଳ ମିଳାଇ ଚାଲିବାକୁ ବସିଲେ ଆମେ ଯୁଗକୁ ବଦଳାଇ ପାରିବା ନାହିଁ । ଏ ଯୁଗର ଯେଉଁସବୁ ଅନ୍ୟାୟକୁ କୌଣସି ପ୍ରକାରେ ସହ୍ୟ କରିବା ଉଚିତ ନୁହେଁ, ସେସବୁକୁ ଦୂର କରିବାକୁ ହେଲେ ଆମର ମନକୁ ଆଗ ବଦଳାଇବାକୁ ପଡ଼ିବ । ଯୁଗର ସୁନାପୁଅ ହେବାକୁ ଯେଉଁମାନେ ଜୀବନର ଉଦ୍ଦେଶ୍ୟ ବୋଲି ଧରି ନେଇଛନ୍ତି, ସେମାନେ ବେଶ୍ ଖୁସିରେ ଅଛନ୍ତି, ଖୁସିରେ କାଳ କାଟୁଛନ୍ତି । ଜୀବନର ସବୁ ଉପଭୋଗ ସେଇମାନଙ୍କ ଭାଗ୍ୟରେ ଯୁଟୁଛି । କିନ୍ତୁ ସେମାନେ କଦାପି ଯୁଗକୁ ବଦଳାଇ ପାରିବେ ନାହିଁ । ସେମାନେ ଦୁର୍ବଳ । ସେମାନଙ୍କର ତାରୁଣ୍ୟ ଅଳ୍ପକରେ ସନ୍ତୁଷ୍ଟ ହୋଇ ସାରିଲାଣି; ମନ ଭିତରେ ସେମାନେ ବୁଢ଼ା ହୋଇ ବସିଲେଣି ।

 

ଯିଶୁଖ୍ରୀଷ୍ଟଙ୍କଠାରୁ ଆରମ୍ଭ କରି ଗାନ୍ଧି, ବିନୋବା ପର୍ଯ୍ୟନ୍ତ କେହି ସମାଜର ସୁନାପୁଅ ହେବାର ବିଳାସ କରି ନାହାନ୍ତି । କେହି ପ୍ରଚଳିତ ସମାଜକୁ ମାନି ନେବାକୁ ରାଜି ହୋଇ ନାହାନ୍ତି । ସମାଜର ଅନ୍ୟାୟ ଓ ଅବିଚାର ଦୂର କରିବା ଲାଗି ସେମାନେ ସମାଜର ସମସ୍ତ ପ୍ରକାର ସୁଖ ସୁବିଧାକୁ ଫିଙ୍ଗି ଦେଇ ଆସିଛନ୍ତି । ଅନେକେ ପ୍ରାଣ ମଧ୍ୟ ଦେଇଛନ୍ତି । ସେମାନେ ଯଦି ଯୁଗର ତାଳ ସହିତ ତାଳ ମିଳାଇବାକୁ ଜୀବନର ଆଦର୍ଶ ବୋଲି ଧରି ନେଇଥାନ୍ତେ, ତେବେ ପୃଥିବୀର ଅବସ୍ଥା ଆଜି କ’ଣ ହୋଇଥାନ୍ତା, ସେକଥା କଳ୍ପନା କରି ହେବନାହିଁ ।

 

ଯୁଗର ତାଳ ସହିତ ତାଳ ମିଳାଇ ଚାଲିବାର ସହଜ ଶିକ୍ଷା ଦେବା ଲାଗି ଆମର ଏ ଗରିବ ଦେଶରେ ମଧ୍ୟ ଅନେକ ସ୍କୁଲ କଲେଜ ରହିଛି । ବଡ଼ ବଡ଼ ପାଠ ପାସ୍ କରିଥିବା ଅନେକ ପଣ୍ଡିତଙ୍କୁ ଦରମା ଦିଆହୋଇ ଏସବୁ ସ୍କୁଲ କଲେଜ ଚାଲିଛି । ଠିକ୍ ସେତିକି ଉଦ୍ଦେଶ୍ୟ ସାଧନ କରିବା ଲାଗି ଆମେ ଜଙ୍ଗଲ ସଫା କରି ଗୋଟାଏ ସ୍କୁଲ କରିବାର ପରିଶ୍ରମ କଦାପି କରି ନ ଥାନ୍ତେ-। ନା, ଦେଶର ସହସ୍ର ସହସ୍ର ସ୍କୁଲର ମାର୍କାରେ ଆମର ସ୍କୁଲଟିକୁ ତିଆରି କରିବାରେ ଆମର କୌଣସି ପୁରୁଷାର୍ଥ ପ୍ରକାଶ ପାଇବ ନାହିଁ । ଅନୁଷ୍ଠାନର ପ୍ରଥମ କାଳରୁ ଆମେ ଏଇ ବିଷୟରେ ପରିଷ୍କାର ହୋଇଯିବା । ତେଣୁ ସାଧାରଣ ସ୍କୁଲ କଲେଜର ଭୋଗ ଓ ବିଳାସକୁ ଦେଖି ଯିଏ ନିଜେ ଏଠାରେ ରହିଛି ବୋଲି ମନେ ମନେ କ୍ଷୁଣ୍ଣ ହୋଇ ପଡ଼ୁଛି, ଯୁଗ ସହିତ ତାଳ ମିଳାଇ ସୁନାପୁଅ ହୋଇ ଚାଲିବାର ସରାଗରେ ଯିଏ ଏଠିକା ଜୀବନର ଧାରାଟି ସହିତ ଯୋଗସୂତ୍ର ରଖିପାରୁ ନାହିଁ, ମୁଁ କହିବି ସେ ଭାରି ଭୁଲ୍ କରୁଛି । ସେ ଭ୍ରମରେ ପଡ଼ିଯାଉଛି । ଅନ୍ୟ କାହାରି ମଙ୍ଗଳ କରିବା ତ ଦୂରର କଥା, ସେ ଆପଣାର ମଙ୍ଗଳ ମଧ୍ୟ କରିପାରୁ ନାହିଁ । ସେ ଆପଣାକୁ ଠକୁଛି-। ଏଇ ଠକାମିରେ ଆପଣାର ମନକୁ ସେ ଦହନ କରି ମାରୁଛି । ସେ ଆଗକୁ ଚାଲିପାରୁ ନାହିଁ । ଏପର୍ଯ୍ୟନ୍ତ ମଧ୍ୟ ତା’ର ଦୁଆର ଖୋଲି ନାହିଁ, ତା’ର ଫୁଲ ଫୁଟିବାର ସମୟ ଆସି ନାହିଁ ।

 

ଉପଭୋଗ କରିବାର ସାମଗ୍ରୀ ଓ ସଂସ୍ଥା ଅନେକ ଅଛି । ଆମେ ସେଥିଲାଗି ଦୁଃଖ କରିବା ନାହିଁ । ଯେଉଁମାନେ ଆଜି ଆପଣାର ଆବଶ୍ୟକତା ଠାରୁ ଅତିରିକ୍ତ ଖାଉଛନ୍ତି, ଅତିରିକ୍ତ ପିନ୍ଧୁଛନ୍ତି ଓ ସାଇତି ରଖିଛନ୍ତି, ସେମାନଙ୍କୁ ଭଗବାନ୍ ସଦ୍‍ବୁଦ୍ଧି ଦିଅନ୍ତୁ, ଆମେ ଏହାହିଁ ପ୍ରାର୍ଥନା କରିବା । ଅନ୍ୟ ସ୍କୁଲ କଲେଜ ପରି ଆମେ ଏଠି ଭଲ ଖାଇପାରୁ ନାହୁଁ, ଭଲ ପିନ୍ଧିପାରୁ ନାହୁଁ ବା ଉପଭୋଗ କରିପାରୁ ନାହୁଁ, ଏହିସବୁ ଭାବି ଯିଏ ଦିନ ରାତି ରୁଷି କରି ବସିଛି, ତା’ର ମନକୁ ବୋଧ ଦେବା ଲାଗି ଆମ ପାଖରେ କିଛି ନାହିଁ । କିନ୍ତୁ ଯିଏ ଆପଣାର ସମସ୍ତ ଶକ୍ତି ଦେଇ ପୃଥିବୀର ଅନ୍ୟାୟ, ଅସମ୍ମାନ ଦୂର କରିବାର ସଂକଳ୍ପ ନେଉଛି, ଆପଣାର ଭୋଗ ବିଳାସକୁ ପଛରେ ପକାଇ ଯିଏ ପଡ଼ୋଶୀ ପାଞ୍ଚ ଜଣଙ୍କର ସମ୍ମାନ ଓ ଜୀବନ ରକ୍ଷା ଲାଗି ଅଧିକ ଆଗ୍ରହ ଓ ଶ୍ରଦ୍ଧା ରଖିଛି, ତାହାରି ଲାଗି ଆମର ଅନୁଷ୍ଠାନ ସର୍ବଦା ମୁକ୍ତ ହୋଇ ରହିଥିବ । ଆମେ ଭୋଗର ଲାଳସୀ ହେବା ନାହିଁ । ଆମେ ଆମ ଭିତରେ ଅସଲ ମନର ବିକାଶ କରିବା, ନିର୍ମଳ ଓ ଶୁଦ୍ଧ ହୋଇ ସଂସାରକୁ ଯିବା ଲାଗି ପ୍ରସ୍ତୁତ ହେବା, ଶିକ୍ଷାର୍ଥୀ ହିସାବରେ ଏହାହିଁ ଆମର ଜୀବନ ଧର୍ମ ହୋଇ ରହୁ ।

 

୬ । ୩ । ୫୫

 

ଆମେ ଶସ୍ତାରେ ଭୁଲିବା ନାହିଁ, ସହଜ ବାଟକୁ ଆମେ ଶ୍ରେୟଃ ବୋଲି ଭ୍ରମ କରିବା ନାହିଁ । ପୃଥିବୀର ଅଧିକାଂଶ ଆନ୍ଦୋଳନ ଆମକୁ କେବଳ ସହଜ ବାଟର ପ୍ରଲୋଭନ ଦେଖାଇଛନ୍ତି-। ଅଧମ ବିଶ୍ୱାସପ୍ରବଣ ମଣିଷ ବାଟକୁ ଅଧିକରୁ ଅଧିକ ସହଜ କରିବା ଲୋଭରେ ଉଦ୍ଦେଶ୍ୟକୁ ଓ ଆଦର୍ଶକୁ ପୋଡ଼ି ଖାଇଛି । ବାହାରେ କଥା କହିବା, ନାଗରା ପିଟିବା ଓ ଆଡ଼ମ୍ବର କରିବାର ଧୁମ୍ ଚାଲିଛି । ତା’ଦ୍ୱାରା ମଣିଷର ସାଆନ୍ତିଆ ପୋଷାକି ମନଟା ବେଶ୍ ସନ୍ତୋଷ ପାଇଛି ସତ, କିନ୍ତୁ ମଣିଷ ଯେଉଁ ତିମିରକୁ ସେଇ ତିମିରରେ ପଡ଼ି ରହିଛି । ଆଦର୍ଶ ବିଷୟରେ ବଡ଼ ବଡ଼ ଗ୍ରନ୍ଥ ଲେଖାଯାଇଛି, ବଡ଼ ବଡ଼ ଆନ୍ଦୋଳନ ଶୁରୁ କରାଯାଇଛି; କିନ୍ତୁ ସବୁ ଆଦର୍ଶ ଓ ଆନ୍ଦୋଳନର ମୂଳରେ ଥିବା ମଣିଷ ସେଇ ପୁରୁଣା ଯୁଗର ଗମ୍ଭିରୀ ଭିତରେ ପଡ଼ିରହିଛି । ବ୍ୟବସ୍ଥା ବଦଳିଛି, ସଂସ୍ଥା ବଦଳିଛି; କିନ୍ତୁ ମଣିଷ ବଦଳି ନାହିଁ ।

 

ବିନୋବାଜୀଙ୍କ ସନ୍ନିଧାନରେ ରହିଥିଲାବେଳେ ଏହିପରି ଭାବନା ସବୁ ମନ ଭିତରକୁ ଆସେ । ଆଜି ଭାରତର ନିଦ ଭାଙ୍ଗିଯାଇଛି । ଭାରତର ଭୋଗ ଲିପ୍‌ସା ଉପରେ ଆଜି ବିନୋବା କୁଠାରଘାତ କରିଛି । ନୂଆ ମଣିଷ ଜରିଆରେ ନୂଆ ମୂଲ୍ୟ ଓ ନୂଆ ସମାଜ ପ୍ରତିଷ୍ଠା କରି ବିନୋବା ଆଜି ଜଗତ ଓ ଜୀବନରେ ଏକ ପ୍ରକାଣ୍ଡ ପରିବର୍ତ୍ତନ ଆଣିବାକୁ ବାହାରିଛି । ଆମେ ତା’ର ବିପ୍ଳବକୁ କେତେଦୂର ଜୀବନରେ ଗ୍ରହଣ କରିପାରିବା, ସମାଜରେ ଅଭ୍ୟାସ କରିପାରିବା ? ଦଶବର୍ଷ ତଳେ ଯାହାକୁ ଆମେ ଜାତିର ପିତା ବୋଲି କହି ସୁଖରେ ଦୁଃଖରେ ସ୍ମରଣ କରୁଥିଲୁ, ଯେଉଁ ଗାନ୍ଧିକୁ ନେଇ ଆମେ ଦୁନିଆ ଆଗରେ ଗର୍ବ କରୁଥିଲୁ, ତାକୁ ଆମେ ପାଦୁକ ପରି ପାଇଦେଲୁଣି । ଗାନ୍ଧି ଆଜି ଇତିହାସରେ ଅମର ହୋଇ ସାରିଲେଣି । ତା’ର ପୂଜା ଆଉ ପ୍ରଚାର ଲାଗି ମୂର୍ତ୍ତି ଗଢ଼ିବା ଓ ସ୍ମୃତିମନ୍ଦିର ତୋଳିବାର ଧୁମ୍ ଉଠିଲାଣି । କିନ୍ତୁ ଆମର ବିଚାରରୁ, ଆମର କାମରୁ ଓ ଜୀବନରୁ ଗାନ୍ଧିର ସନ୍ଦେଶ କ୍ରମେ ଦୂରକୁ ଚାଲିଯାଉଛି । ଆଉ ଦଶବର୍ଷ ଗଲେ ବିନୋବା ସେମିତି ହୋଇଯିବ ନାହିଁକି ? ବିନୋବାକୁ ନେଇ, ତା’ର କଥାକୁ ନେଇ ଆଜି ବଡ଼ ବଡ଼ ଅନୁଷ୍ଠାନମାନ ଠିଆ ହେଲାଣି, ଲକ୍ଷ ଲକ୍ଷ ଖର୍ଚ୍ଚ ହେବାକୁ ବସିଲାଣି । ଭୂଦାନ ଆନ୍ଦୋଳନର ଆଳ ଧରି ଅହଂକାରୀ ମଣିଷ ଯଦି ଆପଣା ପ୍ରମତ୍ତତା ନେଇ ଦେଶସାରା ଗୋଟାଏ ଫମ୍ପା ଉତ୍ତେଜନା ସୃଷ୍ଟି କରି ବସିବ, ତେବେ ଦଶବର୍ଷ ପରେ ଆମେ ଯେ ପୁଣି ସର୍ବସ୍ୱାନ୍ତ ହୋଇବସିବା, ଏପରି ଏକ ଆଶଙ୍କା କରିବାର ଯଥେଷ୍ଟ କାରଣ ରହିଛି । ବିନୋବା ବିଚାରର ପ୍ରଚାର ଉପରେ ଏତେ ଜୋର୍ ଦେଲାବେଳେ ଆମେ ପଞ୍ଝାକୁ ପଞ୍ଝା ଯେ କେବଳ ପ୍ରଚାରର ବିଚାର କରିବାରେ ମାତିଛୁ, ଏହାର ପରିଣାମ ସମ୍ବନ୍ଧରେ ଆମ ସମସ୍ତଙ୍କର ଭାବିବାର କଥା ।

 

ଆଜିର ବିନୋବା ପଛରେ ତିରିଶବର୍ଷ ସାଧନାର ଏକନିଷ୍ଠ ଇତିହାସ ରହିଛି । ବିନୋବାର ଜୀବନରେ ଉତ୍ତେଜନା ନାହିଁ, ଅହଂକାର ନାହିଁ, ପାଞ୍ଚ ବା ଦଶବର୍ଷରେ ଯେନତେନ ପ୍ରକାରେଣ ଗୋଟାଏ କିଛି କରି ଦେଖାଇ ଦେବାର ଅଯୋଗ୍ୟ ଉତ୍ସୁକତା ତା’ଠାରେ ନାହିଁ । ବାହାରେ ସେ ଭୂମିଦାନର ଡାକରା ଦେଉଛି; କିନ୍ତୁ ମଣିଷ ନିର୍ଭୟ ହେବ, ଶୁଦ୍ଧହେବ, ଉଦାର ହେବ ଓ ନିରହଙ୍କାର ହେବ–ଏହି ବ୍ୟଞ୍ଜନା ତା’ର ପ୍ରତ୍ୟେକ କଥାରେ ରହିଛି । ତିରିଶବର୍ଷର ସାଧକ ବିନୋବା, ଆଜୀବନ ବିଦ୍ୟାର୍ଥୀର ନମ୍ରତା ଓ ଜିଜ୍ଞାସା ରଖିଥିବା ବିନୋବା, ଜୀବନର ବ୍ୟକ୍ତିଗତ ତଥା ସାମାଜିକ ସବୁ କ୍ଷେତ୍ରରେ ମଣିଷକୁ ମୂଳରେ ରଖିଥିବା ବିନୋବା, ଏହାହିଁ ଆମର ଅଧ୍ୟୟନର ସାମଗ୍ରୀ ହୋଇ ରହୁ । ଆମେ ସାଧକ ବିନୋବାକୁ ମନରେ ରଖି ଜୀବନର ଆଚରଣ ବଦଳାଇଦେବା, ସାଧକ ବିନୋବାର ବାଣୀ ଗ୍ରହଣ କରି ଆମେ ନୂଆ ଜୀବନର ଅନୁଶୀଳନ କରିବା । କୌଣସି ପ୍ରକାର ଉତ୍ତେଜନା, ଅହଂକାର ବା ଉପରଠାଉରିଆ ଆଡ଼ମ୍ବର ଦେଖାଇବା ଅପେକ୍ଷା ଏହାରିଦ୍ୱାରାହିଁ ଆମେ ବିନୋବାଦ୍ୱାରା ଅଧିକ ଉପକୃତ ହୋଇ ପାରିବା ।

 

୭ । ୩ । ୫୫

 

ଆମେ ସମସ୍ତେ ଭଲ ମଣିଷ ହେବା, ଆମ ଅନୁଷ୍ଠାନର ଏହି ପ୍ରଧାନ ଲକ୍ଷ୍ୟ ରହିବା ଉଚିତ । ଥରେ ମୁଁ ଏଇ କଥା କହିଥିଲି । ଏ ଭଲ ମଣିଷ ପୁଣି କ’ଣ ? ଆମ ଗାଁରେ ବା ସହରରେ କେତେ ପିଲାଙ୍କୁ ଭଲ ପିଲା ବୋଲି କହନ୍ତି, ପୁଣି କେତେକଙ୍କୁ ଦୁଷ୍ଟ ବା ଖରାପ ପିଲା ବୋଲି କହନ୍ତି-। ପୁଣି କେତେକ ବାପମାଆ ଅଛନ୍ତି, ଯେଉଁମାନେ କି ଆପଣା ପିଲାଙ୍କୁ ଭଲ ପିଲା କରି ରଖିବାର ଆଗ୍ରହରେ ଅନ୍ୟ କୌଣସି ପିଲାଙ୍କ ସହିତ ମିଶିବାକୁ ଦିଅନ୍ତି ନାହିଁ । ସେମାନଙ୍କ ଆଖିରେ ସାରା ଦୁନିଆ ଗୋଟାକର ପିଲା ଖରାପ, ଖାଲି ଆପଣା ପିଲାଟି ଭଲ । ଆଉ ଆମ ଦେଶରେ ସ୍କୁଲ କଲେଜ କଥା ତ ଛାଡ଼ିଦିଅ । ଯିଏ ମାଷ୍ଟରର ସାମନାରେ ଭଲ ବ୍ୟବହାର କରେ, ଯିଏ ମାଷ୍ଟ୍ରଙ୍କ ପାଠତକ ଭଲକରି କରିଆଣେ, ଯିଏ ମାଷ୍ଟରଙ୍କର ସାମନାରେ ଭରସିକରି କିଛି କହେ ନାହିଁ, ସ୍କୁଲରେ ସେଇ ଭଲ ପିଲା ହେବାରେ ସାର୍ଟିଫିକେଟ୍ ପାଏ । ଘରେ ଓ ସ୍କୁଲରେ ସେଇ ସୁନାପୁଅ ହୋଇ ରହେ ।

 

ଏମିତି ଭଲ ମଣିଷ ହେବା ଆମର ଦରକାର ନାହିଁ । ଯେଉଁ ସମାଜ ଏପରି ଭଲ ପିଲା ଓ ଭଲ ମଣିଷକୁ ଆଦର ଦେଖାଏ, ସେଇ ସମାଜକୁ ଆମେ ମାନିବା ନାହିଁ । ଆମେ ସେଇ ସମାଜକୁ ବଦଳାଇଦେବା । ମାଷ୍ଟର ଆଗରେ ବା ବାପମାଆଙ୍କ ଆଗରେ ଭଲ ପିଲା ବୋଲି ଦେଖାଇ ହେବାକୁ ଆମେ ସଂସାରକୁ ଆସିନାହୁଁ । ତେଣୁ ତାଙ୍କୁ ଭୟ କରୁଥିବା ପର୍ଯ୍ୟନ୍ତ ଆମର ଜୀବନରେ ଆମେ କୌଣସି ତୃପ୍ତି ବା ଆନନ୍ଦ ପାଇପାରିବା ନାହିଁ । ମଣିଷ କେବଳ ଭଗବାନ୍‍ଙ୍କୁ ଭୟ କରିବ, ଭଗବାନ୍‍ଙ୍କଠାରେ ଅଟଳ ବିଶ୍ୱାସ ରଖିବ, ତା’ହେଲେ ନିର୍ଭୟ ଚିତ୍ତରେ ସେ ସବୁ ଭୟକୁ ଅସ୍ୱୀକାର କରିପାରିବ । ଭଗବାନ୍ ହେଉଛନ୍ତି ପରମ ଅଭୟ । ଆମେ ତାଙ୍କୁହିଁ ଭୟ କରିବା, ତାଙ୍କରି ଆଖିରେ ଭଲ ଦିଶିବା ଭଳି ବଞ୍ଚିବା । ତା’ହେଲେ ଆମର ଜୀବନରେ କୌଣସି ପ୍ରକାର କୃତ୍ରିମତା ପ୍ରବେଶ କରିପାରିବ ନାହିଁ । ବର୍ତ୍ତମାନ ଯୁଗର ଭଲ ପିଲାଙ୍କ ବିଷୟରେ ଆମର ଅଳ୍ପ ବହୁତ ଧାରଣା ରହିଛି । ଆପଣା ଜୀବନକୁ ସହଜ କରିବା ମତଲବରେ ଆମେ ଅନେକ ସମୟରେ ସମାଜରେ ଏହିପରି ଭଲ ପିଲା ହେବାର ଚେଷ୍ଟା କରିଛୁ । ଭିତରେ ସହସ୍ର ରକମର ମଇଳା ରଖି ଉପରେ ଆମେ ସବୁ ଭଲ ବୋଲି ଦେଖାଇ ହୋଇଛୁ । ଆପଣା ମନରେ ନାନାପ୍ରକାର ଗଣ୍ଡଗୋଳ ରଖି ଉପରକୁ ଆମେ ସଭିଙ୍କୁ ସନ୍ତୁଷ୍ଟ କରି ରଖିବାର ଆଗ୍ରହ ଦେଖାଇଛୁ-। ଭିତରଟା ଆମର ଯେଉଁ ଶୂନ୍ୟକୁ ସେଇ ଶୂନ୍ୟ ହୋଇ ପଡ଼ିରହିଛି ।

 

ଭାଇମାନେ, ଏହିପରି ଭାବରେ ଯଥାର୍ଥ ମଣିଷ-ଜୀବନ ଗଢ଼ି ହୁଏ ନାହିଁ । ଏ ଫମ୍ପା ଜୀବନ ଆମକୁ ଭଗବାନ୍‍ଙ୍କର ଉଦ୍ଦିଷ୍ଟ ପଥରେ ପାଦେହେଲେ ଆମକୁ ନେଇପାରେ ନାହିଁ । ଆମରି ଜୀବନ ଆମେ ଭଗବାନ୍‍ଙ୍କଠାରୁ ପାଇଛୁ, ଏହାହିଁ ସଂସାରରେ ଆମ ଲାଗି ସବୁଠାରୁ ମୂଲ୍ୟବାନ୍ ସମ୍ପଦ । ଆମେ ଆମ ଜୀବନକୁ ଭଗବାନ୍‍ଙ୍କର ଗ୍ରହଣଯୋଗ୍ୟ କରୁଛୁ ତ ? ଅନ୍ୟକୁ ସନ୍ତୁଷ୍ଟ କରିବାର ମନୋଭାବ ରଖି ହୁଏତ ଆମେ ସମାଜରେ କେତେଟା ସୁବିଧା ମାରିନେବା; କିନ୍ତୁ ଏପରି କରି ନିଜ ପାଖରେ ଆମେ ଅପରାଧୀ ରହିଯିବା । ନା, ଆମର ଭଲ ମଣିଷ ହେବାର ବାଟ ନିଆରା-। ଆମର ଶରୀର ରୋଗମୁକ୍ତ ହେବ, ସୁସ୍ଥ ହେବ, ସୁନ୍ଦର ହେବ । ଆମର ମନ ନିର୍ମଳ ହେବ, ଉଚ୍ଚ ହେବ, ପ୍ରଶସ୍ତ ହେବ । ଆମର ହୃଦୟରେ ସଭିଙ୍କ ଲାଗି ପ୍ରେମଭାବ ସଞ୍ଚିତ ହୋଇ ରହିବ-। ଭଗବାନ୍‍ଙ୍କ ଉପରେ ବିଶ୍ୱାସ ବଢ଼ିବା ସଙ୍ଗେ ସଙ୍ଗେ ସଂସାରର ମଣିଷ ଉପରେ ଆମେ ଅଧିକ ବିଶ୍ୱାସ ରଖି ଶିଖିବା । ଆମର ଆଚରଣ ଶୁଦ୍ଧ ହେବ । ସହିଷ୍ଣୁ ହେବ । ଆମର ବିଚାର ସ୍ୱାଧୀନ ହେବ, ନିର୍ଭୟ ହେବ ଅଥଚ ନମ୍ର ହେବ । ଆମର ଜୀବନ ଆନନ୍ଦମୟ ହେବ, ବୀର୍ଯ୍ୟବାନ ହେବ, ବଳିଷ୍ଠ ହେବ । ଆମେ ଆଲୋକର ସନ୍ତାନ ହେବା, ଅମୃତର ସନ୍ତାନ ହେବା । ଶିକ୍ଷାର୍ଥୀ ଜୀବନରେ ଆମ ସଭିଙ୍କର ଏହାହିଁ ଧେୟ ହୋଇ ରହୁ ।

 

୨୧ । ୫ । ୫୫

 

ଆମ ଦେଶରେ ଶିକ୍ଷାର ଦୁର୍ଗତିକୁ ହୃଦୟଙ୍ଗମ କରିବାକୁ ହେଲେ ଦେଶର ସ୍କୁଲ କଲେଜକୁ ଖୋଜିବାକୁ ଯିବାକୁ ପଡ଼ିବ ନାହିଁ । ଆମ ଦେଶରେ ରେଳଷ୍ଟେସନ, ହାଟ ବଜାରରେ ଦେଶର ଶିକ୍ଷା ବିଷୟରେ ବେଶ୍ ଜ୍ଞାନ ମିଳିଯିବ । ଦଶ ବାରବର୍ଷର ପିଲା ଅଣାଏ ପଇସା ରୋଜଗାର କରିବେ ବୋଲି ବଡ଼ ବଡ଼ ବାବୁଙ୍କର ଜୋତା ପାଲିସ୍ କରି ବୁଲିବେ, କୁଲି ହେବେ, ସାଇକେଲ ମରାମତି ଦୋକାନରେ ଛିଣ୍ଡା କଳା କନା ପିନ୍ଧି ମୂଲ ଲାଗିବେ । କୌଣସି ସୁସ୍ଥ ଶିକ୍ଷିତ ସମାଜରେ କଦାପି ଏକଥା ଦେଖିବାକୁ ମିଳନ୍ତା ନାହିଁ । ବୟସ୍କବାବୁମାନେ ଅତି ନିର୍ବିକାର ଭାବରେ ଯେତେବେଳେ ଆପଣା ଛୋଟିଆ ବୋଝଟିକୁ ଗୋଟିଏ ଛୋଟିଆ ପିଲାର ମୁଣ୍ଡ ଉପରକୁ ଟେକିଦେଇ ଆଗରେ ବାଟ କାଢ଼ି ଚାଲନ୍ତି, ସେତିକିବେଳେ ମୁଁ ଭାବେ, ଏ ଶିକ୍ଷାରୁ ମନୁଷ୍ୟତାବୋଧ ବିଲ୍‌କୁଲ୍‌ ମରିଗଲାଣି । ମୋର ପୁଅ ବା ମୋର ଭାଇଙ୍କୁ ମୁଁ ଭଲ ପାଠ ପଢ଼ାଇବି, ଭଲ ପିନ୍ଧିବାକୁ ଦେବି, ଭଲ ଖୁଆଇବି, ଗେହ୍ଲାକରି ରଖିବି, ଅଥଚ ମୋ’ ପିଲାଟିଠାରୁ ଛୋଟ ଆଉ ଗୋଟିଏ ପରିବାରର ପିଲା ଅତି ହତଶ୍ରୀ ହୋଇ ବୁଲୁଥିବ, ତାକୁ ଯାଇ ସାହାଯ୍ୟ କରିବାକୁ ବା ପଦେ ଆପଣାର ହୋଇ କହିବାର କରୁଣା ମଧ୍ୟ ମୋ ଭିତରେ ଆସିବ ନାହିଁ । ମୁଁ ଏହାକୁ କିପରି ଶିକ୍ଷା ବୋଲି କହିବି ? ଏ ଶିକ୍ଷାରେ କେବଳ ମୁଣ୍ଡର ଚାଷ କରିବା ନାଆଁରେ ମୁଣ୍ଡକୁ ବିକୃତ କରି ଦିଆଯାଉଛି । ହୃଦୟ ଭିତରେ ରହିଥିବା ମଣିଷର ଅଜସ୍ର ବୃତ୍ତିର କୌଣସି ଖବର କେହି ରଖୁନାହାନ୍ତି । ମଣିଷର ହୃଦୟରେ ନାନା ସଂକୀର୍ଣ୍ଣ ଅହଂକାରର କୀଳିଣୀ ଲଗାଇ ଦିଆଯାଉଛି । ଏ ଅସାମାଜିକ ପ୍ରକ୍ରିୟାକୁ ମୁଁ ଶିକ୍ଷା ବୋଲି କହିପାରିବି ନାହିଁ । ବିଲାତରେ ଶିକ୍ଷକ Niel head ବିରୁଦ୍ଧରେ ବିଦ୍ରୋହ କରି ଶିକ୍ଷାକ୍ଷେତ୍ରରେ heartର ମହତ୍ତ୍ୱକୁ ପ୍ରତିଷ୍ଠିତ କରି ରଖିବାର ଯେଉଁ ପ୍ରୟୋଗ କରୁଛନ୍ତି, ପୃଥିବୀର ପ୍ରତ୍ୟେକ ଶିକ୍ଷକ ସେଥିରୁ ଅନେକ ଦିଗ୍‍ଦର୍ଶନ ପାଇପାରିବେ ।

 

୨୨ । ୫ । ୫୫

 

କାଲି knapsackଟା ପିଠିରେ ପକାଇ ମଟର ପାଖରୁ ଘରକୁ ଫେରୁଥାଏ । ବାଟରେ ଗଉଡ଼ଘରୁ ଜଣେ ଡାକିକରି କହିଲା, ‘ବାବୁ, ସେ ବୋଝଟା ତୁମେ କାହିଁକି ନେଇକରି ଯାଉଛ ? ରଖିଦେଇ ଯା; ମୁଁ ଘରକୁ ନେଇଯିବି । ଆମ ଦେଶରେ ଉପର ମଣିଷ ଓ ତଳ ମଣିଷ ଉଭୟେ ସମାନ । ଉଭୟଙ୍କୁ ଆଜି ଆପଣା ମହତ୍ତ୍ୱ ଓ ସମ୍ମାନ ଭୁଲି ରହିବାର ନିଦ ଘାରିଛି । ଉପର ମଣିଷ ନିର୍ଲଜ୍ଜପରି ଅତ୍ୟାଚାର କରୁଛି, ତଳ ମଣିଷ ନୀରବରେ ସହୁଛି । ସମାଜର ଉପର ମଞ୍ଚା ଉପରେ ବସି ଅତ୍ୟାଚାର କରିବା ଉପର ମଣିଷକୁ ଯେମିତି ଆରେଇ ଗଲାଣି, ଅତ୍ୟାଚାର ସହିବାଟା ମଧ୍ୟ ତଳ ମଣିଷକୁ ସେମିତି ଆରେଇ ଗଲାଣି ।

 

କାଲି ହଠାତ ଡେନ୍‌ମାର୍କ କଥା ମନେ ପଡ଼ିଗଲା । ସେଠି ସମାଜରେ ମଣିଷ ମଣିଷର ସମ୍ପର୍କ ଆମ ଦେଶର ସମାଜଠାରୁ ଅଲଗା । ମୁଁ ଯୁବକ, ଆପଣାର ବୋଝ ନିଜେ ବୋହି ପାରିବାର ଯଥେଷ୍ଟ ବଳ ମୋର ଅଛି; ଅଥଚ ମୋ’ରି ଗାଁର ଜଣେ ଗରିବ ଗଉଡ଼ ବୁଢ଼ା ମୋର ବୋଝ ବୋହିବାକୁ ଆସିବ । ମୁଁ କିଛି ନ କରିପାରିବାର ସୁକୁମାର ବାବୁ ହୋଇ ଆଗରେ ଆଗରେ ଚାଲିଥିବି । ଏପରି ଲଜ୍ଜାକର ସମ୍ବନ୍ଧ କେବଳ ଆମରି ଦେଶର ସମାଜରେ ସମ୍ଭବ ହୋଇପାରେ । ମଣିଷ ମଣିଷ ହିସାବରେ ତା’ର ସମ୍ମାନ ଓ ଗୌରବ ପାଇବ; ମଣିଷର ବଳ, ମଣିଷର ତାରୁଣ୍ୟ, ମଣିଷର ସେବାଶକ୍ତିକୁ ଉପଯୁକ୍ତ କ୍ଷେତ୍ର ଦିଆଯିବ, ଏସବୁ ଆମ ଦେଶର ଜୀବନ-ଧର୍ମରୁ କୁଆଡ଼େ ମରି ହଜି ଗଲାଣି । ଏ ଦେଶର ଅପେକ୍ଷାକୃତ ସୌଭାଗ୍ୟଶାଳୀ ମଣିଷ ଆଜି ଆଳସ୍ୟର ସମ୍ମାନ କରିବାରେ ଚାଲିଛି । ଯିଏ ଯେତେ ଅଳସୁଆ ହୋଇପାରିଲା, ତା’ର ଶିକ୍ଷାର ସେତେ ଖାତିର କରାହେଉଛି । ତଳେ ପଡ଼ିଥିବା ଅଖ୍ୟାତ ଶ୍ରେଣୀ ଦୁଇଗୁଣ ଖଟି ଉପର ମଣିଷର ଆଳସ୍ୟର କ୍ଷତି ପୂରଣ କରୁଛି ।

 

୨୩ । ୫ । ୫୫

 

ଇସ୍ରାଏଲରୁ ଜାହାଜ ଚଢ଼ି ଯେଉଁଦିନ ସାଇପ୍ରସ୍ ଦ୍ୱୀପରେ ଓହ୍ଲାଇଲି, ସେଇଦିନ କଥା ଏପର୍ଯ୍ୟନ୍ତ ମନେ ପଡ଼ିଯାଉଛି । ତିନିବର୍ଷ ହେଲା ଯେଉଁ କଥା ସାଧାରଣତଃ ଆଖିରେ ପଡ଼ି ନଥିଲା, ସେହି କଥା ଦେଖିବାକୁ ପାଇଲି । ଆମ ଜାହାଜ ଲାର୍‍ନାକା ବନ୍ଦରରେ ଲାଗୁ ନ ଲାଗୁଣୁ କୂଳରେ କୁଲିଙ୍କର ଭିଡ଼ ଲାଗିଯାଇଥାଏ । ଜାହାଜର ଯାତ୍ରୀମାନେ ଗୋଟି ଗୋଟି କରି ଆପଣା ଆପଣାର ଜିନିଷ କୁଲିଙ୍କ ହାତକୁ ବଢ଼ାଇ ଦେଲେ । ମୁଁ ପିଠିରେ knapsack, ହାତରେ ସୁଟ୍‍କେଶ ଓ ବ୍ୟାଗ୍ ଧରି ବାହାରକୁ ବାହାରିଲି । ଦୁଇ ତିନି ଜଣ କୁଲିଙ୍କୁ ମନା କରିଦେଲି । ମୋ ପଛରେ ଗୋଟାଏ ପ୍ରକାରର ତାଚ୍ଛଲ୍ୟ ଓ ପରିହାସର ବାୟୁମଣ୍ଡଳ ସୃଷ୍ଟି ହୋଇଗଲା । ସମସ୍ତଙ୍କ ମୁଖମଣ୍ଡଳରୁ ଜଣାପଡ଼ୁଥାଏ, ସେମାନେ ଭାବୁଛନ୍ତି ମୁଁ ଭାରି କୃପଣ । କୁଲିକୁ ପଇସା ନ ଦେଇ ସେଥିଲାଗି ମୁଁ ଆପଣା ବୋଝ ଆପେ ବୋହି ଚାଲିଛି । ଯେଉଁଠି ଶ୍ରମ-କାତରତାର ଶାସନ ଚାଲେ, ସେଠି ପରିଶ୍ରମୀକୁ ଘୃଣା ପ୍ରଦର୍ଶନ କରାଯାଏ । ପରିଶ୍ରମ କରି ବଞ୍ଚୁଥିବା ମଣିଷକୁ କୃପା ଆଖିରେ ଦେଖାଯାଏ । ସାଇପ୍ରସ୍ ଆଉ ଭାରତ ଦୁଇଠି ଆଜି ଏକା ଶାସନ ଚାଲିଛି । ଏଠି ମଧ୍ୟ ସେଇ ଶ୍ରମକାତରତାର ବ୍ୟବସ୍ଥା ବଜାୟ ରହିଛି । ସେଥିଲାଗି ଯିଏ ଆପଣା ମନର ଶୈଥିଲ୍ୟକୁ ଝାଡ଼ିଝୁଡ଼ି ଦେଇ ଆପଣାର ସାଆନ୍ତ ପଣିଆ ଛାଡ଼ି ଦେବାକୁ ଇଚ୍ଛା କରୁଛି, ସେହି ଆମ ସମାଜରେ ହାସ୍ୟସ୍ପଦ ହେଉଛି ।

 

ବର୍ତ୍ତମାନର ପାଠ, ବର୍ତ୍ତମାନର ଚାଲିଚଳନ, ବର୍ତ୍ତମାନର ସଂସ୍କାର ଆମକୁ ଆହୁରି ପରିଶ୍ରମକାତର କରି ଶିଖାଉଛି । ଆମର ସବୁ କର୍ମଠତା ଓ ତତ୍ପରତାକୁ ମାରିଦେଇ ଆମ ହୃଦୟ ଓ ଆତ୍ମାନୁଭୂତିର ଦୁଆରେ କୀଳିଣୀ ପକାଇ ରଖିଛି । ଜୀବନର ଫୁଲ ବିକଶିତ ହୋଇପାରୁନାହିଁ । ଏ ଦେଶରେ ସହସ୍ର ବୈଚିତ୍ର୍ୟର ସୌନ୍ଦର୍ଯ୍ୟ ନେଇ ପ୍ରସ୍ଫୁଟିତ ହୋଇ ପାରିବାର ପ୍ରଶସ୍ତ ବଗିଚା ନାହିଁ । ଏଠି ମଣିଷ ଭିତରର ମହତ୍ତା ମରିଯାଇଛି ।

 

୯ । ୮ । ୫୫

 

ଆଜିଠାରୁ ତେରବର୍ଷ ପୂର୍ବେ ଆମରି ଦେଶର ଜୀବନରେ ଗୋଟିଏ ବଡ଼ ଘଟନା ଘଟିଥିଲା । ୧୯୪୨ ମସିହା ଅଗଷ୍ଟ ନ’ ତାରିଖ ଦିନ ମହାତ୍ମାଗାନ୍ଧୀଙ୍କର ନେତୃତ୍ୱରେ ଆମେ ‘ଭାରତ ଛାଡ଼’ ଆନ୍ଦୋଳନ ଆରମ୍ଭ କରିଥିଲୁ । ସେହି ଦିନର ଇତିହାସ କେତେ ଜଣଙ୍କର ଭାଗ୍ୟ ବଦଳାଇ ଦେଲା । କେତେ ସରକାରୀ ଚାକିରିଆ ଚାକିରି ଛାଡ଼ିଲେ, କେତେ ବ୍ୟବସାୟୀ ବ୍ୟବସାୟ ଛାଡ଼ିଲେ, କେତେ ସ୍କୁଲ କଲେଜ ପିଲା ପାଠ ଛାଡ଼ିଲେ, କେତେ ମାଆ ଭଉଣୀ ଘରକଣ ଛାଡ଼ିଲେ-। ନ୍ୟାୟର ରାଜଦାଣ୍ଡରେ ନିଜ ନିଜର ପୁରୁଷାର୍ଥର ପରୀକ୍ଷା ଦେବାଲାଗି ସେଦିନ ସମସ୍ତଙ୍କ ଲାଗି ଡାକରା ଆସିଥିଲା । ଇତିହାସର ଚକ ଘୂରିଗଲା, ସମାଜର ମୂଳଦୁଆ ବଦଳିଗଲା । ଆମେ ଆଉ ପରର ଅଧୀନ ହୋଇ ରହିବା ନାହିଁ–ଏହିପରି ଗୋଟିଏ ସତ୍‍ସାହସର ପ୍ରେରଣା ସେଦିନ ହଜାର ହଜାର ମଣିଷକୁ ଦାଣ୍ଡକୁ ବାହାର କରାଇଥିଲା । ସେହି ପ୍ରେରଣା ବଳରେ ଯେଉଁ ଝଡ଼ର ସୃଷ୍ଟି ହେଲା, ସେଇଥିରେ ବିଦେଶୀ ବଣିଆର ବୋଇତ ବୁଡ଼ିଗଲା–ଆମେ ସ୍ୱତନ୍ତ୍ର ହେଲୁ ।

 

ତେରବର୍ଷ ପରେ ଆମେ ଅଗଷ୍ଟ ନଅକୁ ସେପରି ଗୁରୁତ୍ୱ ଦେଉ ନାହୁଁ । ଆଜି ଅଗଷ୍ଟ ପନ୍ଦର ବା ଜାନୁଆରୀ ଛବିଶର ଉଲ୍ଲାସ ଅଗଷ୍ଟ ନ’ର ତ୍ୟାଗମୟ ଆହ୍ୱାନକୁ ବୁଡ଼ାଇ ଦେଇଥିଲା ପରି ମନେ ହେଉଛି । ସ୍ୱତନ୍ତ୍ରତାର ଅର୍ଥ ଖାଲି ରାଜନୈତିକ ସ୍ୱାତନ୍ତ୍ର୍ୟ ନୁହେଁ । ମାଲିକର ଅଦଳବଦଳ ହେଲେ ମଣିଷର ସବୁ ଅଭାବ ଆଉ ମଳିନତା ମେଣ୍ଟିଯାଏଁ ନାହିଁ । ଭାରତରେ ଧନୀ-ଦରିଦ୍ର, ଶୂଦ୍ର-ବ୍ରାହ୍ମଣ ସବୁରିଲାଗି ଆର୍ଥିକ, ସାମାଜିକ ଓ ଆଧ୍ୟାତ୍ମିକ ସ୍ୱତନ୍ତ୍ରତା ନ ଆସିବା ଯାଏଁ ଆମର ସଂଗ୍ରାମ ଚାଲିଥିବ । ଅଗଷ୍ଟ ନ’ର ଘୋଷଣା କଲାବେଳେ ମହାତ୍ମା ଗାନ୍ଧୀ ଏହିପରି ଏକ ଅଖଣ୍ଡ ବା ଦୀର୍ଘ ଆନ୍ଦୋଳନର ସୂଚନା ଦେଇଥିଲେ । ଆଜି ଦେଶରେ ମାତ୍ର କେତେଜଣଙ୍କର ପେଟ ପୂରିଛି, ମାତ୍ର କେତେଜଣ ସମାଜର ସୁନାପୁଅ ହୋଇ ସବୁ ଭୋଗ କରିବାର ସୁନାକୁଲେଇ ଆବୋରି ବସିଛନ୍ତି । ଆମ ଦେଶର ନାନା ଭେଦ, ନାନା ଘୃଣା ଓ ନାନା ଲାଳସା ଆମର ଆଧ୍ୟାତ୍ମିକ କ୍ଷୁଧାକୁ ମାରି ଦେବାକୁ ଯାଉଛି । ଏହିପରି ଏକ ବାସ୍ତବିକ ଭୂମି ଉପରେ ଆମେ ଅଗଷ୍ଟ ନ’ର ମର୍ମକୁ କିପରି ଗ୍ରହଣ କରିବା, ସେ କଥା ଆମେ ପ୍ରତ୍ୟେକେ ନିଜେ ନିଜେ ବିଚାର କରିବା ।

 

ଖାଲି ଦେଶର ଜୀବନରେ ନୁହେଁ, ଜାତି ବା ଯୁଗର ଜୀବନରେ ନୁହେଁ, ବ୍ୟକ୍ତିର ଜୀବନରେ ମଧ୍ୟ ଏହିପରି ଏକ ଝଡ଼ ବେଳେବେଳେ ଆସେ । ସେତେବେଳେ ମଣିଷର ଅନ୍ତର ମଣିଷ ସ୍ୱତନ୍ତ୍ରତା ଲାଗି ଅସ୍ଥିର ହୋଇ ଉଠେ । ସବୁ ଭୟ ଓ ସବୁ ସମ୍ଭ୍ରମର ସବୁ କବାଟ ଭାଙ୍ଗିଯାଏ-। ସବୁପ୍ରକାର ଜଞ୍ଜିର ଛିଡ଼ାଇ ଦେଇ ମଣିଷ ମୁକ୍ତ ଶୁଦ୍ଧ ହୋଇ ବାହାରି ଆସିବାର ପରୀକ୍ଷାରେ ଅବତୀର୍ଣ୍ଣ ହୁଏ । କୌଣସି ପ୍ରକାର ଅନ୍ୟାୟ ବା କୃତ୍ରିମତା ଆଉ ବରଦାସ୍ତ ହୋଇପାରେ ନାହିଁ-। ମଣିଷର ସବୁ ସାଧନା ଓ ଶକ୍ତି ଦେଇ ଅନ୍ତର ଭିତରେ ନୂଆ ହୋଇ ଜନ୍ମ ହେବାର ଚିତା ଜଳେ, ଆଉ ତା’ରି ଭିତରୁ ନୂଆ ମଣିଷର ଜନ୍ମ ହୁଏ । ପ୍ରତ୍ୟେକ ମଣିଷ ଲାଗି ଏହିପରି ଅଗ୍ନି-ପରୀକ୍ଷାର ବେଳ ଆସେ । ଏହି ବିପ୍ଳବ ଭିତରେ ଆପଣାକୁ ସମର୍ପି ଦେଇ ମଣିଷ ଆପଣାର ଅନେକ ଅଭାବ ଓ ଅପୂର୍ଣ୍ଣତାକୁ ଅତିକ୍ରମ କରି ଚାଲିଯାଏ । ଅନେକ ମଇଳା, ଅନେକ ଘୃଣା ଓ ଅନେକ ଅହଂକାରକୁ ଡେଇଁ ଯିବାର ସାହସ ପାଏ ।

 

୧୦ । ୮ । ୫୫

 

‘ଭାରତ-ଛାଡ଼’ ଆନ୍ଦୋଳନର ଘୋଷଣା କଲାବେଳେ ଗାନ୍ଧିଜୀ ଏ ଦେଶର ପ୍ରତ୍ୟେକ ଲୋକକୁ ତା’ର ବିବେକର ନିର୍ଦ୍ଦେଶ ମାନି ଚଳିବାକୁ ଆହ୍ୱାନ ଦେଇଥିଲେ । ଦେଶକୁ ଚଳାଇବାକୁ ହେଲେ ନେତା ଦରକାର । ତଥାପି ମଣିଷ ତ ଖାଲି ମେଣ୍ଢାପଲ ନୁହନ୍ତି ଯେ ନେତା ଯୁଆଡ଼େ ଚାହିଁବ ସିଆଡ଼େ ଅଡ଼େଇ ନେଇଯିବ ! ପ୍ରତ୍ୟେକ ମଣିଷର ବିବେକ ଅଛି, ବିଚାର ଅଛି । ଭଲମନ୍ଦ ବାଛି ଭଲବାଟ ଗ୍ରହଣ କରି ନେବାର ବୁଦ୍ଧି ରହିଛି । ଏହି ବିବେକ, ବିଚାର ଓ ବୁଦ୍ଧିକୁ ଜାଗ୍ରତ କରିବାକୁ ହେବ, ହୃଦୟର ଶ୍ରଦ୍ଧାସୂତ୍ରଦ୍ୱାରା ଏହି ତିନୋଟିଯାକ ଏକାଠି କରିବାକୁ ହେବ । ତେବେଯାଇ ମଣିଷ ଜୀବନ ବଞ୍ଚିବାର ପରିପୂର୍ଣ୍ଣ ସ୍ୱାଦ ପାଇପାରିବ । ସେତେବେଳେ ଆଉ କୌଣସି ପ୍ରକାର ଭୟ ବା ବିବଶତା ରହିବ ନାହିଁ । ସେତେବେଳେ ମୂଲିଆ ମାଲିକକୁ ଭୟ କରିବ ନାହିଁ; ପିଲା ମାଷ୍ଟରକୁ ଭୟ କରିବ ନାହିଁ । ଭାଇ ଭାଇକୁ ଭୟ କରିବ ନାହିଁ; ଗୋଷ୍ଠୀ ଗୋଷ୍ଠୀକୁ ଭୟ କରିବ ନାହିଁ । ପୁଣି ଭୟ ଦୂର ହୋଇଯିବା ସଙ୍ଗେ ସଙ୍ଗେ ଘୃଣା ମଧ୍ୟ ଦୂର ହୋଇଯିବ । କାରଣ ଘୃଣା ଆଉ ଭୟ ସତେ ଅବା ପରସ୍ପରର ସହୋଦର ଭାଇ ।

 

ଅଗଷ୍ଟ ନ’କୁ ଆମେ ପ୍ରଧାନତଃ ରାଜନୈତିକ ଦୃଷ୍ଟିରୁ ଦେଖି ଶିଖିଛୁ । କିନ୍ତୁ କେବଳ ରାଜନୈତିକ ଦିଗଟା ଏହାର ଗୌଣ ଦିଗ । ଆମେ ଆଜି ରାଜନୈତିକ ଦୃଷ୍ଟିରୁ ଦେଖିଲେ ଭାରତରୁ ବିଦେଶୀ ଶାସନକୁ ତଡ଼ି ଦେଇଛୁ । କିନ୍ତୁ ଏବେ ମଧ୍ୟ ଆମରି ଭିତରେ ଅନେକ ଭୂତ ରହିଛନ୍ତି । ଆମ ସମାଜ ଲୋଭରେ ଜର୍ଜର ହୋଇ ରହିଛି । ଆମ ଶାସନ ବିଧାନରେ ଏପର୍ଯ୍ୟନ୍ତ ପ୍ରତ୍ୟେକ ମଣିଷ ନିରପେକ୍ଷ ନ୍ୟାୟ ପାଇବାର ହକ୍‍ଦାର ହୋଇନାହିଁ । ଆମର ପାଠଶାଳା ଏପର୍ଯ୍ୟନ୍ତ ସତ୍‍ଶିକ୍ଷାର ଶାଳା ହୋଇପାରି ନାହିଁ । ଜମିଦାର ଘରର ଦେବତା-ଦେଉଳ ପରି ଏବେ ମଧ୍ୟ ଲକ୍ଷ ଲକ୍ଷ ପିଲାଙ୍କ ଲାଗି ଆମ ପାଠଶାଳା ବନ୍ଦ ହୋଇ ରହିଛି । ତଥାପି କେମିତି ଆମେ କହିବା ଆମେ ଦିନେ ସ୍ୱପ୍ନ ଦେଖିଥିବା ‘ଭାରତ ଛାଡ଼’ ବିପ୍ଳବ ସଫଳ ହୋଇଛି ?

 

‘ଭାରତ ଛାଡ଼’ର ଅର୍ଥକୁ ସାର୍ଥକରୂପେ କାର୍ଯ୍ୟକାରୀ କରିବାକୁ ହେଲେ ଆମକୁ ଆହୁରି ଅନେକ କଥା ଛାଡ଼ିବାକୁ ପଡ଼ିବ । ଉପନିଷଦ୍‍ର–‘ତେନ ତ୍ୟକ୍ତେନ ଭୁଞ୍ଜୀଥାଃ’ ପରି ଖାଲି ତ୍ୟାଗ କରିହିଁ ଆମକୁ ଯଥାର୍ଥରେ ଭୋଗ କରିବାକୁ ହେବ । ଯେଉଁମାନେ ଭାଗ୍ୟଦେବୀର ପୁତ୍ର ବୋଲାଇ ଆଜି ସମାଜର ଉପର ପାହାଚରେ ବସିଛନ୍ତି, ସବୁ ଦମ୍ଭ ଛାଡ଼ି ସେମାନଙ୍କୁ ତଳକୁ ଓହ୍ଲାଇ ଆସିବାକୁ ପଡ଼ିବ; ପୁଣି ହତଭାଗା ଅକିଞ୍ଚନ ବୋଲାଇ ଯେଉଁମାନେ ଗୋରୁ ଘୁଷୁରିପରି ମଣିଷ ଜୀବନକୁ ଖାଲି ବୁଢ଼ା କରିବାରେ ଲାଗିଛନ୍ତି, ସବୁ ପ୍ରକାର ଆତ୍ମଗ୍ଳାନି ଛାଡ଼ି ସେମାନଙ୍କୁ ଉପରକୁ ଉଠିବାକୁ ହେବ । ସମାଜରେ ମାଲିକ ବୋଲାଉଥିବା ଭୂରିଭୋଜିକୁ ଲୋଭ ଛାଡ଼ି ସବୁରି ସାଥିରେ ଏକାଠି ବସିବାକୁ ଓ ବଞ୍ଚିବାକୁ ପଡ଼ିବ । ଏ ଦେଶର କାରିଗର ଆମେ, ଆମ ବାହୁରେ ବଳ ଅଛି, ମଥାରେ ବିଚାର ଅଛି, ହୃଦୟରେ ଶ୍ରଦ୍ଧା ଅଛି, ଧ୍ୟାନରେ ଈଶ୍ୱର-ବିଶ୍ୱାସ ଅଛି । ‘ଭାରତ ଛାଡ଼’ର ସମଗ୍ର ବିପ୍ଳବରେ ଆମକୁ ଅବଶ୍ୟ ଭାଗ ନେବାକୁ ପଡ଼ିବ । ଆମେମାନେହିଁ ସମାଜର ଦେହ, ମନ ଓ ଅନ୍ତରରୁ ସକଳ ପ୍ରକାର ପୁରୁଣା ଭୂତକୁ ଛଡ଼ାଇବା । ଆମେ ଏ ଦେଶରୁ ଲୋଭ ଛଡ଼ାଇବା, ଅନୀତି ଛଡ଼ାଇବା, ଅନ୍ଧବିଶ୍ୱାସ ଛଡ଼ାଇବା, ଅଶିକ୍ଷା ଛଡ଼ାଇବା । କିନ୍ତୁ ଏସବୁ କରିବା ଆଗରୁ ଆଗ ଆପଣାର ଅନ୍ତର ଭିତରୁ ଆମେ ସକଳ ପ୍ରକାର ଅହଂକାର ଛଡ଼ାଇ ଆସିବା ।

 

୧୧ । ୮ । ୫୫

 

କାଲି କଥା ପ୍ରସଙ୍ଗରେ ମୁଁ ବାହାର ଦୁଷ୍ଟାମି ଆଉ ଭିତର ଦୁଷ୍ଟାମି କଥା କହିଥିଲି । ପିଲାଦିନେ ଆମେ ସମସ୍ତେ ଦୁଷ୍ଟ ଥିଲେ, ଆମେ ସମସ୍ତେ ଜାଣିଶୁଣି ବୋଉକୁ ହଇରାଣ କରିଛେ, ବାପାଙ୍କର କାମିଜ ପକେଟରୁ ପଇସା ଚୋରି କରିଛେ, ଆଖୁ କିଆରିରୁ ଆଖୁ ଭାଙ୍ଗି ଖାଇଛେ; ସମସ୍ତେ ଆମେ ସାଙ୍ଗପିଲାଙ୍କୁ ମାଡ଼ ମାରିଛେ । ଏ ଦୁଷ୍ଟାମିଗୁଡ଼ାକ ଠିକ୍ ଆମେ ତିଆରି କରୁଥିବା ପିଲାଦିନର ଧୂଳିଘର ପରି । ବୟସ ଓ ଅନୁଭୂତି ବଢ଼ିଲେ ଏସବୁ ଦୁଷ୍ଟାମି ବଳେ ବଳେ ଭାଙ୍ଗିଯାଏ; ଆମର ଦାୟିତ୍ୱଜ୍ଞାନ ଆସେ । ଆମେ ନିଜପାଇଁ ଲକ୍ଷ୍ୟପଥ ସ୍ଥିର କରି ସେହି ବାଟରେ ଚାଲୁ; ମଣିଷ ଗୋଷ୍ଠୀରେ ଜଣେ ହୋଇ ରହି ଆମର କର୍ତ୍ତବ୍ୟ କରିଶିଖୁ ।

 

କିନ୍ତୁ ଆମ ଭିତରେ ଆଉ ଗୋଟିଏ ପ୍ରକାର ଦୁଷ୍ଟାମି ଅଛି, ଯାହା ଆଗରେ ବାହାର ଦୁଷ୍ଟାମି କିଛି ନୁହେଁ । ଆମର ସମାଜ ବାହାର ଦୁଷ୍ଟାମିଟାକୁ ତାଳପରି ଦେଖେ, କିନ୍ତୁ ଅସଲ ଭିତର ଦୁଷ୍ଟାମିଟାକୁ ତିଳ କରି ଘୋଡ଼ାଇ ଦିଏ । ସେଥିଲାଗି ଆମେ ଜୀବନସାରା ଦୁଃଖ ଭୋଗ କରୁ, ନାନାପ୍ରକାର ସନ୍ତାପ ଓ ସଂଶୟରେ ଜଳିପୋଡ଼ି ହୋଇ ମରୁ । ଆମେ ଆମର ମନ ଭିତରେ ରାକ୍ଷସର ମନକୁ ପୁଷ୍ଟ କରି ଚାଲିଥାଉ; ନାନା ଘୃଣା ଓ ଦ୍ୱେଷରେ ଆମେ ଆମର ସମସ୍ତ ଚିନ୍ତା ଓ ସମସ୍ତ ଆଗ୍ରହକୁ ବିଷାକ୍ତ କରି ରଖିଥାଉ । ଆମର ବିବେକ ସହିତ ଆମର ସବୁବେଳେ କଜିଆ ଲାଗେ । ତଥାପି ବାହାରକୁ ଆମେ ସୁନାପୁଅ ବୋଲି ପରିଚୟ ଦେଉ । ସମାଜର ବେବର୍ତ୍ତା ଓ ମାମଲତ୍‍କାର ହୋଇ ଅନ୍ୟମାନଙ୍କର ବାହାର ଦୁଷ୍ଟାମିକୁ ତାଳ କରି ଦେଖୁ । ଆମେ ଭାବୁ, ଏପରି କରିବାଦ୍ୱାରା ଆମେ ସଂସାରକୁ ବେଶ୍ ବୋକା ବନାଇ ଦେଉଛୁ । ବେଶ୍ ଆଖିବୁଜି ଦୁଧ ପିଇବାର ଭ୍ରମ ଆମେ କରୁ । କିନ୍ତୁ ଫଳ ଓଲଟା ଫଳେ । ଆମେହିଁ ଯୋଉ ବୋକାକୁ ସେହି ବୋକା ହୋଇ ପଡ଼ିରହୁ । ଆମର ଦୁଆର ଯୋଉ ମୁଦାକୁ ସେଇ ମୁଦା ହୋଇ ରହିଥାଏ । ଆମ ଜୀବନରେ ସୂର୍ଯ୍ୟୋଦୟ ହୁଏ ନାହିଁ । କେବଳ ଆପଣାକୁ ଠକିବାହିଁ ସାର ହୁଏ ।

 

ମୁଁ ତ କହିବି ଯିଏ ଭଗବାନ୍‍ଙ୍କୁ ବିଶ୍ୱାସ କରେ ନାହିଁ, ସେହି କେବଳ ଭିତରର ଦୁଷ୍ଟାମିଗୁଡ଼ାକୁ ସାଇତି ରଖି ବାହାରେ ଭଲଲୋକର ମୁଖା ପିନ୍ଧିବାକୁ ଭଲପାଏ । ଭଗବାନ୍‍ଙ୍କ ଉପରେ ଅଟଳ ବିଶ୍ୱାସ ଥିଲେ ପୁଣି ବାହାର ଭିତର କ’ଣ ? ଭକ୍ତ ଆପଣା ମନର ମଇଳାଗୁଡ଼ାକୁ ଏକାଠି ଧୂପ ଓ ଦୀପ କରି ଭଗବାନ୍‍ଙ୍କ ପାଖରେ ଜାଳିଦିଏ । ସେସବୁ ପୋଡ଼ି ସୁଗନ୍ଧ ବିତରଣ କରେ । ଭଗବତ ବିଶ୍ୱାସର ଆଶିଷକାଠି ବାଜି ତା’ର ମଇଳା ଆଉ ମଇଳା ହୋଇ ରହେ ନାହିଁ । ଭଗବାନ୍‍ଙ୍କୁ ବିଶ୍ୱାସ କରୁଥିବା ମଣିଷ ସଂସାର ଆଗରେ ସ୍ପଷ୍ଟ ହେବାକୁ ଭୟ କରେ ନାହିଁ । ଆପଣାର ଭିତର ବାହାର ଖୋଲି ଦେଖାଇବାକୁ ସେ ସଙ୍କୋଚ କରେ ନାହିଁ । କିନ୍ତୁ ଯେ ଭୀରୁପରି ଭଲଲୋକର ମୁଖା ପିନ୍ଧି ରହିବାକୁ ଭୟକରେ, ସଂସାରକୁ ସେ ସନ୍ଦେହ କରେ, କାରଣ ସେ ସଂସାରକୁ ଭୟକରେ । ସଂସାର ଭିତରେ ଥାଇ ମଧ୍ୟ ସେ ଆପଣା ମନ ଭିତରେ ସମାଜଠାରୁ ବାସନ୍ଦ ହୋଇ ରହେ; ଆପଣା ବିବେକ ସହିତ ତାକୁ ନିରନ୍ତର ଯୁଦ୍ଧ କରିବାକୁ ହୁଏ ।

 

ବାହାର ଦୁଷ୍ଟାମି ଆମର ଯେତେ ଥାଉ ପଛକେ, ଭିତର ଦୁଷ୍ଟାମିକୁ ଆମେ ଯେପରି କୌଣସି ପ୍ରକାରେ ବଢ଼ିବାକୁ ନ ଦେଉ । ପିତାର ସ୍ନେହ ପୁଅର ଚପଳ ଦୁଷ୍ଟାମିକୁ ନିଶ୍ଚୟ କ୍ଷମା ଦେବ । ବିଶ୍ୱ-ପିତାଙ୍କର ସ୍ନେହ ଓ ଆଶୀର୍ବାଦ ସେହିପରି ଆମର ସରଳ ଚପଳ ଦୁଷ୍ଟାମିକୁ ସହିପାରିବ, କ୍ଷମା ଦେବ, ଅନେକ ସମୟରେ ଉପଭୋଗ ମଧ୍ୟ କରିବ । କିନ୍ତୁ ଭିତରର ଦୁଷ୍ଟାମି ନେଇ ଆମେ ଯେତେବେଳେ ସାରା ସଂସାରକୁ ଠକିବାକୁ ଯିବା, ସେତେବେଳେ ଭଗବାନ୍ ସେ ସବୁ ଦେଖି ଉପରୁ ହସୁଥିବେ: ଆମ ହୀନମନର ଦୁର୍ଦ୍ଦଶା ଦେଖି ଖାଲି ଆମ ଉପରେ ଦୟା କରୁଥିବେ ।

 

୧୨ । ୮ । ୫୫

 

ସେଦିନ ଆମେ ଗହ୍ମାପୁନିଅଁ କଲେ । ଆମ ହାତରେ ନୂଆ ରାକ୍ଷୀ ବାନ୍ଧି ଦିଆଗଲା । ଆମେ ସଭା କଲେ, ବକ୍ତୃତା ଶୁଣିଲେ, ପିଠା ଖାଇଲେ, ଭାରି ମଜା ହେଲା । ଆଗ କାଳର ସମାଜର ଗଠନ ଅନୁସାରେ ରାକ୍ଷୀ ବାନ୍ଧିବାର ମର୍ମ ଅଲଗା ଥିଲା । ସେତେବେଳେ ବ୍ରାହ୍ମଣ, ସ୍ତ୍ରୀଜାତି ଆଉ ଗୋରୁ-ଗାଈ ସମାଜର ପୁରୁଷ ଉପରେ ଆଶ୍ରୟ କରି ଚଳୁଥିଲେ । ସେମାନଙ୍କର ସ୍ୱତନ୍ତ୍ରତା ନଥିଲା । ବ୍ରାହ୍ମଣର କୌଣସି ରୋଜଗାର ନଥିଲା । ସେ କୌଣସି ପ୍ରକାର ଶ୍ରମ କରୁ ନଥିଲା । ସ୍ତ୍ରୀ-ଜାତି ମଧ୍ୟ ପୁରୁଷ ଉପରେ କେବଳ ଏକ ଆବଶ୍ୟକ ବୋଝ ପରି ରହିଥିଲା, ଠିକ୍ ପୁରୁଷର ଜମିବାଡ଼ି, ହାତୀଘୋଡ଼ା ଆଉ ଖଟପଲଙ୍କ ପରି । ଗୋରୁ-ଗାଈଙ୍କୁ ତ ଯେମିତି ହେଲେ ଆପଣାର ବଞ୍ଚିବାପାଇଁ ମଣିଷ ଉପରେ ନିର୍ଭର କରିବାକୁହିଁ ପଡ଼ିବ । ଗହ୍ମାପୁନିଅଁ ଦିନ ବ୍ରାହ୍ମଣ ଆସି ଅବ୍ରାହ୍ମଣ ସଂସାରୀ କାନ୍ଧରେ ପଇତା ଗଳାଇ ଦେଉଥିଲା, ଘରେ ସ୍ତ୍ରୀ, ପୁରୁଷ ହାତରେ ରାକ୍ଷୀ ବାନ୍ଧି ଦେଉଥିଲା । ଏହାର ଅର୍ଥ ହେଉଛି ପୁରୁଷ ସ୍ତ୍ରୀକୁ ରକ୍ଷା କରିବ, ଅବ୍ରାହ୍ମଣ ବ୍ରାହ୍ମଣକୁ ରକ୍ଷା କରିବ ।

 

Unknown

ସେ କାଳର ସେହି ପ୍ରାଚୀନ ସମାଜ ଭାଙ୍ଗି ଗଲାଣି । ଯୁଗର ଅନୁକ୍ରମ ଅନୁସାରେ ମଣିଷ ନୂଆ ସମାଜ ଓ ସାମାଜିକ ଆଦର୍ଶର ସ୍ୱପ୍ନ ଦେଖୁଛି । ମଣିଷର କଳ୍ପନା ବଦଳିବା ସଙ୍ଗେ ସଙ୍ଗେ ସମାଜର ଚିତ୍ର ମଧ୍ୟ ବଦଳିଯାଉଛି । ସଂସାରରେ ବଞ୍ଚି ରହିବା ଲାଗି ଏବେ ମଧ୍ୟ ବ୍ରାହ୍ମଣ ଯାଇ ଅବ୍ରାହ୍ମଣର ରକ୍ଷକତା କାମନା କରିବେ । ଏବେ ମଧ୍ୟ ସ୍ତ୍ରୀଜାତି ଯାଇ ପୁରୁଷ ପାଖରେ ଆଶ୍ରୟ ପ୍ରାର୍ଥନା କରିବ–ଏ ଯୁଗର ନ୍ୟାୟ କଦାପି ଏହା ସ୍ୱୀକାର କରିବ ନାହିଁ । ଏ ଯୁଗରେ ସମସ୍ତେ ସମାନ । ସମସ୍ତେ ସାଧନା-ପଥର ପଥିକ, ସମସ୍ତେ ଜୀବନ ମନ୍ଦିରର ପୂଜକ । ପୁରୁଷ, ସ୍ତ୍ରୀ, ବ୍ରାହ୍ମଣ, ଅବ୍ରାହ୍ମଣ–ଏ ଯୁଗରେ ସମସ୍ତେ ଆଗ ମୌଳିକତଃ ମଣିଷ, ତା’ପରେ ଆଉ ଯାହାକିଛି-। ତେଣୁ ବ୍ରାହ୍ମଣ ଅବ୍ରାହ୍ମଣକୁ ଓ ସ୍ତ୍ରୀ ପୁରୁଷ ପାଖରେ ଆପଣାର ଆଶ୍ରୟ ଭିକ୍ଷା କରିବା ଏ ଯୁଗରେ ବିହିତ ହେବ ନାହିଁ ।

 

ତଥାପି ଆମେ ଗହ୍ମାପୁନିଅଁ ପାଳନ କରିବା କାହିଁକି ? ଗୋଟିଏ ଗୋଷ୍ଠୀ ଆଉ ଗୋଟିଏ ଗୋଷ୍ଠୀର ନେତା ବା ନିୟାମକ ହୋଇ ରହୁ; ଗୋଟିଏ ବର୍ଗ ଆଉ ଗୋଟିଏ ଅକିଞ୍ଚନ ବର୍ଗର ରକ୍ଷକ ହୋଇ ରହୁ, ଏକଥା ଆମେ ଚାହୁଁ ନାହିଁ । ଆମେ ଚାହୁଁ, ଆମ ସମାଜରେ ପ୍ରତ୍ୟେକେ ପ୍ରତ୍ୟେକର ରକ୍ଷକ ହେବା । ପ୍ରତ୍ୟେକେ ଆମେ ପ୍ରତ୍ୟେକର ହାତରେ ରାକ୍ଷୀ ବାନ୍ଧିଦେବା । ଅର୍ଥାତ୍ ସବୁରି ପ୍ରତି ଆମର ଯେଉଁ କର୍ତ୍ତବ୍ୟ ବା ଦାୟିତ୍ୱ ଅଛି, ତାହା ଆମେ ସୁନାଗରିକ ହିସାବରେ ଆପଣା ଛାଏଁ ସ୍ୱୀକାର କରିନେବା । ସଦାସର୍ବଦା ଆପଣା ସ୍ୱାର୍ଥ ଓ ଅଭିମାନର ରକ୍ଷା କରିବାରେ ସନ୍ତପ୍ତ ନ ରହି ଆଗ ଆମେ ଆମ ଚାରିପାଖରେ ଆମ ସଂସାରଟିକୁ ଜୀବନ୍ତ ଓ ସରସ କରି ରଖିଥିବା, ସମସ୍ତଙ୍କ ଲାଗି ଚିନ୍ତା କରିବା । ଆମେ ସେହିମାନଙ୍କର ବନ୍ଧୁ ଓ ମାରଫତଦାର ହୋଇରହିବା । ଆମେ ସବୁରି କଲ୍ୟାଣରେ ଓ ସବୁରି ବିକାଶରେ ସହଯୋଗ କରିବା । ପରସ୍ପରର ହାତରେ ରାକ୍ଷୀ ପିନ୍ଧାଇଦେବା ଉତ୍ସବର ଏ ଯୁଗରେ ଏହାହିଁ ମର୍ମ କଥା ହୋଇ ରହୁ ।

 

ଆମ ଜଙ୍ଗଲର ଏହି ଛୋଟିଆ ସଂସାରରେ ଗହ୍ମାପୁନିଅଁ ଆମକୁ ଏଇଆ ଶିକ୍ଷା ଦେଇଯାଉ । ଏଠିକାର ସବୁଜ ବଣ, ନୀଳ ପର୍ବତ ଓ ଆମର ତରୁଣ ମନକୁ ପଥର ପାଥେୟ କରି ବଢ଼ୁଥିବା ପ୍ରାଣରେ ଆଜି ଗହ୍ମାପୁନିଅଁର ଏହି ଅର୍ଥ ଭେଦରହୁ । ସେଦିନ ଆମେ ପରସ୍ପରର ହାତରେ ରାକ୍ଷୀ ବାନ୍ଧିଲେ । ଚାଲ, ଆମେ ସମସ୍ତେ ସମସ୍ତଙ୍କର ରକ୍ଷକ ହୋଇଯିବା । ସମସ୍ତେ ସମସ୍ତଙ୍କ ସହିତ ସହଯୋଗ କରିବା । ଆମେ ଆଗ ଅନ୍ୟ ସମସ୍ତଙ୍କର କଲ୍ୟାଣ ଚିନ୍ତା କରିବା । ଏହିପରି ଏକ ଶ୍ରଦ୍ଧା ଓ ଭାତୃଭାବର ବାତାବରଣ ସୃଷ୍ଟି କରିପାରିଲେ ଆମ ମନରୁ ସବୁ ଅହଂକାର ଓ ଅପଚିନ୍ତା ବଳେ ବଳେ ଚାଲିଯିବ ।

 

୧୬ । ୮ । ୫୫

 

ଆମର ଖାଦ୍ୟ, ଆମର ଦେହ, ଆମର ପାଠ ଓ ଆମର ପ୍ରାର୍ଥନା ଆମର ଏଠି ସବୁଟିର ମହତ୍ତ୍ୱ ରହିଛି । ଖାଇବା ନିଅଣ୍ଟ ହେଲେ ବା ଅରୁଚିକର ହେଲେ ଆମେ ଯେମିତି ସୁଧାରିବାକୁ ଚେଷ୍ଟା କରିବା, ପାଠରେ ଖଇଚା ହେଲେ ଯେମିତି ଆମେ ପୂରଣ କରିବାକୁ ବ୍ୟସ୍ତ ହୋଇପଡ଼ୁଛୁ, ପ୍ରାର୍ଥନାର ବ୍ୟବସ୍ଥା ଓ ବାୟୁମଣ୍ଡଳରେ କୋଉଠି କ’ଣ ଅଭାବ ରହିଲେ, ଆମେ ସେମିତି ବ୍ୟସ୍ତ ହୋଇପଡ଼ିବା ଦରକାର । ଖାଇବା ମନୋମତ ନ ହେଲେ ଆମର ଦେହକୁ ବାଧେ । ପ୍ରାର୍ଥନା ମନୋମତ ନ ହେଲେ ସେମିତି ଆମର ଅନ୍ତରକୁ ବାଧିବା ଦରକାର । ଦିନେ ଖାଇବାକୁ ନ ପାଇଲେ ଆମେ ଯେମିତି ଉପାସରେ କଷ୍ଟ ପାଉଛୁ, ଦିନେ ଶୁଦ୍ଧ ସମାହିତ ହୋଇ ପ୍ରାର୍ଥନାରେ ବସି ନ ପାରିଲେ ସେମିତି ଏକ ବଡ଼ ଅଭାବ ଆମେ ଅନ୍ତରେ ଅନ୍ତରେ ଅନୁଭବ କରିବା ଉଚିତ ।

 

ତାହା ଆମେ କରିପାରୁ ନାହୁଁ । ଆମେ ନିଜର ଦେହଟାକୁ ଜୀବନର ସର୍ବସ୍ୱ କରି ରଖୁଛୁ ବୋଲି ସେହିପରି ହେଉଛି । ଆମେ ନିଜର ଅହଂକାର ଓ ଅଭିମାନକୁ ମନ ଭିତରେ ଖୁନ୍ଦିରଖି କେବଳ ଉପଭୋଗ କରିବାକୁ ଜୀବନର ଧେୟରୂପେ ଧରି ନେଇଛୁ ବୋଲି ସେହିପରି ହେଉଛି । ମୋର ଦେହ ଅଛି, ତଥାପି ମୁଁ କେବଳ ଦେହ ନୁହେଁ; ମୋ ଭିତରେ ମାନ ଅଭିମାନ, ଅହଂକାର ରହିଛି; ତଥାପି କେବଳ ଏହିସବୁ ମୋର ସମସ୍ତ ମନର ପରିଚୟ ନୁହେଁ– ଏହିପରି ବିଚାର ରଖିବା ଦରକାର । ତେବେ ଆମଲାଗି ସଂସାରରେ ସବୁ କଥାର ଅର୍ଥ ବଦଳିଯିବ । ମଣିଷର ମୁହଁ, ମଣିଷର ହସ, ଆକାଶର ଚନ୍ଦ୍ରସୂର୍ଯ୍ୟ, ବଣପାହାଡ଼, ସକାଳସଞ୍ଜ–ସବୁ ଆମର ଧ୍ୟାନ-ଦୃଷ୍ଟିରେ ନୂତନ-ଭାବରେ ଦେଖାଦେବ । ଆମର ଜୀବନ ବଦଳିଯିବ, ଆମର ଆଚରଣରେ ପୁରୁଣା ବା ପଚା କିଛି ରହିବ ନାହିଁ । ସାରା ସଂସାରଟା ଦେବତାର ମନ୍ଦିର ପରି ଲାଗିବ । ଦିନମାନର ସବୁ କାମ ଠିକ୍ ଭଗବାନ୍‍ଙ୍କ ପୂଜା ପରି ଶୁଦ୍ଧ, ସରସ ଓ ଶକ୍ତି-ମୟ ହୋଇଯିବ ।

 

ଏଠିକା ସମାଜରେ ଗୋଟାଏ ନିୟମ ରହିଛି ବୋଲି ହୁଏତ ଆମେ ପ୍ରାର୍ଥନାରେ ଯାଇ ବସୁଛେ । ଚାହାଳି- ଚୋରକୁ ନେଇ ଧରିବାନ୍ଧି ଚାହାଳିରେ ବସାଇବା ପରି ଏହି ପ୍ରାର୍ଥନା ହୋଇଯାଉଛି । କିଏ ଭଜନ ବୋଲିବ, କିଏ ଧୂନ୍ ଦେବ, କେଉଁ ଭଜନ ବା କେଉଁ ଧୂନ୍ ଦିଆଯିବ, ସେକଥା ଆମେ ପ୍ରାର୍ଥନା ସଭାରେ ଠିକ୍ କରୁଛେ।ସେଥିଲାଗି ଭଜନ, ଧୂନ୍ ବା ସମଗ୍ର ଦୃଷ୍ଟିରୁ ଦେଖିଲେ ପ୍ରାର୍ଥନାରେ ରସ ରହୁନାହିଁ । ମନବି ଭଗବାନ୍‍ଙ୍କ ପାଖକୁ ପଡ଼ିଥିବା ରାସ୍ତା ଉପରେ ସହଜ ଭାବରେ ଧରା ଦେଉନାହିଁ । ଏପରି କାହିଁକି ହେଉଛି ? ଏ କଥା ଆମେ ସମସ୍ତେ ବିଚାର କରିବା । ଖାଲି ପ୍ରାର୍ଥନା ବିଷୟରେ ପଢ଼ିଲେ ବା ଲେଖିଲେ ପ୍ରାର୍ଥନା ଭଲ ହେବ ନାହିଁ । ଆମେ ଅଧିକ ଗଭୀର ଭାବରେ ଅନୁଭବ କରି ଶିଖିବା, ଅଧିକ ଗଭୀର କରି ଆମର ମନକୁ ତିଆରି କରି ଶିଖିବା । ଭଗବାନ୍ ମଣିଷର ମୁଣ୍ଡରେ ନୁହେଁ, ହୃଦୟ ଭିତରେ ଅଛନ୍ତି । ଏ କଥା ଉପନିଷଦ୍‍ରେ କୁହାଯାଇଛି । ଏହି ହୃଦୟକୁ ତିଆରି କରିପାରିଲେ ଆମେ ଆମର ଜୀବନକୁ ଅଧିକ ରସମୟ କରି ତିଆରି କରିପାରିବା ।

 

ପ୍ରାର୍ଥନା ଲାଗି ଆମର ସ୍ୱତନ୍ତ୍ର ଘଣ୍ଟା ବାଜୁଛି । ସେଇ ଘଣ୍ଟା ବାଜିବାମାତ୍ରକେ ଆମେ ଯିଏ ଯେଉଁଠି ଥିବା, ଯଥାସମ୍ଭବ ଚୁପ୍ ହୋଇଯିବା । ନିଜେ କରୁଥିବା କାମ ଯଥାଶୀଘ୍ର ଶେଷ କରି ପ୍ରାର୍ଥନା ସ୍ଥାନକୁ ଆସିବା । ପୂର୍ଣ୍ଣ ଧ୍ୟାନ ଓ ସନ୍ତର୍ପଣରେ ସେଠି ବସିବା । ସଭିଙ୍କ ସହିତ ସହଯୋଗ କରି ପ୍ରାର୍ଥନାର ସୁର ଓ ତାଳ ଲୟକୁ ମଧୁର କରି ରଖିବା । ଏପରି କାହିଁକି ନ ହୋଇ ପାରିବ ? ଖାଇବା ଆରରୁ ମୁହଁ ହାତ ଧୋଇ ଖାଇବାର ବିଧି ରହିଛି । ପ୍ରାର୍ଥନା କରିବା ପୂର୍ବରୁ ମନରୁ ସମସ୍ତ ପ୍ରକାର ବିକ୍ଷେପ ଓ ବିକୃତିକୁ ଦୂର କରିଦେଇ, ସବୁପ୍ରକାର ବ୍ୟସ୍ତତାକୁ ଈଶ୍ୱର ପ୍ରଣିଧାନ ଲାଗି ଶାନ୍ତ ଓ ନୀରବ କରି ଦେଇ କାହିଁକି ଆମେ ପ୍ରାର୍ଥନାରେ ବସି ନ ପାରିବା ? ଏକଥା ଆମେ ସମସ୍ତେ ବିଚାର କରିବା, ସମସ୍ତେ ଆମେ ପ୍ରାର୍ଥନାରେ ସହଯୋଗ କରିବା ।

 

୧୭ । ୮ । ୫୫

 

ଆମ ଭିତରୁ କେତେଜଣ ମୌଳିକ ସ୍କୁଲରୁ ଆସିଛନ୍ତି, ପୁଣି କେତେକ ସିଧା ହାଇସ୍କୁଲରୁ ଆସିଛନ୍ତି । ମୌଳିକ ଅମୌଳିକକୁ ଯେଉଁମାନେ ଦୁଇଟା ଭିନ୍ନଭିନ୍ନ ଛାଞ୍ଚ ପରି ଭାବନ୍ତି, ଏଇଟା ନ ହେଲେ ଆରଟାର ପକ୍ଷ ସମର୍ଥନ କରି ଯେଉଁମାନେ ଯୁକ୍ତି ଯୁଝିବାକୁ ବାହାରିପଡ଼ନ୍ତି, ମୁଁ ସେମାନଙ୍କ ଦଳରେ ନୁହେଁ । ମୋ ମତରେ ସୁଶିକ୍ଷା ଆଉ କୁଶିକ୍ଷା ଏହିପରି ଦୁଇଟି ଭାଗ ହେବା ଦରକାର । ଶିକ୍ଷା ଯେକୌଣସି ଛାଞ୍ଚର ହେଉ ପଛକେ ତାହା ସୁଶିକ୍ଷା ହେବା ଦରକାର ।

 

ଏଠିକି ଆସିବା ପୂର୍ବରୁ ଆମେ ଅନ୍ୟ ପ୍ରକାରର ବାତାବରଣରେ ଥିଲେ । ସେଠି ନିୟମ ଅନୁସାରେ ପାଠ ପଢ଼ାଇ ଦିଆଯାଉଥିଲା । ପୁଣି ନିୟମ ଅନୁସାରେ ପିଲାଙ୍କଠାରୁ ପାଠ ନିଆଯାଉଥିଲା । ପାଠ ନ ଦେଲେ ଶାସ୍ତି ମିଳିବ, ଏଇ ଭୟରେ ଆମେ ସମସ୍ତେ ପୁରୁଣା ପାଠକୁ ଗୋଳି ପିଇ ପାଠଶାଳାକୁ ଯାଉଥିଲେ । ସେଠି ବର୍ଷ ଶେଷରେ ପରୀକ୍ଷା ହେଉଥିଲା । ପରୀକ୍ଷାରେ ନମ୍ବର ଦିଆହୋଇ ସେଇଥିରେ ଆମର ବରଷକର ବିକାଶର କଳନା କରାଯାଉଥିଲା । ଏ’ତ ଗଲା ପାଠ ପଢ଼ିବାର କଥା । ପାଠଶାଳାର ବାହାରେ ଶିକ୍ଷକଙ୍କ ସହିତ ଆମର ସେପରି କିଛି ସମ୍ପର୍କ ନଥିଲା । ଆମେ ଶିକ୍ଷକଙ୍କୁ ଭୟ କରୁଥିଲେ । ଆପଣାର ସବୁ ଦୋଷ ଲୁଚାଇ ଛପାଇ ଶିକ୍ଷକଙ୍କ ସାମନାରେ ଭଲ ପିଲା ବୋଲି ଦେଖାଇ ହେଉଥିଲେ । ଆମର ମନ ଭିତରେ ନାନାପ୍ରକାର ମଇଳା, ନାନାପ୍ରକାର ବିକାର ପୂରି ରହିଥିଲା । ଆମର ଅଭ୍ୟାସରେ ନାନାପ୍ରକାର ଅସଂଯତା ଭରି ରହିଥିଲା । ଆମେ ସବୁ କରୁଥିଲେ । ତଥାପି ଶିକ୍ଷକଙ୍କ ସାମନାରେ ସେସବୁ କିପରି ଧରା ନ ପଡ଼ୁ, ସେଥିଲାଗି ଭାରି ଚେଷ୍ଟା କରୁଥିଲେ । ଆମେ ଆମ ଭିତରର ଦୋଷକୁ ଭୟ କରୁ ନଥିଲେ; ଧରା ପଡ଼ିଯିବାଟାକୁ ଖାଲି ଭୟ କରୁଥିଲେ । ଆମ ଭିତରର ରାକ୍ଷସକୁ ଗୋପନରେ ସବୁପ୍ରକାର ପ୍ରଶ୍ରୟ ଦେଇ ଆମେ ବାହାରେ ଦେବତା ବୋଲି ପରିଚୟ ଦେଉଥିଲେ । ଭିତରେ ଗୋଟାଏ ବାହାରେ ଗୋଟାଏ, ଏହିପରି ଏକ ଦୁଇଖଣ୍ଡିଆ ଜୀବନ ଆମର ଚାଲିଥିଲା ।

 

ଏଠି ଜଙ୍ଗଲ ଭିତରେ ଆମେ ଗୋଟିଏ ଅଜବ ପାଠଶାଳା ଗଢ଼ିବାକୁ ବସିଛୁ । ଏଠି ଖାଲି ବୁଦ୍ଧିର ଚାଷ ହେବ ନାହିଁ । ଖାଲି ପାଠ ମୁଖସ୍ଥ କରି ଏଠୁ ଅବିବେକୀ ପଣ୍ଡିତ ହୋଇ କେହି ବାହାରିବେ ନାହିଁ । ଏଠି ପରୀକ୍ଷା ହେବ ନାହିଁ, କି ନମ୍ବର ଦିଆଯିବ ନାହିଁ । ଉପରେ ପଣ୍ଡିତ ବା ଶୁଆପକ୍ଷୀ କରାଇ ଭିତରେ ରାକ୍ଷସଟାକୁ ବଢ଼ାଇବାର ସେହି ପୁରୁଣା ସୁଆଙ୍ଗ କରାଇବାକୁ ଏଠି ଜଙ୍ଗଲ ଭିତରେ ଗୋଟିଏ ପାଠଶାଳା ବସାଇବାର କ’ଣ ଦରକାର ଥିଲା ?

 

ଚରିତ୍ର ନିର୍ମାଣ ହେଉଛି ଆମ ଶିକ୍ଷାର ଧେୟ । ଜୀବନନିଷ୍ଠ ହୋଇ ତିଆରି ହେବା ହେଉଛି ଏଠିକା ଶିକ୍ଷାର୍ଥୀର ପ୍ରଧାନ ଲକ୍ଷ୍ୟ । ଆମେ ଆଉ ସବୁ କଥା ପଛରେ କରିବା, କିନ୍ତୁ ଚରିତ୍ର ଓ ସ୍ୱଭାବକୁ ପ୍ରଧାନ କରି ଧରିଥିବା । ଆମେ ନମ୍ର ଅଥଚ ନିର୍ଭୀକ ହେବା; ଆମେ ଭଲପାଇବା ଅଥଚ ସକଳ ପ୍ରକାର ମୋହ ଦୃଷ୍ଟିରୁ ଆପଣାକୁ ଦୂରରେ ରଖିଥିବା; ଆମେ ଭକ୍ତି କରିବା, ଅଥଚ ଆମର ଭକ୍ତି ଆମକୁ ଆତୁର ବା ଦୁର୍ବଳ କରିଦେବ ନାହିଁ; ଆମେ ସ୍ପଷ୍ଟ ହେବା; ଚାରିପାଖରେ ଆକାଶ, ପୃଥିବୀ ଆଉ ମଣିଷକୁ ଦେଖି ଆମେ ଖୁସି ହୋଇପାରିବା । ମଣିଷ ସହିତ ମିଶିବା ଲାଗି ଆମେ ଆମ ଭିତରେ କୌଣସି ପ୍ରକାର ଅଭିମାନ ବା ଅହମିକା ରଖିବା ନାହିଁ । ଆମର ଶିର ଉଚ୍ଚ ହୋଇ ରହିବ । ଆମର ଆଖି ସାମନାକୁ ରହିବ । ଆମର କଥା ଅନୁଭୂତିର ଗଭୀର ତଳରୁ ବାହାରି ଆସିବ । ଆମର ଏଠିକି ଯିଏ ଯେତେବେଳେ ଆସିବ, ସିଏ ଆମର ଚାଲିରୁ, ଆମର କଥାରୁ ଓ ଆମର ବ୍ୟବହାରରୁ ଆମର ପରୀକ୍ଷା କରିନେବ ।

 

୧୮ । ୮ । ୫୫

 

ମୌଳିକ ଶିକ୍ଷାରେ ଅମୁକଟା ଭଲ ପ୍ରଚଳିତ ଶିକ୍ଷାରେ ଅମୁକଟା ଭଲ–ଆମରି ଭିତରୁ କେତେକ ଆପଣା ଆପଣା ଡାଏରୀରେ ଏହାର ଚର୍ଚ୍ଚା କରୁଛନ୍ତି । କିଏ କହୁଛି ମୌଳିକ ଶିକ୍ଷା ପ୍ରାଚୀନ ଭାରତର ଶିକ୍ଷାଦର୍ଶ ଅନୁସାରେ ତିଆରି ହୋଇଛି; କିଏ କହୁଛି ମୌଳିକ ଶିକ୍ଷାରେ ପ୍ରଚଳିତ ସ୍କୁଲ କଲେଜ ପରି ପାଠପଢ଼ା ହେଉ ନାହିଁ; ମୌଳିକ ଶିକ୍ଷାକୁ ଆସି ମୁଁ ଭୁଲ୍ କଲି; ଅମୁକ ବା ଅମୁକ ଶିକ୍ଷାକୁ ଯାଇଥିଲେ ଭଲ ହୋଇଥାନ୍ତା–ଏପରି କଥା ମଧ୍ୟ ଆମରି ଭିତରୁ ଅନେକ ଭାବୁଛନ୍ତି-। ସତେ ଯେମିତି ଦୁଇଟା ଭୋଟ୍ ବାକ୍‍ସ ପରି ମୌଳିକ ଶିକ୍ଷା ଓ ପ୍ରଚଳିତ ଶିକ୍ଷା ନାମରେ ନାଲିଆ ଆଉ ଧଳା ଦୁଇଟି ବାକ୍‍ସ ରହିଛି; ଗୋଲ ଆଉ ଚାରିକଣିଆ ଦୁଇଟି ଶିକ୍ଷା ଛାଞ୍ଚ ରହିଛି-। ଖାଲି ଆମେ କାହିଁକି, କଟକ ବା ଦିଲ୍ଲୀରେ ଯେଉଁ ପାଠୁଆ ଚାକିରିଆମାନେ ଏ ଦେଶର ପିଲାର ଭାଗ୍ୟ ବିଧାନ କରିବା ଲାଗି ଶିକ୍ଷାର ପାଞ୍ଜି ଘାଣ୍ଟିବାରେ ଲାଗିଛନ୍ତି, ସେମାନେ ମଧ୍ୟ ମୌଳିକ ଓ ପ୍ରଚଳିତ ଶିକ୍ଷା କହିଲେ ପ୍ରଧାନତଃ ଦୁଇଟା ଛାଞ୍ଚକୁ ବୁଝନ୍ତି । ଗୋଟାକୁ ଚଳାଇଲେ ଅନ୍ୟକୁ ବନ୍ଦ କରିଦେବାକୁ ପଡ଼ିବ, ଏହିପରି ଗୋଟାଏ ଭ୍ରମରେ ସେମାନେ ପଡ଼ିଛନ୍ତି । ତେଣୁ ଠିକ୍ ଷାଠିଏ ମହଣ ଘିଅ ଆସିଲେ ରାଧା ନାଚିବା ପରି ସେମାନଙ୍କର ଦଶା ହୋଇଛି । ଦେଶର ପିଲାଏ ଯେଉଁ ଅପାଠୁଆକୁ ସେଇ ଅପାଠୁଆ ହୋଇ ରହୁଛନ୍ତି ।

 

‘ମୌଳିକ ଶିକ୍ଷା’ ଶବ୍ଦଟି ଆଜିକୁ ଅଠରବର୍ଷ ହେଲା ବ୍ୟବହୃତ ହେଲାଣି । ଗାନ୍ଧିଙ୍କର ଆପଣା ଚେଲାଙ୍କଠାରୁ ଆରମ୍ଭ କରି ସରକାରୀ ଚୋଗା ପିନ୍ଧିଥିବା ଶିକ୍ଷାବିଭାଗୀୟ ଶାସକ ପର୍ଯ୍ୟନ୍ତ ସମସ୍ତେ କାରଣ ଅକାରଣରେ, କ୍ଷେତ୍ର ଅକ୍ଷେତ୍ରରେ ଏହି ଶବ୍ଦଟି ବ୍ୟବହାର କରିଛନ୍ତି । ଏହି ଶବ୍ଦଟିର ଛତ୍ରଛାୟା ତଳେ ଆପଣାକୁ ଶିକ୍ଷକ ବା ଶିକ୍ଷାବିତ୍ ବୋଲାଇବାର ଦମ୍ଭ କରିଛନ୍ତି । ତଥାପି ମୌଳିକ ଶିକ୍ଷା ଆମ ହାତରେ ଧରାଛୁଆଁ ଦେଉନାହିଁ । ସରକାରୀ ସଙ୍ଗଠନରେ ମୌଳିକ ସ୍କୁଲ ବସୁଛି । ସରକାରୀ କାଇଦାରେ ଶିକ୍ଷକ ଟ୍ରେନିଂ ପାଇ ମୌଳିକ ପାଠ ପଢ଼ାଇବାକୁ ଯାଉଛନ୍ତି । ବଢ଼ିଆ ସ୍କୁଲ ଘର ତିଆରି ହେଉଛି, ବଢ଼ିଆ ବଗିଚା ହେଉଛି, ପିଲାଏ ସୂତା କାଟୁଛନ୍ତି, ଜାତୀୟସଙ୍ଗୀତ ଗାଉଛନ୍ତି, ହାକିମ ହୁକୁମା ଆସିଲେ ବତାଇ ଦିଆଯାଇଥିବା କାଇଦାରେ ‘ଜୟହିନ୍ଦ୍’ ବୋଲି ଚିତ୍କାର କରିପାରୁଛନ୍ତି; ତଥାପି ମୌଳିକ ଶିକ୍ଷାର ପ୍ରାଣ ଯେ ଏ ସବୁ ନୂଆ ଅନୁଷ୍ଠାନରେ ନାହିଁ ! ଏତେ କଡ଼ା ବ୍ୟବସ୍ଥା ଓ କଡ଼ା ପ୍ରହରା ସତ୍ତ୍ୱେ ଅସଲ ମୌଳିକ ଶିକ୍ଷା ଯେ ମୌଳିକ ସ୍କୁଲମାନଙ୍କରୁ କୁଆଡ଼େ ଖସି ପଳାଉଛି, ଏକଥା ଆଜି ସମସ୍ତେ ସ୍ୱୀକାର କରୁଛନ୍ତି ।

 

ଗାନ୍ଧିଜୀ ଯେଉଁ ସମାଜ ଓ ଯେଉଁ ଶିକ୍ଷାଦର୍ଶର କଳ୍ପନା ଓ ଯୋଜନା କରିଥିଲେ, ଆମେ ତାହାର ଅନେକ ପଛରେ ରହିଛୁ । ଜାଗ୍ରତ, ନିର୍ଭୀକ ଓ ଆତ୍ମନିର୍ଭରଶୀଳ ବ୍ୟକ୍ତିର ଗଠନ କରି କିପରି ଏକ ଶୋଷଣମୁକ୍ତ, ନୀତି ନିର୍ଭରଶୀଳ ସହଯୋଗୀ ସମାଜ ସମ୍ଭବ ହୋଇପାରିବ, ଗାନ୍ଧିଜୀ ସେହି ସ୍ୱପ୍ନ ଦେଖିଥିଲେ । ଆମର ଏଠି ଆମେ ମୌଳିକ ଶିକ୍ଷା ପ୍ରଚଳନ କରୁଛୁ । ଏପରି ଦମ୍ଭ ଆମେ କରିବା ନାହିଁ । ମୌଳିକ ଓ ବେମୌଳିକ ଦୁଇଟା ଭିନ୍ନଭିନ୍ନ ଛାଞ୍ଚ ଅଛି ବୋଲି ଆମେ ସ୍ୱୀକାର କରୁନାହୁଁ । ଆମେ ଏଠି ସତ୍‍ଶିକ୍ଷା ପାଇବାକୁ ଆସିଛୁ । ଯୋଗ୍ୟ ମଣିଷ ହୋଇ ମନୁଷ୍ୟୋଚିତ ସମାଜ ଗଢ଼ିବାର ଉତ୍ସାହ ନେଇ ଆମେ ଏଠିକି ଆସିଛୁ । କେବଳ ସୁଶିକ୍ଷା ଓ କୁଶିକ୍ଷା ଭିତରେହିଁ ଯଥାର୍ଥ ତୁଳନା କରାଯାଇପାରେ । ଆମେ ଏଠିକାର ଜଙ୍ଗଲ କାଟି ଆମର ସଂସାରଟିକୁ ସୁନ୍ଦର କରି ଗଢ଼ିବା, ଆମର ପାରସ୍ପରିକ ସମ୍ପର୍କରୁ ଆମେ ସକଳ ପ୍ରକାର ମଳି ଓ ମ୍ଳାନତା ଘୁଞ୍ଚାଇବାକୁ ଚେଷ୍ଟା କରିବା, ଯାହା ଜାଣିଲେ ସେତିକିରେ ସନ୍ତୁଷ୍ଟ ହୋଇ ରହିବାର ଗର୍ବ ନ କରି ଆମେ ଆହୁରି ଗଭୀରକୁ ଯିବାକୁ ଆଗ୍ରହୀ ହେବା । ଏପରି କରିପାରିଲେ ଆମେ ଯେକୌଣସି ସୁଶିକ୍ଷାର ନିକଟବର୍ତ୍ତୀ ହୋଇପାରିବା, ଯେକୌଣସି ସୁବିବେକୀ ଶିକ୍ଷାବିତ୍‍ର ଆଶୀର୍ବାଦ ଆମେ ପାଇପାରିବା ।

 

୧୯ । ୮ । ୫୫

 

ଖାଲି ଆମରି ଦେଶରେ କୌଣସି ଦାୟିତ୍ୱ-ପୂର୍ଣ୍ଣ କାର୍ଯ୍ୟରେ ନିଯୁକ୍ତ ହେବାଲାଗି ସ୍କୁଲ କଲେଜର ପାଠ ଦରକାର ହୁଏ । ସରକାରୀ ଅଫିସରେ କିରାଣି ହେବ ତ ବି.ଏ. ପାସ୍ କରିଥିବା ଚାହିଁ । କଲେଜର ପିଲାଙ୍କୁ ପାଠ ପଢ଼ାଇବ ତ ଏମ୍.ଏ. ପାସ କରିଥିବା ଚାହିଁ । ଖାଲି ଆମରି ଦେଶରେ ଓ ଆମରି ପରି ଅଧୋଗତ ହୋଇ ରହିଥିବା ଦେଶମାନଙ୍କରେ ଡିଗ୍ରୀର ଖୋଜା ଲୋଡ଼ା ହୁଏ । ଅନ୍ୟ ସ୍ୱାଧୀନ ଦେଶମାନଙ୍କରେ ମଣିଷ ବାଛିବାର ନୀତି ନିଆରା । ସେଠି ଡିଗ୍ରୀର ଯୋଗ୍ୟତାକୁ ସବୁଠାରୁ ପ୍ରଧାନ ବୋଲି ଗଣାଯାଏଁ ନାହିଁ । ଯିଏ ଯୋଉ କାମରେ ରହିବ, ସିଏ ସେଇ କାମକୁ ତୁଲାଇ ପାରିବ କି ନାହିଁ ପ୍ରଧାନତଃ ସେହି କଥାର ବିଚାର କରାଯାଏ । ତେଣୁ କଲେଜର ଦୁଆର ମାଡ଼ି ନଥିଲେ ମଧ୍ୟ ସେଠି ମଣିଷ ଆପଣାର ଦକ୍ଷତା ଥିଲେ ଅନେକ ଉପରକୁ ଉଠିଯାଇପାରେ । ସେଠି ଖବରକାଗଜ ବିକୁଥିବା ପିଲା ଦିନେ ରାଷ୍ଟ୍ରପତି ହୋଇପାରେ । ସାଧାରଣ ସୈନିକ ସର୍ବୋଚ୍ଚ ସେନାପତି ମଧ୍ୟ ହୋଇପାରେ । ଏସବୁ ଲାଗି ବି.ଏ. ବା ଏମ୍.ଏ. ର ସାର୍ଟିଫିକେଟ୍ ଦରକାର ହୁଏନାହିଁ ।

 

ଆମ ଦେଶରେ ଶିକ୍ଷା ଆଉ ଶିକ୍ଷିତପଣିଆ ନାମରେ କି ରୋଗ ପଶିଛି କେଜାଣି, ସବୁଠି ଆମେ ମଣିଷ ସହିତ ଡିଗ୍ରୀର ଲାଙ୍ଗୁଡ଼ ଖୋଜି ବୁଲୁଛୁ । ଗୋଟାଏ ବଡ଼ କଲେଜରୁ ପାସ୍ କରି ଆସିଥିବା ପ୍ରମାଣ-ପତ୍ର ତୁମ ପାଖରେ ଅଛି ତ, ତୁମର ଆଉ କିଛି ଭାବନା ନାହିଁ । ତୁମ ଲାଗି ବଡ଼ ଚାକିରି ଥୁଆ । ଦେଶର ରାଜନୀତିରେ ପଶିଲେ ତୁମେ ମନ୍ତ୍ରୀ ହୋଇପାରିବ । ସାମାଜିକ କ୍ଷେତ୍ରରେ ପଶିଲେ ତୁମେ ନେତା ହୋଇପାରିବ । ଆପଣା ଦପ୍ତରରେ ବସି ତୁମେ ଚୋରିକର ପଛକେ, ସମାଜର ସେବକ ବୋଲାଇ ତୁମେ ସମାଜକୁ ଠକୁଥାଅ ପଛକେ, ତୁମକୁ କେହି ସନ୍ଦେହ କରିବେ ନାହିଁ; ତୁମ ଉପାର୍ଜନର ବାଟକୁ କେହି ବନ୍ଦ କରିପାରିବ ନାହିଁ । ଆଜି ଆମ ସମାଜରେ ସେହି କଥା ଚାଲିଛି । ଡିଗ୍ରୀର ଜଉ ମୋହରରୁ ଗୋଟାଏ ଗୋଟାଏ ଆପଣା ପୁଚ୍ଛରେ ବସାଇ ଦେଇ ଦେଶର ବଡ଼ଲୋକ, ଦେଶର ଦୁର୍ବୃତ୍ତ ଆଜି ଦେଶ ଓ ସମାଜକୁ ଠକିବାରେ ଲାଗିଛନ୍ତି; ତଥାପି ସେମାନଙ୍କର କିଛି ହେଉନାହିଁ । ଦେଶରେ ଦୁର୍ଭିକ୍ଷ, ମରୁଡ଼ି ଲାଗିଥିବାବେଳେ ସେମାନଙ୍କର ବିପଣି ବେଶ୍ ଚାଲିଛି-। ଏସବୁ କିପରି ସମ୍ଭବ ହେଉଛି ? ମୁଁ କହିବି, ସେମାନଙ୍କର ଶିକ୍ଷା ସେମାନଙ୍କୁ ଏପରି କରିଛି-

 

ଖାଲି ପଢ଼ୁଥିବା ପାଠରେ ଗୋଟାଏ ଡିଗ୍ରୀ ହାସଲ କରିପାରିଲେ ମଣିଷ ଅଧିକ ଯୋଗ୍ୟ ବା ଦକ୍ଷ ହୋଇଯିବ ନାହିଁ । ମୋର ପାଠ ମୋତେ ଅଧିକ ଚରିତ୍ରବାନ୍ କରିବ । ମଣିଷ ସମାଜରେ ମଣିଷ ପରି ଚଳିବାକୁ ମୋତେ ଆହୁରି ପ୍ରେରଣା ଦେବ–ଏହାହିଁ ଶିକ୍ଷାର ଅସଲ ଉଦ୍ଦେଶ୍ୟ । ଆମ ଦେଶରେ ମଧ୍ୟ ଏହିପରି ମନୋବୃତ୍ତି ଆସିବା ଉଚିତ । ଗଣିତ, ସାହିତ୍ୟ, ଇତିହାସ ଆଉ ଭୂଗୋଳର କେତେଟା ବିଷୟରେ କିଛି କଥା ଜାଣିଗଲେ ବା କେତେଟା ବହି ପଢ଼ିପକାଇଲେ ଯେ ମୁଁ ଶିକ୍ଷିତ ହୋଇଯିବି, ଏ କଥା ମିଛ । ମୋର ପାଠ ମୋତେ ଅଧିକ ସଚୋଟ ଓ ଅଧିକ ଶ୍ରଦ୍ଧାବାନ ହେବାରେ ସହାୟତା କରିପାରିଲେହିଁ ତାକୁ ମୁଁ ଯଥାର୍ଥରେ ପାଠ ବୋଲି କହିବି-। ଆମ ଦେଶରେ ଆଜି ସମାଜକୁ ଠକୁଥିବା ଲୋକଙ୍କୁ ମଧ୍ୟ ପାଠୁଆ ବୋଲି କୁହାଯାଉଛି-। ଦୁଶ୍ଚରିତ୍ର ସ୍ୱାର୍ଥପରମାନଙ୍କୁ ମଧ୍ୟ ପାଠୁଆର ସମ୍ମାନ ଦିଆଯାଉଛି । ଆମର ଚରିତ୍ର ଓ ସ୍ୱଭାବରେ ଆବଶ୍ୟକ ପରିବର୍ତ୍ତନ ଆଣିବାର କୌଣସି ଆଗ୍ରହ ନ ରଖି ଯଦି ଆମେ ଖାଲି ବହିର ପାଠ ମୁଖସ୍ଥ କରିବାକୁ ଓ ହିନ୍ଦୀ ବା ଇଂରେଜୀରେ ଚାରିପଦ କହିପାରିବାକୁ ଏଠିକି ଆସିଥିବା, ତେବେ ଏହା ନିଶ୍ଚିତ କଥା ଯେ ବଡ଼ ହେଲେ ଆମେ ମଧ୍ୟ ଏହି ଠକ ସମାଜରେ ଠକ ହୋଇ ମିଶିଯିବା-। ଆମେବି ଏହି ସମାଜର ଅନ୍ଧାରର ସୁଯୋଗ ନେଇ ବିଲୁଆ ପରି ମଢ଼ ଖୋଜି ବୁଲିବା; ଆମେ ଏ ସମାଜକୁ ବଦଳାଇ ପାରିବା ନାହିଁ । ସମାଜରେ ଆମେ ସତ୍‍ପାଠ ବା ସତ୍‍ଶିକ୍ଷାର ପ୍ରତିଷ୍ଠା କରିପାରିବା ନାହିଁ । କିନ୍ତୁ ସମସ୍ତ ପାଠପଢ଼ା ଭିତରେ ଆପଣାର ଚରିତ୍ର ଓ ସ୍ୱଭାବକୁ ଅଧିକ ଉନ୍ନତ କରିବାକୁ ଯଦି ଆମେ ମୂଳ ଲକ୍ଷ୍ୟକରି ରଖିପାରିବା, ତେବେ ଆମେ ଆମର ଜୀବନ ବଦଳାଇବା ସଙ୍ଗେ ସଙ୍ଗେ ଏ ସମାଜରେ ମଧ୍ୟ ପୁଣି ନୂଆ ଜୀବନ ଭରିଦେଇ ପାରିବ । ଆମେ ଯଥାର୍ଥରେ ଆମକୁ ବିପ୍ଳବୀ ବୋଲି କହିପାରିବା ।

 

୨୩ । ୮ । ୫୫

 

ଆଉ ତିନି ଦିନ ଗଲେ ଆମେ ଆମ ଅନୁଷ୍ଠାନଟିର ପ୍ରଥମ ଜନ୍ମୋତ୍ସବ ପାଳନ କରିବା । କେମିତି ଖୁସି ଆଉ ଆନନ୍ଦ ମଧ୍ୟଦେଇ ଆମେ ସମ୍ମିଳିତ ଭାବରେ ଦିନଟି ଉଦ୍‌ଯାପନ କରିପାରିବା, କାଲି ସମସ୍ତେ ଏହି କଥା ଆଲୋଚନା କରୁଥିଲେ । କାହାର ଜନ୍ମୋତ୍ସବ ଆମେ ପାଳନ କରିବାକୁ ଯାଉଛେ, କୋଉଥିଲାଗି ଅଗଷ୍ଟ ୨୬ ତାରିଖ ପାଖେଇ ଆସୁଛି ବୋଲି ଆମର ପ୍ରାଣ ଆନନ୍ଦରେ ପୂରିଉଠୁଛି । କାଲି ମନେ ମନେ ମୁଁ ଏହି କଥା ଭାବୁଥିଲି ।

 

ବଡ଼ଲୋକ ଘରେ ଜନ୍ମଦିନ ପାଳନ ହେବାର ରୀତି ଅନ୍ୟପ୍ରକାର । ସେଠି ନାନା ଆଡ଼ମ୍ବର ଓ ଆୟୋଜନରେ ଉତ୍ସବଘର ମୁଖରିତ ହୋଇଉଠେ । ସାଜସଜ୍ଜାରେ ସେଦିନ ଫାଟିପଡ଼ିଲା ପରି ଲାଗେ । ଜନ୍ମଦିନ ପାଳନ କରିବାକୁ ଆମର କ’ଣ ଅଛି ? କେତେ ବଖରା ଘରେ ଯେ କୌଣସି ପ୍ରକାର ଆମର ଦିନ କଟିଯାଉଛି । ଦିନେ ଏଠି ପୂର୍ଣ୍ଣସ୍ରୋତରେ ପାଠଶାଳାର ସମସ୍ତ କାର୍ଯ୍ୟକ୍ରମ ଚାଲିବ, ଏହି ଆଶାରେ ଆମେ ଅଶେଷ ଧୈର୍ଯ୍ୟଧରି ଏଠି ପଡ଼ିରହିଛେ । ଏଠୁ ସଭ୍ୟତା ଅନେକ ଦୂରରେ ରହିଛି । ଉପଭୋଗୀ ଜୀବନର ହାଟବଜାର ଅନେକ ଦୂରରେ ରହିଛି । ସେହି ବଜାର ଭିତରୁ ଗାଡ଼ି ମଟର ଧରି ଜୋତା ମୋଜା ପିନ୍ଧି କେହି ଆମର ଏଠିକି ଆସିଲେ ହୁଏତ ଆମର ଆଖି ଝଲସି ଯାଉଛି, ମନ ଦବିଯାଉଛି, ମନର ଦୁର୍ବଳତା ପ୍ରବଳ ହୋଇଉଠୁଛି । ସତେ କ’ଣ ଆମେ ଏମାନଙ୍କ ପରି ହୋଇପାରିବା ? ସତେ କ’ଣ ସଭ୍ୟ ବୋଲି ଗଣାଯାଉଥିବା ସଜ୍ଜିତ ମଣିଷର ସମାନ ମୂଲ୍ୟରେ ସଂସାରର ଜୀବନ- ବଜାରରେ ଆମେ କିଣାବିକା ହୋଇପାରିବା ? ହୁଏତ ଏହିପରି ସଂଶୟମାନ ଆମ ମନକୁ ଅଧିକାର କରିନିଏ । ଆମେ ମନେ ମନେ ଅତି ଦୁର୍ବଳ ହୋଇପଡ଼ୁ ।

 

ମୁଁ କିନ୍ତୁ ଓଲଟା ପ୍ରକାରର ଭାବେ । ମୋର ଜୀବନର ଜିଜ୍ଞାସା ନେଇ ଯେଉଁଠି ମୁଁ ଆଉ ପାଞ୍ଚଜଣ ଜିଜ୍ଞାସୁ ଭାଇ-ଭଉଣୀଙ୍କ ସହିତ ଏକତ୍ର ହୋଇପାରିଛି, ସେ କ୍ଷେତ୍ରକୁ ମୁଁ ସଂସାରର ହାଟବଜାର ସହିତ ତୁଳନା କରିବାକୁ ଯିବି କାହିଁକି ? ଆମର କୋଠାଘର ନାହିଁ, ଆମର ବାଟ ଉପରେ ବାଡ଼ି ପକାଇବାକୁ ଏଠି କୌଣସି ସଂତ୍ରସ୍ତ ଶିକ୍ଷକ-ଶାସକ ନାହାନ୍ତି, ଆମର ଆଡ଼ମ୍ବର ନାହିଁ, ସରକାର ଘରର କୌଣସି ଫାଇଲ ଓ ହାକିମର ଲାଞ୍ଜରେ ଆମେ ଆପଣାକୁ ଗୁନ୍ଥି ଦେଇନାହୁଁ–ତଥାପି ଏଠି ଆମେ ପଚାଶଜଣ ବିକଶିତ ହେବାର ନିର୍ମଳ ମନ ନେଇ ଏକାଠି ହୋଇଛୁ । ଏଠି ପଚାଶ ଜଣଙ୍କର ଜିଜ୍ଞାସା ଏକତ୍ର ହୋଇଛି, ପଚାଶ ଜଣଙ୍କର ଶ୍ରଦ୍ଧା ଏକତ୍ର ହୋଇଛି, ପଚାଶ ଜଣଙ୍କର ସ୍ୱପ୍ନ ଓ ସାଧନା ଏକତ୍ର ହୋଇଛି । ପଚାଶ ଜଣଙ୍କର ବାଟ ଚାଲିବାର ଆନନ୍ଦରେ ନିତି ଏଠିକାର ଅରଣ୍ୟ ପଥ ପୁଲକିତ ଓ ସ୍ପନ୍ଦିତ ହୋଇଉଠୁଛି । ଆମର ସଂଶୟ କୋଉଥିପାଇଁ, ଆମର ଆଉ ଭୟ କୋଉଥିପାଇଁ ? ଆମର ଅନୁଷ୍ଠାନର ଜନ୍ମଦିନ ଆମକୁ ଏହି ନିର୍ଭୟ ହେବାର ମନ୍ତ୍ର ଦେଇଯାଉ । ସବୁ ପ୍ରକାର ସଂଶୟ ପାରାବାରକୁ ପାରି କରାଇ ଏହି ଦିନଟି ଭଗବାନ୍‍ଙ୍କର ଅଭୟ ଭିତରେ ଆମକୁ ନୂତନ ଜନ୍ମ ଦେଇଯାଉ ।

 

ଅଥର୍ବ ବେଦ (୨।୧୫)ରେ କ୍ରାନ୍ତଦର୍ଶୀ ଋଷି କହିଛନ୍ତି–ଆକାଶ ଆଉ ପୃଥିବୀ ଯେମିତି ଅନନ୍ତ କାଳରୁ ନିଜର କାମ କରି ଚାଲିଛନ୍ତି, କଦାପି ଭୟ କରୁନାହାନ୍ତି ବା କ୍ଷୀଣ ହୋଇ ପଡ଼ୁନାହାନ୍ତି, ସେହିପରି ହେ ମୋର ପ୍ରାଣ ! ତୁ ମଧ୍ୟ ଡରନା, ତୁ ମଧ୍ୟ କ୍ଷୀଣ ହୋଇ ପଡ଼ନା...ଯେପରି ଦିନ ଆଉ ରାତି ଅନନ୍ତ କାଳରୁ ଆପଣାର କାମ କରି ଚାଲିଛନ୍ତି, କଦାପି ଭୟ କରୁନାହାନ୍ତି ବା କ୍ଷୀଣ ହୋଇ ପଡ଼ୁନାହାନ୍ତି, ସେହିପରି ହେ ମୋର ପ୍ରାଣ ! ତୁ ମଧ୍ୟ କେବେହେଲେ ଭୟ କରନା, ତୁ ମଧ୍ୟ କେବେ କ୍ଷୀଣ ଦୁର୍ବଳ ହୋଇପଡ଼ନା ।

 

ଯଥା ଦ୍ୟୌଶ୍ଚ ପୃଥିବୀ ଚ ନ ବିଭୀତୋ ନ ରିଷ୍ୟତଃ

ଏବା ମେ ପ୍ରାଣ ମା ବିଭେଃ ଏବା ମେ ପ୍ରାଣ ମାରିଷଃ ।।

ଯଥା ଅହଶ୍ଚ ରାତ୍ରି ଚ ନ ବିଭୀତୋ ନ ରିଷ୍ୟତଃ

ଏବା ମେ ପ୍ରାଣ ମା ବିଭେ ଏବା ମେ ପ୍ରାଣ ମା ରିଷଃ ।।

 

୨୪ । ୮ । ୫୫

 

କାଲି ନିର୍ଭୟ ହେବା କଥା କହିଥିଲି । ଆଜି କର୍ମଠ ବା କର୍ମପରାୟଣ ହେବାର କଥା କହିବି । ଆମ ଦେଶରେ ମୂଲିଆ କାମ କରେ, ପାଠୁଆ କାମ କରେ ନାହିଁ । ଆମର ପାଠୁଆ କିପରି ଅଳସ ବିନୋଦନରେ ସମୟ ଅତିବାହିତ କରିପାରିବ, ଆମର ସମାଜ ସେଥିଲାଗି ସବୁପ୍ରକାର ବ୍ୟବସ୍ଥା କରି ରଖିଛି । ଯେଉଁସବୁ କାମ କଲେ ଦେହରୁ ଝାଳ ବୁହେ, କେବଳ ସେଇଆକୁ ମୁଁ କାମ ବୋଲି କହିବି ନାହିଁ । ସଂସାରରେ ଏପରି ଚାଷୀ ବା ଶ୍ରମିକ ଅନେକ ଅଛନ୍ତି, ଯେଉଁମାନେ ଦିନକୁ ଆଠଘଣ୍ଟା ଦେହରୁ ଝାଳ ବୁହାନ୍ତି, ତଥାପି ମୁଁ ତାଙ୍କୁ କର୍ମଠ ବା କର୍ମପରାୟଣ କହିବି ନାହିଁ । କେବଳ କାମ କରିବା ଛଡ଼ା ଅନ୍ୟ ଗତି ନ ଥାଏ ବୋଲି ସେମାନେ କାମ କରନ୍ତି । ସେଥିଲାଗି କାମରୁ ତ୍ରାହି ପାଇବାମାତ୍ରକେ ସେମାନେ ମଦଖଟିରେ ବା ଜୁଆ-ଘରେ ଅଳସ ସମୟ ଯାପନ କରିବାକୁ ଧାଇଁ ଯାଆନ୍ତି । ଯିଏ କର୍ମଠ, ସିଏ ସବୁଥିରେ କର୍ମଠ; ଶରୀର ତା’ର ଆପଣା ମନର ଆୟତ୍ତରେ ରହିଛି । ଶାରୀରିକ, ମାନସିକ ପ୍ରତ୍ୟେକ କାମ ଲାଗି ତା’ ଭିତରେ ଉତ୍ସାହ ସ୍ୱତଃ ମହଜୁଦ ହୋଇ ରହିଛି ।

 

ଆମେ ଏଠି କାମ କରୁଛୁ । ଆମର ହାତ ଗୋଡ଼ ଓ ମାଂସପେଶୀ କାମ କରୁଛନ୍ତି । ଆମର ମନ କାମ କରୁଛି, ଆମର ହୃଦୟ ମଧ୍ୟ କାମ କରୁଛି । କିନ୍ତୁ ପ୍ରଧାନତଃ ବାଧ୍ୟ ହୋଇ, ଚାପରେ ପଡ଼ି ଆମେ କାମ କରୁନାହୁଁ ତ ? କାମରୁ ଟିକିଏ ତ୍ରାହି ପାଇଲେ ହୁଏତ ଆମେ ଲୋଭୀ ଜୀବାଣୁ ପରି ଅଳସ ଜୀବନର ନାନା କ୍ଷତବିକ୍ଷତ ଉପରେ ବସିବାକୁ ଧାଇଁଯାଉଛୁ । ଆମ ଉପରେ ଥିବା ଚାପ ଟିକିଏ ଦୂରଛଡ଼େଇ ଗଲେ ହୁଏତ ଆମେ ନାନା ଦୁଷ୍ଟତାର ଦୈତ୍ୟପଣିଆରେ ଆପଣାକୁ ବିସ୍ମିରି ଦେବାକୁ ଆକୁଳ ହୋଇଉଠୁଛୁ । ଆମ ଶରୀର ଆମ ମନର ଅଧୀନକୁ ଆସିନାହିଁ । ଆମର ମନକୁ ଆମେ ଗୋଟିଏ ମହତ୍ ଓ ରଚନାମୂଳକ ଧେୟ ଲାଗି ଲଗାଇ ଶିଖିନାହୁଁ ।

 

ଏହି ଅଳସୁଆ ମନ ନେଇ ଆମେ ନୂଆ ବର୍ଷର ଜନ୍ମୋତ୍ସବ କିପରି ପାଳନ କରିବାକୁ ଯିବା ? ସମସ୍ତ ପ୍ରକାର ଭୟ ଛାଡ଼ିଲା ପରି ସକଳ ପ୍ରକାର ଆଳସ୍ୟକୁ ମଧ୍ୟ ଆମକୁ ଛାଡ଼ି ଆସିବାକୁ ହେବ । ଏଥିଲାଗି ସେହି ପୁଣ୍ୟ ଦିନରେ ଆମେ ଆମର ଜୀବନ-ଦେବତା ପାଖରେ ବଳ ଆଉ ସାହସପାଇଁ ପ୍ରାର୍ଥନା କରିବା । ଆମେ ସମସ୍ତେ ଭଗବାନ୍‍ଙ୍କର ପ୍ରିୟ ଓ ଦେବତାମାନଙ୍କର ପ୍ରିୟ ହେବା ଉଚିତ । କିନ୍ତୁ ଅଳସୁଆ କଦାପି ଦେବତାର ପ୍ରିୟ ହୋଇପାରିବ ନାହିଁ । “ଦେବା...ନ ସ୍ୱପ୍ନାୟ ସ୍ପୃହୟନ୍ତି...” ଋକ୍‍ବେଦର ଋଷି ଆମକୁ ଏହି ସତର୍କବାଣୀ ଶୁଣାଇ ଦେଇଛନ୍ତି ।

 

ଆମେ ସମସ୍ତେ କର୍ମପରାୟଣ ହେବା । ଦେହ ସହିତ ମନର ଖିଅ ଲାଗିଛି, ମନ ସହିତ ଅନ୍ତରର ଖିଅ ଲାଗିଛି । କୌଣସି ଗୋଟିଏ ଅଳସୁଆ ହୋଇପଡ଼ିଲେ ତିନୋଟିଯାକ ଅଳସୁଆ ହୋଇପଡ଼ିବ । ଜୀବନର ଲକ୍ଷ୍ୟ ହେଉଛି ଉନ୍ନତ ହେବା, ଆଗକୁ ଯିବା । ‘ଆରୋହଣମାତ୍ରମଣଂ ଜୀବତୋ ଜୀବତୋଽୟନମ୍’ (ଅଥର୍ବ: ୫।୩୦।୭) । ଆମର ଚକ୍ଷୁ ସମ୍ମୁଖ ଆଡ଼କୁ ହେଉ, ଆମର ବୁଦ୍ଧି ଆଗକୁ ଯିବାଲାଗି ଆମକୁ ସାଧନା ଯୋଗାଇଦେଉ । ଆମର ହୃଦୟ ନୂତନତର ଏବଂ ଗଭୀରତର ଅନୁଭୂତିଦ୍ୱାରା ଆମକୁ ଆଗକୁ ଯିବାର ଉତ୍ସାହରେ ପୂର୍ଣ୍ଣ କରି ରଖୁ । ଆମେ ଆଉ ଦୁର୍ବଳ ଚିନ୍ତାର ବନ୍ଧନରେ ପଡ଼ି ଆପଣାକୁ ଦୁର୍ବଳ କରି ଦେବାନାହିଁ । ଭବିଷ୍ୟତ୍‍ର ଅନିଶ୍ଚିତ କଳ୍ପନାରେ ବର୍ତ୍ତମାନର ସମସ୍ତ ଚଳନ-ଶକ୍ତିକୁ କ୍ଳାନ୍ତ କରିଦେବାର ନିର୍ବୋଧ ସଉଦା ଆଉ ଆମେ ଆମ ଜୀବନରେ କରିବା ନାହିଁ । ନାନା ଦ୍ୱେଷ ଓ ଦ୍ୱେଷଜନିତ ଦହନରେ ଆମର ସହଜ ଗ୍ରହଣ ଓ ସମ୍ପ୍ରଦାନ-ଶକ୍ତିକୁ ଆମେ ବିକୃତ କରିପକାଇବା ନାହିଁ । ଶରୀରର ମାଂସପେଶୀକୁ, ମନକୁ, ବିଚାରକୁ ତଥା ହୃଦୟକୁ ଆମେ ସର୍ବଦା ସଚଳ ଓ କର୍ମଠ ରଖି ଶିଖିବା; ଏହିପରି କର୍ମଠ ରହିବାକୁ ଆମେ ଶ୍ରଦ୍ଧା କରି ଶିଖିବା । କୌଣସି ଜାଗାରେ ଆମେ ଅଟକିଯିବା ନାହିଁ, କୌଣସି ଜାଗାରୁ ହଟି ପଳାଇ ଆସିବା ନାହିଁ । ଜଗତକୁ ନିନ୍ଦା କରି କୌଣସି କ୍ଷେତ୍ରରେ ଆମେ ନିକିମା ହୋଇ ବସିଯିବା ନାହିଁ । ମୋର ଡାହାଣ ହାତରେ କର୍ମ ରହିଛି, ପୁରୁଷାର୍ଥ ରହିଛି ଏବଂ ବାମ ହାତରେ ସଫଳତା ମଧ୍ୟ ରହିଛି । ବେଦର ମନ୍ତ୍ରଦ୍ରଷ୍ଟା ଆମକୁ ଏହି ସାହସୀ ବାଣୀ ଶୁଣାଇ ଯାଇଛନ୍ତି । “କୃତଂ ମେ ଦକ୍ଷିଣେ ହସ୍ତେ, ଜୟୋ ମେ ସବ୍ୟ ଆହିତଃ’ (ଅଥର୍ବ: ୧୬।୨।୨) ।

 

୨୫ । ୮ । ୫୫

 

ଆମେ ସମସ୍ତେ ମିଶି ଆମ ବିଦ୍ୟାଳୟର ପ୍ରଥମ ଜନ୍ମୋତ୍ସବ ପାଳନ କରିବାକୁ ଯାଉଛେ-। ଖୁସି ହୋଇ ସ୍ୱତଃ-ପ୍ରଣୋଦିତ ହୋଇ ଆମେ ଏହି ଉତ୍ସବ ଲାଗି ସଜବାଜ ହେଉଛେ-। ଏହି କଥାଟି ମୋତେ ସବୁଠାରୁ ଅଧିକ ଆନନ୍ଦ ଦେଉଛି । ହସ ଆଉ ଖୁସି, ଆଗ୍ରହ ଆଉ ଆନନ୍ଦ ଏସବୁ ଯେତେବେଳେ ଅତି ସହଜ ଓ ସ୍ୱାଭାବିକ ଭାବରେ ଜାଗରିତ ହୁଏ, କେବଳ ସେତିକିବେଳେ ଏସବୁକୁ ଯଥାର୍ଥ ବୋଲି କୁହାଯାଇପାରେ । ଆଇନ କରି, ଆଦେଶ ବା ନୋଟିସ୍ ଦେଇ କେହି ଆଗ୍ରହ ଆଉ ଆନନ୍ଦ ସୃଷ୍ଟି କରିପାରେ ନାହିଁ ।

 

ଅଗଷ୍ଟ ପନ୍ଦର ଆଉ ଜାନୁଆରୀ ଛବିଶିର ସ୍ୱାଧୀନତା ଦିବସକୁ ବିଧି ମୁତାବକ ପାଳନ କରିବାକୁ ସରକାରୀ ସବାଉପର କଚେରିରୁ ସ୍କୁଲ କଲେଜମାନଙ୍କୁ ହୁକୁମନାମା ଆସେ । ଆମ ଦେଶର ସ୍ୱାଧୀନତା ଦିବସରେ ଆମ ଦେଶର ପିଲାଏ ଓ ଶିକ୍ଷକମାନେ ସ୍ୱତଃ ଖୁସି ହେବାର କଥା, ଗୌରବ ଅନୁଭବ କରିବାର କଥା । କିନ୍ତୁ ଏହିପରି ଅନୁଭବ କରିବାର ଟ୍ରେନିଂ ଦେବାର ଦାୟିତ୍ୱ ଆମର ସରକାର ନେଇଛନ୍ତି । ସେଥିଲାଗି ଭୁବନେଶ୍ୱରରୁ ଅଜସ୍ର ପଇସା ଖରଚ ହୋଇ ଛାପା ନୋଟିସ୍‍ ଚାରିଆଡ଼କୁ ପଠାଯାଉଛି । ତାହା ପୁଣି ନାନା ବାଙ୍କ ଓ ନାନା ମୋଡ଼ରେ ଥିବା ଅଫିସ ଓ ହାକିମଙ୍କୁ ପାରିହୋଇ ଛୋଟ ବଡ଼ ଗାଁର ଛୋଟ ବଡ଼ ମାଷ୍ଟର ପାଖରେ ପହଞ୍ଚୁଛି । ଏତେଟାବେଳେ ପ୍ରଭାତ ଫେରି କରିଚ, ଏତେଟାବେଳେ ପତାକା-ବନ୍ଦନ କରିବ, ଏମିତି ରୀତିରେ ଜାତୀୟସଙ୍ଗୀତ ଗାଇବ, ସେମିତି ରୀତିରେ ପତାକାକୁ ନମସ୍କାର କରିବ, ଏହିପରି ଟିକିନିଖି ଅନେକ ନିର୍ଦ୍ଦେଶ ଦିଆଯାଉଛି । ଯେଉଁ ଦେଶର ପିଲାଙ୍କ ମୁହଁରେ ଆନନ୍ଦ ନାହିଁ କି ହସ ନାହିଁ, କେବଳ ସେହି ଦେଶରେହିଁ ନୋଟିସ୍ ଦେଇ ସ୍ୱାଧୀନତାର ଆନନ୍ଦ ବିଷୟରେ ଚେତାଇ ଦେବା ଦରକାର ପଡ଼େ ।

 

ଆମେ ଆଜି ବିନା ନୋଟିସ୍‍ରେ ଅଗଷ୍ଟ ୨୬ ତାରିଖ ଲାଗି ଆନନ୍ଦିତ ହୋଇ ଉଠୁଛୁ । ଖୁସିରେ ଆମେ ଘର ଦୁଆର ଲିପିପୋଛି ଚିତା ପକାଇ ରଖୁଛୁ, ଖୁସିରେ ଭୋଜିଭାତ ଆଉ ନିମନ୍ତ୍ରଣର ବରାଦ କରୁଛୁ, ଗୀତ ଶିଖୁଛୁ, ସମସ୍ତଙ୍କ ଆଗରେ ପଢ଼ି ଶୁଣାଇବାଲାଗି ଲେଖା ଲେଖିରଖୁଛୁ । ଏହିଠି ଉତ୍ସବର ସାର୍ଥକତା ନିହିତ ହୋଇ ରହିଛି । ଏହି ସହଜ ଖୁସି ଓ ସ୍ୱଭାବ ଖୁସି ଭିତରେହିଁ ଅସଲ ଜୀବନ ରହିଛି । ଥରେ ଭାବିଲ, ଯଦି ନୋଟିସ୍ ଦିଆହୋଇ ଆମ ବିଦ୍ୟାଳୟର ଜନ୍ମୋତ୍ସବ ପାଳନ କରାଯାଉଥାନ୍ତା, ତେବେ ଆମର ସମସ୍ତ ସାଜସଜ୍ଜା, ସମସ୍ତ କାର୍ଯ୍ୟକ୍ରମ କିପରି ହାସ୍ୟାସ୍ପଦ ହୋଇ ପଡ଼ୁଥାନ୍ତା ! ଇସ୍କୁଲ ଦେଖି ଆସିଥିବା ହାକିମର ମର୍ଜିକୁ ଖୁସି କରିବାକୁ ଏଣେତେଣେ ଧାଉଁଥିବା ମାଷ୍ଟର ବିଚରା ପରି ଆମେ ମଧ୍ୟ ଏଣେତେଣେ ଧାଉଁଥାନ୍ତେ । ଏହି ଅସ୍ଥିରତାର ଚାପ ଆମର ସମସ୍ତ ଆନନ୍ଦକୁ ଅପହରଣ କରି ନେଇଥାନ୍ତା । ଆଉ ଏହିପରି ଏକ ବାତାବରଣ ଭିତରେ ରହିଥିଲେ ଆମର ଜୀବନ ବିକଳ ହୋଇପଡ଼ିଥାନ୍ତା ।

 

ଆମର ସବୁକଥା ସେହିପରି ସହଜ ହେବ, ଆମର କଥା ଆଉ କାମ ସହଜ ହେବ, ଆମର ହୃଦୟ ସହଜ ହେବ, ଆମର ବ୍ୟବହାର ସହଜ ହେବ, ଆମର ଜୀବନ ସହଜ ହେବ । କୌଣସିଠାରେ କୌଣସି ପ୍ରକାର ଚାପର ପ୍ରମତ୍ତତା ଆମ ଜୀବନରେ ଆମେ ପ୍ରବେଶ କରାଇବାକୁ ଦେବା ନାହିଁ । ଆମ ହୃଦୟ ଭିତରେ କୌଣସି ଗଣ୍ଠି ରହିବ ନାହିଁ । ଉପନିଷଦ୍‍ର କଥାପରି ହୃଦୟର ସବୁ ଗଣ୍ଠି ଫିଟିଯିବ, ମନର ସବୁ ସଂଶୟ ଆମର ଛିଡ଼ିଯିବ । ଆମ ଏଠିକାର ଶିକ୍ଷା ସମାପ୍ତ କରି ମୂଲିଆ ହେବା କି ମାଲିକ ହେବା, ମୂରୁଖ ହେବା କି ପାଠୁଆ ହେବା, ମୁଁ ସେ କଥା କେବେ ବିଚାରି ନାହିଁ । ଆମ ସମସ୍ତଙ୍କର ଜୀବନକୁ ମୁଁ ଗୋଟିଏ ଗୋଟିଏ ଫୁଲଗଛ ସହିତ ତୁଳନା କରିଥାଏ । ସମସ୍ତ ସାଧନା ଦେଇ ଆମେ ଏହି ଗଛଟିରେ ଆପଣା ନିଜସ୍ୱ ଫୁଲଟି ଫୁଟାଇବା । ଏହି ଫୁଲର ଫୁଟିବା ଲାଗି କୌଣସି ଚାପର ଦରକାର ନାହିଁ । ପନିକିରେ କାଟିଲେ ବା ହାତୁଡ଼ିରେ ଯେତେ ପିଟିଲେ ମଧ୍ୟ ତୁମେ କେହି ଫୁଲ ଫୁଟାଇ ପାରିବ ନାହିଁ । ଯିଏ ଫୁଟିବ, ସିଏ ଆପଣା ରୀତିରେ ଆପେ ଫୁଟିବ । କବିଗୁରୁ ରବୀନ୍ଦ୍ରନାଥ ସଂସାରର ସବୁ ଅଭିମାନୀଙ୍କୁ ଏହି ସତର୍କବାଣୀ ଶୁଣାଇଛନ୍ତି-। କାଲିର ପୁଣ୍ୟତିଥିରେ ଜୀବନର ଏହି ସହଜ ତତ୍ତ୍ୱଟି ଆମେ ମନେରଖିବା ।

 

୨୬ । ୮ । ୫୫

 

ଐତରେୟ ବ୍ରାହ୍ମଣରେ (୭।୧୫।୧-୫) ଗୋଟିଏ ଚମତ୍କାର ଗପ ଅଛି । ରାଜପୁତ୍ର ରୋହିତ ବାଟ ଚାଲି ଚାଲି ଥକି ପଡ଼ିବାରୁ ବିଶ୍ରାମ ପାଇବାଲାଗି ଘରକୁ ଫେରି ଆସୁଥାନ୍ତି । ଏହି ସମୟରେ ଇନ୍ଦ୍ର ଗୋଟିଏ ବୁଢ଼ା ବ୍ରାହ୍ମଣର ରୂପ ଧରି ତାଙ୍କୁ ଦେଖାଦେଲେ । ପାଞ୍ଚଟି ଶ୍ଳୋକରେ ସେ ରୋହିତଙ୍କୁ ଅବିଶ୍ରାନ୍ତ ପଥ ଚାଲିବାର ଯେଉଁ ଉପଦେଶ ଦେଲେ, ଆଜି ଆମେ ତାହାକୁହିଁ ସଂଗ୍ରହ କରି ରଖିବା ।

 

ନାନା ଶ୍ରାନ୍ତାୟ ଶ୍ରୀରସ୍ତି ଇତି ରୋହିତ ଶୁଶ୍ରୁମ,

ପାପୋ ନୃଷଦ୍‍ ବରୋ ଜନଃ ଇନ୍ଦ୍ର ଉଚ୍ଚରତଃ ସଖା ।।

ଚରୈବେତି, ଚରୈବେତି ।

 

ଚାଲି ଚାଲି ଯିଏ ଶ୍ରାନ୍ତ ହୋଇ ପଡ଼ିଲାଣି, ତା’ର ଉନ୍ନତି ନାହିଁ, ଏହି କଥା ମୁଁ ଚିରଦିନ ଶୁଣି ଆସିଛି । ଯିଏ ଅନବରତ ଚାଲିଛି, ସ୍ୱୟଂ ଇନ୍ଦ୍ର ଦେବତା ସଖା ହୋଇ ତା’ର ସଙ୍ଗେ ସଙ୍ଗେ ଚାଲିଛନ୍ତି । ଚାଲିବା ଲାଗି ଯାହାର ଇଚ୍ଛା ନାହିଁ, ଯେଡ଼େ ଶ୍ରେଷ୍ଠ ପୁରୁଷ ହୋଇଥିଲେ ମଧ୍ୟ କ୍ରମଶଃ ସେ ନୀଚ ହୋଇଯିବ । ଅତଏବ ଚାଲ, ଆଗେଇ ଚାଲ ।

 

ପୁଷ୍ପିଣ୍ୟୋ ଚରତୋ ଜଙ୍ଘେ ଭୂଷ୍ଣୁରାତ୍ମା ଫଳଗ୍ରାହିଃ,

ଶେରେଽସ୍ୟ ସର୍ବେ ପାପ୍‍ମାନଃ ଶ୍ରମେଣ ପ୍ରପଥେ ହତାଃ ।।

ଚରୈବେତି, ଚରୈବେତି ।

 

ଯିଏ ଚାଲିଛି, ଫୁଲ ଫୁଟିବା ପରି ତା’ର ଦେହରେ ଅପୂର୍ବ ଶୋଭା ପ୍ରସ୍ଫୁଟିତ ହୋଇଉଠେ । ତା’ର ଆତ୍ମା ଦିନକୁ ଦିନ ବିକଶିତ ହୋଇ ଚାଲେ । ଏହି ଚାଲିବାଦ୍ୱାରା ମୁକ୍ତ ପଥ ଉପରେ ତା’ର ପାପମାନ ଆପେ ଆପେ ଅବସନ୍ନ ହୋଇପଡ଼େ । ପାପର ସମସ୍ୟା ଲାଗି ତାକୁ ଆଉ ବ୍ୟସ୍ତ-ଚିନ୍ତିତ ହେବାକୁ ପଡ଼େନାହିଁ । ଅତଏବ ଚାଲ, ଆଗେଇ ଚାଲ ।

 

ଆସ୍ତେ ଭଗ ଆସୀନସ୍ୟୋଧ୍ୱସ୍ତିଷ୍ଠତି ତିଷ୍ଠତଃ,

ଶେତେ ନିପଦମାନସ୍ୟ ଚରାତି ଚରତୋ ଭଗଃ ।।

ଚରୈବେତି, ଚରୈବେତି ।

 

ଯିଏ ବସି ରହିଛି, ତା’ର ଭାଗ୍ୟ ମଧ୍ୟ ବସି ରହିଛି; ଯିଏ ଉଠି ଠିଆ ହେଉଛି, ତା’ର ଭାଗ୍ୟ ମଧ୍ୟ ଉଠି ଠିଆ ହେଉଛି । ଯିଏ ଶୋଇ ପଡ଼ୁଚି, ତା’ର ଭାଗ୍ୟ ମଧ୍ୟ ଶୋଇ ପଡ଼ିଛି । ଯିଏ ଆଗକୁ ଚାଲିଛି, ତା’ର ଭାଗ୍ୟ ମଧ୍ୟ ଆଗକୁ ଚାଲିଛି । ଅତଏବ ଚାଲ, ଆଗେଇ ଚାଲ ।

 

କଳିଃ ଶୟାନୋ ଭବତି ସଞ୍ଜିହାନସ୍ତୁ ଦ୍ୱାପରଃ,

ଭତ୍ତିଷ୍ଟଂସ୍ତ୍ରେତା ଭବତି କୃତଂ ଲମ୍ପଦ୍ୟତେ ଚରନ୍ ।।

 

ଚରୈବେତି, ଚରୈବେତି ।

 

ଶୋଇ ପଡ଼ିବାଟା ହେଉଛି କଳିଯୁଗ, ନିଦ ଭାଙ୍ଗିଗଲେ ଦ୍ୱାପର, ଉଠି ଠିଆ ହେଲେ ତ୍ରେତା, ଆଉ ଆଗକୁ ଚାଲିଲେ ସତ୍ୟଯୁଗ । ଅତଏବ ଚାଲ, ଆଗେଇ ଚାଲ ।

 

ଚରନ୍‍ ବୈ ମଧୁ ବିନ୍ଦତି ଚରନ୍‍ ସ୍ୱାଦୁମୁଦୁମ୍ବରମ୍

ସୂର୍ଯ୍ୟସ୍ୟ ପଶ୍ୟ ଶ୍ରେମାଣଂ ଯୋ ନ ତନ୍ଦ୍ରୟତେ ଚରନ୍ ।।

 

ଚରୈବେତି, ଚରୈବେତି ।

 

ଚାଲିବାହିଁ ଅମୃତ ଲାଭ, ଚାଲିବାହିଁ ଚାଲିବାର ସ୍ୱାଦୁଫଳ । ଏହି ସୂର୍ଯ୍ୟର ଆଲୋକ ସମ୍ପଦକୁ ଚାହିଁ ଦେଖ, ସୂର୍ଯ୍ୟ ସୃଷ୍ଟିର ଆଦିକାଳରୁ ଚାଲିଛି, ତଥାପି ଦିନକ ସକାଶେ ମଧ୍ୟ କ୍ଳାନ୍ତି ହୋଇନାହିଁ କି ଶୋଇପଡ଼ି ନାହିଁ । ଅତଏବ ଚାଲ, ଆଗେଇ ଚାଲ ।

 

୩୦ । ୮ । ୫୫

 

ମୀରାବାଈଙ୍କ ବିଷୟରେ ଗୋଟିଏ କାହାଣୀ ଅଛି । ଥରେ ସେ ବୃନ୍ଦାବନରେ ଜଣେ ସାଧୁଙ୍କ ସହିତ ସାକ୍ଷାତ କରିବାକୁ ବାହାରିଲେ । କବାଟ ବନ୍ଦ ଥିଲା, ସେ କବାଟ ଖଡ଼ଖଡ଼ କରି ଡାକିଲେ । ଭିତରୁ ସାଧୁଙ୍କର କର୍କଶ କଣ୍ଠରୁ ଜବାବ ଆସିଲା, “ମୁଁ କୌଣସି ‘‘ସ୍ତ୍ରୀ ଲୋକର ମୁଖ ଦର୍ଶନ କରେ ନାହିଁ ।” ମୀରାବାଈ ଏଣୁ ଜବାବ ଦେଲେ, “ଆପଣ କିଏ ? ମୁଁ ତ କେବଳ ଜଣେ ପୁରୁଷଙ୍କୁ ଜାଣିଛି । ସେ ହେଉଛନ୍ତି ଈଶ୍ୱର ।” ସାଧୁ ଏ କଥା ଶୁଣି ତତ୍‍କ୍ଷଣାତ କବାଟ ଖୋଲିଦେଲେ, କହିଲେ, “ମା ! ତୁମେ ଆଜି ମୋର ଆଖି ଖୋଲିଦେଲ, ମୋର ଭ୍ରମ ଦୂର କରିଦେଲ ।”

 

ଆମ ସମାଜର ମା ଆଉ ଭଉଣୀ ଆଜି ମୀରାବାଈଙ୍କର ଆଦର୍ଶଠାରୁ ଅନେକ ଦୂରରେ ଅଛନ୍ତି । ଆମ ଦେଶର ପୁରୁଷ ମଧ୍ୟ ସଚ୍ଚା ପୁରୁଷର ଆଦର୍ଶଠାରୁ ବହୁଦୂରରେ ପଡ଼ିରହିଛି । ଦୁହିଁଙ୍କର ଦୃଷ୍ଟିକୁ ନାନାପ୍ରକାର ଦୁଷ୍ଟ ବିକାରର କାଳିମା ଆଚ୍ଛନ୍ନ କରି ରହିଛି । ପୁରୁଷ ନାରୀକୁ ସନ୍ଦେହ କରୁଛି । ନାରୀ ପୁରୁଷକୁ ଭୟ କରୁଛି । ପୁରୁଷ ନାରୀ ଉପରେ ମାଲିକ ହୋଇ ରହିବାର ଦମ୍ଭ କରୁଛି । ନାରୀ ପୁରୁଷ ପାଖରୁ ଅଧିକ ଆନୁଗତ୍ୟର ଦାବି କରୁଛି । ସଂସାରଟା ଦୁଇ ଭାଗ ହୋଇଗଲାଣି । ଦେଶ ଆଉ ସମାଜର ଭାଗ୍ୟ ଆଜି ରାହୁ ଆଉ କେତୁପରି ଦୁଇ ଖଣ୍ଡରେ ବିଭକ୍ତ ହୋଇଯାଇଛି । ସେଥିଲାଗି ବାହାରେ ଯେତେ ନୈତିକତା ଓ ନୀତିନିୟମର ବାଡ଼-ବନ୍ଧ ରଖିଥିଲେ ମଧ୍ୟ ଭିତରେ ଆମେ ସମସ୍ତେ ଅପବିତ୍ର ହୋଇ ରହିଛୁ । ଭିତରେ ଆମେ ସମସ୍ତେ ଆପଣା ରାକ୍ଷସୀ-ପ୍ରବୃତ୍ତିର ଦୌରାତ୍ମ୍ୟରେ ପୀଡ଼ିତ ହୋଇ ରହିଛୁ । ବାହାରକୁ ଆମର ସମାଜ ବେଶ୍ ଚାଲିଛି-। ସମାଜରେ ସବୁ ଠିକ୍ ଅଛି ବୋଲି ବାହାର ମନକୁ ଆମେ ବେଶ୍ ବୁଝାଇ କରି ରଖିଛୁ । କିନ୍ତୁ ଆମର ନିୟମ ଆମକୁ ଶକ୍ତି ଦେଇପାରୁ ନାହିଁ । ପୋକ ପରି ଆମର ପ୍ରାଣଶକ୍ତିକୁ ଖାଇ ଦେଉଛି-। ଜଞ୍ଜିର ପରି ଆମର ଶୁଦ୍ଧ ବିବେକକୁ ବାନ୍ଧି ପକାଉଛି । ଭିତରେ ଆମେ ଅତି ନିର୍ବଳ ଆଉ ନିଃସମ୍ବଳ ହୋଇ ପଡ଼ିରହିଛୁ ।

 

ପ୍ରତ୍ୟେକ ପୁରୁଷ ପୁରୁଷ ଥାଇ ମଧ୍ୟ–ସ୍ତ୍ରୀ ହୋଇଥାନ୍ତା, ଓ ପ୍ରତ୍ୟେକ ସ୍ତ୍ରୀ ସ୍ତ୍ରୀ ଥାଇ ମଧ୍ୟ–ପୁରୁଷ ହୋଇଥାନ୍ତା, ତା’ହେଲେ ଆଦର୍ଶ ସମାଜର ବ୍ୟବସ୍ଥା ହୋଇପାରନ୍ତା । ଏହିକଥା ଗାନ୍ଧିଜୀ ଥରେ ସେବାଗ୍ରାମ ଆଶ୍ରମର ଭଉଣୀମାନଙ୍କୁ ଲେଖିଥିଲେ । ଆଗେ ଆମ ଦେଶର ଗୁଣିଆମାନେ ଗୁଣିଗାରେଡ଼ିଦ୍ୱାରା ପୁରୁଷକୁ ସ୍ତ୍ରୀ ଓ ସ୍ତ୍ରୀକୁ ପୁରୁଷ କରି ଦେଇପାରୁଥିଲେ । ସେ ଅଲଗା କଥା, ଗାନ୍ଧି ସେ ଗୁଣିଗାରେଡ଼ି କଥା କହିନାହାନ୍ତି । ପୁରୁଷ ସ୍ତ୍ରୀଠାରୁ ନମ୍ରତା, ସ୍ନେହ ଓ ବିବେକ ପ୍ରଭୃତି ଗୁଣ ଶିଖିପାରିବ ଏବଂ ସ୍ତ୍ରୀ ପୁରୁଷଠାରୁ ବଳବାନ୍ ହେବା ଓ ଭୀରୁତା ଛାଡ଼ିବାର ଗୁଣ ଶିଖିପାରିବ । ତା’ ହେଲେ କି ପୁରୁଷ, କି ସ୍ତ୍ରୀ ସଭିଙ୍କର ଜୀବନ ପୂର୍ଣ୍ଣତର ହୋଇପାରିବ । ଆଜି ମଣିଷ ଦୁଇଖଣ୍ଡ ହୋଇଯାଇଛି । ରୋଷେଇଶାଳଠାରୁ ଅଫିସ ଅନେକ ଦୂରକୁ ହଟିଯାଇଛି । ତେଣୁ ଫଳରେ ପୁରୁଷପାଇଁ ସ୍ତ୍ରୀ ଓ ସ୍ତ୍ରୀପାଇଁ ପୁରୁଷ କେବଳ ଗୋଟାଏ ଗୋଟାଏ ବୋଝ ହୋଇ ରହିଛନ୍ତି । ଭଉଣୀ ଭାଇକୁ ଖାଲି ଈର୍ଷା କରୁଛି । ନାନା ପ୍ରଲୋଭନ ଓ ଲାଳସାର ମୋହରେ ପଡ଼ି ଭାଇ ଭଉଣୀର ପାଖକୁ ଆସିବାକୁ ମଧ୍ୟ ଭୟ କରୁଛି ।

 

ଆମର ଏଠି ଆମେ ଭାଇଭଉଣୀ ଏକାଠି ରହିଛୁ । ଏକାଠି ହୋଇ ରହିବାକୁ ଆମେ ସୁସ୍ଥଜୀବନ ବୋଲି ସ୍ୱୀକାର କରୁଛୁ । ଆମର ଦାୟିତ୍ୱ ଆମେ ବୁଝିବା । ଯେତିକି ଆମେ ସାମୂହିକ ଜୀବନ ଭିତରେ ଆମର ଉପଯୁକ୍ତ ସ୍ଥାନ ଠିକ୍ କରିନେଇ ପାରିବା, ଆମେ ସେତିକି ଖୁସି ହେବା । ସମସ୍ତଙ୍କୁ ମଧ୍ୟ ସେତିକି ଖୁସି କରିପାରିବା । ଯିଏ ସମୂହ ଭିତରେ ନିଜେ ନିଜର ଅଧିକାର ଓ କର୍ତ୍ତବ୍ୟ ବିଷୟରେ ଯଥେଷ୍ଟ ସଚେତ ହୋଇପାରିବ, ନିଜେ ସୁସ୍ଥ ରହିବା ସଙ୍ଗେ ସଙ୍ଗେ ସେ ସମୂହର ସ୍ୱାସ୍ଥ୍ୟରେ ମଧ୍ୟ ସହଯୋଗ କରିବ । ଆମ ଶିକ୍ଷାଳୟର ସୁସ୍ଥ ଜୀବନ ଆଣିବା ପ୍ରଚେଷ୍ଟାରେ ଆମେ ସମସ୍ତ ସହଯୋଗ କରିବା ।

 

୩୧ । ୮ । ୫୫

 

ଏଠି ସବୁ ସତେଜ । ସବୁଦିନେ ସକାଳେ ଏଠି ନୂଆ ଫୁଲ ଫୁଟୁଛି, ପର୍ବତ ସେ ପାଖରେ ନୂଆ ସୂର୍ଯ୍ୟର ଉଦୟ ହେଉଛି । ପ୍ରତ୍ୟେକଟି କାକରବିନ୍ଦୁ ଓ ପ୍ରତ୍ୟେକଟି ଅସରା ବର୍ଷା ଏଠି ନୂଆ ପରି ଲାଗୁଛି । ଆଜିକାର ଶୁଖିଲା ଝରଣା କାଲିକି ପୂରି ଉଛୁଳି ପଡ଼ୁଛି । ଝରଣା ମଝିରେ ବସାଇଥିବା ବାଲିବନ୍ଧ କାଲିକୁ ନୂଆ ପାଣିର ଉଛୁଳା ସ୍ରୋତରେ ଭାଙ୍ଗି ମିଳେଇ ଯାଉଛି । ଗୋଟିଏ ପାଠଶାଳା ପାଇଁ ଠିକ୍ ଏହିପରି ବାତାବରଣ ଲୋଡ଼ା । ଯେଉଁଠି ପ୍ରକୃତି ନୂଆ ନୂଆ ହୋଇ ଚାଲିଥିବ, ନୂଆ ରସ, ଗନ୍ଧ ଓ ଦୃଶ୍ୟରେ ଯେଉଁଠି ବାତାବରଣ ସଦାସର୍ବଦା ନୂତନ ହୋଇ ରହିଥିବ, ମଣିଷର ଅପାଳକ ମନକୁ ପାକଳ କରିବାର ସାଧନା ଲାଗି ସେମିତି ଗୋଟିଏ ବାତାବରଣ ଦରକାର । ମଣିଷର ବିକ୍ଷିପ୍ତ ଓ ଅସଂଯତ ଆଗ୍ରହମାନଙ୍କୁ ଏକ ଦଉଡ଼ିରେ ବଳିଦେଇ ସବୁଟିକୁ ସୁସ୍ଥ ବାଟରେ ନିର୍ଦ୍ଦିଷ୍ଟ କରିଦେବା ଲାଗି ଏହିପରି ଗୋଟିଏ ଜାଗା ଦରକାର । ଆଗକାଳେ ଆମ ଦେଶର ଶିକ୍ଷକଋଷିମାନେ ଏହିପରି ସ୍ଥାନରେ ପାଠଶାଳା କରିଥିଲେ । ସେଠି ନଈଟିଏ ବହି ଯାଉଥିଲା, ଚାରିପାଖରେ ପାହାଡ଼ ଓ ଅରଣ୍ୟ ଶ୍ୟାମଳ କ୍ରୋଡ଼ ବିଛାଇ ରଖିଥିଲା । ସେଠି ଫୁଲ ଫୁଟିବାର ବିରାମ ନଥିଲା, କି ନୂଆ ପତର କଅଁଳିବା ବନ୍ଦ ହେଉ ନଥିଲା । ଏହିପରି ଏକ ବର୍ଦ୍ଧନ୍ତ ଓ ବିକାଶ ଧର୍ମୀ ବାତାବରଣ ଭିତରେ ରହିଲେ ଶିକ୍ଷାର୍ଥୀ ମନର ବିକାଶ ହେବ, ତା’ର ଧର୍ମାକାଂକ୍ଷା ବଜାୟ ରହିପାରିବ; ବଣର ଫୁଲ ପତର ଓ ଫଳ ପରି ସେ ମଧ୍ୟ ନିର୍ମଳ ଆଲୁଅ ଓ ଖୋଲା ପବନରେ ଖୁସି ହୋଇ ବଢ଼ିବ; ବଣର ଚଢ଼େଇ ପରି ସେ ମଧ୍ୟ ନିର୍ଭୟ ହୋଇ ଆପଣାର ନୀଡ଼ ରଚନା କରିପାରିବ, ଖୁସି ହୋଇ ଗୀତ ଗାଇପାରିବ ।

 

ଏପରି ଏକ ବାୟୁମଣ୍ଡଳ ଭିତରେ ଆମେ ରହିଚେ । ତଥାପି ଆମେ କାହିଁକି ପୁରୁଣା ହୋଇ ପଡ଼ି ରହିଥିବା ? ଏଠି ପ୍ରତିଦିନ ପ୍ରକୃତି ନୂଆ କଳେବର ଆଉ ନୂଆ ପ୍ରେରଣା ଦେଖାଇ ଆତ୍ମପ୍ରକାଶ କରୁଛି । କାହିଁକି ଆମେ ସେଇ ସୁନ୍ଦରୀ ପ୍ରକୃତିର ଲାଳନ ପାଇ ତଥାପି ନିର୍ଜୀବ ହୋଇ ରହିଥିବା ? ପ୍ରତ୍ୟେକ ଦିନର ସକାଳ କାହିଁକି ଆମକୁ ନୂଆ ପ୍ରାଣରେ ଭରିଦେଇ ଯିବ ନାହିଁ ? ପ୍ରତ୍ୟେକ ଦିନର ସନ୍ଧ୍ୟା କାହିଁକି ଆମକୁ ପ୍ରାର୍ଥନାରେ ବସିପାରିବାର ସହଜ ଶ୍ରଦ୍ଧା ଦେଇଯିବ ନାହିଁ-? କାହିଁକି ଆମେ ଏ ପୃଥିବୀରେ ଖାଲି ଅନ୍ୟ ସମସ୍ତଙ୍କର ଦୋଷ ଉଖାରି ବୁଲୁଥିବା ? ଆପଣାର ପର୍ବତ ପ୍ରମାଣ ଦୋଷକୁ ଲୁଚାଇବା ପାଇଁ କାହିଁକି ଆମେ ଅପରର ତିଳ ବା ସୋରିଷ ପ୍ରମାଣ ଦୋଷକୁ ପ୍ରଚାର କରିବାରେ ଆନନ୍ଦ ପାଉଥିବା ? ସକାଳର ଶୀତଳ ପବନ ଆଉ ସୂର୍ଯ୍ୟଚନ୍ଦ୍ରଙ୍କର ଆଶୀର୍ବାଦ ପାଇ ତଥାପି କାହିଁକି ଆମର ଆଖି ନିର୍ମଳ ହୋଇଯିବ ନାହିଁ ? କାହିଁକି ଆମେ ପରସ୍ପରକୁ ଭାଇଭଉଣୀର ସହଜ ଦୃଷ୍ଟିରେ ଦେଖି ପାରିବା ନାହିଁ ? ମୁଁ ଅନେକ ସମୟରେ ଏଇ କଥାଭାବେ । ସଂସାରରେ ସବୁଠି ଅଜସ୍ର ଶକ୍ତି ପୂରି ରହିଛି । ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ତାରାଠାରୁ ଆରମ୍ଭ କରି ପତ୍ରପୁଷ୍ପଫଳ ପର୍ଯ୍ୟନ୍ତ ସବୁଠାରେ ଆଜି ଶକ୍ତିର ପ୍ରକାଶ ହୋଇ ଚାଲିଛି । ଆମ ପ୍ରତ୍ୟେକଙ୍କ ମଧ୍ୟରେ ମଧ୍ୟ ଅକଳନ୍ତି ଶକ୍ତି ରହିଛି । କାହିଁକି ଆମେ ସେ ଶକ୍ତିକୁ ନାନାପ୍ରକାର ବାଡ଼ ଏବଂ ଆୟତନ ଭିତରେ ବାନ୍ଧି ରଖିଥିବା ? ସବୁଠାରେ ସବୁଦିନ ତାରୁଣ୍ୟର ପ୍ରକାଶ-ଲୀଳା ଚାଲିଥିବାବେଳେ ଆମେ ଆମ ମନର ବାର୍ଦ୍ଧକ୍ୟରେ ଜର୍ଜର ହୋଇ ରହିଥିବା ?

 

“ମା ପୂରା ଜରସୋ ମୃଥାଃ”–ହେ ମନୁଷ୍ୟ, ତୁ ବୁଢ଼ା ହେବା ଆଗରୁ କଦାପି ମରିବୁ ନାହିଁ–ଅଥର୍ବ ବେଦର ଋଷି (୫।୩୦।୧୬) ଆମକୁ ଏହି ସତର୍କବାଣୀ ଶୁଣାଇଛନ୍ତି । ମଣିଷର ସୁନ୍ଦର ଶରୀର, ସୁନ୍ଦର ମନ ଓ ସୁନ୍ଦର ହୃଦୟ ନେଇ ଆମେ ଏ ସଂସାରକୁ ଆସିଛେ । ଏଠି ଆମେ ପ୍ରତ୍ୟେକେ ବିକଶିତ ହେବା, ପ୍ରତ୍ୟେକ ଆପଣା ଆପଣାର ବିଶିଷ୍ଟ ପଥରେ ଚାଲି ଭଗବାନ୍‍ଙ୍କ କାମରେ ଆପଣାକୁ ସମର୍ପିତ କରିଦେଇ ପାରିବା । କିନ୍ତୁ ହଠାତ ଅଧବାଟ ନ ହେଉଣୁ ଆମର ଏ ବାର୍ଦ୍ଧକ୍ୟ କାହିଁକି ? ବୁଢ଼ାହେବା ପୂର୍ବରୁ ମନରେ ବୁଢ଼ାହୋଇ ମରିଯିବା ଯଦି ଆମ ଜୀବନର ଉଦ୍ଦେଶ୍ୟ ହୋଇଥାନ୍ତା, ତେବେ ଏତେ ଶକ୍ତି, ଏଡ଼େ ସୁନ୍ଦର ହାତ, ଗୋଡ଼, ମୁହଁ, ଗଭୀର ଅନୁଭବ କରିପାରିବାର ହୃଦୟ ଓ ସମସ୍ତ ବିଶ୍ୱକୁ ଦୃଷ୍ଟି ଆଗରେ ଧରି ପାରିବାର ବିଚାର ଧରି କାହିଁକି ଆମେ ଏ ସଂସାରକୁ ଆସିଥାନ୍ତେ ?

 

୧ । ୯ । ୫୫

 

ମନଆନନ୍ଦରେ କାମକୁ ଗଲେ କାମ କରିବାକୁ ଭଲଲାଗେ, ମୋଟେ ଥକିଯିବା ପରି ମାଲୁମ ହୁଏ ନାହିଁ, ଏପରି ଅନୁଭବ ଆମ ଭିତରେ ଜଣେ ଭାଇଙ୍କର ହୋଇଛି । ମୁଁ କହିବି ତାଙ୍କର କାମ କରିବା ସାର୍ଥକ ହୋଇଛି । ପାଇଖାନା ସଫା କରିବା ଠାରୁ ଆରମ୍ଭ କରି ପରିବା କାଟିବା ପର୍ଯ୍ୟନ୍ତ ଯାହା ଆମେ କରିବା, ସେଠାକୁ ଆମେ ଜିଜ୍ଞାସୁର ମନ ନେଇ ଯିବା । ସବୁଠି ଆମେ ଶିଖିବାର ପ୍ରବୃତ୍ତି ନେଇ ଯିବା । ଜିଜ୍ଞାସୁର ଲାଗି ସଂସାରରେ ସବୁ ଗୁରୁ ହୋଇ ପାରିବ । ତା’ ଲାଗି ସାରା ସଂସାର ପାଠଶାଳା ହୋଇପାରିବ । ଆଉ ଯିଏ ଅନ୍ତର ଭିତରେ ଜାଣିବାର, ବୁଝିବାର ଓ ଉପଲବ୍‍ଧି କରିବାର ଆବଶ୍ୟକତାହିଁ ଅନୁଭବ କରୁ ନାହିଁ, ଶିକ୍ଷାର ଯେତେ ଆୟୋଜନ ଖଞ୍ଜିଲେ ମଧ୍ୟ ସିଏ କଦାପି ଶିକ୍ଷାର୍ଥୀର ମନ ନେଇ ବସି ପାରିବ ନାହିଁ । ଏକାଦଶସ୍କନ୍ଧ ଭାଗବତରେ ଅବଧୂତ ମୁନିଙ୍କର ଉପାଖ୍ୟାନରେ ଏହି ଶିକ୍ଷାର୍ଥୀ ମନର ସୂଚନା ମିଳେ । ଗଛ ଆଉ ପବନଠାରୁ ଆରମ୍ଭ କରି ସୂର୍ଯ୍ୟ ଆଉ ଅଜଗର ସାପ ପର୍ଯ୍ୟନ୍ତ ଅବଧୂତ ମୁନି ଚବିଶ ଜଣଙ୍କୁ ଗୁରୁ ବୋଲି ମାନୁଥିଲେ । ଜୀବନରେ ଯେଉଁଠି ଯେଉଁ ନିମିତ୍ତଦ୍ୱାରା ତାଙ୍କର ଅନ୍ତର ଦ୍ୱାର ଖୋଲି ଯାଉଥିଲା, ସେହି ନିମିତ୍ତକୁ ସେ ଆପଣାର ଗୁରୁ ବୋଲି ସ୍ୱୀକାର କରୁଥିଲେ ।

 

ତା’ପରେ ମନ ଆନନ୍ଦରେ କାମ କରିବା କଥା । ଆମ ଦେଶରେ ଲକ୍ଷଲକ୍ଷ ଲୋକ ଆଜି ବାଧ୍ୟ ହୋଇ କାମ କରୁଛନ୍ତି । ଭାଗ୍ୟକୁ ଆଦରି ସେମାନେ ଜମିକୁ କାମୁଡ଼ି ପଡ଼ିଛନ୍ତି । କାରଖାନା ଭିତରେ ଲୁହା ବାଡ଼ଉଛନ୍ତି । ଖଣି ଭିତରେ ଧାତୁଦ୍ରବ୍ୟ ଖୋଳୁଛନ୍ତି । ସେଠି କାମ ଅଛି, ଆନନ୍ଦ ନାହିଁ । ଆମେ ଏଠି ରୋଜ୍ କାମ ବାଣ୍ଟୁଛୁ, ରୋଜ୍ କାମ କରିବାକୁ ଯାଉଛୁ । ଚିତ୍ତଭାଇ ଥିବା ଦିନ ଯେତେ କାମ ହେଉଛି, ଚିତ୍ତଭାଇ ନଥିବା ଦିନ ତା’ର ଚାରି ଭାଗରୁ ଭାଗେ କାମ ହେଉ ନାହିଁ, ଏପରି ଅଭିଯୋଗ ଆମ ଭିତରୁ ଅନେକ କରୁଛନ୍ତି । ଏହା ଆମର ଦୁର୍ଭାଗ୍ୟ । ଚିତ୍ତଭାଇଙ୍କର ମଧ୍ୟ ଦୁର୍ଭାଗ୍ୟ । ହୁଏତ ଚିତ୍ତଭାଇ ତମକୁ ଗୋରୁ କି ଗଧ ବୋଲି ବିଚାରୁଛନ୍ତି । ହୁଏତ ତାଙ୍କର ଯୋଜନାରେ ଧମକ ଓ ଜବରଦସ୍ତି ରହିଛି ଏବଂ ସେଥିଲାଗି କାମକୁ ଭଲ ପାଇ ନୁହେଁ, ଚିତ୍ତଭାଇଙ୍କର ଧମକକୁ ଡରି ଆମେ ସମସ୍ତେ କାମକୁ ଯାଉଛେ । ଆମେ ଆଉ ଆମ ଅଲକ୍ଷଣା ଦେଶର ଦୁର୍ଗତ ମୂଲିଆଠାରୁ କି ଉଚ୍ଚ ସ୍ତରରେ ରହିଛୁ ?

 

କେତେବେଳେ ମନ ଆନନ୍ଦରେ କାମରେ ବୁଡ଼ିଯାଇ ହେବ ? ମୋତେ ଜଣେ କରାଉଚି, ମୁଁ କରୁଛି; ଜଣେ ରଜ୍ଜୁ ଧରି ମୋତେ ଚଲାଉଛି, ମୁଁ ଚାଲୁଛି । ଏହିପରି ମନୋଭାବ ନେଇ କାମ କରୁଥିବା ପର୍ଯ୍ୟନ୍ତ କାମରୁ ଆମେ କଦାପି ଆନନ୍ଦ ପାଇପାରିବା ନାହିଁ । ପୁଅର ପେଟରେ ଭୋକ ନାହିଁ, ଅଥଚ ବାପମାଆ ଗେଲବସର କରି ପୁଅକୁ ଭୁଞ୍ଜାଇବାରେ ଲାଗନ୍ତି । ଏଥିରେ କ’ଣ ଭୋଜନର ଆନନ୍ଦ ମିଳିପାରିବ ? ଆମେ ପ୍ରତ୍ୟେକ କୌଣସି ନା କୌଣସି ପ୍ରକାର ଶରୀର-ଶ୍ରମ କରିବା ଆବଶ୍ୟକ କି ନାହିଁ, ପ୍ରତ୍ୟେକ ଆଜି ଏହି କଥା ବିଚାର କରନ୍ତୁ । ଆମ ସମାଜରେ ଶରୀର-ଶ୍ରମ ପ୍ରତି ହତାଦର ରହିଛି । ହାତଗୋଡ଼ ଆଉ ମାଂସପେଶୀ ଚଳାଇବାକୁ ଆମ ଦେଶର ଅନେକେ ଲଜ୍ଜାଜନକ ବୋଲି ମନେ କରୁଛନ୍ତି । ତେଣୁ ଏ ଦେଶର ବୁଦ୍ଧି ମଧ୍ୟ ନିକମା ହୋଇପଡ଼ିଛି, ସ୍ୱାର୍ଥପର ହୋଇପଡ଼ିଛି । ବସିବା ଲୋକ ଆଜି ନାନା ବୁଦ୍ଧି ଖରଚ କରି ଚଷିବା ଲୋକକୁ କବଳ ଭିତରେ ରଖିଛି । ଆମେ ଏଇ ସମାଜ ଭାଙ୍ଗି ପକାଇବା; କାରଣ ଆମେ ପ୍ରତ୍ୟେକ ମଣିଷ ଲାଗି ନ୍ୟାୟ ଚାହୁଁଛୁ, ସମାନ ବ୍ୟବହାର ଚାହୁଁଛୁ । ସେଇଥିଲାଗି ଆମର ଏଇ ନୂଆ ଶିକ୍ଷାର ଛାଞ୍ଚ । ଆଜି ଯେତେ ଜଣ ଶିକ୍ଷକ ଓ ଶିକ୍ଷାର୍ଥୀ–ଉଭୟଙ୍କୁ ଉଦ୍ଦେଶ୍ୟ କରି ମୁଁ କହୁଛି–ଯେତେଜଣ ଆମେ ଏଇ ଛାଞ୍ଚ ଭିତରେ ପଶିଛେ, ଏହାରି ଭେକ ପିନ୍ଧିଛେ, ଆମେ ସମସ୍ତେ ଚାଲ ଆପଣାକୁ ପଚାରିବା, ଆମେ କ’ଣ ସତରେ ଏ ସମାଜକୁ ବଦଳାଇବାକୁ ଚାହୁଁଛୁ ? ପୁରୁଣା ମଣିଷର ସବୁ ଅନ୍ଧବିଶ୍ୱାସ ଓ କୁଣ୍ଠିତ ପଣିଆକୁ ଦୂର କରି ସତରେ ଆମେ ନୂଆ ମଣିଷ ଗଢ଼ିବାକୁ ଚାହୁଁଛୁ ? ନା ବାହାରେ ଯେତେ ନୂଆ ଭେକ ପିନ୍ଧିଥିଲେ ମଧ୍ୟ ଆମ ଭିତରେ ଏପର୍ଯ୍ୟନ୍ତ ସେହି ସୁବିଧାଭୋଗୀ ପରାନ୍ନଭୋଜୀ ପ୍ରଚ୍ଛନ୍ନ ହୋଇ ରହିଛି ? ଏହି ପ୍ରଶ୍ନର ଉତ୍ତର କେବଳ ଆମେ ଆପଣା ଠାରୁ ପାଇପାରିବା । ଏହାରି ବିଚାର ଉପରେହିଁ ମନ ଆନନ୍ଦରେ କାମ କରିବା ଓ କାମରୁ ଆନନ୍ଦ ପାଇବା ପୂରାପୂରି ନିର୍ଭର କରୁଛି । ଯେ ବିଚାରର ସହିତ ଜୀବନର ସିଦ୍ଧାନ୍ତମାନ କରେ, କେବଳ ସେହି ଜୀବନ ବଞ୍ଚିବାରୁ ଯଥାର୍ଥ ଆନନ୍ଦ ପାଏ ।

 

୨ । ୯ । ୫୫

 

ଝରଣା ପାଖରେ ବସି ପାଣିର କୁଳୁ କୁଳୁ ଶବ୍ଦ ଶୁଣିବାକୁ ସମସ୍ତଙ୍କୁ ଏତେ ଭଲ ଲାଗେ କାହିଁକି ? ଆମ ଘରପାଖ ଝରଣାରେ ଦିନରାତି ଆମେ ସେହି କୁଳୁ କୁଳୁ ଶବ୍ଦ ଶୁଣୁଛୁ । ପଥରର କଳା ଶେଯ ଉପରେ ପାଣି ଅବିରତ ବୋହିଚାଲିଛି । ପର୍ବତ ଆଉ ଜଙ୍ଗଲର କେଉଁ କନ୍ଦିରେ କେଉଁଠି ପାଣିଭଣ୍ଡାର ରହିଛି କେଜାଣି, ପାଣିର ଧାରା ଆମର ଏଠୁ ସରୁନାହିଁ । ସେ ଅବିରତ ବୋହି ଚାଲିଛି ।

 

ଏହି ଗତିରେହିଁ ସମସ୍ତଙ୍କର ଆନନ୍ଦ । ଯେ ଗତିକରେ ତା’ର ଆନନ୍ଦ, ଯିଏ ସେହି ଗତିକୁ ଦେଖେ ସେ ମଧ୍ୟ ସେଥିରୁ ଆନନ୍ଦ ପାଏ । ଏଠି ଆମ ଝରଣାରେ ଗୁଡ଼ାଏ ପାଣି ଆବଦ୍ଧ ହୋଇ ରହିଥିଲେ ଆମେ ତାକୁ ଦେଖି ଏତେ ଆନନ୍ଦ ପାଉ ନଥାନ୍ତୁ । କିନ୍ତୁ ପଥର ଉପରେ ଖୋଜେ ପାଣି କେଡ଼େ ଆନନ୍ଦରେ ବୋହିଯାଉଛି, ଆଉ ଆମେ ମଧ୍ୟ ସେଇ ଅବିରତ ଧାରାର ପ୍ରତ୍ୟକ୍ଷ କରି ଆନନ୍ଦ ପାଉଛୁ, ସତେ ଅବା ଆମ ଅନ୍ତର ଭିତରେ କେତେ ଆକାଂକ୍ଷା ଓ ଆଶାର ନିର୍ଝରିଣୀ ବହିଚାଲିଛି । ଆପଣା ଜୀବନର ଏକାନ୍ତ କୂଳରେ ବସି ସତେ ଅବା ଆମେ ତା’ର କୁଳୁ କୁଳୁ ଶବ୍ଦ ଶୁଣିପାରୁଛୁ । ପ୍ରକୃତିର ଚଞ୍ଚଳ ବହମାନ ରୂପ ମନକୁ ଏମିତି ସଚଳ କରିଦେଇ ଯାଏଁ । ସୁ’-ସୁ’ ହୋଇ ବର୍ଷା ମାଡ଼ି ଆସିଲେ ବା ହଠାତ ସବୁ ଉଡ଼ାଇ ନେଇ ତୋଫାନ ମାଡ଼ିଆସିଲେ ସତେଅବା ଆମ ଅନ୍ତରର ସମସ୍ତ କବାଟ ଖୋଲି ଯାଏଁ । ଯେତେ ଯେଉଁଠି ବାଡ଼ ବନ୍ଧ ଦିଆହୋଇ ଆମର ବାସନା ଓ ଆଗ୍ରହକୁ ଆମେ ଅଟକାଇ ରଖିଥାଉ, ସେସବୁ ବାଡ଼ ବନ୍ଧ ଏକାବେଳକେ ଭାଙ୍ଗିଯାଏ । ଏଇ ଭାଙ୍ଗିଯିବାରେ ଉଡ଼ିଯିବାରେ ଓ ବହିଯିବାରେ ଆମେ ଭାରି ଆନନ୍ଦ ପାଉ । ପ୍ରକୃତିର ଏହି ବର୍ଷାକାଳ ସେଥିପାଇଁ କବି, କଳାବିତ୍ ଓ ଚିନ୍ତାଶୀଳ ମଣିଷକୁ ଏତେ ଆକୃଷ୍ଟ କରେ, ଏତେ ଆନନ୍ଦ ଦିଏ । ବର୍ଷାକାଳ ଆମ ଭିତରର ସବୁ ଶିଥିଳତାକୁ ଭାଙ୍ଗିଦିଏ । ଆମ ଜୀବନ ଶାଖାର ସବୁ ଜୀର୍ଣ୍ଣ ପତ୍ରକୁ ଏହା ଝାଡ଼ି ଦେଇଯାଏ । ବର୍ଷାକାଳର ବିଜୁଳି, ଘଡ଼ଘଡ଼ି, ମେଘ, ପବନ ଆଉ ତୋଫାନ, ସବୁଥିରେ ଏହି ଚଞ୍ଚଳ ବେଗ ଆମକୁ ମଧ୍ୟ ଚଞ୍ଚଳ କରାଇଦେଇ ଯାଏଁ । ମଲାନଈ ଭରି ଉଠେ, କୂଳ ଲଙ୍ଘି ପାଣି ଉଛୁଳି ପଡ଼େ, ଶୁଖିଲା ପଥରର ବକ୍ଷ ବୁଡ଼ାଇ ପାଣିର ସୁଅ ଚାଲେ ।

 

ଇଏତ ଗଲା ବାହାର ପ୍ରକୃତିର କଥା । ଆମ ଅନ୍ତର ଭିତରେ ମଧ୍ୟ ଆମେ ଆଜି ଏହି ବର୍ଷାକାଳର ଗତିଶୀଳତାକୁ ନିମନ୍ତ୍ରଣ କରିଆଣିବା । ଆମର ସବୁ ଆବଦ୍ଧ ପଚାଜଳ ନୂତନ ଧାରାର ସମୃଦ୍ଧିରେ ସୁଅପରି ବହିଯାଉ,–ସେଇ ବହିବାରେ ସେ ଶୁଦ୍ଧ ହୋଇଯାଉ । ଆମ ବିଚାରର ଡାଳରେ ଏପର୍ଯ୍ୟନ୍ତ ଲାଖି ରହିଥିବା ସବୁ ପୁରୁଣା ପତ୍ର ଆଜି ଗୋଟାଏ ଝଡ଼ର ଦୋହଲାରେ ବିଲ୍‍କୁଲ୍‍ ଉଡ଼ି ଚାଲିଯାଉ । ସେଠି ଆଜି ନୂଆପତ୍ର ଓ ଫୁଲର ସ୍ୱପ୍ନ ସଞ୍ଚରିଯାଉ । ଆମେ ଆମର ଶିଥିଳତାକୁ ଦୂରକୁ ଫିଙ୍ଗିଦେବା । ଏଇ ବର୍ଷାଦିନର ଅସରନ୍ତି ପାଣିଭଣ୍ଡାର ପରି ଆମ ଜୀବନର ଭଣ୍ଡାରରୁ ଉତ୍ସାହ ଓ ଆଗ୍ରହର ନିତ୍ୟଧାରା ଝରୁଥିବ ।

 

ନିଜ ଜୀବନର ଏକାନ୍ତ କୂଳରେ ବସି ଆମେ କେବେ ଏହିପରି କୁଳୁ କୁଳୁ ଶବ୍ଦ ଶୁଣିଛେ କି ? ଯଦି ଶୁଣିଥିବା, ତେବେ ତାହାହିଁ ଏ ଜୀବନର ପରମ ଆନନ୍ଦ । ଆମେ ଚାଲିଛୁ, ସବୁ ଆୟତନର ଆବଦ୍ଧ ଜଳାଶୟକୁ ଏକାଠି କରି ଆମେ କୁଳୁ କୁଳୁ କରି ବହି ଚାଲିଛୁ । ଆମର ସ୍ନେହ, ପ୍ରେମ, ଦୁଃଖସୁଖ, ହସକାନ୍ଦ, ଆମର କାମନା ବାସନା ଓ ପ୍ରାର୍ଥନା ସବୁ ସେହି ଏକ ଜୀବନର ଅବିରତ ଧାରାରେ କୁଳୁ କୁଳୁ ଶବ୍ଦ କରି ଚାଲିଛି । ଏହି ଅନୁଭୂତିକୁ ଆମେ ଯେତିକି ଗଭୀରଭାବେ ଆପଣାର କରିପାରିବା, ଆମ ଜୀବନ ବହିବାର ଗଭୀରତା ସେତିକି ବେଶି ହେଉଥିବ । ଆଉ ଯେଉଁଦିନ ଆମେ ଆପଣାର ବହିଯିବାର, ବିକଶିତ ହେବାର ଏହି ସୂଚନା ପାଇପାରିବା ନାହିଁ, ସେହିଦିନ ବାହାରେ ଯେତେ କୋଳାହଳ କରୁଥିଲେ ମଧ୍ୟ ଆମକୁ ମୃତ ବୋଲିହିଁ କହିବାକୁ ହେବ ।

 

୭ । ୯ । ୫୫

 

ସେଇ ଦିନର ଝଡ଼ ବର୍ଷାଠାରୁ ଆଜିସୁଦ୍ଧା ଅନେକ ବର୍ଷା ହୋଇଗଲାଣି । ଖାଲି ଆମ ଏଠିକାର ଛୋଟ ଝରଣାଟିରେ ନୁହେଁ, ଓଡ଼ିଶାର ଅଧିକାଂଶ ନଈନାଳ ଆଜି ଦୁଇକୂଳ ଉଛୁଳାଇ ଧାଉଁଛନ୍ତି । କେତେ ଜାଗାରେ ବନ୍ଧ ଭାଙ୍ଗିଛି, କେତେ ଜାଗାରେ ଘାଇ ମେଲା ହୋଇଯାଇଛି । କେତେ ଗାଁ ଭାସିଯାଇଛି । କେତେ ପରିବାର ଉଚ୍ଛନ୍ନ ହୋଇଯାଇଛି । ଆମର ଏହି ଛୋଟିଆ ସଂସାରରେ ରାଜ୍ୟରେ ଘଟୁଥିବା ଦୁର୍ବିପାକର ଆଘାତ କେତେଦୂର ଲାଗୁଛି ସେ କଥା ମୁଁ କହିପାରୁନାହିଁ । ଅନେକ ସମୟରେ ଦୂରର ବିପଦ ଅନୁଭବ କରିହୁଏ ନାହିଁ । ଦୂର ଜଙ୍ଗଲରେ ନିଆଁ ଲାଗିଲେ ଦୂରଲୋକେ କେବଳ ତା’ର ସୌନ୍ଦର୍ଯ୍ୟଟା ଉପଭୋଗ କରନ୍ତି । ନିଆଁର ତାପ ତାଙ୍କୁ ସନ୍ତପ୍ତ କରିପାରେ ନାହିଁ । ଆଜି ଦଳେଇଘାଇ ଭାଙ୍ଗିଗଲା କି ଧର୍ମଶାଳା ଥାନାରେ କେତେଟା ଗାଁ ଭାସିଗଲା, ହୁଏତ ଆମ ମନରେ ସେସବୁ ଦୁର୍ବିପାକକୁ ଯେତିକି ଅନୁଭବ କରିବା କଥା ତାହା ଆମେ କରିପାରୁ ନାହୁଁ ।

 

ଏହାର କାରଣ ହେଉଛି, ଆମ ଅନୁଭୂତିର ସୀମା ଆଜି ମଧ୍ୟ ସୀମାବଦ୍ଧ ହୋଇ ରହିଛି-। ଆମ ସମ୍ପଦ ବିପଦର ପରିଧି ଅତି ସଂକୀର୍ଣ୍ଣ ହୋଇ ରହିଛି । ଆମ ନିଜ ନିଜର ଲାଭକ୍ଷତି, ଆପଣା ଆପଣାର ଭବିଷ୍ୟତ୍ ଚିନ୍ତା, ଆମର ବିଚାର ଓ ଅନୁଭୂତିକୁ ଏପରି ଆଚ୍ଛନ୍ନ କରି ରଖିଛି ଯେ ଆମେ ସଂସାରରେ ଘଟୁଥିବା ଅଜସ୍ର ବିପଦ ଓ ଅଜସ୍ର ଦୁଃଖକୁ ପୂର୍ଣ୍ଣ କରି ଅନୁଭବ କରିପାରୁନାହୁଁ-। ସଂସାରର ସବୁ ଦୁଃଖ ଆମକୁ କେବଳ ଖବରକାଗଜର କାହାଣୀପରି ଲାଗୁଛି । ତାହା ଆମ ମନକୁ ଏତେ ଟିକିଏ ଚହଲାଇ ବା ଦୋହଲାଇ ଦେଉ ନାହିଁ । ଆମ ନିଦକୁ ଭଙ୍ଗାଇ ପାରୁନାହିଁ ।

 

ଏ ମରୁଡ଼ି, ଏ ନଈବଢ଼ି, ଏସବୁ କ’ଣ ଭଗବାନ୍‍ଙ୍କ ଅଭିଶାପ ? ଅତି ଆଦିମକାଳରେ ସଂସାରରେ ବଣମଣିଷ ଠିକ୍ ଏହିପରି ଭାବୁଥିଲା । ଆକାଶରେ ଘଡ଼ଘଡ଼ି ମାଇଲେ ସେ ଡରୁଥିଲା-। ଜଙ୍ଗଲରେ ନିଆଁ ଲାଗିଲେ ସେ ପ୍ରାଣ ବିକଳରେ ଦଉଡ଼ି ପଳାଉଥିଲା । ଝରଣାରେ ବଢ଼ି ମାଡ଼ି ଆସୁଥିଲେ ବାଘ ଭାଲୁଙ୍କ ପରି ସେ ପଥର ଖୋଲରେ ଲୁଚି ରହୁଥିଲା । ଆମେ ଆଜି ମଧ୍ୟ ସେଇ ବଣମଣିଷର ଦଶାରେ ରହିଛୁ । ଏହାହିଁ ଏ ଦେଶର ସବୁଠାରୁ ବଡ଼ ଦୁଃଖ । ଜଳ ବର୍ଷା ନ ହେଲେ ଆମେ ଦୁଃଖ ପାଉଛୁ, ଜଳ ବର୍ଷା ହେଲେ ମଧ୍ୟ ଆମେ ଦୁଃଖ ପାଉଛୁ । ଏପରି କାହିଁକି ହେବ-? ମଣିଷ ତା’ର ବିକାଶ ପଥରେ ମାଡ଼ିମାଡ଼ି ଆଜି ଅନେକ ଆଗକୁ ଆସିଲାଣି । ପ୍ରକୃତିର ଯେଉଁ ଯେଉଁ ଶକ୍ତି ଦିନେ ତାକୁ ଭୟତ୍ରସ୍ତ କରି ରଖିଥିଲେ, ଆଜି ସେ ସେହି ସକଳ ଶକ୍ତିକୁ ଆପଣାର ବ୍ୟବହାରରେ ଲଗାଇ ପାରିଲାଣି । ବିଜ୍ଞାନ ବଳରେ ଆଜି ସାରା ସଂସାରରୁ ଭୋକ ଆଉ ଦୁଃଖ ଦୂର ହୋଇପାରିବ–ଏପରି ଏକ ଦମ୍ଭ କଥା କହିପାରିବାର ବଳ ଓ ସାମଗ୍ରୀ ମଣିଷ ଅର୍ଜନ କରିପାରିଛି । ମଣିଷର ବୁଦ୍ଧିବଳରେ ଆଜି ମରୁଭୂମିରେ ଫସଲ ଫଳୁଛି, ଟାଙ୍ଗରା ପାହାଡ଼ ଉପରେ ଦଶବର୍ଷରେ ଶ୍ୟାମଳ ଜଙ୍ଗଲ କଅଁଳି ଉଠୁଛି । ବରଫ ଦେଶରେ ବାରମାସୀ ଚାଷ ହେଉଛି-। ନଈ ନାଳର ପାଣିକୁ ଅଟକାଇ ଦଶବର୍ଷ ତଳେ ମରୁଭୂମି ପଡ଼ିଥିବା ଇସ୍ରାଏଲ ଦେଶରେ ଆଜି କମଳାଲେମ୍ବୁର ବିସ୍ତୃତ ବଗିଚାମାନ ହୋଇ ପାରିଲାଣି । ଆମକୁ ମଧ୍ୟ ଦିନେ ବିଜ୍ଞାନର ସାହାଯ୍ୟରେ ଆମ ଦେଶର ନଈ ନାଳକୁ ଆମର ଉପକାର ପାଇଁ ବ୍ୟବହାର କରି ଶିଖିବାକୁ ପଡ଼ିବ-। ଏ ଦାୟିତ୍ୱ ସମସ୍ତଙ୍କର । ଆଜି ନଈବଢ଼ି ଧନୀ ଗରିବର ହିସାବ ରଖୁ ନାହିଁ । ସମସ୍ତଙ୍କୁ ଏକା ଦୁଃଖର ଖାତ ଭିତରେ ପଡ଼ିବାକୁ ହେଉଛି । ଠିକ୍ ସେମିତି ଦିନେ ସମସ୍ତଙ୍କୁ ଏକାଠି ମିଶି ଦେଶର ସମୃଦ୍ଧି ଓ କଲ୍ୟାଣ ଲାଗି କାମ କରିବାକୁ ହେବ । ଯେତିକି ଆମେ ଆମର ଛୋଟିଆ ଜୀବନର ସମସ୍ୟାଗୁଡ଼ିକୁ ଆଳ କରି ଆପଣା ଆପଣା ଗୁହା ଭିତରେ ବସିଥିବା, ସଂସାରର ଦୁଃଖ ସେତିକି ଦିନ ପର୍ଯ୍ୟନ୍ତ ଆମକୁ କାମୁଡ଼ି ଧରିଥିବ ।

 

ଆମେ ଆଜି ପାଠ ପଢ଼ୁଛେ; ନିଜ ନିଜର ଚରିତ୍ର ଓ ବଳକୁ ଘଷିମାଜି ଆମେ କାଲିକାର ପୃଥିବୀ ଲାଗି ତିଆରି ହେଉଛେ । ଏ ଦେଶର ଆଉ ନଈବଢ଼ି ବା ମରୁଡ଼ି ମଣିଷକୁ କୌଣସି ଭୟ ଦେଖାଇପାରିବ ନାହିଁ, ଏପରି ଏକ ପ୍ରତିଜ୍ଞା ଆମ ସମସ୍ତଙ୍କର ମନ ଭିତରେ ଆସିବା ଉଚିତ । ଆଜି ଆମେ ଯାହା ଅର୍ଜନ କରି ରଖୁଛେ, ଯାହା ଆମେ ସଂଗ୍ରହ କରୁଛେ, ସେସବୁଥିରେ ବିଜ୍ଞାନର ହତିଆର ଲଗାଇ ସମାଜର ସବୁ ଦୁଃଖ ଦୂର କରିବା ଲାଗି ଉପଯୁକ୍ତ ସଂକଳ୍ପ ଆମର ରହିବା ଉଚିତ-

 

୮ । ୯ । ୫୫

 

ଅଗଷ୍ଟ ପନ୍ଦର ଆଜି ଅନେକ ପଛରେ ପଡ଼ିଗଲାଣି । ସେଦିନ ଆମେ ମଧ୍ୟ ଏଠାରେ ଅଳ୍ପ ବହୁତ ଉତ୍ସବ କରିଥିଲେ । ପତାକା ଉଡ଼ାଇଲେ, ଭୋଜିଭାତ କଲେ, ଆଉ ମନକୁ ଖୁସି କରିବା ଲାଗି ମନୋରଞ୍ଜନ କାର୍ଯ୍ୟକ୍ରମ ରଖିଥିଲେ । ଦେଶସାରା କେତେ ଜାଗାରେ ସେଦିନ ଏମିତି ଭୋଜି ହୋଇଥିବ, ପତାକା ଉଡ଼ିଥିବ, ମନକୁ ଖୁସି କରିବା ଲାଗି ମନୋରଞ୍ଜନ କାର୍ଯ୍ୟକ୍ରମର ବ୍ୟବସ୍ଥା ହୋଇଥିବ । ଦିଲ୍ଲୀରେ ଉପର ମହଲରେ ହୁଏତ ସେଦିନ ଇନ୍ଦ୍ରପୁରୀର ବ୍ୟସନ ବହି ଚାଲିଯାଇଥିବ ।

 

ଏବେବି ମନେ ଅଛି । ସେଦିନ ସକାଳେ ମୁଁ ସାଇକେଲରେ ଅନୁଗୋଳରୁ ଏଠାକୁ ଆସୁଥାଏ । ଅନୁଗୋଳ ବଜାରରେ କେତେ ଜଣ ମାଷ୍ଟର ଆଉ ପିଲାଙ୍କୁ ପତାକା ଧରି ଚିତ୍କାର କରି ଯାଉଥିବାର ଦେଖି ଆସିଥିଲି । କିନ୍ତୁ ଅନୁଗୋଳ ଟପି ଯେମିତି ଗାଉଁଲି ରାଜ୍ୟକୁ ଆସିଲି, ସ୍ୱାଧୀନତା ଉତ୍ସବର କୌଣସି ଚିହ୍ନବର୍ଣ୍ଣ ସେଠି ଦେଖିପାରିଲି ନାହିଁ । ବର୍ଷା ଝୁପୁଝୁପୁ ପଡ଼ୁଥାଏ । ସବୁଦିନ ପରି ରନ୍ତଲେଇ ଗାଁରେ ମଝି ରାସ୍ତା ଉପରେ କାଳିଆ ଲଙ୍ଗଳା ପିଲା କେଇଟା କାଦୁଅ ବଲବଲ ହୋଇ ବୁଲୁଥାନ୍ତି । ଜମି ପାଗିଛି ବୋଲି କୋଉଠି ଚାଷୀଘରର ଲକ୍ଷ୍ମୀ ଦରଓଦା ହୋଇ ଧାନତଳି ମୁଣ୍ଡାଇ ପଧାନ ଘରୁ ଆସୁଥାଏ । ନିତିଦିନର ସଂସାର ଜଞ୍ଜାଳରେ ସମସ୍ତେ ବ୍ୟସ୍ତ ଥାନ୍ତି । ମୁଁ ଭାବୁଥିଲି, ଆମର ଏ ସ୍ୱାଧୀନତା ଅନୁଗୋଳ ସହର ଟପି ନାହିଁ । ସ୍କୁଲ କଲେଜରେ ପଢ଼ୁଥିବା ପିଲାଙ୍କ ଛଡ଼ା ଦେଶର ଆଉ କୌଣସି ପିଲା ଏହି ଦିନଟିର ଆନନ୍ଦରେ ଭାଗ ନେବାକୁ ଆସି ନାହାନ୍ତି ।

 

ଇଉରୋପରେ ସ୍ୱାଧୀନତା ଦିବସର ରୀତିନୀତି ଅଲଗା ଢଙ୍ଗର । ସେଠି ସେଦିନ ସମସ୍ତେ ମଜା କରନ୍ତି, ସମସ୍ତେ ଭୋଜି କରନ୍ତି, ପତାକା ଉଡ଼ାନ୍ତି । ରାତିରେ ମଉଜ ମଜଲିସ ହୁଏ, ନାଚ ଗୀତ ହୁଏ । ମଦ ଆଉ ମାଦକତାରେ ସେଦିନ ଛୁଟିଲାଳସୀ ମଣିଷ ଚାରିଦଉଡ଼ି ଛିଣ୍ଡାଇଦିଏ-। ଇଂରାଜୀ ଭାଷାରେ independence ହେଉଛି ଆମ ସ୍ୱାଧୀନତାର ପ୍ରତିଶବ୍ଦ । କୌଣସି ପ୍ରକାର ନିର୍ଭରଶୀଳତା ନ ରହିବା ହେଉଛି in-dependence ସେଥିଲାଗି independence ପାଳନ କରିବାକୁ ହେଲେ ସେଠି ମଣିଷ ଖୁସି କରେ, ସବୁ ବନ୍ଧନ ଛିଣ୍ଡାଇଦିଏ । ଚାରି ଦଉଡ଼ି କାଟିଦିଏ ।

 

ପଶ୍ଚିମ ସଭ୍ୟତାର independence ଆଉ ଆମ ସଭ୍ୟତାର ସ୍ୱାଧୀନତା ବା ସ୍ୱତନ୍ତ୍ରତା ଭିତରେ ଆକାଶ ପାତାଳ ପ୍ରଭେଦ ରହିଛି । ସ୍ୱାଧୀନ ହେବାର ଅର୍ଥ ହେଉଛି ସ୍ୱ ବା ଆପଣାର ଅଧୀନ ହେବା । ସ୍ୱତନ୍ତ୍ର ହେବାର ଅର୍ଥ ହେଉଛି ଆପଣାର ତନ୍ତ୍ର ବା ଆତ୍ମସଂଯମର ନିର୍ଦ୍ଦେଶକୁ ମାନିବା । ଆମର ସ୍ୱାଧୀନତା ଶବ୍ଦଟି ମଧ୍ୟରେ ସାମାଜିକ, ନୈତିକ ଓ ଆଧ୍ୟାତ୍ମିକ ସମସ୍ତ ପ୍ରକାର ବ୍ୟଞ୍ଜନା ରହିଛି । ମଣିଷର ଶରୀର, ମଣିଷର ଅସଲ ପରିଚୟ ନୁହେଁ । ମଣିଷର ଲୋଭ, ମୋହ, ସ୍ୱାର୍ଥ ଓ ଅହଂକାର ମଣିଷ ମନର ସତ୍ୟରୂପ ନୁହେଁ; ତେଣୁ ଆପଣାର ଶାସନ ଅର୍ଥ ଶରୀର, କାମ ଲାଳସା ବା ସଂଯମହୀନ ସ୍ୱାର୍ଥର ଶାସନ ନୁହେଁ । ମଣିଷର ଅସଲ ପରିଚୟ ହେଉଛି ତା’ର ଆତ୍ମା–ଯିଏ ସବୁ ସମ୍ଭାଳି ରଖିଛି, ଏଇ ଦେହ ଭିତରେ ରହି ଦେହକୁ ଚଳାଉଛି, ମନ ଭିତରେ ରହି ମନକୁ ଉତ୍ତୋଳିତ କରି ରଖୁଛି । ଯିଏ ସବୁରି ସହିତ ଏକପ୍ରାଣ କରିପାରୁଛି, ସେଇ ଆତ୍ମାଦ୍ୱାରାହିଁ ମଣିଷର ଶ୍ରେଷ୍ଠ ପରିଚୟ ମିଳିପାରିବ । ଆମର ଧର୍ମଶାସ୍ତ୍ର ଏ ଦର୍ଶନଶାସ୍ତ୍ରରେ ଏହି ଆତ୍ମାର ନିର୍ଭୀକ ଘୋଷଣା କରାଯାଇଛି । ଏହି ଆତ୍ମାର ମହାନ୍ ପରିଚୟଦ୍ୱାରା ମଣିଷକୁ ଭଗବାନ୍‍ଙ୍କ ସାନ୍ନିଧ୍ୟ ଯାଏଁ ଉଠାଇ ନିଆଯାଇଛି । ଆମେ ପ୍ରାୟ ସବୁଦିନେ ବ୍ୟବହାର କରୁଥିବା ‘ସ୍ୱରାଜ୍ୟ’ ଶବ୍ଦଟିର ମଧ୍ୟ ଏହି ଅର୍ଥ ରହିଛି । ସ୍ୱରାଜ୍ୟ–ସ୍ୱରାଟ୍, ଅର୍ଥାତ୍ ଆପଣା ରାଜ୍ୟ, ଅର୍ଥାତ୍ ଆତ୍ମାର ଶାସନ । ଏଠି ଶୋଷଣ ନାହିଁ, ଏଠି ଅନ୍ୟାୟ ନାହିଁ, ଏଠି ମଣିଷର ମୂଲ୍ୟ କ୍ଷୁଣ୍ଣ କରିବାର ଦମ୍ଭ ନାହିଁ । ଏଠି ମଣିଷକୁ ଗୋଠରେ ପୂରାଇ ଅଡ଼ାଇ ନେବାର କୌଣସି ଉତ୍ତେଜନା ନାହିଁ । ଛାନ୍ଦୋଗ୍ୟ ଉପନିଷଦ୍‍ରେ ଯୋଗସିଦ୍ଧ ପୁରୁଷକୁ ‘ସ୍ୱରାଟ୍’ ବୋଲି କୁହାଯାଇଛି । ସେଦିନ ଉତ୍ସବର ଆନନ୍ଦ ବିହ୍ୱଳତା ଭିତରେ ଆମେ ସ୍ୱରାଜ୍ୟ ବା ସ୍ୱାଧୀନତାର ପ୍ରକୃତ ମର୍ମକୁ କେତେଦୂର ସ୍ମରଣ କରିଥିଲେ, ସେ କଥା ମୁଁ ଜାଣେନାହିଁ । କିନ୍ତୁ ଆତ୍ମ-ସଂଯମର ସାଧନା ଉପରେହିଁ ଯେ ଆମ ସ୍ୱାଧୀନତାର ସ୍ଥାୟିତ୍ୱ ନିର୍ଭର କରୁଛି, ଏକଥା ଅଧିକ କହିବା ଦରକାର ପଡ଼ିବ ନାହିଁ ।

 

୯ । ୯ । ୫୫

 

ସଂସାରରେ ନିତି ମଣିଷ ମରୁଥିଲେ, ନିତି ନାନାପ୍ରକାର ଦୁଃଖ ଦୁର୍ବିପାକ ମଣିଷର ଜୀବନକୁ ଗ୍ରାସ କରି ପକାଉଥିଲା । ଗୋଟାଏ ଗୋଟାଏ ଯୁଦ୍ଧରେ ହଜାର ହଜାର ମଣିଷ ମରୁଥିଲେ । ଯୁଦ୍ଧ ଲାଗି ବିଜ୍ଞାନର ବୁଦ୍ଧି ଖରଚ ହେବା ଦିନଠାରୁ ଏବେ ତ ଗୋଟାଏ ଗୋଟାଏ ଦିନର ଯୁଦ୍ଧରେ ହଜାର ହଜାର ମରୁଛନ୍ତି । ହଜାର ହଜାର ବର୍ଗମାଇଲ ପରିମିତ ଲୋକବସତି ଛାରଖାର ହୋଇଯାଉଛି । ଏହାଛଡ଼ା ରୋଗ, ମଡ଼କ, ଭୂମିକମ୍ପ ତ ପୁଣି ରହିଛି । ମାଛି ପୋକପରି ନିତି ମଣିଷ ମରୁଛନ୍ତି । ବାରବର୍ଷ ତଳେ ଗୋଟାଏ ଦୁର୍ବିକ୍ଷରେ ବଙ୍ଗଳାରେ ତିରିଶ, ଚାଳିଶ ଲକ୍ଷ ଲୋକ ମଲେ । ମାସକ ତଳେ ବନ୍ୟା ବିତ୍ପାତରେ ବିହାର ଆଉ ଆସାମରେ କେତେ ମଣିଷ ମଲେ, କେତେ ସଂସାର ଛାରଖାର ହୋଇଗଲା ।

 

ଏବେ ସେମିତି ଗୋଟାଏ ବିପଦ ଆମ ଘର ପାଖରେ ଆମ ଭିତରୁ ଅନେକଙ୍କର ଘର ଉପରେ ପଡ଼ିଛି । ନଈବନ୍ଧ ଭାଙ୍ଗି କଟକ ଜିଲ୍ଲାଟାସାରା ଆଜି ଜଳାର୍ଣ୍ଣବ ହୋଇଯାଇଛି । ସେପାଖ ଏପାଖ ଭିତରେ ସମସ୍ତ ପ୍ରକାର ଯୋଗାଯୋଗ ବନ୍ଦ ହୋଇଯାଇଛି । ଏଠି ଆମେ ସମସ୍ତେ ସେଥିଲାଗି ଅସ୍ଥିର ହୋଇ ପଡ଼ିଲୁଣି । ଆମେ ଭାବୁଛୁ ଚାଲ, ଦେଶସାରା ଏଡ଼େବଡ଼ ବିପଦରେ ଭାସି ଯାଉଥିବାବେଳେ ଆମେ ଆଉ ଏଠି ଚୁପ୍ ହୋଇ ବସିରହିବା ନାହିଁ । ଏହା ଅତି ଭଲ କଥା । ଚାରିପାଖରୁ ନିର୍ବାସିତ ନିଶ୍ଚିନ୍ତ ହୋଇ ରହିବା ଲାଗି ଆମେ ଏଠିକି ଆସିନାହୁଁ । ସେ ପାଖରେ ବୃହତ୍ତର ସମାଜରେ ଆମର ବାପ, ମାଆ, ଭାଇ, ଭଉଣୀ ଅଛନ୍ତି । ଆମ ଜୀବନର କେତେ ସ୍ନେହ-ପ୍ରେମର ଉତ୍ସ ସେହି ପାଖରେ ରହିଛି । ସେପାଖେ ବିପଦ ପଡ଼ିଥିବାବେଳେ ଆମେ ସମସ୍ତେ କିଛି ନା କିଛି ସାହାଯ୍ୟ କରିବାକୁ ବାହାରି ପଡ଼ିବା, କିଛି ନା କିଛି ସେବାରେ ଲାଗିବାକୁ ବାହାରି ପଡ଼ିବା, ଏହା ଅତି ସ୍ୱାଭାବିକ କଥା । କିନ୍ତୁ ଖାଲି ଉତ୍ତେଜନା ବା ମୋହଜନିତ ଉଦ୍‌ବେଗର ବଶବର୍ତ୍ତୀ ହୋଇ ଆମେ ଏପରି ହେଉନାହୁଁ ତ ? ଏକଥା ଆମେ ଆପଣାକୁ ପଚାରିବା ଉଚିତ । ସଂସାର ଉପରେ ଆଜି ଯେଉଁ ଦୁଃଖ ପଡ଼ିଛି, ତାହାରି ଆଘାତକୁ ଆପଣା ହୃଦୟରେ ଅନୁଭବ କରିବା; ହଜାର ହଜାର ଘର ଉଚ୍ଛନ୍ନ ହୋଇ ଯାଉଥିବାବେଳେ ସେ ଦୁଃଖକୁ ଆପଣାର ଦୁଃଖ ପରି ଅନୁଭବ କରିବା; କେବଳ ଉତ୍ତେଜିତ ବା ଦୁଃଖବିବଶ ହୋଇଯିବା ଠାରୁ ଏଥିଲାଗି ଅନେକ ଅଧିକ ଧୈର୍ଯ୍ୟ ଦରକାର । ସୁଖର ମୋହ ପରି ଦୁଃଖର ମଧ୍ୟ ମୋହ ରହିଛି । ସୁଖ ଯେମିତି ଅନ୍ଧ କରାଏ, ଦୁଃଖ ମଧ୍ୟ ସେମିତି ଅନ୍ଧ କରାଇଦିଏ । ଦୁଃଖର ମୋହରୁ ଆମକୁ ସାବଧାନ ହେବାକୁ ପଡ଼ିବ ।

 

ଆଧ୍ୟାତ୍ମିକ ଜୀବନରେ ଦୁଃଖର ମୂଲ୍ୟବାନ୍ ସ୍ଥାନ ରହିଛି । ଦୁଃଖ ମଣିଷକୁ ଚେତାଇ ଦେବାକୁ ଆସେ । ମଣିଷ ଯେତେବେଳେ ମୋହ ନିଦ୍ରାର କବଳରେ ପଡ଼ି ସୁଖ ବା ଭୋଗର ଅଳସ ସ୍ୱପ୍ନ ଦେଖୁଥାଏ, ସେତିକିବେଳେ ଦୁଃଖ ହଠାତ ଆସି ନିଦ ଭାଙ୍ଗିଦେଇ ଯାଏଁ । ଭୋଗର ନିଶା ଭାଙ୍ଗିଯାଏ, ସ୍ୱାର୍ଥଲାଳସାର କୁହୁଡ଼ି କାକର ହୋଇ ଝରିପଡ଼େ । ଭଗବାନ୍‍ଙ୍କ ସହିତ ପୁଣି ମଣିଷର ଖିଅ ଯୋଡ଼ି ହୋଇଯାଏ । ଆଜିର ଏ ଦୁଃଖ ଦିନରେ ଆମେ ସେହିପରି ଆମର ନିଦ ଭାଙ୍ଗିଦେବା । ସଂସାରରେ ଆଜି ଅନେକ ଦୁଃଖ । ସବୁଆଡ଼େ ଆଜି ଅସହାୟ ମଣିଷର ଆଶା ଆଉ ଆକାଂକ୍ଷା ଅଥଳ ଜଳ ଭିତରେ ଉବୁଟୁବୁ ହେଉଛି । ଆମେ ତ ଢିପ ଜାଗାଟିଏ ଧରି ସଂସାରରେ ବେଶ୍ ରହିଛେ । ଏଠି ଭୋଗର ସ୍ୱପ୍ନ ଦେଖୁଛେ । ନାନା ଆନନ୍ଦ ବିନୋଦରେ ଯୌବନର ମିଠା ଖଟା ଚାଖିବା ଲାଗି ବେଶ୍ ପ୍ରସ୍ତୁତ ହୋଇ ରହିଛେ । ଶରୀର ଓ ମନର ନାନା ସାମଗ୍ରୀ ବାଢ଼ି ବେଶ୍ ଆମର ଭୋଗର ଉତ୍ସବକୁ ଆମେ ଜମାଇ ରଖିଛେ । ସେ ପାଖରେ ଆମରି ଆପଣାର ଲୋକେ ଜୀବନ ମରଣର ମଝି ଧାରାରେ ପଡ଼ି ହାହାକାର କରୁଅଛନ୍ତି । ସେଠି ଆମରି ଜମିର ଶସ୍ୟ ସଂପଦ ଉପରେ ଅକାତ ପାଣି ଗର୍ଜନ କରୁଛି । ଆମର ବାପଭାଇ ସମ୍ଭାଳି ରଖିଥିବା ସଂସାର ଆଜି ଉଜୁଡ଼ି ଯାଉଛି । ସେଠି ଆଜି କେତେ ପିଲାଙ୍କ ପେଟରେ ହୁଏତ ଢୋକେ ଦାନା ପଡ଼ିନାହିଁ । ଏ ଦୁଃଖକୁ ଆମେ ଆପଣାର ହୃଦୟରେ ଅନୁଭବ କରିବା ।

 

ଆମର ସହାନୁଭୂତି ଯେପରି କ୍ଷଣସ୍ଥାୟୀ ନ ହେଉ, କ୍ଷଣକର ଅସ୍ଥିରତା ଦେଖାଇ ଯେପରି ତାହା ପୁଣି ଥଣ୍ଡା ହୋଇ ନ ଯାଉ । ପାଞ୍ଚ ଟଙ୍କା ପଠାଇ ଦେଇ ଯେପରି ଆମର ଦରପାକଳ ମନ ପୁଣି ଭୋଗ ଆଉ ବିନୋଦନର ଶେଯ ଉପରେ ଅଚେତ ହୋଇ ଶୋଇ ନ ପଡ଼ୁ । ଆମେ ଆମ ଜୀବନର ପରିବର୍ତ୍ତନ କରିଦେବା । ଆଜିର ଦୁଃଖ ଆମ ଭିତରେ ପୋକପରି ରହିଥିବା ସମସ୍ତ ପ୍ରକାର ଭୋଗାଦର୍ଶକୁ ପୋଡ଼ି ପାଉଁଶ କରିଦେଉ । ପାଞ୍ଚ ଜଣଙ୍କ ଦୁଃଖରେ ଭାଗୀ ହୋଇପାରିବା ଭଳି ଆମର ହୃହୟ ତିଆରି ହୋଇଯାଉ । ଆମ ଜୀବନର ଦୃଷ୍ଟିକୋଣ ବଦଳିଯାଉ-। ଆଜି ପ୍ରାର୍ଥନାରେ ବସି ଜୀବନର ହିସାବ ଜୀବନର ମାଲିକ ପାଖରେ ବୁଝାଇବାବେଳେ ଆମେ ଏଇ ସଂକଳ୍ପ କରିନେବା ।

 

୧୨ । ୯ । ୫୫

 

ଏ କେତେ ଦିନ ହେଲା ସେଇ ଗୋଟାଏ କଥା ଛଡ଼ା ଆମେ ଆଉ କିଛି ଚିନ୍ତା କରିପାରୁ ନାହୁଁ । ଖବରକାଗଜ ଦେଖିଲେ ଆମେ କେତେ ଆକୁଳ ହୋଇ ଧାଇଁଯାଉଛୁ । ଆମର ଆଖି ଆଗରେ ନଈବଢ଼ିର ଭୟଙ୍କର ଦୃଶ୍ୟମାନ ସତତ ଭାସି ଭାସି ଚାଲିଛି । କୋଉଠି ବିଲ, ତୋଟା, ଦୁଆର ଆଉ ଘରଡ଼ିହକୁ ଏକ କରି ପାଣିର ସୁଅ ଚାଲିଛି । କୋଉଠି ଘର ଭିତରେ ପାଣି ପଶି ଅସତର୍କ ମଣିଷକୁ ଭସାଇ ନେଇଯାଉଛି । କୋଉଠି ଛୋଟିଆ ଟାପୁ ଉପରେ ହଜାର ହଜାର ମଣିଷ ତିନିଦିନ ଉପାସରେ ବ୍ୟସ୍ତ ହୋଇ ପଡ଼ିଲେଣି । ଆମର ଘର, ଆମର ମା ବାପା, ଭାଇ ଭଉଣୀ ଆଜି ସେହି ବିପଦରେ ପଡ଼ିଛନ୍ତି । ସେଠି ସେମାନଙ୍କର କି ଦଶା ହୋଇଛି, ତା’ ଆମେ କଳ୍ପନା ମଧ୍ୟ କରିପାରୁନାହୁଁ । ସେମାନଙ୍କ ଠାରୁ ଶହେ ମାଇଲ ଦୂରରେ ଥାଇ ମଧ୍ୟ ସେମାନଙ୍କର ଦୁର୍ଦ୍ଦଶାର କଳ୍ପନା କରି ଦେହ ଶୀତେଇ ଉଠୁଛି । ପାଖରେ ଥିଲେ ଆଉ କ’ଣ ହୋଇଥାନ୍ତା କେଜାଣି-?

 

ଭୁବନବ୍ୟାପୀ ଆଜି ଆମେ ଖାଲି ଦୁଃଖର ପ୍ରତ୍ୟକ୍ଷ କରୁଛୁ । ଖାଲି ଦୁଃଖ ଆମର ସମସ୍ତ ଅନ୍ତରକୁ ଅଭିଭୂତ କରି ରଖିଛି । ଦୁଃଖର ଏ କି ଅପୂର୍ବ ଶକ୍ତି ରହିଛି ! ସୁଖବେଳେ ଏପରି ଏକତ୍ୱର ଅନୁଭବ ସାଧାରଣତଃ ହୋଇ ନଥାଏ । ଯେତେ ଉପଭୋଗ ଭିତରେ ବୁଡ଼ିରହିଲେ ମଧ୍ୟ ଭବିଷ୍ୟତ୍‍ରେ କାଳେ ଭୋଗ ଆଉ ସୁଖ ଚାଲିଯିବ, ସେଥିଲାଗି ସୁଖବେଳେ ମନ ସହିତ ଆଶଙ୍କାରେ ସଶଙ୍କ ହୋଇ ରହିଥାଏ । କିନ୍ତୁ ଦୁଃଖ ଅନୁଭବ କଲାବେଳେ ମନ ଭିତରେ ସେପରି କୌଣସି ଆଶଙ୍କା ନ ଥାଏ, କୃପଣତା ମଧ୍ୟ ନ ଥାଏ । ଦୁଃଖ ମନକୁ ଶୁଦ୍ଧ କରେ, ଦୁଃଖ ସମସ୍ତ ପ୍ରକାର ଭୋଗ ସ୍ୱପ୍ନରୁ ମନକୁ ତା’ର ଆପଣା ନୀଡ଼କୁ ସଂଗୃହୀତ କରି ନେଇଆସେ । ସଂସାରର ଦୁଃଖରେ ସମଦୁଃଖୀ ହେଲାବେଳେ ମଣିଷ ସବୁ ସ୍ୱାର୍ଥବୁଦ୍ଧି ପାସୋରି ଦିଏ, ଆପଣା ଜୀବନର ସବୁ ମାୟା ଓ ମଳିନତା ଧୋଇ ହୋଇଯାଏ । ସେତେବେଳେ ଆପଣାର ସବୁ ସମର୍ପଣ କରିଦେବାକୁ ଇଚ୍ଛା ହୁଏ, ଆପଣାର ଯାହା ଅଛି ସବୁ ଦେଇ ଆଉ ଜଣକର ଅଭାବର ପୂରଣ ଭରିଦେଇ ଆସିବା ଲାଗି ମନ ଉଦ୍‍ବିଗ୍ନ ହୋଇଉଠେ । ମନରେ ନୂଆ ଶକ୍ତି ଭରିଯାଏ, ନୂଆ ସଂକଳ୍ପ ଆସେ । ସୁଖ ମଣିଷ ଭିତରେ ଭୟ ପୂରାଇ ଦିଏ, ଦୁର୍ବଳତା ପୂରାଇଦିଏ; କିନ୍ତୁ ଦୁଃଖ ମଣିଷର ଭୟ ହରାଇନିଏ, ମଣିଷକୁ ଶକ୍ତିଶାଳୀ କରିଦେଇଯାଏ ।

 

ଦୁଃଖ ଆସି ପହଞ୍ଚିବା ପୂର୍ବରୁ ଆମେ ବାର ପ୍ରକାର ଅନୁରକ୍ତି ବିରକ୍ତି ନେଇ ବାର ଜାଗାରେ ପଡ଼ିରହିଥାଉ । ଜୀବନର କେନ୍ଦ୍ରର ଅନେକ ଦୂରକୁ ବିଚ୍ୟୁତ ହୋଇଯାଇଥାଉ । ପର୍ବତ ଶିଖରର ବର୍ଷାଜଳ ପରି ଆମର ଚିତ୍ତ ନାନାଆଡ଼େ ବିକ୍ଷିପ୍ତ ହୋଇ ଆପଣାର ସଂହତି ହରାଇ ପକାଇଥାଏ । ଏତିକିବେଳେ ଦୁଃଖର ଗୋଟାଏ ଆଘାତ ପୁଣି ଆମକୁ ଆମର ଅସଲ ଆଶ୍ରୟ ପାଖକୁ ଫେରାଇ ଆଣେ । ଆମେ କେନ୍ଦ୍ର ପାଖକୁ ବାହୁଡ଼ି ଆସୁ, ସାରା ସଂସାର ସହିତ ସମଦୁଃଖୀ ହେବାର ବଳ ଆମର ଆସେ । ଆପଣା ସ୍ୱାର୍ଥକୁ ପଛରେ ରଖି ଆଗ ଅପରକୁ କିଛି ସାହାଯ୍ୟ କରିପାରିବାର ମଣିଷପଣିଆ ପୁଣି ଆମ ଭିତରେ ଜୀବନ ପାଇ ଉଠେ । ଏଇଥିଲାଗି ଯୁଗେ ଯୁଗେ ମହାପୁରୁଷମାନେ ଦୁଃଖର ଏତେ ପ୍ରଶଂସା କରିଛନ୍ତି । ଏଇ ଦୁଃଖ ନେଇ ସଂସାରର ଅଧେ କାବ୍ୟକବିତାର ସୃଷ୍ଟି ହୋଇଛି । କାରଣ ଦୁଃଖ ଆମକୁ ସାରା ସଂସାର ସହିତ, ସମସ୍ତ ସୃଷ୍ଟି ସହିତ ଏକାତ୍ମ ହେବାକୁ ଶିଖାଏ । ଯଥାର୍ଥ ଗଭୀର ଭାବରେ ଅନୁଭବ କରି ଶିଖିଲେ ଦୁଃଖ ଆମକୁ ଭଗବାନ୍‍ଙ୍କ ଆଡ଼କୁ ମୁହାଁଇନିଏ; ଭଗବାନ୍‍ଙ୍କର ଯୋଗ୍ୟ ହେବା ଭଳି ଆମକୁ ପବିତ୍ର ଓ ନିର୍ମଳ କରିଦିଏ ।

 

ଆଜିକାର ଦୁଃଖ ଆମକୁ ସେଇ ଗଭୀର ଅନୁଭୂତି ଆଣି ଦେଉ । ସବୁବେଳେ, ଜୀବନର ପ୍ରତ୍ୟେକ କାର୍ଯ୍ୟରେ ଆମେ ସାରା ସଂସାରର ବିସ୍ତୃତ କ୍ଷେତ୍ର ଉପରେ ଆପଣାର ବିଚାର କରି ଶିଖୁ-। ଆମର ସ୍ୱାର୍ଥ ଓ ମୋହର ସବୁ ଲାଳସା ଦୂର ହୋଇଯାଉ । ଆମ ଭିତରେ ଆମର ଅନ୍ତରକୁ କାମୁଡ଼ି ଧରିଥିବା ଭୋଗ ଓ ରୀତିର ସମସ୍ତ କୀଟ ଆଜି ମରିଯାଆନ୍ତୁ । ଖାଲି ନିର୍ମଳ ଜ୍ଞାନ ଓ ନିର୍ମଳ ସେବାର ଜୀବନ-ପାତ୍ରଟି ଧରି ଭଗବାନ୍‍ଙ୍କ ପାଖରେ ଠିଆ ହୋଇପାରିବାର ସାହସ ଆମେ ଯେପରି ଆଜିକାର ଦୁଃଖ ଭିତରୁ ପାଇପାରୁ । ଆଉ କେତେଦିନ ଗଲେ ନଈରୁ ପାଣି ଶୁଖିଯିବ, ଭଙ୍ଗା ସଂସାର ପୁଣି ନୂଆ ହୋଇ ହସିଉଠିବ, ଆଜିର ବିକଟ ଦୁଃଖ କାଲିକୁ ରହିବ ନାହିଁ-। କିନ୍ତୁ ଆଜିର ଦୁଃଖ ନିର୍ମଳ ଓ ଶୁଦ୍ଧ ହେବାର ଯେଉଁ ଶକ୍ତି ଆଜି ଆମକୁ ଦେଇଯାଇଛି, ପୁଣି ଭୋଗରେ ମଜି ଆମେ ଯେପରି ସେହି ଶକ୍ତି ଟିକକ ହରାଇ ନ ବସୁ ।

 

୧୩ । ୯ । ୫୫

 

ଆଜି ସକାଳୁ ଆମରି ଭିତରୁ ଜଣେ ଭାଇଙ୍କର ବ୍ୟକ୍ତିଗତ ଖାତା ମୁଁ ପଢ଼ୁଥିଲି । ସେପ୍ଟେମ୍ବର ଏଗାର ତାରିଖ ଦିନ ବିନୋବାଜୀଙ୍କର ଜନ୍ମ ତିଥିକୁ ସେ ଏକ ନୂଆ ପ୍ରକାରେ ପାଳନ କରିଛନ୍ତି । ପିଲାଦିନରୁ ଆଜି ପର୍ଯ୍ୟନ୍ତ ସେ ଯେତେ କୁକାର୍ଯ୍ୟ କରି ଆସିଛନ୍ତି, ଯେତେଥର ସଂଯମ ଓ ଆତ୍ମନିର୍ମାଣର ପଥ ହୁଡ଼ି ଯାଇଛନ୍ତି, ଯେତେଥର ସେ ଭୋଗଲାଳସାରେ ପଡ଼ି ଆପଣାକୁ ବାନ୍ଧି ପକାଇବାର ମୋହଜାଲ ତିଆରି କରିଛନ୍ତି ସେ ଦିନର ପୁଣ୍ୟତିଥିରେ ସେ ସବୁ କଥା ଖୋଲି ଲେଖି ପକାଇଚନ୍ତି । ଅନ୍ତର ଅନୁଭୂତିରେ ଯେଉଁଠି ଯେତେ ପଚାଶଢ଼ା ସ୍ମୃତିର କାଦୁଅ ଲାଖି ରହିଥିଲା, ସବୁ ପୋଛିପକାଇ ସେ ନିର୍ମଳ ହୋଇ ଯାଇଛନ୍ତି । ମୁଁ କହିବି ସେ ଯଥାର୍ଥ ଭାବରେ ବିନୋବାଜୀଙ୍କର ଜନ୍ମତିଥି ପାଳନ କରିଛନ୍ତି ।

 

ମହାପୁରୁଷମାନଙ୍କର ଜନ୍ମତିଥି ପ୍ରଧାନତଃ ଆମକୁ ଏହିପରି ଚେତେଇ ଦେବାକୁ ଆସେ, ଏହିପରି ଆମର ନିଦ ଭଙ୍ଗାଇଦେବାକୁ ଆସେ । ନାନା ଲାଭକ୍ଷତିର ଲାଳସା ଓ ଆଶଙ୍କାରେ ଆମେ ଜର୍ଜର ହୋଇ ପଡ଼ିଥିଲାବେଳେ ତାହା ଧକା ଦେଇ ଆମର ବନ୍ଦ ଦୁଆରକୁ ଭାଙ୍ଗି ଦେବା ଲାଗି ଆସେ । ଚିରାଚରିତ ଜୀବନଯାତ୍ରାରେ ଅନେକ ଅସାର ଆବର୍ଜନାକୁ ନାନା ଆଡ଼ମ୍ବରରେ ସାଇତିଧରି ଯେତେବେଳେ ଆମେ ସୁଖୀ ଜୀବନ ଯାପନ କରିବାର ମୋହରେ ପଡ଼ିଥାଉ, ସେତିକିବେଳେ ଏହିପରି ଗୋଟିଏ ଗୋଟିଏ ଦିନ ଏକ ଅଦ୍ଭୁତ ଆହ୍ୱାନ ନେଇ ଆମ ଆଗରେ ପହଞ୍ଚେ । ଆମର ସବୁ ଶାନ୍ତି ଆଉ ସାନ୍ତ୍ୱନା ଚୁଲିକୁ ଯାଏଁ । ଆମର ସବୁ ବେଶ ପଦାରେ ପଡ଼ିଯାଏ, ମୋହ ଉପରେ ବିବେକର ଜୟ ହୁଏ । ମଇଳା ଲୁଗାକୁ ତଳେ ପକାଇ ଦେଇ ଆସିଲା ପରି ଆମେ ଘୋଡ଼ାଇ ରଖିଥିବା ସବୁ ମଇଳାକୁ ଖୋଲି ବାହାର କରି ଦେବାକୁ ଅପୂର୍ବ ବଳ ପାଉ । ଆମ ଆପଣା ଭିତରେ ଲୁଚି ରହିଥିବା ଶକ୍ତିର ସାକ୍ଷାତ ପରିଚୟ ମିଳିଯାଏ । ସଂସାରରେ ନୂଆ ହୋଇ ଜନ୍ମଲାଭ କଲାପରି ଲାଗେ । ନିଜର ଲଜ୍ଜା ଓ ଗ୍ଳାନିଗୁଡ଼ାକ ଲୁଚାଇ ରଖିବାକୁ ଆଉ ଭଲ ଲାଗେ ନାହିଁ । ସବୁପ୍ରକାର ଢାଙ୍କୁଣି ଖୋଲିଦେଇ ନଗ୍ନ ପବିତ୍ର ଶିଶୁପରି ଆମେ ବାହାରି ଆସୁ । ସଂସାରକୁ ନୂଆ ଆଖିରେ ଦେଖିଲା ପରି ମନେ ହୁଏ । ସଂସାରର ଓ ଆପଣାର ନୂଆ ପରିଚୟ ମିଳେ । ଭଗବାନ୍‍ଙ୍କୁ ଅତି ପାଖରେ ପାଇଲା ପରି ଲାଗେ ।

 

ଏମିତି ଆମର ନବଜନ୍ମ ହେଉ । ଏଇଥିରେହିଁ ଆମର ଶିକ୍ଷାଶ୍ରମ ସାର୍ଥକ ହେବ । ବାହାରର କଞ୍ଚା ଆବରଣଟାକୁ ପୋଡ଼ି ଭିତରର ଖାଣ୍ଟି ସୁନାକୁ କାଢ଼ି ଦେଖାଇଦେବା ହେଉଛି ପ୍ରକୃତ ଶିକ୍ଷାର କାମ । ଆମ ଉପରେ ସଭ୍ୟତା, ସମ୍ମାନ ଓ ସଂସାରର ନାନା ଆବରଣ ରହିଛି । କୁଶିକ୍ଷାର ମୋହରେ ପଡ଼ି ଏହି ଆବରଣକୁ ଆମେ ନାନାପ୍ରକାର ବାହାନା ଦେଖାଇ ସହିବାରେ ଅଭ୍ୟସ୍ତ ହୋଇଯାଉଛୁ । ଏସବୁ ଅତ୍ୟାଚାର ଫଳରେ ଆମର ଅସଲ ମନ, ଆମର ଅସଲ ଶକ୍ତି ଆଉ ଅସଲ ସୌନ୍ଦର୍ଯ୍ୟ କେତେ ଆବରଣ ତଳେ କୋଉଠି ଚାପା ପଡ଼ି ରହିଯାଉଛି । ଆମର ପ୍ରକୃତ ଜନ୍ମ ହୋଇ ପାରୁନାହିଁ । ନିଜର ଶକ୍ତ, ନିଜର ସାମର୍ଥ ଓ ସୌନ୍ଦର୍ଯ୍ୟର ପୂର୍ଣ୍ଣ ପରିଚୟ ଆମେ ପାଇପାରୁ ନାହିଁ । ସଂସାରର ହାଟବଜାର ଲାଗି ଆପଣାକୁ ସଜାଇବାରେ ଦିନରାତି ବ୍ୟସ୍ତ ବିବ୍ରତ ରହି ଆମେ ପଛରେ ଅନ୍ତରାଳରେ ପଡ଼ିରହୁଛୁ । ଏଇଠି ସବୁ ଶିକ୍ଷାର ପରାଜୟ ହେଉଛି । ନାନାପ୍ରକାର ବିଦ୍ୟା ବା କାରିଗରିରେ ହୁଏତ ଆମର ଦକ୍ଷତା ବଢ଼ୁଛି, କିନ୍ତୁ ଆପଣାର ଶକ୍ତିକୁ ଆବିଷ୍କାର କରିବା ଲାଗି ଆମର ବଳ ହଟିଯାଉଛି; ବିଶ୍ୱାସ ମରିଯାଉଛି । ସୃଷ୍ଟିର ଅପାର ଆନନ୍ଦ-କ୍ରମର ଅତି ନିକଟରେ ରହି ମଧ୍ୟ ଆମେ ତାଠୁଁ ବହୁ ଦୂରରେ ବଞ୍ଚିତ ହୋଇ ରହୁଛୁ ।

 

ଧର୍ମ-ଜୀବନରେ ପୋଷାକି ଆଉ ଆଠପହରୀର ଭେଦ ନାହିଁ । ଧାର୍ମିକ ଲୋକ ବାହାରେ ଯେମିତି, ଭିତରେ ସେମିତି । ମଧ୍ୟ ଯୁଗର ୟୁରୋପୀୟ ଧର୍ମସାଧକ କେମ୍ପିସ୍ (kampis) ଏକଥା କହିଛନ୍ତି । ଧର୍ମ-ଜୀବନରେ କେବଳ ଗୋଟାଏ ସିଂହାସନ ରହିଛି, ତାହା ଭଗବାନ୍‍ଙ୍କ ପାଇଁ, ସତ୍ୟପାଇଁ । ସେଠି ଗୋଟିଏ ଅନୁରକ୍ତି, ସେଠି କେବଳ ଜଣଙ୍କର ଭୟ । ତାହା ଭଗବାନ୍‍ଙ୍କର, ସତ୍ୟର । ନାନାପ୍ରକାର ଲାଜ ଓ ଅପମାନର ଆତଙ୍କିତ ଯୁକ୍ତିରେ ଆମେ ଜୀବନକୁ ଦୁଇ ଖଣ୍ଡ କରି ପକାଇଛୁ । ଆମର ଧର୍ମ, ଆମର ଦୃଷ୍ଟିକୁ ଏହିପରି ଆମେ କଳୁଷିତ କରି ରଖିଛୁ, ଏଇ ଦୁଇଖଣ୍ଡକୁ ସାହସର ସହିତ ଯିଏ ଯୋଡ଼ି ଜୀବନ-ପଥରେ ନିର୍ମଳ ହୋଇ ଠିଆହେବାର ଉଦ୍ୟମ କରୁଛି, ସେ ଆମ ସମସ୍ତଙ୍କର ଅଭିନନ୍ଦନର ଯୋଗ୍ୟ । ତାହାର ଜୟ ହେଉଛି, ତାହାରି ମଧ୍ୟଦେଇ ସତ୍ୟର ଜୟ ହେଉ ।

 

୧୪ । ୯ । ୫୫

 

ଇଉରୋପର ଧର୍ମ ଇତିହାସରେ ଥିବା ଅଦ୍ଭୁତ କାହାଣୀ ମୋର ଆଜି ଭାରି ମନେପଡ଼ୁଛି । ଆମେ ସମସ୍ତେ ଏଇ କେତେଦିନ ହେଲା ଦୁଃଖରେ ସନ୍ତପ୍ତ ହୋଇ ରହିଛୁ । ସେଇ ଏକ ଦୁଃଖ ଭାବନାଟି ଛଡ଼ା ଆମ ମୁଣ୍ଡରେ ଆଉ କିଛି ପ୍ରବେଶ କରିପାରୁନାହିଁ । ଦୁଃଖକୁ ଗଭୀର ଭାବରେ କିପରି ହଜମ କରାଯାଇପାରିବ, ତା’ର ଏକ ଦୃଷ୍ଟାନ୍ତ ଆମେ ଆଜି ଶୁଣିବା । ଆଜିକୁ କେତେ ଶହ ବର୍ଷ ତଳେ ଇଟାଲୀ ଦେଶର ସିଏନା ସହରରେ କାଥେରିନ୍ ନାମରେ ଜଣେ ସନ୍ନ୍ୟାସିନୀ ଥିଲେ । ନାଜାରେଥର ଯିଶୁଖ୍ରୀଷ୍ଟଙ୍କୁ କିପରି କ୍ରୁସ୍ ଉପରେ କଣ୍ଟା ପିଟାଇ ମାରି ଦିଆଯାଇଥିଲା, ସେହି ନିର୍ମମ କାହାଣୀ ଆମେ ସମସ୍ତେ ଜାଣୁ । କାଥେରିନ୍ ପିଲାଟି ଦିନରୁ ଏହି କଥା ଭାବୁଥିଲେ । ଯିଶୁଙ୍କର ଜିଅନ୍ତା ଶରୀର ଉପରେ କଣ୍ଟା ପିଟାହୋଇ ରକ୍ତ ବୋହୁଥିବାବେଳେ ସେ ଯେ କେଡ଼େ ପ୍ରାଣାନ୍ତକ କଷ୍ଟ ପାଇଥିବେ, ଏହି କଥା ଭାବି କାଥେରିନ୍‌ଙ୍କର ଦେହ ଶୀତେଇ ଉଠୁଥିଲା । ସାରା ସଂସାରର ପରିତ୍ରାଣ ଲାଗି ଭଗବାନ୍-ପୁତ୍ର ଯିଶୁଖ୍ରୀଷ୍ଟ କେତେ କଷ୍ଟ ପାଇଲେ, ସଂସାରର ସବୁ ପାପକୁ ଧୋଇ ନେବାଲାଗି କେତେ ଦୁଃଖ ଯନ୍ତ୍ରଣାକୁ ସେ ଆପେ ବରଣ କରିନେଲେ, ଏହି ଚିତ୍ରମାନ ନିରନ୍ତର ସନ୍ନ୍ୟାସିନୀ କାଥେରିନ୍‌ଙ୍କର ମନକୁ ଅଭିଭୂତ କରି ରଖିଥିଲା-। ଯିଶୁଙ୍କ ଜୀବନର ଏହି ଘଟନାଟି ତାଙ୍କ କଳ୍ପନାକୁ ସବୁବେଳେ ପୂର୍ଣ୍ଣ କରି ରଖିଥିଲା-। ହଠାତ ଦିନେ ଦେଖାଗଲା, ଯିଶୁ ଶରୀରର ଯେତୋଟି ଜାଗାରେ କଣ୍ଟା ପିଟାହୋଇ ରକ୍ତ ବୋହିଥିଲା, ସନ୍ନ୍ୟାସିନୀ କାଥେରିନ୍‌ଙ୍କର ଶରୀରରେ ଠିକ୍ ସେହି ସେହି ଜାଗାରେ ଗୋଟିଏ ଗୋଟିଏ କ୍ଷତଚିହ୍ନ ଦେଖାଗଲା । ସତେଅବା କାଥେରିନ୍ ନିଜେ କ୍ରୁସବିଦ୍ଧ ହୋଇ ତଜ୍ଜନିତ ଯନ୍ତ୍ରଣା ନିଜେ ମଧ୍ୟ ସହୁଛନ୍ତି-। ଏହି ଘଟନା ପରେ କାଥେରିନ୍‍ଙ୍କର ଧର୍ମାତ୍ମ ସାରା ଦେଶରେ ପ୍ରଖ୍ୟାତ ହୋଇଗଲା-। ସନ୍ନ୍ୟାସିନୀଙ୍କ ଜୀବନର ନାନା ସ୍ମୃତିକୁ ନିଜେ ଦେଖିବାର ଆଗ୍ରହ ନେଇ ମୁଁ ମଧ୍ୟ ଦୁଇବର୍ଷ ତଳେ ସିଏନା ସହରକୁ ଯାଇଥିଲି । ସେଠି କାଥେରିନ୍‌ଙ୍କର ତପସ୍ୟା-ମନ୍ଦିର, ବାସ-ଭବନ ଓ ଗିର୍ଜା ସବୁ ଏପର୍ଯ୍ୟନ୍ତ ସୁରକ୍ଷିତ ହୋଇ ରହିଛି ।

 

ଧର୍ମର ଇତିହାସରେ ଏପରି ଏକାଧିକ ଦୃଷ୍ଟାନ୍ତ ରହିଛି । ଜଗତର ଦୁଃଖକୁ ଠିକ୍ ଆପଣାର ଦୁଃଖ ପରି ଅନୁଭବ କରି ଜଗତର କେତେ ଧର୍ମ ପରାୟଣ ମହାତ୍ମା ସବୁ ସୁଖ, ସବୁ ଭୋଗବିଳାସ ଛାଡ଼ି ଜଗତ ଲାଗି ନିସ୍ତାର ବାଟ ଖୋଜି ବୁଲୁଛନ୍ତି । ସଂସାରର ରୋଗ, ସଂସାରର ବାର୍ଦ୍ଧକ୍ୟ, ଆଉ ସଂସାରର ମରଣ କେତେ ମଣିଷଙ୍କୁ ଦାଣ୍ଡକୁ ବାହାର କରି ଆଣିଛି । ଖାଲି ସେହିପରି ଗଭୀର ଭାବରେ ଅନୁଭବ କରିବାର ଶକ୍ତି ଆମର ରହିଥିଲେ ହେଲା । ତା’ହେଲେ ଦୁଃଖଦ୍ୱାରା ଆମ ଜୀବନରେ ଅନେକ ପରିବର୍ତ୍ତନ ସମ୍ଭବ ହୋଇପାରିବ । ଦୁଃଖ ଆମ ସାରା ଜୀବନର ଭୂମିକୁ ବଦଳାଇ ଦେଇପାରିବ । କିନ୍ତୁ ଖାଲି ଅସ୍ଥିର ବା ଖାଲି ବିହ୍ୱଳ ହୋଇପଡ଼ିଲେ, ଖାଲି ଆତୁର କାତର ହୋଇ ଚିତ୍କାର କରିବାକୁ ଆରମ୍ଭ କଲେ ଆମେ ତିଳେହେଲେ ଉପକୃତ ହୋଇପାରିବା ନାହିଁ । ଅସ୍ଥିରତା ଆଉ ଆତୁରତା ଅତି କ୍ଷଣସ୍ଥାୟୀ, ଠିକ୍ ଆଜିକାର ବଢ଼ିପାଣି ପରି । ସାତ ଦିନ ପରେ ବଢ଼ିପାଣିର ପ୍ରକୋପ କମିଗଲେ ଆଜିର ଅସ୍ଥିରତା ଆମକୁ ଯୋଉ ପୁରୁଣାକୁ ସେଇ ପୁରୁଣା ମଣିଷ ପରି ରଖିଦେଇ ଛାଡ଼ି ଚାଲିଯିବ । କ୍ଷଣିକ ଉତ୍ତେଜନା ଚାଲିଗଲେ, ଆମେ ଯୋଉ କ୍ଷୁଦ୍ରକୁ ସେଇ କ୍ଷୁଦ୍ର ହୋଇ ପଡ଼ି ରହିଥିବା ।

 

ଆଜିର ଦୁଃଖ ଆମ ସମସ୍ତଙ୍କୁ ଅନେକ ଶିକ୍ଷା ଦେଇଯାଇଛି । ଭୋକ ଉପାସରେ ଆକାଶତଳେ ପଡ଼ିରହିଥିବା କେତେ ମଣିଷର ଦୁଃଖରେ ଆମେ ସମଦୁଃଖୀ ହୋଇପାରିଛୁ । ଆମେ ଆମର ସବୁ କାର୍ଯ୍ୟକ୍ରମ ଛାଡ଼ି ସେହିମାନଙ୍କ ଲାଗି କଣାଏ କିଛି କରିପାରିବାକୁ ବଳବାନ୍ଧି ବାହାରିଛୁ; କିଛି କରିପାରିଲେ ଆନନ୍ଦ ପାଉଛୁ । ଆମର ହୃଦୟ ଆଜି ଆପଣାର ସଂକୀର୍ଣ୍ଣ ହିସାବଖାତା ଛାଡ଼ି ଅନେକଙ୍କ ଲାଗି ପ୍ରସାରିତ ହୋଇପାରିଛି । ଏହିପରି ଶୁଦ୍ଧ ପ୍ରସାରିତ ହୃଦୟ ଆମର ସବୁ ଦିନର ସମ୍ପଦ ହୋଇ ରହିଥାଉ । ଆମେ ଆଜି ସରଳତାର ଦୀକ୍ଷା ନେବା, ଜୀବନଶୁଦ୍ଧିର ଦୀକ୍ଷା ନେବା । ଆମର ପଡ଼ୋଶୀ ଛଅ ପଇସାର ସଂସ୍ଥାନ ପାଇପାରୁ ନ ଥିବା ସ୍ଥଳେ ଆମେ ଆଉ ଛ’ଅଣାର ସୁଖ ସମ୍ଭୋଗକୁ ମନ ବଳାଇବା ନାହିଁ । ଆଜିକାର ଦୁଃଖ ଆମ ପ୍ରତ୍ୟେକଙ୍କର ଅନ୍ତରରେ ଯେଉଁ କ୍ଷତ କାଟି ଦେଇଛି, ସେହି କ୍ଷତ ଆମର ସେହି ଦିନଯାଏଁ ରହିଥାଉ, ଯେ ପର୍ଯ୍ୟନ୍ତ ସଂସାରରୁ ଭୋକ ଉପାସର ଦୁଃଖ ଘୁଞ୍ଚି ନ ଯାଇଛି ।

 

୧୫ । ୯ । ୫୫

 

ଆମ ଛୋଟିଆ ସମାଜଟିରେ ପରସ୍ପର ଭିତରେ ଯେତିକି ସଦ୍‍ଭାବ ରହିବାର କଥା ସେତେ ସଦ୍‍ଭାବ ନାହିଁ । ନାନାପ୍ରକାର ବ୍ୟକ୍ତିଗତ ବାଦବିବାଦକୁ ଗଣ୍ଠି କରି ଧରି ଆମ ଭିତରୁ କେତେକ ସମସ୍ତଙ୍କ ସହିତ ଠିକ୍ ସାମାଜିକ ସମ୍ପର୍କ ରଖିପାରୁ ନାହାନ୍ତି । ମାସକ ତଳେ ସମସ୍ତେ ମିଶି ଏହି କଥାର ଆଲୋଚନା କରିଥିଲେ । ମୁଁ ସେ ଆଲୋଚନାରେ ଉପସ୍ଥିତ ନଥିଲି । ଆଲୋଚନାରେ କରାଯାଇଥିବା ନିଷ୍ପତ୍ତିମାନ ପରେ ଶୁଣିବାକୁ ପାଇଥିଲି । ପ୍ରତ୍ୟହ ସକାଳୁ ଉଠିବା ପରେ ଆମେ ଭାଇଭଉଣୀ ପରସ୍ପରକୁ ନମସ୍କାର କରିବା ଏପରି ଗୋଟିଏ ନିଷ୍ପତ୍ତି ସେତିକିବେଳେ କରାଯାଇଥିଲା । ବ୍ୟକ୍ତିଗତ ଭାବରେ ନିଷ୍ପତ୍ତିଟି ମୋତେ ଖୁବ୍ ଭଲ ଲାଗିଥିଲା । ସେହି ନିଷ୍ପତ୍ତିଟି ହେବା ମାସେ ହୋଇଗଲାଣି । ମୁଁ ଲକ୍ଷ୍ୟ କରିଛି ପ୍ରଥମେ କେତେଦିନ ଯାଏଁ ଆମ ଭିତରୁ କେତେଜଣ ସେହିଟିକୁ ମାନିଲେ । ପ୍ରତ୍ୟେକ ଦିନ ସକାଳୁ ଅନେକ ନମସ୍କାର ଶବ୍ଦ ଶୁଣାଗଲା । କିନ୍ତୁ କାଳକ୍ରମେ ଅନେକ ସେସବୁ ପାସୋରି ଦେଲେ । ତଥାପି ଦୁଇ ତିନିଜଣ ଭାଇ ଏପର୍ଯ୍ୟନ୍ତ ସେହି ଅଭ୍ୟାସ ରଖିଛନ୍ତି । ମାସକ ତଳେ ସାରା ସମାଜ ଯେଉଁ ନିଷ୍ପତ୍ତି କରିଥିଲା, ସେହିମାନଙ୍କର ଅଭ୍ୟାସ ମଧ୍ୟରେ ଏପର୍ଯ୍ୟନ୍ତ ତାହା ବଞ୍ଚି ରହିଛି । ଆମେ ନିଜେ ନିୟମ କରୁ, ନୂଆନୂଆବେଳେ ଭାରି ଉତ୍ସାହର ସହିତ ସେହି ନିୟମ ପାଳନ କରୁ । ପୁରୁଣା ହୋଇଗଲେ ଆମେହିଁ ସେହି ନିୟମକୁ ଭାଙ୍ଗୁ । ଏଇଟା ତ ସଂସାର ନିୟମ ପରି ହୋଇଗଲାଣି । ତେଣୁ ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।

 

ଇଉରୋପର ପାରିବାରିକ ଓ ସାମାଜିକ ଜୀବନରେ ଏହିପରି ଏକ ନିୟମ ରହିଛି । ସେହି ପରିବାରରେ ବିଛଣାରୁ ଉଠିଲେ ସମସ୍ତେ ପରସ୍ପରକୁ ନମସ୍କାର କରନ୍ତି । ପରିବାରର ଆନନ୍ଦ ଓ ଆତ୍ମୀୟତା ବଢ଼ାଇବାରେ ଏହା ଯଥେଷ୍ଟ ସାହାଯ୍ୟ କରେ । ଇଉରୋପର ମଣିଷକୁ ମୁଁ ଦେବତା ବୋଲି କହୁନାହିଁ । ସେମାନଙ୍କ ଭିତରେ ଏପରି ବହୁସଂଖ୍ୟକ ଲୋକ ଅଛନ୍ତି ଯେଉଁମାନେ କେବଳ ଏକ ସାମାଜିକ ସଂସ୍କାରର ଅଭ୍ୟାସରେ ପଡ଼ି ପରସ୍ପରକୁ ନମସ୍କାର କରନ୍ତି, ଯେଉଁମାନେ କେବଳ ଯନ୍ତ୍ରବତ୍ ଏହି ନିୟମର ପାଳନ କରନ୍ତି । ତଥାପି ମୁଁ କହିବି, ଯେତେ ଯନ୍ତ୍ର ପରି ହୋଇ ଏହି ପ୍ରଥାଟି ଚଳାଇ ଆସୁଥିଲେ ମଧ୍ୟ ଏହାଦ୍ୱାରା ପରିବାରର ଖୁସି ବଢ଼େ, ପରସ୍ପର ମୁହଁରେ ଅନ୍ତତଃ କ୍ଷଣକ ଲାଗି ହସ ଫୁଟିଉଠେ, ଅନ୍ତତଃ କିଛି ସମୟ ଲାଗି ମଣିଷ ମଣିଷର ଆପଣାର ହୋଇଯାଏ । କିନ୍ତୁ ଆମର ଏଠି କ’ଣ ହୁଏ ? ସକାଳୁ ଉଠି ଆମେ ଅଧୁଆ ମୁହଁରେ ମୁହଁ ଫଣଫଣ, ଆଖି ବଲବଲ କରି ବାହାରକୁ ଆସୁ । ରାତ୍ରିର ଦୁଃସ୍ୱପ୍ନ ସେ ପର୍ଯ୍ୟନ୍ତ ଆମର ମିଜାଜଟାକୁ ପିତା କରି ରଖିଥାଏ । ନିଜର ଆଳସ୍ୟ ତଥାପି ଛାଡ଼ି ନ ଥାଏ । ଆମେ ଏଇପରି ଭାବରେ ଆମର ଦିନ ଆରମ୍ଭ କରୁ । ସକାଳୁ ହସଖୁସିରେ ପରସ୍ପରକୁ ସ୍ନେହ ସମ୍ଭାଷଣ କରୁ କରୁ ଦିନଟି ଆରମ୍ଭ କରିଥିଲେ ଆମର ଜୀବନ ଓ ଦିନମାନଙ୍କର କାର୍ଯ୍ୟକଳାପ ଉପରେ କ’ଣ ତା’ର କୌଣସି ପ୍ରଭାବ ପଡ଼ୁ ନ ଥାନ୍ତା ?

 

ବିଭିନ୍ନ ଶରୀର ଧାରଣ କରି ଜଗତରେ ବିଚରଣ କରୁଥିଲେ ମଧ୍ୟ ଆମର ହୃଦୟ ଗୁହାରେ ଆତ୍ମା ରହିଛି । ବିଭିନ୍ନ ବୟସର ଓ ବିଭିନ୍ନ ଘରର ହୋଇଥିଲେ ମଧ୍ୟ ଆତ୍ମା ଆମ ସମସ୍ତଙ୍କ ଜୀବନମାଳିକୁ ଏକ ସୂତାରେ ଗୁନ୍ଥି ରଖିଛି । ପରସ୍ପରକୁ ନମସ୍କାର କଲାବେଳେ ଆମ ପରସ୍ପର ଭିତରେ ଥିବା ଆତ୍ମାକୁ ନମସ୍କାର କରୁ । ଆପଣା ଭିତରେ ପ୍ରଚ୍ଛନ୍ନ ହୋଇ ରହିଥିବା ଆତ୍ମାର ପରିଚୟ ଆମେ ପାଉ । ଶରୀର ଜଞ୍ଜାଳ ଓ ମୋହଗ୍ରସ୍ତ ମନଜନିତ ନାନା ଭେଦବିକାର ଆମକୁ ଜର୍ଜର ସନ୍ତପ୍ତ କରି ରଖିଥାଏ । ପରସ୍ପରକୁ ନମସ୍କାର କଲାବେଳେ ଏ ସବୁ ଭେଦବିକାରକୁ ଜୟ କରିବା ଲାଗି ଆମେ ଯଥେଷ୍ଟ ବଳ ପାଉ । ସମସ୍ତଙ୍କ ସହିତ ଏକାତ୍ମକତାରେ ବାନ୍ଧି ହୋଇଯିବା ଲାଗି ଆମେ ଅନେକ ଉତ୍ସାହ ପାଉ । କୌଷୀତକି ଉପନିଷଦ୍‍ରେ ରାଜା ଚିତ୍ର ପୁରୋହିତ ଶ୍ୱେତକେତୁକୁ ବୁଝାଇଛନ୍ତି–ତ୍ୱମାତ୍ମାସି, ଯସ୍ତ୍ୱମସି ସୋଽହମସ୍ମୀତି । ତୁମେ ହେଉଛ ଆତ୍ମା । ଏଇ ଆତ୍ମାର ପରିଚୟ କାଠିରେ ଦେଖିଲେ ତୁମେ ଯେଉଁ ଆତ୍ମା, ମୁଁ ମଧ୍ୟ ସେହି ଆତ୍ମା । ଆମ ଭିତରେ କୌଣସି ପ୍ରଭେଦ ନାହିଁ । ଆମେ ଆମ ଭିତରେ ନିହିତ ଥିବା ଏହି ଆତ୍ମାର ଅନୁଭବ କରୁଛୁକି ? ଆପଣାକୁ ଓ ଅପରକୁ ଦେଖିଲାବେଳେ ଆମେ ପରସ୍ପର ସହିତ ଗୋଟିଏ ଜୀବନର ମାଳା ହୋଇ ଗୁନ୍ଥା ହୋଇଛୁ ବୋଲି ସ୍ୱୀକାର କରୁଛୁ କି ? ଆମର ଛୋଟିଆ ସମାଜର ସ୍ନେହ ଓ ସହୃଦୟତା ରଖିବା ଲାଗି ଆମକୁ ଏହି ବିଷୟରେ ଚିନ୍ତା କରିବାକୁ ହେବ ।

 

୧୬ । ୯ । ୫୫

 

ଦିନେ ସକାଳୁ ଆମର ଏଠି ଉଠିବାର ଘଣ୍ଟା ବାଜିଲା । ଜଣେ ଭାଇଙ୍କର ନିଦ ଭାଙ୍ଗିଲା ନାହିଁ । ବାହାରେ ଚଟ ପଡ଼ିଲା । ଅନେକ ଭାଇଭଉଣୀ ପ୍ରାର୍ଥନାରେ ଯୋଗଦେବା ଲାଗି ଆସି ପିଣ୍ଡାରେ ବସିଲେ । କିନ୍ତୁ ସେ ଭାଇ ତଥାପି ଶୋଇରହିଲେ । ସେଦିନ ସେ ପ୍ରାର୍ଥନାରେ ଯୋଗ ଦେଇପାରିଲେ ନାହିଁ । ତା’ପରେ ଆହୁରି କେତେ ସମୟ ଗଡ଼ିଗଲା । ପ୍ରାର୍ଥନା ସରିଲା । ଆମ ଭାଇଜଣକ ଧଡ଼ପଡ଼ ହୋଇ ଉଠି ଦେଖିଲେ ଯେ ପ୍ରାର୍ଥନା ସରିଗଲାଣି । ସେ ଉଠି ଆପଣା କାମରେ ଚାଲିଗଲେ ।

 

ଏବେ ଦିନେ ସେହି ଭାଇଙ୍କର ଦିନଲିପି ପଢ଼ୁଥିଲି । ସେ ଲେଖିଛନ୍ତି, “ମୁଁ ଦେଖିଲି ପ୍ରାର୍ଥନା ସରିଗଲାଣି, ସମସ୍ତେ ଆପଣା ଆପଣା କାମରେ ଲାଗିଗଲେଣି । ମନ ଭାରି ଖରାପ ହୋଇଗଲା । ସମସ୍ତେ ଉଠି ପ୍ରାର୍ଥନାରେ ଯୋଗଦେଲେ । ଅଥଚ ମୁଁ ଅଳସୁଆ ହୋଇ ଶୋଇରହିଲି । ଭାରି ଲାଜ ଲାଗିଲା ।” ଘଟନାଟି ବିଷୟରେ ସେ ପୁଣି ଲେଖିଛନ୍ତି, ଆରବର୍ଷ ମୁଁ ଯୋଉଠି ପଢ଼ୁଥିଲି ସେଠି ମଧ୍ୟ ପ୍ରାର୍ଥନା ହେଉଥିଲା । କିନ୍ତୁ ସେଠି ସମସ୍ତେ ପ୍ରାର୍ଥନାକୁ ଆସିବେ ବୋଲି କଡ଼ା ନିୟମ ଥିଲା । କେହି କୌଣସି ଦିନ ପ୍ରାର୍ଥନାକୁ ଆସି ନ ପାରିଲେ ପରେ ଗୁରୁଜୀଙ୍କଠାରୁ ତାକୁ ଗାଳି ଖାଇବାକୁ ପଡ଼ୁଥିଲା । ତେଣୁ ଡରିହରି ଗାଳି ଭୟରେ ଆମେ ପ୍ରାର୍ଥନାକୁ ଆସୁଥିଲୁ । ଏଠାରେ ଆରବର୍ଷ ପରି କୌଣସି ନିୟମ ନାହିଁ । ଦିନେ ଅଧିକ ଶୋଇ ରହି ପ୍ରାର୍ଥନାକୁ ନ ଆସିଲେ ଗୁରୁଜୀ ଆମକୁ କିଛି କହୁ ନାହାନ୍ତି । ଆପଣା ଖୁସିରେ ଆମେ ପ୍ରାର୍ଥନାକୁ ଆସୁଛୁ । ସେଥିଲାଗି ଦିନେ କୌଣସି ବ୍ୟତିକ୍ରମ ଘଟି ପ୍ରାର୍ଥନାରେ ଯୋଗ ଦେଇ ନ ପାରିଲେ ଭାରି ଖରାପ ଲାଗୁଛି । କେହି କିଛି ନ କହିଲେ ମଧ୍ୟ ମନେ ମନେ ଭାରି ଲାଜ ଲାଗୁଛି ।” ଅତି ସରଳ ନିର୍ମଳ ଭାବରେ ଆପଣା ମନର କଥା ଲେଖିଥିବାରୁ ମୁଁ ଆମର ଭାଇଙ୍କୁ ଧନ୍ୟବାଦ ଦେଉଛି ।

 

ପ୍ରାର୍ଥନା ବିଷୟରେ ଆମେ ଅନେକ ଶୁଣିସାରିଛେ, ଆମେ ଲେଖାମାନବି ଲେଖିସାରିଛେ । ପ୍ରାର୍ଥନା ଯେ ପ୍ରଧାନତଃ ଆପଣାର ଆଗ୍ରହ-ପ୍ରସୂତ, ଏକଥା ଆମେ ସମସ୍ତେ ବୁଝିପାରିଛେ । ପ୍ରାର୍ଥନା ବିଷୟରେ ଆମେ କୌଣସି ଜବରଦସ୍ତି ରଖିବା ନାହିଁ । ଜବରଦସ୍ତି ରଖିବା ଅର୍ଥ ମଣିଷର ଶରୀରଟାକୁ ପ୍ରାର୍ଥନାର ଧାଡ଼ିରେ ବସାଇବା । କେବଳ ନିଜର ଆଗ୍ରହ ଥିଲେହିଁ ଜଣେ ପରିପୂର୍ଣ୍ଣ ଭାବରେ ପ୍ରାର୍ଥନାରେ ଯୋଗ ଦେଇପାରିବ । ଭଗବାନ୍‍ଙ୍କ ପାଖରେ ଶୁଦ୍ଧଚିତ୍ତରେ ଯାଇ ଥରେ ବସିଆସିବା ଓ ବାଧ୍ୟ ହୋଇ କାରଖାନାକୁ ଯିବା ଭିତରେ ଅନେକ ଫରକ ରହିଛି । ଭଗବାନ୍‍ଙ୍କର କାରଖାନାରେ ଆମେ ସମସ୍ତେ ମାଲିକ । ସକାଳର ସରସ ସୁଶାନ୍ତ ପବନ, ଦରଫୁଟିଲା ଆଲୁଅ, କେତେ ମହିମାକୁ ଗଦା କରି ରଖିଥିବା ଏଇ ପର୍ବତ–ଏସବୁ ଅମର ସମ୍ପଦ । ଯୋଉ ଦିନ ଆମେ ସେ ସବୁକୁ ଆପଣାର କରିବା ଲାଗି ଯୋଗ୍ୟତା ହାସଲ କରିପାରିବା, ଯୋଉ ଦିନ ଏଇ ବିରାଟ ଉତ୍ତରାଧିକାର ଲାଗି ଆମର ହୃଦୟ ପ୍ରସ୍ତୁତ ହୋଇପାରିବ, ସେହି ଦିନ ଆମର ସବୁ ଦୁଆର ଖୋଲିଯିବ, ସୃଷ୍ଟିର ସବୁ ଗନ୍ତାଘରର ସବୁ ସୌନ୍ଦର୍ଯ୍ୟ ସେଦିନ ଆମର ହୋଇଯିବ ।

 

ପ୍ରାର୍ଥନା ଘଣ୍ଟା ହୋଇଗଲାଣି; ତଥାପି ମୁଁ ମୋ ବିଛଣାରେ ଶୋଇରହିଛି । ମୋତେ ହୋ’ଧୋ କରି ଉଠାଇବା ଆଦୌ ଉଚିତ ନୁହେଁ । କେବଳ ମୋର ଆଗ୍ରହ ନେଇ ମୁଁ ପ୍ରାର୍ଥନାକୁ ଯିବି । ମୋର ଇଚ୍ଛାହେଲେ ମୁଁ ଉଚିତବେଳେ ପ୍ରାର୍ଥନାରେ ଯୋଗ ଦେବାକୁ ହାଜିରି ହେବି । ଆଜି ମୋତେ ମୋର ଇଚ୍ଛାରେ ଛାଡ଼ି ଦିଆଯାଉ । ଆଜି ମୁଁ ପ୍ରାର୍ଥନାରେ ଯୋଗ ଦେବାର ସୁଯୋଗ ହରାଇଲି । ସେଥିଲାଗି କାହାର ଏତେ ବେଶି ଭାବିବା ଦରକାର ନାହିଁ । ମୋ ଭିତରେ ଆଜି ଅନ୍ଧାର ପୂରି ରହିଛି । ମୋର ଇଚ୍ଛା ଆଉ ଆଗ୍ରହକୁ ବୁହାଇ ଦେବାକୁ ମୁଁ ଏପର୍ଯ୍ୟନ୍ତ କୌଣସି ନିର୍ଭରଯୋଗ୍ୟ ରାସ୍ତା ପାଇପାରି ନାହିଁ । ତେଣୁ ବାସି ବିଛଣାରେ ପଡ଼ିରହି ମୁଁ ଖାଲି ଅଧେ ସତ ଓ ଅଧେ ମିଛର ସ୍ୱପ୍ନ ଦେଖୁଛି । ଏମିତି କିନ୍ତୁ ନିଶ୍ଚୟ ଗୋଟାଏ ଦିନ ଆସିବ, ଯୋଉ ଦିନ ମୁଁ ଆପଣା ମନକୁ ଉଠି ବସିବି । ସମସ୍ତଙ୍କ ସହିତ “ଏକାଠି ହୋଇ” ଭଗବାନ୍‍ଙ୍କ ପାଖକୁ ଯାଇପାରିବି । ମୋର ବିବେକ ଦିନେ ମୋତେ ଠିକ୍ ବାଟ ଦେଖାଇ ନେଇଯିବ । ସେଦିନ ମୋର ଦୁଆର ଖୋଲିଯିବ । ସେଦନ ସକାଳର ଆକାଶ, ଅରଣ୍ୟ ଓ ଆଲୋକ ମୋତେ ଆପଣାର ମନେହେବ । ଆଜି ମୁଁ ଶୋଇ ରହିବାକୁ ଯେମିତି ଭଲପାଉଛି, ସେଦିନ ପ୍ରାର୍ଥନା କରିବାକୁ ମଧ୍ୟ ସେମିତି ଭଲପାଇବି ।

 

୧୯ । ୯ । ୫୫

 

ସେଦିନ କଥା ପଡ଼ିଥିବାବେଳେ, ଜଣେ ଭାଇ କହିଲେ–ଚିତ୍ତଭାଇଙ୍କର ସବୁ ଭଲ, ଖାଲି ରାଗଟାକୁ ଛାଡ଼ିଦେଲେ । ଆଉ ଦିନେ ଆଉ ଜଣେ ଭାଇ ବଡ଼ ଆହତ ହୋଇପଡ଼ିଲା ପରି କହୁଥିଲେ–ଚିତ୍ତଭାଇଙ୍କର ରାଗ ଦେଖି ବେଳେ ବେଳେ ଏଠୁ ଛାଡ଼ି ପଳାଇବାକୁ ମନ ହେଉଛି । ହଁ, ରାଗ ମାତ୍ରକେ ସେହିପରି । ରାଗ କାହାରିକୁ ରଖିବାକୁ ଦିଏ ନାହିଁ । କାହାରି ଲାଗି ହୃଦୟରେ ଏତେ ଟିକିଏ ସ୍ଥାନ ରଖିପାରେ ନାହିଁ । ଯେତେଆଡ଼େ ରାଗ ଯାଏଁ, ସେ ସେତେ ଆଡ଼ ଜାଳି ପୋଡ଼ି ଦିଏ, ସମସ୍ତଙ୍କୁ ଅସ୍ତବ୍ୟସ୍ତ କରିପକାଏ ।

 

କିନ୍ତୁ ଯୋଉ ମଣିଷ ରାଗେ, ସେ ଅନ୍ୟକୁ ଜାଳି ପୋଡ଼ି ମାରିବା ସଙ୍ଗେ ସଙ୍ଗେ ଆପେ ମଧ୍ୟ ଜଳି ପୋଡ଼ି ହୋଇ ମରେ । ଅଷ୍ଟ୍ରେଲିଆର ଆଦିବାସୀମାନେ ବୁମେରାଙ୍ଗ୍ ବୋଲି ଗୋଟାଏ ଅସ୍ତ୍ର ବ୍ୟବହାର କରନ୍ତି । ତାହା ଏପରି ଭାବରେ ପ୍ରୟୋଗ କରାଯାଏ ଯେ, ଶିକାରକୁ ଆଘାତ କରି ପୁଣି ତାହା ଶିକାରୀ ପାଖକୁ ଲେଉଟି ଆସେ । ସ୍ୱାର୍ଥ, କ୍ରୋଧ ଓ ସଂଶୟ ପ୍ରଭୃତି ଯେଉଁସବୁ ଅସତ୍ ପ୍ରବୃତ୍ତି ମଣିଷ ଭିତରେ ଥାଏ, ସେସବୁ ଠିକ୍ ଏଇ ବୁମେରାଙ୍ଗ୍ ପରି କାମ କରେ । ଆପଣାର ସ୍ୱାର୍ଥବୁଦ୍ଧିଦ୍ୱାରା ମଣିଷ ସଂସାରରେ ସମସ୍ତଙ୍କୁ ସଂକୁଚିତ କରି ନିଜେ ପ୍ରସାରିତ ହେବାକୁ ପାଞ୍ଚେ; କିନ୍ତୁ ପରିଣାମରେ ସମସ୍ତଙ୍କଠାରୁ ବିଚ୍ଛିନ୍ନ ହୋଇ ସେ ଆପେ ସଂକୁଚିତ ହୋଇ ପଡ଼ିରହେ । ନିଜେ କ୍ରୋଧ ଦେଖାଇ ସେ ସଂସାରରେ ସମସ୍ତଙ୍କୁ ଦଗ୍‍ଧ କରିବାକୁ ଯାଏଁ । କିନ୍ତୁ ଏଣେ ଆପଣାର ହୃଦୟ ମୂଳରେ ସେ ଆପଣାକୁ ଦଗ୍‍ଧ କରି ମାରେ । ସଂସାରଟାକୁ ସନ୍ଦେହ କରି, ଅବିଶ୍ୱାସ କରି ସେ ଆପଣାର ଏକଛତ୍ର ସଂସାର ଗଢ଼ିବାରେ ଦମ୍ଭ ଦେଖାଏ । କିନ୍ତୁ ପରିଣାମରେ ସେ ଆପଣାକୁ ମଧ୍ୟ ବିଶ୍ୱାସ କରିପାରେ ନାହିଁ ।

 

ସେବାଗ୍ରାମରେ ଯେଉଁ କୁଡ଼ିଆଟିରେ ଗାନ୍ଧିଜୀ ରହୁଥିଲେ, ସେଠି ସେ ଇଂରାଜୀ ଭାଷାରେ ଗୋଟିଏ ନୀତି ବାକ୍ୟ ତାଙ୍କ କାନ୍ଥରେ ଝୁଲାଇ ରଖିଥିଲେ । ଏପର୍ଯ୍ୟନ୍ତ ମଧ୍ୟ ତାହା ସେଇଠି ସେହିପରି ଝୁଲୁଛି । ନୀତିବାକ୍ୟଟିର ଅର୍ଥ ହେଉଛି–ଯଦି ତୁମେ ଯାହା କରୁଛ ଭୁଲ୍ କରୁଛ, ତେବେ ରାଗିବାର କୌଣସି ଅବକାଶ ତୁମର ନାହିଁ ଏବଂ ଯଦି ତୁମେ ଯାହା କରୁଛ ଠିକ୍ କରୁଛ ତେବେ ତୁମେ ରାଗକୁ ବେଶ୍ ଆପଣା ଆୟତ୍ତରେ ରଖିପାରିବ । ରାଗିବା ଉଭୟ ପକ୍ଷରେହିଁ କେବଳ ଅନିଷ୍ଟ ଘଟାଇବ । ବଡ଼ସାନ, ଶିକ୍ଷକ ଓ ଛାତ୍ର ଉଭୟ ଲାଗି ଏହା ଅସୁନ୍ଦର । ଯୋଉଠି ରାଗକୁ ପ୍ରଶ୍ରୟ ଦିଆଯାଏ, ସେଠି ତା’ ଜୀବନର ସବୁ ସୌନ୍ଦର୍ଯ୍ୟକୁ ଗ୍ରାସ କରିପକାଏ ।

 

ମୋର ରାଗ କାହାରିକୁ ବିଚଳିତ କରିବା ଉଚିତ ନୁହେଁ । ରାଗ ତ ଗୋଟାଏ ରୋଗ । କେମ୍ପା, କୁଜା ବା ଅନ୍ୟ କୌଣସି ରୋଗରେ ରୁଗ୍‌ଣ ବ୍ୟକ୍ତିକୁ ଦେଖିଲେ ଆମେ ବିଚଳିତ ହେବା କାହିଁକି ? ତାକୁ ତ ଆମର ସହାନୁଭୂତି ଦେଖାଇବା କଥା ! ପଚିଶ ଜଣ ଯେତିକି ଶାନ୍ତ ହୋଇପାରିବେ, ଆପଣା ସ୍ୱଭାବରେ ଯେତିକି ସହିଷ୍ଣୁତା ଅବଲମ୍ବନ କରିପାରିବେ, ତାଙ୍କରି ଭିତରେ ରହିଥିବା ଆଉ ଜଣଙ୍କର ରାଗ ସେତିକି ମିଳେଇ ମିଳେଇ ଯିବ । ଆଜି ଏ ବିଷୟରେ ମୁଁ ଗୋଟିଏ କଥା କହିଦେବି । ତୁମମାନଙ୍କ ଭିତରୁ କାହାରି ଉପରେ ମୁଁ ରାଗେ ନାହିଁ । କାହାରି ସହିତ ମୋର କୌଣସି ଶତ୍ରୁତା ନାହିଁ । କାହାରି ପ୍ରତି ମୋର କୌଣସି ବିଦ୍ୱେଷ ନାହିଁ । ମୁଁ ବିଶ୍ୱାସ କରେ, ଭକ୍ତ ଓ ଜିଜ୍ଞାସୁର ହୃଦୟ ନେଇ ଆମେ ଏ ବିଦ୍ୟାମନ୍ଦିରକୁ ଆସିଛେ । ମୁଁ ଯେମିତି ଆସିଛି, ତୁମେମାନେ ସମସ୍ତେ ମଧ୍ୟ ସେହିପରି ଆସିଛ । ଏହି ପ୍ରଧାନ କଥାଟାହିଁ ଏଠିକାର ଶିକ୍ଷକ ଆଉ ଛାତ୍ର ସମସ୍ତଙ୍କୁ ଏକ ଶିବିରର ଛତ୍ରତଳେ ଆଣି ଏକତ୍ର କରାଇଛି । ଏଠି କେହି କାହାରି ଉପରେ ବିଦ୍ୱେଷ କଲେ ବା ମୋହ ରଖିଲେ ଆମର କାହାରି ମଙ୍ଗଳ ହେବନାହିଁ । ଯେତେବେଳେ ମୁଁ ବିରକ୍ତି ପ୍ରକାଶ କରେ, ତୁମ୍ଭମାନଙ୍କର କୌଣସି ଖରାପ କାମ ଉପରେ, କୌଣସି ବିଶୃଙ୍ଖଳା ଉପରେହିଁ ବିରକ୍ତି ପ୍ରକାଶ କରେ । କୌଣସିଠାରେ କୌଣସି ଅସଦ୍‍ବୁଦ୍ଧିର ସୂଚନା ପାଇଲେ ତାହାରି ନିରାକରଣ ଲାଗି ଅସ୍ଥିର ହୋଇ ହୁଏତ ମୁଁ ବେଳେ ବେଳେ ରାଗିଲା ପରି ହୁଏ । ମୁଁ ଭଲ କରି ଜାଣେ, ସେତକ ମଧ୍ୟ କରିବାର କୌଣସି ଅଧିକାର ମୋର ନାହିଁ । ଆମେ ପରସ୍ପରର ବିକାଶମୁଖୀ ଓ ନିର୍ମାଣଧର୍ମୀ ଜୀବନରେ କୌଣସି ପ୍ରକାର ହସ୍ତକ୍ଷେପ କରିବାନାହିଁ, ଏହାହିଁ ଆମର ଧେୟ ହୋଇ ରହିବା ଉଚିତ-। ଆମେ ପରସ୍ପରର ଦୀପକୁ ତେଜିଦେବା; ପରସ୍ପରର ଆଲୋକ ଆଉ ଆନନ୍ଦ ବଢ଼ାଇବାକୁ ଚେଷ୍ଟା କରିବା । ପରସ୍ପରର ଆଲୋକ ଆଉ ଆନନ୍ଦର ମୁଖରେ ବାଧା ହୋଇ ଠିଆହେବାର ବିନାଶ ବୁଦ୍ଧି ଯେପରି ଆମର କେଉଁଦିନ ନ ହୁଏ । ଏଠିକାର ବ୍ରତଧାରୀ ଶିକ୍ଷକ ଓ ବ୍ରତଧାରୀ ଛାତ୍ର ଉଭୟଙ୍କର ବିଚାର ଓ ସ୍ୱଭାବରେ ଏହିପରି ଏକ ଦୃଢ଼ତା ଆସୁ । ଏଇଥିଲାଗି ଆମେ ସମସ୍ତେ ପ୍ରାର୍ଥନା କରିବା-

 

୨୫ । ୯ । ୫୫

 

ନିତି ଏମିତି ପଞ୍ଝାଏ ମଣିଷ ଦେଉଥିବେ, ଆଉ ପଞ୍ଝାଏ କାଙ୍ଗାଳ ତଳୁ ହାତ ପତାଇ ନେଉଥିବେ । ଏଇ କଥାଟା ଯେପରି ଆମର ସଂସ୍କୃତିଗତ ହୋଇଗଲାଣି । ଉପରେ ଥୋକେ ଲୋକ ଅନୁଗ୍ରହ କରି ଭାରି ଆତ୍ମପ୍ରସାଦ ପାଉଛନ୍ତି; ଏଣେ ତଳେ ଆହୁରି ଅନେକ ଅନୁଗ୍ରହ ପାଇ ଚୁପ୍ ହୋଇ ରହିଛନ୍ତି । ଗୋଟାଏ ପାଖରେ ଉଗ୍ରତା, ଅନୁଗ୍ରହ କରିବାର ଗୋଟାଏ ଅତି ଅସ୍ୱାଭାବିକ ଉଦାରତା; ଏଣେ ଅପର ପାଖରେ ଶିଥିଳତା–ଅକିଞ୍ଚନତା; ଏ ସମାଜ ଓ ସାମାଜିକ ଗଠନକୁ ମାନିନେଇ ଅପରର ଦୟାରେ ଯେତିକି ମିଳିଲା, ସେଇଥିରେ ଆପଣାକୁ କୃତାର୍ଥ ମନେ କରିବାର ଅଜ୍ଞତା ।

 

ଆଜି ସଞ୍ଜବେଳେ ଚାଉଳ ବଣ୍ଟାହେବାବେଳେ ମୁଁ ଏହି କଥା ଭାବୁଥିଲି । କେତେ ଶହ ମଣିଷ କେତେ କେତେ ଗାଁରୁ ଆସି ଜମାହୋଇ ରହିଥିଲେ । ପିଲା, ବୁଢ଼ା, ମାଇପେ ସମସ୍ତେ ଭିକ୍ଷା ମୁଠି ପାଇବାର ଲୋଭରେ ଧାଡ଼ିବାନ୍ଧି ବସିଥିଲେ । ଜଣକ ଦେହରେବି ସଫାଲୁଗା ନଥିଲା । ଜଣକ ଦେହରେବି କମିଜ ଖଣ୍ଡେ ନଥିଲା । ଚିରା ଲୁଗା ଓ ଦଶସିଆଁ ଗାମୁଛାରେ ମଣିଷମାଳର ସେ ଦାରୁଣ ଦୃଶ୍ୟ କାଲି ଆମରି ଦେଶର ବାସ୍ତବ ପରିଚୟ ଦେଇ ଯାଉଥିଲା । ସରକାରୀ କେନ୍ଦ୍ରରେ ବସ୍ତା ବସ୍ତା ଚାଉଳ ମୁଢ଼ି ଥୁଆ ହୋଇଛି । ଛୋଟ ବଡ଼ ହାକିମ ସମସ୍ତେ ମିଶି ସେମାନଙ୍କୁ ଦୟା କରିବାକୁ ବାହାରିଲେ । ଆଜି ଯୋଉ ଉଦାରବାବୁ ଲୋକଙ୍କର ଛିଣ୍ଡା ଅଣ୍ଟିରେ ମାଣେ ମାଣେ ଚାଉଳ ଫୋପାଡ଼ିଦେଇ ଯାଉଥିଲେ, ମୁଁ ତାଙ୍କରି କାଇଦା ଲକ୍ଷ୍ୟ କରୁଥିଲି । ଏତେ ମଣିଷଙ୍କର ପିଚା ଲୁଚୁ ନ ଥିବାବେଳେ ସେ କାମିଜ ଲୁଙ୍ଗି ମଡ଼ାଇ ଆସିଛନ୍ତି । କାଙ୍ଗାଳ ମେଳାର ଧୂଳିକୁ ତାଙ୍କ ଗୋଡ଼ର ଜୋତା ମଚ୍‍ମଚ୍‍ ମାଡ଼ି ଚାଲିଯାଉଛି । ଡାହାଣ ହାତରେ ଗୁଡ଼ାଖୁ ଘଷି ଘଷି ବାଆଁ ହାତରେ ସେ ମାଣ ମାଣ ଚାଉଳ ଲୋକଙ୍କର ଅଣ୍ଟିରେ ଢାଳି ଚାଲିଛନ୍ତି । ଉଦାରତା କହିଲେ ଆମ ଦେଶର ସଂସ୍କୃତିରେ ଯାହା ବୁଝାଏ, ଏଥିରୁ ତା’ର ଏକ ଚମତ୍କାର ଦୃଷ୍ଟାନ୍ତ ମିଳିଲା । ଆଜି ଏରସମା ଥାନାର ଚାଷୀକୁଳ ବଢ଼ିରେ ଉଜୁଡ଼ି ଗଲେ ବୋଲି ଯେ ଏକଥା ହେଲା ତା’ ନୁହେଁ, ଆମ ଦେଶରେ ଚିରଦିନ ଏକଥା ଲାଗିଆସିଛି । ଉପରର ଗେହ୍ଲା ମଣିଷ ଏମିତି ଉଦାରତା ଚିରଦିନ ଦେଖାଇ ଆସିଛି । ତଳେ ଥିବା ଅକିଞ୍ଚନ ଅଜ୍ଞଜନ ଚିରଦିନ ଏଇ ଉଦାରତାଟିକକ ପାଇବା ସକାଶେ ଅତି ନିକୃଷ୍ଟ ଭାବରେ ହାତପତାଇ ଆସିଛନ୍ତି । ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ତଳେ ଉପରେ ରହିଥିବା ଆମେ ସମସ୍ତେ ଏହାକୁ ମାନିନେଇ ସାରିଲୁଣି । ଏ ବ୍ୟବସ୍ଥା ଆମକୁ ଆଉ ଖରାପ ଲାଗୁନାହିଁ । ଏହି ବ୍ୟବସ୍ଥାକୁ କାୟମ ରଖିବା ଲାଗି ବାପ ମାଆ ପିଲାକୁ ତାଲିମ କରୁଛନ୍ତି । ସେହି ବ୍ୟବସ୍ଥାକୁ କାୟମ ରଖିବାକୁ ଆଜି ସ୍କୁଲ କଲେଜରେ ପାଠପଢ଼ା ହେଉଛି । ଧର୍ମ କଥା କୁଆଡ଼େ ଉଡ଼ିଗଲାଣି । ଲାଜ ଆଉ ଲୌକିକତା କୋଉ ଶାସ୍ତ୍ର ଭିତରେ ବୁଡ଼ିରହିଛି । ମଣିଷପଣିଆ କୋଉ ଦିନରୁ ବାଟହୁଡ଼ି ଗଲାଣି । ଏଥିରେ ଆମେ ସମସ୍ତେ ଅଳ୍ପ ବହୁତ ସାହାଯ୍ୟ କରୁଛେ ।

 

ଏଠିକାର କାଣ୍ଡ କାରଖାନା ଦେଖି ମନେ ହେଉଛି, ଯେଉଁମାନେ ଭୋକ ବିକଳରେ ମୁଢ଼ି ଗଣ୍ଡାଏ କି ଚାଉଳ ପୋଷେ ମାଗିବାକୁ ଆସିଛନ୍ତି; ଆଜିକାର ଦୁଃଖ, ଯେପରି କେବଳ ତାଙ୍କରି । ଯିଏ ସଫାଲୁଗା ପିନ୍ଧିଛି, ଚୀନା ବାସନରେ ମାଟିରେ ମୋଟା ଖାଇବା ଖାଉଛି, ଗାଡ଼ିଘୋଡ଼ାରେ ଯାଆସ କରୁଛି, ସେ ଯେପରି ଏ ଦୁଃଖରେ ଭାଗୀ ହେବାକୁ ପ୍ରସ୍ତୁତ ନୁହେଁ । କୌଣସି ସଭ୍ୟ ଦେଶରେ ଏପରି ହୁଅନ୍ତା ନାହିଁ । କୌଣସି ସଭ୍ୟ ମଣିଷ ଏପରି କରନ୍ତା ନାହିଁ । କାଲି ଯେଉଁମାନେ ଏଠି ଦିହର ଝାଳ ଦେଇ ମାଟି ଚଷି ସୁନା ଧାନ ଫଳାଉଥିଲେ, ଆଜି ପ୍ରକୃତି ସେହିମାନଙ୍କ ଉପରେ ଦାଉ ସାଧୁଛି । ଯେ ଆପଣା ଦିହର ଶ୍ରମ ଛଡ଼ା ଆଉ କାହାରି ଉପରେ ନିର୍ଭର କରି ନଥିଲେ, ପ୍ରକୃତିର ପ୍ରକୋପ ଆଜି ସେହିମାନଙ୍କୁ କାଙ୍ଗାଳ କରିଦେଇଛି । ବାଧ୍ୟହୋଇ ସେମାନେ ଭିକମାଗି ଆସିଛନ୍ତି । ଅତି ନମ୍ରତାର ସହିତ ଆମକୁ ଏକଥା ସ୍ୱୀକାର କରିବାକୁ ହେବ । ତେଣୁ ଅତି ତାଚ୍ଛଲ୍ୟ ଭାବରେ ଆମ ଆସନରେ ଆମେ ଠିକ୍ ରହି ଏ ଦୁର୍ଦ୍ଦିନ-କାଙ୍ଗାଳଙ୍କୁ ଆମର ଦୟା ଦେଖାଇବାକୁ ଆସିଲେ ଆମେ ଅତି ଅମଣିଷପଣିଆ ଦେଖାଇବା । ଏ ଦୁଃଖ ସେମାନଙ୍କର ଯିମିତି, ଆମର ମଧ୍ୟ ସିମିତି । ଏ ଦେଶରେ ଯେତେ ମଣିଷ ଅଛନ୍ତି, ଜାତି ଅଜାତି, ପଣ୍ଡିତ ମୂର୍ଖ, ଆଉ ସଫା ମସିଆ ନିର୍ବିଶେଷରେ ଆମେ ସମସ୍ତେ ଆଜିକାର ଦୁଃଖକୁ ଗଭୀର ଭାବରେ ଅନୁଭବ କରି ଶିଖିବା, ଆମେ ସମସ୍ତେ ଆଜି ସମଦୁଃଖୀ ହେବା । ତା’ ନ ହେଲେ ଏ ଦେଶକୁ ଓ ଏ ସଂସ୍କୃତିକୁ କୌଣସି ନିସ୍ତାର ନାହିଁ । ଏ ଦୁଃଖରେ ଖାଲି ଦାନର ବା ବଡ଼ଲୋକୀର ପରୀକ୍ଷା ହେବ ନାହିଁ, ଏ ଦୁଃଖରେ ଆଗ ହୃଦୟର ପରୀକ୍ଷା ହେବ । ଆଜି ଭିକ୍ଷାମୁଠିର ଗଣତି ହେବ ନାହିଁ, ହୃଦୟର ଗଣତି ହେବ ।

 

୨୬ । ୯ । ୫୫

 

ଆମର କେଡ଼େ ସୌଭାଗ୍ୟ, ଆମ ଏ ଦେଶରେ ସମସ୍ତେ ଧନୀ ! ଯିଏ ଆପଣାକୁ ଅନ୍ୟମାନଙ୍କ ତୁଳନାରେ ଦରିଦ୍ର ବୋଲି କହୁଛି, ତା’ଠାରୁ ମଧ୍ୟ ଅଧିକ ଦରିଦ୍ର ଏ ଦେଶରେ ଅଛନ୍ତି । ଆଜି ରାସ୍ତା ଘାଟରେ ଯେଉଁମାନେ ଭିକମାଗି ବୁଲୁଛନ୍ତି, ହୋଟେଲର ଅଇଁଠା କୁଣ୍ଡରୁ ଯେଉଁମାନେ ଭାତ ଖୁଣ୍ଟି ଖାଉଛନ୍ତି, ଆମେ ପୁରୀ ମିଠେଇ ଖାଉଥିଲାବେଳେ ଯୋଉ ଅରକ୍ଷିତମାନେ ଅଧଲାଏ ପଇସାଏ ପାଇଁ ଆମକୁ ହାତ ପତାଇ ରହୁଛନ୍ତି, ଆମେ ତ ସେହିମାନଙ୍କ ତୁଳନାରେ ଯଥେଷ୍ଟ ଧନୀ-। ସେମାନଙ୍କ ତୁଳନାରେ ତ ଭଗବାନ୍ ଆମକୁ ଯଥେଷ୍ଟ ଅଧିକ ଦେଇଛନ୍ତି । ଆମେ ତ ନିତି ମୁଠାଏ ଖାଇବାକୁ ପାଉଛୁ । ଲାଜ ଲୁଚାଇବାକୁ ତ ଆମର ଖଣ୍ଡେ ଦି’ଖଣ୍ଡ ମହଜୁଦ ରହିଚି-। ଆମର ସଂସାରରେ ଆଶ୍ରୟ ଖଣ୍ଡେ ଅଛି । ଦି’ଗାର ପାଠ ପଢ଼ିବାର ସୁଯୋଗ ଆମେ ପାଉଛୁ । ଏ କାଙ୍ଗାଳ ନିରାଶ୍ରୟ ଦେଶରେ ଭଗବାନ୍ ଆମ ଲାଗି ଏତକ ଦେଇଛନ୍ତି । ଏହି ସୌଭାଗ୍ୟ ସକାଶେ ଭଗବାନ୍‍ଙ୍କୁ ଆମର ଧନ୍ୟବାଦ ଦେବା ଉଚିତ ।

 

କିନ୍ତୁ ଆମ ଦେଶରେ ଏପରି ଅନେକ ଦୁର୍ଭାଗା ଲୋକ ଅଛନ୍ତି, ଯେଉଁମାନେ ଆପଣାକୁ କେବଳ ଦରିଦ୍ର ବୋଲି ଭାବନ୍ତି । ନାନାପ୍ରକାର କଳ୍ପିତ ଦାରିଦ୍ର୍ୟରେ ସେମାନେ ଆପଣାକୁ ଅତି ଦରିଦ୍ର କରି ରଖିଥା’ନ୍ତି । କାହାର ପୁଅ ହାଇସ୍କୁଲରେ ପାଠ ପଢ଼ିବାକୁ ପଇସା ନାହିଁ, ସେ ଆପଣାକୁ ଦରିଦ୍ର କହୁଛି । କାହାର ହାତରେ ଘଡ଼ି ନାହିଁ, ସେ ଆପଣାକୁ ଦରିଦ୍ର କହୁଛି । କାହାର ମଟର ଗାଡ଼ି ଖଣ୍ଡେ ନାହିଁ, ସେ ବିଚରା ମନେ ମନେ ଅତି ଦରିଦ୍ର ହୋଇ ବସି ଆପଣାର ଭାଗ୍ୟକୁ ନିନ୍ଦୁଛି । ଏ ତ ଗଲା ବଡ଼ବଡ଼ ଦରିଦ୍ରଙ୍କ କଥା । ଛୋଟ ଦରିଦ୍ର ତ ଆହୁରି ଅନେକ ଅଛନ୍ତି । କାହାର ଧୋତି ଖଣ୍ଡେ କି କାମିଜ ଖଣ୍ଡେ ଚିରିଗଲା, ସେ ଆପଣାକୁ ଦରିଦ୍ର ବୋଲି କହୁଛି । କିଏ ଖାଲି ଡାଲି ଲଗାଇ ତୁଚ୍ଛା ଭାତ ଖାଉଛି, ସେ ଆପଣାକୁ ଦରିଦ୍ର ବୋଲି କହୁଛି । ମୋର ଉପର ସ୍ତରରେ ଯେଉଁମାନେ ଅଛନ୍ତି, ସେମାନଙ୍କ ଭାଗ୍ୟ ସହିତ ଆପଣା ଭାଗ୍ୟର ଈର୍ଷାନ୍ୱିତ ତୁଳନା କରୁଥିବା ପର୍ଯ୍ୟନ୍ତ ମୁଁ ଆପଣାକୁ ନିରନ୍ତର ଦରିଦ୍ର ବୋଲି କହୁଥିବି । ଉପରର ଅଧିକ ଧନୀକୁ ଦେଖି ମୁଁ ମୋର ଆବଶ୍ୟକତାକୁ ବଢ଼ାଇ ଚାଲିଥିବା ପର୍ଯ୍ୟନ୍ତ ମୋର ଅଭାବ ଓ ଦାରିଦ୍ର୍ୟ କେବେହେଲେ ଘୁଞ୍ଚିପାରିବ ନାହିଁ । ଏହି ଦୃଷ୍ଟିରୁ ଦେଖିଲେ ଧନୀ ଦେଶ ଆମେରିକାରେ ମଧ୍ୟ ଦରିଦ୍ର ଅଛନ୍ତି । ସହସ୍ରପତି ଲକ୍ଷପତି ତୁଳନାରେ ନିଜକୁ ଦରିଦ୍ର ବୋଲି କହୁଛି । ପୁଣି ଲକ୍ଷପତି କୋଟିପତି ତୁଳନାରେ ନିଜକୁ ଦରିଦ୍ର ବୋଲି କହୁଛି । ଆପଣା ଅଭାବର ମୋହ ଜାଲ ଭିତରେ ଆମେ ସମସ୍ତେ ଦରିଦ୍ର ହୋଇପଡ଼ିଛୁ । ଏଇଥିଲାଗି ଆମେ ଦାରିଦ୍ର୍ୟ ଅପସାରଣର ମାରଣ-ମନ୍ତ୍ର ନେଇ ସଂସାରରେ ତଣ୍ଟିକଟା ପ୍ରତିଯୋଗିତା ଚଳାଇଛୁ । ଏହି ପ୍ରତିଯୋଗିତାର ସୁଅରେ ଭାସି ସଂସାର ଆଜି ଅନେକ ଦୂର ଭଟକି ଗଲାଣି ।

 

ଏଇଟା ହେଲା ଗୋଟାଏ ଦୁର୍ବଳ ଜୀବନ-ଦୃଷ୍ଟି । ଏ ଆମର ମଣିଷପଣିଆକୁ ମାରିଦିଏ, ଆମ ଜୀବନର ଆନନ୍ଦକୁ ଜାଳି ପୋଡ଼ିଦିଏ । ସଂସାରର ସବୁରି କଲ୍ୟାଣ ଲାଗି ନାନା ସେବାରେ ଆପଣାକୁ ସମର୍ପଣ କରିଦେବାକୁ ଆମେ ଆଦୌ ସୁଯୋଗ ପାଇପାରୁନାହୁଁ । ମଣିଷଠାରୁ ମଣିଷର ଖିଅ ଛିଡ଼ି ଯାଏଁ, ହୃଦୟ ଖଣ୍ଡ ଖଣ୍ଡ ହୋଇଯାଏ । ଆମେ ଆମର ଜୀବନଦୃଷ୍ଟିକୁ ସବଳ କରିବା, ସେବା ପରାୟଣ କରିବା ।

 

ସଂସାରରେ ମୋ ଠାରୁ ଦୀନତାର ଓ ଅକିଞ୍ଚନତର ଆହୁରି ଅନେକ ଅଛନ୍ତି । ସମାଜରେ ଯେତିକି ସୁଖ ସୁବିଧା ମୁଁ ପାଉଛି, ସେତିକିରୁ ମଧ୍ୟ ସମାଜର ହଜାର ହଜାର ଲୋକ ବଞ୍ଚିତ ହୋଇ ରହିଛନ୍ତି । ଏହିପରି ଅନୁଭବ କରିପାରିଲେ କୌଣସି ଦାରିଦ୍ର୍ୟର ଗ୍ଳାନି ଆମକୁ କଦାପି ସ୍ପର୍ଶ କରିପାରିବ ନାହିଁ । ମୋର ରହିବାପାଇଁ ମୋଟେ ବଖରାଏ ଘର ଅଛି, ଆଉ ଜଣଙ୍କର ଦୁଇ ବଖରା ଅଛି । ତାକୁ ଈର୍ଷା କରି ମୁଁ ଆପଣାକୁ ଦରିଦ୍ର ବୋଲି ଭାବୁଛି । କିନ୍ତୁ ସଂସାରରେ କେତେ ଶଢ଼ାପଚା ଅନ୍ଧାରୁଆ ଗୋଟିଏ ଗୋଟିଏ ବଖରାରେ ହୁଏତ ଦଶବାର ଜଣ ଶଢ଼ିପଚି ମରୁଛନ୍ତି । ମୋ ଘରକୁ ଦୁଇ ବଖରା ନ କରି ଆଗ ଶଢ଼ିପଚି ରହୁଥିବା ପ୍ରତ୍ୟେକ ଲୋକପାଇଁ ବଖରାଏ କରି ଘର ଯୋଗାଇବାର ପ୍ରତ୍ୟେକ ରଚନାତ୍ମକ ଯୋଜନାରେ ମୋର ଭାଗ ନେବା ଉଚିତ । ଏପରି ଅନୁଭବ କରିପାରିଲେ ଆପଣାକୁ ଦରିଦ୍ର ବୋଲି କହିବାର କୌଣସି ଅବସର ଆମେ ପାଇପାରିବା ନାହିଁ । ସମାଜରେ ଯିଏ ସବୁଠାରୁ ଅଧମ, ସବୁଠାରୁ କ୍ଷତିଗ୍ରସ୍ତ, ଆଗେ ତାହାରି ଉନ୍ନତିପାଇଁ ମୁଁ କାମ କରିବି । ମୋଠାରୁ ତଳେ ପଡ଼ିଥିବା ମଣିଷଙ୍କୁ ମୁଁ ଆଗ ମୋରି ସ୍ତରକୁ ଆଣିବାର ସଂକଳ୍ପ ନେବି । ଏହିପରି ଏକ ଜୀବନ-ଦୃଷ୍ଟି ଅର୍ଜନ କରିପାରିଲେ ଆମେ ଆମର ଦାରିଦ୍ର୍ୟ ପାସୋରି ପକାଇବା, ଆମର ଜୀବନରେ ନୂଆ ସମ୍ଭାବନାର ପରିଚୟ ଆମେ ପାଇବା, ଆମର ମୁଖମଣ୍ଡଳରେ ଦିବ୍ୟ ଜ୍ୟୋତି ଫୁଟିଉଠିବ, ଆମର ଦିନଚର୍ଯ୍ୟାରେ ନୂଆ ସରସତା ଭରିଯିବ-

 

ଆଜି ଆମେ କେତେ ଭୋକିଲା ମଣିଷ ଦେଖିଲେ । ଏହି କେତେ ଦିନ ଅନବରତ ଆମେ କେତେ କେତେ ଭୋକିଲା ମଣିଷ ଦେଖିବା । କେତେ ଦାରିଦ୍ର୍ୟ ଓ କେତେ ଦୁଃଖ ଦେଖିବା-। ଏହିସବୁ ଆମକୁ ଅଧିକ ସେବା ଲାଗି ପ୍ରବୃତ୍ତ କରାଉ । ସବୁ ଦାରିଦ୍ର୍ୟ-ଭାବନା ଭୁଲାଇ ଆମକୁ ସବଳ ସେବାପରାୟଣ ଜୀବନ ଦିଗରେ ଆହ୍ୱାନ କରି ନେଇଯାଉ ।

 

୨୯ । ୯ । ୫୫

 

ଦିନମାନ ଏରସମା ଥାନା ହତାରେ କାଙ୍ଗାଳ ମଣିଷଙ୍କର ଭିଡ଼ ଲାଗିଛି । ସକାଳ ପହରରୁ କୋଉ କୋଉ ଗାଁରୁ ଶହ ଶହ ମଣିଷ ଆସି ଜମା ହେଉଛନ୍ତି । ଦିନଯାକ ଏଇଠି ପଡ଼ୁଛନ୍ତି-। ରାତିରେ କୋଉଠି କାହା ପିଣ୍ଡା କି ଗଛମୂଳ ଦେଖି ଶୋଇ ପଡ଼ୁଛନ୍ତି । ସେମାନେ ଉପାସରେ ଘରୁ ଆସୁଛନ୍ତି । ଏଠି ତ ତାଙ୍କୁ କେହି ଭାତ ଖାଇବାକୁ ଦେଉନାହାନ୍ତି । ମଝିରେ ମଝିରେ ଖୁସି ହେଲେ ହାକିମ ମୁଢ଼ି ବାଣ୍ଟୁଛନ୍ତି । ଖରାବେଳ ହେଉ ବା ସଞ୍ଜବେଳ ହେଉ, ଖରା ହେଉ କି ବରଷା ହେଉ, ମୁଢ଼ି ବଣ୍ଟାଯିବା କଥା । ‘ହୋ’ ହୋଇଯିବାମାତ୍ରେକେ ଭୋକିଲା ମଣିଷର ଧାଡ଼ି ଲାଗିଯାଉଛି-। ବୁଢ଼ା, ଟୋକା ମଣିଷ ସମସ୍ତେ ସେଇ ଧାଡ଼ିରେ ସାମିଲ ହୋଇ ଯାଉଛନ୍ତି । ଯଦି ଦୁଇ ଧାଡ଼ିରେ ମଣିଷଗୁଡ଼ାକ ଶୃଙ୍ଖଳାର ସହିତ ବସିଯାଆନ୍ତେ, ତେବେ ବାଣ୍ଟିବା ସହଜ ହୁଅନ୍ତା, ସବୁ ମଣିଷ ସମାନ ଭାବରେ ପାଆନ୍ତେ । ବାଣ୍ଟିଲାବାଲାମାନେ ଏପରି କହୁଛନ୍ତି; କିନ୍ତୁ ଶୃଙ୍ଖଳା ରଖୁଛି କିଏ ? ଭୋକ ମଣିଷ ଜୀବନର ସବୁ ଶୃଙ୍ଖଳା ଭାଙ୍ଗି ଦେଉଛି । ସେଥିଲାଗି କାଲି ଯେଉଁ ମଣିଷ ସମାଜରେ ସମସ୍ତଙ୍କ ସହିତ ସ୍ନେହମମତା ଓ ସଦ୍‍ଭାବ ରଖି ଚଳୁଥିଲା, ସେ ଆଜି ଅତି ଅଲାଜୁକ ଭାବରେ ଅଣ୍ଟି ଦେଖାଇ ଯୋଉଠି ସେଠି ବସିଯାଉଛି । ଗୋଟିଏ ଜାଗାରେ ମୁଢ଼ି ପାଇ ତାକୁ କାଖରେ ଯାକି ସେ ପୁଣି ଆଉ କୋଉ ଧାଡ଼ିରେ ଟିକିଏ କନ୍ଦି କାଢ଼ି ବସିବାକୁ ଧାଉଁଛି । ଖାଲି ଛୁଆ ପିଲା ତ ଏକଥା କରୁନାହାନ୍ତି, ବଡ଼ବଡ଼ ବୁଢ଼ାମାନେ ମଧ୍ୟ ଏହି ଦଳରେ ଅଛନ୍ତି । ‘ସିଏ ଦୁଇ ଥର ମୁଢ଼ି ନେଇଗଲା, ତା’ କାଖତଳେ ମୁଢ଼ିପୁଡ଼ା ଜକା ହୋଇଛି,’ ଏହିପରି ସମସ୍ତେ ସମସ୍ତଙ୍କୁ ଚୋର ଧରାଇବାର ହଟଗୋଳ ଲଗାଇ ଦେଉଛନ୍ତି । ଏପରି ହେଉଛି କିପରି ?

 

Unknown

ଇସ୍ରାଏଲରୁ ଗୋଟାଏ ସ୍କୁଲ କଥା ମନେ ପଡ଼ୁଛି । ବାପ, ମା ବା ଘର ନ ଥିବା ପିଲାମାନଙ୍କୁ ସେଠିକାର ସ୍କୁଲ ଓ ଛାତ୍ରାବାସରେ ସ୍ୱାଭାବିକ ନାଗରିକ ଗଢ଼ିବାର ଚେଷ୍ଟା ସେଠି ହେଉଥିଲା । କେତେ ପିଲା କୁଆଡ଼େ ରାସ୍ତା ଉପରେ ଅରକ୍ଷିତ ହୋଇ ବୁଲୁଥିଲେ । ଆଜି ଖାଇବାକୁ ମିଳିଲେ କାଲି ମିଳୁ ନଥିଲା । ସେହିମାନଙ୍କୁ ଗୋଟାଏ ଆନୁଷ୍ଠାନିକ ସଙ୍ଗଠନ ଭିତରେ ସ୍ୱାଭାବିକ ଓ ସାଧୁ ଜୀବନ ପ୍ରସ୍ତୁତ କରାଇବାର କାମ ଯେ କେତେ କଷ୍ଟକର ହେଉଥିବ, ମଣିଷର ମନକୁ ବୁଝୁଥିବା ଯେ କୌଣସି ଲୋକ ତାହା ବୁଝିପାରିବ । ସବୁଦିନେ ଖାଇବା ସମୟରେ ସେଠି ଯଥେଷ୍ଟ ଖାଦ୍ୟ ଖାଇବାକୁ ଦିଆଯାଏ । ତଥାପି ଏପରି ଅନେକ ପିଲା ଥାନ୍ତି, ଯେଉଁମାନେ ଖାଇବା ଟେବୁଲ ଉପରୁ ଅଧିକା ଖାଦ୍ୟପଦାର୍ଥ ପକେଟରେ ଲୁଚାଇ ନେଇଯାଆନ୍ତି । କ୍ଲାସ ଘରେ ବସିଥିବାବେଳେ ମନେ ପଡ଼ିଲା ତ ପାଟିଏ ଦିପାଟି ଖାଇଦିଅନ୍ତି । ପୁଣି ଖାଇବା ସମୟକୁ ଆସିଲାବେଳେ ପକେଟରେ ଯାହା ବଳିଥାଏ, ତାକୁ ଅଳିଆଗଦାରେ ପକାଇଦେଇ ଆସନ୍ତି । ନିତି ଏମିତି ସେଠି ଅନେକ ଖାଦ୍ୟ ନଷ୍ଟ ହୁଏ । ଏଣେତେଣେ ଅଇଁଠା ପଡ଼ି ମଇଳା ହୁଏ । ପ୍ରାୟ ପ୍ରତ୍ୟେକ ଦିନ ଶିକ୍ଷକ ଏ ବିଷୟରେ ପିଲାଙ୍କୁ ଚେତେଇ ଦିଅନ୍ତି । ଖାଇଲାବେଳେ ଯିଏ ଯେତେ ଖାଇବ, ନିଶ୍ଚୟ ଦିଆଯିବ । ଏହିଭଳି ନିର୍ଭର ଜବାବ ଦିଅନ୍ତି । ନିତିବି ପିଲାଏ ଇଚ୍ଛାମୁତାବକ ଖାଆନ୍ତି; ତଥାପି ପକେଟରେ ଖାଦ୍ୟ ଲୁଚାଇ ନେଇଯିବା କେବେ ବନ୍ଦ ହୁଏ ନାହିଁ ।

 

ସେହି ପିଲାଏ ଯେତେବେଳେ ଅରକ୍ଷିତ ହୋଇ ରାସ୍ତାରେ ବୁଲୁଥିଲେ, ସେତେବେଳେ ସେମାନେ ଯେଉଁଠି ଯାହା ମିଳିଲା ଖାଇ ଭୋକ ମେଣ୍ଟାଇ ଦେଉଥିଲେ । ଠିକ୍ ଭୋକବେଳେ କେଉଁଠି ଗୁଣ୍ଡାଏ ଖାଇବାକୁ ଯେ ମିଳିବ, ଏପରି ନିଶ୍ଚୟତା କେବେ ନଥିଲା । କେଉଁଠି କିଛି ନ ମିଳିଲେ ଦିନେ ଦିନେ ଉପାସ ମଧ୍ୟ ରହିବାକୁ ପଡ଼ୁଥିଲା । ତେଣୁ ଆଜି ଖାଦ୍ୟ ଖାଇଲାବେଳେ କାଲି କାଳେ ଖାଇବାକୁ ନ ମିଳିବ, ଏହି ଆଶଙ୍କା ସେମାନଙ୍କୁ ପରାସ୍ତ କରି ରଖିଥିଲା । କାଲି ମୋର ଖାଇବା ମୁଁ ମୋର ନିଶ୍ଚୟ ପାଇବି, ଏପରି ଭରସା ଥିବାବେଳେ ମୁଁ କାଲି ଲାଗି କାହିଁକି ଚିନ୍ତା କରିବି ? କିନ୍ତୁ କାଲିକାର ଭୟ ମୋତେ ମାଡ଼ିବସିଥିବା ପର୍ଯ୍ୟନ୍ତ ମୁଁ ଯେଉଁଠି ଯାହା ପାଇବି ସବୁ ଅଣ୍ଟିରେ ସାଇତି ଲୁଚାଇ ଧରିବି । ମୋ ବୁଜୁଳା ବାନ୍ଧିବା ଛଡ଼ା ସଂସାରରେ ଆଉ ମୋତେ କିଛି ଦେଖାଯିବ ନାହିଁ । ଆଜି ସେହି କଥା ହେଉଛି । ଆଜି ତ ଘରେ ଭାତ ନାହିଁ, କାଲିକି ଭାତ କଥା ତେଣିକି ଥାଉ, ମୁଢ଼ି ଗଣ୍ଡାଏ ହୁଏତ ମିଳିବ ନାହିଁ । ତେଣୁ ଆଜି ମୁଠାଏ ଅଧିକ ବାନ୍ଧି ରଖିଥିଲେ କାଲି ପେଟରୁ ତ କଣେ ପୂରିବ । ଏଇ ଲୋଭରେ, ଏଇ ଆଶଙ୍କାରେ ମଣିଷ ଜଳିପୋଡ଼ି ଯାଉଛି । ତା’ର ସବୁ ବିବେକ ଜଳିପୋଡ଼ି ଯାଉଛି । ତା’ ପେଟର କାଙ୍ଗାଳ ତା’ର ହୃଦୟକୁ କାମୁଡ଼ି ଧରିଛି । ସେଥିପାଇଁ ବୁଢ଼ା, ପିଲାର ବାଛ ରହୁ ନାହିଁ, ନ୍ୟାୟ ଲାଗି ବାଟ ରହୁନାହିଁ । ସମସ୍ତେ ସେଠି ଆପଣା ଲାଗି ପୁଞ୍ଜାଏ ସାଇତି ରଖିବାକୁ ଧାଇଁଛନ୍ତି । ଭୋକ ଉପାସ ଇମିତି ମଣିଷକୁ ପାଗଳ କରେ, ଭ୍ରଷ୍ଟ କରାଏ । ଏଇମିତି ଭାବରେ ବୁଢ଼ା, ପିଲା, ଟୋକା ସମସ୍ତେ ଆଜି ମୁଢ଼ି ପୋଷେ ସକାଶେ ଟଣାଟଣି ହେଉଛନ୍ତି ।

 

୧ । ୧୦ । ୫୫

 

ଦୀର୍ଘ ଆଠ ମାସ ରହଣି ପରେ ପୂଜ୍ୟ ବିନୋବାଜୀ ଆଜି ଓଡ଼ିଶାର ସୀମା ଛାଡ଼ି ଆନ୍ଦ୍ର ରାଜ୍ୟରେ ପ୍ରବେଶ କରିଥିବେ । ଗତ ଜାନୁଆରୀ ଛବିଶ ତାରିଖରେ ସେ ଓଡ଼ିଶାର ଉତ୍ତର-ସୀମା ଲକ୍ଷ୍ମଣନାଥଠାରେ ଏ ରାଜ୍ୟରେ ପଦାର୍ପଣ କରିଥିଲେ । ଆଜି କୋରାପୁଟର କେଉଁ ଅଖ୍ୟାତ ଗ୍ରାମରେ ସେ ଓଡ଼ିଶା ଛାଡ଼ି ଆନ୍ଧ୍ର ରାଜ୍ୟରେ ଯାତ୍ରା ଆରମ୍ଭ କରି ଦେଇଥିବେ । ମହାନ୍ ଯାତ୍ରୀ ସେ, ତାଙ୍କ ପାଖରେ ଏସବୁ ରାଜ୍ୟ-ରାଜ୍ୟାନ୍ତର ବା ସୀମା-ସୀମାନ୍ତରର ଖୁବ୍ ବେଶି ମହତ୍ତ୍ୱ ନାହିଁ । ସେ ମହାନ୍ ପଥିକ । ସବୁ ରାଜ୍ୟ ଓ ସବୁ ମଣିଷ ତାଙ୍କ ଦୃଷ୍ଟିରେ ସେହି ଗୋଟିଏ ପରମ-ପଥରେ ଗୁନ୍ଥା ହୋଇ ରହିଛି । ଆମେ ତାଙ୍କର ଯାତ୍ରାର ବିଭିନ୍ନ ପର୍ଯ୍ୟାୟକୁ ଆମ ସୁବିଧା ଓ ଆମ ବୁଝିବା ଲାଗି ଭିନ୍ନଭିନ୍ନ କରି ଦେଖୁଛୁ । ଗୋଟାଏ ସୀମାରେ ସ୍ୱାଗତ କରି ଆଣି ଆଉ ଗୋଟାଏ ସୀମାରେ ତାଙ୍କୁ ବିଦାୟ ଦେଇ ଆସୁଛୁ । କିନ୍ତୁ ଠିକ୍ ସୃଷ୍ଟିର ସୂର୍ଯ୍ୟ, ଚନ୍ଦ୍ର ଓ ଦିନରାତି ପରି ଅତି ନିର୍ଭୀକ ଓ ଅତି ଅପ୍ରମତ୍ତ ଭାବରେ ମହାତ୍ମା ତାଙ୍କର ଅବାରିତ ଯାତ୍ରା-ପଥରେ ଚାଲିଛନ୍ତି ।

 

ବିନୋବାଜୀ ଓଡ଼ିଶାର ସୀମା ଭିତରେ ଥିଲାବେଳେ ଏଠି ବେଶ୍ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏହି ଉତ୍ତେଜନାରେ ଅନେକ ଭୋକଶୋଷ ଭୁଲିବା ସଙ୍ଗେ ସଙ୍ଗେ ସ୍ୱତନ୍ତ୍ର ଭାବରେ ବିଚାର କରିବାକୁ, ଆତ୍ମନିରୀକ୍ଷଣ କରିବାକୁ ମଧ୍ୟ ଭୁଲିଯାଇଥିଲେ । ନଈର ସ୍ରୋତ ପରି ବିନୋବାଜୀଙ୍କର କ୍ରାନ୍ତି-ଯାତ୍ରା ଆମ ଜୀବନର ସବୁ କାଠିକୁଟା, ମଳି ଧୂଳିକୁ ସେହି ଏକ ଉତ୍ସାହର ବେଗରେ ବୁହାଇ ନେଇ ଚାଲିଥିଲା । ମାସ ମାସ ଧରି ଆମେ ତାଙ୍କୁ ଅତି ପାଖରେ ପାଇଥିଲୁ, ଅତି ପାଖରେ ଦେଖୁଥିଲୁ, ଅତି ପାଖରେ ରହି ତାଙ୍କ କଥା ଶୁଣୁଥିଲୁ । ଗୋଟାଏ ପଞ୍ଚଗ୍ରହକୂଟ ବା କୌଣସି ପ୍ରକାର କୂଟରେ କଳିଯୁଗ ଭାଙ୍ଗି ସତ୍ୟଯୁଗ ହୋଇଗଲା ପରି ଏହି ମହାତ୍ମାଙ୍କର ଜୀବନ ଉତ୍ସାହରେ ଆମେ ମଧ୍ୟ ସ୍ୱପ୍ନ ଦେଖୁଥିଲୁ ଯେ ଏହି ବର୍ଷ ବା ଆଉ ଦୁଇ ବର୍ଷ ଗଲେ ଏହି ସମାଜ ଭାଙ୍ଗିଯିବ । ଏ ପୁରୁଣା ଛାଞ୍ଚ ଯାଇ ନୂଆ ଛାଞ୍ଚ ଓ ନୂଆ ବେଭାରରେ ସଂସାର ଚାଲିବ । ଆମେ ଖାଲି ଡେଇଁପଡ଼ିବା । ଆମେ ଯିଏ ଯୋଉଠି ଅଛୁ ଖାଲି ପତଙ୍ଗ ପରି ଝାସ ଦେଇ ପକାଇବା, ତେବେ ବିନୋବା ସବୁ କରିଦେବ ।

 

ମୁଁ କାହିଁକି ଏହିପରି ଏକ ସହଜ-ଯୁକ୍ତି ଭିତରେ ଅନେକ ପ୍ରମାଦ ଥିଲା ପରି ଅନୁଭବ କରିଥିଲି । ନିଆଁ ପାଖରେ ଥିଲାବେଳେ ଝାସ ଦେବାର ଉତ୍ତେଜନା ଭିତରେ ନିହିତ ଥିବା ପ୍ରମାଦ ସହଜରେ ଜାଣିହୁଏ ନାହିଁ । ଆଜି ବିନୋବାଜୀ ଆମଠାରୁ ଟିକିଏ ଦୂରକୁ ଚାଲିଯିବେ । ଖାଲି ଗୋଟାଏ ପ୍ରକାର ଉତ୍ତେଜନାରେ ସ୍ରୋତଗ୍ରସ୍ତ ମୁଗ୍ଧ ମନ ନେଇ ଆମେ ବିନୋବା ସହିତ ଆପଣାକୁ ଏକ ଯାତ୍ରୀଦଳରେ ସାମିଲ କରୁଥିଲେ, ନା ବିଚାର ଓ ବିଶ୍ୱାସର ଗଭୀରତା ସହିତ ଆମେ ବିନୋବାର ବାଣୀକୁ ଗ୍ରହଣ କରିଥିଲେ–ତାହା ବର୍ତ୍ତମାନ ଜଣାପଡ଼ିବ । ମହାପୁରୁଷ ଦୀପ ଜଳାଇବାର ବାଟ ବତାଇ ଦେଇ ଗଲେ । ଏଥର ଆମର ଯୋଗ୍ୟତା ଥିଲେ ଆମେ ଆତ୍ମଦୀପ ହୋଇ ମହାପୁରୁଷଙ୍କର ବାଣୀକୁ ଆମ ଭିତରେ ବଞ୍ଚାଇ ରଖିପାରିବା । ତାଙ୍କରି ବାଣୀର ପ୍ରେରଣା ନେଇ ବ୍ୟକ୍ତିଗତ ତଥା ସାମାଜିକ ଜୀବନରେ ଆମେ ନୂତନ କରି ଜନ୍ମଲାଭ କରିପାରିବା ।

 

ବିନୋବାଜୀଙ୍କର ଆନ୍ଦୋଳନ ପ୍ରଧାନତଃ ମଣିଷ ବଦଳାଇବାର ଆନ୍ଦୋଳନ; ଆପଣାକୁ ବଦଳାଇବାର ଆନ୍ଦୋଳନ । ଅନ୍ୟାନ୍ୟ ନାନାପ୍ରକାର ଆନ୍ଦୋଳନ ପରି ଏଥିରେ କୌଣସି ପ୍ରକାର ଉଗ୍ରତା ବା ଉତ୍ତେଜନାର ସ୍ଥାନ ନାହିଁ । ପୁରୁଣା ବିଚାରକୁ ମାରିବାକୁ ପଡ଼ିବ, ପୁରୁଣା ଜୀବନକୁ ମାରିବାକୁ ପଡ଼ିବ, ନୂଆ ମୂଲ୍ୟର ଜୀବନ ବଞ୍ଚିବାର ସାହସ ଅର୍ଜନ କରିବାକୁ ପଡ଼ିବ । ଆପେ ବଦଳି ଆପଣାର ପରିପାର୍ଶ୍ୱକୁ ବଦଳାଇବାକୁ ପଡ଼ିବ । ଏହିପରି ଏକ ଶୁଦ୍ଧ ଜୀବନରୁ ମିଳୁଥିବା ପ୍ରେରଣାରେ ମସ୍ତ ରହିବାକୁ ପଡ଼ିବ । ଏହି ଉକ୍ତି ହେଉଛି ବିନୋବା ବାଣୀର ମୂଳ କଥା । ଏଠି ଶିଷ୍ୟ ଗୁରୁକୁ ଘେନି ହୋହୋ ସଂକୀର୍ତ୍ତନ କରିବାର କୌଣସି ଅତ୍ୟାଚାର ନାହିଁ । ଗୁରୁର ଦ୍ୱାହି ଦେଇ ବା ଗୁରୁ-ବାକ୍ୟର ବାନା ଉଡ଼ାଇ ଆପଣାର ଅଭିମାନୀ ଓ ଅହଂକାରୀ ଲାଳସାଗୁଡ଼ାକୁ ଜାରି ରଖିବାର କୌଣସି ଗନ୍ଧ ନାହିଁ । ଯୁଗେ ଯୁଗେ ନାନା ଧର୍ମ ଓ ନାନା ଧର୍ମପ୍ରବର୍ତ୍ତନର ଶୁଦ୍ଧତା ଏହି ଲାଳସା ଯୋଗୁଁ ନଷ୍ଟ ହୋଇଛି । ସବୁ ଆଦର୍ଶବାଦ ଏହି ଦୋଷରୁ ଚିରଦିନ ଦୂଷିତ ହୋଇପଡ଼ିଛି । ଏହି ଲାଳସାର ବାଣ ମାରି ଚିରଦିନ ଗୁରୁତିଳକ ଲଗାଇଥିବା ଚେଲାମାନେ ଗୁରୁଙ୍କୁ ଆପଣା ଭିତରୁ ମାରି ପକାଇଛନ୍ତି ।

 

ବିନୋବାଜୀ ଓଡ଼ିଶାରେ ଏକ ଭାଷଣରେ ଆପଣାକୁ ଜ୍ଞାନ ସହିତ ତୁଳନା କରିଥିଲେ । ଜ୍ଞାନଂ ଜ୍ଞାପୟତି–ଜଣାଇଦେବା ହେଉଛି ଜ୍ଞାନର କାମ । ଜ୍ଞାନ ଆପଣାକୁ ସତର୍କ କରିଦେବ । ଠିକ୍ ରାସ୍ତାରେ ଯିବାକୁ ଆମ ଭିତରେ ଶୁଦ୍ଧ ପ୍ରେରଣା ଦେଇଯିବ । ଆମ ଆଖିରୁ ସବୁ ମଳି ଧୋଇଦେବାରେ ଆମକୁ ସାହାଯ୍ୟ କରିବ । କିନ୍ତୁ ପ୍ରଧାନତଃ ଆମର ବିଚାର ଓ ବିଶ୍ୱାସଦ୍ୱାରା ଆମେ ଆମର ଜୀବନ ତଥା ସମାଜକୁ ବଦଳାଇବା । ଆପେ ଶୁଦ୍ଧ ହେବାର, ନମ୍ର ହେବାର ସଂକଳ୍ପ ନେଇ ଆମେ ଏଇଠି ଏଇ ପୃଥିବୀରେ ସ୍ୱର୍ଗରାଜ୍ୟର ନିଅଁ ପକାଇବା ।

 

୨ । ୧୦ । ୫୫

 

ଗାନ୍ଧୀ, ରାମକୃଷ୍ଣ ବା ବିବେକାନନ୍ଦଙ୍କର ଛବି ଘରକାନ୍ଥରେ ସଜାଇ ରଖିଲେ ସେମାନେ ଆମ ଭିତରେ ବଞ୍ଚି ରହିପାରିବେ ନାହିଁ । ଆଜି ମହାତ୍ମାଗାନ୍ଧୀଙ୍କ ନାଆଁରେ ପୂଜାସ୍ତୁତିର ଧୂମ୍ ଚାରିଆଡ଼େ ଲାଗିଛି । ଶଙ୍ଖମର୍ମର ପଥର ମୂର୍ତ୍ତିଠାରୁ ଆରମ୍ଭ କରି ତିନିମହଲା ସ୍ମୃତି-ମନ୍ଦିର ପର୍ଯ୍ୟନ୍ତ ସବୁଠି ଆଜି ଗାନ୍ଧୀ ଅବତାର ଗ୍ରହଣ କରିଛନ୍ତି । ଗାନ୍ଧୀ ନାଆଁରେ ସ୍କୁଲ ହେଉଛି, ପାଠାଗାର ଓ କ୍ଲବମାନ ଖୋଲୁଛି । ଗାନ୍ଧୀ ନାଆଁରେ ପଦବିଧାରୀ ପଣ୍ଡିତମାନଙ୍କୁ ବକ୍ତୃତା ଦେବା ଲାଗି ବୃତ୍ତି ବା ଭତ୍ତା ଦିଆଯାଉଛି । କଥାରେ ଅକଥାରେ, ସଭାଘରେ ଓ ମନ୍ତ୍ରଣାଗୃହରେ ଗାନ୍ଧୀକୁ ଜାତିର ପିତା ବୋଲି କୁହାଯାଉଛି । ତଥାପି ନାମଟାକୁ ଅତି ଉଗ୍ରତାର ସହିତ ବଞ୍ଚାଇ ରଖିବାର ଆଡ଼ମ୍ବର ହେଉଥିଲେହେଁ ଗାନ୍ଧୀ ଯେପରି ଆଜି ଏ ଦେଶର ଜୀବନରୁ ମରିମରି ଯାଉଛି । ଆମେ ସମସ୍ତେ ଚିତାଚଇତନ ଓ କପଡ଼ା ଭିତର ଦେଇ ଗାନ୍ଧୀର ଭୂତଟାକୁ ଯେପରି ନଚାଇ ନଚାଇ ବୁଲୁଛୁ । ମୂର୍ତ୍ତି ଗଢ଼ିଦେଲେ ମହାତ୍ମାର ପୂଜା ସରିଯାଏ ନାହିଁ । ମୂର୍ତ୍ତିର ଠୁଳ ପୂଜା ଭିତରେ ଦେବତାର ମହିମାକୁ ବାନ୍ଧିରଖିଲେ ଆମେ ଯଥାର୍ଥରେ ଦେବତାର ଭକ୍ତ ବୋଲାଇବାର ଯୋଗ୍ୟତା ହରାଇବସୁ । ଗାନ୍ଧୀ ବଞ୍ଚିଥିବାବେଳେ ଥରେ ବିହାରରେ ଜଣେ କେହି ମୂଢ଼ ଭକ୍ତ ମନ୍ଦିର ଭିତରେ ଗାନ୍ଧୀର ପ୍ରତିମା ଥାପି ପୂଜା କରିବାକୁ ଆରମ୍ଭ କରିଥିଲେ । ‘ସେଠି ମୋ ଜୀବନକୁ ନେଇ ବ୍ୟଙ୍ଗ କରାଯାଉଛି’–ଗାନ୍ଧୀ ଅତି ସ୍ପଷ୍ଟଭାବରେ ଏହି କଥା ସମସ୍ତଙ୍କୁ ଶୁଣାଇ ଦେଇଥିଲେ । ସେହି କଥା ପଦକ ଆମ ସମସ୍ତଙ୍କ ଲାଗି ସତର୍କ ବାଣୀ ହୋଇ ରହିବା ଉଚିତ । ଆମେ ଗାନ୍ଧୀକୁ ଅବତାର ବୋଲି ମାନି ସ୍ୱର୍ଗକୁ ଉଠାଇଦେବାର ମୂଢ଼ ଭକ୍ତ ସାଜିବା ନାହିଁ । ମହାତ୍ମା ଆମରି ହୃଦୟ ଭିତରେ ପ୍ରତିଷ୍ଠିତ ହୋଇ ରହିବ, ଆମରି ଜୀବନରେ ସାମାଜିକ ସମ୍ପର୍କରେ ମହାତ୍ମାର ବାଣୀ ପ୍ରକଟିତ ହେବ । ତେବେ ଯାଇ ମହାତ୍ମାକୁ ଆମେ ଆମରି ଭିତରେ ବଞ୍ଚାଇ ରଖିପାରିବା ।

 

ଆଜି ଗାନ୍ଧୀଙ୍କର ଜନ୍ମଦିନ । ଆଜି କେତେ ଜାଗାରେ ତାଙ୍କରି ସ୍ତୁତି ହେଉଥିବ, ତାଙ୍କରି ନାଆଁରେ କେତେ ପ୍ରଗଳ୍‌ଭ ପଣ୍ଡିତ ଆଜି ବଡ଼ବଡ଼ ସଭାରେ ବକ୍ତୃତା ଦେଉଥିବେ । ପୂର୍ବ ସ୍ମୃତି ଓ ପୂର୍ବକୃତି ମନେପକାଇ କେତେ ପୁଣି ଗାନ୍ଧୀକୁ ହରାଇଲୁ ବୋଲି ରୋଦନ କରୁଥିବେ । ଆମେ ଗାନ୍ଧୀକୁ ଦେବତା ବୋଲି ମାନିବା ନାହିଁ । ଗାନ୍ଧୀକୁ ଆମେ ମଣିଷ ବୋଲି ଗ୍ରହଣ କରିବା । ଇତିହାସରେ ଯୁଗେ ଯୁଗେ ମଣିଷ ମହାତ୍ମାକୁ ଦେବତା କରିଦେଇଛି । ଏହିପରି ସମ୍ମାନର ଅତ୍ୟାଚାରରେ ସେ ମହାତ୍ମାକୁ ମାରିଦେଇଛି । ଜୀବନରୁ ଓ ସଂସାରରୁ ବିତାଡ଼ିତ କରି ଧର୍ମକୁ ସେ ମନ୍ଦିର ଭିତରେ ବନ୍ଦୀକରି ରଖିଛି । ଗାନ୍ଧୀକୁ ଆମେ ଦେବତା ନୁହେଁ, ସାଧକ ବୋଲି ଗ୍ରହଣ କରିବା-। ଗାନ୍ଧୀ ଏଇ ମାଟି ଗୋଡ଼ି, ଦୋଷ ଗୁଣର ସଂସାରରେ ଜଣେ ମଣିଷ ଥିଲେ । ଧୂଳିରେ ଜନ୍ମି ସେ ଫୁଲଟି ପରି ସ୍ୱର୍ଗୀୟ ମହିମାରେ ଫୁଟି ଉଠିଥିଲେ । ସେ ଦିନେ ପିଲାହୋଇ ଚୋରି କରିଥିଲେ, କାମାତୁର ସ୍ୱାମୀ ହୋଇ କର୍ତ୍ତବ୍ୟ ଭୁଲିଥିଲେ । ବାହ୍ୟ ସଭ୍ୟତାର ମୂଢ଼ ଅନୁକରଣ କରିବା ଲାଗି ସେ ମଧ୍ୟ ଦିନେ ବିଲାତରେ କେତେ ପରିଶ୍ରମ କରିଥିଲେ; ତଥାପି ଶତ ଦୋଷ ଦୁର୍ବଳତା ସତ୍ତ୍ୱେ ସେହି ପିଲାଟି ଦିନରୁ ତାଙ୍କ ଭିତରେ ଆଲୋକପିପାସୀ ସାଧକ ବିକଶିତ ହୋଇ ଆସୁଥିଲା-। ତାଙ୍କ ଭିତରର ବିପ୍ଳବୀ ସାରା ସଂସାରର ସମସ୍ତ ଘୃଣା ଓ ଅନ୍ୟାୟର ବିରୁଦ୍ଧରେ ନିର୍ଭୀକ ଉନ୍ନତଶିର ହୋଇ ଠିଆ ହେବା ଲାଗି ପ୍ରସ୍ତୁତ ହୋଇ ଆସିଥିଲା । ଏହି ଧୂଳିମାଟିର ଜୀବନ-ଜାଲ ଭିତରେ ମଧ୍ୟ ତାଙ୍କରି ଭିତରର ମହାତ୍ମା ପ୍ରତିଦିନ ପଳପଳ କରି ବଢ଼ି ଆସୁଥିଲା । ଗାନ୍ଧୀ-ଜୀବନର ଇତିହାସ ପ୍ରଧାନତଃ ସଂକଳ୍ପ ଓ ସାଧନାର ଇତିହାସ । ଯାବତୀୟ ଦୋଷ ତ୍ରୁଟି ସତ୍ତ୍ୱେ ସତ୍ୟପ୍ରତି ଅନୁରକ୍ତିର ଇତିହାସ ।

 

ଆମ ସମାଜରେ ଆମେ ସମସ୍ତେ ଆଜି ଭିତରେ ଭୀରୁ ବାହାରେ ପୁଲିସ ସାଜି ରହିଛେ-। ଆମ ଭିତର ମଇଳାକୁ ଆମେ ନାନାପ୍ରକାର ତ୍ରାସରେ ଜଉମୁଦ ଦେଇ ରଖିଛେ । ଏଣେ ବାହାରି ପୋଷାକି ଜୀବନରେ ଦୁନିଆ ଆଗରେ ଭଲ ମଣିଷ ବୋଲି ପରିଚୟ ଦେଇ ଅପରକୁ ଦୋଷୀ ପ୍ରମାଣ କରି ବାହାରିଛେ । ଏ ଜୀବନରେ କୌଣସି ସଂକଳ୍ପ ନାହିଁ, କୌଣସି ସାଧନା ନାହିଁ-। ସତ୍ୟପ୍ରତି କୌଣସି ଅନୁରକ୍ତି ନାହିଁ, କୌଣସି ପୁରୁଷାର୍ଥ ନାହିଁ । ଏ ସଂକଳ୍ପ, ଏହି ସାଧନା ଓ ଏହି ଅନୁରକ୍ତି ନ ଆସିବା ପର୍ଯ୍ୟନ୍ତ ଆମେ କୌଣସି ଦିନ ଆପଣାର ଜୀବନକୁ ବଦଳାଇ ପାରିବା ନାହିଁ । ଚିରଦିନ ଆମେ ଆମର ଦୋଷ ଦୁର୍ବଳତାମାନଙ୍କୁ ଆପଣା ମନର ବୋଝ କରି ଧରି ଅତି ଦରିଦ୍ର ଜୀବନ ନେଇ ବୁଲୁଥିବା । ବାହାର ବକ୍ତୃତା ବା ଭେକ ଆମକୁ ଏତେ ଟିକିଏ ଶାନ୍ତି ଦେଇ ପାରିବ ନାହିଁ । ନାଇଁ, ସଂସାରରେ ସେ ଶସ୍ତା ବାଟ ଆମର ଦରକାର ନାହିଁ । ଆପଣା ଜୀବନର ଧୂଳି ଉପରେ ଆମକୁ ପୂର୍ଣ୍ଣପଦ୍ମ ପରି ଫୁଟି ଉଠିବାକୁ ହେବ । ଏହି ଫୁଟି ଉଠିବାର ଆଗ୍ରହ ଆମକୁ ସଂସାର ଓ ସମାଜରେ ସତତ ନିର୍ଭୀକ କରି ରଖିଥାଉ । ସାଧକ ଗାନ୍ଧୀର ସାଧନା ଆମର ଅନୁରକ୍ତିକୁ ଆହୁରି ଗଭୀର କରୁ, ଆମର ବିଶ୍ୱାସକୁ ଆହୁରି ଦୃଢ଼ କରୁ, ଆମରି ହୃଦୟ ଗୁହାରେ ନିହିତ ହୋଇ ରହିଥିବା ମଣିଷ-ଦେବତାର ପରିଚୟ ଆମକୁ ଦେଇଯାଉ ।

 

୩ । ୧୦ । ୫୫

 

ଏ ଦେଶର ବଣ ଜଙ୍ଗଲ, ପାହାଡ଼ ପର୍ବତ ସବୁଠି ମଣିଷ ଅଛନ୍ତି । କିନ୍ତୁ ଆମେ ସେସବୁର ଖବର ରଖୁନାହୁଁ । ଆପଣା ଘରେ ଆରାମରେ ରହି, ଶୁଖିଲା ପାଚିଲା ବାଟ ଚାଲି, ଭଲ ପିନ୍ଧି, ଭଲ ଖାଇବାକୁ ଆମେ ଆଦର୍ଶ ସୁଖୀ ଜୀବନ ବୋଲି ଧରିନେଇଛୁ । ଆମ ଦେଶର କିଶୋର ଯୁବକମାନଙ୍କୁ ମଧ୍ୟ ସୁଖୀ ଜୀବନର ଏହି ବିନାଶକାରୀ ନିଶା ପିଆଇ ଦିଆଯାଉଛି । ଆମେବି ଆଜି କାଦୁଅପାଣି ଦେଖିଲେ ନାକ ଟେକୁଛୁ, ନଈ ପାରିହେବାକୁ ଡରୁଛୁ, ବଣ ଜଙ୍ଗଲକୁ ଭୟ କରୁଛୁ, ଖାଇବା ପିଇବାରେ ଅସୁବିଧା ହେଲେ ଶଙ୍କିତ ହୋଇପଡ଼ୁଛୁ । ସେଥିଲାଗି ଏ ବିରାଟ ଦେଶର ଗୋଟାଏ କ’ଣବି ଆମେ ଦେଖିପାରୁ ନାହୁଁ । ଯେତିକି ଦେଖିବାର ସୁଯୋଗ ପାଉଛୁ, ସେତିକି ମଧ୍ୟ ହୃଦୟ ଦେଇ ଦେଖିବାର ଶ୍ରଦ୍ଧା ବା ସାହସ ଆମର ନାହିଁ । ଆମ ଓଡ଼ିଶାର ଅଧିକାଂଶ କର୍ମଚାରୀ କୋରାପୁଟ ଯିବାକୁ ଭୟ କରନ୍ତି । ସହରରେ ବେଶି ଦିନ ରହିବା ଲାଗି ଉପର ହାକିମଙ୍କୁ ତୋଷଣ କରିବାରେ ଲାଗିଥାନ୍ତି । ଘରଠାରୁ ଟିକିଏ ଦୂରଛଡ଼ା ହୋଇଗଲେ ବା ବର୍ଷେ ଛ’ମାସ ଘରକୁ ନ ଆସିଲେ, ଆମ ଯୁବକର ମନ ଉଚ୍ଛନ୍ନ ହୋଇଉଠେ । ଏ ଆମର ଦୁର୍ଭାଗ୍ୟ । ସେଥିଲାଗି ଏଡ଼େବଡ଼ ବିଚିତ୍ର ବିପୁଳ ଦେଶରେ ଜନ୍ମ ହୋଇ ମଧ୍ୟ ଆମେ ଏ ବିଚିତ୍ରତା ଓ ବିପୁଳତାର କିଛି ଅନୁଭବ କରିପାରୁ ନାହୁଁ । ଆମେ ଏ ଦେଶକୁ ନିଜର ବୋଲି ମନେ କରିପାରୁନାହୁଁ । ସବୁଥିରୁ ବଞ୍ଚିତ ହୋଇ ଆମ ଘରଟିକୁ ସଂସାରର ଭ୍ରମ କରି ବଞ୍ଚିରହିଛୁ ମାତ୍ର । ଯିଏ ଦୁଃଖ ଆଉ ସୁବିଧାକୁ ପିଲାଟି ଦିନରୁ ଡରି ଶିଖୁଛି, ବିଧାତା ଅତି ନିର୍ଦ୍ଦୟ ହୋଇ ତା’ ଲାଗି କୂଅ ଭିତରେ ବନ୍ଦ ହୋଇ ରହିବାର ଆରାମ ଖଞ୍ଜି ଦେଉଛନ୍ତି ।

 

ଦେଢ଼ବର୍ଷ ତଳେ ନୂଆଦେଶ ଇସ୍ରାଏଲରେ ଏହାର ଓଲଟା କଥା ଦେଖିଥିଲି । ସେଠି କିଶୋର ଓ ଯୁବକଙ୍କର ଗୋଟାଏ ବିରାଟ ସଙ୍ଗଠନ ଅଛି । ଆପଣା ଦେଶକୁ ଭଲ କରି ଜାଣିବା, ଦେଶର ଢିପ-ଢାଲୁ ପର୍ବତ-କାନ୍ତାର ସହିତ ଘନିଷ୍ଟଭାବେ ପରିଚିତ ହେବା ହେଉଛି ଏଇ ସଙ୍ଗଠନର ଏକ ପ୍ରଧାନ ଉଦ୍ଦେଶ୍ୟ । ପ୍ରତ୍ୟେକ ବର୍ଷ ଶୀତଦିନେ ଦଳବାନ୍ଧି ସେଠି ପିଲାଏ ସେମାନଙ୍କର ଦେଶ ଆବିଷ୍କାର କରିବାକୁ ଯାଆନ୍ତି । ଦେଢ଼ବର୍ଷ ତଳେ ଏହିପରି ଗୋଟାଏ ଦଳ ସହିତ ମୁଁ ଦୁଇ ଶହ ମାଇଲ ପାହାଡ଼ୀ ମରୁଭୂମିରେ ଚାଲିଥିଲି । କି ଉତ୍ସାହର ସହିତ ଶହେଟି କିଶୋର ଶରୀର ଆପଣାର ଖାଦ୍ୟ ଓ ପାନୀୟ ପିଠିରେ ବୋହି ନାନା ଦୁର୍ଗମ ପଥ ଦେଇ ଆପଣା ଦେଶକୁ ଆବିଷ୍କାର କରୁଥିଲେ । ଦିନରେ ଗ୍ରୀଷ୍ମକଟିବନ୍ଧର ଗରମରେ ନିର୍ଧୂମ ଖରାରେ ବାଟ ଚାଲିବାକୁ ହେଉଥିଲା । ରାତିରେ କାଲୁଆ ପଥର ଉପରେ ଖୋଲା ଆକାଶ ତଳେ ସମସ୍ତେ ଶୋଇ ପଡ଼ୁଥିଲେ । ଗୀତ ଓ ଉଲ୍ଲସିତ ଧ୍ୱନିରେ ମରୁଭୂମି ନିରନ୍ତର ମୁଖରିତ ହୋଇଉଠୁଥିଲା । ଏହିପରି ଯୁବକ ବଡ଼ ହୋଇ ତା’ର ଦେଶକୁ ସୁନ୍ଦର କରି ଗଢ଼ିପାରିବ । ଏହି ସଙ୍ଗଠନର ସଭ୍ୟମାନେ ଆପଣାକୁ ‘ଆଲିୟା’ ବୋଲି ପରିଚୟ ଦିଅନ୍ତି । ‘ଆଲିୟା’ ଅର୍ଥ ଆରୋହୀ । ଏମାନେ ଦୁଃଖ ଦୀନତାରୁ ସମୃଦ୍ଧି ଓ ସମ୍ପନ୍ନତାକୁ ଆରୋହଣ କରିବେ, ଆରାମଲୋଭୀ କ୍ଷୁଦ୍ରାୟତନ ଜୀବନରୁ ଏମାନେ ବିସ୍ତୃତତର ଓ ବିପୁଳତର ଜାତୀୟନିର୍ମାଣର ଜୀବନକୁ ଆରୋହଣ କରିବେ ।

 

ଡେନ୍‌ମାର୍କର ପିଲା ଷୋଳବର୍ଷ ପୂରିଗଲେ ସାଇକେଲ ଚଢ଼ି ଆପଣା ଦେଶ ବୁଲିବାକୁ ଯାଏଁ । ବିଛଣା, ଖାଇବା ଓ ଅନ୍ୟାନ୍ୟ ସାମଗ୍ରୀ ସେହି ଗୋଟିଏ ସାଇକେଲରେ ଯେତିକି ଧରିବ, ସେ ସେତିକି ନିଏ । ରାତିରେ କୌଣସି ପାନ୍ଥଶାଳାର ଆଶ୍ରୟ ନେବାକୁ ହୁଏ । କିଛି ନ ମିଳିଲେ କାହାର ପାଳଗଦାରେ ରାତି କଟିଯାଏଁ । ଡେନ୍‌ମାର୍କର ପିଲା ସେଥିଲାଗି ଦେଶର ସହର, ଗାଁ, ନଈ, ନାଳ, ଗଛ, ପତର, ଫୁଲ, ପକ୍ଷୀ, ପଶୁ ସବୁଟିକୁ ନିର୍ଭୁଲ ଭାବରେ ଚିହ୍ନି ରଖିଥାଏ । ଏହି ନିବିଡ଼ ପରିଚୟ ତା’ର ଅନ୍ତର ଭିତରେ ଦେଶର ସୁନ୍ଦର ଓ ସାଧୁ ନାଗରିକ ହେବାର ଶ୍ରଦ୍ଧା ଓ ସଂକଳ୍ପ ଦେଇଯାଏ । ଆମ ଦେଶର ବଣ ଜଙ୍ଗଲ, ନଈ ନାଳକୁ ଆମେ କେତେ ଦିନ ଡରୁଥିବା ? କେତେ ଦିନ ଆମେ ଆମରି ଦେଶର ହଜାର ହଜାର ମଣିଷଙ୍କ ସହିତ ଅପରିଚିତ ହୋଇ ରହିଥିବା-? କେତେ ଦିନଯାଏଁ ଆମେ ଆମ ପଡ଼ୋଶୀକୁ ଘୃଣା କରି ସାନ୍ତ୍ୱନା ପାଉଥିବା ? ଏରସମା ଥାନାରେ ବଢ଼ି ହୋଇ ଏତେ ଘର ଏତେ ମଣିଷ ଉଚ୍ଛନ୍ନ ହୋଇଗଲେ; ତଥାପି ସେଠି ରାସ୍ତାଘାଟ ନାହିଁ ବୋଲି କେତେ ଦିନ ଆମେ ସେଠାକୁ ଯିବାକୁ କୁଣ୍ଠିତ ହେଉଥିବା ? ଏ ରୁଗ୍‍ଣ ଜୀବନ-ଦୃଷ୍ଟି ଆମକୁ ଛାଡ଼ିବାକୁ ହେବ । ଏରସମା ହେଉ କି କୋରାପୁଟ ହେଉ, ହିମାଚଳ ହେଉ କି ହାଇଦ୍ରାବାଦ ହେଉ, ଏ ଆମରି ଦେଶ । ସବୁଠି ଆମେ ବିପନ୍ନ ଲୋକ ପାଖରେ ଦମ୍ଭ ହୋଇ ଠିଆହେବାକୁ ଆଗଭର ହେବା । ଆମ ଚାରିପାଖରେ ଆମକୁ ଜନନୀ ପରି ଆବୋରି ଧରିଥିବା ସଂସାର ଲାଗି ଆମର ଶ୍ରଦ୍ଧା ଓ ଜିଜ୍ଞାସା ସବୁବେଳେ ପ୍ରସ୍ତୁତ ହୋଇ ରହିଥିବ । ଏ ଦେଶର ମଣିଷ ଯେଉଁଠି ଦିନହୀନ ହୋଇ ପଡ଼ିଚି, ସେଠି ଯାଇ ଆପଣାର ସବୁ ଯୋଗ୍ୟତା ଖଟାଇ ମଣିଷକୁ ସୌଭାଗ୍ୟ ସମ୍ପନ୍ନ କରିବାକୁ ଆମେ ପଛାଇବା ନାହିଁ । ଆମେ ଏ ଦେଶକୁ ନୀରୋଗ କରିବା, ଏ ଦେଶର ମଣିଷକୁ ମାଡ଼ିବସିଥିବା ଗ୍ଳାନି ଓ ଅନ୍ଧାରକୁ ହଟାଇଦେବା । ଏ ଦେଶର ବନ୍ଧ୍ୟା ମାଟିରେ ଆମେ ଫସଲ ଫଳାଇବା । ଏ ଦେଶର ନଈ, ସମୁଦ୍ର, ପାହାଡ଼ ଓ ଜଙ୍ଗଲକୁ ମଣିଷର ସେବାରେ ଲଗାଇବା । ଏସବୁ ଆମକୁ କରିବାକୁହିଁ ହେବ । କିନ୍ତୁ ଆଗ ଆମକୁ ଏ ଦେଶକୁ ନିବିଡ଼ ଓ ଘନିଷ୍ଟଭାବେ ଜାଣିବାକୁ ହେବ ।

 

୪ । ୧୦ । ୫୫

 

ଦଳେ ଲୋକ ହାକିମି ଦେଖାଇ ଉପରେ ରହିଥିବେ, ଆଉ ଦଳେ ନେହୁରା ହୋଇ ପଛରେ ଗୋଡ଼ାଉଥିବେ–ଏକଥାଟା ଆମ ଦେଶରେ ସବୁଠାରେ ଦେଖି ଦେଖି ଆମର ଆଖିସୁହା ହୋଇଗଲାଣି । ସରକାରୀ କଚେରିରେ, ଯାବତୀୟ ଦୈନନ୍ଦିନ କାରବାରରେ, ଏପରି କି ବିପଦଗ୍ରସ୍ତ ଲୋକକୁ ସାହାଯ୍ୟ କରିବା କ୍ଷେତ୍ରରେ ଆଜି ସେହିଟାହିଁ ଦେଖିବାକୁ ମିଳୁଛି । ଏ ସମସ୍ୟାକୁ କେବଳ ସାମାଜିକ ବା ରାଜନୈତିକ ସମସ୍ୟା ବୋଲି କହିଲେ ଏହାର ଗୁରୁତ୍ୱ ଯଥେଷ୍ଟ କମିଯିବ । ଏହିପରି ଏକ ମନୋଦୃଷ୍ଟି ଆମ ସଂସ୍କୃତିର ମଜ୍ଜାଗତ ହୋଇ ରହିଲାଣି । ସାମନ୍ତବାଦୀ ଯୁଗର ଭୀରୁ ଭୂତଟା ଏପର୍ଯ୍ୟନ୍ତ ଆମ ଜୀବନର ନିୟନ୍ତ୍ରଣ କରୁଛି । ସେଇଥିଲାଗି ଉପରେ ରହି ଅପରର ପାଞ୍ଚଜଣଙ୍କୁ ହାକିମି କରିବା ବା ତଳେ ରହି ଉପରବାଲାଙ୍କ ପାଖରେ ଯାଇ ନେହୁରା ହେବାକୁ ଆମକୁ ଆଉ ଲାଜ ମାଡ଼ୁନାହିଁ । ବଡ଼ଲୋକର ଦୟା ଉପରେ ଦରିଦ୍ରର ଜୀବନଧାରଣ ନିର୍ଭର କରୁଛି । ଉପର ହାକିମର କଲମ ଉପରେ ତଳିଆ କର୍ମଚାରୀର ଦାନା ଯିବା ବା ରହିବା ନିର୍ଭର କରୁଛି । ପ୍ରକୃତ ଯୋଗ୍ୟତା ବା କର୍ମ ପରାୟଣତାକୁ ତରାଜୁ କରି ଧରିବାର ନ୍ୟାୟ ଆମ ସମାଜରେ ଆଉ ନାହିଁ । ଯିଏ ଉପରବାଲାଙ୍କୁ ଖୁସିକରି ରଖିପାରୁଛି, ସେହି ଏ ଦେଶର ରାଜ୍ୟ ଭୋଗ କରୁଛି; ତା’ରି ପେଟପାଟଣା ଏ ଅଲକ୍ଷଣା ଦେଶରେ ସୁରୁଖୁରୁରେ ଚଳୁଛି ।

 

ଏରସମା ଥାନାରେ ବଢ଼ିପାଣି ଲୋକଙ୍କର ସର୍ବସ୍ୱ ନେଇଛି । ପେଟରେ ଆଜି ସମସ୍ତଙ୍କର ଭୋକ ଜଳୁଛି । କାନ୍ଥ ଭାଙ୍ଗି ଘରଚାଳ ତଳେ ଲାଗିଛି । ପିଲାଙ୍କର ଆଖି ଭିତରକୁ ପଶିଗଲାଣି । କାହାରି ମୁହଁରେ ହସ ନାହିଁ । ପ୍ରତିଦିନ ସନ୍ଧ୍ୟାରେ ପିଲାଙ୍କର ଚପଳ କୋଳାହଳରେ ଆଉ ଗାଁ-ଦାଣ୍ଡ କମ୍ପି ଉଠୁ ନାହିଁ । ତଥାପି ଏ ବିପନ୍ନ ଅବସ୍ଥାରେ ମଧ୍ୟ ଆମେ ଆମ ପଚା ସଂସ୍କୃତିର ନର୍ଦ୍ଦମା ଭିତରେ ସେହି ପୁରୁଣା ପାଣିରେ ପୋକ ହୋଇ ରହିବାକୁ ଭଲପାଉଛୁ । ଏ ପଚା ଜୀବନ ଆମର ଦେହସୁହା ହୋଇଗଲାଣି । ମେଳାକୁ ମେଳା ଗରିବ ମଣିଷ ଏଠି ଜମା ହେଉଛନ୍ତି । ଚାରି ପାଞ୍ଚଟା ଛୋଟ ବଡ଼ ହାକିମଙ୍କ ପାଖରେ କେତେ କିଏ ଆସି ଗୋଡ଼ତଳେ ପଡ଼ୁଛି । କିଏ ଆପଣାକୁ ହରିଜନ ବା ହୀନଜନ ବୋଲି କହି ଆଗ ଅନୁଗ୍ରହ ପାଇବାକୁ ମାଗୁଣି କରୁଛି । କିଏ ମୁନ୍‍ସିବାବୁଙ୍କ ପଛରେ ଗୋଡ଼ାଉଛି ତ କିଏ ଦଫାଦାର ଚଉକିଦାରଙ୍କର ଲାଞ୍ଜ ଧରିବାକୁ ଧାଉଁଛି । ହାକିମମାନେ କେତେ ତୋଡ଼ ଦେଖାଉଛନ୍ତି, କେତେ ଶାନ୍ତି ରକ୍ଷା କରିବାର ପ୍ରହସନ ସୃଷ୍ଟି କରୁଛନ୍ତି । ପୁଣି କେତେବେଳେ ଦୟାଧର୍ମର ଅବତାର ପାଲଟି ଯାଇ ଗୋଟାସୁଦ୍ଧା ଗରିବର ହୋଇ ଯାଉଛନ୍ତି । ବଢ଼ିପାଣି ଆସି ବିଲବାଡ଼ି, ଧନୀ ଗରିବ ସମସ୍ତଙ୍କୁ ଦରିଆ ଭିତରର ଦୁଃସ୍ଥ କରି ଛାଡ଼ିଦେଇ ଗଲା; ତଥାପି ଆମର ମନ ବଦଳିଲା ନାହିଁ । ଆମର ସ୍ୱଭାବ ପୁରୁଣା ପୋଖରୀର ପଙ୍କ ଭିତରେ ତଥାପି ପଡ଼ିରହିଲା । ଏ କୌଣସି ଜଣେ ମଣିଷର ଦୋଷ ନୁହେଁ, ଏ ଦୋଷ ଆମ ସଂସ୍କୃତିର, ଏ ଦୋଷ ଆମ ଶିକ୍ଷାର । ଅନ୍ତୁଡ଼ିଶାଳଠାରୁ ଆରମ୍ଭ କରି ମଶାଣିଭୂଇଁ ପର୍ଯ୍ୟନ୍ତ ସମାଜର ନାନା କ୍ଷେତ୍ରରେ ଏହି ଶିକ୍ଷା ଓ ସଂସ୍କୃତି ଆମର ସ୍ୱଭାବକୁ ଗଢ଼ିଚାଲିଛି, ଆମ ଭିତରର ଘୃଣା ଓ ଅମଣିଷପଣିଆ ଲାଗି ସାର ଯୋଗାଇ ଚାଲିଛି । ବିପଦବେଳେ ମଧ୍ୟ ସେଥିଲାଗି ଆମର ଚେତା ପଶୁନାହିଁ ।

 

ଆମ ଜଙ୍ଗଲ ଭୂଇଁର ନୂଆ ପାଠଶାଳା ପୁରୁଣା ସଂସ୍କୃତିର ନର୍ଦ୍ଦମାକୁ ପୋତିବା ଲାଗି ଦୃଢ଼ପଣ ନେଇ ତିଆରି ହେଉ । ଆମେ ସଂସାରରେ ବାହାରି କେତେ ପରିମାଣରେ ଆମ ସଂସ୍କୃତିର ପଚାଶଢ଼ା ରୀତିକୁ ମାନିନେବା ବା ଭାଙ୍ଗିଦେବା, ଆମ ଶିକ୍ଷାର ସଫଳତା ବା ବିଫଳତା ତାହାରି ଉପରେ ନିର୍ଭର କରୁଛି । ଏରସମାରେ ଆମେ ଆଜି ମଣିଷର ଯେଉଁ ଶୋଚନୀୟ ମନୋଦଶା ଦେଖୁଛେ, ପାଠ ସାରି ସଂସାରକୁ ବାହାରି ଆମେ ବୃହତ୍ତର ସମାଜରେ ଏହିପରି ମନୋଦଶାର ସଂଘାତରେ ଆସିବା । ଆମେ ଏ ସଂସ୍କୃତିକୁ ମାନିବା ନାହିଁ । ଏ ଧମକ ବା ନେହୁରା ହେବାକୁ ଦଣ୍ଡେହେଲେ ଆପଣା ଜୀବନରେ ସ୍ଥାନ ଦେବା ନାହିଁ । ସମାଜରେ ଆଉ ପଚାଶ ଜଣ ଯାହା କରନ୍ତୁ କି ଯାହା କହନ୍ତୁ ପଛକେ, ମୁଁ କେବେହେଲେ କାହାରି ଉପରେ ହୀନ ହାକିମି ଦେଖାଇବି ନାହିଁ । ମୋର ସାମାଜିକ ଦାୟିତ୍ୱର ସୁବିଧା ନେଇ କାହାରି ପ୍ରତି ମୁଁ ହୀନ ବ୍ୟବହାର କରିବି ନାହିଁ । କାହାରିକୁ ଧମକ ଦେବି ନାହିଁ କି ଡରାଇବି ନାହିଁ । ମୁଁ ଭଦ୍ର ହେବି, ନମ୍ର ହେବି । ମୋର ଦାୟିତ୍ୱ ମୋତେ ମଣିଷ ପାଖରେ ବିନୀତ ଓ ଶ୍ରଦ୍ଧାସମ୍ପନ୍ନ କରି ରଖିବ । ପୁଣି ମୁଁ କାହାରି ପାଖରେ ନେହୁରା ହେବାକୁ ଯିବି ନାହିଁ । କାହାରି ଅନୁଗ୍ରହ ଭିକ୍ଷା କରି ମେରୁଦଣ୍ଡହୀନ କୀଟ ପରି ମୁଁ ଏପାଖ ସେପାଖ ଦଉଡ଼ିବି ନାହିଁ । ଆପଣାର ସୁବିଧା ହାସଲ କରିବାକୁ କାହାରି ଖୁସାମତ ମୁଁ କରିବି ନାହିଁ । ଆପଣାର ହୀନ ପରିଚୟକୁ ବିକି ଲାଭ ଉଠାଇବାର ବା କରୁଣା ଲାଭ କରିବାର ଦୁର୍ଭାଗ୍ୟ ମୋର କେବେ ହେବ ନାହିଁ । ଏ ଦେଶରେ ମଣିଷକୁ ମଣିଷର ଉଚିତ ସମ୍ମାନ ଦିଆଯାଉ ନାହିଁ । କେବଳ ଭେକକୁ ସମ୍ମାନ ଦିଆଯାଉଛି । ମଣିଷର ଭେକଟାକୁ ମୂଲ୍ୟ ଦେଇ ଦେଇ ମଣିଷ ଭିତରର ଅସଲ ପରିଚୟ ସମସ୍ତେ ଭୁଲିଗଲେଣି । ମୁଁ ମଣିଷ ଭିତରେ ଲୁଚିରହିଥିବା ମଣିଷକୁ ସମ୍ମାନ ଦେବି । ମୋ ଭିତରେ ରହିଥିବା ସମ୍ମାନିତ ମଣିଷର ମୁଣ୍ଡକୁ ମୁଁ କାହାରି ଦୁଆରେ କଦାପି ନୁଆଁଇ ଦେବି ନାହିଁ । ଏରସମାରୁ ଫେରିଗଲାବେଳେ ଆମେ ସମସ୍ତେ ଏଇ ଶପଥ ନେଇକରି ଯିବା ।

 

୫ । ୧୦ । ୫୫

 

ଏ ଦେଶର ପିଲାଏ ଦେଶରେ ସବୁଠାରୁ ଅଧିକ ହତଭାଗ୍ୟ । ଏ ପର୍ଯ୍ୟନ୍ତ ଦେଶରେ ବୟସ୍କର ଏକତରଫା ବିଧାନ ଚାଲିଛି । ଘରର ପିଲାଏ ଏପର୍ଯ୍ୟନ୍ତ ଘରର ମୁରବିର ସମ୍ପତ୍ତି ହୋଇ ରହିଛନ୍ତି । ଘରର ଦୂଷିତ ବାୟୁମଣ୍ଡଳ, ଅସ୍ୱାସ୍ଥ୍ୟକର ଅବସ୍ଥା ପ୍ରତ୍ୟେକ ଦିନ କେତେ ପିଲାଙ୍କର ଜୀବନ ଯେ ନଷ୍ଟକରି ଚାଲିଛି, ଏପର୍ଯ୍ୟନ୍ତ ତା’ର ହିସାବ କେହି ରଖିବାକୁ ଚେଷ୍ଟା କରି ନାହାନ୍ତି । ଆମ ଦେଶର ସେହି ପୁରୁଣା ଅଧିକାରଲୋଭୀ ପରିବାର ଓ ଅଧିକାରଲୋଭୀ ଶିକ୍ଷକ ଏପର୍ଯ୍ୟନ୍ତ ପିଲା ଉପରେ ଅତ୍ୟାଚାର କରି ଚାଲିଛି । ପିଲାର ସ୍ୱାଭାବିକ ବିକାଶ ବିଷୟରେ କୌଣସି ଜ୍ଞାନ ନ ରଖି ପିଲା ଉପରେ ବୟସ୍କ ଜୀବନର ସଂଯମ ଓ ଶୃଙ୍ଖଳାକୁ ମଡ଼ାଇଦେବାର ଅସଂଯତ ଶାସନ ଏପର୍ଯ୍ୟନ୍ତ ଆମ ଦେଶରେ ଚାଲିଛି । ଯେ କୌଣସି ବିପଦ ଆସି ସମାଜ ଉପରେ ପଡ଼ିଲେ ଆମ ଦେଶର ପିଲାହିଁ ସେ ବିପଦର ସବୁଠାରୁ ଶକ୍ତ ଧକା ଖାଉଛି । ବଢ଼ି, ମରୁଡ଼ି, ଭୂମିକମ୍ପ କି ମହାମାରୀ ଘୋଟିଲେ ପିଲାର ଦୁର୍ଦ୍ଦଶା ସବୁଠାରୁ ବଳିପଡ଼ୁଛି । ଢେଙ୍କାନାଳ ଜିଲ୍ଲାରେ ମରୁଡ଼ି ପଡ଼ିବାଠାରୁ ଦେଢ଼ବର୍ଷ ହେଲା କେତେ ପାଞ୍ଚବର୍ଷିଆ ପିଲା, ଦଶବର୍ଷିଆ ପିଲା ଯେ ଦିନକୁ ବକ୍ତେ ଭାତଖାଇ ବଞ୍ଚି ରହିଛନ୍ତି, ତା’ର ହିସାବ ଏ ହତଭାଗ୍ୟ ଦେଶରେ କିଏ ରଖୁଛି ? ଏଠି ବଢ଼ି ଅଞ୍ଚଳରେ ଆମେ ଏତେଗୁଡ଼ିଏ ଜାଗା ବୁଲିଲେଣି, ସବୁଠାରେ ଆମେ ଏଇ ଦୁର୍ଦ୍ଦଶାଗ୍ରସ୍ତ ପିଲାଙ୍କୁ ଦେଖିଆସିଲେ । ଲୋକଙ୍କୁ ଯେଉଁ ପଡ଼ିଚାଉଳ ହପ୍ତାକୁ ହପ୍ତା ଦିଆଯାଉଛି, ସେ ତ ବଡ଼ଙ୍କୁ ନିଅଣ୍ଟ; ପିଲାଙ୍କ କଥା କିଏ ଦେଖିବ ? ସବୁ ଗାଁରେ ଲଙ୍ଗଳା ପିଲାଙ୍କର ମେଳା ଆମେ ଦେଖି ଆସିଲେ । ପିଲାଙ୍କ ମୁହଁରେ ହସ ନାହିଁ, ସେମାନଙ୍କ ଆଖିରେ ଚପଳ ଦୁଷ୍ଟାମିର କୌଣସି କାନ୍ତି ନାହିଁ । ସେମାନଙ୍କ ପାଟିରେ ଆଉ ଗାଁ-ଦାଣ୍ଡ କମ୍ପି ଉଠୁ ନାହିଁ । ସେମାନଙ୍କର ବିଷଣ୍ଣ ବଦନ ତଳେ କେତେ ବେମାରିର କଳାଛାଇ କ୍ରମେ ସ୍ପଷ୍ଟ ହୋଇ ଉଠିଲାଣି । ଖାଲି ମିଲ୍-ଚାଉଳର ବକତେ ଭାତ ଦେଇ ଆମେ ଏ ପିଲାଙ୍କୁ ବଞ୍ଚାଇପାରିବା, ଏ ଦମ୍ଭ ହୁଏତ ଏପର୍ଯ୍ୟନ୍ତ ଆମର ଅଛି । ନିତି ଏ ଦେଶରେ ଏମିତି ବିଚାର ଚାଲି ଆସିଛି । ନିତି ଏ ଦେଶର ପିଲା ଦରଖିଆ ହୋଇ ରହୁଛି । ନିତି ଯାଉଥିବା ଚାଉଳ ବସ୍ତା ଫୁଟାଇ ପିଲାଏ କିମିତି କଞ୍ଚା ଚାଉଳ ଚୋବାଇ ଯାଉଥିଲେ, ସେହି ବିକଳ ଦୃଶ୍ୟ ସେଦିନ ଆମେ ଆଖିରେ ଦେଖିଛେ ।

 

କୌଣସି ଲକ୍ଷ୍ମୀମନ୍ତ ଦେଶରେ ଏ କଥା ହୁଏ ନାହିଁ । ପିଲା କେବଳ ବାପା ମାଆଙ୍କର ନୁହନ୍ତି, ପିଲା ସମସ୍ତଙ୍କର, ପିଲା ଭଗବାନ୍‍ଙ୍କର । ବାପ ଧନୀ ହେଉ କି ଗରିବ ହେଉ, କୋଟିପତି ହେଉ କି କିରାଣି ହେଉ, ସେଥିଲାଗି ପିଲାର ପୂର୍ଣ୍ଣ ବିକାଶ ଦିଗରେ ଯେପରି କୌଣସି ପ୍ରକାର ସାମାଜିକ ବାଧା ନ ରହିବ, ସେଥିଲାଗି ଆଜି ପ୍ରତ୍ୟେକ ଲକ୍ଷ୍ମୀମନ୍ତ ଦେଶ ଉଦ୍ୟମ କରୁଛି । ଫିନ୍‍ଲାଣ୍ଡ୍ ଦେଶ ଏଥିରେ ଅନେକ ଆଗକୁ ବଳିଯାଇଛି । ସେଠି ବାପାର ସାମର୍ଥ୍ୟ ନଥିଲେ ତା’ର ପିଲାଏ ଯେପରି ଉଚିତ ଖାଦ୍ୟ ପାଇବେ ଓ ଉଚିତ ପାଠ ପଢ଼ିବେ, ସେଥିଲାଗି ଦେଶର ସରକାର ପୂର୍ଣ୍ଣ ଆର୍ଥିକ ସାହାଯ୍ୟ କରିବେ । ବାପ ମାଆଙ୍କର ଦାରିଦ୍ର୍ୟ ପିଲାର ଜୀବନ ଗଠନ ଦିଗରେ ଯେପରି କୌଣସି ପ୍ରକାର ବାଧକ ହୋଇ ଠିଆ ନ ହେବ, ସେଥିଲାଗି ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ଛୋଟିଆ ଇସ୍ରାଏଲ ଦେଶର ସାମୂହିକ ଗାଁମାନଙ୍କରେ ମୁଁ ସେହି କଥା ଦେଖିଆସିଛି-। ଗାଁର ବୟସ୍କ ବାପମାଆମାନେ ହୁଏତ ଖାଲି ରୁଟି, ଲହୁଣୀ ଆଉ କଞ୍ଚା ବିଲାତିବାଇଗଣ ଖାଇ ରହିବେ; ତଥାପି ଗାଁର ପିଲାମାନଙ୍କର ଖାଇବା, ପିଇବା, ରହିବା ଓ ପାଠପଢ଼ିବା ଆଦର୍ଶ ପ୍ରଣାଳୀର ହେବ । ଇସ୍ରାଏଲର ପ୍ରତ୍ୟେକ ଇହୁଦୀ ବାପମାଆ ଆଜି ସେହି କଥା କହନ୍ତି-। ଶହ ଶହ ବର୍ଷ ଧରି ଆମେ ସାରା ଦୁନିଆର ନୃଶଂସ ନିର୍ଯାତନା ସହି ଆସିଲୁ । ବଳବାନ୍ ଶାସକମାନେ କେତେ ଦେଶରେ ଆମ ଜାତିର କେତେ ପିଲାଙ୍କୁ ଧରି ମାରିଲେ । କେତେ ଘୃଣା ଓ ଗ୍ଳାନି ସହି ସହି ଶେଷକୁ ଆମେ ସଂସାରରେ ଆପଣାର ଦେଶଟିଏ ଗଢ଼ିବାର ସୁଯୋଗ ପାଇଲୁ । ଆମର ସବୁ ପରିଶ୍ରମର ଫଳ ଦେଇ ଆମେ ଆମ ପିଲାଙ୍କୁ ବଢ଼ାଇବୁ । ସେହିମାନଙ୍କର ଜୀବନ ସୁନ୍ଦର ହେଲେ ଆମର ଦେଶ ମଧ୍ୟ ସୁନ୍ଦର ହେବ । ଆମ ଦାରିଦ୍ର୍ୟ ଓ ଆମ ଦୁର୍ଦ୍ଦଶାର ଭାରଦ୍ୱାରା ଆମେ ପିଲାଙ୍କୁ କାହିଁକି ଗ୍ରସ୍ତ କରି ରଖିବୁ ? ଏହିପରି କଥା କହୁ କହୁ କେତେ ଇହୁଦୀ ମାଆ ବାପାଙ୍କର ଆଖିରେ ଅଶ୍ରୁ ଛଳଛଳ ହୋଇଆସେ, ସେ ଦୃଶ୍ୟ ମୁଁ ନିଜେ ଦେଖିଛି । ସେହି ଦେଶ ଯଥାର୍ଥରେ ଲକ୍ଷ୍ମୀମନ୍ତ-। କାରଣ ସେ ଦେଶ ପିଲାଙ୍କୁ ଭଲପାଇ ଶିଖିଛି ।

 

ଏ ଦେଶର ସେହିପରି ଏକ ଲକ୍ଷ୍ମୀମନ୍ତ ସମାଜ ପ୍ରତିଷ୍ଠା କରିବାକୁ ବର୍ତ୍ତମାନ ଅନେକ ଡେରି ଅଛି । ଆହୁରି ଅନେକ ବାଟ ଚାଲିବାକୁ ବାକି ଅଛି । ସେଥିଲାଗି ଶିକ୍ଷାରେ ଓ ଶାସନରେ ପରିବର୍ତ୍ତନ ଆଣିବାକୁ ହେବ । ସେଥିଲାଗି ବୟସର ଅହଂକାର ଛାଡ଼ି ବୟସର ଦାୟିତ୍ୱକୁ ଅଧିକ ଗଭୀର କରି ବୁଝିବାକୁ ହେବ । ଏ ଦେଶର ସବୁ ପିଲା ପୁଷ୍ଟିକର ଖାଦ୍ୟ ଖାଇବାକୁ ପାଇବେ, ପରିଷ୍କାର ପୋଷାକ ପିନ୍ଧିବେ, ସ୍ୱାସ୍ଥ୍ୟକର ଘରେ ରହିବେ, ନିର୍ଭୀକ ହୋଇ ପାଠ ପଢ଼ିବେ, ନିର୍ଭୀକ ହୋଇ ସେବା କରିବାର ପ୍ରଶସ୍ତ ସୁଯୋଗ ପାଇବେ । ସେହିପରି ଏକ ସମାଜ ଗଢ଼ିବାର ଦାୟିତ୍ୱ ଆମ ସମସ୍ତଙ୍କର । ଦିନେ ଆମେ ଏହି ସମାଜର ବାପମାଆ ହେବା । ସେହିଦିନ ଆମକୁ ଏ ଦାୟିତ୍ୱର ଜବାବ ଦେବାକୁ ପଡ଼ିବ ।

 

୬ । ୧୦ । ୫୫

 

ଦୁଇବର୍ଷ ତଳେ ଠିକ୍ ଏଇ ଅକ୍ଟୋବର ଛ’ତାରିଖ ଦିନ ମୁଁ ଇଉରୋପର ଭୂଇଁ ଛାଡ଼ିଥିଲି-। ସେଦିନ ଜାହାଜରେ ଚଢ଼ିଲାବେଳର ଅନୁଭୂତିଗୁଡ଼ାକ ବର୍ତ୍ତମାନ ଠିକ୍ ଠିକ୍ ମନେ ନାହିଁ-। ଇରୋପରେ ତିନିବରଷ କଟାଇବା ପରେ ସେଦିନ ସେହି ପରିଚିତ ମାଟି ପାଖରୁ ବିଦାୟ ନେଇ ଆସୁଥାଏ ମୋର ଅତି ପରିଚିତ ଆଉ ଗୋଟାଏ ଦେଶର ମାଟି ଉଦ୍ଦେଶ୍ୟରେ । ଇଟାଲୀ ଦେଶର ନୀଳଶ୍ୟାମଳ ଉପକୂଳରେ ଜୀବନର ଗହଳି ଲାଗିଥାଏ । ଆଗରେ ବିସୁଭିଅସ୍ ଆଗ୍ନେୟଗିରିର ଅବସନ୍ନ କାୟଟା ସମୁଦ୍ର ଆଡ଼କୁ ଅନାଇ ରହିଥାଏ । ଏଇ ଇଉରୋପ ମୋତେ ତିନିବରଷ କୋଳ ଦେଇଛି । ଏଇ ଇଉରୋପର କେତେ ବାପମାଆ, ଭାଇଭଉଣୀ ମତେ ସ୍ନେହ ଦେଇଛନ୍ତି, ଘର ଦେଇଛନ୍ତି, ମୋ’ର ହୃଦୟରେ ନୂଆ ମମତାର ସଞ୍ଚାର କରିଛନ୍ତି, ବିଚାରକୁ ନୂଆ ଖାଦ୍ୟ ଯୋଗାଇଛନ୍ତି । ସେଠି ସମସ୍ତେ ମିଶି ମୋ ସଂକୀର୍ଣ୍ଣ ଜୀବନାୟତନକୁ କେତେ ନୂଆ ପରିଧିକୁ ବିସ୍ତାରିତ କରି ଦେଇଛନ୍ତି । ଦେଶରୁ ଅନୁକୂଳ କରି ଗଲାବେଳେ ମୋର ମନରେ କେତେ ପ୍ରକାର ଶଙ୍କା ଥିଲା । ଆଗରୁ କେବଳ ମାନଚିତ୍ର ଓ ଭୂଗୋଳ ବହି ମଧ୍ୟଦେଇ ମୁଁ ଇଉରୋପକୁ ଜାଣିଥିଲି । କେବଳ ମାଷ୍ଟ୍ରଙ୍କ ମୁହଁରୁ ଇଉରୋପର କଥା ଶୁଣିଥିଲି । ସେଠିକାର ଜଳବାୟୁ ଏମିତି, ସେଠିକାର ମଣିଷ ଅମୁକ ପ୍ରକାରେ ଖାଆନ୍ତି, ଅମୁକ ପ୍ରକାରେ ବେଶପୋଷାକ ପିନ୍ଧନ୍ତି, ଅମୁକ ଉପଚାରରେ ସେମାନେ ଭଗବାନ୍‍ଙ୍କୁ ପୂଜା କରନ୍ତି । ଏହିସବୁ ବିଷୟରେ କେତେଟା ସାଧାରଣ କଥା ମୁଁ ଜାଣିଥିଲି । ଆମର ସ୍କୁଲମାନଙ୍କରେ ଯେଉଁପରି ରୀତିରେ ଭୂଗୋଳ ପଢ଼ାଯାଏଁ, ସେଥିରେ ଆଉ ଆଧିକ କ’ଣ ହୋଇପାରନ୍ତା ? ମାନଚିତ୍ର ଦେଖି ଭୂଗୋଳ ବହିରୁ ଜାଗାମାନଙ୍କର ନାଆଁ ମୁଖସ୍ଥ କରି କରି ଆମେ କ୍ଳାନ୍ତ ହୋଇପଡ଼ୁଛୁ; ଅଥଚ ସଂସାର ଗୋଟାକରେ କେତେ କେତେ ବିଚିତ୍ର ଜୀବନର ସୃଷ୍ଟିକରି ରହୁଥିବା ମଣିଷ ଓ ତା’ର ଆନନ୍ଦ ବିଷୟରେ ଆମେ କିଛି ଜାଣିପାରୁ ନାହୁଁ । ଭୂଗୋଳ ପଢ଼ି ମଣିଷ ସିନା ସଂସାରର ସବୁ ମଣିଷଙ୍କ ଭିତରେ ଆପଣାକୁ ଜଣେ ବୋଲି ଭାବି ଖୁସି ହୋଇପାରନ୍ତା ! କିନ୍ତୁ ବର୍ତ୍ତମାନ ଏ ଭୂଗୋଳ ବହି ଘୋଷି ଆମ ସମସ୍ତଙ୍କ ମନ ଭିତରେ ଦେଶ୍‌କେ ଫାଙ୍କ୍, ନଈକେ ବାଙ୍କ୍ ହୋଇଯାଉଛି ।

 

ଭୂଗୋଳ ବହି ପଢ଼ିଥିବା ମନ ନେଇ ମୁଁ ଇଉରୋପ ଯାଇଥିଲି । ତିନିବରଷ ପରେ ସେଠିକାର ମଣିଷ ସହିତ ଏକାତ୍ମତା ଅର୍ଜନ କରି ମୁଁ ଫେରିଲି । ସେଠି ମଧ୍ୟ ଆମ ପରି ମଣିଷ ଅଛନ୍ତି । ଠିକ୍ ଆମରି ପରି ସେଠିକା ମଣିଷଙ୍କରବି ହସକାନ୍ଦ, ଅଳି ଆଉ ଅଭିମାନର ଇତିହାସ ରହିଛି । ସେଠି ମଧ୍ୟ ମଣିଷର ଦୋଷ ଦୁର୍ବଳତା ରହିଛି । ସେଠି ମଧ୍ୟ ମଣିଷ ନୂଆ ଦୁନିଆ ଗଢ଼ିବାର ସ୍ୱପ୍ନ ଦେଖୁଛି । ନାନା ଆୟୋଜନରେ ନୂଆ ବାଟରେ ନୂଆ ଉତ୍ସାହ ଧରି ସେ ବାହାରୁଛି । ତଥାପି ବାର ବାର ତା’ର ଆପଣା ଅହଂକାର ତାକୁ ସବୁଠାରେ ଅପଦସ୍ତ କରି ଫେରାଇଆଣୁଛି । ସେଠି ମଧ୍ୟ ପିଲା ଅଛନ୍ତି, ସେମାନଙ୍କର ଦୁଷ୍ଟାମି ଅଛି, ସହଜ ଚପଳତା ମଧ୍ୟ ରହିଛି । ଏ ସବୁଥିରେ ପରିଚିତ ହୋଇ ଯେଉଁ ଆତ୍ମୀୟତା ଅର୍ଜନ କରାଯାଇପାରିବ, ହଜାର ହଜାର ପୋଥି ବୋଝାଇ ହୋଇଥିବା ଶଗଡ଼କୁ ଆପଣା ମସ୍ତିଷ୍କ ଭିତରେ ଜବରଦସ୍ତି ଭର୍ତ୍ତି କଲେ ମଧ୍ୟ ତା’ ହୋଇପାରିବ ନାହିଁ । ବର୍ତ୍ତମାନ ଇଉରୋପ ମୋ ଆଖିରେ କେବଳ କେତେଗୁଡ଼ିଏ ଦେଶ ବା ଜନପଦର ସମଷ୍ଟି ନୁହେଁ; କେତେଗୁଡ଼ିଏ ଅତି ପରିଚିତ ମଣିଷ ଓ ଅତି ପରିଚିତ ଅଭିଜ୍ଞତାର ଜୀବନ୍ତ ମିଶ୍ରଣରେ ସେହି ତିନିବର୍ଷର ସମୟ ମୋର ଅନୁଭୂତି ଭିତରେ ଯେଉଁ ସୁମଧୁର ମୂର୍ତ୍ତି ଗଢ଼ି ଥୋଇଦେଇଛି, ଇଉରୋପ କହିଲେ ମୁଁ ପ୍ରଧାନତଃ ସେଇଆ ବୁଝେ ।

 

ଆଜି ରାଜନୈତିକ ଶାସନ ଓ ସଭାପଣ୍ଡାମାନଙ୍କ ଜରିଆରେ ଆମେ ସଂସାରକୁ ଚିହ୍ନୁଛୁ । ଗୋଟିଏ ଦେଶ ଆଉ ଗୋଟିଏ ଦେଶ ସହିତ ପରିଚିତ ହେଉଛି । ଯୁଦ୍ଧ ଲାଗିଲେ ଗୋଟାଏ ଦେଶର ଲୋକ ଆଉ ଗୋଟାଏ ଦେଶର ଲୋକଙ୍କର କେବଳ ସଂଘର୍ଷରେ ଆସୁଛନ୍ତି । ଏଇ ସଂଘର୍ଷ ଲାଗି କୋଟି କୋଟି ଟଙ୍କା ଖରଚ ହୋଇ ଗୁଳିବାରୁଦ ତିଆରି ହେଉଛି । ଶହ ଶହ ସ୍କୁଲ କଲେଜରେ ସହସ୍ର ପ୍ରକାରର ଘୃଣା ପ୍ରଚାର କରାଯାଇ ମଣିଷର ମନକୁ ନାନା ଦ୍ୱେଷ-ବିଦ୍ୱେଷରେ ଖଣ୍ଡ ଖଣ୍ଡ କରି ଦିଆଯାଉଛି । ଏତେ ବଡ଼ ସଂସାରରେ ସେଥିଲାଗି ଆମେ ପରସ୍ପରଠାରୁ ବିଚ୍ଛିନ୍ନ ହୋଇ ରହିଛୁ । ଏତେ ମଣିଷଙ୍କ ସହିତ ମିଳିତ ହୋଇ ରହିଥିଲେ ମଧ୍ୟ ତଥାପି ଆମେ ଏଡ଼େ ଏକୁଟିଆ ହୋଇ ରହିଛୁ । ସେ ଆମର ଦୁର୍ଭାଗ୍ୟ । ଆମ ରାଜନୀତି ଆଉ ସମାଜନୀତିର ଦୁର୍ଭାଗ୍ୟ । ସଂସାରରେ ଆଜି ପଇସା ଅଛି, ବିଜ୍ଞାନର ଚମତ୍କାର ସାଧନ ଆମ ହାତରେ ଅଛି; ତଥାପି ଆମରି ମନରୁ ଏପର୍ଯ୍ୟନ୍ତ କଳଙ୍କି ଲୁହାର ଗୁହଗୁଡ଼ାକ ପୋଡ଼ି ହୋଇଯାଇ ନାହିଁ । ଯଦି ଗୋଟାଏ ଦେଶର ପିଲା ଆଉ ଗୋଟାଏ ଦେଶକୁ ଯାଇ ସବୁକଥା ଆଖିରେ ଦେଖିପାରୁଥାନ୍ତେ, ଗୋଟାଏ ଦେଶର ମାଆମାନେ ଯଦି ଆଉ ଗୋଟାଏ ଦେଶର ମାଆମାନଙ୍କର ଘରକରଣାରେ ଭାଗୀ ହୋଇପାରୁଥାନ୍ତେ, ଗୋଟାଏ ଦେଶର ଚାଷୀ ଯଦି ଆଉ ଗୋଟାଏ ଦେଶର ଚାଷୀ ଘରେ ଅବାଧରେ କୁଣିଆ ହୋଇ ପାରୁଥାନ୍ତେ, ତେବେ ଆମ ପୃଥିବୀରୁ ଅନେକ ବିଦ୍ୱେଷ, ଅନେକ ଘୃଣା ଦୂର ହୋଇଯାଆନ୍ତା; ଆମ ପୃଥିବୀ ବଞ୍ଚିବା ଲାଗି ଅଧିକ ଯୋଗ୍ୟ ହୋଇପାରନ୍ତା । ପଇସା, ପାଠ ଆଉ ପାଣ୍ଡିତ୍ୟ ଖର୍ଚ୍ଚ କରି ଗୋଟାଏ ଘୃଣା ବା ଅତ୍ୟାଚାରକୁ ଦୂର କରିବା ଲାଗି ଆଉ ନୂଆ ଘୃଣା ଓ ନୂଆ ଅତ୍ୟାଚାରକୁ ସାର ଦେଇ ବଢ଼ାଇବା ଦରକାର ହୁଅନ୍ତା ନାହିଁ ।

 

୭ । ୧୦ । ୫୫

 

ଚିରଦିନ କ’ଣ ଏ ଦେଶରେ ଦଳେ ଲୋକଙ୍କର ମସ୍ତ ଅତ୍ୟାଚାର ଚାଲିଥିବ ? ଚିରଦିନ କ’ଣ ଲକ୍ଷ ଲକ୍ଷ ମଣିଷଙ୍କୁ ନେଇ ଦଳେ ଲୋକ ଏକ ଅପମାନଜନକ ତାମସା ଲଗାଇଥିବେ ? ଆମେ କିପରି ଏସବୁ ସହିକରି ରହିଛୁ ? ଏ କଥା ଭାବି ମୁଁ କେବଳ ଆଶ୍ଚର୍ଯ୍ୟ ହୁଏ । ଆମ ଦେଶରେ ବ୍ରହ୍ମବିଦ୍ୟା ଓ ବ୍ରହ୍ମଜିଜ୍ଞାସାର ଗର୍ବ ଆମେ ଅନେକ ସମୟରେ କରିଥାଉ । ମହାପଣ୍ଡିତମାନେ ଅନେକ ସମୟରେ ଆଧ୍ୟାତ୍ମିକ ଶାସ୍ତ୍ରମାନଙ୍କରୁ ଉତ୍ତେଜନାପୂର୍ଣ୍ଣ ଦୃଷ୍ଟାନ୍ତମାନ ଉଦ୍‍ଗାରି ଭାରତୀୟ ବିଦ୍ୟା ଓ ଭାରତୀୟ ଧର୍ମକୁ ପୃଥିବୀରେ ସବୁଠାରୁ ବଢ଼ିଆ ବୋଲି ପ୍ରମାଣ କରନ୍ତି । ସେମାନଙ୍କର ଉତ୍ସାହକୁ ଅନେକ ସମୟରେ ମୁଁ ସନ୍ଦେହ କରେ । ମଣିଷ ଭିତର ଦେଇ ଧର୍ମମୟ ଜୀବନ ଓ ଭଗବାନ୍‍ଙ୍କ ପାଖକୁ ସିଧା ବାଟ ପଡ଼ିଛି । ଯୋଉ ସଂସ୍କୃତିରେ ମଣିଷକୁ ଆଜି ଏଡ଼େ ହୀନିମାନ କରି ରଖାଯାଇଛି, ଯୋଉଠି ମଣିଷ ଅତି ଦୀନ କରୁଣାର ଯୋଗ୍ୟହୋଇ ଯେ କୌଣସି ପ୍ରକାରେ କେବଳ ପାକସ୍ଥଳୀର ଯନ୍ତ୍ରଗୁଡ଼ାକୁ ଚାଲୁ ରଖିବାକୁ ହନ୍ତସନ୍ତ ଉଦ୍ୟମ କରୁଛି, ସେ ସଂସ୍କୃତିର ଧର୍ମକୁ ମୁଁ କେମିତି ବଢ଼ିଆ ବୋଲି କହିବି ? କେମିତି ମୁଁ ଏହି ଦେଶର ଅସ୍ପଷ୍ଟ ଅତୀତଟାକୁ ସ୍ତୁତି କରି କରି ବର୍ତ୍ତମାନର ଅଗୌରବଗୁଡ଼ାକୁ ଭୁଲିଯାଇପାରିବି ?

 

ଏରସମାରେ ଦଶ ବାରଟା ଦିନ କଟାଇ ଆମେ ଆଖି ଆଗରେ ଏହି ଅଗୌରବମାନ ଦେଖୁଛେ । ନିତି ଏଠି ଉପାସୀ ମଣିଷର ନେହୁରା ଆମେ ଶୁଣୁଛେ । କ୍ଷେତ୍ରରେ ଅକ୍ଷେତ୍ରରେ ଯୋଗ୍ୟ ଅଯୋଗ୍ୟ କେତେ ବାବୁଙ୍କୁ ଅନୁସରଣ କରି କେତେ ଅଧଖିଆ ଅଧଲଙ୍ଗଳା ଏଠି ନିତି ଦଉଡ଼ୁଛନ୍ତି । କଣା, କୁଜା, ଲେଙ୍ଗଡ଼ା, ଛୋଟା ଆଉ କୁଷ୍ଠରୋଗୀଙ୍କର ଏକ ବିକଟ ଶୋଭାଯାତ୍ରା ଏ ଦେଶର ଲକ୍ଷ୍ମୀଦାଣ୍ଡରେ ନିତି ଚାଲିଛି । ଯେ କୌଣସି ତୀର୍ଥସ୍ଥାନକୁ ଗଲେ ଆମେ ଦେଖିବା ଆପଣାର ବିକଳ ବିକୃତ ଶରୀରଟାକୁ ଦେଖାଇ ପେଟକୁ ମୁଠାଏ ଦାନା ଯୋଗାଇବାକୁ ମଣିଷ କି ଅପଚେଷ୍ଟା ଲଗାଇଛି, ଆଉ ଆମ ଶାସ୍ତ୍ରରେ ଏହି ଶରୀରକୁ ଦେବାଳୟ ବୋଲି କୁହାଯାଉଛି । ଦେବାଳୟ ତ ଦୂରର କଥା, ଏ ଦେଶର ମଣିଷ-ଜୀବନ ସମସ୍ତ ଦେବତ୍ୱର ବହୁ ଦୂରକୁ ହଟିଗଲାଣି-। ଖାଲି ଲକ୍ଷ ଲକ୍ଷ ଦାନାଗିଳା କାଙ୍ଗାଳ ଏଠି ବାର ଉପାୟରେ ଖାଦ୍ୟ ଖୁଣ୍ଟି ଖୁଣ୍ଟି ବାହାରିଚନ୍ତି-। ଦେଶର ଅନେକ ଲୋକଙ୍କୁ ଏ କଥା ଅସହ୍ୟ ବୋଲି ବୋଧ ହେଉ ନାହିଁ । କାଲି ଗୋଟିଏ ପିଲାକୁ ମୁଁ ଯେଉଁପରି ଅବସ୍ଥାରେ ଦେଖିଲି, ସେହି ସ୍ମୃତି ଏପର୍ଯ୍ୟନ୍ତ ମୋ ଭିତରେ ଭୂତ ହୋଇ ରହିଛି-। ଖୁବ୍ ବେଶି ହେଲେ ତା’ର ବୟସ ଛ’ ସାତରୁ ଅଧିକ ହେବ ନାହିଁ । ପରିଦିନ ଜଳଖିଆ ଖାଇଲାବେଳେ ଆମେ ତାକୁ ଛତୁ ଚକଟାରୁ ଟିକିଏ ଦେଇଥିଲୁ । କାଲି ସେ ଠିକ୍ ସେହି ସମୟକୁ ଆସି ପହଞ୍ଚିଲା-। ଆମେ ତ କାଲି ଜଳଖିଆ ଖାଇଲୁ ନାହିଁ । ତଥାପି–ଭୋକିଲା ପେଟର ଧୈର୍ଯ୍ୟ ଅନେକ–ପିଲାଟି ପିଣ୍ଡା ଉପରେ ସେମିତି ବସିରହିଥାଏ । ଆମର ଜଣେ ଭାଇ ଘର ଓଳାଇ ତଳକୁ ଝାଟୁଆ ଫୋପାଡ଼ିଦେଲେ । ହଠାତ ମୁଁ ଯାଇ ଦେଖିଲି ପିଲାଟି ସେହି ଝାଟୁଆ ଭିତରୁ ହରଡ଼ ଡାଲିର ଫାଳମାନ ଖୁଣ୍ଟିକରି ଖାଉଛି । ଅତି ନିର୍ବିକାର, ନିଃସଙ୍କୋଚ ଭାବରେ ସେ ଏ କଥା କରୁଛି । ମୋର ସବୁ ଶକ୍ତି ଓ ଶିକ୍ଷିତପଣିଆ ସେଇଠି ଲଜ୍ଜିତ ହୋଇଗଲା । ପ୍ରତ୍ୟେକ ଦିନ ଆମ ଦେଶରେ କେତେ ଜାଗାରେ କେତେ ପିଲା, ବୁଢ଼ା ଆଉ କୋଢ଼ି ମଣିଷ ଏମିତି ଦାନା ଖୁଣ୍ଟି ଖାଉଚନ୍ତି; ତଥାପି ଆମେ ନିର୍ଲଜ୍ଜ ଭାବରେ ଆମର ସଭ୍ୟତା ଓ ସଂସ୍କୃତିର ଆସ୍ଫାଳନ କରିଚାଲିଛେ-

 

ଏହାର କାରଣ ଅଛି । ଯଥାର୍ଥ ଅନୁଭବ କରିବାର ଯୋଗ୍ୟତା ଚାଲିଗଲେ ମଣିଷର ଏହି ଦଶା ହୁଏ । ବହିରେ ଆମେ ଧର୍ମକଥା ପଢ଼ୁ । ପଣ୍ଡିତ ପାଖରୁ ଶାସ୍ତ୍ର ପୁରାଣ ଓ ଶୁଦ୍ଧ ଜୀବନ ବିଷୟରେ ଆମେ ବକ୍ତୃତାମାନ ଶୁଣୁ । ସେ ଖାଲି ଆମର ବୁଦ୍ଧି ବିଳାସର ବିଷୟବସ୍ତୁ ହୋଇ ରହେ-। ଆମର ହୃଦୟ ତଳେ ଏସବୁ ସଦ୍ଜ୍ଞାନର ଆଘାତ ଓ ଆହ୍ୱାନ ବାଜିପାରେ ନାହିଁ । ଏହି ଦନ୍ଥରା ଜୀବନର ଦୁର୍ଦ୍ଦଶା ଆମେ ସମସ୍ତେ ଭୋଗ କରୁଛୁ । ସମସ୍ତେ ଆମେ ଦୁଃଖ ଦେଖୁଛୁ; ତଥାପି ଏହି ଭୁବନବ୍ୟାପୀ ଦୁଃଖର ଯଥାର୍ଥ ଅନୁଭବ କରିବା ଲାଗି ଆମର ହୃଦୟ ନାହିଁ । ଆମେ ଶାସ୍ତ୍ର ପୁରାଣର ସତ କଥାମାନ ମୁଖସ୍ଥ କରି ଏଣେତେଣେ ଗାଇ ବୁଲୁଛୁ । ତଥାପି ଏସବୁ କଥାର ଗଭୀରତା ଆମେ ଅନୁଭବ କରିପାରୁନାହୁଁ । ଆମର ବେଶପୋଷାକ ପରି ଆମର ଧର୍ମ ଓ ସଭ୍ୟତା ମଧ୍ୟ ଆମ ପୋଷାକି ଜୀବନର ମୟୂରପୁଚ୍ଛ ହୋଇ ରହିଛି । ଆମ ଇତିହାସରେ ହୁଏତ ଚିରଦିନ ଏହି ଅଭ୍ୟାସଟା ପ୍ରଧାନ ହୋଇ ରହିଆସିଛି । ମଝିରେ ମଝିରେ ଅବଶ୍ୟ ଜଣେ ଜଣେ ବିଦ୍ରୋହୀ ମଣିଷ ସଂସ୍କୃତିର ଆବଦ୍ଧ ଜଳାଶୟକୁ ମନ୍ଥି ଚକଟି ଦେଇଛନ୍ତି । କିନ୍ତୁ ପ୍ରଧାନତଃ ଆମେ ମଣିଷକୁ ଅସ୍ୱୀକାର କରିଆସିଛୁ, ମଣିଷର ଅସମ୍ମାନ କରିଆସିଛୁ, ମଣିଷଜନ୍ମର ଆଧ୍ୟାତ୍ମିକ ମର୍ମକୁ ଆମେ ଯଥାର୍ଥ ଅନୁଭବ କରିପାରିନାହୁଁ । ସେଥିଲାଗି ଏତେ ଦୀନତା ଓ ଦୁର୍ଦ୍ଦଶାରେ ଏ ଦେଶର କୋଟି କୋଟି ମଣିଷ ବିବଶ ହୋଇ ପଡ଼ିଛନ୍ତି । ତଥାପି ଆମେ ତାକୁ ଆମରି ଲାଜ ବୋଲି ଅନୁଭବ କରି ପାରୁନାହୁଁ । ଆମର ଜଙ୍ଗଲ ସ୍କୁଲ ଛାଡ଼ି ଆମେ ଖାଲି ଦରିଦ୍ର କାଙ୍ଗାଳକୁ ଦୟା ଦେଖାଇବାକୁ ଏରସମାକୁ ଆସି ନାହୁଁ, ଏଠି ଆମେ ଅନୁଭବ କରିବାର ମହାନ୍ ଶକ୍ତି ଆମେ ଅର୍ଜନ କରିବା-। ଦାନା ଟୁଙ୍କି ଖାଉଥିବା ଏ ଛଅବରଷର ପିଲାଟି ଭିତରେ ଯେଉଁ ପ୍ରାଣ ରହିଛି, ମୋ ଭିତରେ ମଧ୍ୟ ସେହି ପ୍ରାଣ । ସେହି ପ୍ରାଣଟିର ବଞ୍ଚି ରହିବା ଲାଗି ଆମେ ସମସ୍ତେ ଦାୟୀ, ମୁଁ ନିଜେ ଦାୟୀ–ଏହି ଏକାତ୍ମତାର ଅନୁଭୂତି ଏଠୁ ଆମେ ସମସ୍ତେ ନେଇକରି ଯିବା ।

 

୮ । ୧୦ । ୫୫

 

ଖାଲି ଜାଣିବାରେ ଶିକ୍ଷାର ଶେଷହେବା ଉଚିତ ନୁହେଁ । ନାନା ଶାସ୍ତ୍ରର ନାନା କଥା ମୁଖସ୍ଥ କରି ରଖିବାରେ ଶିକ୍ଷାର୍ଥୀ ସନ୍ତୁଷ୍ଟ ହୋଇଯିବା ଉଚିତ ନୁହେଁ । ‘ନମେଧୟା ନ ବହୁନା ଶ୍ରୁତେନ’ । ଆମକୁ ଅନୁଭବ କରି ଶିଖିବାକୁ ହେବ । ଅନୁଭବ କରିପାରିଲେ ଶିକ୍ଷାଳୟର ଲବ୍‍ଧ ଜ୍ଞାନ ଆମକୁ ସାରା ବିଶ୍ୱ ସହିତ ସମ୍ମିଳିତ କରିଦେବ । ସଂସାରରେ ଆଜି ଜାଣିବାର ଅଭାବ ନାହିଁ । ଜ୍ଞାନର ପରିଧି ଆଜି ଚାରି ବାହୁରେ ବଢ଼ିଚାଲିଚି । କ୍ଷୁଦ୍ରାତିକ୍ଷୁଦ୍ର କୀଟାଣୁର ସଂସାରଠାରୁ ଆରମ୍ଭ କରି ଆନ୍ତର୍ଜାତିକ ବାଣିଜ୍ୟ ଓ ବ୍ୟବସାୟର କେତେ କଥା ଆମେ କେତେ ଜରିଆରେ ଜାଣୁଛୁ । ଆମ ଭୂଗୋଳ ବହିରୁ ଆମେ କେତେ ଦେଶ ମହାଦେଶର କଥା ଜାଣୁଛୁ । ବୟସ୍କ ଲୋକମାନଙ୍କଠାରୁ ସାମାଜିକ ନୀତି ଅନୀତିର କଥା ଜାଣୁଚୁ । ଶାସ୍ତ୍ର ପୁରାଣରୁ ଧର୍ମ କଥା ଜାଣୁଚୁ । ଖବରକାଗଜ ଓ ସଭା ସମିତିରୁ ରାଜନୀତି କଥା ଜାଣୁଛୁ । ଇଉରୋପର କଥା ତ ଛାଡ଼ିଦିଅ । ସେଠି ମଣିଷ ଲାଗି ଜାଣିବା ଓ ଜଣାଇବାର ଏତେ ସାଧନ ସାମଗ୍ରୀ ରହିଛି ଯେ ଯେତେ ଅନାଗ୍ରହୀ ବା ଅନ୍ୟମନସ୍କ ହେଲେ ମଧ୍ୟ ମଣିଷ ଏହି ଜ୍ଞାନର ବୋଝରେ ପୋତି ହୋଇ ପଡ଼ୁଛ । କିନ୍ତୁ ସଂସାରର ମଣିଷ ଯେତିକି ବେଶି ବେଶି ଜାଣୁଛି, ତା’ର ଅନୁଭବ କରିବାର ଆଗ୍ରହ ସେତିକି ସେତିକି କମିଯାଉଛି । ତା’ର ଅନ୍ତରର ଗ୍ରହଣ-ପ୍ରବଣତା ସେତିକି ମରି ମରି ଯାଉଛି । ସେଥିଲାଗି ଆମ ପାଖରେ ଦୁଃଖ ଦୂର କରିବାର ଏତେ ସାଧନ ରହିଛି, ଅଥଚ ଆମେ ସଂସାରରୁ ଦୁଃଖଦୂର କରି ପାରୁନାହୁଁ । ଆମ ପାଖରେ ଶାନ୍ତିର ସାଧନମାନ ରହିଛି, ଅଥଚ ଏ ସଂସାରରେ ଶାନ୍ତି ନାହିଁ । ଆମର ବ୍ୟକ୍ତିଗତ ଜୀବନରେବି ଶାନ୍ତି ନାହିଁ । ଆମର ପୂର୍ଣ୍ଣୋଦର ପୂର୍ଣ୍ଣମସ୍ତିଷ୍କ ପଣ୍ଡିତମାନେ ଆମ ଆଗରେ ଗାଡ଼ିଗାଡ଼ି ପୋଥି ଜମା କରି ଚାଲିଛନ୍ତି; ତଥାପି ଆମ ଜୀବନରେ ଶୁଦ୍ଧତା ନାହିଁ, ଆମର ବ୍ୟବହାରରେ କୁଶଳତା ନାହିଁ, ଆମର କାର୍ଯ୍ୟରେ ଶ୍ରଦ୍ଧା ନାହିଁ । ଖାଲି ମଣିଷର ମଥାକୁ ମନ୍ଥି ହଜାର ପ୍ରକାରର ଜ୍ଞାନସାମଗ୍ରୀରେ ମଣିଷର ବିଚାର ଓ ଜୀବନକୁ ଗୋଳିଆ କରି ରଖିବାକୁ ଯେଉଁ ଶିକ୍ଷା ଆଜି ଆପଣାର ଏକମାତ୍ର ପ୍ରଧାନ କାମ ବୋଲି ଧରିନେଇଛନ୍ତି, ସେ ଶିକ୍ଷାକୁ କେବଳ ଅଧମ ଶିକ୍ଷା ବୋଲି କହିବାକୁ ହେବ । ସେ ଶିକ୍ଷା କୋଠା ଘରେ କୁଢ଼କୁଢ଼ ହାକିମ ଚପରାସୀଙ୍କଦ୍ୱାରା କୁଢ଼କୁଢ଼ କାଗଜ ମକଚା ହୋଇ ଦିଆଯାଉଥିଲେ ମଧ୍ୟ ତାକୁ କେବଳ କୁଶିକ୍ଷାହିଁ କହିବାକୁ ହେବ ।

 

ଆମର ଜାଣିବା ଆମର ଅନୁଭବ କରିବାର ସହାୟକ ହେଉ । ଜ୍ଞାନ ସେତୁ ପରି ହୋଇ ଆମର ଜୀବନକୁ ଚରାଚର ଦୃଶ୍ୟାଦୃଶ୍ୟର ସହିତ ସମ୍ମିଳିତ କରିଦେଉ । ଧର୍ମ, ଅର୍ଥନୀତି, ରାଜନୀତି ପ୍ରଭୃତି ଯାବତୀୟ ଶାସ୍ତ୍ରରେ ଜ୍ଞାନ ଅର୍ଜନ କଲାବେଳେ ଆମେ ଯେପରି ମଣିଷ ପରି ଅନୁଭବ କରିଶିଖୁ । ମଣିଷକୁ ନେଇ ଏ ସଂସାରର ରାଜନୀତି ଅର୍ଥନୀତି ଚାଲିଛି । ମଣିଷର ଦୁଃଖ ସୁଖ, ଜୀବନ ମରଣକୁ ଗୋଟିଏ ସୂତ୍ରରେ ସମ୍ମିଳିତ କରି ଧରି ଧର୍ମର ବିକାଶ ହୋଇ ଚାଲିଛି । ଖାଲି ହାଟ ବଜାର ବା ସଭାଘରକୁ ଜାଣିଗଲେ ଅର୍ଥନୀତି ବା ରାଜନୀତିକୁ ଜାଣିହେବ ନାହିଁ । ଭଗବାନ୍ ଓ ଭେକ ବିଷୟରେ କେତେଟା ସହଜ ସଂଜ୍ଞାକୁ ସଜାଇ କହିପାରିଲେ ମଣିଷ ଧର୍ମଜ୍ଞାନୀ ହୋଇପାରିବ ନାହିଁ । ସବୁ ଜ୍ଞାନ ପଛରେ ନିହିତ ଥିବା ସୂତ୍ରଟିକୁ ଆମକୁ ଜାଣିବାକୁ ହେବ । ସବୁ ଜ୍ଞାନ ପଛରେ ନିହିତ ଥିବା ମଣିଷକୁ ଆମକୁ ଜାଣିବାକୁ ହେବ । ଆଉ ମଣିଷକୁ ଜାଣିବାକୁ ହେଲେ, ସମ୍ୟକ ଭାବରେ ଜାଣିବାକୁ ହେଲେ ମଣିଷକୁ ଅନୁଭବ କରିବାକୁ ହେବ । ଭୌତିକ ଦୃଷ୍ଟିରୁ ଦେଖିଲେ ପାଣି, ଗନ୍ଧକ, ଲୌହ ପ୍ରଭୃତି କେତେକ ରାସାୟନିକ ଓ ଧାତବ ପଦାର୍ଥ ଛଡ଼ା ମଣିଷ କିଛି ନୁହେଁ । ଶାସକର ଦୃଷ୍ଟିରୁ ଦେଖିବାକୁ ଗଲେ ମୁଣ୍ଡଗଣତିରେ ସାମିଲ ହେବାର ସଂଖ୍ୟା ଛଡ଼ା ମଣିଷ ଆଉ କିଛି ନୁହେଁ । କିନ୍ତୁ ଥରେ ଯେତେବେଳେ ଆମେ ମଣିଷକୁ ଅନୁଭବ କରି ଶିଖିବା, ସେତେବେଳେ କି ବିପୁଳ ସାମ୍ରାଜ୍ୟର ଆବିଷ୍କାର ଆମେ ନ କରିବା ! ମଣିଷର ଦୁଃଖ, ସୁଖ, ହସ, କାନ୍ଦ ସବୁ ଗୋଟିଏ ଗୋଟିଏ ବହୁମୂଲ୍ୟ ବିଦ୍ୟା ପରି ଆମର ଅନ୍ତର ଭିତରେ ସାଇତା ହୋଇ ରହିବ ।

 

ମଣିଷର ବିପଦକୁ ମଧ୍ୟ ଆମେ ସମ୍ୟକ ଭାବରେ ଅନୁଭବ କରି ଶିଖିବା, ଏଠି ଆମ ଚାରିପାଖରେ ଆମେ ଆମ ବିପନ୍ନ ମଣିଷର ଭଙ୍ଗା ସଂସାର ଭିତରେ ରହିଛେ । ନିତି ଆମେ ବିପନ୍ନ ଜୀବନର ଦୀନତା ଓ ହୀନତାର ମୁହାଁମୁହିଁ ସମ୍ପର୍କରେ ଆସୁଛେ । ଖାଲି କାଗଜ କଲମରେ କ୍ଷତିର ହିସାବଟା ଟିପିନେଇ ଚାଲିଗଲେ ବା ଭୋକିଲା ମଣିଷର ପିଲାକୁ ମୁଢ଼ି କି ଚାଉଳ ଗଣ୍ଡାଏ ବାଣ୍ଟିଦେଲେ ଆମର କାମ ସରିଯିବ ନାହିଁ । ଆମେ ଶିକ୍ଷାର୍ଥୀ, ଆମେ ମଣିଷର ବିପଦକୁ ଆପଣା ଅନ୍ତରରେ ଅନୁଭବ କରି ଶିଖିବା । ଏଠିକା ମଣିଷର ଦୁଃଖକୁ ଆମର ହୃଦୟ ଭିତରେ ଆମେ ଚିରସ୍ଥାୟୀ ସମ୍ପଦ କରି ସାଇତି ନେଇଯିବା । ତେବେ ଏ ଦୁର୍ଦ୍ଦିନରୁ ଆମେ ଅନେକ ଶିକ୍ଷା ପାଇବା । ଆଜିକାର ଅନୁଭୂତି ଓ ଦୁଃଖ ଆମର ଜୀବନକୁ ଅନେକ ଉଜ୍ଜ୍ୱଳ କରିଦେଇପାରିବ ।

 

୯ । ୧୦ । ୫୫

 

ସେଦିନ ଅଳିଆ ଭିତରୁ ଡାଲିର ଫାଳ ଟୁଙ୍କି ଯେଉଁ ପିଲା ଖାଉଥିଲା, ସେ ଆମ ଦେଶରେ ଖାଲି ଏକା ନୁହେଁ, ଏ ଦେଶରେ ଆଉ ପୃଥିବୀର ଆହୁରି ଅନେକ ଦେଶରେ ଅନେକ ଦରିଦ୍ର ଘରେ ଏମିତି ଅନେକ ପିଲା ଅଛନ୍ତି । ଅନେକ ପିଲାଙ୍କର ପୁଣି ମୋଟେ ଘର ନାହିଁ । କେତେ ବରଗଛ ତଳେ, ସହରର ଘୋଡ଼ାଗାଡ଼ି ଷ୍ଟାଣ୍ଡଗୁଡ଼ିକରେ, ଷ୍ଟେସନ ମୁସାଫିରଖାନାରେ ସଂସାରରେ କେତେ ପିଲାଙ୍କର ଦିନରାତି କଟୁଛି, ଜୀବନ ସରୁଛି । କେତେ କେତେ ଥର ଆମେ ଛୋଟ ପିଲାଙ୍କୁ ବାବୁମାନଙ୍କର ଜୋତା ସଫା କରି ଦି’ପଇସା ରୋଜଗାର କରିବାର ଦେଖିଛୁ । ଛୋଟିଆ ଷ୍ଟେସନମାନଙ୍କରେ ହୁଏତ କେତେଥର ଆପଣା ବୋକଚାକୁ ଆମେ ଅତି ଛୋଟ ପିଲାଟିର ମୁଣ୍ଡକୁ ଟେକିଦେଇଛୁ । ଦୁଇଅଣା ଚାରିଅଣା ପଇସା ଦେଇ ଆମର କର୍ତ୍ତବ୍ୟ ଆମେ ଶେଷ କରିଦେଇଛୁ । ଆମରି ବୟସର ଅନେକ ପୁଅ ଝିଅ ଦେଶରେ ଅଛନ୍ତି । ଆମେ ଯେତେବେଳେ ଖାଇ ପିଇ ଧୀରେସୁସ୍ଥେ ପାଠ ପଢ଼ି ବସୁଛୁ, ସେତିକିବେଳେ ଗାଁ ଆଉ କେତେ ସହରର କେତେ ଯୁବକ ବିଲରେ ଧାନ ବାଛୁଛନ୍ତି । କୋଉ ମହାଜନର କୋଠିଆ ହୋଇ ଧାନ ମାପୁଛନ୍ତି, ଷ୍ଟେସନରେ କୁଲିକାମ କରୁଛନ୍ତି ବା ରିକ୍‍ସା ଟାଣି ବୁଲୁଛନ୍ତି । ଦେଶ କହିଲେ, ଦେଶର ଯୁବକ କହିଲେ, ଆମ ସମସ୍ତଙ୍କୁ ବୁଝାଇବ । ହୁଏତ ଏ ଯୁଗର କୁବିଚାର ଫଳରେ ଆମେ କେତେ ଜଣ ଏ ଦେଶର ଗେହ୍ଲାପୁଅ ହୋଇ ପାଠ ପଢ଼ୁଛେ, ଆଉ ଭଲ ଲୁଗା କାମିଜ ଖଣ୍ଡେ କରିବାର ସଉକ କରୁଛେ । କିନ୍ତୁ କେବଳ ଆମକୁ ନେଇ ଏ ଦେଶ ଗଢ଼ା ହୋଇ ନାହିଁ । ଆମରି ପରି ହଜାର ହଜାର ଯୁବକ କୌଣସି ସ୍କୁଲ କଲେଜର ଦୁଆର ମାଡ଼ି ନଥିଲେହେଁ ଏହି ଦେଶର ଧର୍ମ, ନ୍ୟାୟ ଓ ଶାସନକୁ ନିୟନ୍ତ୍ରିତ କରୁଛନ୍ତି । ପାଠ ପଢ଼ିଲାବେଳେ ଭଲ ଖାଇ ଭଲ ପିନ୍ଧିବାର ସୁଖୀ କଳ୍ପନା କଲାବେଳେ କେତେ ଦୂର ଆମେ ଏସବୁ ବିଷୟରେ ସଚେତ ରହୁ, ସେକଥା ମୁଁ କହିପାରିବି ନାହିଁ । ଯଦି ଏ ଦେଶରେ ବା ଏ ସଂସାରରେ ଧର୍ମ ଓ ନ୍ୟାୟ ନୀତିର ବ୍ୟବସ୍ଥା ଚାଲୁଥାନ୍ତା, ଯଦି ସବୁ ମଣିଷକୁ ଏ ଆକାଶ ତଳେ ଉଚିତ ସମ୍ମାନ ମିଳୁଥାନ୍ତା, ତେବେ ମୋର ଯେତିକି ଅଧିକାର ଅଛି, ଆଜି ଗାଈ ମଇଁଷି ଚରାଉଥିବା ଗାଈଆଳ ଟୋକାର ସେତିକି ଅଧିକାର ଥାନ୍ତା । ମୁଁ ଯେମିତି ଖାଇ ପିଇ ପାଠ ପଢ଼ି ଫେରୁଛି, ଶୀତ ରାତିରେ ପ୍ଲାଟଫର୍ମ ଉପରେ ଯିଏ କୁଲି କାମ କରି ବୁଲୁଛି, ସେ ମଧ୍ୟ ପାଠ ପଢ଼ି ଆପଣା ଯୋଗ୍ୟତାର ପ୍ରମାଣ ଦେବାର ଅଧିକାର ପାଇଥାନ୍ତା । ମୁଁ ଯେମିତି ସଫା ପୋଷାକ ପିନ୍ଧି ଆପଣାକୁ ଭଦ୍ର କରିପାରୁଛି, କାଦୁଅ ପାଣିରେ ଜୁଡ଼ୁବୁଡ଼ୁ ହୋଇ ଧାନ ବିଲରେ ପଡ଼ିଥିବା ଏ ଦେଶର ପ୍ରତ୍ୟେକ ପୁଅଝିଅର ମଧ୍ୟ ସେହି ଅଧିକାର ଥାଆନ୍ତା । ଅଧର୍ମ ଆଉ ଅବିଚାରରେ ଅନେକ ଦିନରୁ ଅଭ୍ୟସ୍ତ ହୋଇ ରହିଥିବାରୁ ଆମେ ହଠାତ ସେ କଥା ବୁଝିପାରୁନୁ । ମୋରି ପରି ପ୍ରତ୍ୟେକ ମଣିଷ ତା’ର ଅଧିକାର ପାଇବ, ସଂସାରରେ ଆପଣାର ଜୀବନକୁ ସୁନ୍ଦର ଓ ସୁସ୍ଥ କରି ଗଢ଼ିବାର ଅଧିକାର ଅବଶ୍ୟ ପାଇବ । ଅନ୍ଧ ସଂସ୍କୃତିର ମୋହଜାଲରେ ପଡ଼ି ଏକଥା କହିବାର ସାହସ ଆମେ ହରାଇ ବସିଛୁ । ଆମ ଦେଶର ପାଠ ଆମକୁ ଅମଣିଷ ହେବାରେ ଅନେକ ସାହାଯ୍ୟ କରିଛି । ଜୀବନର ସମସ୍ତ ଧର୍ମ ଓ ସମସ୍ତ ନ୍ୟାୟ-ଭାବନାକୁ ପାଠ, ବହି, ପରୀକ୍ଷା ଓ ଟେବୁଲ ଚଉକି ଭିତରେ ବନ୍ଦ କରି ରଖି ଏ ସମାଜର ଶିକ୍ଷା ଆମ ଭିତରର ମଣିଷକୁ ମାରି ମାରି ଚାଲିଛି । ପଣ୍ଡିତ ଆଉ ପାଠୁଆକୁ ପଇସା ଦେଇ ପୋଷିବାର ମୂଢ଼ ଭାବନାର କବଳରେ ପଡ଼ି ଆମେ ପ୍ରତ୍ୟେକ ମଣିଷକୁ ମଣିଷ ବୋଲି ଆଉ ଚିହ୍ନିପାରୁ ନାହୁଁ ।

 

ଆଗାମୀ କାଲି ଏ ସମାଜକୁ ଭାଙ୍ଗି ନୂଆକରି ଗଢ଼ିବାର ବିଦ୍ରୋହୀ ତିଆରି କରିବା ଲାଗି ଆମର ଏ ବିଦ୍ୟାଳୟ କ୍ଷୁଦ୍ର ଶିଶୁ ହୋଇ ଜନ୍ମଲାଭ କରିଛି । ଶିଶୁଟି ଯେତେ କ୍ଷୁଦ୍ର ହେଉ ପଛକେ, ଏହାର କ୍ଷୁଧା ମହାନ୍ ହୋଇ ରହିଥାଉ । ଦେଶର ସରକାର ବଦଳାଇବାକୁ ସାଧାରଣତଃ ଯେଉଁ ବିଦ୍ରୋହ ହୁଏ, ସମାଜ ବଦଳାଇବାର ବିଦ୍ରୋହ ତା’ଠାରୁ ଭିନ୍ନ ଧରଣର । ସମାଜକୁ ନୂଆ କରି ଗଢ଼ିବାର ବିପ୍ଳବୀ ଯିଏ ହେବ, ସିଏ ଆଗ ବଦଳିବ । ଆପଣା ବିଚାର ଓ ଆଚାରର ସବୁ ପଚା ପାଣିକୁ ସେ ଆଗ ନିଷ୍କାସିତ କରି ଶୁଦ୍ଧ ହୋଇଯିବ । ଆପଣାକୁ ଆଗ ବଦଳାଇବାର ବାଟ ଆମେ ଅନୁସରଣ କରିବା । ଯୋଉଠି ଯେତେ ହୀନିମାନ ଭାବରେ ଦେଖିଲେ ମଧ୍ୟ ଏ ଦେଶରେ ଆମେ କୌଣସି ପିଲାକୁ ବା ଯୁବକକୁ ବେଖାତିର କରିବା ନାହିଁ । କାହାକୁ ଆମେ ମ୍ଳେଚ୍ଛ ବୋଲି ଭାବିବା ନାହିଁ । ସୁଶିକ୍ଷା ବଳରେ ଦିନେ ସେମାନଙ୍କର ମଧ୍ୟ ଉଦୟ ହେବ, ସେମାନଙ୍କର ମଧ୍ୟ ବିକାଶ ହେବ-। ସେ ଆମର ଦାୟିତ୍ୱ । ଆମେ ପୁରୁଣା ଭାଙ୍ଗି ନୂଆ ଗଢ଼ିବା । ତେଣୁ ନୂଆ ମଣିଷର ସମ୍ମାନିତ ଦୃଷ୍ଟି ଆମକୁ ଅର୍ଜନ କରିବାକୁ ହେବ । ସେହି ନୂଆ ଦୃଷ୍ଟି ଦେଇ ସାରା ସଂସାରର ମଣିଷଙ୍କୁ ଦେଖିବାକୁ ହେବ । କରଣ କଣ୍ଡରା, ଧନୀ ଗରିବ ବା ପାଠୁଆ ଅପାଠୁଆର ତରାଜୁରେ ତଉଲି ଆମେ ମଣିଷର ବିଚାର କରିବା ନାହିଁ । ମଣିଷ ହିସାବରେ ଆମେ ମଣିଷର ବିଚାର କରିବ-। ଏ ସଂସାରର ସବୁରି ସହିତ ଆପଣାକୁ ସମ୍ମିଳିତ କରାଇ ଆମେ ନିଜ ନିଜର ବିଚାର କରିବା ।

 

୧୧ । ୧୦ । ୫୫

 

ଓଡ଼ିଶାକୁ ଶାସନ କରିବା ଲାଗି ଯେଉଁସବୁ ଉଚ୍ଚ ପାହ୍ୟାର କର୍ମଚାରୀ ନିଯୁକ୍ତ ହୁଅନ୍ତି, ସେମାନଙ୍କୁ ବାଛିବାବେଳେ ଗୋଟାଏ ବଡ଼ ପରୀକ୍ଷା ହୁଏ । ପାଠ ପରୀକ୍ଷା ତ ହୁଏ, ଚାଲାକି ଚାତୁରୀର ମଧ୍ୟ ପରୀକ୍ଷା ହୁଏ । ତା’ ଛଡ଼ା କିଏ କେତେ କଷ୍ଟ ସ୍ୱୀକାର କରିପାରିବ, ତା’ର ମଧ୍ୟ ଗୋଟାଏ ସଉକିନିଆ ପରୀକ୍ଷା ହୁଏ । ହାକିମ ତ ଖାଲି କଟକରେ କି ଭୁବନେଶ୍ୱରରେ ରହିବେ ନାହିଁ, ତାଙ୍କୁ ହୁଏତ କାଦୁଅ ପାଣିରେ ଯିବାକୁ ହେବ, ମୋଟା ଭାତ ଖାଇବାକୁ ପଡ଼ିବ । ବିଲ ହିଡ଼ରେ ଚାଲିବାକୁ ପଡ଼ିବ । ସେଥିଲାଗି ପରୀକ୍ଷା କରି କଷ୍ଟ ସହିପାରିବା ଲୋକକୁ କୁଆଡ଼େ ଆମ ଓଡ଼ିଶାରେ ବାଛିକରି ନିଆଯାଏ । ପରୀକ୍ଷା ହେଉଛି ଦଶ ମାଇଲ ଚାଲିକରି ଯିବାକୁ ହେବ । କଟକରୁ ଭୁବନେଶ୍ୱରକୁ ଯାଇଥିବା ପିଚୁ ରାସ୍ତାରେ ଏହି ସଉକିନିଆ ପରୀକ୍ଷା ବେଳେବେଳେ ହୁଏ-। ସେ ଗୋଟାଏ ଅଦ୍ଭୁତ ଦୃଶ୍ୟ । ଯିଏ ଦେଖିବ ତା’ର କଣ୍ଠରେ ଦୟା ଆସିବ, ସଫା ସୁଟ୍ ଆଉ ଜୋତା ମୋଜା ମଡ଼ାଇଥିବା ପାଠୁଆ ଟୋକାଗୁଡ଼ାକ ହୁଏତ ଜୀବନରେ ପ୍ରଥମ ଥରପାଇଁ ଏପରି ଏକ ପରୀକ୍ଷା ଦିଅନ୍ତି । ସେ ପୁଣି ବାଧ୍ୟ ହୋଇ ବଡ଼ ଚାକିରି ଖଣ୍ଡେ ମିଳିବାର ଲୋଭରେ ପଡ଼ି-। ବଡ଼ ସମାରୋହରେ ଏହି ଅସ୍ୱାଭାବିକ ଶୋଭାଯାତ୍ରା, ଚାଲେ । ସାଙ୍ଗରେ ପରୀକ୍ଷକମାନେ ଯାଉଥାନ୍ତି । ଗୋଟାଏ ମୋଟର କାରରେ ବୋଝେଇ ହୋଇ ଲେମ୍ବୁ, ସୋଡ଼ା, ଚକ୍‍ଲେଟ୍ ପ୍ରଭୃତିବି ଯାଉଥାଏ । କାହାକୁ କେଉଁଠି ଥକା ଲାଗିଲା ତ ସେ ଏସବୁ ରସଦର ସାହାଯ୍ୟ ନେବ-। ପରୀକ୍ଷା କଥା–ଦଣ୍ଡେ ବସିପଡ଼ି ଫୁରୁସତ୍ ନେଲେ ତ ଚଳିବ ନାହିଁ; ତେଣୁ ଗେହ୍ଲା ପୁଅର ମନ ଭୁଲାଇଲା ପରି ଲେମ୍ବୁ କି ସୋଡ଼ାରୁ ଟିକିଏ ମୁହଁରେ ମାରି ଆପଣାର ସୁକୁମାରିଆ ଦେହରୁ ଟିକିଏ ଫୂର୍ତ୍ତି କରେଇନେଲେ ହେବ । ମୁଁ ଜାଣେନା ଏ ଅପାଠୁଆ ଦେଶରେ ପାଠୁଆ ପିଲାଙ୍କର କଷ୍ଟ ସହିବାର ବା ଯେ କୌଣସି ଅବସ୍ଥାରେ ଆପଣାକୁ ଚଳାଇନେବାର କ୍ଷମତା ଏହାଦ୍ୱାରା କେତେ ଦୂର ପରୀକ୍ଷା କରାଯାଏ !

 

କୁଶିକ୍ଷାକୁ ଅଭ୍ୟାସଗତ କରିଥିବାରୁ ଆମେ ଏସବୁ ଅଦ୍ଭୁତ ପରୀକ୍ଷାକୁ ଠିକ୍ ବୋଲି ମାନିନେଉଚୁ । ଅନ୍ୟ କୌଣସି ସଭ୍ୟ ଦେଶରେ ଏପରି ହାସ୍ୟାସ୍ପଦ ପରୀକ୍ଷା ଲାଗି କୌଣସି ସ୍ଥାନ ନଥିବ । କୌଣସି ସଭ୍ୟ ଦେଶରେ ଦେହକୁ ଏତେ ସୁକୁମାରିଆ କରି ରଖେ ନାହିଁ । ପିଲା ସ୍କୁଲରୁ ଆସିଲେ ଆପଣା କାମରେ ଲାଗେ । ଚାଷୀପିଲା ଚାଷବେଳେ ବାପ ମାଆ ସାଥିରେ ଚାଷକାମ କରେ । କିଏ ବଗିଚା କାମ କରେ ତ କିଏ ଆପଣାର ହତିଆର ଧରି ଛୋଟ ବଡ଼ ମରାମତି କାମ କରେ । ଖରାଦିନେ ବିଶ୍ୱବିଦ୍ୟାଳୟ ବନ୍ଦ ହୋଇଗଲେ ପାଠୁଆ ପୁଅ ଘରକୁ ଆସେ । ଘାସ ଅମଳ କରି ଶୀତଦିନକୁ ସାଇତି ରଖିବାରେ, ଫସଲ କାଟିବାରେ ବା ଆଳୁ ଖୋଳିବାରେ ସେ ବାପ ମାଆଙ୍କ ସହିତ କାମ କରେ । ଘରର କାମ ସମସ୍ତଙ୍କର ଦାୟିତ୍ୱ । ସେଠି ପାଠୁଆ ଅପାଠୁଆର ପ୍ରଶ୍ନ ନାହିଁ । କାରଣ ସେଠି ପାଠୁଆ ହେଲେ ଶରୀରଶ୍ରମକୁ କେହି ଅସମ୍ମାନଜନକ ବୋଲି ମନେ କରେ ନାହିଁ । ଆମର ସାମାଜିକ ସଂସ୍କାରମାନ ଆମକୁ ପିଲାଦିନୁ ଅତି କଅଁଳା ଓ ଅଳସୁଆ କରି ପକାଉଛି, ଆମ ମନର ସମସ୍ତ ସଂକଳ୍ପକୁ ଭାଙ୍ଗି ପକାଉଛି । ଯେଉଁ ପୁଅ କଟକ କଲେଜରେ ଏମ. ଏ. ପଢ଼ୁଛି, ସେ ଯଦି ଯାଇ ଧାନଖଳାରେ ବେଙ୍ଗଳା ପକାଇବାକୁ ଆରମ୍ଭ କରେ, ତେବେ ଆମ ଅଦ୍ଭୁତ ସମାଜରେ ସମସ୍ତେ ତା’ର ମୁଣ୍ଡ ଖରାପ ହୋଇଗଲାଣି ବୋଲି କହିବେ । ଆମ ଦେଶର ପାଠୁଆମାନେହିଁ ଆମ ଦେଶରେ ସବୁଠାରୁ ଅଧିକ ଅଳସୁଆ, ଅଧିକ ଲାଜକୁଳା । ସେଥିଲାଗି ଆପଣା ମାଲ୍ ଆପେ କାନ୍ଧରେ ବୋହିନେବାର ଶକ୍ତି ଦେହରେ ଥିଲେ ମଧ୍ୟ ଆମ ଦେଶର ପାଠୁଆ ଯୁବକ ଷ୍ଟେସନରେ ଗାଡ଼ିରୁ ଓହ୍ଲାଇବା ଆଗରୁ ‘କୁଲି’ ‘କୁଲି’ ବୋଲି ଚିତ୍କାର କରେ । ସାତ, ଆଠ ବରଷର ପିଲାକୁ ଅଣାଏ ପଇସା ଫୋପାଡ଼ିଦେଇ ସେ ଆପଣାର ଜୋତା ସଫା କରାଇନିଏ । ଏସବୁ କରିବାକୁ ତାକୁ ମୋଟେ ଲାଜ ଲାଗେ ନାହିଁ । ସ୍କୁଲ କଲେଜରେ କୌଣସି ପାଠ ଓ କୌଣସି କାର୍ଯ୍ୟକ୍ରମ ତାକୁ ଏ ଲାଜ ଶିଖିବାରେ ସାହାଯ୍ୟ କରେନାହିଁ, ଓଲଟି ପ୍ରଶ୍ରୟ ଦିଏ । ତେଣୁ ଅଗଣିତ ବହି ଘୋଷି ଅପର୍ଯ୍ୟାପ୍ତ ନମ୍ବର ନେଇ ପାଠୁଆ ପୁଅ ଯେତେବେଳେ ସଂସାରକୁ ବାହାରେ, ସେତେବେଳେ ତା’ର ଦେହ ତା’ର ମନର ଆୟତରେ ଆସି ନ ଥାଏ । କୋଉ ଆଦିମ ଯୁଗର ଜେଲିମାଛ ପରି ତାହା ଅଳସ ସ୍ଥବିର ହୋଇ ପଡ଼ିଥାଏ । କ୍ରମେ ମନଟାକୁ ମଧ୍ୟ ସେ ସ୍ଥବିର କରିଦିଏ । ମନ ସ୍ଥବିର ହେବାମାତ୍ରକେ ସବୁ ପାଠ ଓ ପାଣ୍ଡିତ୍ୟ କୁଆଡ଼େ ପୋଡ଼ିଯାଏ । ଖାଲି ଡିଗ୍ରୀଟା ପଡ଼ିରହେ, ଆଉ ସେହି ଡିଗ୍ରୀପିନ୍ଧାରୁ ରୁଗ୍‍ଣ ମନନେଇ ଯେତେବେଳେ ସେ ଚାକିରିର ବଜାରରେ ସଉଦା କରିବାକୁ ଆସେ, କଷ୍ଟ ସହିବାର ସଉକିନିଆ ପରୀକ୍ଷାରେ ଯେତେ ବେଶି ନମ୍ବର ରଖି ପାସ୍ କଲେ ମଧ୍ୟ ତା’ର ମନର ଆରାମଲୋଭୀ କୀଟଗୁଡ଼ାକ ତା’ର ପ୍ରତ୍ୟେକ ସ୍ନାୟୁରେ ଚରି ଯାଇଥାନ୍ତି । ଜୀବନରେ କୌଣସି କଷ୍ଟ ଦେଖିଲେ ସେ ଅତି ସଂକୁଚିତ ହୋଇପଡ଼େ-। ଏ ଦୁଃଖୀ ଦେଶର କୌଣସି କଷ୍ଟ ସେ ଦୂର କରିପାରେ ନାହିଁ ।

 

୧୨ । ୧୦ । ୫୫

 

ଆମ ଦେଶରେ ଅଫିସରୀ ଜୀବନ ବିଷୟରେ ଆମେ ଖୁବ୍ ବେଶି ପରିଚିତ ହୋଇନାହୁଁ-। ସେ ଗୋଟାଏ ଅଦ୍ଭୁତ ଚିଡ଼ିଆଖାନାର ସଂସାର । ଯେ କୌଣସି ଉପନ୍ୟାସଠାରୁ ସେ ସଂସାରର କାହାଣୀ କୌଣସି ପ୍ରକାରେ କମ୍ ରସମୟ ହେବ ନାହିଁ । ଯେତିକି ଯେତିକି ଆମେ ଅଫିସରମାନଙ୍କ ସମ୍ପର୍କରେ ଆସୁଥିବା, ସେତିକି ସେତିକି ଆମେ ଏ ରସ ଉପଭୋଗ କରିପାରୁଥିବା ।

 

ଆଗେ ଗଡ଼ଜାତରେ ରାଜାମାନେ ଥିଲେ । ସେମାନେ ରାସ୍ତାରେ ବୁଲି ବାହାରିଲେ କି ଜଙ୍ଗଲକୁ ଶିକାର କରି ଗଲେ ଶହ ଶହ ଲୋକଙ୍କର ସେବା ଦରକାର ହେଉଥିଲା । ଫେର ତଳକୁ ଖସି ମଇଳା ହୋଇଯିବ ବୋଲି ଦୁଇଟା ଲୋକ ଫେର ଧରି ଯାଉଥିଲେ । ସେ ଦେଶୀ ରଜା ଗଲେ, ବିଦେଶୀ ବ୍ରିଟିଶ ରାଜା ଆସିଲେ । ସେତେବେଳେ ମଧ୍ୟ ବଡ଼ ଅଫିସରମାନଙ୍କର ଏଇ ଗେଲବସରିଆ ଜୀବନ ବେଶ୍ ଚାଲିଲା । କୋରାପୁଟରେ କୋଉଠି ନଈ ପଡ଼ିବ, ଚାରିଟା ଶବର ଅମିନବାବୁଙ୍କୁ ନେଇ ନଈ ପାର କରାଇଦେବେ । କୋଉଠି ଘାଟ ପଡ଼ିବ ତ ଦୁଇ ଜଣ କନ୍ଧବାବୁଙ୍କୁ ବୋହି ନେବେ ବା ନାଉ କରି ନେବେ । ଏ ସ୍ୱତନ୍ତ୍ର ଦେଶରେ ମଧ୍ୟ ସେହି ପୁରୁଣା କାରବାର ବେଶ୍‌ ଚାଲିଛି । ଅଫିସରମାନେ ଜିଲ୍ଲା ଗସ୍ତ କରିବେ, ଗାଁଗାଁ ବୁଲିବେ । କିନ୍ତୁ ସେମାନଙ୍କର ଗୋଡ଼ରୁ ଜୋତା ହୁଗୁଳିବ ନାହିଁ, ପାଦରେ ପାଣି କି କାଦୁଅ ଲାଗିବ ନାହିଁ । ଦରକାର ପଡ଼ିଲେ ଚାରି ପାଞ୍ଚଟା ମଣିଷକୁ ସେମାନେ ବୋହି ନେଇଯିବେ ଏ କଥା ଏପର୍ଯ୍ୟନ୍ତବି ଆମର ଚାଲିଛି । ପାଠ ପଢ଼ି ପଇସା ନେଇ ଦେଶର ସେବା କରିବାକୁ ଆସିଥିବା ହାକିମଙ୍କୁ ଏଥିଲାଗି ଲାଜ ଲାଗୁ ନାହିଁ କି ଆପଣାକୁ ଅତି ହୀନ ଦରିଦ୍ର କରି ରଖି ସବୁବେଳେ ହାକିମର ଅନୁଗ୍ରହ ଉପରେ ବଞ୍ଚି ଆସିଥିବା ମଣିଷ ଏଥିରେ ଅପମାନିତ ବୋଧ କରୁନାହିଁ । ଅସମ୍ମାନ ଉଭୟ ତରଫରୁ ଗ୍ରାସ କରି ସାରିଲାଣି । ମଣିଷପଣିଆ ଉଭୟ ପକ୍ଷରୁ ମରିଯାଉଛି । ଏସବୁ ହେଉଛି, କାରଣ ଏ ଦେଶର ହାକିମ ଏ ଦେଶର ସେବକ ବୋଲି ଆପଣାକୁ ଭାବୁନାହାନ୍ତି । ମଣିଷ ଭିତରର ସେବାଭାବ କୁଆଡ଼େ ପୋକ ଖାଇଗଲାଣି । ଖାଲି ନାନା ଲୋଭ ଓ ନାନା ଭୋଗର ମନୋଦୃଷ୍ଟି ନେଇ ମଣିଷ କୀଟ ପରି ବଞ୍ଚି ରହିଛି । ମଣିଷ ଭିତରେ ଭଗବାନ୍ ରହିଛନ୍ତି । ତେଣୁ ପ୍ରତ୍ୟେକ ମଣିଷକୁ ମଣିଷର ସମ୍ମାନ ମିଳିବା ଦରକାର । ଯେତେ ପାଠ ପଢ଼ିଲେ ମଧ୍ୟ ଏ ଦେଶର ପାଠୁଆ ହାକିମ ଆଜି ଏହି ଶୁଦ୍ଧ ସତ୍ୟଟିକୁ ଆଉ ଅନୁଭବ କରିପାରୁ ନାହିଁ ।

 

ଏ ଦେଶରେ ସମସ୍ତେ ଆଗ ସୁଖ ଚାହାନ୍ତି; ସହଜ ଜୀବନ ଚାହାନ୍ତି । ସହଜ ଜୀବନହିଁ ଏ ଦେଶର ଆଖିରେ ଆଜି ସାର୍ଥକ ଜୀବନର ମାନଦଣ୍ଡ ହୋଇଛି । ତେଣୁ ଆମର ଦାୟିତ୍ୱବୋଧ କମିଯାଉଛି, ପୁରୁଷାର୍ଥ ମରିଯାଉଛି । ପାଠ ପଢ଼ିସାରିଲେ ତେଇଶ, ପଚିଶବରଷର ଯୁବକ ଆଉ କୌଣସି ପ୍ରକାର କଷ୍ଟ ସହିବାକୁ ଶଙ୍କାବୋଦ କରୁଛି । ଟିକିଏ କୋଉଠି ଖରା ସହିଲେ ବା ପାଣି କାଦୁଅରେ ପଶିଲେ ତା’ର ଅବସ୍ଥା ବଡ଼ ବିକଳ ହୋଇପଡ଼ୁଚି । ଯେଉଁ ଦେଶରେ ଶତକଡ଼ା ନବେ ଲୋକ ଖରା ବରଷା ଆଉ ଶୀତରେ ଜୁଆ ହୋଇ ଜୀବନ ଧରି ପଡ଼ିଛନ୍ତି, ସେଇ ଦେଶର ହାକିମ ଆଜି ପାଣି କାଦୁଅକୁ ଡରୁଛି, ଗାଁକୁ ଯିବାକୁ ଡରୁଛି, ବାଟ ଚାଲିବାକୁ ଡରୁଛି । ଆମର ଏ ଦୁର୍ଦ୍ଦଶାରେ ତଥାପି ଆମକୁ ଲାଜ ମାଡ଼ୁ ନାହିଁ ।

 

ଏ ଦେଶର ପାଠ ଓ ଏ ଦେଶର ସମାଜ ଆମକୁ ଆଜି ଏହିପରି ଦୁର୍ଦ୍ଦଶାଜର୍ଜର କରି ପକାଇଛି । ଏ ଦେଶର ସ୍କୁଲ କଲେଜ ଏ ଦେଶର ନୁହେଁ, ଏକଥା ଆମେ ସମସ୍ତେ ଅନୁଭବ କଲୁଣି-। ପାଠ ମଣିଷକୁ ତା’ର ସମାଜ ଲାଗି, ତା’ର ସାମାଜିକ ଜୀବନ ଲାଗି ତିଆରି କରେ । କିନ୍ତୁ ଆମର ଶିକ୍ଷା ବର୍ତ୍ତମାନ ଆମକୁ ଯଥାସମ୍ଭବ ଅସାମାଜିକ କରିପକାଉଛି । ଆମର ଶିକ୍ଷାନୁଷ୍ଠାନମାନଙ୍କରେ ଲାଇବ୍ରେରୀ ଅଛି, ଲାବ୍ରୋଟରୀ ଅଛି । ଗଦା ଗଦା ବହି ଘୋଷା ହୋଇ ଗଦା ଗଦା ପରୀକ୍ଷା କରାଯାଉଛି । ତଥାପି ଏ ଦେଶର ମଣିଷ, ଏ ଦେଶର ପ୍ରକୃତି, ଏ ଦେଶର ଜୀବନ ସହିତ ତା’ର କୌଣସି ସମ୍ପର୍କ ନାହିଁ । ଆମେ ଏ ଦେଶର ମଣିଷ ସହିତ ଏପର୍ଯ୍ୟନ୍ତ ପରିଚିତ ହୋଇ ନାହୁଁ, ଏପର୍ଯ୍ୟନ୍ତ ଏ ଦେଶର ମଣିଷ ପ୍ରତି ଶ୍ରଦ୍ଧା ରଖିବାର ଯୋଗ୍ୟତା ଅର୍ଜନ କରିନାହୁଁ । ଯୋଉଠି ଜୀବନ ପ୍ରତି ଶ୍ରଦ୍ଧାନାହିଁ, ପୁରୁଷାର୍ଥ ପ୍ରତି ଶ୍ରଦ୍ଧା ନାହିଁ, ମଣିଷ ପ୍ରତି ଶ୍ରଦ୍ଧା ନାହିଁ, ସେଠି ଶିକ୍ଷାର ଶୁଦ୍ଧତା ରହିଛି ବୋଲି ଆମେ କିପରି କହିବା ? ଆଗେ ଯେମିତି ପଇସା ଖାଇ ଦଳେ ଲୋକ ଯୁଦ୍ଧ ସମୟରେ ଯୁଦ୍ଧ କରିବାକୁ ଯାଉଥିଲେ, ବର୍ତ୍ତମାନ ସେମିତି ଲୋକଶାସନର ଗୁମାସ୍ତା-କଚେରିରେ ଆମ ହାକିମମାନେ ପଇସା ଖାଇ କାଗଜପତ୍ର କାମ ଠିକ୍ କରିବାରେ ଲାଗିଛନ୍ତି-। ଅଳ୍ପ ପଇସାଖିଆର ଅନେକ ପଇସାଖିଆ ସହିତ ପ୍ରତିଯୋଗୀତା ଚାଲିଛି । ଅଳ୍ପ ପଇସାଖିଆ ଉପରେ ଅନେକ ପଇସାଖିଆ ହାକିମି ଚଳାଉଛି । ପଇସା ଖାଇବାର ପରିମାଣ ଓ ପରିଧି ଅନୁସାରେ ସମାଜ ଭାଗ ଭାଗ ହୋଇଯାଇଛି । ଜୀବନ ପ୍ରତି ଅଶ୍ରଦ୍ଧା, ମଣିଷ ପ୍ରତି ଅସମ୍ମାନ ଉପରଠାରୁ ତଳଯାଏଁ ସମସ୍ତଙ୍କୁ ଜର୍ଜର କରି ରଖିଛି ।

 

୧୩ । ୧୦ । ୫୫

 

ଆମ ସାଥିରେ ବୁଲୁଥିବା ମୁସଲମାନ ସିପାହି ଭାଇଙ୍କଠାରୁ ଗୋଟାଏ କଥା ଶୁଣିବାକୁ ପାଇଲି । ତାଙ୍କୁ ମୁଁ କଥା ପ୍ରସଙ୍ଗରେ ପଚାରିଲି, “ଇହୁଦୀ ବୋଲି ଗୋଟାଏ ଜାତି ପୃଥିବୀରେ ଅଛନ୍ତି, ତୁମେ ଜାଣିଛ ?” ସେ ସଙ୍ଗେ ସଙ୍ଗେ ଉତ୍ତର ଦେଲେ, “ସେମାନେ ଆମର ପହିଲା ନମ୍ବର ଶତ୍ରୁ । ସେମାନଙ୍କୁ ପୁଣି ନ ଜାଣିବ କିଏ ?” ମଣିଷ ମଣିଷ ଭିତରେ ଘୃଣା ସୃଷ୍ଟି କରି ଜିଇଆସିଥିବା ଧର୍ମ-ବ୍ୟବସ୍ଥାପକମାନଙ୍କର ସଫଳତାର ଗୋଟାଏ ପ୍ରମାଣ ପାଇଲି । ଦୁଇବରଷ ତଳେ ଅଷ୍ଟ୍ରିଆର ଗୋଟାଏ ଛୋଟ ଗାଁରେ ଠିକ୍ ଏହିପରି ଗୋଟାଏ କଥା ଦେଖିବାକୁ ପାଇଥିଲି । ସେଠି ଛୋଟ ପିଲାଙ୍କ ସ୍କୁଲରେ ଧର୍ମ ବିଷୟରେ ଶିକ୍ଷା ଦିଆଯାଏ । ଗୋଟାଏ ବହି ମୁଖସ୍ଥ କରି ପିଲାମାନଙ୍କୁ ଧର୍ମ ବିଷୟରେ ପରୀକ୍ଷା ଦେବାକୁ ହୁଏ । ଧର୍ମ କହିଲେ ଅନ୍ଧ ମଣିଷ କେବଳ ଆପଣାର ଧର୍ମକୁହିଁ ବୁଝେ-। ତେଣୁ ଅଷ୍ଟ୍ରିଆର ସ୍କୁଲରେ ଧର୍ମ ଶିକ୍ଷା କହିଲେ କେବଳ ଖ୍ରୀଷ୍ଟିଆନ୍ ଧର୍ମକୁହିଁ ବୁଝିବାକୁ ହେବ-। ଧର୍ମ ବିଷୟକ ପାଠ୍ୟପୁସ୍ତକରୁ ଦିନେ ଗୋଟାଏ ଅଦ୍ଭୁତ କଥା ଦେଖିବାକୁ ପାଇଲି । ସେଥିରେ ଲେଖାଯାଇଛି, ମୁସଲମାନ ଧର୍ମ ହେଉଛି–ଆମ ଖ୍ରୀଷ୍ଟିଆନ୍ ଧର୍ମର ପହିଲା ନମ୍ବର ଶତ୍ରୁ-। ଯେପର୍ଯ୍ୟନ୍ତ ଏହା ପୃଥିବୀରୁ ଲୋପ ନ ପାଇଛି, ସେପର୍ଯ୍ୟନ୍ତ ଆମ ଧର୍ମର ବିପଦ ଯାଇ ନାହିଁ-। ଇଉରୋପର ସବୁ ସ୍କୁଲରେ ଛୋଟ ପିଲାଏ ହୁଏତ ଆଜି ଏହିକଥା ପଢ଼ୁଛନ୍ତି । ମୁଖସ୍ଥ କରୁଛନ୍ତି, ପରୀକ୍ଷାରେ ଲେଖୁଛନ୍ତି । ପୃଥିବୀର ସବୁ ପିଲାଙ୍କର କଲ୍ୟାଣ ଚାହୁଁଥିବା ଜଣେ ଶିକ୍ଷକ ହିସାବରେ ସେଦିନ ଏହି ଘଟନାରେ ମୁଁ ପ୍ରକୃତରେ ବଡ଼ ଆତଙ୍କିତ ହୋଇଉଠିଥିଲି । ପିଲାଦିନରୁ ଆମର ଜାଣିବାର ଆଗ୍ରହକୁ ଏହିପରି ମିଛ ଓ ଘୃଣାରେ ଦୂଷିତ କରି ଦିଆଗଲେ ଆମେ ବଡ଼ ହୋଇ ଏ ସମାଜରୁ କିପରି ମିଛ ଓ ଘୃଣା ଦୂର କରି ଦେଇପାରିବା ? ଆଉ ମିଛ ଓ ଘୃଣା ଏହି ପୃଥିବୀରେ ଆମ ମନ ଭିତରେ ଜିଇ ରହିଥିଲା ପର୍ଯ୍ୟନ୍ତ କିପରି ଆମେ ଆମ ଜୀବନକୁ ଓ ସଂସାରକୁ ସୁନ୍ଦର କରି ଗଢ଼ିପାରିବା ? ବଡ଼ବଡ଼ ସଭାରେ ଶାନ୍ତି ମୁକ୍ତି ପ୍ରଭୃତି ଶବ୍ଦ ଆମେ ଯେତେ ପାରୁଛେ ପାଟି କରୁଛେ । କିନ୍ତୁ ମାତ୍ର କେତେଟା ଯକ୍ଷ୍ମାଜୀବାଣୁ ପଶି ଗୋଟାଏ ସୁସ୍ଥ ସବଳ ଦେହକୁ ଖାଇଗଲା ପରି ଆମ ପିଲାଦିନର ମିଛ-ପାଠ ଆମର ସାମାଜିକ ଜୀବନକୁ ଖାଇ ଖାଇ ଚାଲିଛି ।

 

ମଣିଷ ମଣିଷକୁ ଶ୍ରଦ୍ଧା କରିବ, ମଣିଷ ମଣିଷ ପାଖରେ ନମ୍ର ହେବ, ମଣିଷ ମଣିଷକୁ ମଣିଷର ସମ୍ମାନ ଦେବ–ସବୁ ଧର୍ମର ମହାପୁରୁଷମାନେ ଏହି କଥା କହିଛନ୍ତି । ଏତେ ଜଣ ମହାପୁରୁଷଙ୍କର ଇତିହାସକୁ ପଛରେ ଧରି ମଧ୍ୟ ଆଜି ହିନ୍ଦୁ ମୁସଲମାନକୁ ଘୃଣା କରୁଛି, ମୁସଲମାନ ଇହୁଦୀକୁ ଘୃଣା କରୁଛି, ଇହୁଦୀ ଖ୍ରୀଷ୍ଟିଆନ୍‌କୁ ଘୃଣା କରୁଛି । ଆମ ଧର୍ମ ମନ୍ଦିରର ଅତିକାୟ ଆଡ଼ମ୍ବର ଭିତରେ ଆଜି ଖାଲି ଘୃଣା ଭର୍ତ୍ତି ହୋଇଛି । ଏ ସଂସାରରେ ଭଗବାନ୍‍ଙ୍କର ସନ୍ତାନ ହିସାବରେ ଆମେ ପରସ୍ପରକୁ ଭଲ ପାଉଥାନ୍ତେ, ପରସ୍ପରର ବିକାଶରେ ଆମେ ଖୁସି ହେଉଥାନ୍ତେ; କିନ୍ତୁ ଭଗବାନ୍‍ଙ୍କ ଭୂତକୁ ଭଗବାନ୍ ବୋଲି କହି ଆଜି ଆମେ ସଂସାରରେ ପରସ୍ପରର ଶତ୍ରୁ ହୋଇ ପଡ଼ିଲୁଣି । ମଣିଷ ଆଉ ମଣିଷକୁ ବୁଝିପାରୁନାହିଁ । ରକ୍ତ, ବର୍ଣ୍ଣ ଆଉ ଭେକର ଏହି ଶରୀରଟାକୁ ଭେଦି ମଣିଷ ଆଉ ପରସ୍ପର ଭିତରେ ଆତ୍ମଦର୍ଶନ ବା ଭଗବଦ୍ ଦର୍ଶନ କରିପାରୁ ନାହିଁ । ଏହି ଦୁର୍ଭାଗ୍ୟର ଅଭିଶାପ ଆଜି ଆମର ଜୀବନରେ ଦୁଃଖ ଗୋଳିଦେଇଛି । ଏତେ ପାଖେ ପାଖେ ରହି ମଧ୍ୟ, ହାତରେ ଜ୍ଞାନ-ବିଜ୍ଞାନର ଏତେ ସାଧନ ସାମଗ୍ରୀ ଥାଇ ମଧ୍ୟ ଆମେ ଖାଲି ପରସ୍ପରର ଦୁଃଖହିଁ ବଢ଼ାଉଛୁ । ଆଉ ଯିଏ ଆପଣା ଅଜ୍ଞାନରେ ଦୁଃଖୀ ହୋଇ ରହିବାକୁ ଭଲ ପାଇଛି, ସେ ଏ ସଂସାରରେ କିପରି ଭଗବାନ୍‍ଙ୍କର ଆଶୀର୍ବାଦ ଅନୁଭବ କରିପାରିବ, କିପରି ସେ ଏ ସଂସାରରେ ପ୍ରତ୍ୟେକ ମଣିଷର ହୃଦୟରେ ଭଗବାନ୍ ରହିଚନ୍ତି ବୋଲି ବିଶ୍ୱାସ କରିବ ? ଆଜି ସବୁଠାରେ ମଣିଷର ଏହି ଅବିଶ୍ୱାସହିଁ ମଣିଷର ଜୀବନକୁ ନିୟନ୍ତ୍ରିତ କରୁଛି । ମଣିଷ ନ୍ୟାୟକୁ ବିଶ୍ୱାସ କରୁନାହିଁ, ସତ୍ୟକୁ ବିଶ୍ୱାସ କରୁନାହିଁ, ପରସ୍ପରକୁ ବିଶ୍ୱାସ କରୁ ନାହିଁ, ଆପଣାକୁ ମଧ୍ୟ ବିଶ୍ୱାସ କରୁନାହିଁ । କେତେ ପ୍ରକାରର କଳ୍ପିତ ଅବିଶ୍ୱାସର ତ୍ରାସରେ ସନ୍ତ୍ରସ୍ତ ହରିଣ ପରି ଖାଲି ସେ ଏ ସଂସାରର ଅରଣ୍ୟ ଭିତରେ ଲୁଚିବୁଲୁଚି । ଏ ସଂସାରରେ ଏତେ ଆଲୁଅ, ଏତେ ଆନନ୍ଦ; ତଥାପି ହତଭାଗ୍ୟ ମଣିଷ ଆଜି ମଧ୍ୟ ତା’ର ଅନ୍ଧାର-ଗମ୍ଭୀରାରେ ପଡ଼ିରହିଛି ।

 

ଆମେ ଘୃଣା କରୁଛୁ; ତେଣୁ ବିଶ୍ୱାସ କରିବାର ଶକ୍ତି ଆମର ନାହିଁ । ଆମର ସମସ୍ତ ବିଶ୍ୱାସ କେବଳ ଅନ୍ଧବିଶ୍ୱାସ ହୋଇ ଆମକୁ ଚାରିଆଡ଼ୁ କାମୁଡ଼ି ଧରିଛି । ଆମେ ଆମର ସମସ୍ତ ପ୍ରକାର ଅନ୍ଧବିଶ୍ୱାସର ଅସ୍ତ୍ର ନେଇ ସଂସାରଟାକୁ ଘୃଣା କରିବାକୁ ବାହାରିଛୁ । କିନ୍ତୁ ସେସବୁ ଆମରି ଜୀବନକୁହିଁ ବିକଳାଙ୍ଗ ବିକୃତ କରିଚାଲିଛି । ନାନା ପ୍ରକାର ସଂଶୟ ଓ ଅବିଶ୍ୱାସରେ ଆମ ହୃଦୟକୁ ଗ୍ରନ୍ଥିଳ କରି ରଖିଛି । ମଣିଷର ଘୃଣାକୁ ଭାଙ୍ଗିଦେଇ ତାକୁ ଭଲପାଇ ଶିଖାଇବା, ମଣିଷକୁ ମଣିଷ ସହିତ ଆହୁରି ଶୁଦ୍ଧ ଓ ସମ୍ପୂର୍ଣ୍ଣ ଭାବରେ ସମ୍ମିଳିତ କରାଇବା, ଏହାହିଁ ଯାବତୀୟ ସତ୍‍ଶିକ୍ଷାର କାମହୋଇ ରହିବା ଉଚିତ । ଆମ ସାହିତ୍ୟ, ଭୂଗୋଳ, ବିଜ୍ଞାନ ଆଉ ଇତିହାସ ପ୍ରଧାନତଃ ଏହି ଘୃଣା କାଟିବା ଲାଗି ଆମକୁ ଅଧିକ ସାହସ ଦେଇଯିବା ଉଚିତ ।

 

୧୪ । ୧୦ । ୫୫

 

କାଲି ଆମେ ଗୁଣ୍ଡଦୁଧ ଗୋଳି ଏ ଗାଁର ପିଲାଙ୍କୁ ପିଇବାକୁ ଦେଲେ । ସମସ୍ତଙ୍କର ଅଣ୍ଟିରେ ମୁଠାଏ ମୁଠାଏ ହୁଡ଼ୁମ ଦେଲେ । ଆଜି ସକାଳ ନ ହେଉଣୁ ଗାଁର ସବୁ ପିଲା ଆସି ସ୍କୁଲ ଘରେ ହାଜର । ଦୁଧ ପିଇବାକୁ ଦିଆଗଲାବେଳେ କେତେ ଶାନ୍ତ ହୋଇ ବସିଥାନ୍ତି । ଆପଣା ପାଳି ପଡ଼ିବା ଯାଏଁ କେତେ ଧୈର୍ଯ୍ୟରେ ସେମାନେ ଅପେକ୍ଷା କରନ୍ତି । ଗାଁର କେତେ ଜଣ ମାମଲତ୍‍କାର ଆଜି ସେହି ବିଷୟରେ କଥାବାର୍ତ୍ତା ହେଉଥିଲେ । ଯିଏ କେବେ ସ୍କୁଲ ଘର ନ ମାଡ଼ିଛି, ସେ ମଧ୍ୟ ଆଜି ସ୍କୁଲକୁ ଆସିଛି; ମାଷ୍ଟ୍ରଙ୍କୁ ଓ ପାଠକୁ ଫାଙ୍କିଦେଇ ଯିଏ ମାସରେ କୋଡ଼ିଏ ଦିନ ଲୁଚି ଲୁଚି ବୁଲୁଥିଲା, ସେ ବି ଆଜି ସଭିଙ୍କ ସହିତ ଶୃଙ୍ଖଳା ମାନି ଏକାଠି ଆସି ବସିଛି । ଗିଲାସେ ଗିଲାସେ ଦୁଧ ଆଜି ଗାଁର ସବୁ ପିଲାଙ୍କୁ ଏକାଠି କରିପାରିଛି । ସବୁଦିନେ ଏମିତି ମିଳୁଥିଲେ ଆଉ କୌଣସି ପିଲା ସ୍କୁଲରୁ ଲୁଚିବେ ନାହିଁ, ସମସ୍ତେ ପାଠ ପଢ଼ିବାକୁ ଆସିବେ–ଏପରି କଥାବାର୍ତ୍ତା ଶୁଣିବାକୁ ମିଳିଲା ।

 

ଆମ ଦେଶର ସବୁ ପିଲା ଏପର୍ଯ୍ୟନ୍ତ ପାଠ ପଢ଼ିବାର ସୁଯୋଗ ପାଇ ନାହାନ୍ତି, ଏହା ହେଉଛି ଏ ଦେଶର ସବୁଠାରୁ ବଡ଼ ଲଜ୍ଜା । ଖାଲି ଗୋଟାଏ ଆଇନ ହୋଇଗଲେ ବା ଗାଁରେ ଗାଁରେ ସ୍କୁଲ ଖୋଲା ହୋଇଗଲେ ଯେ ସବୁ ପିଲାଏ ପାଠ ପଢ଼ିବାକୁ ଆସିବେ, ସେ କଥା ମଧ୍ୟ ନୁହେଁ । ନାନାପ୍ରକାର ସାମାଜିକ କାରଣ ଆମ ଦେଶର ପିଲାଙ୍କୁ ଆଜି ଏକାଠି ବସି ପାଠ ପଢ଼ିବାରୁ ବଞ୍ଚିତ କରି ରଖିଛି । ଛଅ ସାତ ବରଷରେ କିଏ ଗାଈଗୋଠ ସହିତ ଯାଉଛି ତ କିଏ ଘାସ ମୁଣ୍ଡାଇ ବିଲରୁ ଫେରୁଛି । ଯୋଉ ବୟସରେ ସଫାସୁତୁରା ଦେହରେ ସଫାସୁତୁରା ପୋଷାକ ପିନ୍ଧି ଏ ଦେଶର ପିଲା ସ୍କୁଲ ଘରେ ବସି ପାଠ ପଢ଼ୁଥାନ୍ତା, ସେହି ବୟସରେ ମଇଳା କୋତରା ଦେହରେ ଛିଣ୍ଡାକନା ପିନ୍ଧି ସେ ଅତି ହୀନିମାନ ହୋଇ ରହିଛି । ପାଣି କାଦୁଅରେ ପଡ଼ି ତା’ର ଜୀବନର ସମସ୍ତ କାନ୍ତି ନଷ୍ଟ ହୋଇଯାଉଛି । ଘରେ ଖାଇବାକୁ ନାହିଁ, ଏହି ଖାଇବା ଗଣ୍ଡାକ ଯୋଗାଡ଼ କରିବା ଲାଗି ବାପ ମାଆଙ୍କୁ ବାରପ୍ରକାର ମୂଲ ଖଟିବାକୁ ପଡ଼ୁଚି । ସେ ଘରେ ଯିଏ ଜନ୍ମ ହେଉଛି, ତାକୁ ମଧ୍ୟ ପିଲା ଦିନରୁ ପେଟ ପୋଷିବା ଲାଗି ଚବିଶଘଣ୍ଟିଆ ମୂଲ ଲାଗିବାର ପଲରେ ଯିବାକୁ ହେଉଛି । ଏହିପରି ଚକ ଚାଲିଛି । ହଜାର ହଜାର ମଣିଷଙ୍କୁ ନାରଖାର କରି ହଜାର ହଜାର ପିଲାଙ୍କୁ ସବୁପ୍ରକାର ସଭ୍ୟତା ଓ ସଂସ୍କୃତିରୁ ବଞ୍ଚିତ କରି ଏ ଦେଶରେ ସମାଜ ଗଢ଼ିବାର ସର୍ବନାଶୀ ସୁଆଙ୍ଗ ବେଶ୍ ଚାଲିଛି । ଆଜି ସମାଜର କେବଳ କେତେକ ଲୋକଙ୍କର ଅଧିକରୁ ଅଧିକ ବ୍ୟବସ୍ଥା ଚାଲିଛି । ଇଂଲଣ୍ଡ ବା ଆମେରିକାରୁ ପରିକ୍ରମା କରି ଆସିଥିବା ପାଠୁଆବାବୁମାନେ ସେହିମାନଙ୍କ ପିଲାଙ୍କ ପାଇଁ ଇଂଲଣ୍ଡ ଓ ଆମେରିକାର ସୌଖୀନ ଜୀବନ ଖଞ୍ଜି ଦେବା ଲାଗି ଅଧିକରୁ ଅଧିକ ଯୋଜନାମାନ କରୁଛନ୍ତି । ସମାଜର ମାତ୍ର କେତେ ଜଣଙ୍କୁ ହାଉଦା ଉପରେ ବସାଇ ସମାଜର ଜଳ-ହାତୀ ବେଶ୍ ଗତିରେ ଝୁଲି ଝୁଲି ଚାଲିଛି । ଅବାଟରେ ଯାଉଛି ବୋଲି ଭାବିବାକୁ ତା’ର ବେଳ ନାହିଁ ।

 

ସମାଜର ସବୁ ପିଲା ଖାଇବାକୁ ପାଇବେ, ସବୁ ପିଲା ପାଠ ପଢ଼ିବାର ସୁଯୋଗ ପାଇବେ–ଏକଥା କେବଳ କେତେ ଜଣ ପାଠୁଆ ବଡ଼ଲୋକଙ୍କର ଅନୁଗ୍ରହ ଉପରେ ନିର୍ଭର କରେ ନାହିଁ । ଆଜି ତ ଦୟାରେ ଶାସନ ଚାଲିଛି, ଦୟାରେ ପୋଷଣ ଚାଲିଛି, ଦୟାରେ ଉଦର ଭରାଇବା ଚାଲିଛି । ବଡ଼ଲୋକର ଦୟା ଅତି ପ୍ରବଳ ହୋଇଉଠିଥିବାବେଳେ ଗାନ୍ଧୀ ଅତି ନିର୍ଭୀକ ଭାବରେ ସବୁ ପିଲାଙ୍କର ପଢ଼ିବାର ବ୍ୟବସ୍ଥା ଲାଗି ଏକ ସରଳ ଯୋଜନା ଦେଇ ଯାଇଛନ୍ତି । ଦେଶର ସବୁପିଲା ପାଠ ପଢ଼ିବେ । ତେବେ ଯାଇ ଏ ଦେଶର ଶିକ୍ଷାକୁ ଜାତୀୟଶିକ୍ଷା କୁହାଯିବ । ବଡ଼ଲୋକୀ ପାଣ୍ଠିରେ ଟଙ୍କା ନାହିଁ ବୋଲି ଗରିବର ପିଲାଙ୍କୁ ଅନିର୍ଦ୍ଦିଷ୍ଟ ଭବିଷ୍ୟତ୍ ଲାଗି ଅପାଠୁଆ ହୋଇ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ସେ ତା’ର ସ୍ୱତନ୍ତ୍ର ଧରଣର ସ୍କୁଲ ଏ ଦେଶରେ ଆପେ ଗଢ଼ିବ । ସେଠି ସେ କାମ କରିବ, ଖାଇବ, ପାଠ ପଢ଼ିବ । କାମ କରିବାର ଓ ପାଠ ପଢ଼ିବାର ସମନ୍ୱିତ ଆଗ୍ରହ ଓ ଉତ୍ସାହ ଭିତର ଦେଇ ସେ ସାମାଜିକ ସାଧୁ ଜୀବନର ସ୍ୱାଦ ପାଇବ । ଏ ସମାଜରେ ସେ ମଧ୍ୟ ଦିନେ ନିର୍ଭୀକ ହୋଇ ଠିଆହେବ । ଭୂଇଁର ମାଟିଠାରୁ ଆକାଶର ଆଲୁଅ ପର୍ଯ୍ୟନ୍ତ ଏ ସୃଷ୍ଟିରେ ଆନନ୍ଦମୟ ଜୀବନର ଯେତେ ସାମଗ୍ରୀ ରହିଛି, ସବୁଟିରେ ସେ ଅନ୍ତର ଦେଇ ମିଳିତ ହେବ । ତା’ର ଜୀବନଦୃଷ୍ଟି ଭିତରେ ସେ ସବୁଟିକୁ ଶ୍ରଦ୍ଧାଦେଇ ସାଇତି ରଖିବ । ଆଜିକାର ଶିକ୍ଷା ନିର୍ଭୀକ ମଣିଷ ଗଢ଼ିପାରୁ ନାହିଁ; କାରଣ ପ୍ରଧାନତଃ ଦୟା ଆଉ ଅନୁଗ୍ରହ ଉପରେହିଁ ଏହା ତିଷ୍ଠି ରହିଛି । ହାକିମର ଦୟାରେ ଆଜି ଏ ଦେଶର ଶିକ୍ଷକର ଜୀବନ ବଡ଼ ବ୍ୟସ୍ତ ସଂକୁଚିତ ହୋଇ ରହିଛି । ତା’ର ସମ୍ମାନ ନାହିଁ । ଆମର ନୂତନ ଶିକ୍ଷା ଆଜି ନିର୍ଭୀକ ମଣିଷ ଗଢ଼ିବାର ବିରାଟ କାମକୁ ବ୍ରତ ବୋଲି ଗ୍ରହଣ କରୁ । ଆମ ନୂତନ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷାର୍ଥୀ ସମସ୍ତେ ନିର୍ଭୀକ ହୁଅନ୍ତୁ । ସମସ୍ତେ ସବୁ ପିଲାଙ୍କର ଜନ୍ମଗତ ଅଧିକାର ବିଷୟରେ ସଚେତ ହୁଅନ୍ତୁ । ଏ ଦେଶରୁ, ଏ ଦେଶ ମଣିଷର ମନରୁ ଭୟ ଭାଙ୍ଗିବାର କାମକୁ ଆପଣାର ବ୍ରତ କରି ଧରନ୍ତୁ । ଆପଣାର ସାଧୁ ଓ ସୁନ୍ଦର ଜୀବନଦ୍ୱାରା ସେମାନେ ସମାଜକୁ ଅଧିକ ସାଧୁ ଓ ସୁନ୍ଦର ହେବା ଲାଗି ସାହାଯ୍ୟ କରନ୍ତୁ । ଏ ଦେଶର ନିଦ ଭାଙ୍ଗୁ । ଏ ଦେଶ ମଣିଷର ଲଜ୍ଜା ଯାଉ ।

 

୧୫ । ୧୦ । ୫୫

 

କାଲି ଆମେ ଗୋଟାଏ ଅଦ୍ଭୁତ ପ୍ରାର୍ଥନାର ନମୁନା ଦେଖିଆସିଲେ । ଢଂଢଂ କରି ସ୍କୁଲ ଘଣ୍ଟା ବାଜିଲା । ସେତେବେଳକୁ ସାଢ଼େ ଦଶଟା ବାଜିଲାଣି । ଖରା ଟାଣ ହୋଇଗଲାଣି । ଛୋଟ ଛୋଟ ପିଲାମାନେ ସେଇ ଖରାରେ ସୂର୍ଯ୍ୟଙ୍କ ଆଡ଼କୁ ମୁହଁ କରି ଧାଡ଼ି ହୋଇ ଠିଆ ହୋଇଗଲେ । ସମସ୍ତଙ୍କର ହାତ ଯୋଡ଼ି ହୋଇଗଲା । ସେଇଠୁ ଆଦେଶମାତ୍ରେ ‘ରଘୁପତି ରାଜାରାମ’ ପ୍ରାର୍ଥନା ଆରମ୍ଭ ହେଲା । ପ୍ରାୟ ପାଞ୍ଚ ମିନିଟ କାଳ ଏହିପରି ପ୍ରାର୍ଥନାର ଦଣ୍ଡ ପିଲାମାନେ ଭୋଗିଲେ । ପ୍ରାର୍ଥନାର ଛନ୍ଦ, ସୁର ଓ ଶାନ୍ତତା ନ କହିବାହିଁ ଭଲ । ଗୁଡ଼ାଏ ପିଲା ଏକାଠି ହୋହୋ ହେଲେ ଯାହା ହୁଏ, ତାହାହିଁ ହେଲା । ପ୍ରାର୍ଥନାର ଧାଡ଼ିରେ ଶିକ୍ଷକ ନଥିଲେ । ବୋଧହୁଏ ସେତେବେଳକୁ ସେ ସ୍କୁଲ ବେଳ ହୋଇଯିବ ବୋଲି ଝଟପଟ ଗଣ୍ଡାଏ ଖାଇ ନେଉଥିଲେ । ସେହି ସ୍କୁଲର ଗୋଟାଏ ବଖରାରେ ଗାଁର ଶହେ ପର୍ଯ୍ୟନ୍ତ ଲୋକ ରିଲିଫ୍ ଚାଉଳ ନେଉଥିଲେ । ନାନାପ୍ରକାର କରୁଣ କର୍କଶ ତୁଣ୍ଡରେ ଚାରିଆଡ଼ ବଡ଼ ଅଶାନ୍ତ ବିରକ୍ତ ହୋଇ ରହିଥିଲା । ସମସ୍ତଙ୍କର ମନ ଆଉ ଯେଉଁଠି ଥାଉ ପଛକେ, ପ୍ରାର୍ଥନା ପାଖରେ ନଥିଲା । ବିଚରା ପିଲାଏ କେବଳ ପ୍ରାର୍ଥନାର ଡ୍ରିଲ୍ ଭିତରେ ଠିଆହୋଇ ଶାସ୍ତି ଭୋଗ କରୁଥିଲେ ।

 

ଏହି ପିଲାଙ୍କର କଥା ଭାବୁ ଭାବୁ କାଲି ମୋର ଆମ ନିଜ କଥା ମନେ ପଡ଼ିଲା । ଅନୁଗୁଳ ଛାଡ଼ିଆସିବା ଆମର ପ୍ରାୟ ବାଇଶ ଦିନ ହୋଇଗଲାଣି । ଆଜିଯାଏଁ ନାନା କାମର ଦାୟିତ୍ୱରେ ଆମେ ନାନା ଆଡ଼େ ବୁଲୁଛୁ । ବସିବାକୁ, ଶୋଇବାକୁ ସବୁଦିନେ ଯଥେଷ୍ଟ ଜାଗା ମିଳୁ ନାହିଁ । ଏରସମାରେ ପହଞ୍ଚିବା ଦିନଠାରୁ ଆମର ପ୍ରାର୍ଥନା ବନ୍ଦ ରହିଛି । ସକାଳ ସଞ୍ଜରେ ଏକାଠି ବସି ଆମେ ଆଉ ପ୍ରାର୍ଥନା କରିପାରୁ ନାହୁଁ । ଖାଇବା ପୂର୍ବରୁ ଆଗପରି ମନ୍ତ୍ର ଚାରିଧାଡ଼ି ପଢ଼ିପାରୁ ନାହୁଁ । ପ୍ରାର୍ଥନାକୁ ଯିଏ ପ୍ରଧାନତଃ ଗୋଟାଏ ରୁଟିନ୍ ବୋଲି ମନେକରେ, ସେ ନିଶ୍ଚୟ ଆମର ଏଇ ବ୍ୟତିକ୍ରମକୁ ଏକ ବଡ଼ ଦୋଷ ବୋଲି କହିବ । ସୈନ୍ୟବିଭାଗରେ ଦିନରେ ପନ୍ଦର ଷୋଳ ଘଣ୍ଟା ଏହିପରି ରୁଟିନ୍‍ରେ ଭର୍ତ୍ତି ହୋଇଥାଏ । ଯୁଦ୍ଧ ନଥିଲେ ମଧ୍ୟ ନାନାପ୍ରକାର ବ୍ୟୂହରଚନାର ଆଡ଼ମ୍ବର ସେମାନଙ୍କୁ ରୁଟିନ୍ ମାନି ସବୁଦିନ କରିବାକୁ ପଡ଼େ । ଆଦେଶ ଅମାନ୍ୟ କଲେ ଦଣ୍ଡ ଭୋଗିବାକୁ ପଡ଼େ । ଅତିରିକ୍ତ ଅମାନ୍ୟତା ଦେଖାଇଲେ ଚାକିରିରୁ ବରଖାସ୍ତ କରି ଦିଆଯାଏ । ଏହି କ୍ଷତିର ଡରରେ ସବୁ ରୁଟିନ୍‍କୁ ଭଲ ପିଲା ପରି ମାନିବାକୁ ପଡ଼େ ।

 

ଆମେ ଯଦି କାହାର ଆଦେଶରେ ପ୍ରାର୍ଥନାରେ ବସୁଥିବା, କାହାରି ଡରରେ ପ୍ରାର୍ଥନାର ରୁଟିନ୍ ମାନିବାକୁ ବାଧ୍ୟ ହେଉଥିବା, ତେବେ ଆମେ ଆପଣା ପାଖରେ ତଥା ଭଗବାନ୍‍ଙ୍କ ପାଖରେ ବଡ଼ ଅପରାଧ କରୁଛେ ବୋଲି ମୁଁ କହିବି । ଆପଣା ଅନ୍ତରର ପରାମର୍ଶ ଓ ବିଚାରର ସମର୍ଥନ ନେଇହିଁ ଆମେ ପ୍ରାର୍ଥନା କରିବା । ଆମର ଜପ, ଆମର ଭଜନ ଗାନ, ଆମର ମନ୍ତ୍ରୋଚ୍ଚାରଣ ସବୁ କେବଳ ଏକ ସାଧନ ମାତ୍ର । ଆପଣା ଚିତ୍ତକୁ ସ୍ଥିର କରି ଆପଣା ହୃଦୟ ଭିତରେ ଆତ୍ମାର ବା ଭଗବାନ୍‍ଙ୍କର ଉପସ୍ଥିତି ଅନୁଭବ କରିବା ହେଉଛି ଯାବତୀୟ ପ୍ରାର୍ଥନାର ଉଦ୍ଦେଶ୍ୟ । ଏହି ଅନୁଭୂତି ଅତି ସହଜ ଓ ଅତି ସ୍ୱାଭାବିକ ହେବା ଚାହିଁ । ଏଥିଲାଗି କୌଣସି ପ୍ରକାର ଚାପ ରହିବା ଉଚିତ ନୁହେଁ । ଆମର ପ୍ରାର୍ଥନା ଆମକୁ ଏହି ଅନୁଭୂତି ଦିଗକୁ ଉତ୍ତୋଳିତ କରିନେଉ । ଆମେ ଯୋଉଠି ଯୋଉ କାମ କରୁଥାଏ ପଛକେ, ଆମର ଅନୁଭୂତି ଭଗବନ୍ମୂଳ ହୋଇ ରହିଥାଉ । ଆମରି ଜୀବନର ନିର୍ମଳ ଧ୍ୟାନଦ୍ୱାରା ଆମରି ଜୀବନ ଭିତରେ କର୍ମ, ଜ୍ଞାନ ଓ ଭକ୍ତିର ସ୍ୱାଭାବିକ ଯୋଗ ସମ୍ଭବ ହେଉ । ବର୍ତ୍ତମାନ ଆମେ ସକାଳୁ ସଞ୍ଜଯାଏଁ ଗାଁ ଗାଁ ବୁଲି ଦୁଃସ୍ଥ ଲୋକଙ୍କ ଲାଗି କାମ କରି ବୁଲୁଛେ । କୋଉଠି ଦିନେ ଦିନେ ଡଙ୍ଗା ଉପରେ କଟିଯାଉଛି । କୋଉଦିନ କାଗଜପତ୍ରର ହିସାବ ପୂରଣ କରିବାରେ ସମୟ ଚାଲିଯାଉଛି । ଏହି ବ୍ୟସ୍ତତା ଭିତରେ ଆନୁଷ୍ଠାନିକ କୌଣସି ପ୍ରାର୍ଥନାର ଆୟୋଜନ କରିବା ଆମ ପକ୍ଷରେ ସମ୍ଭବ ହୋଇ ନ ପାରେ । ତଥାପି ଅନ୍ତର ଭିତରେ ଯେପରି ଆମେ ଆପଣାକୁ ପ୍ରାର୍ଥନାରତ କରି ରଖିଥାଉ, ପଳେ ପଳେ ପ୍ରତ୍ୟେକ କାର୍ଯ୍ୟ ଭିତରେ ଆମେ ଆମର ସତ୍ୟରୂପକୁ ଯେପରି ଅନୁଭବ କରିପାରୁ, ତାହାହେଲେ ଆମର ଆଉ କୌଣସି ଶୋଚନା ରହିବ ନାହିଁ । ଆମେ ଯୋଉଠିକି ଯାଉଥିବା, ଯେତେ ବଡ଼ ବ୍ୟସ୍ତତାର ଅନ୍ଧାର ବ୍ୟୂହ ଭିତରେ ପ୍ରବେଶ କରୁଥିବା, ଆମର ଖିଅ କଦାପି ପ୍ରାର୍ଥନାପୀଠରୁ ଛିନ୍ନ ହୋଇଯିବ ନାହିଁ; କଦାପି ଆମେ ଏକାକୀ ହୋଇ ପଡ଼ିବାର ତ୍ରାସ ଅନୁଭବ କରିବା ନାହିଁ । ଆମର ଦୃଷ୍ଟି ଓ ଆମର ଅନୁଭୂତି ସର୍ବଦା ନିର୍ମଳ ଓ ସଂଯୁକ୍ତ ହୋଇ ରହିଥିବ ।

 

୧୬ । ୧୦ । ୫୫

 

ଏ ଦେଶରେ ସବୁରି ଉପରେ ସବୁରି ହାକିମି ଚାଲିଛି । ଉପର ହାକିମ ତଳ ହାକିମଙ୍କ ଉପରେ ହାକିମି କରୁଛନ୍ତି । ତଳ ହାକିମ କିରାଣିଙ୍କ ଉପରେ ହାକିମି କରୁଛନ୍ତି । ମୁନ୍‌ସିବାବୁ ଦଫାଦାର ଉପରେ ଓ ଦଫାଦାର ଚଉକିଦାର ଉପରେ ହାକିମି କରୁଛନ୍ତି । ପୁଣି ଚଉକିଦାର ଗାଁବାଲାଙ୍କ ଉପରେ ହାକିମି ଦେଖାଉଛି । ଏଇ ହାକିମିର ସୁଆଙ୍ଗ ଭିତରେ ସମସ୍ତେ ଆପଣା ଆଳସ୍ୟର ଦାସ ହୋଇ ରହିଛନ୍ତି । ତଳବାଲାଙ୍କ ପାଖରେ ସବୁ ଉପରବାଲା ବାବୁ ହୋଇ ଯାଉଛନ୍ତି । ଦଫାଦାର ଗାଁ ବିଟରେ ଗଲେ ସିଏ ମଧ୍ୟ ଗାଁବାଲାଙ୍କ ଆଗରେ ଗୋଡ଼ ଲମ୍ବାଇ ବାବୁ ହୋଇ ବସୁଛି । ଆପଣା ଆଳସ୍ୟକୁ ସବୁ ପ୍ରକାରେ ପ୍ରଶ୍ରୟ ଦେବାଟାକୁ ଆମ ଦେଶରେ ସଭ୍ୟତାର ସନ୍ତକ ବୋଲି ଧରି ନିଆଗଲାଣି । ମୁଁ ଅପରଦ୍ୱାରା, ଚାକରଦ୍ୱାରା କାମ କରାଇବି–ପ୍ୟାଣ୍ଟ, କୁରୁତା, ଜୋତା, ମୋଜା ପିନ୍ଧି ମୁଁ ଚଉକି ଉପରେ ବସିଥିବି, ଖୁସି ଗପ ଓ ବାଜେ ଗପ କରୁଥିବି, ଅନ୍ୟ ଲୋକେ ମୋ ଲାଗି ରାନ୍ଧିବାଢ଼ି ଦେବେ, ମୋ ଲାଗି ପାଣି କାଢ଼ିଆଣି ଦେବେ, ମୋ ଲାଗି ବିଛଣା ବିଛାଇ ଦେବେ, ତାହାହେଲେ ଯାଇ ମୋତେ ସମସ୍ତେ ବାବୁ ବୋଲି କହିବେ । ଆଳସ୍ୟଟା ଅତିମାତ୍ରାରେ ଦେହଗତ ହୋଇଗଲେ ମଣିଷର ଯେଉଁ ଦଶା ହେବାର କଥା, ଆମର ତାହାହିଁ ହେଉଛି ।

 

ଆମ ଦେଶର ଛୋଟଠାରୁ ବଡ଼ ସବୁ ସେବକ ଯଦି ଆପଣା କାମ ଆପେ କରି ଜାଣିଥାନ୍ତେ, ତେବେ ଏ ଦେଶର ସେବା କରିବା ଲାଗି ସେମାନେ ଅଧିକ ଯୋଗ୍ୟ ହୋଇପାରିଥାନ୍ତେ । ସେମାନେ ଆପଣା ଲାଗି ପାଣି କାଢ଼ି ପାରୁଥାନ୍ତେ, ଆପଣା ଲୁଗା ଆପେ ଚିପୁଡ଼ି ପାରୁଥାନ୍ତେ, ଆପଣା ଚୁଲି ଆପେ ଲଗାଇ ପାରୁଥାନ୍ତେ, ଆପଣା ସଉଦା ଆପେ କରିପାରୁଥାନ୍ତେ । ତା’ ହୋଇଥିଲେ ଆଜି ହାକିମ ଆଉ ମଣିଷ ଭିତରେ ଯୋଉ ସାମାଜିକ ଓ ମାନସିକ ବ୍ୟବଧାନ ରହିଛି, ତା’ ରହି ନ ଥାନ୍ତା; ଏ ଦେଶର ମଣିଷ ଏତେ ଭୟାଳୁ ହୋଇ ନ ଥାନ୍ତେ ବା ବାର ପ୍ରକାର ନେହୁରା ଖୋସାମତ୍ କରିବାର ନିକୃଷ୍ଟ ଆଚରଣ ଦେଖାଉ ନ ଥାନ୍ତେ । ସେଦିନ ଏରସମାକୁ ବଡ଼ ହାକିମ କଟକରୁ ଆସିଲେ । କଟକରେ ତାଙ୍କର କୋଠାଘର ଅଛି, ପାଇଖାନା ଅଛି, ଗାଧୋଇବା କୁଣ୍ଡ ରହିଛି । ତେଣୁ ଏଠି ଏ କାଙ୍ଗାଳ ରାଜ୍ୟର ସେବା କରିବାକୁ ଆସିଲେ ମଧ୍ୟ ତାଙ୍କ ଲାଗି ରହିବାର, ପାଇଖାନା ଯିବାର ଗାଧୋଇବାର ବ୍ୟବସ୍ଥା କରିବା ଲାଗି କୋଡ଼ିଏ ତିରିଶ ଜଣଙ୍କର ମୁଣ୍ଡ ବଥେଇବାକୁ ପଡ଼ିବ, କୋଡ଼ିଏ ତିରିଶଙ୍କୁ କୁଲିଗିରି କରିବାକୁ ପଡ଼ିବ । ସତେଅବା ଆମ ହାକିମ ଆମ ଦେଶର ନୁହନ୍ତି ! ଆମ ସେବକ ନୁହନ୍ତି ! ତେଣୁ ସେ ଯୋଉଠିକି ଅନୁଗ୍ରହ କରି ଯିବେ, ସେଠି ତାଙ୍କ ଲାଗି ନକଲି ଇନ୍ଦ୍ରଭୁବନ ତିଆରି ହେବ । ସେଠି ସେ ଉଚ୍ଚ ଆସନରେ ବସି ଲକ୍ଷ ମଣିଷର ମୁଣ୍ଡିଆ ପାଇବେ । ମଣିଷଙ୍କର ଗୁହାରି ଶୁଣି କଲମ ମାରି ଦେଇ ଯିବେ । ହାକିମଙ୍କଠାରେ ଯଦି ହାକିମି ଦେଖାଇବା ଅପେକ୍ଷା ମଣିଷ ପରି ବ୍ୟବହାର କରିବାର ପ୍ରବୃତ୍ତି ଅଧିକ ଥା’ନ୍ତା, ତେବେ ସେ ଏସବୁ ଅତିରିକ୍ତ ବ୍ୟବସ୍ଥାରେ ଆପେ ଲଜ୍ଜିତ ହୋଇପଡ଼ନ୍ତେ । କିନ୍ତୁ ଯୋଉଠି ମଣିଷର ନମ୍ର ଓ ଭଦ୍ର ବ୍ୟବହାର ଅପେକ୍ଷା ଚଉକି ଟେବୁଲ, ଜୋତା ମୋଜା ଓ ଇଂରାଜୀ ଭାଷାରେ କଥାବାର୍ତ୍ତା କରିବାକୁ ଅଧିକ ଖାତିର ମିଳେ, ସେଠି ହାକିମକୁ ଲାଜ ମାଡ଼ିବ କାହିଁକି ? ନାନା କୃତ୍ରିମ ଉପଚାରରେ ନାନାପ୍ରକାର ହାଉଦା ପକାଇଥିବା ବୋଲକରାମାନଙ୍କଠାରୁ ଅସମ୍ମାନିତ ପୂଜା ପାଇବାରେ ସେ ମଧ୍ୟ ବେଶ୍ ଗୌରବ ପାଉଥିବେ ।

 

ସୈନ୍ୟବାହିନୀର ଯିଏ ସେନାପତି ହୁଏ, ତାକୁ ସାଧାରଣ ସୈନ୍ୟ ହିସାବରେ ଜୀବନ ଆରମ୍ଭ କରିବାକୁ ପଡ଼େ । ଯୋଉଠି ସେନାପତି ଖରାବର୍ଷାରେ ଦଉଡ଼ି ଜାଣି ନ ଥିବ, ବନ୍ଧୁକ ମାରି ଜାଣି ନ ଥିବ, ଉପାସ ରହି ଜାଣି ନ ଥିବ, ସେଠି ସୈନ୍ୟବାହିନୀର କି ସ୍ଥିତି ହେବ, ସେ କଥା ସମସ୍ତେ ଅନୁମାନ କରିପାରିବେ । ଆମ ଦେଶର ହାକିମ କେବଳ ହାକିମି କରି ଜାଣନ୍ତି, ଉଚ୍ଚ ପାଠ ଓ ମୋଟା ଚାକିରିର ତ୍ରାସରେ ସମସ୍ତଙ୍କୁ ତ୍ରସ୍ତ କରି ଆପେ ଅଳସୁଆ ହୋଇ ଜାଣନ୍ତି । ସେ ନିଜେ ପାଣିଢ଼ାଳେ କାଢ଼ି ପାରନ୍ତି ନାହିଁ କି କାଠ ଖଣ୍ଡେ ଚିରି ଜାଣନ୍ତି ନାହିଁ ତଥାପି ଚାକରକୁ ପାଣି କାଢ଼ି ବା କାଠ ଚିରି ଆସିଲା ନାହିଁ ବୋଲି ଗାଳିଦେଇ ଜାଣନ୍ତି । ସେ ରୋଷେଇ ଜାଣନ୍ତି ନାହିଁ, ତଥାପି ଜିଭକୁ ସୁଆଦ ନ ଲାଗିଲେ ରୋଷେଇଆକୁ ନିକାଲି ଦେଇ ଜାଣନ୍ତି । ସେ କେବେ ଚାଷ କରନ୍ତି ନାହିଁ ଅଥଚ ଚାଷୀମାନଙ୍କର ଭାଗ୍ୟଧର ହୋଇ କଟକ ଅଫିସ୍‌ରେ ବସନ୍ତି । ଆଉ ଏହିପରି ହାକିମମାନଙ୍କୁ ନେଇ ଗଣତନ୍ତ୍ରର ଭୂତକୁ ଆମ ଦେଶରେ ବେଶ୍ ପୂଜା ଓ ପ୍ରଶଂସା କରାହୁଏ । ଲୋକଙ୍କୁ ଭୟ ଦେଖାଇ, ଲୋକଙ୍କଠାରୁ ମନ ଭିତରେ ଯୋଜନେ ବ୍ୟବଧାନରେ ରହି ଲୋକଙ୍କର କଲ୍ୟାଣ କରାଯାଉଛି ବୋଲି ବେଶ୍ ଏ ଦେଶରେ ନାଗରା ପିଟାଯାଏଁ ।

 

୧୭ । ୧୦ । ୫୫

 

ଏରସମା ଥାନାର କାଙ୍ଗାଳ ଲୋକଙ୍କୁ ବଞ୍ଚାଇ ରଖିବାକୁ ଯେଉଁ ସରକାରୀ ଅଫିସରମାନେ ଏଠାକୁ ଆସୁଛନ୍ତି, ଆମେ ଦେଖୁଛୁ, ପଦେ ପଦେ ତାଙ୍କ ମୁହଁରୁ ଇଂରାଜୀ ଭାଷା ବାହାରିପଡ଼ୁଛି । ଯେଉଁମାନେ ଇଂରାଜୀ ଓଡ଼ିଆ ଉଭୟ ଭାଷା ଜାଣନ୍ତି, ସେମାନଙ୍କ ସହିତ ସେମାନେ କେବଳ ଇଂରାଜୀ ଭାଷା ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି । ଯେଉଁମାନେ ପୁଣି ମୋଟେ ଇଂରାଜୀ ଭାଷା ଜାଣିନାହାନ୍ତି, ଜ୍ଞାତସାରରେ ହେଉ ବା ଅଜ୍ଞାତସାରରେ ହେଉ, ସେମାନଙ୍କ ସହିତ କଥାବାର୍ତ୍ତା କରିବାବେଳେ ମଧ୍ୟ ହାକିମଙ୍କ ମୁହଁରୁ ନିପଟ ଇଂରାଜୀ କଥାଗୁଡ଼ାକ ବାହାରିପଡ଼ୁଛି । ଏପରି ବ୍ୟବହାର କୋଉ ସଭ୍ୟତା ବା ସଂସ୍କୃତିର ପରିଚୟ, ସେ କଥା ଦେଶର ପଣ୍ଡିତମାନେ ନିର୍ଣ୍ଣୟ କରିବେ । ମୁଁ କେବଳ ସାଧାରଣ ବ୍ୟାବହାରିକ ଭଦ୍ରତା କଥା ଭାବୁଛି । ଜଣେ ଲୋକ ଓଡ଼ିଆ ଭାଷା ଜାଣେ ନାହିଁ, ମୁଁ ତା’ ସହିତ ଯଦି ଜିଦ୍ କରି ଓଡ଼ିଆ ଭାଷାରେ କଥାବାର୍ତ୍ତା କରେ, ତେବେ ତାହା ଅତି ଅଭଦ୍ରତା ହେବ । ଏକଥା ସମସ୍ତେ ସ୍ୱୀକାର କରିବେ । କିନ୍ତୁ ଆମ ଦେଶର ମନ ଅନେକ ବର୍ଷ ଧରି କି ବିଷାକ୍ତ ହୋଇଯାଇଛି କେଜାଣି, ଇଂରାଜୀ ଭାଷା ବେଳକୁ ଆମେ ଠିକ୍ ଓଲଟା କରି ଭାବୁ । ପାଞ୍ଚଜଣ ଇଂରାଜୀ ଜାଣି ନ ଥିବା ଓଡ଼ିଆଙ୍କ ସାମନାରେ ଯଦି ମୁଁ ପଦେ ଦିପଦ ଠୋ’ ଠୋ’ ଇଂରାଜୀ କହି ପକାଇବି, ତେବେ ମୋତେ ସମସ୍ତେ ଶିକ୍ଷିତ ବୋଲି କହିବେ, ବାବୁ ବୋଲି ଭୟ କରିବେ, ସଭ୍ୟ ବୋଲି ଖାତିର କରିବେ । ଏହିପରି ଗୋଟାଏ ମିଥ୍ୟା ଆମର ବୁଦ୍ଧିକୁ କାମୁଡ଼ି ଧରିଛି । ଆଉ ଅନେକ ବର୍ଷ ହେଲା କାମୁଡ଼ିଧରିବା ଫଳରେ ଏହା ଆମର ଗୋଟାଏ ସଂସ୍କାର ହୋଇଯାଇଛି । କୌଣସି ସଭ୍ୟ ଦେଶରେ ଏହା ହୁଏ ନାହିଁ । କୌଣସି ଭଦ୍ର ସମାଜରେ ଆଜି ଏକଥା ଚଳୁ ନାହିଁ । ଆଗେ ଇଉରୋପରେ ଏହିପରି ହେଉଥିବାର ହାସ୍ୟାସ୍ପଦ ଉଦାହରଣମାନ ମିଳେ । କେତେ ଶହ ବର୍ଷ ତଳେ ଫରାସୀ ଭାଷାକୁ ଏମିତି ଗୋଟାଏ ରୂଢ଼ିଗତ ସମ୍ମାନ ଦିଆଯାଉଥିଲା । ଫରାସୀ ଭାଷା ନ ଶିଖିଲେ ମଣିଷ ଭଦ୍ର ସମାଜରେ ବସିପାରୁ ନଥିଲା । ସମ୍ଭ୍ରାନ୍ତ ଘରର ପୁଅଝିଅଙ୍କ ସହିତ କଥା କହିପାରୁ ନଥିଲା । ଯୁବକ ଗାନ୍ଧୀ ବିଲାତରେ ସଭ୍ୟ ହେବାର ଲାଳସାରେ ପଡ଼ି କେମିତି କେତେ ଦିନ ଫରାସୀ ଭାଷା ଶିଖିବା ଆରମ୍ଭ କରିଥିଲେ, ସେ କଥା ଆମେ ସମସ୍ତେ ଜାଣିଛେ । ପ୍ରାଚୀନ ଓ ମଧ୍ୟ ଯୁଗର ଇଉରୋପରେ ଲାଟିନ୍ ଭାଷାକୁ ମଧ୍ୟ ଏହି ଖାତିର ଦିଆଯାଉଥିଲା । କାବ୍ୟ-କବିତାଠାରୁ ଆରମ୍ଭ କରି ବିଜ୍ଞାନ ଓ ଦର୍ଶନ ପର୍ଯ୍ୟନ୍ତ ଯିଏ ଯାହା ଲେଖୁଥିଲା, ତାକୁ ସେ ଲାଟିନ୍ ଭାଷାରେ ନ ଲେଖିଲେ ତାହା ପଣ୍ଡିତ ସମାଜର ନଜରକୁ ଆସିପାରୁ ନଥିଲା । ଧର୍ମ ଓ ଧର୍ମ ମନ୍ଦିରର ସବୁ ଅନୁଷ୍ଠାନ ଲାଟିନ୍ ଭାଷାରେ ହେଉଥିଲା । ପାଦ୍ରି ଲାଟିନ୍ ବୁଝୁ ନ ଥିବା ଲୋକଙ୍କୁ ଧର୍ମ ଉପଦେଶ ଦେଉଥିଲେ । ବର୍ତ୍ତମାନ ମଧ୍ୟ ଦକ୍ଷିଣ ଇଉରୋପର ଅନେକ ଜାଗାରେ ଗିର୍ଜାରେ ଏହି ଲାଟିନ୍ ଭାଷାରେ ପୂଜାକର୍ମ ହୁଏ । ବେଶ୍ କେତେ ଶତାବ୍ଦୀ ଧରି ଲାଟିନ୍ ଇଉରୋପର ଦେବଭାଷା ଥିଲା, ଠିକ୍ ଆମ ଦେଶର ସଂସ୍କୃତ ଭାଷା ପରି ।

 

Unknown

ଆମ ଦେଶର ବ୍ରାହ୍ମଣମାନେ ଜ୍ଞାନ ଓ କ୍ଷମତାର ମୋହରେ ପଡ଼ି ବର୍ଷ ବର୍ଷ ଧରି ସଂସ୍କୃତ ଭାଷାର ସିନ୍ଦୁକ ଭିତରେ ଏ ଦେଶର ଜ୍ଞାନ-ସାଗରକୁ ବନ୍ଦ କରି ରଖିଥିଲେ । ସଂସ୍କୃତ ଭାଷାର କୂଅ ଭିତରେ ଏ ଦେଶର ବିଚାର-ସ୍ରୋତକୁ ଅଟକାଇ ଦେଇଥିଲେ । ଜ୍ଞାନକୁ କୁଳବଧୂ କରି ଲୁଚାଇ ରଖିବାର ପାଷଣ୍ଡତା ଯେତେବେଳେ ଯେଉଁ ସଂସ୍କୃତିରେ ଦେଖାଦେଇଛି, ସେଠି ଭାଷାର ମର୍ଯ୍ୟାଦା ନଷ୍ଟ ହୋଇଯାଇଛି । ସଂସ୍କୃତକୁ ଅନ୍ତପୁରର ଜ୍ଞାନବିଳାସର ବାହାନ କରି ରଖି ଆମ ଦେଶର ଜ୍ଞାନ ଓ ଶକ୍ତି କେତେଦୂର କ୍ଷୁଣ୍ଣ ହୋଇଛି, ସେକଥା ଯେ କେହି ଅଳ୍ପ ବହୁତ ଜାଣେ । ଆଜି ସଂସ୍କୃତ ଭାଷା ମରିଗଲାଣି, ଇଂରାଜୀ ଭାଷା ତା’ର ସ୍ଥାନ ଅଧିକାର କରିଛି । ଆଗେ ସଂସ୍କୃତ ଭାଷା ଜରିଆରେ ଯେମିତି ଦଳେ ଲୋକଙ୍କୁ ଉଗ୍ର ଓ ଆଉ ଦଳେ ଲୋକଙ୍କୁ ଅନ୍ଧ କରି ରଖାଯାଉଥିଲା, ବର୍ତ୍ତମାନ ଇଂରାଜୀ ଭାଷା ଜରିଆରେ ଠିକ୍ ସେମିତି ହେଉଛି । କଚେରିର କର୍ମଚାରୀ, ଚଉକି ଟେବୁଲର ହାକିମ ଆଉ ସ୍କୁଲ କଲେଜର ଶିକ୍ଷିତମାନେ ଇଂରାଜୀ ଭାଷାକୁ ବାହନ କରି ସାରା ଦେଶର ସଂସ୍କୃତିକୁ କୁଳବଧୂ କରି ରଖିବାର ଚେଷ୍ଟା ଏପର୍ଯ୍ୟନ୍ତ ଚଳାଇଛନ୍ତି । ଇଂରେଜ ଶାସନ ଏ ଦେଶରୁ ଆଠବର୍ଷ ହେଲା ଗଲାଣି, କିନ୍ତୁ ଆମର ଦାସତ୍ୱ ଆମକୁ ଛାଡ଼ି ଯାଇ ନାହିଁ । ସଫା ଲୁଗା, ପ୍ୟାଣ୍ଟ କୋଟ୍, ଚାକର–ଚପରାସୀର ନାନା ଆଭରଣ ଭିତରେ ଆମେ ନିଜକୁ ଯେତେ ବାବୁ ବୋଲି ଦେଖାଇ ହେବାର ଆଡ଼ମ୍ବର କରୁଥିଲେ ମଧ୍ୟ ଆମ ଭିତରେ ସଭ୍ୟ–ସଂସ୍କୃତ ମଣିଷର ନିର୍ଭୀକତା ଏପର୍ଯ୍ୟନ୍ତ ଆସିନାହିଁ । ଯିଏ ଆଜି ଆମର ଅଭ୍ୟାସଗତ ଓ ସଂସ୍କାରଗତ ପାଠ ପଢ଼ୁଛି, ତା’ର ମଧ୍ୟ ନିର୍ଭୀକତା ଚାଲିଯାଉଛି । ସଂସ୍କୃତି ଦୃଷ୍ଟିରୁ ଦେଖିଲେ ସେ ମଧ୍ୟ କେବଳ ମେରୁଦଣ୍ଡହୀନ, ଶ୍ରଦ୍ଧାହୀନ ଓ ଶକ୍ତିହୀନ ହୋଇ ପଡ଼ିରହୁଛି । ଆଉ ଇଂରାଜୀ ଭାଷାର ଖୋଳପା ଏହି ମେରୁଦଣ୍ଡହୀନତାକୁ ବେଶ୍ ଆଶ୍ରୟ ଦେଇ ମନ ବୁଝାଇ ରଖିଛି ।

 

୧୮ । ୧୦ । ୫୫

 

ଇଂରାଜୀ ଭାଷା ପୃଥିବୀର ବଡ଼ ଭାଷାମାନଙ୍କରୁ ଗୋଟିଏ । ଏହାର ଏକ ବଳିଷ୍ଠ ଇତିହାସ ଅଛି, ବଳିଷ୍ଠ ସାହିତ୍ୟ ମଧ୍ୟ ଅଛି । ଏହି ଭାଷାକୁ ବାହନ କରି ଶତାବ୍ଦୀ ଶତାବ୍ଦୀ ଧରି ଗୋଟିଏ ସଂସ୍କୃତି ବିକଶିତ ହୋଇଆସିଛି । ଏହି ବିଷୟରେ ଯିଏ ଟିକିଏ ଜାଣିଥିବ, ଇଂରାଜୀ ଭାଷାକୁ ନିଶ୍ଚୟ ଶ୍ରଦ୍ଧାକରି ଶିଖିବ । ଇଂରାଜୀ ଭାଷା ଜାଣି ଇଂରାଜୀ ସାହିତ୍ୟର ଅମୂଲ୍ୟ ସମ୍ପଦମାନ ସେ ନିଶ୍ଚୟ ଆବିଷ୍କାର କରିଯିବ । କିନ୍ତୁ ଆମ ଦେଶରେ ଯେଉଁ ବାବୁମାନେ କ୍ଷେତ୍ରରେ ଅକ୍ଷେତ୍ରରେ ଇଂରାଜୀ ଭାଷା କହିବାର ଅମାର୍ଜିତ ରୁଚି ଦେଖାନ୍ତି, ଇଂରାଜୀ ଭାଷା ବା ସାହିତ୍ୟ ପ୍ରତି ଯୋଗ୍ୟ ଶ୍ରଦ୍ଧା ରଖି ସେମାନେ ଏପରି କରନ୍ତି ବୋଲି ମୁଁ କଦାପି କହିବି ନାହିଁ । ଆମର ମନ ଭିତରେ ଆପଣାକୁ ଛୋଟ ବୋଲି ଗଣିବାର ଯେଉଁ ପ୍ରବୃତ୍ତି ଆମର ଏକପ୍ରକାର ସଂସ୍କୃତିଗତ ହୋଇଯାଇଛି, ସେହି ପ୍ରବୃତ୍ତିକୁ ଘୋଡ଼ାଇ ରଖିବାପାଇଁ ଆମେ ଦର-ଇଂରାଜୀ ଓଡ଼ିଆ ଭାଷା କହି ଆମ ଦେଶର ମଣିଷଙ୍କ ଉପରେ ବଳିଆରପଣ ଦେଖାଇ ହେଉ । କୌଣସି ଦୁଇ ଜଣ ଇଂରେଜଙ୍କୁ କେବେ କେହି ଇଂରେଜୀ ଛଡ଼ା ଅନ୍ୟ ଭାଷାରେ କଥା କହୁଥିବାର ଦେଖିବା ନାହିଁ । କୌଣସି ଦୁଇଜଣ ଜର୍ମାନୀଙ୍କୁ ଜର୍ମାନ ଛଡ଼ା ଅନ୍ୟ ଭାଷାରେ ଚିଠି ଲେଖୁଥିବାର ଦୃଷ୍ଟାନ୍ତ ଦେଖିବାକୁ ମିଳିବ ନାହିଁ । ଆମେ ଦୁଇଜଣ ଓଡ଼ିଆ, ତେଣୁ ସେହି ଓଡ଼ିଆରେହିଁ ଆମେ କଥାବାର୍ତ୍ତା ହେବା, ଚିଠି ଲେଖିବା । ଯେ କୌଣସି ଜାତି ଲାଗି ଏହାକୁ ସ୍ୱାଭାବିକ ଭଦ୍ରତା ବୋଲି ଧରିବାକୁ ହେବ । କିନ୍ତୁ ଆମ ଦେଶର ତଥାକଥିତ ହାକିମ ଓ ଶିକ୍ଷିତ ଅଭଦ୍ର ତା’ର ଦୁଇ ପାହାଚ ଟପି ଯାଇଛନ୍ତି । ମୋ ଆଗରେ ଠିଆ ହୋଇ ମୋ କଥା ଶୁଣୁଥିବା ମଣିଷ ଇଂରାଜୀ ନ ଜାଣିଥିଲେ ମଧ୍ୟ ମୁଁ ଇଂରାଜୀରେ କଥା କହୁଥିବି, ଆଉ ସେହିପରି କରିବାକୁ କୌଣସି ପ୍ରକାର ସଙ୍କୋଚ ଅନୁଭବ କରୁ ନ ଥିବି । ଏପରି ମଧ୍ୟ ଆମ ଦେଶରେ ହେଉଛି । ଏ ସମସ୍ୟା କେବଳ ଓଡ଼ିଆ ବା ଇଂରାଜୀ ଭାଷାର ଭାଷାଗତ ସମସ୍ୟା ନୁହେଁ, ଏହା ସାମାଜିକ ଓ ଅସାମାଜିକ ସ୍ୱଭାବର ସମସ୍ୟା । ଏହା ସମ୍ମାନିତ ଓ ଅସମ୍ମାନିତ ମନୋଦୃଷ୍ଟିର ସମସ୍ୟା । ଇଂରାଜୀ ଭାଷା ଆମ ଦେଶରେ ଦୁଇଟି ଶ୍ରେଣୀ ସୃଷ୍ଟି କରିବାରେ ବର୍ତ୍ତମାନ ମଧ୍ୟ ବେଶ୍ ସାହାଯ୍ୟ କରୁଛି । ଆମ ଦେଶର ହାକିମ ଯଦି ଆଜି ଶୁଦ୍ଧ ଓଡ଼ିଆଭାଷାରେ ସବୁ କଥା କହି ଶିଖନ୍ତେ, ଆମ ଦେଶର ଶିକ୍ଷକ ଓ ଅଧ୍ୟାପକ ଯଦି ଆପଣା ଆପଣା ଅର୍ଜିତ ଜ୍ଞାନକୁ ଓଡ଼ିଆ ଭାଷାରେ ପ୍ରକାଶ କରିପାରିବାର ନମ୍ରତା ଅର୍ଜନ କରିପାରନ୍ତେ, ତେବେ ଏ ଦେଶର ଓ ସଭ୍ୟତାର ରଙ୍ଗ ବଦଳିଯା’ନ୍ତା, ଏ ଜାତିର ସ୍ୱଭାବ ବଦଳି ଯା’ନ୍ତା । ବର୍ତ୍ତମାନ ମୁଷ୍ଟିମେୟ ବିଜ୍ଞଜନ ସହସ୍ର ସହସ୍ର ଅଜ୍ଞ ଜନଙ୍କର ନିଷ୍ପତ୍ତି କରୁଛନ୍ତି । କୋର୍ଟ କଚେରିରେ ଇଂରେଜୀପଢ଼ୁଆ ହାକିମ ଆଗରେ ଗାରଦରେ ଠିଆ ହୋଇଥିବା ମୂର୍ଖ ଓଡ଼ିଆ ଆପଣାର ନିର୍ବୁଦ୍ଧିଆପଣକୁ ନିନ୍ଦିବାରେ ଲାଗିଛି । ସେବକଠାରୁ ସେବା ପାଇବାର ଅଧିକାରୀ ଆମ ଦେଶରେ ଯୋଜନ ଯୋଜନ ଦୂରରେ ରହିଛି । ଏ ଦେଶର ମଣିଷ ନେହୁରା କରୁଛି, ଖୋସାମତ୍ କରୁଛି, ଲାଞ୍ଚ ଯାଚୁଛି; ଡରିମରି ତଥାପି ତଳେ ପଡ଼ିରହିଛି । ଏ ଦେଶର ହାକିମ ଧମକ ଦେଖାଉଛି । ଆପଣା ମହଲରେ ଇଂରାଜୀରେ କଥାବାର୍ତ୍ତା ହେଉଛି । ଇଂରାଜୀରେ ହୁକୁମନାମା ଲେଖୁଛି, ଲାଞ୍ଚ ନେଉଛି ଓ ସମାଜକୁ ଆପଣା ଅଢ଼ାରେ ଏପାଖ ସେପାଖ କରିବାରେ ଲାଗିଛି । ମଣିଷ ପ୍ରତି ଓ ଆପଣାର ସମ୍ମାନ ପ୍ରତି ଶ୍ରଦ୍ଧା ଥିଲେ କୌଣସି ହାକିମ ଏପରି କରୁ ନ ଥାନ୍ତେ । ମଣିଷକୁ ଇଂରାଜୀ କଥାର ଫୋପଡ଼ରେ ହୁରୁଡ଼ାଇଦେଇ କାଗଜପତ୍ରର ଜଟିଳ ମେସିନ ଦେଇ କୌଣସି ହାକିମ ଏ ଦେଶରେ ବସିବାକୁ ଭଲ ପାଉ ନ ଥାନ୍ତା । ଯିଏ ଗୋଟାଏ ଭାଷାକୁ ଯଥାର୍ଥରେ ଶ୍ରଦ୍ଧା କରେ, ଆଉ ଗୋଟାଏ ଭାଷାକୁ କଦାପି ସେ ଘୃଣା କରିପାରିବ ନାହିଁ । ଶ୍ରଦ୍ଧା ଯେତେ ପ୍ରଶସ୍ତ ହୋଇଥିଲେ ମଧ୍ୟ ତା’ ଭିତରେ ଘୃଣାର କୌଣସି ସ୍ଥାନ ନାହିଁ । ତେଣୁ ଇଂରାଜୀ ଭାଷାକୁ ଭଲପାଇବା ହାକିମ ଓଡ଼ିଆ ଭାଷାକୁ ଘୃଣା କରିବ କାହିଁକି ? ଇଂରାଜୀ ଶବ୍ଦର ବାଣ ମାରି ଓଡ଼ିଆ ମଣିଷଠାରୁ ଦୂରଛଡ଼ା ହୋଇ ରହିବାର ଅଭଦ୍ରତା ସେ ଦେଖାଇବ କାହିଁକି ?

 

ଆଉ ଇଂରାଜୀ ଭାଷାକୁ ଶ୍ରଦ୍ଧା କରିବାର କଥା ! ଯିଏ ଆଜି ଏ ଦେଶର କାଙ୍ଗାଳ ସଭାରେ ଇଂରାଜୀ ଭାଷାର ସୁନା ଖଇ ଚୋବାଉଛି, ତାକୁଇ ପଚରାଯାଉ ଇଂରାଜୀ ସାହିତ୍ୟ ଓ ଇଂରାଜୀ ସଭ୍ୟତା ସହିତ ସେ କେତେଦୂର ପରିଚିତ ହୋଇଛି । ଆପଣାର ପାଠ୍ୟପୁସ୍ତକ ଓ ଇଂରାଜୀ ଭାଷାର କେତେଟା ଶସ୍ତା ଡିଟେକ୍‍ଟିଭ୍ ଉପନ୍ୟାସ ଛଡ଼ା ଇଂରାଜୀ ଭାଷାର କେତେଟା ବହି ସେ ପଢ଼ିଛି ଓ ପଢ଼ିବାର ଆଗ୍ରହ ରଖିଛି ? ଏ ପରୀକ୍ଷାରେ ହୁଏତ ଆମ ଦେଶର ଶତକଡ଼ା ନବେ ହାକିମ ଫେଲ ହୋଇଯିବେ । ତଥାପି ସେହିମାନେହିଁ ଇଂରାଜୀ ଭାଷାକୁ ଆପଣା ବଡ଼ାଇକୁ ଲୁଚାଇ ରଖିବାର ଖୋଳ ପରି ବ୍ୟବହାର କରୁଛନ୍ତି । ସେହିମାନେ ଇଂରାଜୀ ଭାଷା କହି ଏ ଦେଶର ଅଜ୍ଞାନ ମହାସମୁଦ୍ରରେ ମନ ମଉଜରେ ମାଛଧରା ବୋଟ୍ ଧରି ବୁଲୁଛନ୍ତି । ଅନେକ କୁଶିକ୍ଷା ଓ ଅନେକ କୁସଂସ୍କାରର ପରିଣାମସ୍ୱରୂପ ଆମ ଦେଶରେ ଏ ଅସାମାଜିକତା ଆଜିପର୍ଯ୍ୟନ୍ତ ଭରି ରହିଛି ।

 

୨୦ । ୧୦ । ୫୫

 

ମଣିଷର ମନ ଭିତରେ ଭୟ ପଶିଲା ଦିନୁହିଁ ମଣିଷ ମିଛ ଧର୍ମର ମିଛ ଭଗବାନ୍‍ଙ୍କୁ ଭରସା କରିବାକୁ ଆରମ୍ଭ କଲା । ଅଭୟ ଦେବା ସବୁ ଧର୍ମ ଓ ସବୁ ଭଗବତ୍‍ ବିଶ୍ୱାସର କାମ । ଧର୍ମ ଓ ଭଗବାନ୍‍ଙ୍କର ଆଶ୍ରୟ-ଛାୟାରେ ରହି ମଣିଷ ସାଧାରଣତଃ ଅଧିକରୁ ଅଧିକ ଆନନ୍ଦ ପାଇବା କଥା, ଅଧିକରୁ ଅଧିକ ଉତ୍ସାହ ଓ ପ୍ରେରଣା ନେଇ ଧର୍ମ ଓ ଭଗବତ୍‍ ବିଶ୍ୱାସର ନାନା ଆବଶ୍ୟକତାକୁ ନିର୍ଭୀକ ନିର୍ମଳ ମନରେ ପୂରଣ କରିବାର କଥା । କିନ୍ତୁ ମଣିଷ ଭିତରେ ଆଜି ସେ ପ୍ରେରଣା କାହିଁ ? ଅସଲ ଧର୍ମ ମରିଯାଇ ଆଜି ଖାଲି ମିଛ ଧର୍ମର ବାଲିକୁଦ ମଣିଷର ଛୋଟିଆ ଘରଟିକୁ ଅନ୍ଧାର ଉଢ଼ାଳ କରି ରଖିଛି । ମଣିଷକୁ ନାନାପ୍ରକାର ଖଣ୍ଡ-ଆସକ୍ତି ଓ କ୍ଷଣିକ ପ୍ରୀତିର ଝଡ଼ ତୋଫାନରେ ବ୍ୟତିବ୍ୟସ୍ତ କରି ରଖିଛି । ଅସଲ ବିଶ୍ୱାସ ମରିଯାଇ ନାନାପ୍ରକାର ଖଣ୍ଡ ବିଶ୍ୱାସ ବା ମାର୍ଜିତ ଅବିଶ୍ୱାସ ମଣିଷକୁ ନାନାପ୍ରକାର ତ୍ରାସରେ ବିହ୍ୱଳ କରି ରଖିଛି । ଶାସ୍ତ୍ର ପୁରାଣ ଆମର ଅତି ପାଖରେ ରହିଛି । ଧର୍ମ ଦର୍ଶନ ବିଷୟରେ ଗାଡ଼ିଗାଡ଼ି ବକ୍ତୃତା ଆମ କାନ ଅତଡ଼ା ପକାଉଛି । ତଥାପି ଆମେ ଧାର୍ମିକ ଜୀବନର ଅନେକ ଦୂରରେ ରହିଛୁ; ତଥାପି ଆମେ ସବୁ ଭୟକୁ ହରଣ କରି ନେବାର ବଳବାନ୍ ବିଶ୍ୱାସର ସ୍ୱାଦ ଏପର୍ଯ୍ୟନ୍ତ ପାଇପାରିନାହୁଁ । ଆମର ଆଚାରରେ କେତେ ପ୍ରକାର ଛଳନା କରି କେତେ ପ୍ରକାର ଅବିଶ୍ୱାସ ଦିନକୁ ଦିନ ଜମା ହୋଇ ଚାଲିଛି ।

 

ଏ ବର୍ଷ ପାଞ୍ଜିର ଲେଖା ଅନୁସାରେ ପଞ୍ଚଗ୍ରହକୂଟ ହେଲା । ସେଥିଲାଗି ଭୟାଳୁ ମଣିଷ ବର୍ଷ ଆରମ୍ଭରୁ ବିପଦ ଗଣୁଥିଲା । ଗ୍ରହମାନଙ୍କୁ ଶାନ୍ତ ସୁନାପୁଅ କରି ରଖିବା ଲାଗି ଏ ବର୍ଷ କେତେ ଜାଗାରେ ହୋମ ହେଲା, ଯଜ୍ଞ ହେଲା, ନାମସଂକୀର୍ତ୍ତନ ହେଲା, କେତେ ବଡ଼ଲୋକ କାଙ୍ଗାଳୀ ଭୋଜନ କରାଇଲେ । ତଥାପି ଓଡ଼ିଶା ଉପରୁ ଗ୍ରହ-ଅପଦେବତାର ରୋଷ ତୁଟିଲା ନାହିଁ । ମରୁଡ଼ି ପରେ ବନ୍ୟାର ବିଭୀଷିକା ଆସି ସହସ୍ର ସହସ୍ର ସଂସାରକୁ ଉଚ୍ଛନ୍ନ କରି ଦେଇଗଲା, ସହସ୍ର ସହସ୍ର ଆଶ୍ରୟ ଭାଙ୍ଗି ଦେଇଗଲା । ଆଉ ମାସକ ପରେ ପୁଣି କୁଆଡ଼େ ଆଉ ଗୋଟାଏ ଘାଟି ଆସୁଛି । ଏଥର ବଡ଼ବଡ଼ ଗ୍ରହମାନଙ୍କର ବଡ଼ କୋପ ବାହାରିବ । ସମୁଦ୍ର ମାଡ଼ିଆସିବ, ଆକାଶରୁ ଅଗ୍ନି ବର୍ଷା ହେବ, ଇତ୍ୟାଦି ଇତ୍ୟାଦି । ସେଥିଲାଗି ଏ ଅଞ୍ଚଳର ଲୋକେ ସାଗରତୀରରେ ଗୋଟାଏ ଯଜ୍ଞ କରିବାର ଆୟୋଜନ କରୁଛନ୍ତି । ସେଥିଲାଗି ଅର୍ଥ ସଂଗ୍ରହ ଚାଲିଛି । ଲୋକଙ୍କର ନିରୀହ ଅନ୍ଧବିଶ୍ୱାସକୁ ପୁଣି ଗୋଟାଏ ପ୍ରଶ୍ରୟ ଦେବାର ଉପକ୍ରମ ହେଉଚି । ଏଣେ ଘରେ ଭାତ ନାହିଁ ବୋଲି ମଣିଷ କାଙ୍ଗାଳ ପରି ଦିନ ଦିନ ଥାନାକୁ ଦଉଡ଼ୁଛି । ପେଟଟା ଦେଖାଇ ମୁଠେ ଚାଉଳ ପାଇବା ଲାଗି ନାନାପ୍ରକାର କରୁଣ ଅଭିନୟରେ ସେ ଭାଗ ନେଉଛି । ପୁଣି ସେଇ ମଣିଷ ବିଶ୍ୱଶାନ୍ତି ଲାଗି ଯଜ୍ଞ କରିବାକୁ ହେବ ବୋଲି ବିଶ୍ୱାସ କରି ଘରୁ ବାସନ ବିକି ପଇସା ଦେଉଛି । ମଣିଷ ଭିତରେ ରହିଥିବା ଭଗବାନ୍‍ଙ୍କୁ ମଣିଷ ଚିହ୍ନିପାରୁ ନାହିଁ । ମଣିଷ ନିଜେ ନିଜକୁ ଚିହ୍ନି ପାରୁ ନାହିଁ । ଏହାର ସ୍ପଷ୍ଟତର ପ୍ରମାଣ କୋଉଠି ଆଉ କ’ଣ ମିଳିପାରେ ?

 

ଆଜିକାର କାଙ୍ଗାଳ ମଣିଷ ପରି ତା’ର ଭଗବାନ୍ ମଧ୍ୟ ଏକ ଖୋସାମତ୍‍ଖିଆ କାଙ୍ଗାଳ ପାଲଟି ଯାଇଛନ୍ତି । ଆଜି ସମାଜରେ ଅଧିକ ଭାଗ୍ୟବନ୍ତ ମଣିଷ ଭାଗ୍ୟହୀନ ମଣିଷକୁ ଲାଲଆଖି ଦେଖାଇ ତା’ର ସମସ୍ତ ଦାବି ଓ ସୁବିଧାକୁ ଆପେ ଆତ୍ମସାତ କରିଛି । ସେଇଥିଲାଗି ଏଣେ ଭଗବାନ୍ କହିଲେ ଭୟ ଦେଖାଇବାର ଲାଲଆଖି ବ୍ୟତୀତ ସେ ଆଉ କିଛି ଦେଖିପାରୁ ନାହିଁ । ଆମର ହୀନ-ଦଶାଗ୍ରସ୍ତ ସମାଜରେ ହୀନଜନ ନାନାପ୍ରକାର ପରିଚର୍ଯ୍ୟା ଖଟି ଭାଗ୍ୟବନ୍ତ ଜନର ଅନୁଗ୍ରହ ପାଇବାର ଆଶାରେ ଜୀବନଧାରଣ କରୁଛି । କୋପୀ ଗ୍ରହ ବା କୋପୀ ଭଗବାନ୍‍ଙ୍କୁ ନାନାପ୍ରକାର ପୂଜା, ଭୋଗ ଓ ଧୂଆଁ ଧୂପର ଲାଞ୍ଚ ଦେଇ ତା’ର ସନ୍ତୋଷଭାଜନ ହେବା ଲାଗି ବିବ୍ରତ ମଣିଷ ଯାବତୀୟ ଆୟୋଜନ କରିବାର କ୍ଳେଶ ଭୋଗ କରି ଚାଲିଛି । ଭଗବାନ୍‍ ଏ ସଂସାରର ବାହାରେ; ବିଦେଶୀ ଜମିଦାର ପରି ତାଙ୍କର ତ୍ରାସ ଓ ଭୟର ବନ୍ୟା ଓ ମରୁଡ଼ିର ଗୁମାସ୍ତା ପଠାଇ ସେ ଆମକୁ ଶାସନ କରି ରଖୁଛନ୍ତି । ଏହିପରି ବିଶ୍ୱାସ ରହିଥିବା ପର୍ଯ୍ୟନ୍ତ ମଣିଷ ଭିତରେ ଲାଞ୍ଚଦିଆ ରୋଗ କଦାପି ଯିବ ନାହିଁ । ଛୋଟଠାରୁ ବଡ଼ ପର୍ଯ୍ୟନ୍ତ, ଶାଳଗ୍ରାମଠାରୁ ଶନିଗ୍ରହ ପର୍ଯ୍ୟନ୍ତ ଛୋଟ ବଡ଼ ଦେବତାଙ୍କୁ ନାନାପ୍ରକାର ଲାଞ୍ଚ ଦେବାର ସମସ୍ତ ପରିଶ୍ରମରେ ସେ ଆପଣାକୁ ସତତ ନିର୍ଯାତିତ କରି ରଖିଥିବ । ଯେତେ ରକମର ଭୟ ମଣିଷକୁ ଘାରୁଥିବ, ମଣିଷ ସେତିକି ପ୍ରକାରର ପୌତ୍ତଳିକତାର ସୃଷ୍ଟି ଭିଆଇ ଚାଲିଥିବ । ଏଣେ ଆପଣା ଭିତରେ ଏଇ ସଂସାରର ବିପୁଳ ଜୀବନ ଭିତରେ ସବୁ ଭୟ ଓ ଅଶାନ୍ତ ହରଣ କରିନେବାର ଅଭୟଦ୍ୱାର ମୁଦାହୋଇ ରହିଥିବ । ଯିଏଁ ସେ ଦୁଆରରେ ଆଘାତ କରି ଜାଣିଛି, ସେ ସମସ୍ତ ଭୟ ଓ ସଂଶୟକୁ ଡେଇଁ ଯାଇ ପାରିଛି, ସମସ୍ତ ଖଣ୍ଡ ବିଶ୍ୱାସର ଉତ୍ତେଜନାକୁ ସେ ଭେଦ କରିପାରିଛି । ତା’ର ଜୀବନ, ତା’ର ଧ୍ୟାନ ଓ ତା’ର ଭଗବାନ୍ ତାକୁ କେବଳ ଆନନ୍ଦ ଆଣି ଦେଉଛି । ଆକାଶର ସୂର୍ଯ୍ୟପରି ତା’ର ଜୀବନଯାତ୍ରା ଅବାରିତ ଭାବରେ ଚାଲିଛି ।

 

୨୧ । ୧୦ । ୫୫

 

ଏଇ ଏରସମାରେ ଆମର ଅସଲ ପରୀକ୍ଷା ହୋଇଥିଲା । ଚମ୍ପତିମୁଣ୍ଡାରେ ଟିକିଏ ସମୟ ପାଇଲେ ଆମର ସୋପାନ ବସୁଥିଲା । ଦୈନନ୍ଦିନ କାର୍ଯ୍ୟକ୍ରମରୁ ଯେତେ ବେଶି ସମ୍ଭବ ବାହାରକରି ଆମେ ପାଠ ପଢ଼ୁଥିଲୁ । କେତେ ମନଦେଇ ଅଙ୍କ କରୁଥିଲୁ । ଇତିହାସ, ଭୂଗୋଳ ଆଉ ବିଜ୍ଞାନର ବହିଧରି ବସୁଥିଲୁ । ଆମେ ପାଠାଗାରରୁ ବହି ନେଇ ପଢ଼ୁଥିଲୁ । ନୂଆ ନୂଆ ବହି ପଢ଼ିପାରିବା ଲାଗି ନୂଆ ନୂଆ ଭାଷା ଶିଖିବା ଆମେ ଆରମ୍ଭ କରିଥିଲୁ । ପରମ୍ପରାଗତ ମୌଳିକ ଶିକ୍ଷାରେ ପୁଣି ସୂତାକଟା, ସଫେଇ ଓ ଅନ୍ୟାନ୍ୟ ଧନ୍ଦାମାନ ତ ରହିଛି । ଆମେ ଯେଉଁ ସବୁ ଅନୁଷ୍ଠାନରେ ପଢ଼ୁଥିଲୁ, ସେଠିକାର ବିଧାନମତେ ଧନ୍ଦାଗୁଡ଼ିକରେ ଯଥାସମ୍ଭବ ଦଖଲ ଆଣିବାକୁ ଚେଷ୍ଟା ମଧ୍ୟ କରୁଥିଲୁ । ସବୁ ପାଠ ବିଷୟରେ ନୋଟ ଲେଖି ରଖିବାର ଲୋଭ ଆମେ ଦେଖାଉଥିଲୁ । ବର୍ଷ ଶେଷରେ ପରୀକ୍ଷା ହେଉଥିଲା । ବର୍ଷକର ଅର୍ଜିତ ଜ୍ଞାନକୁ ଆମେ କେତେଦୂର ଗଚ୍ଛିତ କରି ରଖିଛୁ, ତା’ରି ବିଚାର ସେତେବେଳେ ହେଉଥିଲା । ଆମ ଜଙ୍ଗଲ ସ୍କୁଲରେ ହୁଏତ ଆମେ ସେଇୟା ହେବ ବୋଲି ଭାବିଥିଲୁ । ହଁ, ଜଙ୍ଗଲ ସ୍କୁଲରେ ହୁଏତ ଦିନେ ନାନା ଆୟୋଜନ ଓ ସନ୍ତର୍ପଣରେ ପରୀକ୍ଷା ହେବ, ପିଲାଙ୍କ ହାତରେ କାଗଜ କଲମ ଧରାଇ ଦେଇ ହଠାତ ମାଳେ ଦୁଇ ମାଳ ପ୍ରଶ୍ନ ପଚାରି ପିଲାଙ୍କୁ ଦେଇଥିବା ଜ୍ଞାନକୁ ଆଦାୟ କରିଆଣି କୃପଣ ଶିକ୍ଷକମାନେ ହୁଏତ ଏଠି ମଧ୍ୟ ଦିନେ ଭାରି ସନ୍ତୋଷ ପାଇବେ । କର୍ତ୍ତୃପକ୍ଷଙ୍କରବି ମନ ମାନିଯିବ । କିନ୍ତୁ ସେ ପରୀକ୍ଷା ଅସଲ ପରୀକ୍ଷା ନୁହେଁ । ଯେତେ ଆଡ଼ମ୍ବର ସହିତ କରାଗଲେ ମଧ୍ୟ ତାହା ଅତି ଗୌଣ । ଆମର ସମସ୍ତ ଉପାର୍ଜିତ ବିଦ୍ୟାର ଅସଲ ପରୀକ୍ଷା ଏହି ଜୀବନ ଓ ସଂସାରର ବିରାଟ ପରୀକ୍ଷାଗାରରେହିଁ ହେବ । ଆମେ ସଂସାର ଭିତରେ ଯେଉଁପରି ମନୋଦୃଷ୍ଟି ନେଇ ପ୍ରବେଶ କରିବା, ସମାଜରେ ଓ ସଂସାରରେ ଜଣେ ହିସାବରେ ଯେତିକି ନିପୁଣ ବା ଶୁଦ୍ଧଭାବରେ ଆମେ ଆମର ଅର୍ଜିତ ଯୋଗ୍ୟତାର ବ୍ୟବହାର କରିପାରିବା, ସଂସାରର ମଣିଷ ସହିତ ଆମେ ଯେତିକି ଏକାତ୍ମତା ଅନୁଭବ କରିପାରିବା, ତାହାହିଁ ଆମ ପାଠର ମୂଲ୍ୟ ନିର୍ଦ୍ଧାରଣ କରିବ । ଆମ ସମାଜରେ ଅନେକ ପ୍ରକାର ପାଠୁଆ ଅଛନ୍ତି । ପାଠୁଆ ଏ ଦେଶରେ ଠକନ୍ତି । ଏ ଦେଶରେ ଅତି ଉପରେ ରହି ଅନେକ ପାଠୁଆ ପୁଣି ନ୍ୟୂନ ଜନକୁ ଅନୁଗ୍ରହ ଦେଖାଇବାରେ ଆତ୍ମପ୍ରସାଦ ଲାଭ କରନ୍ତି । ପାଠୁଆ ପୁଣି ସେବା ଓ ସତ୍‍କର୍ମର ଆଡ଼ମ୍ବର ଦେଖାଇ ନିଜ ଭିତରର ଅହଂକାର ଓ ଅଭିମାନକୁ ନାନାପ୍ରକାର ପୋଷାକ ପିନ୍ଧାଇ ଘୋଡ଼ାଇ ରଖନ୍ତି । ଏ ସବୁ ଅଜ୍ଞାନର ପାଠୁଆ ହେବା ଆମର ଦରକାର ନାହିଁ । ପାଠକୁ ହଜମ କରି ଜୀବନରେ ତା’ର ସଦ୍‌ବ୍ୟବହାର କରି ନ ପାରିଲେ ଯେଉଁ ଦଶା ହୁଏ, ସେ ହୀନ ଦଶାକୁ ଆମେ ପାଠର ପୁରସ୍କାର ବୋଲି କହିବା ନାହିଁ । ଆମର ଇତିହାସ, ଭୂଗୋଳ, ଗଣିତ ଆଉ ବିଜ୍ଞାନ ଆମକୁ ଆହୁରି ଶୁଦ୍ଧ କରୁ, ଆମକୁ ଆହୁରି କର୍ମଠ କରୁ, ମଣିଷ ସହିତ ନିଷ୍କପଟ ଅନ୍ତରରେ ଏକାଠି ବସି ସୁଖ ଦୁଃଖକୁ ଗଭୀର ଭାବରେ ଅନୁଭବ କରିବାକୁ ଶିଖାଉ । ଆମ ପାଠ ଆମ ବିଚାରରେ ପରିବର୍ତ୍ତନ ଆଣୁ । ଆମର ଆଚାରକୁ ଅଧିକ ନମ୍ର, ଭଦ୍ର ଓ ଶ୍ରଦ୍ଧାଶୀଳ କରୁ; ଆମର ଶରୀରକୁ ଆମ ମନର ଅଧୀନ କରି ରଖୁ; ଆମର ମନକୁ ବିଶ୍ୱନିୟନ୍ତାର ମନ ସହିତ ଖିଅ ଲଗାଇ ରଖୁ ।       

 

ଜୀବନ ଭିତର ଦେଇହିଁ ଆମର ସବୁ ପାଠର ସର୍ବଶ୍ରେଷ୍ଠ ପରୀକ୍ଷା ହେବ । ଏଠି ଆପଣାକୁ, ଶିକ୍ଷକକୁ ଓ ଆପଣାର ଅନୁଷ୍ଠାନକୁ ଠକିବାର ମିଛ ଉତ୍ସାହରେ ଯେତିକି ଆମେ ଫାଙ୍କି ଦେଇ ଯାଉଥିବା, ସଂସାରର ବିସ୍ତୃତ କ୍ଷେତ୍ରରେ ଜୀବନର ନାନା ଦାୟିତ୍ୱ ତୁଲାଇବାକୁ ଗଲାବେଳେ ଆମର ସେସବୁ ଫାଙ୍କି ଧରା ପଡ଼ିଯିବ । ବର୍ତ୍ତମାନ ଆମର ବୟସ ଅଳ୍ପ, ଅଥଚ ଗ୍ରହଣ କରିବାର ଶକ୍ତି ଅନେକ ଅଧିକ । ପୂର୍ଣ୍ଣ ସଚେତ ଭାବରେ ନାନା ଜ୍ଞାନ ଆହରଣ କରି ଅନ୍ତର ଭିତରେ ସେସବୁ ହଜମ କରିବାକୁ ହେବ । ବର୍ତ୍ତମାନ ସଚେତନ ରହିଲେ ଆମର ସବୁ ପୋଥି ସବୁ ପାଠ ସତ୍ତ୍ୱେ ଆମେ ଜୀବନରେ ବଡ଼ ଦୁର୍ବଳ ହୋଇପଡ଼ିବା । ଆମର ନିଷ୍ଠାହୀନତା କେବଳ ଆମକୁହିଁ ଲଜ୍ଜା ଦେବ । ଆମ ଅନୁଭୂତିର ଅଗଭୀରତା ଆମକୁ ସଂସାରର ସବୁଠାରେ ଫେଲ କରାଇବ । ଏରସମାରେ ଆମର ପ୍ରାୟ ମାସେ ପୂରିଆସୁଛି । ଏଇ ମାସକ ଭିତରେ ଆମେ କେତେ ବିଚିତ୍ର କର୍ମକ୍ଷେତ୍ର, କେତେ ବିଚିତ୍ର ମଣିଷଙ୍କ ସମ୍ପର୍କରେ ଆସିଲୁ । ସବୁଠି ଆମେ ଶିକ୍ଷିତ, ସଚେତ ମଣିଷପରି ପରିସ୍ଥିତିର ଜବାବ ଦେଇପାରିଛୁ କି ? ସବୁଠି ଆମେ ଯଥେଷ୍ଟ ନିଷ୍ଠା ଓ ଗଭୀରତା ସହିତ ଅନୁଭବ କରିପାରିଛୁ କି ? କର୍ତ୍ତବ୍ୟର ତାଗିଦା ଆସିଲାବେଳେ ଆମର ମନ ଓ ଶରୀର ଆମ ବିବେକର ବୋଲ ମାନିଛି କି ? ଦୁଃଖୀ ମଣିଷର ଦୁଃଖ ଆମେ ମଣିଷ ପରି ବୁଝିବାକୁ ସମର୍ଥ ହୋଇଛୁ କି ? ନା, ହୃଦୟହୀନ ଲୁହା ପରି ମଧ୍ୟ ଆମେ ଅତି ନିର୍ଜୀବ ନିଲଠା ହୋଇ ସମୟ କଟାଇ ଦେଇଛୁ । ମଣିଷର ଦୁଃଖ ଆମକୁ ନାନା ବିଚିତ୍ର କର୍ମ ଲାଗି ଟାଣିବାକୁ ଆସିଲାବେଳେ ସେହି ପୁରୁଣା ସୁଖଭୋଜୀ ଜୀବ ପରି ଏଠି ମଧ୍ୟ ଆମେ କେବଳ ଆପଣା ଲାଗି ଆରାମ ଖୋଜି ବୁଲୁଛୁ-? ଚାଲ, ଏଠି ଆମେ ସମସ୍ତେ ପରୀକ୍ଷକ ହେବା । ଏ ବିରାଟ ପରୀକ୍ଷା କ୍ଷେତ୍ରରେ ଆମେ ପ୍ରତ୍ୟେକେ ଆପଣାକୁ ପରୀକ୍ଷା କରିବା ।

 

୭ । ୧୧ । ୫୫

 

ଆଜକୁ ଅଠତିରିଶବର୍ଷ ପୂର୍ବେ ରୁଷିଆରେ ଗୋଟାଏ ଯୁଗ ବଦଳିଥିଲା । ଅନେକ ରକ୍ତପାତ କରି ଓ ଆହୁରି ଅନେକ ରକ୍ତପାତର ସୂତ୍ରପାତ କରି ସେଦିନ ରୁଷିଆର ଯୁବକ-ବିପ୍ଳବୀ ଦଳ ଦାସତ୍ୱମୋଚନର ଦୃଢ଼ ଘୋଷଣା କରିଥିଲା । ଏହାରି ଭିତରେ ରୁଷିଆର ଅନେକ ପରିବର୍ତ୍ତନ ହୋଇଛି । ସେଠି ସବୁ ମଣିଷର ଭୋଜନ, ସ୍ୱାସ୍ଥ୍ୟ ଓ ବାସବସତିର ଉନ୍ନତି ଲାଗି ଅନେକ ନିଷ୍ଠାପର ଉଦ୍ୟମ କରାଯାଇଛି । ଲୋକଶକ୍ତିର ବିପୁଳ ବିନିଯୋଗ କରାଯାଇ ବିଜ୍ଞାନ ସାହାଯ୍ୟରେ ସେଠି ମଣିଷର ଇହଜୀବନକୁ ଅଧିକ ସୁଖୀ କରିବାର ଅନେକ ଚେଷ୍ଟା କରାଯାଇଛି । ଅଠତିରିଶବରଷ ତଳେ ରୁଷିଆର ସାଧାରଣ ମଣିଷ ଯାହା ଖାଉଥିଲା, ଯେପରି ସୁସ୍ଥ ଥିଲା ଓ ଯେପରି ଘରେ ରହୁଥିଲା, ଆଜି ତାହାଠାରୁ ସେ ଯଥେଷ୍ଟ ଭଲ ଖାଉଛି, ଯଥେଷ୍ଟ ଅଧିକ ସ୍ୱାସ୍ଥ୍ୟ ଲାଭ କରିଛି ଓ ଯଥେଷ୍ଟ ଭଲ ଘରେ ବାସ କରିବାର ସୌଭାଗ୍ୟ ଲାଭ କରିଛି । ଆଜି ସେଠି ପ୍ରତ୍ୟେକ ପିଲା ପାଠ ପଢ଼ିବାର ଅଧିକାର ପାଇଛି । ପ୍ରତ୍ୟେକ ଗାଁ ଆପଣା ପରିଶ୍ରମଦ୍ୱାରା ଲକ୍ଷ୍ମୀମନ୍ତ ହେବାର ସୁଯୋଗ ପାଇଛି । ଇଉରୋପ ଓ ଏସିଆର ସମଗ୍ର ଉତ୍ତର ଖଣ୍ଡବ୍ୟାପୀ ଯେଉଁ ଅଞ୍ଚଳରେ ଆଜି କୋଡ଼ିଏ କୋଟି ଲୋକ ବାସ କରୁଛନ୍ତି, ୧୯୧୭ ସାଲ ନଭେମ୍ବର ସାତ ତାରିଖରେ ସେମାନଙ୍କ ଲାଗି ନୂତନ ସମ୍ଭାବନାର ଉଦୟ ହୋଇଛି ବୋଲି କହିଲେ ଆଦୌ ଭୁଲ୍ ହେବ ନାହିଁ । ଯେଉଁମାନଙ୍କ ଭାଷା ବା ସାହିତ୍ୟ ନଥିଲା, ନାନାପ୍ରକାର ଭୌଗୋଳିକ ଓ ରାଜନୈତିକ କାରଣରୁ ଯେଉଁମାନେ ସମ୍ପୂର୍ଣ୍ଣ ଅନ୍ଧାର ଭିତରେ ପଡ଼ି ରହିଥିଲେ, ସେମାନେ ଆଜି ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ପୃଥିବୀର ଦରବାରରେ ଆପଣାକୁ ପରିଚିତ କରାଇ ପାରିଛନ୍ତି । ଆଜିକାର ବିଜ୍ଞାନ ଯୁଗର ପୂର୍ଣ୍ଣ ଉପଯୋଗ କରିବାକୁ ସେମାନେ ମଧ୍ୟ ଦକ୍ଷ ହୋଇପାରିଛନ୍ତି । ପୃଥିବୀର ଇତିହାସରେ ନଭେମ୍ବର ସାତ ତାରିଖ ଏକ ଅତି ବଡ଼ଦିନ । ପୃଥିବୀର ମଣିଷକୁ ଏହି ଦିନଟି ଏକ ନୂତନ ସାମାଜିକ ଧର୍ମ ଓ ନୂତନ ସାମାଜିକ ସମ୍ଭାବନାର ସୂଚନା ଦେଇଯାଇଛି । ରୁଷିଆର ରାଜନୈତିକ ମତବାଦ ସହିତ ଯାହାର ଯେତେ ମତଭେଦ ଥାଉ ପଛକେ, ଏହି କଥାଟି କେହି ଅସ୍ୱୀକାର କରିପାରିବ ନାହିଁ । ସବୁ ମଣିଷର ସୁଖ ଓ କଲ୍ୟାଣ ଲାଗି ଆଜି ପୃଥିବୀରେ ଯିଏ ଯେଉଁଠି ନିଷ୍ଠାର ସହିତ ଚିନ୍ତା କରୁଛି, ଆଜି ଦିନଟି ଉଦ୍ଦେଶ୍ୟରେ ସେ ନିଶ୍ଚୟ ଆପଣାର ଶ୍ରଦ୍ଧା ଜଣାଇ ଯିବ । କିନ୍ତୁ ଭୋଜନ ଓ ବସତିର ସୁବ୍ୟବସ୍ଥା ହୋଇଗଲେ ଯେ ମଣିଷର ଦୁଃଖ ମେଣ୍ଟିବ ନାହିଁ, ନୂଆ ରୁଷିଆର ଏହି ଚାଳିଶବରଷର ଇତିହାସ ତାହା ପ୍ରମାଣ କରି ଦେଇଛି । ଖାଲି ଖାଇବା, ହଗିବା ଆଉ ବଂଶ ବୃଦ୍ଧି କରିବାର ଦେହଯନ୍ତ୍ର ହୋଇଥିଲେ ହୁଏତ ମଣିଷ ରୁଷିଆର ବିପ୍ଳବକୁ ଆଦର୍ଶ ବିପ୍ଳବ ବୋଲି କହିଥାନ୍ତା । ମଣିଷକୁ ଖାଇବାର ଓ ଆରାମରେ ରହିବାର ଲୋଭ ଦେଖାଇ ସେଠି ମଣିଷର ସମସ୍ତ ସ୍ୱତନ୍ତ୍ରତା ଅପହରଣ କରାଯାଇଛି । କୋଡ଼ିଏ କୋଟି ମଣିଷକୁ ପେଚ ଓ କବ୍‍ଜା କରି ଲଗାଇ ସେଠି କ୍ଷମତାଲୋଭର ଜଗନ୍ନାଥ ରଥ ଆଜି ମଧ୍ୟ ଚାଲିଛି । ନାନାପ୍ରକାର ଆଇନ ଆଉ ଆଡ଼ମ୍ବରର ଯନ୍ତ୍ର ଦେଖାଇ ଆଜି ସେଠି ମଣିଷର ସୂକ୍ଷ୍ମ ଅନୁଭବ କରିବାର ଶକ୍ତିକୁ ମାରି ଦିଆଯାଉଛି । ସ୍କୁଲ କଲେଜର ସମସ୍ତ ପାଠ ଦେଇ, ସାମାଜିକ ସମସ୍ତ ବ୍ୟସନ ବିନୋଦ ଦେଇ ସେଠି ମଣିଷକୁ କଳର କବ୍‍ଜା କରି ତିଆରି କରାଯାଉଛି । ମଣିଷର ଶରୀରଟାକୁ କେତେବେଳେ ଡରାଇ, ଧମକାଇ, କେତେବେଳେ ନାନା ଉପଭୋଗର ଲୋଭ ଦେଖାଇ ସେଠି ଆତ୍ମଚାରୀ ମଣିଷର ଶାସନ ଆଜି ମଧ୍ୟ ଚାଲିଛି । ଗୋଟିଏ ପୁରୁଣା ରାଜନୈତିକ ନିଶାକୁ ନୂଆ ଆଦର୍ଶବାଦର ରଙ୍ଗ ଲଗାଇ ସେଠି ମଣିଷର ଆଖିକୁ ବେଶ୍ ଜଳକା କରି ରଖିବାର ପ୍ରଚେଷ୍ଟା ଚାଲିଛି । ମଣିଷର ଆଦର୍ଶ, ମଣିଷର ଅଭିଳାଷ, ତା’ର ସାହିତ୍ୟ ଓ ସ୍ୱାଭାବିକ ବିକାଶ ସବୁଠି ଉପରେ ଆଜି ଶାସକଗୋଷ୍ଠୀର କଣ୍ଟ୍ରୋଲ ସେ ଦେଶରେ ରହିଛି । ତେଣୁ ନାନାପ୍ରକାର ସୁଖ ସୁବିଧା ପାଇ ମଧ୍ୟ, ଦିବ୍ୟ ଆୟୋଜନରେ ଶରୀରକୁ ଆରାମ ଦେବାର ସୌଭାଗ୍ୟ ପାଇ ମଧ୍ୟ ସେଠି ମଣିଷ କ୍ଳାନ୍ତି ଅନୁଭବ କଲାଣି । ସେଠାକାର ସାହିତ୍ୟିକ, ବୈଜ୍ଞାନିକ ଓ ଶିକ୍ଷକ ପୁଣି ସ୍ୱତନ୍ତ୍ର ଭାବରେ ବିଚାର କରିବାକୁ ଆଗ୍ରହୀ ହୋଇ ଉଠିଲେଣି । ହୁଏତ ଦିନେ ସେ ଦେଶରେ ଆଜି ପଡ଼ିଥିବା ସୁନା ଶିକୁଳି ଛିଡ଼ିପଡ଼ିବ । ମଣିଷର ମନ ଭିତରେ ଆଉ ଗୋଟାଏ ବୃହତ୍ତର ବିପ୍ଳବ ସଂଘଟିତ ହେବ । ସବୁପ୍ରକାର ଅସ୍ତ୍ର ଓ ଆଦର୍ଶବାଦର ଆଖିଝଲସିଆ ସାଜସଜ୍ଜା ପଛରେ ରୁଷିଆର ଏହି ନୂତନ ଆନ୍ଦୋଳନ ବିଷୟରେ ଆମକୁ ଜାଣି ରଖିବାକୁ ହେବ । ରୁଷିଆର ମଣିଷ ମଧ୍ୟ ମୁକ୍ତି ଚାହେଁ, ଶାନ୍ତି ଚାହେଁ । ଦାମୀ କାଚର ଶାସନ-ଘର ଭିତରେ ଖାଇପିଇ ଗେହ୍ଲା ହୋଇ ମନକୁ ଓ ବିଚାରକୁ ବିକିଦେବାର ଶାନ୍ତି ତା’ର ମଧ୍ୟ ଅସହ୍ୟ ହୋଇ ଉଠିଲାଣି । ସୁନା ପଞ୍ଜୁରୀ ଭିତରେ ବନ୍ଦ ରହି ଘୋଷଣାପତ୍ର ମୁଖସ୍ଥ କରିବାର ଆତ୍ମ-ପ୍ରତାରଣା ସେ କ୍ରମେ ବୁଝିପାରିଲାଣି । ସମସ୍ତ ପ୍ରକାର ବାହ୍ୟ ଆୟତନସିଦ୍ଧ ଶାସନରୁ ମୁକ୍ତି ପାଇବାପାଇଁ ଯେଉଁ ଆତ୍ମ-ମୁକ୍ତିର ସଂଗ୍ରାମ ଲାଗି ପୃଥିବୀର ମଣିଷ ପ୍ରସ୍ତୁତ ହେଉଛି, ରୁଷିଆର ସାଧାରଣ ମଣିଷ ମଧ୍ୟ ସବୁରି ସହିତ ଯୁକ୍ତ ହୋଇ ସେହି ସଂଗ୍ରାମ କରିବାର ସ୍ୱପ୍ନ ଦେଖିଲାଣି ।

 

୮ । ୧୧ । ୫୫

 

ଆମର ବିଦ୍ୟାଳୟ ଏକ ଆନନ୍ଦ-ଭବନ ହେବ । କୁଜେନ୍ଦ୍ରୀ ଗାଁରେ ଭାଷଣ ଦେଇ ଏବେ ବିନୋବାଜୀ ଏ କଥା କହିଛନ୍ତି । ଭଲ ବକ୍ତୃତା ଆଉ ଆଦର୍ଶ କଥାରେ ଖାଲି ମୁଗ୍ଧ ଅଭିଭୂତ ହୋଇପଡ଼ି କାମ ଗଡ଼ାଇଦେଲେ ଏଠି ଚଳିବ ନାହିଁ । ଗୋଟିଏ ବିଦ୍ୟାଳୟର ଆଶିଷ-ଛତ୍ରତଳେ ଏଠି ଆମେ ଶିକ୍ଷାର୍ଥୀ ଓ ଶିକ୍ଷକ ସମସ୍ତେ ଏକଜୁଟ ହୋଇଛେ । ବିନୋବାଜୀ ଗୋଟିଏ ବିଦ୍ୟାଳୟରେ ଯାହା କହିଛନ୍ତି, ବିଦ୍ୟା ଅର୍ଜନ କରିବାର ଶ୍ରଦ୍ଧା କରି ଆସିଥିବା ସବୁ ବିଦ୍ୟାଳୟର ଶିକ୍ଷାର୍ଥୀ ଓ ଶିକ୍ଷକ ଲାଗି ସେ ଏକ ଆହ୍ୱାନ ଏହାଦ୍ୱାରା ଦେଇଛନ୍ତି । ଯିଏ ଆଜି ସମସ୍ତ ପ୍ରକାର ଆଦର୍ଶକୁ ନାନା ଖଣ୍ଡ-ଜ୍ଞାନ ଓ ଖଣ୍ଡ-ଶ୍ରଦ୍ଧାର ଫୁକାରରେ ଉଡ଼ାଇ ଦେଉଛି, ପୁଣି ଯିଏ ଆଦର୍ଶବାଦକୁ ଅଫିମ ଟେଳାଏ କରି ଖାଇ ଉତ୍ତେଜିତ ଜ୍ୱରରୋଗୀ ପରି ସାରା ସଂସାରଟାକୁ ବ୍ୟସ୍ତ କରିବାରେ ଧାଇଁଛି, ଉଭୟ ଶ୍ରେଣୀ ମଣିଷଙ୍କୁ ଏହି ଆହ୍ୱାନର ବିଚାର କରିବାକୁ ହେବ । ଆମେ ଏହି ଭୁବନବ୍ୟାପୀ ଓ ଜୀବନବ୍ୟାପୀ ଆନନ୍ଦର କେତେ ଦୂରରେ ବା କେତେ ନିକଟରେ ଅଛୁ, ବିଦ୍ୟାର୍ଜନର ବାଟ ଚାଲିବାକୁ ଆସିଥିବା ଆମେ ପ୍ରତ୍ୟେକେ ଆପଣାକୁ ଏହି ପ୍ରଶ୍ନଟି ପଚାରିବା । ଆମେ ପାଠ ପଢ଼ୁଛୁ, ଆମର ସେଥିରେ ଆନନ୍ଦ ନାହିଁ । ଆମେ କାମ କରୁଛୁ, ସେଥିରେ ଆମର ଆନନ୍ଦ ନାହିଁ । ଆମେ ପ୍ରାର୍ଥନା କରୁଛୁ, ଭଗବାନ୍‍ଙ୍କର ଭଜନ ଗାନ କରୁଛୁ, ସେଥିରେ ମଧ୍ୟ ଆମର ଆନନ୍ଦ ନାହିଁ । ସଂସାରରେ ଓ ସମାଜରେ ବାର ଲୋକ ବାର ପ୍ରକାର ପାଠ ପଢ଼ୁଛନ୍ତି; ତେଣୁ ଆମେ ସେମିତିଆ କୌଣସି ଗୋଟାଏ ପାଠ ପଢ଼ିବା, ସଂସାରରେ ଶହେ ଜଣଙ୍କ ଭିତରେ ଜଣେ ହୋଇ ଦିଶିବା, ସଂସାର ଠାରୁ ଶିକ୍ଷିତ ବୋଲି ସ୍ୱୀକୃତି ପାଇବା, ମୁଖ୍ୟତଃ ଏଇଥିଲାଗି ଆମର ପାଠପଢ଼ା, ବହିଘୋଷା ଚାଲିଛି । ପୋଷାକ ପତ୍ର ପିନ୍ଧି ଆପଣାକୁ ଦେଖାଇ ହେବାର, ପାଞ୍ଚଜଣଙ୍କର ଦୃଷ୍ଟି ଆକର୍ଷଣ କରିବାର ସୌଖୀନ ଲାଳସା ପରି ଆମର ପାଠପଢ଼ା ମଧ୍ୟ ଗୋଟିଏ ଲାଳସା ହେବାକୁ ଯାଉଛି । ପାଠକୁ ଆମେ ଭଲପାଉଛୁ ବା ପାଠରୁ ଆମକୁ ଆନନ୍ଦ ମିଳୁଛି ବୋଲି ହୁଏତ ଆମେ ପାଠ ପଢ଼ୁନାହୁଁ । ପାଠ ପଢ଼ିବାର ପଗଡ଼ି ବାନ୍ଧିଥିବା ମଣିଷକୁ ସଂସାର ଖାତିର କରୁଛି । ଏହିପରି ଗୋଟାଏ ଆତ୍ମବୃଦ୍ଧିର ପ୍ରଲୋଭନରେ ପଡ଼ି ଆମେ ପାଠ ପଢ଼ିବାର ପରିଶ୍ରମ କରୁଛୁ । ଆମେ ବିଲରେ କାମ କରୁଛୁ । ମାଟିରେ ମଞ୍ଜି ପୋତି ଫୁଲଫଳ ସମ୍ଭାଉଛୁ । ଭାଙ୍ଗିଯାଉଥିବା ହତିଆରକୁ ସଜାଡ଼ୁଛୁ । ଏହା ପଛରେ ଆମର କେତେଦୂର ଆନନ୍ଦ ଅଛି ଓ କେତେ ଦୂର ବାଧ୍ୟବାଧକତା ଅଛି, ସେ କଥା ଆମେ ଆଜି ବିଚାର କରିବା । ଆପେ ସୂତା କାଟିଲେ ଅଳପ ପଇସାରେ ଆମେ ଲୁଗା ପିନ୍ଧି ପାରିବା । ଶିକ୍ଷକଙ୍କର ଗାଳିରୁ ରକ୍ଷା ପାଇଯିବା, ହୁଏତ ଏଇଥିଲାଗି ଆମେ ସୂତାକାଟିବାର ଅଭ୍ୟାସ ରଖୁଛୁ । ଆମର ପ୍ରାର୍ଥନାବେଳେ ମଧ୍ୟ ସେଇଆ ହେଉଛି । ଉପରେ ଗୋଟାଏ ଶୃଙ୍ଖଳାର ଚାପ ରହିଛି, ବୟସ୍କ ମାଷ୍ଟରର ପ୍ରବର୍ତ୍ତନା ରହିଛି । ସେଇଥିଲାଗି ଅଫିମଖିଆ ନେଉଳ ପରି ଆମେ ଯେତେ ଦିନ ଗୋଟାଏ ଆନୁଷ୍ଠାନିକ ନିୟମରେ ବନ୍ଧା ହୋଇପଡ଼ିଛୁ, ସେତେଦିନ ପର୍ଯ୍ୟନ୍ତ ଆଇନ ମାନି ସବୁକଥା କରୁଛୁ । କିନ୍ତୁ ସେଠି ଶ୍ରଦ୍ଧା ବା ଆନନ୍ଦର ସ୍ଥାନ କାହିଁ ? ଉପରେ ଥିବା ଚାପ ଅପସରି ଗଲେ ମଧ୍ୟ ଯଦି ଆମେ ସୂତାକଟା ବା ପ୍ରାର୍ଥନାରେ ଶ୍ରଦ୍ଧାସ୍ଫୁର୍ତ୍ତ ହୃଦୟ ନେଇ ବସି ପାରୁଥାଆନ୍ତୁ, ତେବେ ଯାଇ ହେଉଥାନ୍ତା । କେଉଁ ବିଦ୍ୟାଳୟରେ ଆଜି ପାଠପଢ଼ା ଓ ପରୀକ୍ଷା ଉପରେ ଜୋର୍ ଦିଆଯାଉଛି, ପୁଣି କେଉଁଠି ମଣିଷର ହାତକୁ ଓ ବୁଦ୍ଧିକୁ ଦକ୍ଷ ଯନ୍ତ୍ରଟି ପରି କରି ନାନା ଧନ୍ଦା ଶିଖାଇ ଦିଆଯାଉଛି । କିନ୍ତୁ ଆନନ୍ଦ କାହିଁ ? ଏ ଦେଶର ବିଦ୍ୟାଳୟମାନଙ୍କରେ ଆଜି ବହିପଢ଼ା ହେଉଛି, କାଗଜ ଚଷା ହେଉଛି, ସୂତାକଟା, ତୁଳାଭିଣା ହେଉଛି । ବଗିଚାକାମ ଓ ରୋଷେଇ ପାଳି ଅତି ନିୟମିତ ଭାବରେ ଚାଲିଛି । ଉପରୁ ଦାବି କରାଯାଉଥିବା ଉତ୍ପାଦନ ପରିମାଣର କୋଟା ପୂର୍ଣ୍ଣ ହୋଇଯାଉଛି । କିନ୍ତୁ ଆନନ୍ଦ କାହିଁ ? ଏହି ଆନନ୍ଦର ଅଭାବରୁ ସକଳ ଜ୍ଞାନ ଓ ସକଳ ପ୍ରକାରର ନିପୁଣତା ଅର୍ଜନ କରିବା ସତ୍ତ୍ୱେ ମଣିଷ ଭୀରୁ ହୋଇଯାଉଛି, ଗଧ ହୋଇଯାଉଛି । ମଣିଷର ଉପାର୍ଜିତ ବିଦ୍ୟା ମଣିଷକୁ ବାନ୍ଧି ପକାଉଛି, ମୁକ୍ତି ଦେଇପାରୁ ନାହିଁ । ମଣିଷ ଜୀବନରେ ନାନା ଭୟ ଓ ସଂଶୟର ଗଣ୍ଠି ପକାଇ ରଖୁଛି, ମଣିଷକୁ ସହଜ ସରଳ କରିପାରୁ ନାହିଁ, ଜୀବନ ବଞ୍ଚିବାଲାଗି ତାକୁ ସ୍ୱାଭାବିକ ପ୍ରେରଣା ଦେଇପାରୁ ନାହିଁ ।

 

ଜୀବନରେ ଓ ଜ୍ଞାନଲାଭରେ, ପାଠରେ ଓ ଧନ୍ଦାରେ ଆନନ୍ଦ ଲାଭ କରିବାକୁ ହେଲେ ଆମକୁ ଆନନ୍ଦ ଅନୁଭବ କରିବାର ଯୋଗ୍ୟତା ଅର୍ଜନ କରିବାକୁ ହେବ । ଆମର ବଞ୍ଚିବାର ଶୈଳୀକୁ ସରଳ କରିବାକୁ ପଡ଼ିବ । ଆଉ ସମସ୍ତ ବିଶ୍ୱର ସମସ୍ତ କାର୍ଯ୍ୟକ୍ରମକୁ ସରସ କରି ରଖିଥିବା ଆନନ୍ଦମୟ ଭଗବାନ୍‍ଙ୍କ ଉପରେ ଅଟଳ ବିଶ୍ୱାସ ରଖିବାକୁ ହେବ । ଉପନିଷଦ୍‍ରେ ଆନନ୍ଦକୁ ସବୁ ସୃଷ୍ଟି ଓ ସବୁ ଜୀବନର ମୂଳ ବୋଲି କୁହାଯାଇଛି । ‘ଆନନ୍ଦାତ୍‍ ହି ଏବ ଖଳୁ ଇମାନି ଭୂତାନି ଜାୟନ୍ତେ । ଆନନ୍ଦେନ ଜାତାନି ଜୀବନ୍ତି । ଆନନ୍ଦଂ ପ୍ରୟନ୍ତି ଅଭିସଂବଶନ୍ତି’ (ତୈତ୍ତିରୀୟ ୬।୧) । ଆନନ୍ଦରୁହିଁ ଏହି ସକଳ ପ୍ରାଣୀ ଉତ୍ପନ୍ନ ହେଉଛନ୍ତି । ଆନନ୍ଦଦ୍ୱାରାହିଁ ଜୀବନ ଧାରଣ କରିଛନ୍ତି ଏବଂ ଇହଜଗତରୁ ବିଦାୟ ନେଇ ସେହି ଆନନ୍ଦରେହିଁ ଲୀନ ହୋଇ ଯାଉଛନ୍ତି । ଆମର ସବୁ ଶିକ୍ଷା, ସବୁ ନିପୁଣତା ଆମକୁ ଏହି ଆନନ୍ଦରହିଁ ଆସ୍ୱାଦ ଦେଇଯାଉ । ଆମର ବିଚାର, ମନ ଓ ଶରୀରରେ ଏହି ଆନନ୍ଦରହିଁ ତରଙ୍ଗ ଖେଳିଯାଉ । ବିଶ୍ୱବ୍ୟାପୀ ଆନନ୍ଦ ଆମର ଜୀବନରେ ଠୁଳ ହୋଇ ଆମର କର୍ମବାଣୀ ଓ ଭାବନାକୁ ଆନନ୍ଦମୟ କରି ଦେଉଥାଉ ।

 

୯ । ୧୧ । ୫୫

 

ଓଡ଼ିଶାର ନାନା ଜାଗାରେ ନଈବଢ଼ି ଅତି ପ୍ରବଳ ହୋଇଉଠିଲା । ଏଠି ଆମ ଜଙ୍ଗଲ ସ୍କୁଲରେ ମଧ୍ୟ ଆମକୁ ସେ ଅଥୟ କରି ପକାଇଲା । ଆମେ ଆଉ ଧୈର୍ଯ୍ୟ ଧରି ରହିପାରିଲେ ନାହିଁ-। କେଉଁଠି କାହାର ଘର କାନ୍ଥ ଭୁଶୁଡ଼ି ପଡ଼ୁଛି, କେଉଁଠି କିଏ ଚାଳ ଉପରେ ବସି ବିକଳରେ ତ୍ରାହି ତ୍ରାହି ଡାକ ପକାଉଛି । କେଉଁଠି ଗୋରୁ ମଇଁଷି ଅତି ଅସହାୟ ଭାବରେ ଭାସି ଯାଉଛନ୍ତି । ଖାଲି ଏଇସବୁ ଚିତ୍ର ଆମ ଆଖି ଆଗରେ ଭାସି ଉଠିଲା । ଶହ ଶହ ମଣିଷଙ୍କର ଦୁଃଖ ଓ ଯାତନାକୁ ସତେଅବା ଆମେ ପ୍ରତି ମୁହୂର୍ତ୍ତରେ ଅନୁଭବ କରିବାକୁ ଲାଗିଲୁ । ଆପଣାର ବ୍ୟବସ୍ଥିତ ସଂସାରର ବ୍ୟବସ୍ଥିତ ଜୀବନ ଆମକୁ ଆଉ ସୁଖ ଦେଇ ପାରିଲା ନାହିଁ । ଦଉଡ଼ିଯାଇ ପ୍ରପୀଡ଼ିତ ମଣିଷର ଦୁଃଖରେ କିଞ୍ଚିତ୍ ଭାଗୀ ହୋଇ ଆସିବାକୁ ଆମେ ଅସ୍ଥିର ହୋଇ ଉଠିଲୁ । ସୁବିଧା ପାଇବାମାତ୍ରକେ ସେହିପରି ଗୋଟିଏ ଗୋଟିଏ କ୍ଷେତ୍ରରେ ମାସେ ମାସେ କାମ କରିଆସିଲୁ-। ଆମର ପାଠ ବନ୍ଦ ହୋଇଗଲା । ଖାଇବା ପିଇବା ଓ ରହିବାରେ ନାନା ସ୍ଥାନରେ ନାନା ଅସୁବିଧା ଭୋଗ କଲୁ; ତଥାପି ସେ କ୍ଷତି ଆମକୁ କ୍ଷତି ବୋଲି ଲାଗିଲା ନାହିଁ । ମଣିଷର ଦୁର୍ଦ୍ଦିନରେ ତା’ ପାଖରେ ଦଣ୍ଡେ ରହି ଆମେ ତାକୁ ପ୍ରାଣପଣେ ଦମ୍ଭ ଦେଇ ଆସିଲୁ । ଏହି ଟିକକ ଆମକୁ ଅନେକ ଶିକ୍ଷା ଓ ଅନେକ ସଞ୍ଚୟର ସନ୍ତୋଷ ଦେଇଗଲା । ଏହି ସେବା-କାମରେ ବାହାରିଯିବାକୁ କେହି ଆମ ଉପରେ କୌଣସି ଚାପ ଦେଇ ନାହିଁ, କୌଣସି ପ୍ରକାର କର୍ତ୍ତୃତ୍ୱର ପ୍ରରୋଚନାରେ ଆମେ କୌଣସି ପ୍ରକାରେ ବାଧ୍ୟ ହୋଇ ନାହୁଁ । ସତେଅବା ଆମ ଅନ୍ତର ଭିତରୁ ଆମେ ଏପରି ଏକ ଆବଶ୍ୟକତା ଅନୁଭବ କରିପାରିଛୁ, ଅନ୍ତର ଭିତରୁ ବାହାରି ପଡ଼ିବାର ଏକ ଆହ୍ୱାନ ପାଇଛୁ, ଅତି ସ୍ୱାଭାବିକ ଭାବରେ ଆମେ ବାହାରିଯାଇଛୁ । ପ୍ରତ୍ୟେକ ପୁରୁଷାର୍ଥର କାମ ଠିକ୍ ଏହିପରି ସ୍ୱାଭାବିକ ଭାବରେ ହେବା ଉଚିତ । ଅନ୍ତରରୁ ସେଥିଲାଗି ଏହିପରି ବଳେ ବଳେ ଆହ୍ୱାନ ଆସିବା ଉଚିତ-

 

ଭୂଦାନରେ ଆମେ କିଞ୍ଚିତ୍ କାମ କରିବାର କଥା ପଡ଼ିଲାବେଳେ ମୁଁ ଠିକ୍ ଏହିପରି ଚିନ୍ତାକରେ । ବରଷକରେ ଥରେ ଆମ ଦେଶରେ କେତେଜଣ ଭୂଦାନ-ସପ୍ତାହ ପାଳନ କରନ୍ତି । ଶନିବାର, ରବିବାର ବିଦ୍ୟାଳୟର ପିଲାଏ ଗାଁ ବୁଲି ଭୂଦାନର ପ୍ରଚାର କରିଆସନ୍ତୁ, ଏପରି ପରାମର୍ଶ ମଧ୍ୟ ଅନେକ ଥର ଶୁଣିବାକୁ ମିଳେ । କିନ୍ତୁ ସେପରି ପରାମର୍ଶକୁ ଆଦେଶ ଦେଇ କାର୍ଯ୍ୟକାରୀ କରିବାକୁ କାହିଁକି ମୋର ମନ ବଳେ ନାହିଁ । ଗୁରୁଜୀ ଆଦେଶ ଦେବେ, ଉପରୁ ଉପଦେଶ ଜରିଆରେ ଚାପ ପଡ଼ିବ, ତା’ପରେ ପିଲାଏ ଚରଖା, ବହି ଓ ଲଣ୍ଠନ ଧରି ଭୂଦାନ ପ୍ରଚାର କରି ବାହାରିବେ । ଏଇଟା କାହିଁକି ମୋତେ ଗୋଟାଏ ଅଦ୍ଭୁତ ସୁଆଙ୍ଗ ପରି ଲାଗେ । ଭୂମିଦାନକୁ ଉପଲକ୍ଷ କରି ଆମ ଦେଶରେ ଆଜି ଏକ ବିରାଟ ପରିବର୍ତ୍ତନ ହୋଇ ଚାଲିଛି । ଏହା ପଛରେ ମଣିଷକୁ ଓ ସମାଜକୁ ନୂଆ ଓ ନିର୍ମଳ କରି ଗଢ଼ିବାର ନିର୍ଭୀକ ଆହ୍ୱାନ ରହିଛି । ଅନ୍ୟାନ୍ୟ ଅନେକ ଆନ୍ଦୋଳନ ଠାରୁ ଭୂଦାନ ଆନ୍ଦୋଳନର ପ୍ରକୃତି ଏକ ସ୍ୱତନ୍ତ୍ର ଧରଣର । ଏହା ପ୍ରଧାନତଃ ଜୀବନଶୁଦ୍ଧିର ଏକ ଆନ୍ଦୋଳନ, ଆପଣାକୁ ପରିଶୁଦ୍ଧ କରି ସମାଜରେ ଶୁଦ୍ଧି ଆଣିବା ଲାଗି ଏହା ଏକ ବିରାଟ ଆନ୍ଦୋଳନ । ନିଜେ ବିନୋବାଜୀ ଏହାକୁ ଆରୋହଣ ବୋଲି କହୁଛନ୍ତି । ଏଥିରେ ଉତ୍ତେଜନାର ସ୍ଥାନ ନାହିଁ, ମାଳାତିଳକର ଭେକ ବାନ୍ଧି ଗୁରୁର ଅତିମାନବତ୍ୱ ଉପରେ ଆପଣାର ଯାବତୀୟ ଦାୟିତ୍ୱ ଓ କର୍ତ୍ତବ୍ୟକୁ ଉଜେଇଁଦେବାର କୌଣସି ଚଗଲାମି ଏଥିରେ ନାହିଁ । ଭୂଦାନର ବିଚାର ଆମେ ବୁଝିବା । ଯେଉଁ ସାମାଜିକ ଓ ନୈତିକ ବିପ୍ଳବର ସଙ୍କେତ ଦେଇ ଭୂଦାନ ଆନ୍ଦୋଳନ ଏ ଦେଶରେ ଚାଲିଛି, ସେହି ବିପ୍ଳବର ଆହ୍ୱାନକୁ ଆମେ ଆମ ଅନ୍ତର ଭିତରେ ଶୁଣିପାରିବା, ଅନୁଭବ କରିପାରିବା, ଏହି ଆହ୍ୱାନର ଜବାବ ଦେବା ଲାଗି ଆମେ ଅସ୍ଥିର ହୋଇପଡ଼ିବା । କାଲି ନଈବଢ଼ି ଯେମିତି ଆମକୁ ଦୁର୍ଗତ ମଣିଷର ସେବାଲାଗି ବାହାର କରିନେଲା, ଭୂଦାନ ମଧ୍ୟ ଦିନେ ଆମକୁ ସେମିତି ମୋହ ଓ ସବୁ ଅହଂକାର ଛଡ଼ାଇ ଦାଣ୍ଡକୁ ବାହାର କରିନେବ-। ସେତିକିବେଳେ ଆମେ ଭୂଦାନର ଯଥାର୍ଥ ସେବକ ହୋଇପାରିବା । ସେହିଦିନ କେବଳ ଆମର ସେବାଦ୍ୱାରା ଏହି ମହାନ୍ ଆନ୍ଦୋଳନ କିଞ୍ଚିତ୍ ଲାଭ ହୋଇପାରିବ ।

 

ମଣିଷର ସେଇ ପୁରୁଣା ଅହଂକାର ରହିଥିବ, ସେହି ପୁରୁଣା ସ୍ୱାଧିକାର ପ୍ରମତ୍ତତା ସମସ୍ତକୁ ବିବଶ କରି ରଖିବାର ବଡ଼େଇ କରୁଥିବ, ସେହି ପୁରୁଣା ଆଚାର ଓ ପୁରୁଣା ବିଚାର ଜୀବନକୁ ବ୍ୟାଧିଗ୍ରସ୍ତ କରି ରଖିଥିବ; ଅଥଚ ଗୋଟାଏ ନୂଆ ସ୍ଳୋଗାନ ବା ନୂଆ ଦଉଡ଼ଧାପଡ଼ର ଆଡ଼ମ୍ବରରେ ଆମେ ଯୁଗକୁ, ସମାଜକୁ ଓ ମଣିଷକୁ ବଦଳାଇ ଦେବାକୁ ଚାହୁଁଥିବା । ଏକଥା କୌଣସି ଦିନ ସମ୍ଭବ ହୋଇ ନ ଥାନ୍ତା, ଆଜି ମଧ୍ୟ ହୋଇପାରିବ ନାହିଁ । ଆମେ ଆମ ଅନ୍ତରକୁ ପ୍ରସ୍ତୁତ କରିବା, ଜୀବନକୁ ପ୍ରସ୍ତୁତ କରିବା, ସବୁ ପ୍ରକାର ଅହଂକାରଶୂନ୍ୟ ହୋଇଯିବା, ତେବେ ଦିନେ ଆପଣାକୁ ନିର୍ମଳ ସେବାରେ ବିତରିତ କରିଦେବାର ଆହ୍ୱାନ ବଳେ ଆସିବ । ସେଦିନ ଆମେ ଅତି ସ୍ୱାଭାବିକ ଭାବରେ ଅନ୍ତରର ଆହ୍ୱାନ ମାନି ଅତି ମୁକ୍ତ ଅପ୍ରମତ୍ତ ଭାବରେ ବାହାରି ଯାଇପାରିବ ।

 

୧୦ । ୧୧ । ୫୫

 

ଆମର ବିଦ୍ୟାଳୟକୁ ଏକ ଆନନ୍ଦ-ଭବନ କରିବା କଥା ଆଜିବି ମନେ ପଡ଼ୁଛି । ସଂସାରରେ ଅନେକ ପ୍ରକାରର ଆନନ୍ଦ ରହିଛି । ଅଫିମା ଅଫିମ ଖାଇବି ଆନନ୍ଦ ପାଏ, କୃପଣ ଧନ ସଞ୍ଚୟ କରି ଆନନ୍ଦ ପାଏ, ଆପଣାର କ୍ଷମତା ବିସ୍ତାର କରି କେହି କେହି ଆନନ୍ଦପା’ନ୍ତି । ଆପଣାର ବିଚାର ଓ ଆଦର୍ଶକୁ ଆଉ ପନ୍ଦର ଜଣଙ୍କ ଉପରେ ଲଦିବାର ଅତ୍ୟାଚାରୀ ଚେଷ୍ଟା ଜାରି ରଖି ମଧ୍ୟ ଅନେକ ଆନନ୍ଦ ପା’ନ୍ତି । ଆମ ଦେଶର ତଥାକଥିତ ବିଦ୍ୟାଳୟମାନଙ୍କରେ ଏହି ଅତ୍ୟାଚାର ଚିରଦିନ ହେଉଛି । ବିଦ୍ୟାଳୟର ଗଢ଼ଣ, ଚଳନ ଓ ଚାହାଣିରେ ଯେତେ ମଠାମଠି କଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରାୟ ସବୁ ବିଦ୍ୟାଳୟରେ ଏହି ଅତ୍ୟାଚାରୀ ମନୋଦୃଷ୍ଟି ବଳବତ୍ତର ରହିଛି । କେଉଁଠି ଗୋଟାଏ ସିଲାବସକୁ ଆଣି ପିଲା ଉପରେ ଲଦି ଦିଆଯାଉଛି, କେଉଁଠି ପିଲା ବୁଝୁ ନ ବୁଝୁ ନାନାପ୍ରକାର ଧନ୍ଦା ଓ ଫନ୍ଦାକୁ ପିଲା ଉପରେ ମନମୁଖୀ ଚଳାଇ ଦିଆଯାଉଛି । ଆମ ବିଦ୍ୟାଳୟମାନଙ୍କରେ ସୂତା କଟାଯାଉଛି, ଲୁଗା ବୁଣାହେଉଛି, ଆଉରି ଅନେକ ପ୍ରକାର ଧନ୍ଦା ଚାଲୁଛି । କାଗଜପତ୍ରର ହିସାବ ଓ କୋଟାପୂରଣ କରିବାରେ ହାକିମଙ୍କଠାରୁ ଆରମ୍ଭ କରି ଆଦେଶ ପାଳନ କରୁଥିବା ଶିକ୍ଷକ-ସିପାହି ପର୍ଯ୍ୟନ୍ତ ସମସ୍ତେ ବେଶ୍ ମସ୍ତ ଓ ବ୍ୟସ୍ତ ରହିଛନ୍ତି । ସେତକ କରିଦେଇ ସେମାନେ ସନ୍ତୋଷବି ପାଉଛନ୍ତି । କିନ୍ତୁ ଏଣେ ପିଲା ଯେଉଁ ଅନ୍ଧାରକୁ ସେଇ ଅନ୍ଧାରରେ ପଡ଼ିଛି । ପାଠ ମୁଖସ୍ଥ କରିବାର ବା ଧନ୍ଦା ଶିଖିବାର କସରତ୍ କରି ତା’ର ସବୁ ସ୍ଫୁର୍ତ୍ତି କୁଆଡ଼େ ମରିଯାଉଛି । ପ୍ରଧାନତଃ ସେ ବାଧ୍ୟହୋଇ ସବୁ କଥା କରୁଛି । ବାଧ୍ୟ ହୋଇ ପାଠ ପଢ଼ୁଛି, ବାଧ୍ୟହୋଇ ସୂତା କାଟୁଛି, ବାଧ୍ୟହୋଇ ବଗିଚାକାମ କରୁଛି, ବାଧ୍ୟହୋଇ ପ୍ରାର୍ଥନାଧାଡ଼ିକୁ ଯାଉଛି । ବୟସ୍କ ବିଧାୟକ କରିଦେଇଥିବା ରୁଟିନ୍ ଅନୁସାରେ ଆମ ଦେଶର ବାଳକ-ବାଳିକା ବିଦ୍ୟାଳୟର ଡ୍ରିଲ୍-ଘରେ ନିତି ଏମିତି ବସ ଉଠ, ଯାଆସ କରୁଛନ୍ତି ।

 

ଏମିତି ବ୍ୟବସ୍ଥାକୁ ଚାଲୁ ରଖିଥିବା ପର୍ଯ୍ୟନ୍ତ ଆମେ ପିଲା କି ଶିକ୍ଷକ କାହାରି ଲାଗି ଆନନ୍ଦ ସୃଷ୍ଟି କରିପାରିବା ନାହିଁ । ପିଲା ବାଧ୍ୟ ହୋଇ ପାଠ ପଢ଼ିବ, ଖାଲି କର୍ତ୍ତବ୍ୟ ରକ୍ଷା କରିବାକୁ ଶିକ୍ଷକ ପାଠ ପଢ଼ାଇବ ବା ଧନ୍ଦା ଶିଖାଇବ । ବିଦ୍ୟାଳୟକୁ ଆନନ୍ଦ-ଭବନ କରି ଗଢ଼ିବାର ସ୍ୱପ୍ନ ଆମର ଖାଲି ସ୍ୱପ୍ନରେହିଁ ରହିଯିବ । ଏ ଦେଶର ଶିକ୍ଷାକ୍ଷେତ୍ରରେ ବୟସ୍କ ମନର ଅଲକ୍ଷଣା ଆତ୍ମପ୍ରତିଷ୍ଠା କରିବାର ଉଦ୍ୟମ ଚାଲିଥିବ । ଆମର ଶିକ୍ଷାକୁ ଆନନ୍ଦର ଭୂମି ଉପରେ ପ୍ରତିଷ୍ଠିତ କରିବାକୁ ହେଲେ ଆଗ ଆମର ମନକୁ ବଦଳାଇବାକୁ ପଡ଼ିବ । ଆମର ଆପଣା ଆଦର୍ଶ, ଆପଣା ରୁଚି ଓ ଆପଣା ମତବାଦ ବିଷୟରେ ଆମକୁ ଅନେକ ଉଦାର ହେବାକୁ ପଡ଼ିବ । ବିଦ୍ୟାଳୟକୁ ଆସୁଥିବା ପ୍ରତ୍ୟେକ ବିଦ୍ୟାର୍ଥୀକୁ ଆମେ ଯଥୋଚିତ ଶ୍ରଦ୍ଧା ଓ ସମ୍ମାନ କରିବା । ପ୍ରତ୍ୟେକ ବିଦ୍ୟାର୍ଥୀର ଆଶା ଆଉ ଆକାଂକ୍ଷାକୁ ସମ୍ମାନ କରିବା, ତା’ର ସମ୍ଭାବ୍ୟ ଜୀବନକୁ ସମ୍ମାନ କରିବା । ପ୍ରତ୍ୟେକ ଜୀବନ-କଳିକୁ ତା’ର ଆପଣା ରୀତିରେ ସ୍ୱତନ୍ତ୍ର ଧାରାରେ କୁସୁମିତ ହେବାକୁ ଦେବାର ଭଦ୍ରତା ଆମର ରହିବ । ବିଦ୍ୟାଳୟରେ ଇତିହାସ, ଭୂଗୋଳକୁ ଗୁଡ଼ାଏ ଘୋଷାଇ ପକାଇବା, ଗୁଡ଼ାଏ ସୂତା କଟାଇ ପକାଇବା ବା ଲୁଗା ବୁଣାଇପକାଇବା ଅପେକ୍ଷା ଶ୍ରଦ୍ଧାର ଏକ ବାତାବରଣ ସୃଷ୍ଟି କରିବା ଆମର ପ୍ରଧାନତର ଲକ୍ଷ୍ୟ ହୋଇ ରହିବ । ଆଜି ନାନା ଭେକ ଧରି ଚାଲୁଥିବା ନାନା ନାମର ବିଦ୍ୟାଳୟମାନଙ୍କରେ ଯେଉଁ ରୁଟିନ୍‌ର ରାଜତ୍ୱ ଚାଲିଛି, ଯଥେଷ୍ଟ ଶ୍ରଦ୍ଧା ଦେଇ ସେହି ରାଜତ୍ୱକୁ ଶେଷ କରିଦେବାକୁ ପଡ଼ିବ । ପିଲା ପାଠ ପଢ଼ୁ, ସୂତା କାଟୁ କି ଯାହା କରୁ, ଏକ ସ୍ୱତଃପ୍ରବୃତ୍ତ ଶ୍ରଦ୍ଧାଦ୍ୱାରା ପ୍ରେରିତ ହୋଇ ସେ ତାହା କରୁ, ଏହାହିଁ ଆମର ଆଦର୍ଶ ରହିବା ଉଚିତ । ମୁଁ କାହାରି ଭୟରେ ପାଠ ପଢ଼ୁ ନାହିଁ, କାହାରି ଭୟ ବା ଚାପରେ ମୁଁ ସୂତା କାଟୁ ନାହିଁ, ଏପରି ନିର୍ଭୀକ କଥା ଆମ ବିଦ୍ୟାଳୟର ପିଲାଏ ଯେଉଁ ଦିନ କହିପାରିବେ, ସେହିଦିନ ଆମ ଦେଶର ପିଲାଙ୍କ ଲାଗି ଆନନ୍ଦ-ଭବନର ମୂଳଦୁଆ ପଡ଼ିବ । ଆଜି ଅତି ନମ୍ରଭାବରେ ଆମକୁ ଅପସରିଯିବାକୁ ପଡ଼ିବ, ପିଲାର ବାଟରୁ ହଟିଯିବାକୁ ପଡ଼ିବ । ବୟସ୍କତାର ସମସ୍ତ ସଂସ୍କାରଗତ ଅହଂକାର ଜାରି କରି ପିଲାର ତଣ୍ଟି ଚିପିଦେବାର ଖୋଇ ଛାଡ଼ିଦେବାକୁ ପଡ଼ିବ । ମୁଁ ଯେଉଁ ପରି ଶିକ୍ଷାକୁ ସମର୍ଥନ କରୁଛି, କେବଳ ସେହିପରି ଶିକ୍ଷାଦ୍ୱାରାହିଁ ସବୁ ପିଲାଙ୍କର ମଙ୍ଗଳ ହେବ; କେବଳ ତାହାରିଦ୍ୱାରାହିଁ ପିଲାଏ ସୁନ୍ଦର, ସମତୁଲ ଓ ସୁସ୍ଥ ଜୀବନ ଗଢ଼ି-ପାରିବେ, ଏପରି ଦମ୍ଭ ମୋତେ ଛାଡ଼ିବାକୁହିଁ ପଡ଼ିବ । ଏ ଦେଶରେ ପିଲାଙ୍କୁ ଆନନ୍ଦ ଦେବ ବୋଲି ଯିଏ ଆଜି କଳ୍ପନା କରୁଛି, ଏ ଦେଶରେ ଜୀବନରେ ସରସତା ଓ ନିର୍ଭୀକତା ସହଜ ପ୍ରକାଶ ଆଣିବାର ସ୍ୱପ୍ନ ଯିଏ ଦେଖୁଛି, ତାକୁ ଅନେକ ଶ୍ରଦ୍ଧା ଓ ଅନେକ ଉଦାହରଣଦ୍ୱାରା ଏ କାମରେ ହାତ ଦେବାକୁ ହେବ।

 

ସଂସାରରେ ଆଜି ଆଦର୍ଶବାଦର ଲଢ଼େଇ ଚାଲିଛି । ସଂସାରରେ ପ୍ରତ୍ୟେକ ମତବାଦର ଶାସକ କେବଳ ତା’ର ମନମୁତାବକ ଶିକ୍ଷାକ୍ରମକୁ ବିଦ୍ୟାଳୟ ଉପରେ ମଡ଼ାଇଦେବାକୁ ଇଚ୍ଛା କରୁଛି-। ସମାଜର ସେବକ ପ୍ରତ୍ୟକ୍ଷରେ ହେଉ ବା ପରୋକ୍ଷରେ ହେଉ, ଆପଣାର ବିଚାରକୁ ପିଲାର ମନ ଉପରେ ଲଦି ଦେବାକୁ ଚାହୁଁଛି । ପିଲା କେତେ ଦୂର ତା’ର ବିଚାରର ଛାଞ୍ଚ ଅନୁଯାୟୀ ଆପଣାକୁ ଚଳାଇ ପାରିଲା ବା ନ ପାରିଲା, ସେହି ଅନୁସାରେ ସେ ପିଲାର ପାଠ, ସ୍ୱଭାବ ଓ ଚରିତ୍ରର ବିଚାର କରୁଛି । ସେହି ମୋହର ତରାଜୁରେ ତଉଲି ସେ ପିଲାର ନମ୍ରତା ବା ଉଦ୍ଧତତା ପରୀକ୍ଷା କରୁଛି-। ପିଲାର ଜୀବନ ଗଢ଼ିବା ଅପେକ୍ଷା ଆପଣା ମତ ଓ ଖିଆଲକୁ ପିଲା ଉପରେ ଲଦିଦେବା ବର୍ତ୍ତମାନ ବୟସ୍କ ବ୍ୟବସ୍ଥାପକର ପ୍ରଧାନ ମତଲବ ହୋଇଛି । ଯେଉଁଠି ଜବରଦସ୍ତି ଥାଏ, ଯେଉଁଠି ବାଦ ପ୍ରଚାରର ଗନ୍ଧ ଥାଏ, ସେଠି କୌଣସି ପ୍ରକାରେ ସ୍ୱାଭାବିକ ଆନନ୍ଦ ସମ୍ଭବ ହୋଇପାରେ ନାହିଁ-। ଆପଣା ଖୁଆଡ଼କୁ ସମସ୍ତଙ୍କୁ ଅଡ଼ାଇଆଣି ଆପଣା ଅହଂକାରକୁ ପରିପୁଷ୍ଟ କରିବାର ଉତ୍ତେଜନାରେ ବିଦ୍ୟାଳୟର ପବିତ୍ରତାକୁ ନଷ୍ଟ କରି ଦିଆଯାଏ । ବିଦ୍ୟାଳୟକୁ ଆନନ୍ଦଭବନ କରିବାର ସ୍ୱପ୍ନକୁ ଅତି ତାଚ୍ଛଲ୍ୟର ସହିତ ଫୋପାଡ଼ି ଦିଆଯାଏ । ଆମର ଅହଂକାରଦ୍ୱାରା ନୁହେଁ, ଆମର ମୋହ ବୁଦ୍ଧିର ତାପଦ୍ୱାରା ନୁହେଁ, କେବଳ ଆମର ଶ୍ରଦ୍ଧାଦ୍ୱାରାହିଁ ଆମର ବିଦ୍ୟାଳୟ ଆନନ୍ଦଭବନ ହୋଇପାରିବ-

 

୧୧ । ୧୧ । ୫୫

 

ଆଜି ଜନ୍ମଦିନରେ ଆପଣାକୁ ଠିକ୍ ଶିଶୁଟି ପରି ଲାଗୁଛି । ତିରିଶବର୍ଷ ବୟସର ସବୁ ଉପାର୍ଜନ ଓ ଅଭିମାନ ଆଜି ଦେହ ଉପରୁ ଖସିପଡ଼ିଲା ପରି ଲାଗୁଛି । ଜୀବନଟା ବଡ଼ ହାଲୁକା ମନେହେଉଛି । ଆଗରୁ ରାସ୍ତା ଆଖି ଦୁଇଟାକୁ ବହୁତ ଦୂର ଟାଣିନେଉଛି । ଜୀବନ ବିଷୟରେ ସବୁ ପ୍ରକାର ଅଳସ ଭାବନା ଦୂରକୁ ହଟିଯାଉଛି । ଆଜି ବାର ବାର ଶିଶୁର କ୍ଷୁଧା, ଶିଶୁର ଜିଜ୍ଞାସା ଓ ଶିଶୁର ସ୍ନେହଶୀଳତାରେ ଅନ୍ତର ମନ ପୂରିଉଠୁଛି । ଆମ ଘରମାନଙ୍କରେ ଜନ୍ମଦିନକୁ ଗୋଟାଏ ଉତ୍ସବ ପରି ପାଳନ କରାଯାଏ । କେତେ ପିଠାପଣା ହୁଏ, କେତେ ସରାଗ ଓ ଆଦରରେ ପୂଜା ଓ ବନ୍ଦାପନା ହୁଏ । ମଣିଷର ବୟସ ଯେତେ ବେଶି ହୋଇଥିଲେ ମଧ୍ୟ ସେହି ଜନ୍ମଦିନରେ ତାକୁ ସମସ୍ତେ ପିଲାଟିପରି ଭାବନ୍ତି, ପିଲାର ଆନନ୍ଦ ଦିଅନ୍ତି । ସବୁ ବୟସର ବୟସ୍କତାକୁ ଡେଇଁ ମଣିଷ ସେଦିନ ସତକୁ ସତ ପିଲାଟିଏ ହୋଇଯାଏ । ନୂଆ ଆନନ୍ଦ ଆଉ ନୂଆ ମନରେ ପୁଣି ଆପଣାର ଜୀବନ ଆରମ୍ଭ କରେ । ଆମର ବୟସ ବା ଆମର ବୁଢ଼ା ହେବା ଆମ ଜୀବନର ସମସ୍ତ କଥା ନୁହେଁ । ଆମର ବିକାଶ ଓ ଆମର ଆନନ୍ଦ, ଆମର ଜିଜ୍ଞାସା ଓ ଆମର ଶ୍ରଦ୍ଧା ଆମର ବାଳ ପାଚିବା ସତ୍ତ୍ୱେ ଯେ ଆମକୁ ପିଲାଟି ପରି ସରସ କରି ରଖେ, ଆମ ସମସ୍ତଙ୍କୁ ଏହି ସତ୍ୟଟି ଅନୁଭବ କରିବାକୁ ହେବ । ଏହି ଅନୁଭବ ଲାଭ କରିବାରେ ଆମକୁ ଅଧିକ ପ୍ରେରଣା ଦେବାକୁ ସମାଜର ଅଭିଜ୍ଞ ମଣିଷ ଜନ୍ମଦିନ-ଉତ୍ସବର ସୃଷ୍ଟି କରିଛି । ବରଷକରେ ଅନ୍ତତଃ ଦିନେ ଏ ସଂସାରର ମଣିଷ ଆପଣାକୁ ବିରାଟ ଶିଶୁ ବୋଲି କଳ୍ପନା କରୁ, ସେଇଥିଲାଗି ଜନ୍ମଦିନ-ଉତ୍ସବ ମଣିଷ ଲାଗି ଏତେ ଆଦରର ବ୍ୟବସ୍ଥା କରିଯାଇଛି ।

 

ଖାଲି ଉପଭୋଗ କରିବା ଲାଗି ସଂସାରରେ ମଣିଷର ଜନ୍ମ ହୋଇ ନାହିଁ । ଉପଭୋଗ ପଛରେ ଧାଇଁ ବୁଲିବାକୁ ଯିଏ ଏକମାତ୍ର ଜୀବନ ବୋଲି ଗ୍ରହଣ କରିଛି, ଶାରୀରିକ ବାର୍ଦ୍ଧକ୍ୟ ଆସିବା ପୂର୍ବରୁ ହୁଏତ ସେ ବୁଢ଼ା ହୋଇ ବସିବ, ଅତି କ୍ଳାନ୍ତ ହୋଇପଡ଼ିବ । ଅନେକ ସମୟରେ ସଂସାରରୁ ଦେଖି ଓ ନାନା ଭ୍ରାନ୍ତିରେ ପଡ଼ି ଆମେ ଉପଭୋଗକୁହିଁ ଜୀବନ ବୋଲି ଧରିନେଉ । ସେହିପରି ଗୋଟିଏ ଭ୍ରାନ୍ତ ବର୍ତ୍ତମାନ ଆମ ସମାଜର ନୀତି ଓ ବିବେକକୁ କାମୁଡ଼ି ଧରିଛି । ଯୌବନ ଆସି ପହଞ୍ଚିବା ପୂର୍ବରୁ ଆମେ ଯୌବନର ନାନା ଉପଭୋଗରେ ମାତିବାକୁ ଆରମ୍ଭ କରିଦେଉଛୁ । ନାନାପ୍ରକାର ଆଭରଣରେ ଜୀବନଟାକୁ ଜଟିଳ କରି ଦେଖାଇ ଆମେ ଆବଶ୍ୟକତା ବଢ଼ାଇବାର ଓ ଉପଭୋଗ କରିବାର ନିଶା ଖାଇବସିଛୁ । ଛାତ୍ରାବସ୍ଥାକୁ ଆଗେ ଆମ ଦେଶର ଜୀବନକୁ ଓ ଅଭ୍ୟାସକୁ ସଂଯତ ଓ ପରିପକ୍ୱ କରିବାର ଅବସ୍ଥା ବୋଲି ଧରାଯାଉଥିଲା । ଆମ ଦେଶର ଛାତ୍ର ଆପଣାକୁ ନାନାପ୍ରକାର ଶୃଙ୍ଖଳା ଭିତରେ ଆପଣା ଜୀବନର ଆବିଷ୍କାର କରିବାକୁ ଆପଣାର ସବୁଠାରୁ ବଡ଼ କର୍ତ୍ତବ୍ୟ ବୋଲି ମନେ କରୁଥିଲା । ଆଜି ସେପରି ହେଉ ନାହିଁ । ଆଜି ଉପଭୋଗହିଁ ଜୀବନର ମାନଦଣ୍ଡ ହୋଇଛି । ଉପଭୋଗହିଁ ଖାତିର ପାଇବାର ମେରୁଦଣ୍ଡ ହୋଇଛି । ମଣିଷ ଯେପରି ଅଧିକରୁ ଅଧିକ ଉପଭୋଗ କରିପାରିବ, ଉପଭୋଗର ଅଧିକାଧିକ ସାମଗ୍ରୀ ସହିତ ଆପଣାର ଇହ ଜୀବନକୁ ଗୁନ୍ଥି ଦେଇପାରିବ, ସେଇଥିଲାଗି ଘରେ, ବାହାରେ ନାନା ବ୍ୟବସ୍ଥା ହେଉଛି । ପାଠ ପଢ଼ିବା ଓ ବିଦ୍ୟା ଅର୍ଜନ କରିବାକୁ ମଧ୍ୟ ଉପଭୋଗୀ ଜୀବନର ଦାସୀ କରି ରଖାଯାଇଛି । ଯିଏ ବେଶି ପାଠ ପଢ଼ିବ, ସିଏ ପାଠକୁ ବିକି ସେତେ ଅଧିକା ପଇସା ରୋଜଗାର କରିପାରିବ, ଉପଭୋଗର ସେତେ ବେଶି ସାମଗ୍ରୀ ଭିତରେ ଜୀବନକୁ ବ୍ୟସ୍ତ କରି ରଖିପାରିବ । ଏହାହିଁ ଆଜି ଆମ ସମାଜର ଆଚରିତ ଉଦ୍ଦେଶ୍ୟ ହୋଇଛି । ବାପ, ମାଆ, ପରିବାର, ସଂସାର, ଶିକ୍ଷକ ଓ ପାଠ ସମସ୍ତେ ମିଶି ଆଜି ଆମକୁ ଉପଭୋଗର ଅଧୀନ କରି ରଖି ଶୀଘ୍ର ବୁଢ଼ା କରିଦେବାର ଷଡ଼ଯନ୍ତ୍ର ଚଳାଇଛନ୍ତି ।

 

ଉପଭୋଗ କରିବା ଯଦି ଆମ ଜୀବନର ଉଦ୍ଦେଶ୍ୟ ହୋଇଥାଆନ୍ତା, ତେବେ ଲକ୍ଷ୍ମୀବଜାରର କୋଠାଘର ଛାଡ଼ି ଆମେ ଜାଣିଶୁଣି ଏ ଅରଣ୍ୟର ବିଦ୍ୟାଳୟକୁ ଆସି ନ ଥାନ୍ତେ । ଆପଣାକୁ ନାନାପ୍ରକାର ସାମଗ୍ରୀଦ୍ୱାରା ଆବୃତ ଓ ବିକ୍ଷିପ୍ତ କରି ନୁହେଁ, ଆପଣାର ଆଗ୍ରହକୁ ଅଧିକ ଉନ୍ନତ କରିବାକୁ ଆମେ ଏଠିକୁ ଆସିଛୁ । ଯେଉଁ ପକ୍ଷୀଜାତି ବସନ୍ତ ଋତୁର ଅନୁସନ୍ଧାନ କରି ସଂସାରର ଏଣେତେଣେ ନାନା ଦେଶରେ ଓ ନାନା କଟିବନ୍ଧରେ ଆପଣା ଲାଗି ବିଭିନ୍ନ ସମୟରେ ନୀଡ଼ ରଚନା କରନ୍ତି, ସେହି ପକ୍ଷୀଜାତିର ଧର୍ମ ନେଇ ଆମେ ଏଠାରେ ସମବେତ ହୋଇଛୁ । ଏହିପରି ନାନା ଆଡ଼େ ବିଚରଣ କରିବାର ଆଗ୍ରହ ରଖିଥିଲେ ମଣିଷ ଯୁଆଡ଼େ ଯିବ, ସେଠି ବସନ୍ତର ଅନୁଭବ ଲାଭ କରିପାରିବ । ଗୋଟାଏ ପରିଧି ଭିତରେ ଆବଦ୍ଧ ରହିଗଲେ ଦିନେ ନା ଦିନେ ବାର୍ଦ୍ଧକ୍ୟ ଆସିବ, ଜୀବନ-ଝରଣାର ରସ-ପ୍ରବାହ ବନ୍ଦ ହୋଇଯିବ । ଆମେ ସାରା ଜୀବନ ସବୁଠାରେ ପିଲାର ଆଗ୍ରହ ରଖିଥିବା । କୌଣସି ପ୍ରକାର ମୋହାୟତନରେ ଆମେ ଆପଣାକୁ ବାନ୍ଧି ପକାଇବା ନାହିଁ । ଠିକ୍ ଏହିପରି ଗୋଟାଏ ଉତ୍ସାହ ରଖିଥିଲେ ଆମେ ବାର୍ଦ୍ଧକ୍ୟକୁ ଜୟ କରିପାରିବା । ବୟସକୁ ଜୟ କରିପାରିବା । ସବୁ ପ୍ରକାର ଅହଂକାର ଓ ମୋହ ମଣିଷକୁ ବୁଢ଼ା ହେବାର ବିପଦରେ ଆଣି ପକାଇଦିଏ, ସବୁ ପ୍ରକାର ଦୁର୍ବଳ ସଂସ୍କାର ମଣିଷକୁ ଶୀଘ୍ର ସ୍ଥାବର କରିପକାଏ, ସବୁ ପ୍ରକାର ଶ୍ରଦ୍ଧା ମଣିଷକୁ ଶିଶୁର ଜିଜ୍ଞାସା ଧରି ବଞ୍ଚିରହିବାକୁ ଅଧିକ ଶକ୍ତି ଦିଏ । ଆମେ ଆମର ସବୁ ଅହଂକାର ଓ ଅଭିମାନ ଛାଡ଼ିଦେବା । ଆମେ ସମ୍ପତ୍ତିର ଅଭିମାନ ଛାଡ଼ିବା, ବାବୁ ହେବାର ଅଭିମାନ ଛାଡ଼ିବା, ଜ୍ଞାନର ମଧ୍ୟ ଅଭିମାନ ଛାଡ଼ିବା । ପ୍ରତ୍ୟେକ ଦିନ ଆମେ ନବଜୀବନର ଅନୁଭୂତି ଲାଭ କରିବାକୁ ଚେଷ୍ଟା କରିବା । ପ୍ରତ୍ୟେକ ଦିନ ଆମର ନବଜନ୍ମ ହେଉଥିବ । ତେବେ ଯାଇ ଆମେ ଯଥାର୍ଥ ଭାବରେ ଜନ୍ମଦିନର ଆନନ୍ଦ ପାଇପାରିବା, ଜନ୍ମଦିନର ମହତ୍ତ୍ୱକୁ ବୁଝିପାରିବା । ଋକ୍ ବେଦର ଋଷି ସୋମ ଦେବତାଙ୍କୁ ଠିକ୍ ଏହି ପ୍ରାର୍ଥନା ଜଣାଇଥିଲେ, “ମାଷୁଶଃ ସୋମ ମୃତ୍ୟବେ ପରା ଦାଃ ପଶ୍ୟେମନୁ ସୂର୍ଯ୍ୟମୁଚ୍ଚକନ୍ତମ୍ (୧୦।୪।୫୯-୪)–ହେ ସୋମ, ମୃତ୍ୟୁ ପ୍ରାପ୍ତ କରିବା ଲାଗି ଆମକୁ କଦାପି ପରିତ୍ୟକ୍ତ କର ନାହିଁ, ଅର୍ଥାତ୍ ଆମକୁ ମୃତ୍ୟୁ ଆଡ଼କୁ ଯିବାକୁ ଦିଅ ନାହିଁ । ଆମେ ସର୍ବଦା ଉଦୟ ହେଉଥିବା ଆକାଶଚାରୀ ସୂର୍ଯ୍ୟର ଦର୍ଶନ କରୁଥାଉ ।”

 

୧୪ । ୧୧ । ୫୫

 

୧୯୪୫ ମସିହା ଅକ୍ଟୋବର ଚବିଶ ତାରିଖ ଦିନ ସାନ୍‌ଫ୍ରାନସିସ୍କୋ ସହରରେ ଜାତିସଂଘର ପ୍ରଥମ ଜନ୍ମ ହୋଇଥିଲା । ସେହିଦିନଠାରୁ ପ୍ରତ୍ୟେକ ବର୍ଷ ଏହି ଦିନଟିରେ ନାନା ଦେଶରେ ଜାତିସଂଘ ଦିବସ ପାଳିତ ହୁଏ । ଆମ ଦେଶର ସରକାରଙ୍କ ଉଦ୍ୟମରେ ମଧ୍ୟ ଏହି ଜନ୍ମଦିବସଟି ପାଳନ କରାଯିବାର ଚେଷ୍ଟା କରାଯାଏ । ଏ ଦେଶର ଶତକଡ଼ା ଅଶୀ ଲୋକ ହୁଏତ ଜାତିସଂଘ କହିଲେ କିଛି ବୁଝନ୍ତି ନାହିଁ । ତେଣୁ ଲୋକଙ୍କର ହୋଇ ଏ ଦେଶର ସରକାର ଭାରତରେ ଜାତିସଂଘର ଉତ୍ସବଟି ପାଳିତ ହେବା ବ୍ୟବସ୍ଥା କରେ । ସେଥିଲାଗି ଏ ଉତ୍ସବଟିରେ ଅନେକ ସମୟରେ ସରକାରୀ କାଇଦାର ଗନ୍ଧ ଏତେ ପ୍ରବଳ ହୋଇଉଠେ ଯେ ଉତ୍ସବଟିର ସ୍ୱାଭାବିକତା ସହଜରେ ଧରାପଡ଼େ ନାହିଁ । ଏ ବର୍ଷ ସେହିପରି ଏକ ଘଟନା ଘଟିଲା । ଏ ବର୍ଷ ଦଶହରା ଛୁଟିଟି ଭିତରେ ଜାତିସଂଘ-ଦିବସଟି ପଡ଼ିଲା । ସେଦିନ ସରକାରୀ ହାକିମ ଓ ଅମଲା ସହରରେ ନଥିଲେ । କୌଣସି କଚେରି ବା ଅଫିସ ଖୋଲି ନଥିଲା । ତେବେ ଜାତିସଂଘର ଜନ୍ମତିଥିକୁ ପାଳନ କରନ୍ତା କିଏ ? ସତେ ଅବା କଚେରି, ଅଫିସ, ହାକିମ ବା ଅମଲାଙ୍କ ଛଡ଼ା ଦେଶ କହିଲେ ଏ ଅସହାୟ ଦେଶରେ ଆଉ କିଛି ବୁଝାଏ ନାହିଁ । ଏହିସବୁ ଅସୁବିଧା ଦୃଷ୍ଟିରୁ ଦେଶର ବଡ଼ବଡ଼ ହାକିମ ଓ ଶାସକମାନେ ଗୋଟାଏ ନୂଆ ବୁଦ୍ଧି ପାଞ୍ଚିଲେ । ଅକ୍ଟୋବର ଚବିଶ ତାରିଖ ଦିନ ସଂସାରଟାଯାକ ଜାତିସଂଘର ଜନ୍ମଦିବସ ପାଳନ କରନ୍ତୁ, ଆମର ଆଉ ଦିନେ ପାଳନ କରିବା । ଏହି ନୀତିରେ ଆମ ଓଡ଼ିଶାରେ ନଭେମ୍ବର ମାସ ୧୨ ତାରିଖରେ ଉତ୍ସବଟି ପଡ଼ିଲା । ଆଗରୁ ସରକାରୀ ଚିଠିପତ୍ରମାନ ସ୍କୁଲମାନଙ୍କୁ ପଠାଗଲା । ପିଲାଙ୍କୁ ବାଣ୍ଟିବା ଲାଗି ପତାକାମାନ ମାଷ୍ଟରଙ୍କ ମାର୍ଫତରେ ଦିଆଗଲା, ଇତ୍ୟାଦି ଇତ୍ୟାଦି । ଉପରୁ ନିର୍ଦ୍ଦେଶ ପାଇ ସେଦିନ ମାଷ୍ଟରମାନେ ଶୋଭାଯାତ୍ରା ଓ ସଭାମାନ କରିଥିବେ । ଉପର ହାକିମଙ୍କର ମର୍ଜି ଅନୁସାରେ ସ୍କୁଲରେ ଉତ୍ସବଟି ଯେପରି ଭାବରେ ପାଳିତ ହେଲା, ତା’ର ଏକ ବିବରଣୀ ସରକାରୀ ଭାବରେ ଲେଖି ପଠାଇଥିବେ ।

 

ସଂସାରରେ ମଣିଷ ମଣିଷକୁ ଘୃଣା କରୁଛି । ମଣିଷ ମଣିଷର ବନ୍ଧୁ ହୋଇ ରହିପାରନ୍ତା; ମଣିଷ ମଣିଷ ସହିତ ଆଜି ଜୀବନର ହାଟରେ ପ୍ରତିଯୋଗିତା କରି ଆପଣାର ଶକ୍ତି ସାରୁଛି । ମଣିଷ ମଣିଷ ସହିତ ସହଯୋଗ କରିପାରିଲେ ଆପଣା ଶକ୍ତିର ଅଧିକ ସଦ୍‌ବ୍ୟବହାର କରିପାରନ୍ତା । ନାନାପ୍ରକାର କ୍ଳିଷ୍ଟ ଜାତୀୟତା, ଦେଶ, ଧର୍ମ ଓ ସଭ୍ୟତାର ମୋହାବରଣ ଭିତରେ ପଡ଼ି ମଣିଷ ମଣିଷଠାରୁ ବିଚ୍ଛିନ୍ନ, ତ୍ରସ୍ତ ଓ ଉତ୍ତେଜିତ ହୋଇ ରହିଛି । କିନ୍ତୁ ପ୍ରତ୍ୟେକ ମଣିଷର ଜୀବନକୁ ସମ୍ମାନ ଦେଇପାରିଲେ ସେ ସଂସାରରେ ନାନା ଧର୍ମ ଓ ନାନା ଦୃଷ୍ଟିର ସମନ୍ୱୟ କରିପାରନ୍ତା, ସଂସାରରେ ଅଧିକ ଶାନ୍ତି ଓ ଅଧିକ ଆନନ୍ଦ ସମ୍ଭବ କରିପାରନ୍ତା । ମଣିଷ ଆଜି ଯେଉଁ ଦଶାରେ ପଡ଼ିଛି, ତାହାକୁ ଦୁର୍ଦ୍ଦଶାହିଁ କହିବାକୁ ହେବ । ଏହି ଦୟନୀୟ ଦୁର୍ଦ୍ଦଶା ଦୂର କରିବାଲାଗି, ସବୁ ମଣିଷଙ୍କର ଶକ୍ତିକୁ ଠୁଳ କରିବା ଲାଗି ଦଶବର୍ଷ ତଳେ ଜାତିସଂଘର ସୃଷ୍ଟି ହୋଇଥିଲା । ସଂସାରରେ ଶାନ୍ତି ଓ ମିତ୍ରତା କାମନା କରିହିଁ ଏହି ଅପୂର୍ବ ଅନୁଷ୍ଠାନ ଜନ୍ମଲାଭ କରିଥିଲା । ପୃଥିବୀରେ ସମସ୍ତଙ୍କର ସଦିଚ୍ଛା ଓ ସହଯୋଗରେ ସବୁ ମଣିଷର ରୋଗ ଓ ଦାରିଦ୍ର୍ୟ ଦୂର ହୋଇପାରିବ, ଆକାଶତଳେ ସବୁ ପିଲା ଓ ବୟସ୍କ ପାଠପଢ଼ି ସଂସାରରେ ସୁସ୍ଥ ନାଗରିକ ହେବାକୁ ସୁଯୋଗ ପାଇବେ, ମଣିଷର ଆୟୁଃକୁ ଖାଇଯାଉଥିବା ଭୟାବହ ରୋଗମାନଙ୍କ ବିରୁଦ୍ଧରେ ଚିକିତ୍ସାର ଶକ୍ତିଶାଳୀ ଅଭିଯାନ ଚାଲିବ । ମଣିଷର ଧ୍ୱଂସ ଲାଗି ନୁହେଁ, କିନ୍ତୁ ମଣିଷର ସମୃଦ୍ଧି ଲାଗି ସଂଯୁକ୍ତ ଯୋଜନାରେ ବିଜ୍ଞାନର ବିବେକପୂର୍ଣ୍ଣ ନିୟନ୍ତ୍ରଣ ହୋଇପାରିବ, ଜାତିସଂଘ ପଛରେ ଏହି ମହତ୍ ଉଦ୍ଦେଶ୍ୟମାନ ଥିଲା–ଆଜି ମଧ୍ୟ ରହିଛି । କିନ୍ତୁ ଦୁର୍ଭାଗ୍ୟବଶତଃ ଜାତିସଂଘ ଆଜି ରାଜନୈତିକ ପକ୍ଷମାନଙ୍କ କବଳରେ ପଡ଼ିଛି । ସେଥିଲାଗି ଜାତିସଂଘର ଆଲୋଚନା-ମନ୍ଦିରରେ ମଣିଷ ବିରୁଦ୍ଧରେ ମଣିଷ ଠିଆ ହୋଇ ଆଜି ବେଶ୍ କଳହ କରିପାରୁଛି, ବେଶ୍ ଆପଣାର ସ୍ୱାର୍ଥଜନିତ ଭୟକୁ ପ୍ରକଟ କରିପାରୁଛି, ନାନାପ୍ରକାର ଅସଦୁପାୟରେ ବେଶ୍ ମଣିଷକୁ ମଣିଷ ସହିତ ଲଢ଼େଇ ଦେଇପାରୁଛି । ଏ ଯୁଗର ଘୃଣା ଓ ଏ ଯୁଗର ରାଜନୀତିକୁ ପୁଞ୍ଜି କରି ଧରିଥିବା ଲୋକଙ୍କର ବା ଦୃଷ୍ଟିକୋଣର ଆୟତ୍ତରେ ଥିବାଯାଏଁ ଜାତିସଂଘ ଆପଣା ଲକ୍ଷ୍ୟରେ ବେଶିଦୂର ଆଗେଇ ପାରିବ ନାହିଁ । ସାରା ପୃଥିବୀର ଶିକ୍ଷକ, ସାରା ପୃଥିବୀର ଦାର୍ଶନିକ ଓ ବୈଜ୍ଞାନିକ ଏହି ଅନୁଷ୍ଠାନର ସୂତ୍ରଧର ହୋଇ ରହିବା ଉଚିତ । ଶିକ୍ଷା ଓ ସେବାର ସୂତ୍ରଦ୍ୱାରାହିଁ ସଂସାରର ବିଚ୍ଛିନ୍ନ ମଣିଷ-ମନକୁ ପୁଣି ଏକତ୍ର ଏକନିଷ୍ଠ ଓ ଶ୍ରଦ୍ଧାଶୀଳ କରି ବାନ୍ଧିବା ସମ୍ଭବ ହେବ । ପ୍ରତିବର୍ଷ କେବଳ ପୃଥିବୀର କେତେଟା ଜାଗାରେ ଯୁଦ୍ଧ ବନ୍ଦ କରିବାର କଥାବାର୍ତ୍ତା କରିବାର ବଡ଼ପଣ୍ଡା ହିସାବରେ ପୃଥିବୀର ଭାଗ୍ୟ ନିର୍ଣ୍ଣୟ କରିନେବାର ଆଡ଼ମ୍ବର କରି କେହି ପୃଥିବୀର ହୃଦୟକୁ ଯୋଡ଼ିପାରିବ ନାହିଁ ।

 

ଅଥର୍ବବେଦରେ (୧୯।୯।୧୪) ଆମର ଋଷିମାନେ ହୃଦୟ ଯୋଡ଼ିବାର ଶାନ୍ତି ଲାଗି ମନ୍ତ୍ର ଘୋଷଣା କରିଯାଇଛନ୍ତି, ‘‘ପୃଥିବୀ ଶାନ୍ତିରନ୍ତରୀକ୍ଷଂ ଶାନ୍ତିଦ୍ୟୌଃ ଶାନ୍ତିରାପଃ ଶାନ୍ତିରୋଷଧୟଃ ଶାନ୍ତିର୍ବନସ୍ପତୟଃ ଶାନ୍ତିର୍ବିଶ୍ୱେ ମେ ଦେବାଃ ଶାନ୍ତିଃ ସର୍ବେ ମେ ଦେବା ଶାନ୍ତିଃ, ଶାନ୍ତିଃ ଶାନ୍ତିଃ ଶାନ୍ତିଭିଃ-। ତାଭିଃ ଶାନ୍ତିଭିଃ ସର୍ବଶାନ୍ତିଭିଃ ଶମୟାମୋଽହଂ ଯଦିହ ଘୋରଂ ଯଦିହ କ୍ରୂରଂ ଯଦିହ ପାପଂ ତଚ୍ଛାନ୍ତଂ ତଚ୍ଛିବଂ ସର୍ବମେବ ଶମସ୍ତୁ ନଃ’-ସକଳ ବିଶ୍ୱଦେବ ମୋର ଶାନ୍ତିବିଧାନ କରନ୍ତୁ-। ସଂସାରରେ ଯାହା ଭୟଙ୍କର, ଯାହା ନିଷ୍ଠୁର ଯାହା ପାପମୟ, ଏହି ଶାନ୍ତିଦ୍ୱାରା ଆମେ ସକଳକୁ ଶାନ୍ତ କରିଦେଉ । ସେ ସକଳ ଆମ ଲାଗି ଶାନ୍ତ ହୁଅନ୍ତୁ, କଲ୍ୟାଣକର ହୁଅନ୍ତୁ । ଏ ସଂସାରରେ ଯାହା ଭୟଙ୍କର, ଯାହା ନିଷ୍ଠୁର ଓ ଯାହା ପାପମୟ, ସେ ସମସ୍ତ କ୍ଷେତ୍ରରେ ଆମେ ଶାନ୍ତି ପ୍ରତିଷ୍ଠା କରିବା ଲାଗି ଉଦ୍ୟତ ହେବା । ଆଜି ଆମର ଶିକ୍ଷା ଓ ଜ୍ଞାନ କେବଳ ଏହି ଶାନ୍ତିପ୍ରତିଷ୍ଠାର ସହାୟକ ହେଉ । ଜାତିସଂଘର ଜନ୍ମୋତ୍ସବରେ ଏହାଠାରୁ ମହତ୍ତର ସଂକଳ୍ପ ଆଉ କ’ଣ ନିଆଯାଇପାରେ-?

 

୧୫ । ୧୧ । ୫୫

 

କାଲି ଭାରତର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କର ଜନ୍ମଦିନ ଥିଲା । ସେ କଥା ସମସ୍ତେ ଜାଣନ୍ତି । ଖବରକାଗଜମାନଙ୍କରେ ଲେଖାମାନ ବାହାରିଲା । ଫଟୋମାନ ମଧ୍ୟ ବାହାରିଲା । କିନ୍ତୁ କାଲି ସାରା ଭାରତପାଇଁ ଆଉ ଗୋଟାଏ ବଡ଼ଦିନ ଥିଲା । କାଲି ଶିଶୁ ଦିବସ ପାଳନ କରିବାର କଥା । ସେକଥା ହୁଏତ ଅନେକ ଜାଣିଲେ ନାହିଁ । ଏପରିକି ଯେଉଁ ପିଲାଙ୍କୁ ଅଧିଷ୍ଠିତ କରାଇ କାଲି ଉତ୍ସବଟି ପାଳିତ ହେଲା, ସେ ପିଲାମାନେ ମଧ୍ୟ ହୁଏତ ଆପଣା ମହତ୍ତର ଦିନଟି ବିଷୟରେ କିଛି ଜାଣିଲେ ନାହିଁ । ଯେଉଁ ଦେଶରେ ପ୍ରତ୍ୟେକ ପିଲା ଲାଗି ପେଟପୂରା ଖାଇବାର ବା ସୁସ୍ଥ ରହି ପାଠ ପଢ଼ିବାର ଏପର୍ଯ୍ୟନ୍ତ ବ୍ୟବସ୍ଥା ହୋଇ ନାହିଁ, ସେ ଦେଶର ପିଲାଏ କିପରି ଆପଣା ସମ୍ମାନର କଥାଟା ଜାଣିବେ ? ଦଶବର୍ଷ ତଳେ ଆମ ଦେଶ ସ୍ୱାଧୀନ ନଥିଲା । ଏ ଦେଶର କେତେ କୋଟି ପିଲାଙ୍କର କଥା କେହି ବିଚାରିବାକୁ ମଧ୍ୟ ଆଣୁ ନଥିଲା । ଯାହା ବାପାର ପଇସା ଥିଲା ବା ଯାହା ଘରେ ଜମିବାଡ଼ି ଥିଲା, ସେହି ପିଲାଏ ଦି’ଅକ୍ଷର ପାଠ ପଢ଼ୁଥିଲେ । ସେହିମାନେ ମଟର, ରେଳ ଚଢ଼ି କଟକ ଆସୁଥିଲେ । ରାଜା ରାଜୁଡ଼ାଙ୍କ ପୁଅ ଝିଅମାନେ ରାୟପୁର ବା ଡେରାଡ଼ୁନ ପାଠ ପଢ଼ିବାକୁ ଯାଉଥିଲେ । ରାଜାଙ୍କୁ ଖଜଣା ଗଣୁଥିବା ପ୍ରଜାଙ୍କର ପିଲାଏ ଲଙ୍ଗଳା ବା ଦରଲଙ୍ଗଳା ହୋଇ ଗାଈ ଚରାଇ ବୁଲୁଥିଲେ । ଭାତ ଆଉ ସୁନୁସୁନିଆ ଶାଗରେ ସେମାନଙ୍କର ହୁଏତ ବରଷରେ ଛ’ମାସ କଟୁଥିଲା । ଅନେକ ଦିନ ହୁଏତ କିଛି ମିଳୁ ନଥିଲା । ଆଉ ପାଠ ପଢ଼ିବା କଥା ପଚାରେ କିଏ ? ଏ ଦେଶରେ ଏପରି ହୀନ ଅବସ୍ଥାରେ ଏତେଗୁଡ଼ିଏ ପିଲା ଅଛନ୍ତି, ସଭ୍ୟ ସଭାର କର୍ମଯୋଜନା ଭିତରେ ସେ କଥା କେହି ଭାବିପାରୁ ନଥିଲା । ସ୍ୱାଧୀନତା ପାଇବାର ଆଜିକୁ ଆଠବର୍ଷ ହୋଇଗଲାଣି; ତଥାପି ନିର୍ଲିପ୍ତ ଦୃଷ୍ଟିରେ ଦେଶକୁ ଓ ସମାଜକୁ ଦେଖୁଥିବା ଯେ କେହି କହିପାରିବେ ଯେ ଏ ଦେଶର ପିଲାଙ୍କ ଲାଗି ଯେତିକି ଯତ୍ନ ଓ ଶ୍ରଦ୍ଧା ମିଳିବା କଥା, ତାହା ଆଜି ହେଉନାହିଁ । ପିଲା ଭିତରେ ଭଗବାନ୍ ଅଛନ୍ତି, ଏ କଥା ଆମେ ଶାସ୍ତ୍ର ପୁରାଣରେ ପଢ଼ିଛୁ, ଗୁରୁ ମୁଖରୁ ମଧ୍ୟ ଶୁଣୁଛୁ; କିନ୍ତୁ ଆମ ଗାଁର ପାଣସାହି କି ହାଡ଼ିସାହିରେ ଯେଉଁ ବାଳ ଗୋପାଳମାନେ ରହିଛନ୍ତି, ସେମାନଙ୍କୁ ଆମେ ଦିନେ ହେଲେ ଆଦର ଦେଖାଇ ନାହୁଁ, ଦିନେ ସୁଦ୍ଧା ଆପଣାର ଉଦ୍ଧତ ଦୃଷ୍ଟିର ବାଧା କାଟିଦେଇ ସେମାନଙ୍କ ପାଇଁ ଆମେ ଚିନ୍ତା କରି ନାହୁଁ । ଦେଶ ସ୍ୱାଧୀନ ହେଲା, ଏଥର ଆମ ଭିତରେ ରହିଥିବା ସୁପ୍ରବୃତ୍ତିଗୁଡ଼ିକୁ ଜାଗ୍ରତ କରିବାକୁ ହେବ, ଆମର ଦୃଷ୍ଟିକୁ ଆହୁରି ଗଭୀର କରିବାକୁ ହେବ । ଆମର ଅନୁଭୂତିକୁ ଆହୁରି ସୂକ୍ଷ୍ମ ଓ ପ୍ରାଣବନ୍ତ କରିବାକୁ ହେବ । ଦେଶର ସବୁ ପିଲାଙ୍କୁ ଆମେ ଆଦର କରିବା, ସଭିଙ୍କୁ ଆମେ ଆମ ନିଜ ଘରର ପିଲାଙ୍କ ପରି ଗ୍ରହଣ କରିବା । ସେମାନଙ୍କ ଜୀବନକୁ ଅଧିକ ସୁସ୍ଥ ଓ ସୁନ୍ଦର କରିବାକୁ ଆମେ ସମସ୍ତେ ମିଶି କିଛି କରିବା, ଏହା ମଧ୍ୟ ଗୋଟିଏ ସୁପ୍ରବୃତ୍ତି । ଶିଶୁଦିବସକୁ ଆମେ ପାଳନ କରିବା ପ୍ରଧାନତଃ ଏହି ସୁପ୍ରବୃତ୍ତିଟି ଆମ ଭିତରେ ଜାଗ୍ରତ କରିବାପାଇଁ । ଆମେ ପିଲା ପ୍ରତି ନିଷ୍ଠୁର ହେବା ନାହିଁ । ନାନାପ୍ରକାର ଉଗ୍ର ଉତ୍ତେଜିତ ଶାସନଦ୍ୱାରା ଆମେ ପିଲାର ବିକାଶକୁ ସଂକୁଚିତ କରିଦେବା ନାହିଁ, ପିଲାଙ୍କୁ ନାନାପ୍ରକାର ଅଫିମ ଖୁଆଇ ତା’ର ଆନନ୍ଦକୁ ଆମେ ମାରିଦେବା ନାହିଁ । ଆମ ଦେଶରେ ଓ ଆମ ସମାଜରେ ପିଲା ପ୍ରତି ଅନେକ ଅନ୍ୟାୟ କରାଯାଉଛି । ଏ ଅନ୍ୟାୟ କରିବାର ଦୁଷ୍ଟ ଅଭ୍ୟାସ ଆମେ ପରିତ୍ୟାଗ କରିବା । କାଲି ଶିଶୁ ଦିବସରେ ଅନେକ ଜାଗାରେ ନାଟକ ଓ ଅଭିନୟମାନ ହୋଇଥିବ । ଅନେକ ଜାଗାରେ ପିଲାଙ୍କୁ ମିଠେଇ ବଣ୍ଟାଯାଇଥିବ । ଏସବୁ ତ କ୍ଷଣିକ ଉନ୍ମାଦନା ବା ଉଚ୍ଛ୍ୱାସର ଗୋଟିଏ ଗୋଟିଏ ଦୃଷ୍ଟାନ୍ତ । ଏହି କ୍ଷଣିକ ପ୍ରୀତି ଆମର ଶ୍ରଦ୍ଧାକୁ ଯଥେଷ୍ଟ ଗଭୀର ଉଦାର କରିପାରିବ ନାହିଁ । ରାଜନୀତି, ଯୁଦ୍ଧନୀତି ଓ ଅର୍ଥନୀତିର ନାନା ଦ୍ୱନ୍ଦ୍ୱ ଆଜି ମଣିଷ ସହିତ ମଣିଷର ସମ୍ପର୍କକୁ ବଡ଼ କୁଟିଳ କରି ରଖିଛି । ମଣିଷ ପାଖରେ ମଣିଷର ଦୁଆର ଆଉ ସ୍ୱାଭାବିକ ଭାବରେ ଖୋଲି ଯାଉନାହିଁ । ନାନାପ୍ରକାର ପ୍ରାଚୀରର ବେଷ୍ଟନୀ ଭିତରେ ଆପଣାକୁ ଆବଦ୍ଧ କରି ରଖି ଅଭିମାନୀ ମଣିଷ ଆଜି ବଡ଼ ଦୀନଦୁଃଖୀ ଭାବରେ ସମୟ କାଟୁଛି । ସବୁ ମଣିଷ ଗୋଟିଏ କ୍ଷେତ୍ରରେ ଏକତ୍ର ହୋଇପାରିବେ, ଏପରି ଅବକାଶ ଆମ ସମାଜରେ ଖୁବ୍ କମ୍ ରହିଛି । ପିଲାଙ୍କ ଭଲ ଆମେ ସମସ୍ତେ ଇଚ୍ଛା କରୁଛୁ, ଆମେ ସମସ୍ତେ ପିଲାଙ୍କୁ ଭଲପାଉଛୁ, ସଂସାରର ଧର୍ମ, ସଂସ୍କୃତି ଓ ବର୍ଣ୍ଣର ଭେଦ ପିଲାଙ୍କୁ ସ୍ପର୍ଶ କରିପାରିନାହିଁ । ଏହି ପିଲାଙ୍କର କଲ୍ୟାଣ କରିବା କ୍ଷେତ୍ରରେ ଆମେ ସଂସାରରେ ସମସ୍ତେ ମିଳିତ ହୋଇପାରିବା । ମଣିଷକୁ ମଣିଷ ସହିତ ଏକତ୍ର କରିବା ଲାଗି ଏପରି ନିର୍ମଳ କ୍ଷେତ୍ର ସଂସାରରେ ଆମେ ଖୁବ୍ କମ୍ ପାଇବା । ଆମ ପିଲାଏ ଆମର ଜୀବନ ଓ ମନକୁ ଅନେକ ସୁନ୍ଦର କରିଦେଇ ପାରିବେ ।

 

ପିଲାଙ୍କର କାମ ଆମେ କରିବା ବୋଲି କୌଣସି ପ୍ରକାର ଉତ୍ତେଜନା ବା ଅହଂକାର ଯେପରି ଆମକୁ ସ୍ପର୍ଶ ନ କରେ । ପିଲାପାଇଁ କାମ କରି, ପିଲାଙ୍କୁ ଭଲ ପାଇ ଆମେ ପିଲାଙ୍କଠାରୁ ଶିଖିବା । ଆମେ ପିଲାପରି ନିର୍ମଳ ହେବା । ପିଲାଙ୍କର ସେବା ଆମକୁ ସବୁ ମଣିଷ ଭିତରେ ରହିଥିବା ଭଲ ପ୍ରବୃତ୍ତିର ସ୍ମରଣ କରାଇଦେବ । ଯିଶୁଖ୍ରୀଷ୍ଟ ତ ଏ ବିଷୟରେ ଅନେକ ଆଗକୁ ବଳି ଯାଇଛନ୍ତି । ସେ କହିଛନ୍ତି, ଯିଏ ଆପଣାର ମନକୁ ପିଲାଟିର ମନ ପରି କରି ଦେଇପାରିବ, କେବଳ ସେହି ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବାର ଯୋଗ୍ୟତା ଅର୍ଜନ କରିପାରିବ । ସବୁ ଜଟିଳତା ତୁଟିଲେ, ହୃଦୟରୁ ସବୁ ଗଣ୍ଠି ଫିଟିଲେ ଯାଇ ଭଗବାନ୍ ବା ବିଶ୍ୱଜୀବନର ଖିଅ ଆମ ଜୀବନ ସହିତ ଯୋଡ଼ି ହୋଇଯିବ । ପିଲାର ସରଳତାକୁ ଆପଣା ଜୀବନରେ ଫୁଟାଇ ପାରିଲେ ଆମେ ଜୀବନରେ ଉଚ୍ଚକୋଟୀର ଆନନ୍ଦ ପାଇବା । ବାଳଗୋପାଳର ମହିମା ଅନେକ, ତାକୁ ଆମେ ଆଉ ଅବଜ୍ଞାର ସହିତ ଦୂରରେ ପକାଇ ରଖିବା ନାହିଁ ।

 

୧୬ । ୧୧ । ୫୫

 

ଆପଣାର ଦୁର୍ବଳତା କଥା ମନେ ପଡ଼ିଲାବେଳେ ବାଇବେଲର ସେହି ଦୁର୍ବଳା ସ୍ତ୍ରୀଲୋକଟିର କଥା ମୋର ବାର ବାର ମନେପଡ଼େ । ସଂସାର ଯାହାକୁ କୁଳଟା କହି ଟେକା ପଥର ପକାଇ ମାରିଦେବାକୁ ଧାଇଁଥିଲା, ମାନବପୁତ୍ର ତାହାକୁ ଆପଣାର ଅଭୟ ଦେଇ ରଖିଲେ, ତା’ର ସମସ୍ତ ପାପ ପଖାଳି ଦେଇ ତାକୁ ଉଜ୍ଜ୍ୱଳ କରିଦେଲେ । ମଣିଷ ଭିତରେ ବିଦ୍ୱେଷ ରହିଛି । ମଣିଷ ଭିତରେ ଘୃଣା ରହିଛି । ତେଣୁ ତା’ରି ସୁବିଧାପାଇଁ ତା’ରି ସଂସ୍କାରଦ୍ୱାରା ଗଢ଼ାଯାଇଥିବା ସମାଜରେ ମଧ୍ୟ ନାନାପ୍ରକାର ବିଦ୍ୱେଷ ଓ ଘୃଣା ଭର୍ତ୍ତି ହୋଇ ରହିଛି । କିନ୍ତୁ ଭଗବାନ୍‍ଙ୍କ ଦୃଷ୍ଟିରେ ବିଦ୍ୱେଷ ଓ ଘୃଣାର ସ୍ଥାନ ନାହିଁ । ପାପ ପୁଣ୍ୟର ହାଟରେ ଭଗବାନ୍ ତ ମଣିଷ ସହିତ ପ୍ରତିଯୋଗିତା କରୁ ନାହାନ୍ତି ଯେ ମଣିଷର ପାପରେ ସେ ସୁଖୀ ବା ପୁଣ୍ୟରେ ଈର୍ଷା କରିବେ । କେବଳ ମଣିଷ ସେ କଥା କରେ । ନୈତିକତାକୁ ପଣ୍ୟ କରି ସମାଜର ବଜାରରେ ମଣିଷ ବଣିଜ କରି ବାହାରେ । ସେହି ବଣିଜରେ ଯିଏ ଲାଭବାନ୍ ହୁଏ, ସେ ଜିତାପଟ ମାରେ; ଭଲ ହେବାର ଦମ୍ଭ କରେ । ଯିଏ ଧରାପଡ଼ି ଯାଏଁ, ସେ ହାରେ; ସେ ସଭିଙ୍କର ଉପହାସର ପାତ୍ର ହୁଏ, ସଂସାରର ସବୁ ପାପର ଚୂନକାଳି ତାହାରି ମୁହଁରେ ବୋଳାହୁଏ । ଭଗବାନ୍ ପ୍ରତ୍ୟେକ ମଣିଷକୁ ଭଲ ପା’ନ୍ତି । ଯିଏ ସ୍ୱଚ୍ଛ ହୁଏ, ନିର୍ମଳ ହୁଏ, ତାହାରି ଉପରେ ଭଗବାନ୍ ପ୍ରସନ୍ନ ହୁଅନ୍ତି । ଯିଏ ଅନ୍ଧାର ଭିତରେ ଗୋଡ଼ ଖସାଇ ଅବାଟରେ ଖସି ଚାଲିଯାଏଁ, ଆପଣାକୁ ଯିଏ ଚିହ୍ନିପାରେ ନାହିଁ, ଭଗବାନ୍ ଶ୍ରଦ୍ଧାର ସହିତ ତାକୁ ମଧ୍ୟ ସାହାଯ୍ୟର ହାତ ବଢ଼ାଇ ଦିଅନ୍ତି । ପାପର କାଦୁଅରେ ଯିଏ ଯେତେ ବେଶି ବୁଡ଼ିରହିଥାଉ ପଛକେ, ଯାହାର ଯେଉଁଠି ନିଦ ଭାଙ୍ଗେ, ମୋହର ଆଳସ୍ୟ ସେଇଠି ତୁଟିଯାଏଁ; ସେଇଠି ଆଶିଷର ଆଲିଙ୍ଗନ ଦେଇ ଭଗବାନ୍ ତାକୁ ଉପରକୁ ଉଠାଇନେବାକୁ ଆସନ୍ତି । ତା’ର ଉତ୍‍ଥାନରେ ମଧ୍ୟ ଭଗବାନ୍ ଖୁସି ହୁଅନ୍ତି । ଯାହାର ନିଦ ଯେଉଁଠି ଭାଙ୍ଗେ, ସେଠି ତା’ର ସୂର୍ଯ୍ୟ ଦର୍ଶନ ହୁଏ ।

 

ଆମର ସ୍ୱଭାବରେ ଅନେକ ପ୍ରକାର ରୋଗ ରହିଛି । ଆମର ଆଗ୍ରହରେ ଅନେକ ବିକାର ରହିଛି । ଆମର ପ୍ରେମ ଓ ଭଲପାଇବାରେ ଅନେକ ମଳିନତା ରହିଛି । ଆମର ଭକ୍ତିରେ ଅନେକ ଦୁର୍ବଳତା ରହିଛି । ଏଥିଲାଗି ଆମେ ପ୍ରତ୍ୟେକେ ନିଶ୍ଚୟ ଦାୟୀ । କିନ୍ତୁ ଆମ ଅପେକ୍ଷା ଆମର ରୁଗ୍‍ଣ ସମାଜ ଅଧିକ ଦାୟୀ । ସମାଜର କୁଶିକ୍ଷା ଆମ ଭିତରେ ନାନାପ୍ରକାର ବିକାରର ଜୀବାଣୁ ଭର୍ତ୍ତି କରିଦେଇଛି । ଭିତରେ ନାନାପ୍ରକାର ମୂଢ଼ ଓ ମଳିନ ହେବାର ପ୍ରଶ୍ରୟ ଦେଇ ବାହାରେ ଆମ ସମାଜ ଆମ ଭିତରେ ନାନା ନୈତିକତାର କଟୁ ଔଷଧ ଭରି ଦେଇଛି । ବାହାରେ ଆମେ ସମସ୍ତେ ଭଦ୍ରଲୋକ ହୋଇ ସଂସ୍କୃତିର ମଧୁର ଟାକରା ମାରିମାରି ବୁଲୁଛୁ; କିନ୍ତୁ ସମସ୍ତେ ସଂସ୍କୃତିକୁ ହଜମ କରି ସ୍ୱାଭାବିକ ଜୀବନରୂପେ ତାକୁ ଫୁଟାଇପାରିବାର ଆମର ନୈତିକ ପାକସ୍ଥଳୀକୁ ତେଣେ କେତେ ପ୍ରକାର କୃତ୍ରିମତାର ତାପ ପୋଡ଼ି ପାଉଁଶ କରିଦେଇ ସାରିଲାଣି । ସେଥିଲାଗି ଆମର ନୈତିକତା ଆମକୁ ନମ୍ର କରିବା ପରିବର୍ତ୍ତରେ ଆମକୁ ଉଗ୍ର କରି ପକାଉଛି । ଆପଣାକୁ ବୁଝିପାରିବାର ଶକ୍ତି ଆମେ ହରାଇ ବସିଛୁ । ନିତି ସାହସର ସହିତ ଆପଣା ଉପରେ ଦୃଷ୍ଟିପାତ କରିବାର ସ୍ୱାଭାବିକତା ଆମର ଚାଲିଯାଉଛି । ସମାଜର ଏହି ମିଥ୍ୟାବିବେକ ଆମକୁ ବଦଳାଇବାକୁ ହେବ । ପରସ୍ପର ସହିତ ନୈତିକ ପ୍ରତିଯୋଗିତା ନ କରି ଅପରକୁ ଧରା ପକାଇଦେଇ ଆପଣାକୁ ଆଖି ଆଢ଼ୁଆଳରେ ରଖିବାର ଧୃଷ୍ଟତା ଆମେ କରିବା ନାହିଁ । ଏଥିଲାଗି ଆମ ପ୍ରତ୍ୟେକଙ୍କୁ ନିର୍ମଳ ଆଧ୍ୟାତ୍ମିକ ଦୃଷ୍ଟି ଅର୍ଜନ କରିବାକୁ ହେବ । ଏଥିଲାଗି ସବୁପ୍ରକାର ଲାଜ ଆଉ ଅପବାଦକୁ ପାଣିରେ ପକାଇଦେଇ ଶୁଦ୍ଧ ଓ ସ୍ୱାଭାବିକ ହେବାର ସାଧନା ଆମକୁ କରିବାକୁ ହେବ । ମଣିଷକୁ ଚାକିରି ଯୋଗାଇଦେବା, ଧନ୍ଦା ଯୋଗାଇଦେବା ବା ହାଟ ବଜାରରେ ଲାଭବାନ କରାଇଦେବା ଶିକ୍ଷାର ପ୍ରଧାନ କାମ ନୁହେଁ । ଚରିତ୍ର ନିର୍ମାଣ ହେଉଛି ଶିକ୍ଷାର ପ୍ରଧାନ କାମ । ଏଇଠି ଶିକ୍ଷାଳୟର ସବୁ କାରିଗରି ଓ କୃତିତ୍ୱର ପ୍ରକୃତ ପରୀକ୍ଷା ହେବ । ଏ ଚରିତ୍ର ବାହାରୁ ଆମ ହାତରେ ଖସି ପଡ଼ିବ ନାହିଁ । ଆମ ଆଗ୍ରହକୁ ଦବାଇଦେଇ ଓ ଆମର ମାନୁଷିକ ପ୍ରବୃତ୍ତିଗୁଡ଼ିକୁ ମାରି ଦେଇ କୌଣସି ଉତ୍ତେଜିତ ନୀତିବାଦୀ ଆମର ଚରିତ୍ରକୁ ଉଚ୍ଚତର କରି ତିଆରି କରିପାରିବ ନାହିଁ । ଯେତେ ଥର ମଣିଷ ଉପରେ ଏପରି ଜବରଦସ୍ତି ଚାଲିଛି, ସେତେଥର ନୀତି ହାର ମାନିଛି, ରାକ୍ଷସ ଜିତିଛି । ଆମେ ଆଗ୍ରହର ବାଟକୁ ବଦଳାଇଦେବା, ଆଗ୍ରହର ସ୍ତରକୁ ବଦଳାଇଦେବା । ସଂକୀର୍ଣ୍ଣ କୀଟ ଜୀବନର ନାନା ଲାଳସା ଓ ଲୁବ୍‍ଧତାରୁ ଆମେ ଆମର ଆଗ୍ରହକୁ ମୁକ୍ତ କରିବା । ସମସ୍ତ ପ୍ରକାର ମୋହରୁ ଆମେ ଆମର ଶ୍ରଦ୍ଧାକୁ ମୁକ୍ତ କରିବା । ଆମ ଭଲପାଇବାକୁ ଅଧିକ ଶୁଦ୍ଧକରି ଆମେ ମୋହକୁ ଜୟ କରିବା । ଆମ ଉପରେ ଶାସନ କରିବାକୁ ଆସୁଥିବା ରାକ୍ଷସକୁ ଜୟ କରିବା ।

 

ବୃହଦାରଣ୍ୟକ ଉପନିଷଦ୍‍ର ଯାଜ୍ଞବଳ୍‍କ୍ୟ ଓ ମୈତ୍ରେୟୀଙ୍କ ଉପାଖ୍ୟାନଟି (୨।୪।୩) ଆମେ ମନେ ରଖିବା । ଋଷି ଯାଜ୍ଞବଳ୍‍କ୍ୟ ଯେତେବେଳେ ସ୍ତ୍ରୀ ମୈତ୍ରେୟୀଙ୍କୁ ଧନ ସମ୍ପତ୍ତି ଅର୍ପଣ କରି ବାନପ୍ରସ୍ଥରେ ଯିବାକୁ ବାହାରିଲେ, ମୈତ୍ରେୟୀ କହିଲେ, “ଯେ ନାହଂନାମୃତା ସ୍ୟାଂ କିମହଂ ତେନ କୁର୍ଯ୍ୟାଂ– ଯାହାଦ୍ୱାରା ମୁଁ ଅମୃତତ୍ୱ ଲାଭ କରିପାରିବି ନାହିଁ, ତାକୁ ନେଇ ମୁଁ କ’ଣ କରିବି ?” ଆମର ଆଗ୍ରହ ଆମ ଦେହାଭିମାନରୂପ ବିକାର ହୋଇ ଯେତେବେଳେ ଆମକୁ ଗ୍ରାସ କରିବାକୁ ଆସୁଛି, ଆମେ ସେତେବେଳେ ଠିକ୍ ଏଇ ଜବାବ ଦେବା । ଯାହାଦ୍ୱାରା ମୁଁ ଅମୃତତ୍ୱ ଲାଭ କରିପାରିବି ନାହିଁ, ତାକୁ ନେଇ ମୁଁ କ’ଣ କରିବି ? ଏହି ଅମୃତତ୍ୱ ଲାଭର ଜିଜ୍ଞାସା କାଠିରେ ଆମେ ଆମର ଆଗ୍ରହକୁ ପରୀକ୍ଷା କରିବା, ଆମର ଭଲପାଇବା ଗୁଣକୁ ପରୀକ୍ଷା କରିବା ବା ଆମର ବୁଦ୍ଧିକୁ ପରୀକ୍ଷା କରିବା । ଯେଉଁ ଆଗ୍ରହ, ଯେଉଁ ବୁଦ୍ଧି ଓ ଯେଉଁ ଭଲପାଇବା ଆମକୁ ଉଚ୍ଚକୁ ଉଠାଇବ, ସବୁରି ସହିତ ଯୁକ୍ତ କରି ଆମକୁ ଅମୃତତ୍ୱର ଆସ୍ୱାଦନ ଦେଇଯିବ, ସେହି ଆଗ୍ରହ, ସେହି ବୁଦ୍ଧି ଓ ସେହି ଭଲପାଇବା ଆମର ଜୀବନକୁ ସୁନ୍ଦର କରିବ । ଏହାଦ୍ୱାରା ସବୁରି କଲ୍ୟାଣ ହେବ । ଆଉ ଯଦି ସେତକ ହୋଇ ନ ପାରିବ, ତେବେ ସେସବୁ କେବଳ ଆମ ଜୀବନର ବିକାର ହୋଇ ରହିବ, ସବୁରି ଅକଲ୍ୟାଣ କରିବ, ଆମକୁ ବିନାଶ ଆଡ଼କୁ ନେଇଯିବ ।

 

୧୭ । ୧୧ । ୫୫

 

ଆମ ଦେଶର ପିଲାଙ୍କୁ ଶ୍ରଦ୍ଧା ଦେଖାଇବାକୁ ଯାଇ ଆମ ଦେଶରେ ନାନାପ୍ରକାର ଦାନ ଓ ଦୟା ଚାଲିଛି । ଆଦିବାସୀ ଓ ହରିଜନ ମେଳାମାନଙ୍କରେ କେତେ ପିଲାଙ୍କୁ ମିଠାଇ ବଣ୍ଟା ଯାଉଛି-। ମରୁଡ଼ି ଓ ଧୋଇ ଅଞ୍ଚଳର ପିଲାଙ୍କୁ ସ୍କୁଲ ଘରେ ଉଷୁନା ଚାଉଳର ଜାଉ ରାନ୍ଧି ଖାଇବାକୁ ଦିଆଯାଉଛି । ଆଉ କର୍ତ୍ତବ୍ୟର ଅନୁରୋଧରେ ପଡ଼ି ଷ୍ଟେସନର କେତେକ ପିଲାଙ୍କୁ ପ୍ଳାଟଫର୍ମ ଉପରେ ଆମେ ଆମର ବୋକଚା ବୋହିବାର ବା ଜୋତା ପାଲିସ୍ କରି ଦେବାର ମଜୁରି ଦେଇ ଆସୁଛୁ । ଆମ ଦେଶରେ ଗରିବ ପିଲା ଲାଗି ଧନୀ ସମାଜ ଓ ଧନୀ ସରକାର ଆଜିକାଲି ଅଧିକ ଭାବୁଛି । କିନ୍ତୁ ଶିକ୍ଷାଦାନ ଯେ ଯେକୌଣସି ଦାନଠାରୁ ମହତ୍ୱପୂର୍ଣ୍ଣ ଦାନ, ସେ କଥା ଏ ଦେଶରେ ଅନେକ ଧନୀ ଲୋକ ଭୁଲିଗଲାପରି ଲାଗୁଛି । ଏ ଦେଶରେ ପିଲାଏ ସବୁ ପାଆନ୍ତୁ, କୋରାଖଇ ବା ମିଠାଇ ବାଣ୍ଟି ଏ ଦେଶର ମ୍ଳେଚ୍ଛ ପିଲାଙ୍କର ନିତି ବାଳଲୀଳା ହେଉ ପଛକେ, ଆଗ ଏ ଦେଶର ସବୁ ପିଲା ପାଠପଢ଼ନ୍ତୁ; ଆପଣାର ବିକାଶ ଲାଗି ଉପଯୁକ୍ତ ସୁଯୋଗ ପାଆନ୍ତୁ । ଏ କଥା ଶିକ୍ଷା-ଇଲାକାର ସରବରାକାରମାନେ ଆଜି ମଧ୍ୟ ଭାବି ପାରୁନାହାନ୍ତି । ଶିକ୍ଷାଲାଗି ସେମାନଙ୍କର ଯଥେଷ୍ଟ ଆଗ୍ରହ ଅଛି । ଉଚିତ ଶିକ୍ଷା ଲାଗି ଶ୍ରଦ୍ଧା ଅଛି । ମାସିକ ବସା ଖରଚ କମ୍ କରି ସେମାନେ ପୁଅ ଅଧିକ ନମ୍ବର ରଖିବ ବୋଲି ବା ଝିଅ ହାରମୋନିୟମରେ ଗୀତ ଗାଇ ପାରିବ ବୋଲି ଟିଉସନ ମାଷ୍ଟରକୁ ଦରମା ଦେଇ ରଖୁଛନ୍ତି । ଅଥଚ ତାଙ୍କର ଘରେ ଆଉ ଗୋଟାଏ ଗରିବ ଘରର ପିଲା ବାସନ ମାଜୁଛି, ମସଲା ବାଟୁଛି, ବୋକଚା ଧରି ମଟର ପାଖକୁ ଯାଉଛି । ଘର ଓଳାଇ ଦେଉଛି, ଖାଇଲାବେଳେ ପିଇବାକୁ ବା ହାତ ଧୋଇବାକୁ ପାଣି ବଢ଼ାଇ ଦେଉଛି । ସେ ହୁଏତ ପାଠପଢ଼ି ପାରିଥାନ୍ତା । ଦଶବରଷରେ ବାବୁ ଘରେ ଗଣ୍ଡାଏ ଖାଇ ଚାକିରି କରିବାକୁ ବାଧ୍ୟ ହେବାଠାରୁ ତା’ ଜୀବନକୁ ଅଧିକ ସୁନ୍ଦର କରି ଗଢ଼ିବାର ସୌଭାଗ୍ୟ ପାଇଥାନ୍ତା । ସେ କଥା ଆମ ପାଠୁଆ ହାକିମ ଓ ବାପମାଆଙ୍କ ମୁଣ୍ଡରେ ପଶି ପାରୁନାହିଁ । ଏ କଥା କିପରି ସମ୍ଭବ ହେଉଛି ? ଆପଣା ପିଲାଟିକୁ ଅନୁଗତ ଶୁଆ-ପାଠୁଆ କରି ତିଆରି କରିବାକୁ ଆମେ ସବୁ ପ୍ରକାର ଆୟୋଜନ କରୁଛୁ; ଅଥଚ ସମାଜର ଆହୁରି ଶହ ଶହ ପିଲା କୌଣସି ଶିକ୍ଷା ପାଇବାର ଅବକାଶହିଁ ପାଉ ନାହାନ୍ତି । ଆମେହିଁ ତାଙ୍କୁ ନଗଦ ଦରମାର ଉଦ୍ଧତ ବଦାନ୍ୟତା ଦେଖାଇ ଆମ ଘରର ଚାକର ଟୋକା କରି ନେଇ ଆସିଛୁ । ଏଥିରେ ଆମ ମନରେ ପାପ ଛୁଉଁନାହିଁ କିପରି ?

 

ଆମ ଦେଶରେ ଖଇ ଫୁଟିଲା ପରି ସ୍କୁଲ କଲେଜ ବଢ଼ିବଢ଼ି ଚାଲିଛି । ସ୍ଥାନୀୟ ସଂସ୍କୃତିର ଦ୍ୱାହି ଦେଇ ନୂଆ ବିଶ୍ୱବିଦ୍ୟାଳୟମାନ ଗଢ଼ାଯାଉଛି । କେତେ ପାଠୁଆ ଓ ଉଚ୍ଚପାଠୁଆଙ୍କ କମିଟି ହୋଇ କେଉଁ ବରାଦଟା କେମିତି ହେବ ତା’ର ମହଙ୍ଗା ଚର୍ଚ୍ଚା ଆଲୋଚନାମାନ ଚାଲୁଛି । ଶିକ୍ଷାର କଳ ଚାଲୁ ରଖିବାପାଇଁ ପ୍ରତି ମାସରେ ହଜାର ହଜାର ଟଙ୍କାର ଚିଠିପତ୍ର ଯାଉଛି ଆସୁଛି । ନାନାପ୍ରକାର ନୂଆ ଯୋଜନାର ହରିନାମ ନେଇ ହାକିମି-ମେସିନର ନୂଆ ନୂଆ ଖିଆଲ ବିଷୟରେ ଅନେକ ପ୍ରକାର ଗମ୍ଭୀର ବ୍ୟବସ୍ଥା ହେଉଛି । ଏହି ଶିକ୍ଷାର ପଡ଼ି ଟିକଟ ବାଣ୍ଟିବାଲାଗି ଆମ ଦେଶର ଅଫିସମାନଙ୍କରେ କେତେ ବାବୁ, କେତେ ସାହେବ କେତେ ପରିଶ୍ରମ କରୁଛନ୍ତି । ତଥାପି ଆମେ ଶିକ୍ଷା-ବିକାଶରେ ସେହି ସାମନ୍ତବାଦୀ ସ୍ତରରେ ପଡ଼ିରହିଛୁ । ଦେଶର ସବୁପିଲା ପାଠ ପଢ଼ିବେ । ଏହାକୁ ସବୁ-ଶିକ୍ଷା-ଯୋଜନାର ପ୍ରଥମ ସ୍ୱତଃସିଦ୍ଧ ବୋଲି ଧରି ଏପର୍ଯ୍ୟନ୍ତ କେବେ କୌଣସି ଗମ୍ଭୀର ଆଲୋଚନା ହୋଇନାହିଁ । ସଭା ସମିତିରେ ଆମେ ଉଚ୍ଚ ଶିକ୍ଷା ବା ଆଦର୍ଶ ଶିକ୍ଷାର ଡିଣ୍ଡିମ ବଜାଉଛୁ-। ଅଥଚ ସୁନ୍ଦର ସୁନ୍ଦର ନିପୁଣ ଜୀବନଯାପନ ପାଇଁ ଯେତିକି ନିମ୍ନତମ ଶିକ୍ଷା ମଣିଷମାତ୍ରେ ସବୁରି ରହିବା ଅବଶ୍ୟ ଦରକାର, ସେତିକି ଶିକ୍ଷାର ବ୍ୟବସ୍ଥା-ବୁଦ୍ଧି ଏପର୍ଯ୍ୟନ୍ତ ଫାଇଲ ଭିତରକୁ ଆସିନାହିଁ । ତଥାପି ଏଇ ବ୍ୟବସ୍ଥାକୁ ଆମେ ଜାତୀୟବ୍ୟବସ୍ଥା ବୋଲି କହି ଆମ ଜାତୀୟତାର ପରିହାସ କରୁଛୁ-। ମୁଷ୍ଟିମେୟ କେତେଜଣ ତଥାକଥିତ ଉଚ୍ଚଶିକ୍ଷା ପାଇ ବଡ଼ ହାକିମ ହୋଇ ଦିଲ୍ଲୀ ବା କଟକରେ ଆସି ବସିଲେ ଆମେ ଅମର ଜନ୍ମ ସଫଳ ହୋଇଗଲା ବୋଲି ଭାବିଛୁ । ଏ ଦେଶ ସାହିତ୍ୟ, ସଂସ୍କୃତି ଓ କବି-ପ୍ରଶସ୍ତି ବେଳେବେଳେ ଏହି ମୁଷ୍ଟିମେୟ କେତେ ଜଣ ଆମର ଗୋଚର-ଭୂମିକୁ ଭିଡ଼ିକରି ରଖିଛନ୍ତି । ଅଳ୍ପ କେତେ ଜଣଙ୍କୁ ସମସ୍ତେ ବୋଲି ଭାବି ଆମେ ଏ ମୂର୍ଖ ଦେଶରେ ସିଆଣିଆ ହୋଇ ବସିଛୁ ।

 

ଯିଏ ଏ ଦେଶର ପିଲାଙ୍କୁ ଯଥାର୍ଥରେ ଶ୍ରଦ୍ଧା କରୁଛି, ସିଏ ଅତି ସାଧୁ ଭାବରେ ଏ ଦେଶର ସବୁ ପିଲାଙ୍କୁ ଆଗ ପାଠ ପଢ଼ାଇବାର ବିଚାର କରୁ । ସମସ୍ତ ସମୃଦ୍ଧି ଯୋଜନାରେ ସେ ଏହାକୁହିଁ ଆପଣାର ଭୂମି କରି ଭାବୁ । କୋଡ଼ିଏବର୍ଷ ତଳେ ଗାନ୍ଧିଜୀ ଏହି ଭୂମି ଉପରେ ତାଙ୍କର ଶିକ୍ଷା ଯୋଜନାକୁ ଦେଶ ଆଗରେ ବାଢ଼ିଥିଲେ । ଦେଶରେ ଆଗ ସବୁ ପିଲା ପଢ଼ିବାର ଓ ସ୍ୱଚ୍ଛ ଜୀବନଯାପନ କରିବାର ସୁଯୋଗ ଅବଶ୍ୟ ପାଇବେ–ଏହିପରି ଏକ ସାହସୀ ଘୋଷଣା ସେ ପ୍ରଥମେ ଦେଶ ଆଗରେ କରିଥିଲେ । ଗାନ୍ଧୀ ମରିବାର ସାତବର୍ଷ ପରେ ଆଜି ମଧ୍ୟ ଦେଶର ଉପଭୋଗଲୋଭୀ ସମାଜ ଏହି ଘୋଷଣାର ପୂର୍ଣ୍ଣ ମର୍ମ ବୁଝିବାକୁ ସମର୍ଥ ହୋଇ ନାହିଁ । ଆପଣା ବିବେକର ସମର୍ଥନ ଦେଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେ ଏହି ଘୋଷଣାକୁ ପୂର୍ଣ୍ଣ ମନ ଓ ପୂର୍ଣ୍ଣ ସାହସର ସ୍ୱୀକାର ଦେଇନାହିଁ । ଯେତିକି ଅବକାଶ ପାଉଛି, ସେତିକି ସେ ଏହି ଘୋଷଣାକୁ ଫାଙ୍କି ଦେଇ ଚାଲିଛି । ସେତିକି ସେ ଆପଣା ଆଭିଜାତ୍ୟର ଅସୁନ୍ଦରତାରେ ତାକୁ ବିକୃତ କରି ଚାଲିଛି । ତଥାପି ଏ ଦେଶର ପିଲାଙ୍କୁ ଯେ ଉଚିତ ଶ୍ରଦ୍ଧା ଦେଖାଯାଉଛି, ସେ କଥା କିପରି ଆମେ କହିପାରିବା-? ଶିକ୍ଷାରେ ଏହି ଅଦ୍ଭୁତ ସ୍ପୃଶ୍ୟ-ଅସ୍ପୃଶ୍ୟ ବିଚାର ରହିଥିବା ଯାଏଁ ଏ ଦେଶରେ ପିଲାର କଲ୍ୟାଣ ଲାଗି ସବୁ କରାଯାଉଛି ବୋଲି ଆମେ କିପରି ନିର୍ଲଜ୍ଜଭାବରେ ପ୍ରଚାର କରୁଥିବା ? କୌଣସି ପ୍ରକାର ଦୟା ଆମ ଜାତୀୟଶିକ୍ଷାର ଭୂମି ହୋଇ ପାରିବ ନାହିଁ । ଆମର ସାମାଜିକ ବିଚାର ଆମକୁ ବଦଳାଇବାକୁ ପିଡ଼ିବ । ଆମର ଆଡ଼ମ୍ବରକୁ ମୂଳ କରି ଧରି ଚାଲୁଥିବା ଆଜିକା ଶିକ୍ଷାର ସାଆନ୍ତିଆ ସ୍ୱଭାବରେ ଅନେକ ଶୁଦ୍ଧି ଆଣିବାକୁ ପଡ଼ିବ । ପ୍ରତ୍ୟେକ ପିଲାକୁ ମଣିଷ ହେବାର ଅଧିକାର ବହନ କରୁଥିବା ଏକ ସମ୍ଭାବନା ପୁଞ୍ଜି ବୋଲି ସ୍ୱୀକାର କରିବାକୁ ପଡ଼ିବ । ତେବେ ଯାଇ ଏ ଦେଶର ବ୍ୟବସ୍ଥାରେ ଶିକ୍ଷା ଓ ଶିକ୍ଷାର୍ଥୀ ପ୍ରତି ଯଥାର୍ଥ ନ୍ୟାୟ ବିଚାର ହୋଇ ପାରିବ ।

 

୧୮ । ୧୧ । ୫୫

 

ଆମର ପାଠ ପଢ଼ା ଖୁବ୍ ଜୋର୍‍ରେ ଚାଲିଛି । ଆଗରୁ ଏହି ବିଷୟରେ ଆମର ଭାରି ଅବଶୋଷ ଥିଲା । ଆମେ କାମ କରୁଥିଲୁ । କିନ୍ତୁ ପ୍ରତ୍ୟେକ କାମରେ ଗୋଟାଏ ପ୍ରକାର ଅସନ୍ତୋଷ ଆମେ ସବୁବେଳେ ଅନୁଭବ କରୁଥିଲୁ । ଆମ ମନ ସନ୍ତୁଷ୍ଟ ହୋଇପାରୁ ନଥିଲା । ଆମ ଭିତରେ ତରୁଣ ଶିକ୍ଷାବ୍ରତୀକୁ ଆମେ ଯଥେଷ୍ଟ ଖାଦ୍ୟ ଯୋଗାଇ ପାରୁ ନଥିଲୁ । ବର୍ତ୍ତମାନ ସେ ଅବସ୍ଥା ଆଉ ନାହିଁ । ବର୍ତ୍ତମାନ ଆମର ନାନା ବିଷୟରେ ଦିନକୁ ଚାରିଘଣ୍ଟା କରି ସୋପାନ ହେଉଛି । ଇଂରାଜୀ ପଢ଼ା ହେଉଛି । ହାଇସ୍କୁଲ ପିଲାଙ୍କ ସହିତ ଆପଣାର ତୁଳନା କରି ଇଂରାଜୀ ପଢ଼ି ପାରିଲା ନାହିଁ ବୋଲି ଆଗରୁ କିଏ ବଡ଼ ଦୁଃଖିତ ହୋଇ ପଡ଼ୁଥିଲା । ବର୍ତ୍ତମାନ ସେ ଦୁଃଖ ଆଉ ନାହିଁ । ସମସ୍ତେ କହୁଛନ୍ତି ଏମିତି ଚାଲିଲେ ଭଲ । ମୁଁ ଭାବୁଛି, କେବଳ ଏମିତି କହିଲେ କ’ଣ ପ୍ରକୃତରେ ଭଲ ? ଆମେ ପାଠ ପଢ଼ୁଛୁ, ଭଲ, ମନ୍ଦ, ଦରକାରୀ, ଅଦରକାରୀ ବାଛି ଖାତାରେ ସଂଗ୍ରହ କରି ରଖୁଛୁ । ଅନ୍ୟାନ୍ୟ ପାଠଶାଳାରେ ବର୍ଷ ଶେଷରେ ପରୀକ୍ଷା ହୁଏ । ବରଷକଯାକ ଶିକ୍ଷକ ମୁହଁରୁ ଯାହା ଦିଆଯାଇଥାଏ, ବର୍ଷ ଶେଷରେ ପିଲାଙ୍କଠାରୁ ତାହା ଫେରସ୍ତ ନେବାକୁ ଏ ପରୀକ୍ଷା ହୁଏ । ଏଠିତ ଆମର ସେପରି କୌଣସି ପରୀକ୍ଷା ହେବ ନାହିଁ । ଏଠି ଶିକ୍ଷାର୍ଥୀ ଓ ଶିକ୍ଷକ ଭିତରେ ଆଦାନ ପ୍ରଦାନରେ କୌଣସି ଅବିଶ୍ୱାସ ନାହିଁ । ହାଟ ବଜାରରେ କିଣାବିକା କରିବାର କୌଣସି ଦମ୍ଭ ନାହିଁ । ସେଥିପାଇଁ କିଏ କେତେ ପାଠ ମନେ ରଖିଲା, କିଏ କେତେ ଉଦ୍‌ଗାରି ପାରିଲା ସେହିଥିରୁ ଶିକ୍ଷାର୍ଥୀଙ୍କୁ ପରୀକ୍ଷା କରିବାର ଦୁଷ୍ପ୍ରବୃତ୍ତି ଆମେ କରିବୁ ନାହିଁ । ଶିକ୍ଷକଙ୍କଠାରୁ ଟିପି ନେଇଥିବା ପାଠକୁ ପୁଣି ବରାଦମତେ ଉଦ୍‍ଗାରି ଦେବାରେ ଅସଲ ପାଠପଢ଼ାର ପ୍ରମାଣ ମିଳେ ନାହିଁ । ମହାଭାରତରେ ଚାରିପାଦ ଶିକ୍ଷାର ବର୍ଣ୍ଣନା କରାଯାଇଛି । (ଉ: ୪୪।୧୬) ଶିକ୍ଷକର ମୁହଁରୁ ଶୁଣିବା ଓ ଶୁଣିବାର ଇଚ୍ଛା ରଖିଥିବା ହେଉଛି ଶିକ୍ଷାର ପ୍ରଥମ ପାଦ । ଆପଣା ଆପଣା ମଧ୍ୟରେ ଶାସ୍ତ୍ରୀୟ ଆଲୋଚନା-ଚର୍ଚ୍ଚା କରି ପଠିତ ବିଷୟରୁ ନୂତନ ତଥ୍ୟ ଓ ସତ୍ୟର ଆବିଷ୍କାର କରିବା ହେଉଛି ଦ୍ୱିତୀୟ ପାଦ । ନିଜର ଉତ୍ସାହ ହେଉଛି ଶିକ୍ଷାର ତୃତୀୟ ପାଦ ଏବଂ ବୁଦ୍ଧି ପରିଣତ ହେବା ସଙ୍ଗେ ସଙ୍ଗେ ପ୍ରାପ୍ତ ଶିକ୍ଷାକୁ ହଜମ କରି ଜୀବନର ବିଭିନ୍ନ ଅନୁଭୂତିରୁ ଯେଉଁ ଶିକ୍ଷା ମଣିଷ ଲାଭକରେ ତାହା ଶିକ୍ଷାର ଚତୁର୍ଥ ପାଦ । ଯେଉଁ ଶିକ୍ଷାର ଆୟତନ ଜୀବନର ସମ୍ପୂର୍ଣ୍ଣ ପରିସରକୁ ବିସ୍ତୃତ ହୋଇ ରହିଛି, ତା’ର ପରୀକ୍ଷା କାଳି, କଲମ ଆଉ କାଗଜରେ କରାଇ ନେବାର ଧୃଷ୍ଟତା କିଏ କରିବ ? ଶିକ୍ଷକର କାମ ହୁଏତ ଏପରି ଖଣ୍ଡିଆ ପରୀକ୍ଷାଦ୍ୱାରା ସହଜ ହୋଇଯିବ । କାଗଜ କଲମର ହିସାବରୁ ହୁଏତ ସେ କେତେବେଳେ ବୁଦ୍ଧି ଖରଚ କରି ବା କେତେବେଳେ ଆପଣାର ଶୁଦ୍ଧ ଖିଆଲ ଅନୁସାରେ ପିଲାକୁ ପାସ୍ ବା ଫେଲ୍ କରିଦେବେ । କିନ୍ତୁ ଏହାଦ୍ୱାରା ପିଲାର ଯଥାର୍ଥ ପାଠ-ପରୀକ୍ଷା କଦାପି ହୋଇ ପାରିବନାହିଁ । ଖ୍ରୀଷ୍ଟିଆନ୍ ଧର୍ମଚିନ୍ତାରେ ଗୋଟାଏ ବିଚାର-ଦିନର କଳ୍ପନା ରହିଛି । ସଂସାରରେ ଯିଏ ପାପ କମାଉଛି କି ପୁଣ୍ୟ କମାଉଛି, ସେହି ଅନୁସାରେ ଦିନେ ଭଗବାନ୍ ସବୁ ମଣିଷର ବିଚାର କରିବେ ଓ ସେହି ବିଚାର ଅନୁସାରେ ପ୍ରତ୍ୟେକ ମଣିଷକୁ ନରକ ବା ସ୍ୱର୍ଗକୁ ଯିବାକୁ ପଡ଼ିବ । ଠିକ୍ ସେହିପରି ପାଠଜଗତର ଅପ-ଦେବତାମାନେ ଗୋଟାଏ ଲିଖିତ ପରୀକ୍ଷା କରାଇ ପିଲାକୁ ଏପାରି ନଚେତ ସେପାରି କରିଦେବାର ବିଚାର-ଦିବସ ଠିକ୍ କରିଛନ୍ତି । କିନ୍ତୁ ପାଠର ପ୍ରକୃତ ବିଚାର ତ ପାଠ ପଢ଼ି ସାରିବା ପରେ ହେବା ଉଚିତ । ପାଠୁଆ ମନ, ପାଠୁଆ ଚରିତ୍ର ଓ ସ୍ୱଭାବ,–ଏହାହିଁ ପାଠପଢ଼ାର ଅସଲ ମାନଦଣ୍ଡ ହେବା ଉଚିତ । ଇତିହାସ, ଭୂଗୋଳ, ଗଣିତ କି ଦର୍ଶନ ଆମେ ଯାହା ପଢ଼ିବା ପଛକେ କିଏ କେତେ ନିପୁଣଭାବରେ ସେସବୁ ମନେରଖି ପାରିଲା ସେଇଥିରୁ ତାହାର ପରୀକ୍ଷା ହେବନାହିଁ । ପ୍ରାପ୍ତ ପାଠକୁ ହଜମ କରି କିଏ ଜୀବନର ନିତ୍ୟ ସାମଗ୍ରୀ କରିପାରିଲା, ପାଠର ନିଷ୍ଠାକୁ କିଏ ଜୀବନ-ନିଷ୍ଠାକୁ ରୂପାନ୍ତରିତ କରିପାରିଲା, ଅସଲ ପରୀକ୍ଷା ଆମର ସେତିକିବେଳେ ହେବ । ହୁଏତ କୌଣସି ସହରରୁ ସେଦିନ ଆମପାଇଁ ସ୍ୱତନ୍ତ୍ର ପରୀକ୍ଷକ ବରାଦ ହୋଇ ଆସିବେ ନାହିଁ । ଆମ ଆପଣା ପାଖରେ ଆମେ ଦିନେ ନା ଦିନେ ଏହି ପରୀକ୍ଷା ଦେବା । ଜୀବନର ରାଜଦଣ୍ଡରେ ଆପଣା ପାଖରେ ପାସ୍ କରିପାରିଲେ ଆମର ପାଠ ଆମର ଭୂଷଣ ହୋଇ ରହିବ, ଆମର ଶୋଭା ବଢ଼ାଇବ, ଆମକୁ ପ୍ରତ୍ୟେକ କ୍ଷେତ୍ରରେ ପ୍ରତ୍ୟେକ ଅନୁଭୂତିରୁ ସରସ ହୋଇ ପାରିବାର ସମ୍ପଦ ଦେଇ ଯାଉଥିବ । କିନ୍ତୁ ଫେଲ ହେଲେ ଆମେ ଆପଣା ପାଖରେ ଚୋର ହୋଇଯିବା, ଆମର ପରୀକ୍ଷକ-ମନ ଆମକୁ ଖାଇ ଗୋଡ଼େଇବ । ଆମ ପାଖରେ ନିତ୍ୟ-ସଙ୍କୋଚ ଓ ନିତ୍ୟ ଅସନ୍ତୋଷର ଛାଟ ନେଇ ଦଉଡ଼ିବ । ବାହାରେ ଦୁନିଆ ଆଖିରେ ଯେତେ ସଫଳ ହୋଇପାରିଲେ ମଧ୍ୟ ଆମ ଆପଣା ପାଖରେ ଅମେ ଅତି ଦୀନହୀନ ଓ ଅଜ୍ଞ ଅଶିକ୍ଷିତ ହୋଇ ପଡ଼ି ରହିବା ।

 

ଆମ ଦୁର୍ଭାଗ୍ୟ, ପୃଥିବୀରେ ଆଜି ଜୀବନକୁ ମାରିଦେଇ ଜୀବନର ଆଡ଼ମ୍ବରହିଁ ଅଧିକ ପ୍ରତିପତ୍ତି ବିସ୍ତାର କରିଛି । ଧନ ଓ ସମ୍ମାନର ଆଡ଼ମ୍ବର ପରି ଶିକ୍ଷାରେ ମଧ୍ୟ ଏଇ ଆଡ଼ମ୍ବରର ପୂଜା ହେଉଛି । ଶିକ୍ଷା ଆମକୁ ନମ୍ର ଓ ଚରିତ୍ରବାନ୍‍ ହେବାଲାଗି ଯେତେ ପ୍ରେରଣା ନ ଦେଉଛି, ଆମକୁ ନାନା ଆଡ଼ମ୍ବର ପ୍ରିୟତାର ଈର୍ଷା ଓ ଘୃଣାରେ ଭରାଇ ଦେଇ ଆମକୁ ପ୍ରତିଯୋଗିତା ଓ ପ୍ରଶଂସାର ବଜାରରେ ଶନି ଲକ୍ଷ୍ମୀ କରି ବସାଇ ଦେଉଛି । ପ୍ରଧାନତଃ ଦେଖାଇବା ଲାଗି ଆମେ ପାଠ ପଢ଼ୁଛୁ । ଏ ଭାଷାହୀନ ମଣିଷ-ସମାଜର ଦେଶରେ ଦି’ପଦ ବିଦେଶୀ ଭାଷା କହି ଦି’ଘଣ୍ଟା ବିନୋଦନରେ କଟାଇ ପାରିବାର ଆଳସ୍ୟ ଶିଖିବାଲାଗି ଆମେ ପାଠପଢ଼ାର ଆଡ଼ମ୍ବର କରୁଛୁ । ଆମେ ପାଠ ପଢ଼ୁଛୁ । ପାଠପଢ଼ୁଆର ପୋଷାକପତ୍ର ଓ ଚାଲିଚଳନକୁ ଅତି ପ୍ରଲୁବ୍ଧ ଭାବରେ ଆୟତ୍ତ କରୁଛୁ । ଆମେ ସୂତାକାଟୁଛୁ, ପ୍ରାର୍ଥନା କରୁଛୁ, ଦୈନିକ କାର୍ଯ୍ୟକ୍ରମକୁ ପୂର୍ଣ୍ଣ କରିବାକୁ କାମ କରୁଛୁ, ଡାଏରୀ ଲେଖୁଛୁ । ତଥାପି ଯେପରି ଏସବୁ ଗୋଟାଏ ଆଡ଼ମ୍ବର ପରି ଚାଲିଛି । ଏଥିରେ ନମ୍ର ହେବାର କୌଣସି ଶ୍ରଦ୍ଧା ନାହିଁ । ଚରିତ୍ର ନିର୍ମାଣର କୌଣସି ସାଧନା ବା ସରଳତା ନାହିଁ; ଶିକ୍ଷାର ଉପାର୍ଜନକୁ ସଯତ୍ନ ସାଇତି ରଖି ଦୈନନ୍ଦିନ ଜୀବନର ନାନା ଅବସରରେ ସେସବୁକୁ ଫୁଟାଇ ପାରିବାର କୌଣସି ଉଦ୍ୟମ ନାହିଁ । ସେଥିଲାଗି ଆମର ପାଠପଢ଼ା, ଆମର ସାମାଜିକ ଜୀବନ, ଆମର କର୍ମ ଓ ପ୍ରାର୍ଥନା, ଯାହାସବୁ ଆମର ଜୀବନକୁ ବିଲ୍‌କୁଲ୍‌ ବଦଳାଇ ଦେଇପାରନ୍ତା, ଆମର ଦୃଷ୍ଟିରେ ନୂଆ ସୃଜନଶକ୍ତି ଭରିଦେଇ ପାରନ୍ତା, ସେ ସମସ୍ତ ଆମକୁ କେବଳ ଗୋଟାଏ ଗୋଟାଏ କାର୍ଯ୍ୟକ୍ରମ ପରି ଲାଗୁଛି । ଏଥିରୁ ଆମେ କୌଣସି ମାଧୁରୀ ପାଉନାହୁଁ । ଓଲଟି ଆମ ଭିତରେ ରହିଥିବା କୋମଳ ଶିକ୍ଷାବ୍ରତୀ ମନକୁ ଆମେ ବଡ଼ ସଂକୁଚିତ କରି ଦେଉଛୁ ।

 

୨୧ । ୧୨ । ୫୫

 

‘ଅଶୁଶ୍ରୂଷା ତ୍ୱରା ଶ୍ଳାଘା ବିଦ୍ୟାୟାଃ ଶତ୍ରବସ୍ତ୍ରୟଃ’–ମହାଭାରତରେ (ଉ: ୪୦।୪) ମହାତ୍ମା ବିଦୁର ବିଦ୍ୟାଲାଭର ଏହି ତିନୋଟି ଶତ୍ରୁର ନିରୂପଣ କରିଛନ୍ତି । ପ୍ରଥମଟି ହେଉଛି ଅଶୁଶ୍ରୂଷା–ଅର୍ଥାତ୍ ଗୁରୁଙ୍କ ମୁଖରୁ ପଠିତ ବିଷୟ ଶୁଣିବାର ଅନିଚ୍ଛା । ଶିକ୍ଷଣୀୟ ବିଷୟକୁ ଅତି ଅଳ୍ପ ସମୟ ଭିତରେ ଆୟତ୍ତ କରିବାର ବ୍ୟସ୍ତତା ହେଉଛି ଦ୍ୱିତୀୟ ଶତ୍ରୁ । ମୁଁ ଶିକ୍ଷିତ ହୋଇଗଲି ଅର୍ଥାତ୍ ଆଉ ମୋର ଶିକ୍ଷା କରିବାର କିଛି ନାହିଁ–ଏପରି ଅହଂକାର ମନରେ ପୋଷଣ କରିବା–ଏଇଟି ବିଦ୍ୟାର ତୃତୀୟ ଶତ୍ରୁ । ଶିକ୍ଷାର୍ଥୀ ଜୀବନରେ ଏହି ତିନୋଟିଯାକ ଶତ୍ରୁଙ୍କ ସହିତ ଆମର ଅଳ୍ପ ବହୁତ ପରିଚୟ ଅଛି । ଆମ ସମାଜ ଅନେକ ସମୟରେ ଆମ ଶିକ୍ଷାରୁ ଏପରି ଅନେକ ଅସ୍ୱାଭାବିକ ଦାବିମାନ କରୁଛି ଯେ ହୁଏତ ବାଧ୍ୟହୋଇ ଆମେ ଏହିସବୁ ଶତ୍ରୁଙ୍କୁ ଶତ୍ରୁ ଜାଣିସୁଦ୍ଧା ସେହିମାନଙ୍କର କବଳ ଭିତରେ ରହିଛୁ । ଆଜିକାଲି ଘରେ ପିଲାଙ୍କର ଟିଉସନ ମାଷ୍ଟର ରହୁଛନ୍ତି । ଦୁଇପକ୍ଷ ଏହାଦ୍ୱାରା ଉପକୃତ ହେଉଛନ୍ତି । ଉପୁରି ସମୟରେ ମାଷ୍ଟର ଦି’ପଇସା ରୋଜଗାର କରି ପାରୁଛନ୍ତି-। ଏଣେ ଉତ୍ସାହୀ ବାପା-ମାଆ ପିଲାର ଅଧିକ ପାଠ ହେବାଲାଗି ଅଧିକ ମାଷ୍ଟର ରଖୁଛନ୍ତି-। ଯାହାପାଇଁ ଯେତେଟା ମାଷ୍ଟର ଖଟିବେ ତା’ର ସେତିକି ବେଶି ପାଠ ହୋଇପାରିବ । ଏପରି ଏକ ଭ୍ରମ ଆମ ସମାଜରେ ଅନେକଙ୍କର ରହିଛି । ଆମ ପିଲା ଦିନରାତିର ଯେତେ ଅଧିକ ସମୟ ପାଠପଢ଼ାରେ ଦେଇପାରିବ, ବିଦ୍ୟାରେ ସେ ସେତେ ନିପୁଣତା ଲାଭ କରିପାରିବ–ଏପରି ବିଶ୍ୱାସ ମଧ୍ୟ ଅନେକେ କରୁଛନ୍ତି । ତେଣୁ ଶିକ୍ଷାକୁ ଗଉଣିରେ ମାପିବାର ବା ନିକିତିରେ ଓଜନ କରିବାର ଗୋଟାଏ ସାମଗ୍ରୀ ବୋଲି ସମସ୍ତେ ଭାବିଲେଣି । ଯିଏ ଶିଖିବ ସିଏ କିପରି ଶିଖିବ, କିପରି ମନ ବା ଦୃଷ୍ଟି ନେଇ ଶିକ୍ଷାର୍ଥୀ ଶିକ୍ଷକ ପାଖକୁ ଯିବ, ଏସବୁର ଚର୍ଚ୍ଚା ଆଜିକାଲି ହେଉନାହିଁ । ଯାହା ପଢ଼ିଲି ସେତକ ପରୀକ୍ଷାଘରେ କାଗଜ କଲମ ସାହାଯ୍ୟରେ ନିବେଦିତ କରିଦେଇ ପାରିଲେ ମୋର ଦାୟିତ୍ୱ ସରିଗଲା ବୋଲି ମୁଁ ଭାବୁଛି । ସେଠି ଶିକ୍ଷାର ଜୀବନ ସହିତ, କୌଣସି ପ୍ରକାର ଶୃଙ୍ଖଳା ସହିତ କୌଣସି ସମ୍ପର୍କ ଅଛି ବୋଲି କେହି ଭାବୁନାହିଁ । ତେଣୁ ଆଗେ ଯେଉଁ ଗଭୀର ଜିଜ୍ଞାସା ଓ ଶ୍ରଦ୍ଧା ନେଇ ଛାତ୍ର ଗୁରୁ ପାଖକୁ ବିଦ୍ୟା ଶୁଣିବାକୁ ଯାଉଥିଲା, ସେ କଥା ଆଜି ହୋଇପାରୁନାହିଁ-। ତା’ପରେ ବିଷୟ-ଗୁଡ଼ିକୁ ଯେ କୌଣସି ପ୍ରକାରେ ଅଳ୍ପ ସମୟରେ ଆୟତ୍ତ କରିନେବା ଲାଗି ବ୍ୟସ୍ତତା । ଆଗେ ଋଷି-ଆଶ୍ରମରେ ଶିକ୍ଷାବ୍ରତୀମାନେ ଶାସ୍ତ୍ର ମୁଖସ୍ଥ କରି ରଖୁଥିଲେ । କିନ୍ତୁ ଏହା ପଛରେ ସାଧନା ଥିଲା । ସତ୍‍ଶାସ୍ତ୍ରକୁ ଆପଣାର କରିବାର ଆନନ୍ଦ ଥିଲା । ସଦ୍‍ବାକ୍ୟଦ୍ୱାରା ସମୟକୁ ଶୁଦ୍ଧତର କରିବାର ନିଷ୍ଠାପର ଉଦ୍ୟମ ଥିଲା । ବର୍ତ୍ତମାନର ମୁଖସ୍ଥ କରିବା ପଛରେ ନା ଅଛି ସାଧନା, ନା ଅଛି ଉଦ୍ୟମ, ନା ଅଛି ଆନନ୍ଦ ? ଯେତେ କମ୍ ସାଧନାରେ ଯିଏ ପାଠକୁ ସାଧ୍ୟକରି ପାରିଲା, ସେଇ ଜିତିଲା; ସେଇ ସୁନାପୁଅ ହେଲା । ବର୍ତ୍ତମାନର ପାଠ ବ୍ୟବସ୍ଥା ଆମକୁ ଅଳସୁଆ ହେବାକୁ ଶିଖାଉଛି । ଦୁଇ ଦିନରେ ମାଟ୍ରିକ ପାସ୍ କରିବାର ବା ଦୁଇ ମାସରେ ଇଂରାଜୀ ଶିଖିବାର ଲୋଭନୀୟ ବହିମାନ ବାହାରି ପିଲାକୁ ଆହୁରି ସାଧନା-ହୀନ କରି ପକାଉଛି-। ପାଠପଢ଼ିବା ଯେପରି ଗୋଟାଏ ବ୍ୟାଧି ବା ବିଦ୍ୟାଲାଭ ଗୋଟାଏ ଯେପରି ବାଧ୍ୟତାମୂଳକ ଦଣ୍ଡଭୋଗ ! ଦୁଇଦିନ ବା ଦୁଇମାସ ଔଷଧ ଖାଇ ଆମେ ଯେପରି ସେହି ବ୍ୟାଧି ବା ଦଣ୍ଡଭୋଗରୁ ମୁକ୍ତ ହୋଇ ପାରିବା ! ବିଦ୍ୟାଲାଭକୁ ଏହିପରି ଭାବରେ ଶସ୍ତା କରି ଆମ ସମାଜରେ ସମସ୍ତେ ଶସ୍ତା ପାଠୁଆ ମଧ୍ୟ ହୋଇ ପାରୁଛନ୍ତି । ଯଥେଷ୍ଟ ପାଠ ହୋଇ ଗଲାଣି ବୋଲି ଗୋଟାଏ ପ୍ରକାର ଆଳସ୍ୟ ଆମ ବିଚାରକୁ କାମୁଡ଼ି ଧରିଛି । ଯିଏ ସ୍କୁଲ ପାର ହୋଇଗଲା, ସିଏ ପାଠୁଆ ହୋଇଗଲା-। ଏଣିକି ସେ ଖାଲି ଶିଖାଇବ, ଶିଖିବ ନାହିଁ । ହାକିମି ଦେଖାଇବ, ନିଜେ କୌଣସି ପ୍ରକାରେ ମାନ୍ୟତା ରଖିବ ନାହିଁ । ଅନ୍ୟମାନଙ୍କୁ ଶୃଙ୍ଖଳିତ କରାଇବ, ଆପେ କୌଣସି ପ୍ରକାର ଶୃଙ୍ଖଳାର ଅଧୀନରେ ରହିବ ନାହିଁ । କୌଣସି ପ୍ରକାରର ଆତ୍ମଶୃଙ୍ଖଳା ମଧ୍ୟ ତା’ର ରହିବ ନାହିଁ । ଏହିପରି ଗୋଟାଏ ଧୃଷ୍ଟତା ବର୍ତ୍ତମାନ ଆମର ସାମାଜିକ ଓ ବ୍ୟକ୍ତିଗତ ଜୀବନକୁ ଘୋଟି ରହିଛି-। ଯିଏ ଯଥାର୍ଥରେ ଶିକ୍ଷିତ, ତା’ର ଶିକ୍ଷାର୍ଥୀ-ଦୃଷ୍ଟି, ତା’ର ସମସ୍ତ ଜୀବନ ବ୍ୟାପୀ ରହିବ । ସେ ପ୍ରତ୍ୟେକ କ୍ଷେତ୍ରରୁ ନମ୍ର ଭାବରେ ଗ୍ରହଣ କରିବ, ନମ୍ର ହୋଇ ପ୍ରତ୍ୟେକ କ୍ଷେତ୍ରରେ ଦେବ । ଏସବୁ ଶିକ୍ଷା ନ୍ୟାୟକୁ ଆମେ ଆଜି ସ୍ୱୀକାର ମଧ୍ୟ କରୁନାହୁଁ । ସେଥିପାଇଁ ଶିକ୍ଷିତ ବ୍ୟବସ୍ଥା ଓ ଶିକ୍ଷିତ ଶାସନର ଜୁଲମ ଯେତେ ବଢ଼ି ଯାଉଥିଲେ ମଧ୍ୟ ଶିକ୍ଷିତ ଜୀବନର ଅନେକ ଦୂରରେ ଆମେ ରହିଛୁ ।

 

ଆମର ଛୋଟ ସଂସାରଟିରେ ଆମେ ବିଦ୍ୟାଲାଭର ଏହି ତିନୋଟି ଶତ୍ରୁଙ୍କୁ ଚିହ୍ନି ରଖିବା-। ଶୁଣିବାର ଆଗ୍ରହ ଆମର ପ୍ରତ୍ୟେକ ଦିନ ବଢ଼ୁଥିବ । ସେଥିଲାଗି ଆମେ ଆମର ଜ୍ଞାନେନ୍ଦ୍ରିୟକୁ ଅଧିକ ପ୍ରସ୍ତୁତ କରି ରଖିବା । କୌଣସି ପ୍ରକାର ବିଦ୍ୟାକୁ ଅଳ୍ପ ସାଧନାରେ ଅର୍ଜନ କରିବାର ଦମ୍ଭ ଆମେ କରିବା ନାହିଁ । ଆମ ଖାତା ଉପରେ ଶିକ୍ଷକଙ୍କର ପ୍ରତ୍ୟେକଟି କଥା ଟିପି ରଖିବା ବା ଆମ ବହିରୁ କମା ବା ପୂର୍ଣ୍ଣଚ୍ଛେଦ ସମେତ ଯାବତୀୟ ବିଷୟକୁ କଣ୍ଠସ୍ଥ କରି ରଖିବାକୁ ଶିକ୍ଷାର୍ଥୀ-ଜୀବନ ଓ ଶିକ୍ଷାର୍ଥୀ-ମନର ସୂଚନା ବୋଲି କହିବାର ଧୃଷ୍ଟତା ଆମର ଯେପରି କୌଣସି ଦିନ ନ ହୁଏ-। ଜୀବନରେ ସାଧନାର ଶେଷ ନାହିଁ । ଆମରି ଶିକ୍ଷାଲାଭ ଏହି ଅଶେଷ ସାଧନାର ଗୋଟିଏ ଅଙ୍ଗ ମାତ୍ର । ଯିଏ ଯଥାର୍ଥରେ ଶିକ୍ଷାର୍ଥୀ ହେବ ତା’ର ଉତ୍ସାହ, ତା’ର ଆଗ୍ରହ ଓ ତା’ର ଶୃଙ୍ଖଳାକୁ ସେ ଜୀବନସାରା ସମ୍ମାନ ଦେଇ ଆସିବ । ଜୀବନସାରା ସେ ତରୁଣ ହୋଇ ରହିବ । ତା’ର ଶିକ୍ଷାଳୟର ପରିଧି ଦିନୁଦିନ ବଢ଼ିବ । ତା’ର ଆକାଂକ୍ଷା ଦିନୁଦିନ ଅଧିକ ମହାନ୍ ହୋଇ ଚାଲିବ । ପୂର୍ବକାଳରେ ଜୀବନଯାକ ଯୁବକ ହୋଇ ରହିବାକୁ ଗୋଟିଏ ପ୍ରକାର ଔଷଧ ଲୋକେ ଖାଉଥିଲେ । ଆମର ଶିକ୍ଷାର୍ଥୀ ମନହିଁ ଆଜି ଆମକୁ ବାର୍ଦ୍ଧକ୍ୟର ଦୁର୍ଦ୍ଦଶାରୁ ରକ୍ଷା କରିବ । ଆମକୁ ଚିର ତାରୁଣ୍ୟର ସରସ ବାଟରେ ଆଗକୁ ନେଇଯିବ ।

 

ବୌଦ୍ଧଶାସ୍ତ୍ର ଅଙ୍ଗୁଭର ନିକାୟରେ (୧।୫୦) ବୁଦ୍ଧଦେବଙ୍କର ଗୋଟାଏ ବାଣୀର ଉଲ୍ଲେଖ ରହିଛି । ଥରେ ସେ ଭିକ୍ଷୁମାନଙ୍କୁ କହିଥିଲେ, ଦୁଇଟି ଜିନିଷ ମୁଁ ଜୀବନରେ ଅନୁଭବ କରିଛି । ଜୀବନର କୌଣସି ସୁଖାବସ୍ଥାରେ ଆମେ ସନ୍ତୁଷ୍ଟ ଓ ସ୍ଥାଣୁହୋଇ ରହିଯିବା ନାହିଁ ଏବଂ ସାଧନାର ମାର୍ଗରେ କେବେହେଲେ ଆମେ ଅଟକି ଯିବାନାହିଁ । ଅଟକି ଯିବାହିଁ ଅଧର୍ମ, ଅଟକି ଯିବାହିଁ ମୃତ୍ୟୁ । ଯାହାକୁ ଆଳସ୍ୟ ଘାରି ଦେଉଛି, ସେହି କେବଳ ଅଟକି ଯାଇ ସୁଖର ଭ୍ରମ କରି ବସିଛି । ତା’ର ସକଳ ସାଧନା ସେଇଠି ନିଷ୍ଫଳ ହୋଇଯାଉଛି । ଆମେ ଆମର ଜିଜ୍ଞାସାରେ କୌଣସିଠାରେ ଅଟକି ଯିବାନାହିଁ, ଆମେ ସାଧନାର ଶୃଙ୍ଖଳାକୁ ଡରିବାନାହିଁ । ଆମେ ଅଧା ବାଟରେ ସବୁ ଶିକ୍ଷା ସରି ଯିବାର ଅଭିମାନ କରିବା ନାହିଁ । ତେବେ ଯାଇ ଆମର ଶିକ୍ଷା ଆମକୁ ଶୁଦ୍ଧ, ସ୍ୱଚ୍ଛ ଓ ଜୀବନ୍ତ କରି ରଖିପାରିବ ।

 

୫ । ୧୨ । ୫୫

 

ସଂସାରରେ ଆମେ ଆଜି ସମସ୍ତେ ଅପରର ବିଚାର କରି ବାହାରିଚୁ । ଅନ୍ୟର ଦୋଷ ବା ଦୁର୍ବଳତାକୁ ତାଳପରି ଦେଖାଇ ଆପଣାର ଦୁଷ୍ଟାମିକୁ ଆମେ ବେଶ୍ ଘଷିମାଜି ରଖିଚୁ । ଆପଣା ଲାଜରେ ଆପେ ଆଗେ ନଇଁ ପଡ଼ିବା ପୂର୍ବରୁ ଆମେ ଆଗ ଆଉ ପାଞ୍ଚଜଣଙ୍କୁ ଲାଜ ଦେବାର ବାହାଦୁରି ଦେଖାଇବାରେ ଭାରି ଆନନ୍ଦ ପାଉଛୁ । ଆମର ଅନ୍ତର୍ଦୃଷ୍ଟି ଆଉ କାମ କରୁ ନାହିଁ । ରାବଣର କୋଡ଼ିଏଟା ଆଖି ବାହାର କରି ଆମେ ସମସ୍ତେ ଏକ ଅଦ୍ଭୁତ ନୈତିକ ନ୍ୟାୟର ଲାଙ୍ଗୁଳ ଧରି ସଂସାରରେ ଚୋରଧରି ବାହାରିଛୁ । ଭାବୁଛୁ, ଏଇ ଚୋର ଧରି ମାତାଲାମିରେ ଆମରି ଆପଣା ଭିତରର ଚୋରକୁ ଆମେ ଘୋଡ଼ାଇ ରଖି ପାରିବା । କୋଡ଼ିଏଟା ଆଖି ଥିଲେ ମଧ୍ୟ ରାବଣ ଆପଣାର ଭିତରକୁ ଅନାଇ ଦେଖିବାର ଶକ୍ତି ଅର୍ଜନ କରି ନଥିଲା । ଲଙ୍କାଗଡ଼ର ମଣିମୁକ୍ତା ଭିତରେ ରହି ଓ ରାଜତ୍ୱ କରି ମଧ୍ୟ, ତା’ର ଅନ୍ତର ଭିତରେ ଦୁନିଆଯାକର ଭୟ ଭିଡ଼ିକରି ରହିଥିଲା-। କୋଡ଼ିଏଟା ହାତରେ କୋଡ଼ିଏ ପ୍ରକାର ଅସ୍ତ୍ର ଧରି ମଧ୍ୟ ସେ ଅତି ଦୁର୍ବଳ ଓ ଭୟାର୍ତ୍ତ ଭାବରେ ଦିନ କଟାଉଥିଲା । ରାବଣ ପରି ଆମେ ହୁଏତ ଆଜି ଏଡ଼େଏଡ଼େ ଆଖିରେ ସଂସାରଯାକର ଚୋରକୁ ଧରାଇ ଦେବାରେ ବାହାରିଛେ । ଯିଏ ଶ୍ରଦ୍ଧା ଓ ସ୍ନେହର ସନ୍ଧାନ କରେ, ସିଏ ଶ୍ରଦ୍ଧା ଓ ସ୍ନେହ ପାଏ-। ଆମେ ଆଉ ଶ୍ରଦ୍ଧା ବା ସ୍ନେହକୁ ବିଶ୍ୱାସ କରୁ ନାହୁଁ । ସଂସାରଟାଯାକ ମଣିଷଙ୍କ ଭିତରେ କ’ଣ ସବୁ ଦୋଷ ଅଛି ବା ଦୁଃସ୍ୱଭାବ ଅଛି, ସବୁଗୁଡ଼ାକର ଅନ୍ୱେଷଣ କରି ଆମର ଅମଙ୍ଗଳଯାତ୍ରା ଚାଲିଛି-। ସାରା ସଂସାରକୁ ଦୋଷୀ ବୋଲି ଦେଖାଇ ଗୋଟାଏ ବିଜୟ ଦମ୍ଭରେ ଯେତେବେଳେ ଆମେ ଆପଣା ଅନ୍ତରର ନୀଡ଼କୁ ବାହୁଡ଼ି ଆସୁଛୁ, ସେତେବେଳେ ଆପଣା ଭିତରର ବିବେକ ଆମକୁହିଁ ଚୋର କରି ଦେଉଛି । ଆଖିବୁଜି ଯୋଉ ମଣିଷ ସଂସାର ନାହିଁ ବୋଲି କହିବ, ତାକୁ ଆମେ ସମସ୍ତେ ନିର୍ବୋଧ ବୋଲି କହିବା । ଆମେ ଯଦି ସେମିତି ଆଖି ବୁଜି ଦେଇଥିବା, ଶେଷରେ ଆପେ ଆପଣାକୁହିଁ ଠକିବା । ସାରା ସଂସାରକୁ ଦୁଷ୍ଟ ବୋଲି କହି ଆପଣାକୁ ସାନ୍ତ୍ୱନା ଦେବାକୁ ଆସିଲାବେଳେ ଆମ ଭିତରର ଦୁଷ୍ଟାମି ଆମକୁହିଁ ମନେ ମନେ ଚୋର କରିଦେବ-। ସାରା ସଂସାରକୁ ଠକିବାକୁ ଯାଇ ଆମେ ଆପଣାପ୍ରତିହିଁ ସବୁଠାରୁ ବଡ଼ ଅନ୍ୟାୟ କରିବା ।

 

ଶିକ୍ଷାର୍ଥୀ ହିସାବରେ ଆମକୁ ଏହି ଦୁଷ୍ପ୍ରବୃତ୍ତି ବିଷୟରେ ଭାରି ସାବଧାନ ରହିବାକୁ ପଡ଼ିବ । ବିଦ୍ୟା କହିଲେ ଏ ଅଜବ ଦେଶରେ ଆମେ ଅନେକ ସମୟରେ ନାନା ଅଜବ ଅର୍ଥ କରିବସୁ । ଅନେକେ ବିଦ୍ୟାକୁ ଗୋଟାଏ ଠକାମିର ସାଧନ ବୋଲି ଭାବନ୍ତି । ଯିଏ ଅପରକୁ ଯେତେ ଠକାଇ ପାରିଲା, ସେ ସଂସାର ଆଖିରେ ସେତେ ବିଦ୍ୱାନ୍ ହେଲା । ଆହୁରି ଅନେକେ ବିଦ୍ୟାକୁ ଅର୍ଥ ଉପାର୍ଜନର ବାହନ ବୋଲି ଭାବନ୍ତି । ତୁମ ପାଖରେ ବିଦ୍ୟା ଅଛି । ଅର୍ଥାତ୍ ତୁମ ପାଖରେ ଅଧିକ ଅର୍ଥ ଉପାର୍ଜନ କରିବାର ପାସପୋର୍ଟ ରହିଛି । ଯଦି ତୁମେ କୌଣସି କାରଣରୁ ସେତିକି ଅର୍ଥ ଉପାର୍ଜନ କରି ନ ପାରିଲ, ତେବେ ତୁମ ପାଖରେ ବିଦ୍ୟା ଅଛି ବୋଲି କେହି କହିବେ ନାହିଁ । ଏପରି ରୀତି ଆମ ଦେଶରେ ଚାଲୁଛି । ବିଦ୍ୟା କହିଲେ ଯଦି ଏହିପରି ଠକିବା ବା ଅର୍ଥ ଉପାର୍ଜନ କରିବା ଦୃଷ୍ଟିରୁ ଏଠି କେହି ବିଚାର କରୁଥାନ୍ତି, ତେବେ ମୁଁ କହିବି ସେ ଭାରି ଭୁଲ୍ ବୁଝିଛନ୍ତି-। ସଂସାରର ଗଡ଼କୁ ଜିତି ବାବୁ ହୋଇ ତାରିଫ ପାଇବାର ବିଦ୍ୟା ଦେବାକୁ ଏଠାରେ ଏ ଜଙ୍ଗଲରେ ଏ କଲ୍ୟାଣ-ମଣ୍ଡପ ତିଆରି ହୋଇ ନାହିଁ । କିଣାବିକା ବଜାରରେ ଜିତାପଟ ପାଇବାର ଶିକ୍ଷା ଦେବାକୁ ସଂସାରରେ ଅନ୍ୟାନ୍ୟ ଅନେକ ଜାଗାରେ ବଡ଼ବଡ଼ ପାଠଶାଳା ରହିଛି-। ଆମର ପାଠଶାଳାର ଧର୍ମ ସେସବୁ ପାଠଶାଳାର ଧର୍ମଠାରୁ ଅନେକ ତଫାତ । ଏଠି ବିଦ୍ୟାର ଆଉ ଏକ ଅର୍ଥକୁ ମୂଳଦୁଆ କରି ବିଦ୍ୟାଳୟର ଥାପନା ହୋଇଛି । ବିଦ୍ୟା ମୁକ୍ତି ଲାଗି, ବିମୁକ୍ତି ଲାଗି । ସବୁ ପ୍ରକାର ଅବିଦ୍ୟା ଆଉ ଅଜ୍ଞାନରୁ ଯିଏ ମୁକ୍ତି ଦିଏ, ତାହାହିଁ ବିଦ୍ୟା । ଏହିପରି ଅର୍ଥରେହିଁ ଆମେ ବିଦ୍ୟାକୁ ବୁଝିବାକୁ ଚେଷ୍ଟା କରିବା । ଏହିପରି ବୁଝିହିଁ ଆମେ ଏ ବିଦ୍ୟାଳୟକୁ ଓ ଆପଣାକୁ ଭିନ୍ନ ଦୃଷ୍ଟିରେ ଦେଖିବା । ଯେତେ ପ୍ରକାର ବନ୍ଧନ ଆମର ଦିନରାତିକୁ ଓ ଆମର ବିକାଶକୁ ନାଗଫାଶର ମୋହରେ ବାନ୍ଧିରଖିଛି, ସେସବୁଥିରୁ ଆମେ ମୁକ୍ତିହେବା । ତେବେ ଯାଇ ଏଠିକାର ବିଦ୍ୟାଳୟରୁ ଆମେ ବିଦ୍ୱାନ୍‍ର ସ୍ୱୀକୃତିପତ୍ର ପାଇବା । ଆମର ଆଳସ୍ୟରୁ ଆମେ ମୁକ୍ତ ହେବା, ଆମର ଅସ୍ୱାଭାବିକ ଆଗ୍ରହ ସବୁରୁ ଆମେ ମୁକ୍ତହେବା । ଆମର ଅଶିଷ୍ଟତାରୁ ଆମେ ମୁକ୍ତ ହେବା । ଏହି ମୁକ୍ତର ପିପାସା ଧରି ଯିଏ ଏଠି ସାହସ ଧରି ରହିବ, ସେ କଦାପି ଆପଣା ଲାଜ ଓ ଦୁଷ୍ଟାମିକୁ ଘୋଡ଼ାଇ ରଖି ଅପରକୁ ଦୁଷ୍ଟ ବୋଲି ଦେଖାଇବାର ଧୃଷ୍ଟତା କରିବ ନାହିଁ । ଆପଣା ଲାଜରୁ ମଧ୍ୟ ସେ ମୁକ୍ତ ହେବ । ବିଦ୍ୟାଦ୍ୱାରା ମୁକ୍ତି ପାଇବାକୁ ଆସିଥିବା ମହାନ୍ ବିଦ୍ୟାର୍ଥୀ କୌଣସି ପ୍ରକାର ପ୍ରଲୋଭନରେ ପଡ଼ିବ ନାହିଁ । ଯେ କୌଣସି ପ୍ରକାରେ ଆପଣାକୁ ଭଲ ବୋଲି ଦେଖାଇବାର କୌଣସି ଅପଚେଷ୍ଟା ସେ କରିବ ନାହିଁ । ସଂସାରରେ ଯାହା ମଣିଷକୁ ନାନାପ୍ରକାର ମରଣ ପାଶରେ ବଦ୍ଧ ଓ ବିକଳ କରି ରଖେ, ସେ ସମସ୍ତରୁ ଆମେ ମୁକ୍ତ ହେବାର ସାହସ ଅର୍ଜନ କରିବା । ମୁଁ ଭାବୁଛି, ପୁରୁଣା ରାସ୍ତା ଛାଡ଼ି ବିଦ୍ୟାର ଏ ନୂଆ ନୂଆ ରାସ୍ତା ଆମେ ଏଥର ଧରିବା । ଚାଲ ଆଜି ଆମେ ଏହି ପ୍ରଶ୍ନର ବିଚାର କରିବା । ଆପଣାର ଅନ୍ତର ଭିତରେ ଏହି ପ୍ରଶ୍ନର ଉତ୍ତର ପାଇବାର ଚେଷ୍ଟା କରିବା । ଏହି ଉତ୍ତର ସହିତ ଏଠି ଆମର ଦୈନନ୍ଦିନ ଜୀବନ ଓ ଦୈନନ୍ଦିନ ବ୍ୟବହାରକୁ ମିଳାଇ ଦେଖିବା । ଯଦି ମେଳଥାଏ, ତେବେ ଯାଇ ଆମେ ଏଠିକାର ଯଥାର୍ଥ ବିଦ୍ୟାର୍ଥୀ ବୋଲି ଆପଣାକୁ କହି ପାରିବା । ଯଦି କୌଣସି ମେଳ ନ ଥାଏ, ତେବେ ଜାଣିବା ଆମର ବାଟ ଏଠିକାର ବାଟଠାରୁ ଅନେକ ଦୂରରେ । ହୁଏତ ଆମର ଶରୀରଟା ଏଠି ବାନ୍ଧି ହୋଇ ପଡ଼ିଛି । ଏଠିକାର ଖାଇବା, ଖେଳିବା, ପଢ଼ିବା, କାମ ଓ ପ୍ରାର୍ଥନା କରିବାରେ କେବଳ ଆମ ଶରୀରଟା ସିନା ଗୋଟାଏ ଅମଣିଆ ବଳଦ ପରି ଯାଇ ସାମିଲ ହେଉଛି, କିନ୍ତୁ ଆମର ହୃଦୟ ଏ ଅରଣ୍ୟପଥ ସହିତ ଏପର୍ଯ୍ୟନ୍ତ ପରିଚିତ ହୋଇ ନାହିଁ ।

 

୬ । ୧୨ । ୫୫

 

ଆମର ଶିକ୍ଷାଳୟରେ ଆମେ ସ୍ୱାଧୀନ ଆଉ ନିର୍ଭୀକ ହେବାର ଶିକ୍ଷାଲାଭ କରିବା । ଏପରି ଅନେକ ଭାଇଭଉଣୀ ବିଚାର କରିଛନ୍ତି । ଏହା ଅତି ଉତ୍ତମ ବିଚାର । କିନ୍ତୁ ସ୍ୱାଧୀନତା ସହିତ କେବଳ ନମ୍ରତା ଓ ବିନୟ ରହିପାରିଲେ ଯାଇ ଆମେ ସ୍ୱାଧୀନତା ଓ ସ୍ୱାଧୀନତାବାଚକ ପ୍ରତ୍ୟେକ ଶବ୍ଦର ମାଧୁରୀକୁ ଉପଲବ୍‍ଧି କରିପାରିବା । ସ୍ୱାଧୀନତା ହେବା ଅର୍ଥ ସବୁ ଶୃଙ୍ଖଳାକୁ ଛଡ଼ାଇ ଦେବା ନୁହେଁ । ସ୍ୱାଧୀନ ହେବାର ଅର୍ଥ ଆପଣାର ଅଧୀନ ହେବା । ସ୍ୱେଚ୍ଛାର ନୁହେଁ, ଆପଣାର ବିବେକର ଅଧୀନ ହେବା । ଆଉ ଆପଣା ବିବେକର ଅଧୀନ ନ ହୋଇଥିବା ପର୍ଯ୍ୟନ୍ତ ମଣିଷ କଦାପି ନିର୍ଭୀକ ହୋଇପାରିବ ନାହିଁ । ମୁହଁ ପିଟିଗୁଡ଼ାଏ କଥା ବକିଯିବା ନିର୍ଭୀକତା ନୁହେଁ । ଶସ୍ତା କାଗଜ ଉପରେ ରାଗ ଓ ଉତ୍ତେଜନାର ବଶବର୍ତ୍ତୀ ହୋଇ ଗୁଡ଼ାଏ ହାଡ଼ୁଆ କଥା ଲେଖିଯିବା ନିର୍ଭୀକତା ନୁହେଁ । ଯିଏ ଯଥାର୍ଥରେ ନିର୍ଭୀକ ହେବ, ସିଏ ସକଳ ପ୍ରକାର ମିଥ୍ୟା ପାଖରେ ନିର୍ଭୀକ ହୋଇ ଶିଖିବ । ଅନ୍ୟର ଦୋଷରେ ସେ ଯେମିତି ପ୍ରତିବାଦ କରିବ, ଆପଣା ଭିତରେ ଲୁଚି ରହିଥିବା ନାନା ମିଥ୍ୟା ଓ ସଂଯମହୀନତା ବିରୁଦ୍ଧରେ ସେ ସେମିତି ଯୁଦ୍ଧ ଘୋଷଣା କରି ଶିଖିବ । କୌଣସି ପ୍ରକାର ମିଛ ସମ୍ମାନ ବା ଅସମ୍ମାନବୋଧ ତାକୁ ଦିନରାତି ଦୁର୍ବଳ ଓ ବିକଳ କରି ରଖିବ ନାହିଁ । ଆପଣା ଭୁଲ୍‍କୁ ଲୁଚାଇବା ପାଇଁ ଅପରର ଭୁଲ୍‍କୁ ଉଖାରି ଦେଖାଇବାର ଲଜ୍ଜାକର ଦୁର୍ବଳତା ସେ କେବେ ଦେଖାଇବ ନାହିଁ । କୌଣସି ପ୍ରକାର ନମ୍ରତା ଓ ବିନୟର ବାଡ଼ ନ ମାନି ଯିଏ ସ୍ୱାଧୀନ ହେବାର ଉପଦ୍ରବ କରିବ, ତା’ ଉଗ୍ରତା ତାକୁ ନିଜକୁ ଖାଇଯିବ । ଆପଣା ଭିତରେ ସେ ସିଝିସିଝି ସନ୍ତପ୍ତ ହେବ । ଅଚଳନ୍ତି ଟଙ୍କାପରି ଜୀବନର ଦାଣ୍ଡରେ ସେ ଅକାମୀ ହୋଇଯିବ । ତେଣୁ ମୁଁ ସ୍ୱାଧୀନ ହେବାକୁ ଚାହେଁ, ଏକଥା ଖାଲି କହିଦେଲେ ସ୍ୱାଧୀନତା ମିଳିଯିବ ନାହିଁ । ଆମକୁ ସ୍ୱାଧୀନତା ଯୋଗ୍ୟ ହେବାକୁ ପଡ଼ିବ । ସ୍ୱାଧୀନତାର ବନ୍ଧନ ସ୍ୱୀକାର କରିବାକୁ ପଡ଼ିବ । ମୁଁ ନିର୍ଭୀକ ହେବାକୁ ଚାହେଁ, ଏକଥା ଖାଲି କହିଦେଲେ ନିର୍ଭୀକତା ଆସିବ ନାହିଁ । ଆପଣା ଭିତରୁ ସବୁ ପ୍ରକାର ଭୟ ପୋଛି ଦେବାକୁ ପଡ଼ିବ । ସଂସାରରେ ଦୋଷୀ ହେବାର ବା ଧରାପଡ଼ିବାର ଭୟରୁ ଆପଣାକୁ ମୁକ୍ତ ରଖିବାକୁ ପଡ଼ିବ । ଆଉ ଆମର ଭୟ ଦୂର ନ ହେବା ପର୍ଯ୍ୟନ୍ତ ଆମର ଶ୍ରଦ୍ଧା ନିର୍ମଳ ହୋଇପାରିବ ନାହିଁ । ନାନାପ୍ରକାର ମୋହ ଓ ଦୁର୍ବଳତାରେ ଏହା ଦୂଷିତ ହୋଇ ରହିଥିବ ।

 

ମଣିଷର କଥା, ମଣିଷର ବିବେକ ଓ ମଣିଷର ବ୍ୟବହାର–ଏଇଥିରୁ ମଣିଷର ନିର୍ଭୀକତାର ପରିଚୟ ମିଳେ । ଆପଣା ମୋହର ପରାଧୀନତାରୁ ମଣିଷ କେତେଦୂର ମୁକ୍ତ ହୋଇପାରିଛି, ତାହାର ପରିଚୟ ମିଳେ । ଆମେ ନିର୍ଭୀକ ହେବାର ବ୍ରତ ନେବାବେଳେ ଏହି କଥା ନିଶ୍ଚୟ ମନେ ରଖିବା । ଜିହ୍ୱା ମେ ମଧୁମତ୍ତମା–ମୋର ଜିହ୍ୱା ଅତିଶୟ ମଧୁରଭାଷିଣୀ ହେଉ–ଉପନିଷଦ୍‍ରେ ଛାତ୍ର ଭଗବାନ୍‍ଙ୍କୁ ଏଇ ପ୍ରାର୍ଥନା କରୁଛି । (ତୈତ୍ତିରୀୟ, ୧।୪।୩), ଯିଏ ଚିତ୍କାର କରି ଆମ ପାଖକୁ ଆସିବ, ସୁମଧୁର ଭାଷା କହି ଆମେ ତାହାର ସମ୍ମୁଖୀନ ହେବା, ହିଂସା ଆଉ ଅହିଂସାର ଭେଦ ଦେଖାଇ ଥରେ ବିନୋବାଜୀ ଏକଥା କହିଥିଲେ; ଯାହାର ଅନ୍ତର ମଧୁର, କେବଳ ତାହାରି କଥାହିଁ ମଧୁର ହୋଇପାରିବ । ଖୋସାମତ୍ କରିବାକୁ ଅବଶ୍ୟ ମଧୁରକଥା କୁହାଯାଇ ପାରିବନାହିଁ । ସଂସାରରେ ଯିଏ ଭିତରେ ବିଷ ରଖି ବାହାରେ ଅମୃତ ବଚନ କହନ୍ତି, ସେ ହୁଏତ ଆଜି ବାହାଦୁରି ପାଉଛି, କିନ୍ତୁ ଦିନେ ନା ଦିନେ ତା’ର କପଟତା ଜଣାପଡ଼ିଯିବ । ଯେତିକି ସେ କପଟ ମଧୁର କଥାର ବାଣ ଦୁନିଆକୁ ମାରୁଥିବ, ପରେ ସେ ସେତିକି ଆଘାତ ପାଇବ । ଯାହାର ଅନ୍ତର ନିର୍ମଳ, ଯିଏ ନମ୍ର ହୋଇ ଜୀବନର ପ୍ରତ୍ୟେକ କ୍ଷେତ୍ରକୁ ଶିଖିବାର ଶ୍ରଦ୍ଧା ନେଇ ବାହାରିଛି, କେବଳ ତାହାରି ଅନ୍ତରରୁ ମଧୁର କଥା ସମ୍ଭବ ହୋଇ ପାରିବ । କିନ୍ତୁ ଯିଏ ନାନାପ୍ରକାର ରୋଷବିକାରକୁ ନାନାପ୍ରକାର ଛଦ୍ମଢ଼ାଙ୍କୁଣି ଘୋଡ଼ାଇ ରଖିଛି, ଟିକିଏ ସୁରାକ ପାଇବାମାତ୍ରେ, ଯିଏ ସେଇଠି ଆପଣା ଗଚ୍ଛିତ ବିଷର ଉଦ୍‍ଗାର କରିପକାଉଛି, ଆମେ ତା’ର ମୁହଁରୁ କେବଳ କଟୁକଥାହିଁ ଶୁଣିବା । ଆମର କଟୁକଥାକୁ ସୁମଧୁର କଥାରେ ପରିଣତ କରିବା ହେଉଛି ଶିକ୍ଷାର କାମ । ଆମେ ଆମର ଲବ୍‍ଧ ଶିକ୍ଷାକୁ ଯେତିକି ହଜମ କରିପାରିବା, ଆମର କଥାରେ ସେତିକି ମାଧୁରୀ ଆସିବ । ଆଉ ଭିତରେ ନାନା ଭୟ ଓ ମଣିଷ ସମାଜରେ ଆପଣାକୁ ଛୋଟକରି ରଖିବାର ଭୟ ଲୁଚି ରହିଥିବା ପର୍ଯ୍ୟନ୍ତ ଆମର କଥାରେ ସମତା ବା ମଧୁରତା ଆସିବ ନାହିଁ । ବାହାରେ ଯେତେ ପାଟିକଲେ ସୁଦ୍ଧା ଭିତରେ ଆମେ ବଡ଼ ଦରିଦ୍ର ଓ ଦୁର୍ବଳ ହୋଇ ପଡ଼ିରହିବା ।

 

ବ୍ୟବହାର ଓ ଆଚରଣ ବିଷୟରେ ମଧ୍ୟ ଉପନିଷଦ୍‍ର ଗୁରୁ ଛାତ୍ରକୁ ସେଇପରି ଉପଦେଶ ଦେଇଛନ୍ତି । ‘ଯାନ୍ୟନବଦ୍ୟାନି କର୍ମାଣି ତାନି ସେବିତବ୍ୟାନି । ନୋ ଇତରାଣି । ଯାନ୍ୟସ୍ନାକଂ ସୁଚରିତାନି ତାନିତ୍ୱୟୋପାସ୍ୟାନି । ନୋ ଇତରାଣି (ତୈଃ: ୧।୧୧।୨୩)। ଯେଉଁ ସବୁ କାର୍ଯ୍ୟ ଆନନ୍ଦିତ ଅର୍ଥାତ୍ ଦୋଷମୁକ୍ତ ତାହାହିଁ ଅନୁଷ୍ଠାନ କର । ଆମର ସଦାଚାରଗୁଡ଼ିକୁହିଁ ଆଚରଣ କର । ଅନ୍ୟସବୁକୁ ବର୍ଜନ କର । ଯେକୌଣସି ଶିକ୍ଷାଳୟରେ ଏଇ କଥା ଆଦର୍ଶ ହୋଇ ରହିବା ଉଚିତ । ଏହି ଉପଦେଶକୁ ସ୍ମରଣ କରି ଆମେ ପ୍ରତିଦିନ ଆମର ହୃଦୟକୁ ନିର୍ମଳରୁ ନିର୍ମଳତର କରିବା ଉଚିତ । ଆମର ଅଧ୍ୟବସାୟକୁ ଆମେ ପ୍ରଧାନତଃ ଏହି ଉଦ୍ଦେଶ୍ୟରେ ଲଗାଇବା-। ସଂସାରର ଅନ୍ଧଦୌଡ଼ରେ ଜ୍ଞାନର ବାଚାଳତା ଦେଖାଇ ମଣିଷ ଆଗରେ ବାହାଦୁରି କରିବାକୁ ଯିଏ ଜ୍ଞାନ ଅର୍ଜନ କରିବାକୁ ବାହାରେ, ତାହାର ଜ୍ଞାନ କେବଳ ଦୁଷ୍ଟ ଜ୍ଞାନ ହୋଇଯାଏ-। ତା’ର ଜ୍ଞାନ ସହିତ ତା’ର ଅନ୍ତରର କୌଣସି ଯୋଗସୂତ୍ର ରହେନାହିଁ । ଆମେ ଭାରି ଉତ୍ସାହରେ ଏଠି ପାଠପଢ଼ୁଚେ; ଭାରି ଉତ୍ସାହରେ ନାନା କ୍ଷେତ୍ରରୁ ନାନା ବିଦ୍ୟା ସଂଗ୍ରହ କରି ଜୀବନର ପାତ୍ର ଭରିବାରେ ଲାଗିଚେ । କିନ୍ତୁ ବିଚାର ଓ ଆଚରଣ ଶୁଦ୍ଧିକୁ ଆମ ଶିକ୍ଷାର ସର୍ବପ୍ରଧାନ ଉଦ୍ଦେଶ୍ୟ ବୋଲି ନ ରଖିବା ପର୍ଯ୍ୟନ୍ତ ଆମର ସବୁ ପରିଶ୍ରମ ଖାଲି ଶୂନ୍ୟୋଦର ବାଷ୍ପ ହୋଇ ରହିବ । କୌଣସି ଦିନ କାହାରି ଶାନ୍ତିବିଧାନ କରିବାଲାଗି ତାହା ଜଳକଣାଟିଏ ହୋଇ ପାରିବ ନାହିଁ । ଆଉ ଯିଏ ଆଜି ଏହିପରି ଜ୍ଞାନର ଉନ୍ନତ ପୋଷାକ ପିନ୍ଧି ଦାଣ୍ଡକୁ ବାହାରିବାର ବଡ଼େଇ କରୁଛି, ତା’ର ସମସ୍ତ ପୋଷାକ ତଳେ ତା’ ଅନ୍ତରର ଶୂନ୍ୟତା ଲୁଚିରହି ତାକୁ ସବୁଠାରେ ସବୁବେଳେ ଲୋକହସା କରିବାରେ ଲାଗିଛି । ଏଡ଼େବଡ଼ ଆନନ୍ଦ ଭୁବନରେ ସେହି ବିଚରା ଦରିଦ୍ର ରହିଯାଉଛି ।

 

୭ । ୧୨ । ୫୫

 

ଛାତ୍ର ଓ ଗୁରୁ ଭିତରେ ରହିଥିବା ସମ୍ପର୍କ ଉପରେ ବିଦ୍ୟାଳୟର ବିକାଶ ନିର୍ଭର କରେ । ଆମ ଦେଶରେ ଆଗେ ଛାତ୍ର ଓ ଗୁରୁର ମିଳିତ ସଂସାରକୁ ନେଇହିଁ ବିଦ୍ୟାଳୟର ସଂସାର ଗଢ଼ି ଉଠୁଥିଲା । ଆଜିକାଲି ସେସବୁ କଥା କେବଳ ଇତିହାସର କାହାଣୀ ହୋଇ ରହିଛି । ବକ୍ତୃତା ଶୁଣାଇଲାବେଳେ ଆମ ଦେଶରେ ଦିନେ ଏପରି ଥିଲା ବୋଲି କହି ଆମେ ସମସ୍ତଙ୍କୁ ଚମକ୍ତୃତ କରି ଦେଉଛୁ । କିନ୍ତୁ ସେତେବେଳେ ଯେଉଁ ଆଦର୍ଶରେ ଶିକ୍ଷାଦାନ ଓ ଶିକ୍ଷା ଅର୍ଜନର ଶୁଦ୍ଧ କାରବାର ଚାଲୁଥିଲା ସେହି ଆଦର୍ଶକୁ ଆମର ବିଦ୍ୟାଳୟର ଜୀବନକୁ ଅବତରଣ କରାଇବା କଥା ହୁଏତ ଆମେ କଳ୍ପନାହିଁ କରୁନାହୁଁ । ହଁ, ଏକଥା ସତ ଯେ ସେ ଯୁଗ ଆଉ ଏଯୁଗ ସମାନ ହୋଇ ରହିନାହିଁ-। ସେଦିନର କ୍ଷୁଦ୍ରାୟତନ ସଂସାର ଆଜି ବହୁ କ୍ଷେତ୍ରକୁ ବିସ୍ତାରିତ ହୋଇଗଲାଣି । ତଥାପି ମୁଁ କହିବି, ସେଦିନ ଯେଉଁ ସବୁ ମୌଳିକ ନୀତି ଶିକ୍ଷାଦାନର ମାନନିର୍ଦ୍ଧାରଣ କରୁଥିଲା, ସେସବୁ ନୀତିର ଆଜି ମଧ୍ୟ ଆବଶ୍ୟକତା ରହିଛି । ଆପଣାର ବିବେକ ପ୍ରୟୋଗ କରି ସେକାଳର ଅନେକ କଥା ଆମେ ଆଜି ମଧ୍ୟ ଗ୍ରହଣ କରିପାରିବା ।

 

ଆମ ଦେଶର ନାନା ବିକାକିଣା ଓ ବଣିଜ ବେପାର ପରି ଶିକ୍ଷାକ୍ଷେତ୍ରରେ ବିକାକିଣା ଓ ବଣିଜ ବେପାର ଚାଲିଛି । ଜୀବନର ବିକାଶ କରିବା ବା ଜୀବନକୁ ଶୁଦ୍ଧ କରିବା ଆଜି ଆମ ଶିକ୍ଷାର ଉଦ୍ଦେଶ୍ୟ ହୋଇ ନାହିଁ । ଆଜି ତ ଟଙ୍କା ପଇସା ଆମର ଶିକ୍ଷକ ତଥା ଛାତ୍ର ଉଭୟଙ୍କୁ ଚଳାଉଛି; ସେମାନଙ୍କର ମାନସମ୍ମାନ, ଉତ୍ସାହ ଓ ଅନୁରକ୍ତିକୁ ଉଠାଉଛି ଓ ପକାଉଛି । ଚରିତ୍ରର ଶୋଧନ କରିବାକୁ ଓ ଉଦାରତାର ଜୀବନ ଦୃଷ୍ଟି ଲାଭ କରିବାକୁ କେତେ ଜଣ ଛାତ୍ର ଆଜି ବିଦ୍ୟାଳୟକୁ ଆସୁଛନ୍ତି ? ଛାତ୍ରର ଆଖିକି ଆଜି ନାନା ଭେଳିକି ଟାଣି ନେବାକୁ ବସିଲାଣି । ସେ ସଂସାରର ସାଜସଜ୍ଜାରେ ଭଳିଯାଇ ଆପେବି ନାନାପ୍ରକାରେ ସାଜି ହୋଇ ବସିବାର ଅଭିଳାଷ ରଖୁଛି । ଆଉ କୋଉ ପାଠଶାଳାରେ କିଏ କୋଉଠି କ’ଣ ଅଧିକ ଉପଭୋଗ ବା ଉପାର୍ଜନର ସୁବିଧା ପାଇଲା, କିଏ ଅଧିକ ବାବୁ ହେବାର ଅବକାଶ ପାଇଲା ତ ଆମ ଦେଶର ବିଦ୍ୟାର୍ଥୀ ଅସ୍ଥିର ହୋଇ ଉଠୁଛି । ତା’ ମନକୁ ସେ ସରଳ ଜୀବନର ସରଳ ଯୁକ୍ତି ଦେଇ ବୁଝାଇ ପାରୁନାହିଁ । ଏ ଆଡ଼ମ୍ବର ପୂର୍ଣ୍ଣ ସଂସାରରେ ସରଳ ହେବାକୁ ତାକୁ ଆଜି ଲାଜ ମାଡ଼ୁଛି । ସଂସାରର ସୁପାରିସ୍‍ପତ୍ର ଆପଣାର ଶୁଦ୍ଧ ଉଦ୍ୟମ ଅପେକ୍ଷା ତା’ ଆଗରେ ଅଧିକ ମୂଲ୍ୟବାନ୍ ହୋଇ ଗଲାଣି ।

 

ଶିକ୍ଷକ ମଧ୍ୟ ଅନେକ ସ୍ଥଳରେ ସେହିପରି ହୀନ ହୋଇଗଲାଣି । ସେ ମଧ୍ୟ ସଂସାରର ଆଡ଼ମ୍ବର-ଯାତ୍ରାରେ ଯୋଗ ଦେବାକୁ ମନ କଲାଣି । ଆଗ କାଳରେ ଶିକ୍ଷା ଦେବାର ଉପଯୁକ୍ତ ସ୍ଥାନଟିଏ ଖୋଜି ଖୋଜି ଶିକ୍ଷକ ଅରଣ୍ୟ ଭିତରେ ଆପଣା ଆଶ୍ରମ କରି ଯାଉଥିଲା । ସେଇଠି ଆପଣାର ଏକାଗ୍ର ସାଧନାଦ୍ୱାରା ସେ ଶିକ୍ଷାର୍ଥୀଙ୍କୁ ସମସ୍ତ ସଂସାର ଓ ସମସ୍ତ ଜୀବନଲାଗି ପ୍ରସ୍ତୁତ କରୁଥିଲା । ସେ ସାଧନାମୟ ଜୀବନର କୌଣସି ଆକର୍ଷଣ ଆଜି ଶିକ୍ଷକକୁ ଆକର୍ଷଣ କରି ପାରୁନାହିଁ । ବାହାରେ କର୍ତ୍ତବ୍ୟ ଅନୁରୋଧରେ ଯେଉଁଠି ପଡ଼ିରହିଥିଲେ ମଧ୍ୟ ଆପଣା ମନ ଭିତରେ ସେ ସହରର ଆରାମ ଆଡ଼ମ୍ବରର ସ୍ୱପ୍ନ ଦେଖୁଛି । ଆମ ସମାଜର ଓକିଲ ଆଉ କଣ୍ଟ୍ରାକ୍‍ଟର ତା’ ଆଗରେ ଆଦର୍ଶ ହୋଇ ରହିଛନ୍ତି । ତାଙ୍କରି ପରି ଟଙ୍କା କମାଇ ଲକ୍ଷ୍ମୀର ଅନୁଗୃହୀତ ବାହନ ହୋଇ ବସିବାକୁ ସେ ମଧ୍ୟ ଲାଳସା କରି ବାହାରୁଛି । ଆଉ ଧନ କମାଇବାର ନିଶାରେ ପଡ଼ି ସେ ଆପଣାର ସ୍ୱଧର୍ମସୁଲଭ ଶକ୍ତି ଓ ଶ୍ରଦ୍ଧା ହରାଇ ବସୁଛି । ତା’ର ଆପଣା ବାଟରେ ଜଣେ ସୁଯୋଗ୍ୟ ଶିକ୍ଷକ ହେବାର ଧୈଯ୍ୟ ତା’ର ରହୁନାହିଁ । ସେଥିଲାଗି ଆପଣାର ଦରପୋଡ଼ା ମନଟାକୁ ଲୁଚାଇବାଲାଗି ସେ ଶିକ୍ଷା କ୍ଷେତ୍ରରେ ନାନା ଜୁଲମ ଦେଖାଇବା ଆରମ୍ଭ କରି ଦେଉଛି । ତା’ର ଆପଣା ଅଧିକାରର ଅଭିମାନ ତାକୁ ଅନେକ ସମୟରେ ଗ୍ରାସ କରି ପକାଉଛି । ସେ ସବୁ ପ୍ରକାର ସ୍ୱେଚ୍ଛାଚାରର ହତିଆର ଧରି ଶିକ୍ଷାକ୍ଷେତ୍ରରେ ଶାନ୍ତି ଓ ଶୁଦ୍ଧିକୁ ନଷ୍ଟ କରିବାକୁ ସାହସ ମଧ୍ୟ କରୁଛି । ଗୋଟିଏ କିଶୋର ମନର ପୂର୍ଣ୍ଣ ମନ ବିକାଶ କରାଇବା ଲାଗି ଯେତିକି ଧୈର୍ଯ୍ୟ ଓ ଯେତିକି ଶ୍ରଦ୍ଧା ଦରକାର ତାହା ଆଉ ତା’ ପାଖରେ ନାହିଁ । ଏହିସବୁ କାରଣରୁ ଗୋଟିଏ ଶିକ୍ଷା କ୍ଷେତ୍ରରେ ଗୋଟିଏ କାର୍ଯ୍ୟକ୍ରମର ଅନୁବନ୍ଧନ ଭିତରେ ରହି ମଧ୍ୟ ଶିକ୍ଷକ ଓ ଛାତ୍ର ଭିତରେ ଆଜି ଅନେକ ବ୍ୟବଧାନ ହୋଇଗଲାଣି । ଛାତ୍ର ଶିକ୍ଷକକୁ ଭୟ କରୁଛି । ଶିକ୍ଷକର ସାମନାରେ ଭଲ ପିଲା ହେବାର ଚେଷ୍ଟା କରି ତା’ର ସମସ୍ତ ତାରୁଣ୍ୟ ସେ ପୋଡ଼ି ଖାଉଛି । ତା’ର ଫୁଲଟି ସ୍ୱାଭାବିକ ରୀତିରେ ଫୁଟି ପାରୁନାହିଁ । ଶିକ୍ଷକର ଦଶାବି ତଦ୍ରୂପ ହୋଇଯାଉଛି । ସେ ଓ ତା’ର ବିଚାର ଅତି ଶୀଘ୍ର ବୁଢ଼ା ହୋଇଯାଉଛି । ଖାଲି ଧମକାଇ, ଭୟ ଦେଖାଇ କାମ ଓ ପାଠ ଆଦାୟ କରିବା ବ୍ୟତୀତ ଆଉ କିଛି ସେ କରି ପାରୁନାହିଁ । ତା’ର ନିଜର ବିକାଶ ତ ବନ୍ଦ ହୋଇଯାଉଛି, ତେଣୁ ସେ ଆଉ କାହାର ବିକାଶରେ ଯଥୋଚିତ ସାହାଯ୍ୟ କରିପାରିବ କିପରି ? ଖାଲି ଆପଣା ବୟସ ଓ ଆପଣା କ୍ଷମତାର ନିହାଣ ବାଡ଼େଇ ସେ କଅଁଳ ଶିଶୁ ମନକୁ ସଜାଡ଼ି ସମତୁଲ କରିବାର ଦୁଃସାହସ କରୁଛି ।

 

ଯେଉଁଠି ଛାତ୍ର ଆଉ ଶିକ୍ଷକ ଦୁଇଟା ପକ୍ଷ ହୋଇ ଖାଲି ଆପଣାର ଅଭିମାନ ଜାରି କରୁଥିବେ, ସେଠି କୌଣସି ଶିକ୍ଷାଳୟ ସମ୍ଭବ ହୋଇପାରିବ ନାହିଁ । ଛାତ୍ର ଓ ଶିକ୍ଷକ ଉଭୟଙ୍କୁ ନେଇହିଁ ଶିକ୍ଷାଳୟ । ଉଭୟଙ୍କର ସମବେତ ସାଧନାରେହିଁ ଶିକ୍ଷାଳୟର ସାର୍ଥକତା । ଯିଏ ଛାତ୍ର ସିଏ ତା’ ଜୀବନ ଗଢ଼ିବା ଲାଗି ବିଦ୍ୟାଳୟକୁ ଆସିଛି । ଯିଏ ଶିକ୍ଷକ ତା’ର ମଧ୍ୟ ଜୀବନ ଗଢ଼ିବା ଶେଷ ହୋଇ ନାହିଁ । ଦୁହେଁ ସେଇ ଏକ ସତ୍ୟାନୁସନ୍ଧାନ ପଥର ପଥିକ, ଦୁହେଁହିଁ ଜୀବନ-ନିର୍ମାଣ-ପଥର ଯାତ୍ରୀ ଭାଇ । ଅତି ନମ୍ରତା ସହିତ ସେମାନଙ୍କୁ ଏକଥା ସ୍ୱୀକାର କରିବାକୁ ହେବ । ଅତି ଶ୍ରଦ୍ଧାର ସହିତ ସେମାନଙ୍କୁ ପରସ୍ପର ସହିତ ଡୋରି ବାନ୍ଧିବାକୁ ପଡ଼ିବ । ଆଗ କାଳରେ ଗୁରୁ ଓ ଛାତ୍ର ଉଭୟେ ସାଧକ ଥିଲେ, ଉଭୟେ ନିଷ୍ଠାପର ଜୀବନ ବଞ୍ଚି, ହୃଦୟକୁ ନିର୍ମଳ କରି ଯଶ ଓ ବ୍ରହ୍ମତେଜ ଲାଗି ପ୍ରାର୍ଥନା କରୁଥିଲେ । “ସହ ନୌ ଯଶଃ, ସହ ନୌ ବ୍ରହ୍ମବର୍ଚସମ୍ (ତୈ: ୧।୩।୧)-। ଆମ ଦୁହିଁଙ୍କର ଯଶ ସମାନ ଭାବରେ ବିସ୍ତାରିତ ହେଉ । ଆମ ଉଭୟଙ୍କର ବ୍ରହ୍ମତେଜ ସମାନ ଭାବରେ ପ୍ରକାଶିତ ହେଉ । ଉପନିଷଦ୍‍ର ଗୁରୁ ଓ ଛାତ୍ର ଭଗବାନ୍‍ଙ୍କ ପାଖରେ ଏହି ଭିକ୍ଷା କରୁଥିଲେ । ଆମର ବନ ବିଦ୍ୟାଳୟରେ ଆମେ ଶିକ୍ଷକ ଓ ଶିକ୍ଷାର୍ଥୀ ଦୁଇ ପକ୍ଷ ହୋଇ ରହିବା ନାହିଁ-। ଆମେ ଉଭୟଙ୍କର ଯଶ କାମନା କରିବା, ଉଭୟଙ୍କର ବିକାଶ କାମନା କରିବା । କାରଣ କେବଳ ଗୋଟାଏ ପକ୍ଷର ଜିଦ୍‍ଦ୍ୱାରା ନୁହେଁ, ଉଭୟଙ୍କର ବିବେକ ଓ ଶୁଦ୍ଧି ଉପରେ ବିଦ୍ୟାଳୟର ବିବେକ ଓ ଶୁଦ୍ଧି ନିର୍ଭର କରୁଛି ।

 

୮ । ୧୨ । ୫୫

 

ଆମର ଶିକ୍ଷାଳୟରେ ଆମ ପ୍ରତ୍ୟେକଙ୍କ ଲାଗି ସ୍ୱାଧୀନତା ଦରକାର । ହଁ, ଏହା ଅବଶ୍ୟ ଦରକାର; କିନ୍ତୁ ଶିକ୍ଷା ଲାଗିହିଁ ସ୍ୱାଧୀନତା ଦରକାର, ଅଶିକ୍ଷା ଲାଗି ନୁହେଁ । ବିକାଶ ଲାଗି ସ୍ୱାଧୀନତା ଦରକାର, ବିନାଶ ଲାଗି ନୁହେଁ । ପରସ୍ପର ସହିତ ନାନା କ୍ଷେତ୍ରରେ ସହଯୋଗୀ ମନ ନେଇ ସମ୍ମିଳିତ ହେବା ଲାଗି ଦରକାର, ସ୍ୱେଚ୍ଛାଚାର ଲାଗି ନୁହେଁ । ଯିଏ ଏହି ଶିକ୍ଷାଳୟର ଓ ଶିକ୍ଷାଳୟ ଜରିଆରେ ଆପଣାର କଲ୍ୟାଣ କାମନା କରୁଛି, ତାକୁ ଏହି ବିଚାରଟିକୁ ଭଲକରି ବୁଝି ରଖିବାକୁ ହେବ ଯେ ଏ ଅନୁଷ୍ଠାନ ତା’ର । କେବଳ କେତେ ଜଣ ଶିକ୍ଷକ ବା ବ୍ୟବସ୍ଥାପକ ଏ ଅନୁଷ୍ଠାନର ମାଲିକାନାସତ୍ତ୍ୱ ଭୋଗ କରିବାକୁ ଚାହାନ୍ତି ନାହିଁ । ଏପରି ଗୋଟାଏ ଏକପାଖିଆ ପ୍ରଭୁତ୍ୱରେ ସେମାନେ ବିଶ୍ୱାସ କରନ୍ତି ନାହିଁ । ତେଣୁ ଏହି ବିଦ୍ୟାଳୟର ଶିକ୍ଷାର୍ଥୀ ଟିକିଏ ଅଲଗା ଦୃଷ୍ଟିରେ ଏଠାକାର ସବୁ ଶୃଙ୍ଖଳା ଓ ବିଶୃଙ୍ଖଳାର ବିଚାର କରିବା ଉଚିତ । ଏ ଅନୁଷ୍ଠାନ ତା’ର । ଏ ଅନୁଷ୍ଠାନର ନାମ ଓ ବଦନାମ ମଧ୍ୟ ତା’ର । ସେଇ ଆଜି ଆପଣା ମନକୁ ପଚାରୁ କ’ଣ କରିବା ଲାଗି ସେ ଏଠି ସ୍ୱାଧୀନତା ଚାହୁଛି ? ଆପଣାର ଓ ସମସ୍ତଙ୍କର କଲ୍ୟାଣ ଲାଗି ତା’ର ସ୍ୱାଧୀନତା କେତେଦୂର ସହାୟକ ବା ବାଧକ ହେବ ? ଆମର ସ୍ୱାଧୀନତା ସଙ୍ଗେ ସଙ୍ଗେ ଆମର ଦାୟିତ୍ୱ ଓ କର୍ତ୍ତବ୍ୟବୋଧ ମଧ୍ୟ ସେତିକି ବଢ଼ିବା ଉଚିତ । ଗୋଠଖଣ୍ଡିଆ ବା ପଘାଛିଡ଼ା ଗାଈ ପରି ୟା’ ବାଡ଼ି ତା’ ବାଡ଼ିରେ ପଶିବାର ଅତ୍ୟାଚାର କରିବାକୁ ଆମେ ନିଶ୍ଚୟ ସ୍ୱାଧୀନତା କହିବା ନାହିଁ । ସ୍ୱାଧୀନତା ସହିତ ଆତ୍ମଶୃଙ୍ଖଳା ମଧ୍ୟ ରହିବା ଦରକାର । ନ ହେଲେ ଆମର ସ୍ୱାଧୀନତା ଜଙ୍ଗଲର ସ୍ୱାଧୀନତା ହୋଇଯିବ । ଜଙ୍ଗଲରେ କୌଣସି ଶୃଙ୍ଖଳା ନ ଥାଏ, କୌଣସି ସହଯୋଗ ନ ଥାଏ, କୌଣସି ଜୀବନନୀତି ନ ଥାଏ; ତେଣୁ ଅପାର ସ୍ୱାଧୀନତା ପାଇ ମଧ୍ୟ ସେଠାରେ ମିରିଗ ଠାରୁ ବାଘ ପର୍ଯ୍ୟନ୍ତ ସମସ୍ତେ ସବୁବେଳେ ତ୍ରାସରେ ଆଚ୍ଛନ୍ନ ହୋଇଥାନ୍ତି । ସମସ୍ତେ ସମସ୍ତଙ୍କୁ ଡରନ୍ତି । ସୁବିଧା ପଡ଼ିଲେ ଇଏ ତାକୁ ଗିଳିଦିଏ କି ସିଏ ୟାର ମାଉଁସ ଖାଏ । ଏଠି ପରସ୍ପରର ମାଉଁସ ଖାଇବାର କି ପରସ୍ପରକୁ ଗିଳି ପକାଇବାର ଦାନ୍ତ ବା ପାଟି ଆମର ନାହିଁ । ତଥାପି ମୁଁ ତ କହିବି, ଅନେକ ସମୟରେ ଏହିପରି ଅପରକୁ ଖାଇଯିବାର କି ଗିଳି ପକାଇବାର ସ୍ୱାଧୀନତା ପାଇବାରେ ଆମେ ଭାରି ଉତ୍ସାହୀ ହୋଇଉଠୁଛୁ; ଦଳବଳ ଧରି ଆମେ ଏହିପରି ଗୋଟାଏ ନିକୃଷ୍ଟ ସ୍ୱାଧୀନତା ଲାଗି ଲଢ଼ିବାକୁ ବାହାରୁଛୁ । ଏପରି ସ୍ୱାଧୀନତାକୁ ଆମେ କେତେଦୂର ପ୍ରକୃତରେ ପସନ୍ଦ କରୁଛୁ, ଟିକିଏ ସ୍ଥିର ହୋଇ ବସିଲେ ଆମେ ସେକଥା ଜାଣିପାରିବା ।

 

ତା’ପରେ ଆଉ ଗୋଟାଏ ପ୍ରକାରର ନିକୃଷ୍ଟ ସ୍ୱାଧୀନତା ମଧ୍ୟ ରହିଛି । ଶଢ଼ା ପାଣି ବା ପଚା ପଙ୍କରେ ଯେଉଁ କୀଟସବୁ ରହନ୍ତି, ସେମାନେ ସେହିପରି ରହିବାର ପୂର୍ଣ୍ଣ ସ୍ୱାଧୀନତା ପାଇଛନ୍ତି-। ଆମେ ଏପରି ସ୍ୱାଧୀନତାକୁ କଦାପି ସ୍ୱାଧୀନତା କହିପାରିବା ନାହିଁ; ତଥାପି ସେମାନଙ୍କର ସ୍ୱାଧୀନତାର ପରିଧି ଏହିପରି ଜୀବନରେ ସୀମାବଦ୍ଧ ଥାଏ । ଆମ ସମାଜରେ ଅନେକ ଲୋକ ଠିକ୍ ଏହିପରି ସ୍ୱାଧୀନତା ଅନେକ ସମୟରେ ଦାବି କରିବସନ୍ତି । ସେମାନେ କହନ୍ତି, କାଲିଯାଏଁ ଆମେ ଠିକ୍ ଯେଉଁ ପରିସ୍ଥିତିରେ ଜୀବନ ବଞ୍ଚି ଆସିଥିଲୁ, ଆମକୁ ସେହିପରି ରହିବାର ସ୍ୱାଧୀନତା ଆଜି ମଧ୍ୟ ଦିଅ । ଜୀବନରେ କୌଣସି ନୂତନତା ବା ବୈଚିତ୍ର୍ୟ ଅଛି ବୋଲି ସେମାନେ ବିଶ୍ୱାସ କରନ୍ତି ନାହିଁ । ଠିକ୍ ଆଗରୁ ଯାହା ଚଳିଆସିଛି, ଯାହାକୁ ଲୋକ ମୁହଁରେ ଭଲ ବୋଲି କୁହାଯାଉଛି, ଯେପରି ଆଚରଣ କଲେ ଗତାନୁଗତିକ ସମାଜର ବାହାବା ମିଳିପାରିବ, ତାକୁଇ ମାନି ଚଳିବାଟାକୁ ସେମାନେ ଜୀବନର ସାର ବୋଲି ବିଚାରନ୍ତି । ଯାହା ଅଛି ବା ଯାହା ଚଳୁଛି, ତାହାରି ସହିତ ଆପଣାର ବାହ୍ୟ ଆଚରଣଗୁଡ଼ାକୁ ଖାପ ଖୁଆଇ ନେଇ ପାରିବାକୁ ସେମାନେ ଜୀବନର ପରମ ଧର୍ମ ବୋଲି ବିଚାରନ୍ତି । ସେମାନଙ୍କର ଏହି କୀଟ-ଜୀବନଯାତ୍ରାରେ କୌଣସି ପ୍ରକାର ହସ୍ତକ୍ଷେପ ସେମାନେ ଚାହାନ୍ତି ନାହିଁ । ଏ ସ୍ୱାଧୀନତା ଅଳସୁଆ ମଣିଷର ସ୍ୱାଧୀନତା, ଏ ସ୍ୱାଧୀନତା ପୁରୁଣା ରୁଗ୍‍ଣ ମନର ସ୍ୱାଧୀନତା । ସାମାଜିକ ଓ ବ୍ୟକ୍ତିଗତ ଜୀବନର ସବୁ ପୁରୁଣା ବିକାର ସେମିତି ଘୋଡ଼ାଇ ହୋଇ ରହିଥାଉ, ପୁରୁଣା ପଚାପାଣି ଭିତରେ ପୁରୁଣା ମନଟା ସେମିତି ଜୋକ ପରି ରହିଥାଉ; ତଥାପି ସେମାନେ କୌଣସି ପ୍ରକାର ହଲଚଲ ଚାହାନ୍ତି ନାହିଁ, କୌଣସି ପ୍ରକାର ଅଦଳବଦଳକୁ ସେମାନେ ଭୟ କରନ୍ତି । ନିତି ମରି ନିତି ନୂଆ ହୋଇ ଜନ୍ମ ହେବାର କଳାକୁ ସେମାନେ ସବୁଠାରୁ ବିପଜ୍ଜନକ ବୋଲି ମନେକରନ୍ତି । ସେଥିଲାଗି କୌଣସି ପ୍ରକାର ପରିବର୍ତ୍ତନର ଆଘାତ ପାଇଲେ ସେମାନେ ମଧ୍ୟ ପ୍ରତିବାଦ କରନ୍ତି । ସେମାନେ ମଧ୍ୟ ଅତି ଅଲାଜୁକ ଅଥଚ ବିସ୍ମୃତ ଭାବରେ ଆପଣାର ସ୍ୱାଧୀନତା ଲାଗି ନାଲିଶ କରିଆସନ୍ତି ।

 

Unknown

ବେଦରେ ଭଗବାନ୍‍ଙ୍କୁ ନବୀୟସ୍ ବୋଲି ବନ୍ଦନା କରାଯାଇଛି । ନବୀୟସ୍ ଅର୍ଥାତ୍ ଅତିଶୟ ନୂତନ; ଅର୍ଥାତ୍ ନିତ୍ୟନୂତନ, ଯେଉଁଠି ସଂସାରର କର୍ତ୍ତା ନିତି ନୂଆ ହେଉଛନ୍ତି, ତାଙ୍କର କଳା ଧରି ଆସିଥିବା ଆମେ ମଣିଷ ମଧ୍ୟ ନିତି ନୂଆ ହେବାର କଳା ଶିଖିବା । ଏହି ନୂଆ ହେବାର ନିତ୍ୟ-ବିକାଶ ଲାଗି ଆମେ ସ୍ୱାଧୀନତା ପାଇବା । ଯିଏ ପୁରୁଣା ଭିତରେ ରହିବାକୁ ଭଲପାଏ, ସିଏ କେବଳ ନାନାପ୍ରକାର ପରାଧୀନତା ଭିତରେ ଆପେ ଆପେ ଆବଦ୍ଧ ହୋଇଯାଏ, ନାନାପ୍ରକାର ମୋହ ତା’ର ସ୍ୱାଧୀନ ଜୀବନର ସମସ୍ତ ସମ୍ଭାବନା ହରଣ କରି ନେଇଯାଏ । କିନ୍ତୁ ନୂଆ ହେବାର ଦୀକ୍ଷା ଯେ ଗ୍ରହଣ କରିଛି, କୌଣସି ପରାଧୀନତା ତା’କୁ କବଳରେ ପକାଇପାରେ ନାହିଁ । ସବୁ ରକମର ବନ୍ଧନକୁ ସେ ଆପଣା ଛାଏଁ ଅତିକ୍ରମ କରିଯାଏ । ତା’ର ନିଷ୍ଠା, ତା’ର ଅନ୍ତର୍ମୂଖତା ଜୀବନକୁ ସମସ୍ତ ପ୍ରକାର ଶାସନର ବେଡ଼ିରୁ ମୁକ୍ତ କରି ରଖେ । ସେ କୌଣସି ବାହ୍ୟ ଶକ୍ତିର ଦାସ ହୋଇରହେ ନାହିଁ । ଆପଣା ସ୍ୱେଚ୍ଛାଚାରର ଦାସ ହୁଏ ନାହିଁ କି ଆପଣା ଆଳସ୍ୟର ଦାସ ମଧ୍ୟ ହୁଏ ନାହିଁ । ଆପଣାକୁ ସ୍ୱାଧୀନରୂପେ ଗ୍ରହଣ କରିପାରିଲେ ଏଠି ମଧ୍ୟ ଆମେ ଆମର ସ୍ୱାଧୀନତା ପାଇପାରିବା । ବର୍ତ୍ତମାନର ସମାଜ ଓ ବ୍ୟକ୍ତି ଭିତରେ ଯେଉଁସବୁ ସଂସ୍କାରଗତ ରୋଗ ବିକାର ରହିଛି, ତାକୁ ଦୂର କରି ସୁସ୍ଥ ବ୍ୟକ୍ତି ଓ ସୁସ୍ଥ ସମାଜ ଗଠନ କରିବାର ଶୁଦ୍ଧ ସଂକଳ୍ପ ନେଇପାରିଲେ ଆମର ସ୍ୱାଧୀନତା ଯଥାର୍ଥ ସ୍ୱାଧୀନତା ହୋଇପାରିବ । କିନ୍ତୁ ଆପଣା ମୋହ, ଆପଣା ସ୍ୱେଚ୍ଛାଚାର ଓ ଆପଣା ଆଳସ୍ୟକୁ ସାର କରି ଧରିଥିବା ପର୍ଯ୍ୟନ୍ତ ଏଠିକା କଥା ତ ଦୂରର କଥା, ସ୍ୱର୍ଗରାଜ୍ୟରେ ମଧ୍ୟ କୌଣସି ସ୍ୱାଧୀନତାର ସ୍ୱାଦ ଆମେ ପାଇପାରିବା ନାହିଁ ।

 

୯ । ୧୨ । ୫୫

 

ଆମର ସାମାଜିକ ଜୀବନରେ ଏଠି ନାନାପ୍ରକାର ଅବହେଳା ପ୍ରବେଶ କଲାଣି । ଏଥିପାଇଁ ଆମ ଭିତରୁ ଅନେକେ ବିଚଳିତ ହୋଇପଡ଼ୁଛନ୍ତି । ଆମର ପ୍ରାର୍ଥନାକୁ ସମସ୍ତେ ଆସୁନାହାନ୍ତି । ଯିଏ ଆସୁଛନ୍ତି ସେମାନେ ଉପଯୁକ୍ତ ଆଗ୍ରହ ନେଇ ଆସୁନାହାନ୍ତି । କାମ ହେଉଛି, ଘଣ୍ଟା ବାଜିବା ସଙ୍ଗେ ସଙ୍ଗେ ଉପକରଣମାନ ଧରି ସମସ୍ତେ କାମକୁ ବାହାରି ଯାଉଛନ୍ତି । କିନ୍ତୁ ଆମେ ଘରେ ଥିଲେ ଯେତିକି ଦାୟିତ୍ୱରେ କାମ କରନ୍ତେ, ଯେତେ ମନପ୍ରାଣ ଲଗାଇ କାମ କରନ୍ତେ, ସେପରି କାମ ଏଠି ହେଉ ନାହିଁ । ପାଠ ପଢ଼ାବେଳେ ସମସ୍ତେ ଯେତିକି ମନଯୋଗ ସହକାରେ ସୋପାନରେ ବସିବା କଥା, ବସୁନାହାନ୍ତି । ଆପଣାର ବ୍ୟକ୍ତିଗତ ସମୟଟା ଯେତିକି ସାର୍ଥକ ଭାବରେ କଟିପାରନ୍ତା, ସେପରି କଟୁ ନାହିଁ । ଗୋଟାଏ ଘରେ ଜଣେ ଭାଇ ପଢ଼ୁଛନ୍ତି ତ ଆଉ ଜଣେ ଭାଇ ଗୀତ ବୋଲୁଛନ୍ତି; ପୁଣି ଆଉ ଦୁଇ ଜଣ ହୁଏତ ଗୋଟାଏ ହସକଥା ପକାଇ ହୋହୋ ହେଉଛନ୍ତି । କେଉଁଠି ପୁଣି ଦଳେ ଅତି ନିଶ୍ଚିନ୍ତ ଅଳସ ହୋଇ ବସି ନାନା ଅଛିଣ୍ଡା ଗପର ବାରମଜା ଚାଖୁଛନ୍ତି । ଜଣେ ଜଣେ ପୁଣି ଅତି ଚାଲାକ ହୋଇ ଆମ ଭିତରୁ କିଏ କେଉଁଠି ଅସ୍ୱାଭାବିକ ସ୍ୱଭାବ ଦେଖାଇଲା ବା କ’ଣ ଗୋଟାଏ ଅପରାଧ କରିପକାଇଲା ସେକଥା ଜାଣିବାକୁ ପୁଲିସ ହୋଇ ଧାଇଁଛନ୍ତି; କେଉଁଠି କାହାର କଥା ଶୁଣିବାକୁ କାନ ଡେରିଛନ୍ତି; କେଉଁଠି ପୁଣି ଏକାନ୍ତରେ ବସି କାହା ବିଷୟରେ ଫୁସଫାସ ହେଉଛନ୍ତି । ପରସ୍ପର ପ୍ରତି ଆମର ଯେତିକି ସରାଗ ଓ ସ୍ନେହ ରହିବା କଥା, ତାହା ଅନେକ ସମୟରେ ରହିପାରୁନାହିଁ । ଯେଉଁ ଗଛଲତାଙ୍କୁ ମଧ୍ୟ ଆମେ ଆମର ସଂସାର ଭିତରେ ବଢ଼ାଉଛେ, ସେମାନଙ୍କ ପ୍ରତି ଅନେକ ସମୟରେ ଆମର ଦୃଷ୍ଟି ପଡ଼ୁ ନାହିଁ-। ଗଛରେ ପାଣି ଦେବା, ଗଛ ମୂଳରୁ ଘାସ ବାଛି ସଫା କରିଦେବା ପ୍ରଭୃତି କାମ ଖାଲି ରୁଟିନ୍ ପରି କଲେ ସେସବୁ କାମରୁ ଆମେ ଯେତିକି ଉପକାର ପାଇବା କଥା ତାହା ପାଇପାରିବା ନାହିଁ-। କେବଳ ଟଙ୍କା ପଇସା ବା ଉତ୍ପାଦନ ଦୃଷ୍ଟିରୁ ମୁଁ ଉପକାର ପାଇବା କଥା ଭାବୁନାହିଁ । ମଞ୍ଜିଟିକୁ ଗଛ କରି ଫଳ ଫଳାଇବା ଗୋଟାଏ ସମଗ୍ର ଜୀବନର ଧାରା ପରି । ଏହି ଜୀବନଧାରାକୁ ଠିକ୍ ଭାବରେ ଚାଲୁ ରଖିବାରେ ଆମେ ଯଦି ଆମର ଶ୍ରମ ଓ ଶ୍ରଦ୍ଧା ଠିକ୍‍ରୂପେ ଦେଇପାରିବା, ତେବେ ଆମର ଜୀବନର ବିକାଶଧାରାକୁ ଆମେ ଅଧିକ ସୁନ୍ଦର ଓ ଉଜ୍ଜ୍ୱଳ କରିପାରିବା । ଖାଲି ବାଧ୍ୟ ହୋଇ କାମ କରିବାକୁ କିଆରିକୁ ଗଲେ ଆମ କିଆରିର ଗଛଲତାରୁ ଆମେ କୌଣସି ପ୍ରେରଣା ପାଇପାରିବା ନାହିଁ । କୌଣସି ପ୍ରକାର ବିସ୍ମୟ ଆମ ମନରେ ଜନ୍ମିପାରିବ ନାହିଁ । ଆଉ ଯେଉଁଠି ମୂଳରେ ପ୍ରେରଣା ନାହିଁ କି ବିସ୍ମୟ ନାହିଁ, ସେଠି କୌଣସି ଗଠନମୂଳକ ଶିକ୍ଷା ସମ୍ଭବ ହୋଇପାରିବ ନାହିଁ-। ଆପଣାର କାମ ସହିତ ଯିଏ ଆପଣାର ଜ୍ଞାନ ଓ ଶ୍ରଦ୍ଧାକୁ ମିଶାଇ ପାରିବ, କେବଳ ସେହି ଯଥାର୍ଥ ବିଦ୍ୟାର୍ଥୀ ବୋଲାଇପାରିବ । ଯେଉଁ ଶିକ୍ଷାଳୟରେ ଏହି ତିନୋଟି କଥା ଏକାଠି ହୋଇନାହିଁ, ସେହି ଶିକ୍ଷାଳୟକୁ ଦୁର୍ଭାଗ୍ୟ ବୋଲି କହିବା ଉଚିତ । ଆମ ଭିତରେ କାମ କରିବାର ଶକ୍ତି ଅଛି, ଜ୍ଞାନ ଅଛି, ହୃଦୟରେ ଶ୍ରଦ୍ଧା ମଧ୍ୟ ଅଛି । କିନ୍ତୁ ଏପର୍ଯ୍ୟନ୍ତ ତିନୋଟିଯାକର ସମନ୍ୱୟ ଆମେ କରିପାରୁନାହୁଁ-। ସେଥିଲାଗି ଏଠାକାର ଜୀବନରେ ଅନେକ ସମୟରେ ଶ୍ରଦ୍ଧା ଦେଖିବାକୁ ମିଳୁନାହିଁ । ହୁଏତ ଘଣ୍ଟାର କଣ୍ଟା ଦେଖି କାମ ମାଷ୍ଟର କାମ ଆଦାୟ କରୁଛି, ପାଠୁଆ ମାଷ୍ଟର ପାଠ ଘୋଷାଉଛି-। ନାନା ଆଳସ୍ୟର କୁହୁଡ଼ି ସୃଷ୍ଟିକରି ଆମେ ବେଶ୍ ଗେଲବସର ହୋଇ ରହିଛୁ । ଗୋଟାଏ ଅଦ୍ଭୁତ କ୍ଳାନ୍ତି ଓ ଅବସାଦ ଆମ ମନକୁ ଘୋଟିରହିଛି ।

 

ଆମେ ଏ ଅନୁଷ୍ଠାନକୁ ଗୋଟିଏ କାରଖାନା ପରି ବିଚାରୁଛୁ । ହୁଏତ ସେଥିପାଇଁ ଅନେକ ସମୟରେ ଏପରି କ୍ଳାନ୍ତି ଓ ଅବସାଦ ଆମକୁ ଗ୍ରାସ କରିପକାଉଛି । କାରଖାନା ସହିତ କାମ କଲାବାଲାର କେବଳ ଦାନାକନାର ସମ୍ପର୍କ ଥାଏ, ଅନ୍ତରର ସମ୍ପର୍କ ନ ଥାଏ । ମଜୁରିଆ ଦିନରେ ଆଠଘଣ୍ଟା କାମ ଖଟେ । ତା’ର ପ୍ରତିବଦଳରେ ସେ ଦାନାକନାର ସରଞ୍ଜାମ ପାଏ । ହୁଏତ ଆମ ଭିତରୁ ଅନେକେ ସେହିପରି ଗୋଟାଏ ଦୃଷ୍ଟି ନେଇ ଏଠାରେ ଅଛନ୍ତି । ସେମାନେ କାମ କରୁଛନ୍ତି, ପାଠ ପଢ଼ୁଛନ୍ତି । ନିର୍ଦ୍ଦେଶମତେ ଆଦେଶ ମାନୁଛନ୍ତି । ଯେପରି ଯେ କୌଣସି ପ୍ରକାରେ ଏଠିକାର ପାଠ ଖତମ୍ କରିଦେଲେ ସେମାନେ ତ୍ରାହି ପାଇବେ । ଏପରି ବେକରେ ପଘା ବନ୍ଧା ହୋଇ କାମ କରୁଥିବା ଓ ପାଠ ପଢ଼ୁଥିବା ପର୍ଯ୍ୟନ୍ତ କିପରି ଆମେ ଏ ସ୍ଥାନଟିକୁ ବିଦ୍ୟାଳୟ ବୋଲି କହିବା ? ଦାନାକନାର ସହଜ ରାସ୍ତା ଫିଟାଇ ଦେବା ବିଦ୍ୟାଳୟର ପ୍ରଧାନ କାମ ନୁହେଁ । ହୃଦୟର ଦ୍ୱାର ଫିଟାଇ ଦେବା ହେଉଛି ଆମର ବଡ଼ ଧେୟ । ଆମେ ସମସ୍ତେ–ଶିକ୍ଷାର୍ଥୀ ଓ ଶିକ୍ଷକ ଉଭୟେ–ଏହି ହୃଦୟ ଫିଟିବାର ସାଧନାରେ ଏଠି ଏକଜୁଟ ହେବା ଉଚିତ । ଏ ଅନୁଷ୍ଠାନକୁ ଆପଣାର ଘର ବୋଲି ମନେ କରିପାରିଲେହିଁ ଆମେ ସେହି ସାଧନାରେ ଭାଗ ନେଇପାରିବା । ଏ ଆମରି ଘର; ଆମର ସବୁଟି ଲାଗି, ଦୁଃଖ ସୁଖ, ହସ କାନ୍ଦ, ଅଳି ଅଭିଯୋଗ ସବୁଟି ଲାଗି ଏଠି ସ୍ଥାନ ରହିବ । ଏଠି ଆମେ ନିର୍ଭୀକ ହେବା । ଯାହାର ହୃଦୟ ଖୋଲିଯିବ, କେବଳ ସେହି ସଂସାରରେ ସୁଖୀ ଓ ନିର୍ଭୀକ ବୋଲାଇପାରିବ । ଆମ ସମସ୍ତଙ୍କ ଭିତରେ ଅପାର ସ୍ନେହଶକ୍ତି ରହିଛି । ସେହି ସ୍ନେହଶକ୍ତି ବଳରେହିଁ ଏହି ସ୍ନେହର ବିରାଟ ଘର ଗଢ଼ିଉଠିବ, ଆଉ ସ୍ନେହର ଅଭାବ ଘଟିଲେ ଏ ଘର ବଡ଼ ଶୋଚନୀୟ ଭାବରେ ଭାଙ୍ଗି ପଡ଼ିବ । କୌଣସି ପ୍ରକାର ଦାନ ବା ଦୟା ଏହାକୁ ବଞ୍ଚାଇ ରଖିପାରିବ ନାହିଁ ।

 

ଆମ ଭିତରର ରାଗରୋଷ ଆଉ ବିଦ୍ୱେଷ ଯେତେବେଳେ ଅନ୍ଧ ହୋଇ ମାତି ଉଠୁଛି, ଯେତେବେଳେ ଆପଣା ଆପଣାର ଅଭିମାନ ବଜାୟ ରଖିବାକୁ ଯାଇ ଆମେ ଏଠିକାର ଆନନ୍ଦକୁ ଖଣ୍ଡ ଖଣ୍ଡ କରି ପକାଉଛୁ, ସେତିକିବେଳେ ଆମର ଭାବିବା କଥା–ଏ ଘରକୁ ଆମେ ସମସ୍ତେ ମିଶି ଗଢ଼ିବା ନା ସମସ୍ତେ ମିଶି ଭାଙ୍ଗିବା ? ଆମେ ଏଠି ପରସ୍ପରଠାରୁ ଯେତିକି ସ୍ନେହ ଓ ଆଦର ପାଇବା କଥା ହୁଏତ ତାହା ପାଉନାହୁଁ । ସେଥିଲାଗି ପରସ୍ପରକୁ ଉଚିତ ପରିମାଣରେ ସ୍ନେହ ଓ ଆଦର ଦେଇପାରୁନାହୁଁ । ଏ ସ୍ନେହ ଦେବାର ଦାୟିତ୍ୱ ସମସ୍ତଙ୍କର । ଛୋଟରୁ ବଡ଼ ଯାଏଁ ଆମେ ସମସ୍ତେ ମିଶି ଏ ଘରଟିକୁ ସ୍ନେହରେ ଭରି ଦେଇପାରିବା । ପ୍ରତିଦିନ ଅନ୍ତତଃ ମୁହୂର୍ତ୍ତେ ଆମେ ପ୍ରତ୍ୟେକେ ସ୍ଥିର ହୋଇ ଏହି କଥା ବିଚାର କରିବା ।

 

୧୪ । ୧୨ । ୫୫

 

କାଲି ଆମ ଭିତରୁ ତିନିଜଣ ଏଠାରୁ ବିଦାୟ ନେଇ ଚାଲିଗଲେ । ସେମାନେ ଚାଲିଯିବା ପରେ ଅନୁଷ୍ଠାନର ଶରୀରରେ ସତେ ଯେମିତି ଏକ ବଡ଼ କ୍ଷତ ହୋଇଯାଇଥିବା ପରି ଲାଗୁଛି । କ୍ଷତ ଆମ ସମସ୍ତଙ୍କର; ଯେଉଁମାନେ ଗଲେ, କେବଳ ସେଇମାନଙ୍କର ନୁହେଁ । ଆମ ଅନୁଷ୍ଠାନ କହିଲେ ପ୍ରଧାନତଃ ଏଠିକାର ପାହାଡ଼ ପର୍ବତ ବା ବଣ ଜଙ୍ଗଲକୁ ବୁଝାଏ ନାହିଁ, ଏଠାକାର ଘରଦ୍ୱାରକୁ ବୁଝାଏ ନାହିଁ । ଅନୁଷ୍ଠାନ ଅର୍ଥ ଆମେ ସମସ୍ତେ–ଏଠାକାର ଶିକ୍ଷକ ଓ ଶିକ୍ଷାର୍ଥୀ ଉଭୟଙ୍କର ଆକାଂକ୍ଷା ଓ ଅନୁରକ୍ତିକୁ ନେଇହିଁ ଏ ଅନୁଷ୍ଠାନ । ଆମ ସମସ୍ତଙ୍କର ଭଲପାଇବା ମିଶି ଏ ଅନୁଷ୍ଠାନ କଲ୍ୟାଣକର କ୍ଷେତ୍ର ହୋଇପାରିବ । ପୁଣି ଆମ ସମସ୍ତଙ୍କର ଘୃଣା ମିଶି ଅନିଷ୍ଟକର ମଧ୍ୟ ହୋଇପାରିବ । ଆମର ଆଗ୍ରହ ମହତ୍ ହୋଇପାରିଲେ ଆମର କାମ ମହତ୍ ହୋଇପାରିବ । ଆଉ ଆମର କର୍ମ ମହତ୍ ହେଲେ ଆମର କର୍ମକ୍ଷେତ୍ର ମଧ୍ୟ ମହତ୍ ହୋଇପାରିବ । କାମ ବା କର୍ମକ୍ଷେତ୍ର ମଣିଷକୁ ମହତ୍ ବା ଅମହତ୍ କରେ ନାହିଁ । ଓଲଟି ମଣିଷ ତା’ର ଆପଣାର ମହତ୍ ବା ଅମହତ୍ ପଣିଆଦ୍ୱାରା ତା’ର କାମ ଓ କର୍ମକ୍ଷେତ୍ରକୁ ମହତ୍ ବା ଅମହତ୍ କରିପକାଏ । ପୁଣି ଯେଉଁ ଶିକ୍ଷାଧର୍ମକୁ ମୂଳଦୁଆ କରି ଧରି ଆମର ଏ ଶିକ୍ଷାଳୟର ପ୍ରତିଷ୍ଠା ହୋଇଛି, ସେଠି କର୍ମକ୍ଷେତ୍ର ଓ ଜ୍ଞାନକ୍ଷେତ୍ର ଦୁଇଟା ଅଲଗା ଅଲଗା ଜିନିଷ ନୁହେଁ । ଆମର କାମ ଯେତିକି ଶୁଦ୍ଧ ହେବ, ଆମର ଜ୍ଞାନପିପାସା ସେତିକି ଶୁଦ୍ଧ ହୋଇପାରିବ । ଆମର ଆଚରଣ ଯେତିକି ପୂର୍ଣ୍ଣ ବା ଅପୂର୍ଣ୍ଣ ରହିଥିବ, ଆମର ଆଗ୍ରହ ଓ ଜିଜ୍ଞାସା ସେତିକି ଉଚ୍ଚ ବା ନୀଚକୁ ଯାଉଥିବ । କର୍ମ ଓ ଜ୍ଞାନ ଭିତରେ ଆଚରଣ ଓ ବିଚାର ଭିତରେ ସେହିପରି ବେଶି ବନ୍ଧନ ସବୁବେଳେ ରହିଥିବା ଦରକାର । ନ ହେଲେ ଜୀବନର ସୁଷମ ସୁସ୍ଥ ବିକାଶ ସମ୍ଭବ ହୋଇପାରିବ ନାହିଁ । ଆମର କର୍ମସାଧନା ଆମକୁ ଜ୍ଞାନସାଧନାର ନବ ନବ କ୍ଷେତ୍ରରେ ଆଣି ଅବତୀର୍ଣ୍ଣ କରାଇଦେବ । ପୁଣି ଆମର ଜ୍ଞାନସାଧନା ଆମକୁ ନବ ନବ କର୍ମର ସାଧନା ଲାଗି ପ୍ରେରଣା ଦେଇଯାଉଥିବ । କର୍ମ କ୍ଷେତ୍ରରେ ଅଶୁଦ୍ଧ ବା ଅଳସୁଆ ହେଲେ ଆମର ଲବ୍‍ଧ ଜ୍ଞାନ ମଧ୍ୟ ଅଶୁଦ୍ଧ ଓ ଅଳସୁଆ ହୋଇଯିବ । ଆଉ ଆମର ଜ୍ଞାନ ଆମକୁ ଉଜ୍ଜ୍ୱଳ କରାଇ ନ ପାରିଲେ ହଜାର କର୍ମ କରି ମଧ୍ୟ ଆମେ ଘୋର କ୍ଳାନ୍ତିର ତମସା ଭିତରେ ପଡ଼ି ରହିଥିବା । କେବଳ କର୍ମ ବା କେବଳ ଜ୍ଞାନର ମାନଦଣ୍ଡରେ ଶିକ୍ଷା ଓ ସଭ୍ୟତାର ମାପ କେହି କରିପାରିବ ନାହିଁ । ଶୁଦ୍ଧି ହେଉଛି ସବୁ ଅର୍ଜନର ଅସଲ ମାନଦଣ୍ଡ । ପବିତ୍ର କର୍ମ ପବିତ୍ର ଜ୍ଞାନର ପରିପୂରକ । ଠିକ୍ ସେହିପରି ପବିତ୍ର ଜ୍ଞାନ ମଧ୍ୟ ପବିତ୍ର କର୍ମର ପରିପୂରକ ।

 

ଆମରି ଭିତରୁ କାଲି ତିନିଜଣ ଏଠାରୁ ଚାଲିଗଲେ । କୌଣସି ଏକ ଅସାମାଜିକ ଦୋଷ କରିଥିବାରୁ ଆମ ସମାଜ ତାଙ୍କୁ ଅନ୍ୟତ୍ର ବିଦାୟ ଦେଲା । କିନ୍ତୁ ଯାଇଥିବା ସେମାନଙ୍କ ଭିତରେ ଯେ ଖାଲି ଖରାପଗୁଡ଼ାକ ପୂରିରହିଥିଲା, ସେପରି ବିଶ୍ୱାସ କରିବାର ଭ୍ରମ ଆମେ କଦାପି କରିବା ନାହିଁ । ସେମାନଙ୍କ ଭିତରେ ମଧ୍ୟ ଭଲ ରହିଛି, ଶୁଦ୍ଧ ସ୍ନେହ ସମ୍ପର୍କର ସମ୍ଭାବନା ସେମାନଙ୍କ ଭିତରେ ମଧ୍ୟ ରହିଛି । ହୁଏତ କୌଣସି ଏକ ଦୁଷ୍ଟ ଆଗ୍ରହର ଅର୍ଗଳି ସେମାନଙ୍କ ଦୁଆରେ ପଡ଼ିଛି । ସେମାନେ ଆପଣାର ନିର୍ମଳ ହୃଦୟର ପରିଚୟ ଏପର୍ଯ୍ୟନ୍ତ ପାଇନାହାନ୍ତି । ହୁଏତ କୌଣସି ଏକ ଶୁଭ ମୁହୂର୍ତ୍ତରେ ସେମାନେ ସେ ପରିଚୟ ପାଇବେ । ସେମାନଙ୍କ ଜୀବନର ସମସ୍ତ ମିଛ-ମୂଳଦୁଆଗୁଡ଼ାକ ଭୁଶୁଡ଼ି ପଡ଼ିବ । ସେମାନଙ୍କର ଦୁଆର ଫିଟିଯିବ, ସେମାନଙ୍କର ଜୀବନରେ ସେଦିନ ସୂର୍ଯ୍ୟୋଦୟ ହେବ । ସେମାନେ ମଧ୍ୟ ଦିନେ ଏ ସଂସାରରେ ନିର୍ଭୀକ ମଣିଷ ହୋଇ ବାହାରିବେ । ସେମାନଙ୍କ ପ୍ରତି କୌଣସି ପ୍ରକାର ମନ୍ଦ ଭାବନା ନ ରଖି ଆଜି ଆମେ ଏହାହିଁ କାମନା କରିବା ।

 

ଏ ନିନ୍ଦାର କଥା କେବଳ ସେହିମାନଙ୍କର ଲଜ୍ଜା ନୁହେଁ, ଏ ଆମ ସମସ୍ତଙ୍କର ଲଜ୍ଜା । ଯେଉଁମାନେ ଗଲେ, କେବଳ ସେହିମାନେ ଏଠିକାର ସବୁ ଲଜ୍ଜା ମୁଣ୍ଡରେ ବୋହିନେଲେ, ଆଉ ଆମର ଲଜ୍ଜିତ ହେବାର କିଛି ନାହିଁ, ଏପରି ଭ୍ରମରେ ଆମେ କେହି ପଡ଼ିବା ନାହିଁ । ଆମର ଲାଜ ବିଷୟରେ ଆମେ ସମସ୍ତେ ସଚେତ ହୋଇ ରହିବା । ଆମ ସମାଜରେ ଯେଉଁ ଦୁର୍ଭାଗାମାନେ ଧରାପଡ଼ିଯା’ନ୍ତି, ସମାଜ ସେହିମାନଙ୍କ ଉପରେ ସମସ୍ତ ଅପବାଦର ମାଠିଆ ଢାଳିଦେଇ ନିଶ୍ଚିନ୍ତ ହୋଇଯାଏ । ଆମେ ଚିରାଚରିତ ସମାଜର ସେ ଭୁଲ୍‍ରେ ଛନ୍ଦି ହୋଇ ଯିବା ନାହିଁ । ଆଜି ଆମେ ସମସ୍ତେ ଅନୁତାପ କରିବା, ସମସ୍ତେ ଆମେ ଆମ ଅପରାଧର ମାର୍ଜନା ଲାଗି ଭଗବାନ୍‍ଙ୍କଠାରେ ପ୍ରାର୍ଥନା କରିବା । ଆମ ଜୀବନ ପୋଷକ ପାଖରେ ଆମେ ଜୀବନର ପାତ୍ରଟିକୁ ଉନ୍ମୁକ୍ତ କରି ରଖିବା । କୌଣସି ପ୍ରକାର ମୋହ ବା ଭୟର ହିରଣ୍ମୟ ପାତ୍ର ସେହି ପାତ୍ରଟିକୁ ଘୋଡ଼ାଇ ରଖିବ ନାହିଁ । ଆମ ସବୁରି ଭିତରେ ଯେଉଁ କୁପ୍ରବୃତ୍ତି ଲୁଚି ରହିଥିଲା, ଆମକୁ ନାନା ମିଥ୍ୟା ଗୌରବର ପ୍ରଲୋଭନ ଦେଖାଇ ଭୁଲାଇ ରଖିଥିଲା, କାଲିକାର ଘଟନା ତାହାରି ଉପରେ ଶକ୍ତ ଆଘାତ କରିଛି-। ଆମ ପ୍ରତ୍ୟେକଙ୍କର ବିବେକର ଆଘାତ ଏ । ଏହି ଆଘାତକୁ ଆମେ ସ୍ୱୀକାର କରିବା, ଏହି ଆଘାତର ଶାସ୍ତିକୁ ମଙ୍ଗଳମୟ ଜୀବନ ବିଧାତାର ନିର୍ଦ୍ଦେଶ ପରି ମାନିନେବା । ଏହା ନିଶ୍ଚିନ୍ତ ହୋଇ ବସିବାର ବେଳ ନୁହେଁ । ଏହା ନିଜ ଭାବନାର ବେଳ । ମିଥ୍ୟାର ଡାଳପତ୍ର ଛାଡ଼ି ଜୀବନର ସତ୍ୟ ମୂଳକୁ ଆଶ୍ରୟ କରି ବାଟ ଚାଲିବାର ସଂକଳ୍ପ ଆମେ ସମସ୍ତେ ନେବା । ଆମ ଦୃଷ୍ଟିରେ ଅନେକ କାଳିମାର ପରଦା ଘୋଟି ରହିଛି । ସେହି ପରଦାକୁ ଆମେ ଆଜି ଅପସରାଇ ଦେବା । ଆପଣାକୁ ଆମେ ଶୁଦ୍ଧ କରି ଦେଖିବା । ଅପରକୁ ମଧ୍ୟ ଶୁଦ୍ଧ ଆଖିରେ ଦେଖିବା । ଆମ ଦୃଷ୍ଟିରୁ ସମସ୍ତ କାଳିମା ଘୁଞ୍ଚିଯିବ । ଆମେ ଯାହା ଦେଖିବା ତାକୁ ଆଲୋକମୟରୂପେ ଦେଖିବା । ଏହିପରି ଦିନ ଯେଉଁଦିନ ସମ୍ଭବ ହୋଇପାରିବ, ସେହିଦିନ ଆମେ ସଚ୍ଚା ବିଦ୍ୟାର୍ଥୀ ବୋଲାଇ ପାରିବା । ସେଦିନ ଏଠାକାର ଅନୁଷ୍ଠାନଟିକୁ ଆମେ ଯଥାର୍ଥ ବିଦ୍ୟାଳୟ ବୋଲି କହିପାରିବା । ଏ ବିଦ୍ୟାଳୟରେ ସେହିପରି ଏକ ସଂସାର ଗଢ଼ିବାକୁ ଆମର ଆଜିକାର ସାଧନାକୁ ଆମେ ଉତ୍ସର୍ଗ କରି ରଖିବା-। ଆମର ଶୁଦ୍ଧ ଆଗ୍ରହ ଓ ଶୁଦ୍ଧ ଜୀବନର ସାଧନାହିଁ ଏକ ଶୁଦ୍ଧ ବିଦ୍ୟାଳୟ ସ୍ଥାପନାରେ ସାହାଯ୍ୟ କରିପାରିବ ।

 

୧୫ । ୧୨ । ୫୫

 

ଆମ ଦେଶର ପୁରୁଣା କଥା ଶୁଣିଲେ ଆମର ଛାତି ଫୁଲିଉଠେ । ଆମ ଦେଶର ସଂସ୍କୃତି, ସଭ୍ୟତା ଓ ଜୀବନ ପୃଥିବୀର ସବୁ ଦେଶର ସଂସ୍କୃତି, ସଭ୍ୟତା ଓ ଜୀବନ ଠାରୁ ଅଧିକ ଉନ୍ନତ ଥିଲା । କେଉଁ ବହିରୁ ଏକଥା ପଢ଼ିଲେ ବା କେଉଁ ବକ୍ତୃତାରୁ ଏକଥା ଶୁଣିଲେ ଆମେ କୋଟିନିଧି ପାଇଲା ପରି ମନେ କରୁ । ଆମ ଓଡ଼ିଶାରେ ମଧ୍ୟ ଏହି ଚିନ୍ତାର ଛାଞ୍ଚ ଅନେକ ଜାଗାରେ ଦେଖିବାକୁ ମିଳେ । ଆମ ଓଡ଼ିଶାର ରାଜାମାନେ ଏମିତି ନା ସେମିତି ଥିଲେ, ଏତେ ରାଜ୍ୟ ଜୟ କରି ଆମର ରାଜ୍ୟର ସୀମାକୁ ଅମୁକ ପର୍ବତ ଠାରୁ ଅମୁକ ନଦୀ ପର୍ଯ୍ୟନ୍ତ ବଢ଼ାଇ ଦେଇଥିଲେ, ଆମର ସଂସ୍କୃତି ଦେଶ ପ୍ରସିଦ୍ଧ ଥିଲା, ଆମର ସାହିତ୍ୟ ପରି ପୃଥିବୀରେ ଆଉ ସାହିତ୍ୟ ନାହିଁ, ଏହିପରି ଅନେକ ପ୍ରକାର ଚାଟୁବଚନ ଆମ ଓଡ଼ିଶା ବିଷୟରେ ଆମେ କହୁ ଆଉ ଶୁଣୁ । ଏସବୁରେ ଆମେ ଭାରି ଖୁସି ହୋଇଯାଉ । କାଠଯୋଡ଼ିର ପଥରବନ୍ଧ ବା ବାରବାଟୀ କିଲାର ଭଗ୍ନାବଶେଷ ଦେଖି ଆମର ମନ ଗୌରବରେ ଫୁଲିଉଠେ । ଆମର ଏ ଜଙ୍ଗଲ-ସଂସାରରେ ମଧ୍ୟ ଏହିପରି ଏକ ଗୌରବ ଅନୁଭବ କରିବାର ଯଥେଷ୍ଟ ସୂଚନା ମିଳେ । ଦୋଳ, ଦଶହରା ଓ ଦୀପାବଳି ପ୍ରଭୃତି ଉତ୍ସବ ପାଳନ କରିବା ସମୟରେ ଆମେ ଆମର ପୂର୍ବପୁରୁଷଙ୍କର ଗୁଣକୀର୍ତ୍ତନ କରୁ । ସେମାନେ ଯେ ଶିକ୍ଷା ଓ ସଭ୍ୟତାର ଚରମ ସୀମାକୁ ଉଠିଯାଇଥିଲେ, ଏକଥା ମଧ୍ୟ କହିପକାଉ । ପୂର୍ବକାଳରୁ ଚଳି ଆସୁଥିବା ଛୋଟିଆ ଛୋଟିଆ ରୀତି ଓ ଆଚାରର ବୈଜ୍ଞାନିକ ଓ ଦାର୍ଶନିକ ବାଖ୍ୟା କରିବାରେ ଆମେ ଭାରି ଆନନ୍ଦ ପାଉ । ସେଦିନ ତ ଆମର ଜଣେ ଭାଇ ଖୁବ୍ ନିଷ୍ଠାପର ଭାବରେ କହିଗଲେ ଯେ ବାୟୁମଣ୍ଡଳରୁ ଜୀବାଣୁ ନାଶ କରିଦେବା ଉଦ୍ଦେଶ୍ୟରେ ଆମର ବୈଜ୍ଞାନିକ ପୂର୍ବପୁରୁଷମାନେ ଦିଆଲି ଉଆଁସ ରାତିରେ ବାଣ ମାରିବାର ବ୍ୟବସ୍ଥା କରିଛନ୍ତି । ଏମିତି କେତେ ମନଗଢ଼ା ପ୍ରଶଂସା କଥା ଆମେ ବହିରେ ପଢ଼ୁଛୁ । ସୁଯୋଗ ପାଇଲେ ଆମେ ମଧ୍ୟ କହୁଛୁ-

 

ବହି ଲେଖିବା ବା ବକ୍ତୃତା ଦେଇ ଆମ ସଂସ୍କୃତିର ପ୍ରଶଂସା କରିବାକୁ ମୁଁ ସଂସ୍କୃତିର ଅତି ନିକୃଷ୍ଟ ସେବା ବୋଲି କହିବି । ଆମ ସଂସ୍କୃତିର ଯେଉଁଠି ଯାହା ଭଲ ଜିନିଷ ଅଛି, ସେ ସମସ୍ତ ଆମ ଜୀବନର ଅଂଶ ହୋଇ ରହିବା ଉଚିତ । ଆମର ଜୀବନହିଁ ଆମ ଜୀବନର ସର୍ବ ଶ୍ରେଷ୍ଠ ପ୍ରତିନିଧି ହେବ । କିନ୍ତୁ ଆମର ଜୀବନ ଆଜି କି ନିକୃଷ୍ଟ ସ୍ତରରେ ପଡ଼ିଛି ! ଆମ ଦେଶର ଧର୍ମରେ ଅନେକ ବଡ଼ବଡ଼ କଥା ରହିଛି । ମନୁଷ୍ୟ ଜୀବନକୁ ନେଇ ଅତି ଉଚ୍ଚ- କଳ୍ପନାମାନ ରହିଛି । ଆମର ଶରୀର ଯେପରି ଆମ ମନର ଓ ବିବେକର ଅଧିନ ହୋଇପାରିବ, ସେଥିଲାଗି ଆମର ସମାଜ ଶାସ୍ତ୍ରରେ ନାନାପ୍ରକାର ଆଚାରର ବ୍ୟବସ୍ଥା ରହିଛି । କିନ୍ତୁ ଆମର ତେଣିକି ଦୃଷ୍ଟି ନାହିଁ । ଆମର ଜୀବନରୁ ଆମର ସଂସ୍କୃତି କୁଆଡ଼େ ମରି ଝଡ଼ିଗଲାଣି । ମୁଁ ଗୋଟାଏ ଅତି ସାଧାରଣ ଉଦାହରଣ ଦେବି । ପ୍ରତ୍ୟେକ ଦିନ ସକାଳେ ପରିଷ୍କାର ଭାବରେ ସ୍ନାନ କରିବାକୁ ଆମର ପ୍ରାଚୀନ ଶାସ୍ତ୍ରକାରମାନେ ଏକ ପବିତ୍ର ଆଚାର ବୋଲି ମାନି ଆସୁଥିଲେ । ପ୍ରାୟ ପ୍ରତ୍ୟେକ ଧର୍ମଶାସ୍ତ୍ରରେ ଏହି ସ୍ନାନ ଓ ଶୌଚର ବର୍ଣ୍ଣନା କରାଯାଇଛି । କିନ୍ତୁ ଆମେ କେତେ ଜଣ ସେକଥା ମାନୁଛୁ ? ଖରା ନପଡ଼ିଲେ ପାଣିରେ ପଶିବାକୁ ଆମକୁ ଡର ଲାଗୁଛି । ଅତି ବାଧ୍ୟ ହେଲା ପରି କର୍ତ୍ତବ୍ୟ ଅନୁରୋଧରେ ଆମର ସ୍ନାନ ହେଉଛି । ସକାଳୁ ଉଠିବାର ପବିତ୍ର ଅଭ୍ୟାସଟାକୁ ମଧ୍ୟ ଆମେ ସେମିତି ବାଧ୍ୟ ହୋଇ କରୁଛୁ । ଦୁଇ ଓଳି ଭଗବାନ୍‍ଙ୍କର ନାମ ନେବାଟା ମଧ୍ୟ ଅନେକ ଜାଗାରୁ ଉଠିଗଲାଣି । ହୁଏତ ସ୍କୁଲ ପିଲାଙ୍କ ଛଡ଼ା ସାଧାରଣତଃ ଏକଥା କେହି କରୁନାହାନ୍ତି । ସ୍କୁଲ ପିଲାଏବି ପ୍ରଧାନତଃ ବାଧ୍ୟ ହୋଇ ଏକଥା କରୁଛନ୍ତି । ଏଣେ ଆମର ଶରୀର ଅଳସୁଆ ହେବାକୁ ପୂର୍ଣ୍ଣ ପ୍ରଶ୍ରୟ ପାଇଚି । ତା’ପରେ ସଂସ୍କୃତି ଓ ଶିକ୍ଷାରୁ ଯେତିକି ଆଚରଣ ଭିତରେ ପକାଇହେବ, ଆମେ ସେତିକିର ପ୍ରଶଂସା କରିବା । ଆମ ସଂସ୍କୃତିରେ ଆଗକାଳରେ ଯାହା ଥାଉ ପଛକେ, ବର୍ତ୍ତମାନ ଆଳସ୍ୟରୁ ଆମେ ସେହି ସଂସ୍କୃତିର ଉତ୍ତରାଧିକାର ହରାଇବାକୁ ବସିଲୁଣି । ଜୀବନରୁ ବିଦାୟ ନେଇ ଆମ ସଂସ୍କୃତି ଆମ ବିଳାସବ୍ୟସନର ଅବଶେଷମାତ୍ର ହୋଇ ରହିଛି । ସାଂସ୍କୃତିକ ବୁଦ୍ଧି ବିଳାସରେ ଆମେ ଭାରି ଆତ୍ମତୃପ୍ତି ଅନୁଭବ କରୁଛୁ । ଓଡ଼ିଆ ସାହିତ୍ୟର ଅଧେ କବିତା ହୁଏତ ଆଜି ଏହି ଆତ୍ମତୃପ୍ତିଟାର ପ୍ରକାଶରେହିଁ ସୀମାବଦ୍ଧ ରହିଛି । ଏହିପରି ଗୋଟାଏ ଆତ୍ମତୃପ୍ତିର ମୋହ ନେଇ ଆମେ ଆଉମାନଙ୍କ ସହିତ କୁସ୍ତିଲଢ଼ି ବାହାରି ପଡ଼ୁଛୁ । ଓଡ଼ିଆ ସହିତ ବଙ୍ଗାଳୀଙ୍କର ଯୁଦ୍ଧ ହେଉଛି ବା ତେଲୁଗୁ ସହିତ ତାମିଲ୍‌ଙ୍କର ଯୁଦ୍ଧ ହେଉଛି । ଆମର ଜୀବନ-କ୍ଷେତ୍ର ଛାଡ଼ି ଆମର ସଂସ୍କୃତି ଏହିପରି ଖଣ୍ଡଯୁଦ୍ଧର କ୍ଷେତ୍ରରେ ସୁରାଭାଣ୍ଡ ହୋଇ ରହିଲାଣି ।

 

ଇଉରୋପରେ ପ୍ରାୟ ଶହେବର୍ଷ ତଳେ ଏହିପରି ଗୋଟାଏ ଉତ୍ତେଜିତ ଜାତୀୟତାର ଯୁଗ ଆସିଥିଲା । ସେତେବେଳେ ପ୍ରତ୍ୟେକେ ଏମିତି ଆପଣା ଆପଣାର ସ୍ୱତନ୍ତ୍ର ସଂସ୍କୃତିର ନାରା ଲଗାଇ କୁସ୍ତି ଲଢ଼ିବାକୁ ବାହାରି ପଡ଼ିଥିଲେ । ଏହି କୁସ୍ତି ଲାଗି କବିର କବିତା ଲେଖାଯାଉଥିଲା, ଦାର୍ଶନିକ ଦର୍ଶନ ଲେଖୁଥିଲା, ଐତିହାସିକ ଇତିହାସର ନୂଆ ତଥ୍ୟ ଖୋଜି ବୁଲୁଥିଲା । ଏହି ସଂକୀର୍ଣ୍ଣ ଜାତୀୟତାର ସଂସ୍କୃତିକୁ ଆମେ ସେହି ଇଉରୋପରୁ ନକଲ କରିଛୁ । ଆଜି ମଧ୍ୟ ସେହି ନକଲ କରିବାର ଦୁର୍ବୁଦ୍ଧି ଆମର ଯାଇନାହିଁ । ସେହି ଦୁର୍ବୁଦ୍ଧିରେ ପଡ଼ି ଓଡ଼ିଶାରେ ଆମେ ଓଡ଼ିଆର ସବୁ କଥାକୁ ବଡ଼ ଓ ଭଲ ବୋଲି କହୁଛୁ । ତେଣେ ବିହାରୀମାନେ ବିହାରର ସବୁ କଥାକୁ ବଡ଼ ଓ ଭଲ ବୋଲି କହୁଛନ୍ତି । ବହି, ବକ୍ତୃତା ଆଉ ବାଗ୍ମିତାରେ ଆମ ଭିତରେ ଖଣ୍ଡଯୁଦ୍ଧ ଲାଗିଛି । ଅଥଚ ଓଡ଼ିଶାର ସାଂସ୍କୃତିକ ଇତିହାସରେ ଯେଉଁସବୁ ବିଚାର ଓ ଆଚାରର ଚିରନ୍ତନ ମହତ୍ତ୍ୱ ରହିଛି, ଓଡ଼ିଆ ହୋଇ ମଧ୍ୟ ସେସବୁ ଆଚାର ଓ ବିଚାର ଆମ ଜୀବନକୁ ସ୍ପର୍ଶ କରି ପାରୁନାହିଁ । ସଂସ୍କୃତିକୁ ଜୀବନସିଦ୍ଧ କରିବାର ସମସ୍ତ ଦାୟିତ୍ୱକୁ ଆମେ ଏଡ଼ିଚାଲିଛୁ । ଏଣିକି ସେ ପୁରୁଣା ଆଳସ୍ୟ ଓ ପୁରୁଣା ପଳାୟନରୀତି ଆଉ ଶୋଭା ପାଇବ ନାହିଁ । ଯିଏ ଖାଲି ବକ୍ତୃତାରେ ତା’ର ସଂସ୍କୃତିକୁ ବଡ଼ ବୋଲି କହି ଏଣେ ଜୀବନ କ୍ଷେତ୍ରରେ ତା’ର ସଂସ୍କୃତିଠାରୁ ବହୁଦୂରରେ ପଡ଼ିରହିଛି, ତାକୁ ତା’ର ସଂସ୍କୃତିର ଅତି ନିକୃଷ୍ଟ ପ୍ରତିନିଧି ବୋଲି କହିବାକୁ ହେବ । ଆମର ସଂସ୍କୃତିପ୍ରୀତି ଆମକୁ ଅଳସୁଆ ନ କରି ଆମକୁ ଶୁଦ୍ଧତର କରୁ, ଉଜ୍ଜ୍ୱଳତର କରୁ । ଆମ ଭିତରର ମଣିଷପଣିଆକୁ ଅଧିକ ସାର୍ଥକ ଭାବରେ ପ୍ରକଟିତ କରିଦେଉ । ‘ଇଉରୋପର ସଂସ୍କୃତିରେ କ’ଣ ଅନେକ ଭଲ କଥା ନାହିଁ ?’ –ଆଲ୍‌ବର୍ଟ ସ୍ୱାଇଟ୍‍ଜର୍‌ଙ୍କୁ ଥରେ ଏହିପରି ଏକ ପ୍ରଶ୍ନ କରାଯାଇଥିଲା । ସେ ତୁରନ୍ତ ଉତ୍ତର ଦେଲେ, ‘ହଁ, ଆମ ସଂସ୍କୃତିରେ ଅନେକ ଭଲ କଥା ନିଶ୍ଚୟ ଅଛି । କିନ୍ତୁ ସେସବୁକୁ ଜୀବନରେ ପକାଇବା କାମଟାହିଁ ଆମର ବାକି ରହିଯାଇଛି ।’ ଭାରତ କହ ବା ଓଡ଼ିଶା କହ ଆମର ସଂସ୍କୃତି ବିଷୟରେ ମଧ୍ୟ ଠିକ୍ ସେହିପରି ଉତ୍ତର ଦିଆଯାଇପାରିବ । ଆମର ସଂସ୍କୃତି ଓ ଆମର ଜୀବନର ସଂଯୋଗ କରିବା ଏପର୍ଯ୍ୟନ୍ତ ବାକି ରହିଯାଇଛି । ଆମେ ଅତି ଅଳସୁଆ ହୋଇ ପଡ଼ିଲୁଣି, ତେଣୁ ସଂସ୍କୃତିର ବୋଝଟାକୁ ମୁଣ୍ଡ ଉପରେ ଲଦି ବେଶ୍ ଗୌରବ ପାଉଛୁ । କିନ୍ତୁ ସଂସ୍କୃତି ଆମ ଜୀବନରେ କୌଣସି ପ୍ରାଣ ଭରାଇ ଦେଇପାରୁ ନାହିଁ । ଶୀତ ସକାଳର ଅଳସୁଆ ମଠୁଆ ମଣିଷ ପରି ଆଜିବି ଆମେ ଆମ ସଂସ୍କୃତି ମୋହର ତିନିପରସ୍ତ ଶେଯ ଘୋଡ଼ିହୋଇ ଶୋଇଛୁ ।

 

୧୬ । ୧୨ । ୫୫

 

ଆମ ସମାଜରେ ହଠାତ ଗୋଟାଏ ନିୟମ କରାଗଲେ ଆମକୁ ବୋଝ ପରି ଲାଗୁଛି । ଆମର ସ୍ୱାଧୀନତାକୁ ଅପହରଣ କରି ନେଇଯିବା ଲାଗି ଆମ ଲାଗି ନିୟମର ନାନା ଷଡ଼ଯନ୍ତ୍ର ଚାଲିଛି; ହୁଏତ ଆମ ଭିତରୁ ଏପରି ଅନେକେ ବିଚାର କରୁଛନ୍ତି । ଆମର ଏଠି କୌଣସି ନିୟମ ନ ରହୁ, ଏହି କଥା ବୋଧହୁଏ ଅନେକ ଚାହାନ୍ତି । ମୁଁ ମଧ୍ୟ ଠିକ୍ ସେଇ କଥା ଚାହେଁ । ସେହି ଆଦର୍ଶ ସାମାଜିକ ସ୍ଥିତିକୁ ଆଦର୍ଶ କରି ଧରି ଆମର ଏ ଅନୁଷ୍ଠାନ ଗଢ଼ା ହୋଇଛି । କିନ୍ତୁ ଆମେ ସବୁ ନିୟମ ଉଠାଇ ଦେବାର ଅର୍ଥ ନୁହେଁ ଯେ ଆମେ ସବୁ ଆପଣା ଆପଣା ଇଚ୍ଛାରେ ଏଠି ଚଳିବା । ଆମର ଏଠି ଆମେ ପଚାଶ ଜଣ ଅଛୁ । ଯଦି ପଚାଶ ଜଣଙ୍କର ପଚାଶ ରକମ ଇଚ୍ଛା ଚାଲେ, ପଚାଶ ରକମର ଆଳସ୍ୟର ଆଶ୍ରୟ ନେଇ ଯଦି ଆମେ ପ୍ରତ୍ୟେକେ ଆପଣା ଇଚ୍ଛାରେ ଏଠି ଦିନ କଟାଇବାକୁ ଆରମ୍ଭ କରିଦେଉ, ତେବେ ଆମର ଏ ସମାଜ ପଶୁସମାଜ ପରି ହୋଇଯିବ । ଆମେ ସକାଳୁ ଉଠି ପ୍ରାର୍ଥନା କରି ବସିବା ନାହିଁ, ସକାଳୁ ଶୌଚାଦି ନିୟମ ପାଳନ କରିବା ନାହିଁ, ଆପଣାର ଶରୀରଟାକୁ ପୂରାଦମ୍‍ରେ ଆମ କାମରେ ଲଗାଇ ପାରିବା ନାହିଁ, ଅବସର ପାଇଲେ ପୃଷ୍ଠାଏ ବହି ପଢ଼ିବା ନାହିଁ, କି ଖିଏ ସୂତା କାଟିବା ନାହିଁ । ଅଥଚ କ୍ଷେତ୍ରରେ ଅକ୍ଷେତ୍ରରେ ଆମେ ୟା’ ତା’ ଉପରେ ତୋଡ଼ ଦେଖାଇବା । ସମସ୍ତେ ଆପଣା ଆପଣା କାମରେ ଲାଗି ପଡ଼ିଥିବା ସମୟରେ ଗୋଟାଏ ଅଳସୁଆ ଦଳ ଗଢ଼ି ଆମେ ବିଛଣାରେ ପଡ଼ିବା, କାନ୍ଥକୁ ଆଉଜି ବସି ଗପ କରୁଥିବା । ଏସବୁ ଚାଲିଥିବା ପର୍ଯ୍ୟନ୍ତ ଆମେ ଗୋଟାଏ ସମାଜରେ ରହୁଛୁ ବୋଲି କିଏ କାହିଁକି କହିବ ? ସମାଜର ଇଚ୍ଛା, ମୋର ଇଚ୍ଛା ବା ଆଉ କାହାର ଇଚ୍ଛା ନୁହେଁ । ଏହା ସମସ୍ତଙ୍କର ଇଚ୍ଛା, ସମସ୍ତଙ୍କର ବିବେକର ଇଚ୍ଛା । ବିଦ୍ୟାର୍ଥୀ ଜୀବନର ବିବେକ ଆମକୁ ଯେପରି ଜୀବନ ଯାପନ ଲାଗି ପରାମର୍ଶ ଦେବ, ସେହିପରି ଜୀବନ-ଯାପନ ଲାଗି ଯେଉଁସବୁ ନିୟମ ଦରକାର, ସେ ସବୁ ନିୟମକୁ ଆମେ ଆପେ ସ୍ୱୀକାର କରିନେବା । ଅତି ଖୁସି ହୋଇ ଆମେ ଆମର ଆବଶ୍ୟକ ଶୃଙ୍ଖଳା ମାନିନେବା ।

 

ସାଧନା ପଥର ପ୍ରତ୍ୟେକ ପଥିକ ଲାଗି ସାଧନାର ଶୃଙ୍ଖଳା ନିଶ୍ଚୟ ରହିଛି । ଅବଶ୍ୟ ଆମେ ଯଦି ଶିକ୍ଷାକୁ ଗୋଟିଏ ସାଧନା ପରି ଗ୍ରହଣ କରି ନ ଥାଉ, ତେବେ ତାହା ଏକ ସ୍ୱତନ୍ତ୍ର କଥା ହେବ । ଉପଭୋଗ ବିବେଚନାହୀନ ଉପଭୋଗକୁ ଯିଏ ଏଠି ତା’ର ମନ ଆନନ୍ଦର ପ୍ରଧାନ ସରଞ୍ଜାମ କରି ଧରିନେଇଛି, ତାକୁ ତ ଯେ କୌଣସି ପ୍ରକାରର ନିୟମ ଗନ୍ଧେଇବ । ସେପରି ମଣିଷ ଟିକିଏ କୌଣସି ଶୃଙ୍ଖଳାରେ ସନ୍ତ୍ରସ୍ତ ହୋଇଉଠିବ । କିନ୍ତୁ ଏ ତ୍ରାସ କେବଳ ଅଳସୁଆ ମନର ତ୍ରାସ । ଏ ସଂସାରରେ ଯିଏ କେବଳ ଜୀବନର ବ୍ୟୟ ଓ ଅପଚୟ କରିବାକୁ ଆସିଛି, ଜୀବନକୁ ସୁନ୍ଦରତର କରିବାକୁ ଆସିନାହିଁ, ତାକୁ ଯେ କୌଣସି ଦାୟିତ୍ୱ ବା କର୍ତ୍ତବ୍ୟ କେବଳ ଗୋଟାଏ ତ୍ରାସ ପରି ମନେ ହେବ । କୌଣସି ପ୍ରକାର ଶୃଙ୍ଖଳାର କଥା ପଡ଼ିଲେ ପ୍ରଥମେ ସେ ସଂସାରଯାକର ଆପତ୍ତି ଉଠାଇବ । ମୁଁ କହିବି, ଏପରି ଲୋକ ବେଶ୍ ଆରାମରେ ରହିପାରିବ । ସମ୍ବଳ ଥିଲେ ସେ ନାନା ସୁଖର ଉପଭୋଗ କରିପାରିବ । କିନ୍ତୁ ସେ କୌଣସି କ୍ଷେତ୍ରରେ କଦାପି ଶିକ୍ଷାର୍ଥୀ ହୋଇ ପାରିବ ନାହିଁ ।

 

କାହାକୁ ଖୁସି କରିବା ଲାଗି ବା କେଉଁ ହାକିମର ଫରମାସ ତୁଲାଇବା ଲାଗି ଆମେ ଏସବୁ ନିୟମ କରିବା ନାହିଁ । ଆମ ନିୟମ ଆମକୁ କୌଣସି ଦୁଷ୍ଟ ନିୟାମକର ଦାସ କରିଦେବ ନାହିଁ । ଆମର ନିୟମ ଆମ ଆପଣା ଲାଗି ହେବ । ଆମର ଶୃଙ୍ଖଳା ମୂଳତଃ ଆତ୍ମଶୃଙ୍ଖଳା ହେବ । ମଝିରେ ମଝିରେ ଯେଉଁସବୁ ଆଳସ୍ୟ ଆମକୁ ଭୋଳ କରି ରଖୁଛି, ସେହିସବୁ ଆଳସ୍ୟରୁ ନିଜକୁ ସାବଧାନ କରି ରଖିବାକୁ ଆମେ ଆମ ନିୟମର ଅନୁବର୍ତ୍ତୀ ହୋଇ ରହିବା । ଆମର ଦୈନନ୍ଦିନ ଜୀବନକୁ ଆମେ କେତେଟା ଶୁଦ୍ଧ ଶୃଙ୍ଖଳାର ଅଭ୍ୟାସରେ ପକାଇବା । ଆମର ନିୟମ ଆମର ଜଡ଼ତା ନାସ କରିବା ଲାଗି ଆମକୁ ଅଧିକ ବଳ ଦେବ । ସରସ୍ୱତୀଙ୍କୁ ‘ନିଃଶେଷ ଜାଡ଼୍ୟାପହା’ ବୋଲି ବନ୍ଦନା କରାଯାଇଛି । ସବୁପ୍ରକାର ଜାଡ଼୍ୟ ବା ଜଡ଼ତାକୁ ନିଃଶେଷ ଭାବରେ ଅପହରଣ କରିନିଅନ୍ତି ସରସ୍ୱତୀ । ସେହି ପୁଣି ବିଦ୍ୟାଦାତ୍ରୀ; ଅର୍ଥାତ୍ ଜଡ଼ତା ସହିତ ବିଦ୍ୟାହୀନତାର ଓ ଜଡ଼ତା ଅପହରଣ କରିବା ସହିତ ବିଦ୍ୟାର ଘନିଷ୍ଠ ସମ୍ପର୍କ ରହିଛି । ଆମ ଭିତରେ ଜଡ଼ତା ପଶି ରହିଥିବା ପର୍ଯ୍ୟନ୍ତ ଆମେ ବିଦ୍ୟାର୍ଥୀ ବୋଲାଇପାରିବା ନାହିଁ । ଆମର ଜଡ଼ତା ବିଦ୍ୟାର୍ଥୀ ଜୀବନରେ ଆମର ପରମ ଶତ୍ରୁ । ଏଣେ ଆମେ ବିଦ୍ୟାର୍ଥୀର ଖାତାରେ ନାଁ ଲେଖାଇଥିବା, ତେଣେ ଆମର ନାନା ଜଡ଼ତାକୁ ସବୁମନ୍ତେ ବଢ଼ାଇ ରଖିଥିବା । ଏପରି ଜୀବନରେ କୌଣସି ଅର୍ଥ ନାହିଁ, କୌଣସି ମର୍ଯ୍ୟାଦା ନାହିଁ । ଏଣୁ ନିୟମ ରଖିବାକୁହିଁ ପଡ଼ିବ । ନିୟମ ବ୍ୟତୀତ ଆମର ବୁଦ୍ଧି ସମ୍ଭବ ହୋଇପାରିବ ନାହିଁ । ଯିଏ ସବୁପ୍ରକାର ନିୟମକୁ କେବଳ ଗୋଟାଏ ଅବଜ୍ଞାର ସହିତ ଦେଖୁଛି, କେବଳ ଭୟ କରି ତା’ ପାଖରୁ ଦଉଡ଼ି ପଳାଇବାକୁ ବାହାରୁଛି, ସେ ବିଦ୍ୟାର୍ଥୀ ହେବାର କୌଣସି କଳା ଏପର୍ଯ୍ୟନ୍ତ ଶିଖି ନାହିଁ ବୋଲି ମୁଁ କହିବି ।

 

ଏମିତି ନାନା ନିୟମ ଶୃଙ୍ଖଳାରେ ଆପଣାକୁ ଆବଦ୍ଧ କରି ସାଧନା କରୁ କରୁ ଅବଶ୍ୟ ଜୀବନରେ ଏପରି ଗୋଟାଏ ସମୟ ଆସିବ, ଯେତେବେଳେ କି ଆଉ କୌଣସି ନିୟମ ବାନ୍ଧି ବାଟ ଚାଲିବାରେ ଆବଶ୍ୟକତା ରହିବ ନାହିଁ । ସାଧନାଗତ ଜୀବନ ଓ ସ୍ୱଭାବଗତ ଜୀବନରେ ସେତେବେଳେ ଆଉ କୌଣସି ଦ୍ୱନ୍ଦ୍ୱହିଁ ରହିବ ନାହିଁ । ସେତେବେଳେ ମଣିଷର ସମସ୍ତ ସ୍ୱଭାବଗତ ଆଚରଣ ସାଧନାର ଅନୁକୂଳ ଆଚରଣ ହୋଇଯିବ । ସ୍ୱାଧୀନତା ଆଉ ଶୃଙ୍ଖଳାର ସମସ୍ତ ବିବାଦ ତୁଟିଯିବ । ସମସ୍ତ ଶୃଙ୍ଖଳା ପୂର୍ଣ୍ଣତଃ ଆତ୍ମଶୃଙ୍ଖଳା ହୋଇଯିବ । ଭୋଗାପଚୟର କୌଣସି ଭ୍ରମ ସେତେବେଳେ ରହିବ ନାହିଁ, ବିନାଶର ସମସ୍ତ ପ୍ରବୃତ୍ତି ସେତେବେଳେ ଅପସରି ଯିବ । ଯୋଉଠି ନିୟମ ଭାଙ୍ଗିବାର ଭୟ ରହିଛି, ସେଇଠି କେବଳ ନିୟମର ଶାସନ ଚଳାଇ ଆପଣାକୁ ମଣ କରିବାକୁ ହୁଏ । ଯୋଉଠି ଆଳସ୍ୟର ମିଥ୍ୟା ଉତ୍ସାହରେ ଅଟକି ରହିବାର ଆଶଙ୍କା ରହିଛି, କେବଳ ସେଇଠି ନାନା ଶୃଙ୍ଖଳାର ବନ୍ଧନଦ୍ୱାରା ଆପଣାକୁ ସତତ କର୍ମଠ ଓ ଜୀବନ୍ତ କରି ରଖିବାକୁ ହେବ । ସାଧନାର ବାଟରୁ ଫାଙ୍କି ଦେଇ ପଳାଉଥିବା ଚୋରକୁ ଜବତ କରିବାକୁ ପ୍ରଧାନତଃ ଆମେ ନିୟମର ଆଶ୍ରୟ ନେବା । ଏହି ନିୟମଦ୍ୱାରା ଆମେ ଆମର ସ୍ୱଭାବ ବଦଳାଇବାକୁ ଚେଷ୍ଟା କରିବା-। ଆଉ ସ୍ୱଭାବ ବଦଳି ଗଲେ, ଜୀବନ ତା’ର ସାଧନାଗତ ଭୂମିକୁ ଚାଲିଆସିଲେ ଆମ ଉପରେ ଆଉ କୌଣସି ନିୟମ ଆଣି ଲଦିବାର ପରିଶ୍ରମ କରିବାକୁ ପଡ଼ିବ ନାହିଁ ।

 

୧୨ । ୧ । ୫୬

 

ଏଇ କେତେ ଦିନ ହେଲା ଆମର ବିଦ୍ୟାଳୟ ଦୁଃଖର ପର୍ବ ମଧ୍ୟ ଦେଇ ଗତି କରୁଛି । ଯୋଉ କାରିଗର ତା’ର ହତିଆର ହରାଇ ବସେ ତା’ ଠାରୁ ଅଧିକ ଦୁଃଖୀ ଆମେ କାହାକୁ କହିବା-? ବିଦ୍ୟାଳୟର ଆରମ୍ଭ ଦିନଠାରୁ ମୁଁ ଆମ ପ୍ରତ୍ୟେକଙ୍କୁ ଗୋଟିଏ ଗୋଟିଏ କାରିଗର କଳ୍ପନା କରିଆସିଛି । କାରିଗର ମନ ନେଇ ଓ କାରିଗରର ନିର୍ମାଣ-ସ୍ୱପ୍ନ ନେଇ ଆମେ ଏଠି ସମବେତ ହୋଇଛେ । ଆମର ଆଗ୍ରହ ଆମର ବଡ଼ ହତିଆର; ନିଜ ଉପରେ ବିଶ୍ୱାସ ଆମର ସବୁଠାରୁ ବଡ଼ ସାଧନ । ସେଇ ଆଗ୍ରହ ଓ ଆତ୍ମବିଶ୍ୱାସ ସାହାଯ୍ୟରେ ଆମେ ଆମ ନିଜ ନିଜର ଜୀବନକୁ ଗୋଟିଏ ଗୋଟିଏ ସୁନ୍ଦର ଶିଳ୍ପ ସମ୍ପଦରେ ପରିଣତ କରିପାରିବା । ଏଇ ଚମ, ମାଂସ ଆଉ ହାଡ଼ ଉପରେ ହସ, ଆଲୁଅ ଆଉ କାନ୍ତି ଭରିଦେଇ ପାରିବା । ସେ ଆଗ୍ରହ ହୁଏତ ଆଜି ମରି ଯାଇଛି । ଆମର ମନ ଭିତରେ ଆଉ ବିଶ୍ୱାସ ନାହିଁ । ସେଥିଲାଗି ଆମର କାମ, ପାଠ ଓ ପ୍ରାର୍ଥନାରେ ଆଉ ପ୍ରାଣ ନାହିଁ; ଆମ ଦୈନନ୍ଦିନ କାର୍ଯ୍ୟକ୍ରମରେ ଆନନ୍ଦ ନାହିଁ; ଆମ ଚାହାଣିରୁବି ସମସ୍ତ କାନ୍ତି ବହିଷ୍କୃତ ହୋଇଗଲା ପରି ଲାଗୁଛି । ସବୁ ଯେପରି ନୀରସ ଆଉ ଯାନ୍ତ୍ରିକ ହୋଇ ପଡ଼ିଲାଣି । ଆମରି ଭିତରୁ ହୁଏତ ଅନେକେ ଏକଥା ଅନୁଭବ କରୁଛନ୍ତି । କିନ୍ତୁ ସେମାନେ ନାଚାର ହୋଇଗଲା ପରି ରହିଛନ୍ତି-। କାରଣ ବୋଧହୁଏ ସମସ୍ତେ ଏଇ ଆଗ୍ରହ ହରାଇ ବସିବାର ଦୁର୍ଗତି ଭୋଗ କରୁଛନ୍ତି ।

 

ଏଠିକାର ଅରଣ୍ୟ ହୁଏତ ଆମକୁ ଆଉ ଖୁସି ଲାଗୁନାହିଁ; ଏଠିକାର ସୂର୍ଯ୍ୟୋଦୟ ଆଉ ସୂର୍ଯ୍ୟାସ୍ତରୁ ହୁଏତ ଆମେ କୌଣସି ଖାଦ୍ୟ ସଂଗ୍ରହ କରିପାରୁ ନାହୁଁ । ଏଇ ବନର ସୁଷମା ବଢ଼ାଇ ଯେ ଦିନେ ଏଇଠି ଏକ ସୁଦୃଶ୍ୟ ବିଦ୍ୟାଳୟ ଗଢ଼ି ଉଠିବ, ସେହିପରି କୌଣସି କଳ୍ପନା ଆଉ ଆମର ମନକୁ ସଚଳ ଆଉ ସରସ କରିପାରୁ ନାହିଁ । ଏ ଏକ ବଡ଼ ଅଭିଶାପ । ଉପନିଷଦ୍‍ରେ ଋଷି ମହତୀ ବିନଷ୍ଟିର କଥା କହିଛନ୍ତି । ବିଦ୍ୟାଳୟ ପ୍ରତି ବିତୃଷ୍ଣା, ଯେକୌଣସି ବିଦ୍ୟାର୍ଥୀ ପକ୍ଷରେ ଏହାହିଁ ମହତୀ ବିନଷ୍ଟି, ଚରମ ବିନାଶର ଦୁର୍ଯୋଗ । ଯେତେବେଳ ଯାଏଁ ଏଇ ବିଦ୍ୟାଳୟ ଆମକୁ ଭଲ ଲାଗୁଥିବ, ସେତେବେଳ ଯାଏଁ ଏଠିକାର କାମ, ଏଠିକାର ପାଠ ଓ ଏଠିକାର ପ୍ରାର୍ଥନା ଆମକୁ ସବୁ ଭଲ ଲାଗିବ । ଏଇଠି ଆକାଶ ତଳେ ବସି ଆମେ ଯୋଉ ସାହିତ୍ୟ ପଢ଼ିବା, ଅଙ୍କ କଷିବା ବା ରେଖା ଟାଣିବା, ସେ ସବୁଥିରୁ ଆମେ ଆନନ୍ଦ ପାଇପାରିବା । ଗରିବର କୁଡ଼ିଆ ଗରିବକୁ କୋଟିନିଧିପରି ଲାଗେ, କାରଣ ଗରିବ ତାକୁ ଆପଣାର ଘର କରି ନେଇଥାଏ । କୋଉ ରାଜପ୍ରାସାଦରେ କେତେ ମହଲା କୋଠା ଉଠିଲା, ସେ ତେଣିକି ହେଜ ରଖେ ନାହିଁ । ଏହି ଦୃଷ୍ଟିରୁ ଆମେ ରାଜପ୍ରସାଦ ଆଉ କୁଡ଼ିଆ ଭିତରେ କୌଣସି ତୁଳନା କରି ପାରିବା ନାହିଁ । ରାଜାକୁ ତା’ର ପ୍ରାସାଦ ଯେତିକି ଭଲ ଲାଗେ, ଗରିବକୁ ତା’ର କୁଡ଼ିଆ ସେତିକି ଭଲ ଲାଗେ । ଗରିବର କୁଡ଼ିଆ କେବଳ କୁଡ଼ିଆ ନୁହେଁ । ସେ ତା’ର ଘର, ତା’ର ଗୌରବ, ତା’ର ଜୀବନର ସବୁ ସ୍ନେହ ଓ ସାଧନାକୁ ସାଇତି ରଖିବାର ଆନନ୍ଦ-ଭବନ । ଏଇ ଘରର ମମତାହିଁ ମଣିଷକୁ ସଂସାରରେ ଖୁସି କରି ରଖେ । ଜୀବନର ସାର୍ଥକତା ଓ ଜ୍ଞାନାର୍ଜନର ଉଜ୍ଜ୍ୱଳତା ଦେଇଯାଏ ।

 

ଆମ ବିଦ୍ୟାଳୟକୁ ଆମେ ଘର ବୋଲି ମନେ କରୁଥିବା ପର୍ଯ୍ୟନ୍ତ ଏଠି ଆମକୁ ସବୁ ଭଲ ଲାଗିବ । ଅପରର ଆଖିରେ ଦେଖିବାକୁ ଏଠି କ’ଣ ଅଛି ? ଥୁଣ୍ଟା ପଡ଼ିଆଟା ଭିତରେ କଞ୍ଚା ବାଉଁଶର କେତୋଟି ବଖରା ମାଟିଘର, ଝରଣାର ପଚାପାଣି, ତୁଚ୍ଛା ବଗଡ଼ା ଭାତ, ତା’ ସହିତ ଦିନକୁ କେତେ ଘଣ୍ଟା ମୂଲିଆର ଖଟଣି, ଆଉ ଅତି ଅଳ୍ପ ପାଠପଢ଼ା । ଏଠି ପିଲାଙ୍କ ଜୀବନକୁ ମାଟି କରିଦିଆଯାଉଛି । ତେଣେ ସଭ୍ୟ ଜଗତର ସଭାରେ ପଢ଼ୁଆ ପିଲାଏ କେତେ ରଙ୍ଗଢ଼ଙ୍ଗ ଫିଟ୍‍ଫାଟ୍ ହୋଇ ବୁଲୁଥିବାବେଳେ ଏଠି ପିଲାଙ୍କୁ ଭଲ ଭଲ କଥାରେ ଭଳାଇ ରଖି ସେମାନଙ୍କୁ ବୋକା କରି ଦିଆଯାଉଛି । ବାହାର ଲୋକ ଆମକୁ ଦେଖି ନିଶ୍ଚୟ ଏପରି ଭାବିବେ । ଏପରି ଭାବିବା ଲୋକର ଏ ଦେଶରେ ଅଭାବ ନାହିଁ । କିନ୍ତୁ ମୁଁ କହିବି, ଯୋଉ ମୁହୂର୍ତ୍ତରେ ଆମେ ଏ ବିଦ୍ୟାଳୟକୁ ଆପଣାର ଘର ବୋଲି ଭାବିବା, ସେହି ମୁହୂର୍ତ୍ତରେ ଆମ ମନରୁ ଅପର ମଣିଷର ସମସ୍ତ ଭ୍ରମ ଦୂର ହୋଇଯିବ-। ଲକ୍ଷ୍ମୀମନ୍ତ ଚାଷୀ ଯେମିତି ତା’ର ଜମିକୁ ଭଲ ପାଏ, ଲକ୍ଷ୍ମୀମନ୍ତ କାରିଗର ଯେମିତି ତା’ର ହତିଆରକୁ ଭଲପାଏ, ଲକ୍ଷ୍ମୀମନ୍ତ ବିଦ୍ୟାର୍ଥୀ ହିସାବରେ ଆମେ ସେମିତି ଆମ ବିଦ୍ୟାଳୟକୁ ଭଲ ପାଇ ଶିଖିବା । ଏ ଏଗାର ବଖରା ଘର କେବଳ ଗୋଟାଏ ଘର ନୁହେଁ, ଇଏ ଆମର ସରଞ୍ଜାମଶାଳା । ଏ ଘର ଆମେ ଗଢ଼ିଚେ, ଏ ଘରକୁ ନେଇ ଜୀବନର ଅଜସ୍ର ସ୍ୱପ୍ନ ଆମେ ଦେଖୁଚେ, ଏଇଠିକାର ଖୁସି ଆଉ ଖେଳରେ ଆମ ଜୀବନର ପାଖୁଡ଼ାକୁ ପାଖୁଡ଼ା ବିକଶିତ ହୋଇ ଚାଲିଚି । ଏ ଆମର ଘର, ଆମର ମମତା, ଆମର ଆଗ୍ରହ ଆଉ ସାଧନା ଏଇଠି ମୂର୍ତ୍ତିମନ୍ତ ହୋଇ ଉଠିବ । ଏଇଠି ଆମେ ଶ୍ରେୟଃର ସନ୍ଧାନ କରି ଆସିଛେ । ସଂସାରରେ ପ୍ରେୟ ବସ୍ତୁ ଅନେକ ଅଛି । ବଡ଼ବଡ଼ କୋଠାଘର ଅଛି । ବଡ଼ କ୍ଷମତା ମୁଣ୍ଡାଇଥିବା ହାକିମ ଓ ମାଷ୍ଟର ମଧ୍ୟ ଅଛନ୍ତି । ଘଣ୍ଟାର କଣ୍ଟା-ମୁନରେ ସେଠି ଅପାର ଆୟୋଜନରେ ପାଠ ପଢ଼ାଇବାର କାରବାର ଚାଲିଛି । ସେ କଥା ଜାଣି ମଧ୍ୟ ଆମେ ଏଇଠି ଏଇ ଜଙ୍ଗଲକୁ ଶ୍ରେୟଃ ଖୋଜି ଆସିଛୁ । ଆମ ଜୀବନ-ଗୁହାରେ ନିହିତ ଥିବା ରତ୍ନର ଆବିଷ୍କାର କରି ଆସିଛୁ । ଆମ ସମସ୍ତଙ୍କର ଅନୁସନ୍ଧାନର ବାଟରେ ଏଇ ବିଦ୍ୟାଳୟର ଛକ ଉପରେ ଆମର ପରିଚୟ ହୋଇଛି । ଏହି ପରିଚୟର ମହତ୍ତ୍ୱ ଆମେ ବୁଝିବା । ଆମ ଭିତରେ ଯେତିକି ସ୍ନେହ ଓ ଶ୍ରଦ୍ଧା ଆଜି ରହିଛି, ସେ ସବୁ ଏହି ପରିଚୟଟି ସକାଶେ ଘଟିଛି । ସେହି ପରିଚୟର ମହତ୍ତ୍ୱ ଭୁଲିଯିବାମାତ୍ରେକେ ଆମର ମନ ଆଉ ଏଠି ଲାଗିବ ନାହିଁ । ଆମର ମନ ଆଉ କୋଉ ବଜାରରେ ପୋଷାକି ପ୍ରତିଯୋଗିତା କରିବାକୁ ବ୍ୟସ୍ତ ହୋଇ ପଡ଼ିବ; ଅପର ପାଖରେ ଆପଣାକୁ ଛୋଟ ମନେ ହେବ । ଏଣେତେଣେ ଦଉଡ଼ି ଜ୍ଞାନ ଚାଖିବାର ଦୁର୍ଦ୍ଦଶା ଆମର ମନକୁ ବଡ଼ ହୀନ କରି ପକାଇବ । ହୁଏତ ଆଜି ସେକଥା ହୋଇଛି । ସେଥିଲାଗି ଏଠି ଆମର ଅସଲ ପରିଚୟଟି ଆମେ ଭୁଲିଯାଇଛୁ । ସେଥିଲାଗି ଆଉ କୋଉ ହାଟରେ ଆମ ବୁଦ୍ଧିର ଅଧିକ କାଟତି ହୋଇଥାନ୍ତା । ବୋଲି ଭାବି ଆମେ ଆପଣାର ଭାଗ୍ୟକୁ ନିନ୍ଦା କରି ବୁଲୁଛୁ । ନିଜ ଉପରୁ ବିଶ୍ୱାସ ହରାଇ ଏଠି ଆମେ ଅବିଶ୍ୱାସର ବିଷରେ ସମସ୍ତଙ୍କୁ ଦଂଶନ କରି ବାହାରିଛୁ ।

 

ଆଜି ଏଠି ଭାରି ଏକୁଟିଆ ଲାଗୁଛି । ସାଥୀ ନ ପାଇଲେ ହଜାର ହଜାର ମଣିଷମେଳରେ ମଧ୍ୟ ବଡ଼ ଏକୁଟିଆ ଲାଗେ । ହାଟ ଭିତରେ ଶହ ଶହ ମଣିଷଙ୍କ ସହିତ ଦେହ ଘଷାଘଷି ହେଲେ ମଧ୍ୟ ମନଭିତରେ ଆମେ ବଡ଼ ଏକୁଟିଆ ଅନୁଭବ କରୁ । ଆଗରୁ ତୁମମାନଙ୍କୁ ମୁଁ ବିଦ୍ୟାର୍ଥୀରୂପେ ଚିହ୍ନିଥିଲି । ଆପଣାର ଭିତର ବିଦ୍ୟାର୍ଥୀକୁ ତୁମମାନଙ୍କ ସହିତ ମିଳାଇ ଦେଇଥିଲି-। ଏ ବିକାକିଣାର ସଂସାରରେ ଏତେ ଗୋଟି ହୃଦୟକୁ ସାଥୀ କରି ପାଇ ଅନେକ ଦମ୍ଭରେ ଅନେକ ଦୂର ମାଡ଼ି ଯାଇଥିଲି । ଆଜି ଅଧ ବାଟରେ ଯେପରି ମୁଁ କାହାରିକୁ ଚିହ୍ନି ପାରୁନାହିଁ । ଏ ବୀଭତ୍ସ ରୂପଟା ଆମ ଭିତରେ କୋଉଠି ଲୁଚି ରହିଥିଲା ? ଏ ତ ବିଦ୍ୟାର୍ଥୀର ରୂପ ନୁହେଁ ! ସବୁରି ମନ ଭିତରେ ଏଠି ଆଜି ଖାଲି ଲାଭ କ୍ଷତି ଓ ସଫଳତା ବିଫଳତାର ହିସାବ ଚାଲିଛି । ସଂସାରର ବଜାରରେ ହଟିଯିବାର ଗୋଟିଏ ପ୍ରମାଦ ଆଜି ଯେପରି ସମସ୍ତଙ୍କୁ ଅସ୍ତବ୍ୟସ୍ତ କରି ରଖିଛି । ପ୍ରେୟ ଖୋଜି ବାହାରିବାର ସହଜ ବାଟଟା ଆଜି ଯେପରି ଏଠି ସବୁରି ଆଖିକୁ ବେଶ୍ ପ୍ରଲୁବ୍ଧ ଓ ରକ୍ତିମ କରି ରଖିଛି । ଅତି ଏକାକୀ ଭାବରେ ଆଜି ମୁଁ ଖାଲି ଭଗବାନ୍‍ଙ୍କ ପାଖରେ ପ୍ରାର୍ଥନା କରୁଛି, ଏ ପ୍ରମାଦ ଏଠୁ ଘୁଞ୍ଚିଯାଉ । ଏଠୁ ଏ ହାଟ ବଜାରର ମେଘଛାୟା ଦୂର ହୋଇଯାଉ, ବିଦ୍ୟାର୍ଥୀ ହୋଇ ବାହାରିବାର ସହଜ ଅଦମ୍ୟ ଉତ୍ସାହ ପୁଣି ଆମକୁ ପରସ୍ପରର ନିବିଡ଼ ପରିଚୟ ଭିତରକୁ ନେଇ ଆସୁ ।

 

୧୩ । ୧ । ୫୬

 

ମୁଁ ଦରିଦ୍ର । କୌଣସି ଭଲ ସ୍କୁଲରେ ବା ଭଲ ସହରରେ ପାଠ ପଢ଼ିବାକୁ ମୋ ବାପ ମା’ ଏତେ ଟଙ୍କା ଦେଇପାରିବେ ନାହିଁ । ତେଣୁ ଭାଗ୍ୟ ଆଦରି ମତେ ଏଇଠି ମୁହଁ ମାଡ଼ି ପଡ଼ିବାକୁ ହେବ;–ଏପରି ଦରିଦ୍ର ମନ ନେଇ ଯିଏ ଏ ବିଦ୍ୟାଳୟରେ ଦିନ କଟାଉଥିବ, ସେ ବିଦ୍ୟାଳୟର ସମସ୍ତ ଶ୍ରୀ ନଷ୍ଟ କରି ଦେଉଛି ବୋଲି ମୁଁ କହିବି । ଏଠିକାର ସମସ୍ତ କାର୍ଯ୍ୟକ୍ରମକୁ ତା’ର ଦରିଦ୍ର ମନୋଦୃଷ୍ଟି କଳୁଷିତ କରିପକାଇବ । ବାଧ୍ୟ ହୋଇ ଆମ ଦେଶରେ ମୂଲିଆ ମେହନତ୍ କରେ । ବାଧ୍ୟ ହୋଇ ଏ ଦେଶର ଶିକ୍ଷକ ପିଲାଙ୍କୁ ପାଠ ପଢ଼ାଏ । କିନ୍ତୁ ଏଣେ ଚାଷୀର ମନ କଟକ କୋଠାର ସ୍ୱପ୍ନ ଦେଖୁଥାଏ, ଶିକ୍ଷକର ମନ କୋଉ କଣ୍ଟ୍ରାକ୍‍ଟର ବା ଓକିଲର ଧନ ସମ୍ପତ୍ତିକୁ ଈର୍ଷା କରିବାରେ ବୁଡ଼ି ରହି ଆପଣାର ସମ୍ମାନ ହରାଇ ବସିଥାଏ । ବିଦ୍ୟାଳୟର ବଦ୍ୟାର୍ଥୀ ବିଷୟରେ ମଧ୍ୟ ମୁଁ ଠିକ୍ ସେହି କଥା କହିବି । ଯିଏ ଏଠି ବାଧ୍ୟ ହୋଇ ପଡ଼ିରହିଥିବ, ଶିକ୍ଷକ ଆଗରେ ବାଧ୍ୟ ପିଲା ବୋଲି ପରିଚୟ ଦେଇ ପଛରେ ଯିଏ ନାନାପ୍ରକାର ମନୋଗ୍ଳାନିରେ ଆପଣାକୁ ହନ୍ତସନ୍ତ କରି ରଖିଥିବ, ନାନାପ୍ରକାର ଅଶାନ୍ତିର ଆବର୍ଜନା ସୃଷ୍ଟି କରି ମନେ ମନେ ସାନ୍ତ୍ୱନା ପାଉଥିବ, ମୁଁ କହିବି ତା’ର ସମୟ ଓ ତା’ର ବୟସ ଏଠି ବୃଥା ହୋଇ ଯାଉଛି । ବାହାର ମନରେ ଯେତେ ବହି ପଢ଼ୁଥିଲେ କି ଭାଷା ଶିଖୁଥିଲେ ମଧ୍ୟ ଭିତରେ ସେ ଅତି ଅସହାୟ ଅରକ୍ଷିତ ହୋଇ ପଡ଼ିଛି । ଖାଲି ଆପଣା ଭାଗ୍ୟକୁ ନିନ୍ଦା କରୁଛି । ନାନା ସଂଶୟରେ ଆପଣା ବାଟକୁ ବନ୍ଦ କରି ରଖି ସେ ଅପର ପାଞ୍ଚଜଣଙ୍କର ବାଟ ବନ୍ଦ କରିବାକୁ ମନ ବଳାଉଛି । ତା’ର ନିଜର ବିକାଶ ବାଟ ସେ ବନ୍ଦ କରି ରଖୁଛି, ତାହାହିଁ ସବୁଠାରୁ ବଡ଼ ଦୁଃଖର କଥା । ବିଦ୍ୟାର୍ଥୀ ଭିତରେ ଯେଉଁ ସାହସ ରହିବା କଥା, ସେ ସାହସ ସେ ହରାଇ ବସୁଛି । ଭିତରେ ବାହାରେ ସେ ଦୁଇ ଭାଗ ହୋଇଯାଉଛି । ତେଣୁ ଯାହା ଜ୍ଞାନ ସେ ଏଠୁ ପାଉଛି, ତାହା ଖାଲି ତା’ର ବଦହଜମି କରାଉଛି । ତା’ର ବୁଦ୍ଧି ସ୍ଥିର ହୋଇ ପାରୁନାହିଁ । ବୁଦ୍ଧିକୁ ସ୍ଥିର କରିବାକୁ ହେଲେ ପ୍ରଥମେ ଶ୍ରଦ୍ଧା ଦରକାର । ଆପଣା ଜୀବନକୁ ଆମେ ଶ୍ରଦ୍ଧା କରି ଶିଖିବା । ଆପଣା କାମକୁ ଆମେ ଶ୍ରଦ୍ଧା କରି ଶିଖିବା । ଯୋଉ ଘରେ ରହି ଆମେ ଦିନରାତିର ଅର୍ଜନ ସଂଗ୍ରହ କରୁଛୁ, ସେ ଘରକୁ ମଧ୍ୟ ଶ୍ରଦ୍ଧା କରି ଶିଖିବା । ଏ ଶ୍ରଦ୍ଧା ଆମର ଅଛି କି-? ଆପଣା ଜୀବନକୁ ନେଇ ଯିଏ କେବଳ ଶ୍ରେୟଃର ଅନୁସନ୍ଧାନ କରି ବାହାରିବ, କେବଳ ସେହି ଆପଣା ଜୀବନକୁ ଶ୍ରଦ୍ଧା କରି ଶିଖିବ । କିନ୍ତୁ ଭୋଗ ବା ସହଜ ବାଟ ଖୋଜିବାର ଲୋଭରେ ଯିଏ ପଡ଼ିଯିବ, ତା’ର ମନକୁ କେବଳ ଦୁଷ୍ଟମନ ବୋଲିହିଁ କହିବାକୁ ହେବ । ଦୁଷ୍ଟ ଅସନ୍ତୁଷ୍ଟ ପିଲା ଆପଣାର ଖେଳନାକୁ ଭାଙ୍ଗିରୁଜି ପକାଇଲା ପରି ସେ ଆପଣାର ଜୀବନକୁ କେବଳ ଭାଙ୍ଗିରୁଜି ପକାଇବ । ଯୋଉ ପିଲା ତା’ର ଖେଳନାକୁ ଭଲପାଏ, ସେହି ଖେଳନାରୁହିଁ ସେ ଆନନ୍ଦ ପାଏ-। ଯୋଉ ଶିକ୍ଷାର୍ଥୀ ଆପଣାର ପାଠକୁ ଭଲପାଏ, ସେ ପାଠରୁ ଆନନ୍ଦ ପାଏ । ଯିଏ କାମକୁ ଭଲ ପାଏ, ସେ ତା’ କାମରୁ ଆନନ୍ଦ ପାଏ । ଯିଏ ତା’ର ବିଦ୍ୟାଳୟକୁ ଭଲ ପାଏ, ସେ ତା’ର ବିଦ୍ୟାଳୟରୁ ଆନନ୍ଦ ପାଏ । ଭଲପାଇବା ହେଉଛି ସବୁ ଆନନ୍ଦର ମୂଳ । ମୁଁ ଜାଣେନା, ଶାସ୍ତ୍ର ପଢ଼ିବା ସଙ୍ଗେ ସଙ୍ଗେ କେତେଦୂର ଆମେ ଏହି ଭଲପାଇବାର କଳା ଅର୍ଜନ କରୁଛୁ । ତାହା ଆମ ପ୍ରତ୍ୟେକର ବିଚାର କରିବା କଥା।

 

ଆମର ଅନୁଷ୍ଠାନ ଏକ ଦରିଦ୍ର ଅନୁଷ୍ଠାନ । ଏଠିକାର ଘର ଦୁଆର, ରନ୍ଧାବଢ଼ା ଦେଖିଲେ ଯେକୌଣସି ଲୋକ ଆମକୁ ଦରିଦ୍ର ବୋଲି ଭାବିବ । ସେହି ଦୃଷ୍ଟିରୁ ଯଦି ଏଠି ଆମେ ଆମକୁ ଦରିଦ୍ର ବୋଲି କହୁଥିବା, ତେବେ ମୋର କିଛି ଆପତ୍ତି ନାହିଁ । କିନ୍ତୁ ଅତି ଦମ୍ଭ ସହକାରେ ମୁଁ କହିବି, ଓଡ଼ିଶାର କେତୋଟି ଦରିଦ୍ର ଘର ପିଲାଙ୍କୁ ର, ଠ, ଗୋଟାଏ ଆଶ୍ରୟ ଦେବାକୁ ଏ ଅନୁଷ୍ଠାନ ଗଢ଼ା ଯାଉନାହିଁ । ସେ ଦରିଦ୍ର ମନର ବିକାର ଆମର ନାହିଁ । ତେଣେ ଦିଲ୍ଲୀ ଆଉ କଟକରେ ଧନୀ ସଭାର ଧୁମ୍‌ଧାମ୍‌ ଲାଗିଛି । ସିମେଣ୍ଟ ଚଟାଣ ଉପରେ ଧନୀର ଜୋତା ସେଠି ସୁଖୀ ଜୀବନର ଆଡ଼ମ୍ବର ଚଳାଉଛି । ସେ କଥା ଆମେ ଭଲ କରି ଜାଣୁ । କିନ୍ତୁ ସେହିମାନଙ୍କ ଭଳି ହେବାର ଆଦର୍ଶକୁ ଗୋପନ କରି ଧରି ଆମେ ଏଠାକୁ ଆସି ନାହୁଁ । ଆମ ଭିତରେ ସେପରି କୌଣସି ଭୂତ ନାହିଁ । ଦୟାଦ୍ୱାରା ସବୁ ଦାନ ସମ୍ଭବ ହୋଇପାରେ, କିନ୍ତୁ ବିଦ୍ୟା ଦାନ ସମ୍ଭବ ହୋଇ ପାରିବ ନାହିଁ । ବଡ଼ଲୋକର ଦୟାରେ ପାଠ ପଢ଼ିଯିବାର ଦରିଦ୍ର ସାନ୍ତ୍ୱନା ଧରି ଯିଏ ଏଠିକି ଆସିଛି, ସେ କେବଳ ଦରିଦ୍ର ହୋଇହିଁ ଏଠାରୁ ଫେରିଯିବ । ବଡ଼ଲୋକର କୋଠାଘର ସହିତ ପ୍ରତିଯୋଗିତା କରିବାକୁ ଆମେ ଏଠିକି ଆସି ନାହୁଁ । ଧନୀ ତେଣେ ଆପଣା ପିଲାଙ୍କୁ କୋଉଠିକି କି ପୋଷାକ ପିନ୍ଧାଇ ପଠାଇଲା, ସେହିଥିରେ ବିଚଳିତ ହୋଇ ନାନା ଅପରିତୃପ୍ତିର କଣ୍ଟାବାଡ଼ ଉପରେ ବସିବାକୁ ଏଠାକୁ ଆସିନାହୁଁ । ଆମେ ଏଠି ମଣିଷ ହେବାକୁ ଆସିଛୁ । ପଶୁର ଜୀବନଠାରୁ ମଣିଷର ଜୀବନକୁ ଉଚ୍ଚତର କରି ରଖିବାକୁ ଯେଉଁସବୁ ଉପାଦାନ ବା ପ୍ରବୃତ୍ତି ମଣିଷର ଜୀବନକୁ ଉଚ୍ଚତର କରି ରଖିବାକୁ ଯେଉଁସବୁ ଉପାଦାନ ବା ପ୍ରବୃତ୍ତି ମଣିଷ ଭିତରେ ରହିଛି, ସେସବୁର ବିକାଶ କରିବାକୁ ଆମେ ଏଠିକି ଆସିଛୁ । ମଣିଷର ଜ୍ଞାନ ଓ ହୃଦୟ ବିକାଶ କରିବାକୁ ହେଲେ ଯେ ଖାଲି ଧନୀ ହେବାକୁ ପଡ଼ିବ, ସେ କଥା ଆମେ ସ୍ୱୀକାର କରୁନା । ଗରିବ ଘରେ ଜନ୍ମ ହୋଇ ମଧ୍ୟ ପୂର୍ଣ୍ଣ ବିକଶିତ ହୋଇପାରିବାର ଯୋଗ୍ୟତା ଆମର ଅଛି; ସଂସାରରେ ମଣିଷ ହେବାର ଅଧିକାର ଆମର ଅଛି । ଆଉ ଯେଉଁ ଲକ୍ଷ ଲକ୍ଷ ଗରିବ ପିଲାଙ୍କର ବାଟକୁ ଆଜି ଧନଲୋଭୀ-ସମାଜ ବନ୍ଦକରି ରଖିଛି, ସେହି ବାଟକୁ ଫିଟାଇ ସମାଜରେ ସବୁରି ଉଦୟ ଲାଗି କ୍ଷେତ୍ର ପ୍ରସ୍ତୁତ କରିବାର କର୍ତ୍ତବ୍ୟ ଆମର ଅଛି । ଏସବୁ ବିଷୟରେ ସଚେତ ହୋଇହିଁ ଆମେ ଏଠାକୁ ଆସିଛୁ । ଅନ୍ୟ କୋଉଠି କୋଉ ଚକ୍‌ଚକ୍‌ କୋଠାରେ କେତେ ପ୍ରକାର ପାଠର ବଜାର ବସିଛି, କିନ୍ତୁ ସେଥିରେ ଆମେ ଦୁଃଖିତ ହେବୁ ନାହିଁ । ଆମରି କ୍ଷେତ୍ରଟିକୁ ଅଧିକ ଭଲ ପାଇ ଆମେ ଆମ ବିକାଶର ସମ୍ଭାବନାକୁ ଅଧିକ ପ୍ରଶସ୍ତ କରିଦେବୁ । ଆମ ଆଗ୍ରହ ଓ ଆମ ସମୟକୁ ଅଧିକ ସମ୍ମାନ ଦେବୁ । ଧନରେ ଦରିଦ୍ର ହେବା ଆଦୌ ଲଜ୍ଜାଜନକ ନୁହେଁ । ମନରେ ଦରିଦ୍ର ଯେ ହେବ ଦେବତା ମଧ୍ୟ ତା’ର ଶୂନ୍ୟପାତ୍ରକୁ ଭରିଦେଇ ପାରିବ ନାହିଁ । ଯିଏ ମନରେ ଦରିଦ୍ର ହୁଏ, ସିଏ ଆପଣାକୁ ସମ୍ମାନ କରିବାକୁ ଭୁଲିଯାଏ । ଆଉ ଆତ୍ମ-ସମ୍ମାନ ନ ଆସିବା ପର୍ଯ୍ୟନ୍ତ ମଣିଷର ସବୁ ଜ୍ଞାନ, ସବୁ କାମ ଓ ସବୁ ଆଗ୍ରହ କେବଳ ବ୍ୟର୍ଥହିଁ ହୁଏ । ଧନରେ ଦରିଦ୍ର ହେଲେ ମଧ୍ୟ ଆମେ ଆମ ନିଜକୁ ସମ୍ମାନ କରି ଶିଖିବା । ତେବେ ଆମର ଅଧିକାର ଓ ଆମର କର୍ତ୍ତବ୍ୟ ବିଷୟରେ ଆମେ ଅଧିକ ସଚେତ ହୋଇପାରିବା ।

 

ଆମ ଦେଶରେ କେତେ ସ୍କୁଲ କେତେ କଲେଜ ରହିଛି । ସେହିଭଳି ଗୋଟାଏ ହେବାର ଲାଳସା ନେଇ ଏଠି ଏ ଅନୁଷ୍ଠାନ ଗଢ଼ିବାରେ କି ବାହାଦୁରି ଅଛି ? ସଂସାରର ବଜାରରେ କେତେ ସାଜସଜ୍ଜାରେ କେତେ ଶିକ୍ଷିତପଣିଆର ପ୍ରଚାର କରାଯାଉଛି । ସେହି ପ୍ରଚାରର ଆଡ଼ମ୍ବରରେ ମେଣ୍ଢା ପରି ମିଶିଯିବାରେ କି ପୁରୁଷାର୍ଥ ରହିଛି ? ଯିଏ ପୁରୁଷାର୍ଥ କରିବା କଥା ଭାବିବ, ସିଏ ଧନ ନାହିଁ ବୋଲି ମନକୁ ଦରିଦ୍ର କରି ବସି ରହିବ ନାହିଁ । ଅନ୍ୟଠାରେ ପାଠ ପଢ଼ି ମଣିଷ ଅଧିକ ପାଠୁଆ ହେଉଛି । ଆମେ ମଣିଷ ହେବାର ପାଠ ଏଠି ପଢ଼ିବା । ଏଥିଲାଗି ଆପଣାକୁ ଭଲପାଇବାକୁ ହେବ । ଆପଣାର ଶକ୍ତି ଉପରେ ଅଟଳ ବିଶ୍ୱାସ ରଖିବାକୁ ହେବ । ଜ୍ଞାନକୁ ଉପାର୍ଜନର ପନ୍ଥାଭାବେ ନୁହେଁ, ବ୍ରତ ହିସାବରେ ଗ୍ରହଣ କରିବାକୁ ହେବ । ସର୍ବୋପରି ଭଗବାନ୍‍ଙ୍କୁ ଭଲପାଇବାକୁ ହେବ ।

 

୧ । ୮ । ୫୬

 

ସବୁଠାରେ ଆଜି ଦେଶ ଓ ଦେଶସେବାର ଧୂଆଁ ଉଠୁଛି । ଆମ ସରକାର ନାନା ଆଡ଼ମ୍ବରରେ ଦେଶର ସେବା କରୁଛନ୍ତି । ଆମ ଦେଶର କୋଟିପତିମାନେ ହଜାର ହଜାର ଟଙ୍କା ଦାନ କରି ବା ହଜାର ହଜାର ଟଙ୍କାର ସତ୍ର ବସାଇ ଦେଶ-ସେବାର ପଗଡ଼ି ପିନ୍ଧୁଛନ୍ତି । କିଏ ଦେଶ ସେବକର ଖାତାରେ ନାଁ ଲେଖାଇବା ଲାଗି ଖଦଡ଼ ପିନ୍ଧିବାର ଯୋଗାଡ଼ କରୁଛି । ଏଇ ଦେଶ-ସେବାର ଦ୍ୱାହି ଦେଇ କେତେ ଦୟାଳୁ ବଡ଼ଲୋକ କେତେ ହୋଟେଲର ଭୋଜି ବା ବିନୋଦନ ସଭା ବସାଉଛନ୍ତି । ଆପଣାର ଗାରିମା ପିଟିବାପାଇଁ ଦେଶସେବା ଯେପରି ଗୋଟାଏ ଭେକ ହୋଇଗଲାଣି । ତାହାରି ନାଁ ଧରି ଆମ ଦେଶର ଅନେକ ଲୋକ ଅନେକ ଫୂର୍ତ୍ତି କରୁଛନ୍ତି । ଅନେକ ବାହା ବାହା ପାଉଛନ୍ତି, ଅନେକ ବିଳାସ ଭିତରେ ବୁଡ଼ି ରହିଛନ୍ତି ।

 

କିନ୍ତୁ ଏତେ ଆଡ଼ମ୍ବରରେ ଯୋଉ ଦେଶର ସେବା ହେଉଛି, ସେ ଦେଶର ଅବସ୍ଥା ଆଜି କ’ଣ ହୋଇଛି ? ଏ ଦେଶରେ ଏ ପର୍ଯ୍ୟନ୍ତବି ଅନେକ ଘରେ ଚୁଲି ଜଳୁନାହିଁ । ଏ ଦେଶର ଅନେକ ମଣିଷ ଏବେବି ଆକାଶକୁ ଅନାଇ ହାହାକାର କରୁଛନ୍ତି । ବେଶି ବରଷିଲେ ସେମାନଙ୍କର ଭେଳା ବୁଡ଼ିଯାଉଛି । ଏଣେ ମୋଟେ ନ ବରଷିଲେ ସେମାନଙ୍କର ହାଲୁକ ଶୁଖିଯାଉଛି । ଏବେବି ଏ ଦେଶର ଅଧିକାଂଶ ପିଲା ପାଠ ପଢ଼ିବାର ବା ଖୁସିରେ ବଢ଼ିବାର ଅଧିକାର ପାଇନାହାନ୍ତି । ଅଥଚ ନାନାଭଳି ବିଭାଗରେ ନାନାଭଳି ସେବାର ଭେଳିକି ଲଗାହୋଇ ସରକାର ଓ ବଡ଼ଲୋକ ଉଭୟେ ମଟର ଧରି ସେବା କରିବାରେ ଲାଗି ପଡ଼ିଛନ୍ତି । ସଂସାରର ଯେ କୌଣସି କଥା ବା କାମର ଅପବ୍ୟବହାର କରାଯାଇପାରେ । ଆପଣାର ଅହଂକାର-ବୁଦ୍ଧିରେ ମଣିଷ ଅମୃତ ଭିତରେ ମଧ୍ୟ ପୋକ ପକାଇ ଦେଇପାରେ । ସେବା ଏ ଯୁଗରେ ସେହିପରି ଗୋଟାଏ ନିତ୍ୟ ଅପବ୍ୟବହୃତ ଶବ୍ଦରେ ପରିଣତ ହୋଇଗଲାଣି । ଆପଣା ଲାଗି ଭେକ ଓ ସୁଖର ଅନ୍ୱେଷଣ କରି ବୁଲୁଥିବା ମଣିଷ ଆଜି ସେବାକାର୍ଯ୍ୟ ଓ ସେବା-କ୍ଷେତ୍ରକୁ ଅତି ମାରାତ୍ମକ ଭାବରେ କଳୁଷିତ କରିଦେଇ ସାରିଲାଣି । ଦଶବର୍ଷ ତଳେ ସେବା ଓ ସେବା-କ୍ଷେତ୍ରର ଯେତିକି ମର୍ଯ୍ୟାଦା ଏ ଦେଶରେ ଥିଲା, ବର୍ତ୍ତମାନ ତାହା ନାହିଁ । ସେବକର ବେଶରେ ମଣିଷକୁ ଦେଖିଲେ ଆଗ ଲୋକ ସନ୍ଦେହ କରି ବସୁଛନ୍ତି ।

 

ଏବେ ଅଳ୍ପଦିନ ତଳେ ଉତ୍କଳମଣି ଗୋପବନ୍ଧୁଙ୍କର ଶ୍ରାଦ୍ଧଦିବସ ପଡ଼ିଥିଲା । ସେଦିନ ଅନେକ ସଭାସମିତି ହେଲା । ଓଡ଼ିଶାସାରା ଅନେକ ବକ୍ତୃତା ହେଲା । ବର୍ଷଯାକ ଶୋଇ ରହିଥିବା ଚାରଣ ହଠାତ ଚେଇଁଉଠି ସେଦିନ ଅନେକ ସ୍ତୁତି ଗାଇଲା । ଗୋପବନ୍ଧୁଙ୍କର ମରିବା ଅଠେଇଶବର୍ଷ ହୋଇଗଲାଣି । ତଥାପି ତାଙ୍କର ସେବକ-ମୂର୍ତ୍ତି ଏ ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ପ୍ରେରଣା ଦେଉଛି । ସେ ଯେଉଁ କ୍ଷେତ୍ରକୁ ଯାଇଛନ୍ତି, ତାଙ୍କର ନିର୍ମଳ ନିଷ୍ଠାର ସ୍ପର୍ଶ ବାଜି ସବୁ କ୍ଷେତ୍ର ଶୁଦ୍ଧ ହୋଇ ଯାଇଛି । ମଣିଷର ଦୁଃଖକୁ ଆପଣାର ଦୁଃଖପରି ଅନୁଭବ କରିଥିବା ତାଙ୍କ ପରି ବ୍ୟକ୍ତି ଜଗତରେ ଖୁବ୍ କମ୍ ଜନ୍ମଗ୍ରହଣ କରିଛନ୍ତି । ଆଜି ଆମେ ଆପଣାକୁ ସେହି ଗୋପବନ୍ଧୁଙ୍କର ଉତ୍ତରାଧିକାରୀ ବୋଲି ଭାବୁଛୁ । ତାଙ୍କୁ ଆପଣା ମୁଲକର ନେତା ବୋଲି କହି ଆମେ କେତେ ଗର୍ବ ଅନୁଭବ କରୁଛୁ । କିନ୍ତୁ ତାଙ୍କର ଜୀବନ ଆଉ ଆମ ଜୀବନ ଭିତରେ କେତେ ବ୍ୟବଧାନ ରହିଯାଇଛି । ଗୋପବନ୍ଧୁଙ୍କର ଜୀବନରେ ଜ୍ଞାନ, ଭକ୍ତି ଓ କର୍ମର ସମନ୍ୱୟ ହୋଇଥିଲା । ମଥା, ହୃଦୟ ଆଉ କର୍ମଶକ୍ତିର ସେଠି ତ୍ରିବେଣୀ-ସଂଗମ ହୋଇଥିଲା । ସେଥିଲାଗି ତାଙ୍କର ବୁଦ୍ଧିରେ କୌଣସି ପ୍ରକାର ଧୂର୍ତ୍ତତା ନଥିଲା, ତାଙ୍କର ଭଲପାଇବାରେ କୌଣସି ପ୍ରକାର ମୋହ ନଥିଲା, ତାଙ୍କର କର୍ମଚର୍ଯ୍ୟାରେ ଆଳସ୍ୟ ଲାଗି କୌଣସି ସ୍ଥାନ ନଥିଲା । ତାଙ୍କର ଜୀବନରେ କୌଣସି ପ୍ରକାର ଆଡ଼ମ୍ବରର କୌଣସି ଆଚ୍ଛାଦନ ନଥିଲା ।

 

ଆମେ ଦଳେ ଏଠି ଗୋଟିଏ ବିଦ୍ୟାଳୟରେ ଆସି ସମବେତ ହୋଇଚେ । ଆସନ୍ତା ସମାଜର କାରିଗରରୂପେ ଆମେ ଏଠି ପ୍ରସ୍ତୁତ ହେବାକୁ ଆସିଚେ । ସେଇଥିଲାଗି ନାନା ଚର୍ଚ୍ଚା ଓ ଆଲୋଚନାରେ ଏଠି ନିତି ଆମ ଜ୍ଞାନର ଘଷାମଜା ଚାଲିଛି । ନାନାପ୍ରକାରେ ଏକତ୍ର ହେବାର କ୍ଷେତ୍ର ଯୋଗାଇ ଦିଆହୋଇ ଆମ ଭଲପାଇବା ଗୁଣର ଘଷାମଜା ଚାଲିଛି । ନାନାପ୍ରକାର କର୍ମ ସାଧନାର ଜୀବନକ୍ରମରେ ଆମ ଜୀବନର ସବୁପ୍ରକାର ଆଳସ୍ୟକୁ ଦୂର କରି ଦେବାର ଆୟୋଜନ ଚାଲିଛି । ଆମର ଏ ଆୟୋଜନରେ ଆଡ଼ମ୍ବରର ଗନ୍ଧ ରହିଯାଉ ନାହିଁ ତ ? ଖାଲି ସଂସାରକୁ ଦେଖାଇଦେବାକୁ ଆମେ ଏ ପାଠୁଆ କସରତ୍ କରିବାର ମନ୍ଦ ବୁଦ୍ଧିରେ ପଡ଼ିନାହୁଁ ତ ? କାଲି ଆମେ ସଂସାରକୁ ଯିବା । ବିଦ୍ୟାଳୟର ଏ ଉପବନ ଛାଡ଼ି ଜଗତର ବୃହତ୍ତର ଅରଣ୍ୟରେ ଆମ କାରିଗରିର ପରୀକ୍ଷା ଦେବାକୁ ଯିବା । ସେ ସଂସାରରେ ନାନା ଦାରିଦ୍ର୍ୟ ମଣିଷର ମନ କାମୁଡ଼ି ଧରିଛି । ସେଠି ନିତ୍ୟ ମଣିଷ-ଜୀବନର ଅବଜ୍ଞା କରାଯାଉଛି । ଦଳେ ମଣିଷ ସେଠି ନିତି ଆହୁରି ଅନେକଙ୍କର ଦାନା ଛଡ଼ାଇ ବାହାଦୁର ହେବାର ଦୁଷ୍ପ୍ରବୃତ୍ତି କରିବାରେ ଲାଗିଛନ୍ତି । ନାନାପ୍ରକାର ହୀନ ପ୍ରତିଯୋଗିତାର ମୂଢ଼ତା ସେଠି ମଣିଷର ଆଖି ଓ ମନକୁ ବଡ଼ ଅପବିତ୍ର କରି ପକାଇଲାଣି । ଆମେ କି ସନ୍ତକ ନେଇ ସେ ସଂସାର ଭିତରକୁ ଯିବା ? ଆମଦ୍ୱାରା ଯଦି ସଂସାରରେ ଦାରିଦ୍ର୍ୟ ବଢ଼ିବ, ଶୋଷଣ ବଢ଼ିବ, ଆମେ ଯଦି ଉପଯୁକ୍ତ ଭେକ ପିନ୍ଧି ପ୍ରତିଯୋଗିତାର ମଣିଷମରା ଖୋଳ ଭିତରେ ମିଶିଯିବା, ତେବେ ଆମର ସମସ୍ତ ବିଦ୍ୟାର୍ଜନ ବୃଥା ହୋଇଯିବ । ଯାହା ପାଖରେ ଯଥାର୍ଥ ବିଦ୍ୟା ଅଛି, ସେ ସଂସାରରେ ସତ୍ୟ ଓ ନ୍ୟାୟର ପ୍ରତିଷ୍ଠା ଲାଗି ସହାୟକ ହେବ । ଯେଉଁ କ୍ଷେତ୍ରରେ ସେ ପ୍ରବେଶ କରିବ, ସେ କ୍ଷେତ୍ରକୁ ସେ ଶୁଦ୍ଧ କରିଦେବ । ନିଜର ବିନୟ ବଳରେ ସେ ସଂସାରର ସବୁ କ୍ରୋଧ ଓ ସବୁ ଘୃଣାର ସମ୍ମୁଖୀନ ହେବ ।

 

ଆମେ ଆଜି ସମସ୍ତେ ସେହି କଥା ଭାବିବା । ଆମର ଏ ଶିକ୍ଷା ଆମକୁ ସେବାଲାଗି ତିଆରି କରୁଛି ନା ଆମ ଜୀବନର ଆଡ଼ମ୍ବରକୁ ବୃଦ୍ଧି କରି ଚାଲିଛି । ବର୍ତ୍ତମାନର ଆମର ପ୍ରତ୍ୟେକଟି କଥା ଓ କାମରେ ଆମେ ଏହି ତରାଜୁ ଧରି ଆପଣାକୁ ଓଜନ କରିବା । ଆମର ଦେହ, ବୁଦ୍ଧି ଓ ହୃଦୟକୁ ଆମେ କିପରି ପ୍ରସ୍ତୁତ କରୁଛୁ ? ସଂସାରର ହାଟକୁ ଦେଖି ଅନେକ ସମୟରେ ଆମେ ନାନାପ୍ରକାର ଭୁଲ୍ ପ୍ରେରଣାର ବଶବର୍ତ୍ତୀ ହୋଇଯାଉଛୁ । ଆମ ଶରୀରକୁ ସଜାଇବାରେ, ବୁଦ୍ଧିକୁ ଦୁର୍ବୁଦ୍ଧିଦ୍ୱାରା ଗ୍ରାସ କରିବାରେ, ଆପଣାର ଭଲପାଇବାର ସଂସାରକୁ ଅଧିକରୁ ଅଧିକ ସଂକୀର୍ଣ୍ଣ କରିବାରେ ସେତେବେଳେ ଆମେ ଭାରି ତତ୍ପର ହୋଇପଡ଼ୁଛୁ । ଯିଏ ସଂସାର ପରି ଆପଣାକୁ ସଜାଡ଼ିବ, ସିଏ ସଂସାରକୁ ବଦଳାଇ ପାରିବ ନାହିଁ । ଯିଏ ବିଳାସ ଓ ଭୋଗ ଖୋଜି ବୁଲିବ, ସିଏ ସଂସାରର ଦୁଃଖ ଦୂର କରିପାରିବ ନାହିଁ ।

 

୨ । ୮ । ୫୬

 

କାଲି ସକାଳେ ପ୍ରାର୍ଥନା ଲାଗି ଘଣ୍ଟା ବାଜିଲା । ତା’ର ଦଶ ମିନିଟ ପୂର୍ବରୁ ଉଠିବା ଲାଗି ମଧ୍ୟ ଗୋଟିଏ ଘଣ୍ଟା ବାଜିଥିଲା । ତଥାପି ଆମ ଭିତରୁ ଅନେକେ ଉଠିପାରି ନଥିଲେ । ତା’ପରେ ପ୍ରାର୍ଥନା ଆରମ୍ଭ ଘଣ୍ଟା ପଡ଼ିଲା । ସେତିକିବେଳେ ଗୋଟିଏ ଗୋଟିଏ ମଶାରି ଭିତରେ ଜୀବନର ସଞ୍ଚାର ହେଲା । ଧୀରେ ଧୀରେ ଶୋଇଥିବା ଶରୀରର ନିଦ ଭାଙ୍ଗିଲା, ଆଉ ଆମେ ନିଦ ମଳମଳ ଆଖିରେ ଆସି ପ୍ରାର୍ଥନାରେ ଯୋଗ ଦେବାକୁ ବସିଲୁ । ପ୍ରାର୍ଥନାର ଗୋଷ୍ଠୀକୁ ଆମେ ଅପବିତ୍ର କରିଦେଲୁ । ଅଧା ନିଦ ଆଉ ଅଧା ଚେତାରେ ପ୍ରାର୍ଥନା ଲାଗି ଆମେ କ’ଣ ଦେଲୁ, ତାହା ମୁଁ ଜାଣେନା; କିନ୍ତୁ ଏହି ପ୍ରାର୍ଥନା-ସମାଜରୁ ଆମେ କିଛି ଗ୍ରହଣ କରିପାରିଲୁ ନାହିଁ ।

 

କିନ୍ତୁ ଆମର ଯେ ସମୟାନୁବର୍ତ୍ତିତାର ଜ୍ଞାନ ମୋଟେ ନାହିଁ, ସେ କଥା କହିଲେ ଭାରି ଭୁଲ୍ ହେବ । ଯୋଉ କାମ ଯେତେବେଳେ କରିବା କଥା, ତାକୁ ସେତିକିବେଳେ କରିବା ଓ ସେହି କାମର ବେଳ ଆସିବାମାତ୍ରେ ସେଥିଲାଗି ମନ ଓ ଶରୀରକୁ ପ୍ରସ୍ତୁତ କରିନେବାକୁ ସମୟାନୁବର୍ତ୍ତିତା କୁହାଯାଏ । ଆମେବି ବେଳେବେଳେ ଘଣ୍ଟାର କଣ୍ଟା ଦେଖି କାମ କରୁ । ସକାଳେ ଯେଉଁ ଦୁଇ ଘଣ୍ଟା ଆମେ କ୍ଷେତକୁ ବା ବଗିଚାକୁ କାମ କରିବାକୁ ଯାଉ ସେ ଦୁଇ ଘଣ୍ଟା ଆମକୁ ଦୁଇ ଯୁଗ ପରି ଲାଗେ-। ଅଧା ସମୟ ନ ଯାଉଣୁ ପୂରା ସମୟ ଚାଲି ଗଲାଣି ବୋଲି ମନେ ହୁଏ । ହାତ ବା ଆଖିଟା ସିନା କରୁଥିବା କାମ ଉପରେ ଥାଏ; କିନ୍ତୁ ଧ୍ୟାନଟା ଥାଏ ଘଣ୍ଟା ଉପରେ କେତେବେଳେ ଘଣ୍ଟା ବାଜିବ ଆଉ ଆମେ କାମରୁ ଉଠିବା । ଆମର ଗୋଟାଏ କାମ ବାକି ରହିଚି, ଆଉ ଦଶ ମିନିଟ ଅଧିକ ସମୟ ଦେଲେ ହୁଏତ ଆଜିକାର କାମ ପୂରା ହୋଇଯିବ, ତା’ଦ୍ୱାରା କ୍ଷେତ ବା ବଗିଚା ଲାଗି ଅନେକ ଉପକାର ହେବ–ଏତିକିବେଳେ ଯଦି ଦୁର୍ଯୋଗକୁ ଘଣ୍ଟା ବାଜିଲା, ତେବେ କଥା ସରିଗଲା-। ସେଠି ଆମକୁ ଦୁଇ ମିନିଟ ଅଧିକ ଅଟକାଇ ରଖିବାର ଜୋର୍ ଆଉ କାହାର ଅଛି-? କ୍ଷେତ ବା ଫସଲର ଆବଶ୍ୟକତା ବୁଝିବାକୁ ଆମର ଆଉ ଫୁରୁସତ୍ ହୁଏ ନାହିଁ । ଆମେ ସଙ୍ଗେ ସଙ୍ଗେ ସେଠୁ ପଳାଇ ଆସି ବଞ୍ଚୁ । ସକାଳର ଗୋଟାଏ ଆତଙ୍କ ଯାଏଁ । ଏହି ଆତଙ୍କ ପୁଣି ଆମକୁ ଏପରି ଖାଇ ଗୋଡ଼ାଏ ଯେ ଘଣ୍ଟା ବାଜିବାର ପାଞ୍ଚଦଶ ମିନିଟ ଆଗରୁ ମଧ୍ୟ କୌଣସି ଗୋଟାଏ କାରଣ ଦେଖାଇ ଖସିଆସି ପାରିଲେ ଆମେ ନିଜକୁ ଭାରି ଭାଗ୍ୟବାନ୍ ମନେ କରୁ–ମନେ ମନେ ଭାରି ଆନନ୍ଦ ପାଉ, ଘରମୁହାଁ ପିଲା ପାଠଶାଳାରୁ ଖସି ଆସି ପାରିଲେ ଯେମିତି ଆନନ୍ଦ ପାଏ ।

 

ଆମ କାମ ପ୍ରତି ଆମ ଶ୍ରଦ୍ଧାର ଯଥେଷ୍ଟ ଅଭାବ ରହିଛି । ସେଥିଲାଗି ପ୍ରାର୍ଥନାକୁ ଗଲାବେଳେ ଆମ ଆଖିରୁ ନିଦ ଛାଡ଼ି ପାରୁନାହିଁ–ଠିକ୍ ଯେତେବେଳେ ଯାଇ ନ ବସିଲେ ନ ଚଳେ, ସେହି ଶେଷ ମୁହୂର୍ତ୍ତ ଯାଏଁ ଆମେ ମଶାରି ଭିତରେ ପଡ଼ି ରହିବାକୁ ଅଧିକ ପସନ୍ଦ କରୁଛୁ । କ୍ଷେତର କାମ ଛାଡ଼ି ଦଶମିନିଟ ଆଗରୁ ଚାଲି ଆସିବାକୁ ଆମର ମନ ଛଟପଟ ହେଉଛି । ଖେତକୁ ଗଲାବେଳକୁ ଦଶ ମିନିଟ ଯଦି ବିଳମ୍ବ ହୋଇଯାଇପାରେ, ତେବେ ସେ ତ ଅତି ଖୁସିର କଥା । କିନ୍ତୁ କ୍ଷେତରୁ ଫେରିବାବେଳେ ମିନିଟ କଣ୍ଟା ଠିକ୍ ଜାଗାରେ ରହିଥିବା ଚାହିଁ । ଏ ଅଳସୁଆମି ଆମକୁ ଅନେକ ଶିଥିଳ କରି ଦେଲାଣି । ଖାଇବା ଘଣ୍ଟା ବାଜୁଛି, ଆମର ସଙ୍ଗେ ସଙ୍ଗେ ଯାଇ ଥାଳି ଧରି ଗୋଷ୍ଠୀରେ ବସିବା କଥା; କିନ୍ତୁ ଆମ ଭିତରୁ କିଏ ଗପ କରୁଛି, କିଏ ବିଛଣାରେ ଗଡ଼ପଡ଼ ହୋଇ ଥକା ମାରୁଛି । ପୁଣି କିଏ ବହି ଖଣ୍ଡେ ଧରି ପଢ଼ୁଛି । ଠିକ୍ ସମୟରେ ସଭିଙ୍କ ସହିତ ଯୋଗଦେବାଟା ଯେ ଆମ ସାମାଜିକତାର ଗୋଟାଏ ଅଙ୍ଗ, ସେ କଥା କେହି ଭାବିପାରୁ ନାହାନ୍ତି । ଏପରି ଟାଣିଓଟାରି ଜୀବନ ବଞ୍ଚିବାଦ୍ୱାରା ଜୀବନର ସବୁ ଆନନ୍ଦ ଆମେ ହରାଇ ବସିଛୁ । ଯୋଉଠି ଆନନ୍ଦ ଥାଏ, କେବଳ ସେଇଠିହିଁ ମଣିଷ ସ୍ୱାଧୀନ ଭାବରେ ତା’ର ଆପଣା ଶକ୍ତି-ଭଣ୍ଡାରର ବିନିଯୋଗ କରିପାରେ । ଆମ ଭିତରେ ବିପୁଳ ଶକ୍ତି ରହିଛି । କିନ୍ତୁ ଅଳସୁଆମିର ନାନା ସୁନା ଢାଙ୍କୁଣି ଦେଇ ଆମେ ସେ ଶକ୍ତିକୁ ଘୋଡ଼ାଇ ରଖିଛୁ । ସେ ଶକ୍ତିକୁ ଚିହ୍ନିବାକୁବି ଆମକୁ ଡର ଲାଗୁଛି-। ଆମର ଯୌବନ ଓ ଆମର ମଣିଷପଣିଆ ବୃଥା ଯାଉଛି ।

 

ଆମର ଏ ଦୁର୍ଭାଗ୍ୟ ଲାଗି ଆମ ସମାଜହିଁ ଆମଠାରୁ ଅଧିକ ଦାୟୀ । ରୋଗୀ ମାଆର ଲାଳନରେ ପିଲା ରୋଗୀ ହୋଇ ଗଲାପରି ଏ ରୋଗୀସମାଜର ଭିତରେ ରହି ଆମେ ମଧ୍ୟ ନାନାପ୍ରକାର ରୁଗ୍‌ଣ ମନୋଭାବର ଗୋଟିଏ ଗୋଟିଏ ଖଣି ହୋଇ ସାରିଲୁଣି । ଆମ ଦେଶର ପୁରୁଣା ଶାସ୍ତ୍ରରେ ଯେତେ ଭଲ କଥା ବା ବଡ଼ କଥା ଥାଉ ପଛକେ, ବର୍ତ୍ତମାନ ଆମ ସମାଜ ମନଠାରୁ ଶରୀରକୁହିଁ ଅଧିକ ମହତ୍ତ୍ୱ ଦେଉଛି; ଆତ୍ମାର ସମସ୍ତ ପ୍ରସଙ୍ଗ ଉଡ଼ିଗଲାଣି । ଆମ ସମାଜରେ ଶରୀର ଲାଗି ଯିଏ ଯେତେ ଭଲ ଖାଇପାରିଲା, ଶରୀରକୁ ଯିଏ ଯେତେ ଭଲ ପୋଷାକରେ ସଜାଇ ପାରିଲା, ଆମ ଶରୀରରୂପୀ ଅମୂଲ୍ୟ ଧନକୁ ଯିଏ ଯେତେ କମ୍ କାମରେ ଖଟାଇ ପାରିଲା, ତାହାରି ବଡ଼ତି ଆମ ସମାଜରେ ହେଉଛି । ଆମ ସମାଜ ତାହାକୁହିଁ ସଫଳ ବା ସାବାସ୍ ବୋଲି କହୁଛି । ନାନାପ୍ରକାର ଆଳ ଓ ଆଡ଼ମ୍ବରରେ ଆମ ସମାଜରେ ଆଜି ସେଇ ଅଳସୁଆ ହେବାର ଜୟ ଜୟକାର ହେଉଛି । ଆମର ପଇସା, ଆମର ପାଠ ଓ ଆମର ବୁଦ୍ଧି ଯଦି ଆମକୁ ଅଧିକରୁ ଅଧିକ ଅଳସୁଆ ହେବାରେ ସାହାଯ୍ୟ କରି ନ ପାରିଲେ, ତେବେ ସେ ପଇସା, ପାଠ ଓ ବୁଦ୍ଧିର କୌଣସି ମୂଲ୍ୟ ରହୁନାହିଁ । ସେଥିଲାଗି ପ୍ରତ୍ୟେକ କାମକୁ ଆମେ ଆନନ୍ଦର ଖାଦ୍ୟ ବୋଲି ନୁହେଁ, ଖାଲି ଖଟଣି ବୋଲିହିଁ ମନେ କରୁଛୁ ।

 

ଏ ଦୁର୍ଭାଗ୍ୟରୁ ବଞ୍ଚିବାକୁ ହେଲେ ଆମର ଏ ସମାଜକୁ ବଦଳାଇବାକୁ ହେବ । କିନ୍ତୁ ଖାଲି ପାଟି କଲେ ବା ବକ୍ତୃତା ଦେଲେ ସମାଜ ବଦଳିବ ନାହିଁ । ଖାଲିଗୁଡ଼ାଏ ପାଠ ପଢ଼ିଲେ ମଧ୍ୟ ସମାଜର ରୋଗ ହଟିଯିବ ନାହିଁ । ଆମର ଜୀବନ ଓ ଆମର ଦିନମାନର ଆଚରଣରୁହିଁ ଏ ପୁରୁଣା ସମାଜକୁ ହଟାଇ ଦେବାକୁ ହେବ । ସବୁ ପ୍ରକାର ଅଳସୁଆମିକୁ ବାହାର କରିଦେବାକୁ ହେବ । ଆମର ଶରୀର ଉପରେ ଆମର ମନ ଓ ଆତ୍ମାକୁ ଚିହ୍ନି ନେବାକୁ ପଡ଼ିବ । ଆମ ଆପଣାର ଶକ୍ତିକୁ ଖୁସି ହୋଇ କାମରେ ଲଗାଇବାକୁ ପଡ଼ିବ । ଯେତେବେଳେ ଯୋଉ କାର୍ଯ୍ୟରେ ଡାକରା ଆସିବ, ସେତେବେଳେ ସେଇ ମୁହୂର୍ତ୍ତରେ ଆମେ ସେଇ କାର୍ଯ୍ୟଲାଗି ପ୍ରସ୍ତୁତ ହୋଇଯିବା । ଉଠିବାର କୁଣ୍ଠା ଶୁଣିଲେ ଆମେ ସଙ୍ଗେ ସଙ୍ଗେ ଉଠିପଡ଼ିବା । ପ୍ରାର୍ଥନାର ବେଳ ଜାଣି ଆମେ ଅତି ନୀରବ ପ୍ରସନ୍ନ ମନୋମୁଦ୍ରାରେ ସେଥିଲାଗି ତିଆରି ହୋଇଯିବା । ଖେତ ବା ବଗିଚାରେ ଆମର ସେବା ଦରକାର ହେଲେ ସଙ୍ଗେ ସଙ୍ଗେ ଆମେ ସେଥିଲାଗି ବାହାରି ପଡ଼ିବା । ଠିକ୍ ସେମିତି ରାତିରେ ଶୋଇବାର ସମୟ ଆସିଲେ ଦଣ୍ଡକ ଭିତରେ ଆମେ ଶାନ୍ତ ହୋଇ ଶୋଇଯାଇ ପାରିବା-। ଆମ ଶରୀରର ଆଳସ୍ୟ କେତେବେଳେ ହେଲେ ଆମକୁ ଅଟକାଇ ରଖିପାରିବ ନାହିଁ । ଆମ ଭିତରେ ଥିବା ଶକ୍ତିକୁ ଆମେ ଖୁସି ହୋଇ କାମରେ ଲଗାଇବା । ଆମର ଜ୍ଞାନ ଆମକୁ ଏଇ ଶକ୍ତିକୁ ଚିହ୍ନିବାରେ ସହାୟକ ହେବ । ତେବେ ଆଉ ଶୋଇ ରହିବାର ବା ଅଳସୁଆ ହୋଇ ସଂସାରକୁ ଠକିବାର ଭ୍ରମରେ ଆମେ ଆଦୌ ପଡ଼ିବା ନାହିଁ ।

 

୩ । ୮ । ୫୬

 

ଆଠଦିନ ତଳେ ପଣ୍ଡିତ ଗୋଦାବରୀଶ ମିଶ୍ର ଇହଧାମ ତ୍ୟାଗକଲେ । ତାଙ୍କ ବୟସ ସତୁରିରୁ ବଳି ଯାଇଥିଲା । ଗତ କେତେ ମାସ ଧରି ସେ ଡାକ୍ତରଖାନାରେ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କର ମୃତ୍ୟୁରେ ଓଡ଼ିଶାର ଚାରିଆଡ଼େ ଶୋକର ଛାୟା ବ୍ୟାପିଗଲା । ଓଡ଼ିଶାର ଯାବତୀୟ କ୍ଷେତ୍ରରେ ସେ ନିଜକୁ ପରିଚିତ କରାଇପାରିଥିଲେ । ମାଇନର ସ୍କୁଲର ପିଲାଙ୍କ ଠାରୁ ଆସେମ୍ଳି ମହଲର ନେତା, ଅଣନେତାମାନଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଚିହ୍ନିଥିଲେ । ଚାରିଆଡ଼େ ତାଙ୍କ ଲାଗି ଶୋକସଭା କରାଗଲା । ତାଙ୍କର ପକ୍ଷବାଦୀ ଓ ତାଙ୍କର ବିପକ୍ଷବାଦୀ ଉଭୟେ ତାଙ୍କର କୃତିମାନ ମନେପକାଇ ତାଙ୍କ ମୃତ୍ୟୁରେ ଦୁଃଖିତ ହେଲେ । କେହି ତାଙ୍କର କବି-ଜୀବନର ପ୍ରଶଂସା କଲେ । କେହି ତାଙ୍କର ଇଂରାଜୀଭାଷାରେ ବକ୍ତୃତା ଦେବାର ଶକ୍ତି ବିଷୟରେ ବକ୍ତୃତା ଦେଲେ । କେହି ତାଙ୍କୁ ସତ୍ୟବାଦୀ ବକୁଳବନର ପଞ୍ଚସଖା ଭିତରୁ ଜଣେ ବୋଲି କହିଲେ; ପୁଣି ଆଉ କେହି ତାଙ୍କୁ ଶିକ୍ଷାବିତ୍ ହିସାବରେ ବର୍ଣ୍ଣନା କଲେ । ପୁଣି ସମସ୍ତେ ନିର୍ବିବାଦରେ ସ୍ୱୀକାର କଲେ ଯେ ତାଙ୍କର ମୃତ୍ୟୁରେ ଓଡ଼ିଶାର ରାଜନୈତିକ ଆକାଶରୁ ଗୋଟିଏ ଉଜ୍ଜ୍ୱଳ ତାରକା ଖସି ପଡ଼ିଲା ।

 

କୌଣସି ଜଣେ ପ୍ରଧାନ ବ୍ୟକ୍ତି ମରିଯିବା ପରେ ତାଙ୍କର ଗୁଣରାଶି ବଖାଣିବା ଅତି ସ୍ୱାଭାବିକ କଥା । ପଣ୍ଡିତ ଗୋଦାବରୀଶ ବଞ୍ଚିଥିବାବେଳେ ଆମେ ଆମର ଜାତୀୟଜୀବନରେ ତାଙ୍କୁ ହୁଏତ ଏତେ ମହତ୍ତ୍ୱ ଦେଉ ନଥିଲେ । କିନ୍ତୁ ପରଲୋକଗତ ଆତ୍ମା ପ୍ରତି ସମୁଚିତ ସମ୍ମାନ ଦେଖାଇବା ପ୍ରତ୍ୟେକ ବିବେକୀ ସମାଜର କର୍ତ୍ତବ୍ୟ । ପଣ୍ଡିତ ଗୋଦାବରୀଶ ତାଙ୍କ ଜୀବଦ୍ଦଶାରେ ଯେତିକି ସେବା କରିଛନ୍ତି, ସେଥିଲାଗି ସେ ନିଶ୍ଚୟ ସମସ୍ତଙ୍କର ନମସ୍ୟ ଓ ସ୍ମରଣୀୟ ହୋଇ ରହିଥିବେ । ଅନେକ କ୍ଷେତ୍ରରେ ଅନେକ ଦିନଯାଏଁ ନିଶ୍ଚୟ ତାଙ୍କର ଅଭାବ ଅନୁଭୂତ ହେବ । ସ୍ୱର୍ଗତ ଗୁରୁଜନଙ୍କ ପ୍ରତି ସମସ୍ତ ଶ୍ରଦ୍ଧା ଓ ଭକ୍ତି ନିବେଦନ କରିସାରିବା ପରେ, ତଥାପି କେତେଟା କଥା ନିଶ୍ଚୟ ଆମ-ମନରେ ଉଠିବ । ଗତ କେତେ ବର୍ଷରେ ଓଡ଼ିଶାରେ ଘଟି ଯାଇଥିବା ଘଟନାବଳିକୁ ଯିଏ ଅନୁଧ୍ୟାନ କରିଥିବ, ପଣ୍ଡିତ ଗୋଦାବରୀଶଙ୍କୁ ନେଇ ନିଶ୍ଚୟ ତା’ ମନରେ ଗୋଟାଏ ପ୍ରତିକ୍ରିୟା ଜନ୍ମିବ ।

 

ପଣ୍ଡିତ ଗୋଦାବରୀଶ ଯେତେବେଳେ ପାଠ ପଢ଼ିସାରିଲେ, ସେତେବେଳେ ଓଡ଼ିଶାରେ ଏତେ ବେଶି ସଂଖ୍ୟାରେ ଉଚ୍ଚଶିକ୍ଷିତ ନଥିଲେ । ତାଙ୍କ ବାଣପୁର ଅଞ୍ଚଳରେ ତାଙ୍କ ପୂର୍ବରୁ କେହି କଲେଜ ଯାଏଁ ଯାଇ ନଥିଲେ । ଏଡ଼େବଡ଼ ଜଣେ ପ୍ରବୀଣ ଡିଗ୍ରୀଧାରୀଙ୍କ ଲାଗି ସେତେବେଳେ ଅନେକ ଉଚ୍ଚ ଉଚ୍ଚ ଚାକିରି ଯଚା ହୋଇଥାନ୍ତା । ସେ କିନ୍ତୁ ଲୋଭରେ ପଡ଼ିଲେ ନାହିଁ–ଏକ ବୃହତ୍ତର ଆବିଷ୍କାରର ନାବିକ ହୋଇ ଦେଶର ସେବାକ୍ଷେତ୍ରରେ ସାମିଲ ହେଲେ । ଉତ୍କଳମଣିଙ୍କର ଜୀବନାଦର୍ଶ ତାଙ୍କୁ ଅନୁପ୍ରାଣିତ କରିଆଣିଲା । ଉତ୍କଳମଣି ବଞ୍ଚିଥିଲା ପର୍ଯ୍ୟନ୍ତ ଗୋଦାବରୀଶ ତାଙ୍କର ସହକର୍ମୀ ହୋଇ ରହିଲେ । ତାଙ୍କଠାରେ ନିଷ୍ଠାର ଅନ୍ତ ନଥିଲା; ସେବାକାଂକ୍ଷା ଓ ଶକ୍ତିର ଅଭାବ ନଥିଲା; ଯେଉଁ କ୍ଷେତ୍ରକୁ ସେ ଗଲେ, ସେ କ୍ଷେତ୍ରରେ ନେତୃତ୍ୱ ଦେବାର ଯୋଗ୍ୟତା ତାଙ୍କର ଥିଲା । କିନ୍ତୁ ସେ ଚାଲିଯିବା ପରେ ଆଜି ମୁଁ ଭାବୁଚି, ଗୋଦାବରୀଶଙ୍କର ସେବା ବା କୃତି ପରିପୂର୍ଣ୍ଣ ହୋଇପାରିଲା ନାହିଁ । ସେ ନାନା କ୍ଷେତ୍ରରେ ହାତ ଦେଲେ, ନାନା କ୍ଷେତ୍ରରେ ଆପଣାର ତୁଣ୍ଡ ଶୁଣାଇଲେ । ତେଣୁ କୌଣସି ଗୋଟିଏ କ୍ଷେତ୍ରରେ ମଧ୍ୟ ସେ ସାର୍ଥକ-ଭାବରେ ଆପଣାର ପରାକ୍ରମ ଦେଖାଇ ପାରିଲେ ନାହିଁ । କୌଣସି ଗୋଟିଏ କ୍ଷେତ୍ରରେ ମଧ୍ୟ ଆପଣାର ପ୍ରତିଭା ଅନୁରୂପ ପରିଚୟ ସେ ଦେଇପାରିଲେ ନାହିଁ । ଆପଣାର ସ୍ୱତନ୍ତ୍ର କ୍ଷେତ୍ର ବାଛିବା ପୂର୍ବରୁ ସେ କ୍ଷେତ୍ରରୁ କ୍ଷେତ୍ରାନ୍ତର ହେବାର ମୋହରେ ପଡ଼ିଗଲେ । ସେଥିଲାଗି ତାଙ୍କ ଶକ୍ତିର ପରିପୂର୍ଣ୍ଣ ପ୍ରକାଶ ହୋଇ ପାରିଲା ନାହିଁ । ଦେଶ ତାଙ୍କର ପରିପୂର୍ଣ୍ଣ ସେବା ପାଇପାରିଲା ନାହିଁ । ତାଙ୍କର ପାଣ୍ଡିତ୍ୟ ଥିଲା, ପ୍ରତିଭା ଥିଲା ଅଥଚ ସ୍ଥିର ହୋଇ ଆପଣାର କ୍ଷେତ୍ରରେ ସ୍ଥିର ରହି, ଆପଣାର ଯୋଗ୍ୟ ନିବେଦନ କରିବାର ଧୈର୍ଯ୍ୟ ନ ଥିବାରୁ ଅତି ଅସମ୍ପୂର୍ଣ୍ଣ ଭାବରେ ତାଙ୍କର ଜୀବନ ଇତି ହୋଇଗଲା । ପ୍ରଥମେ ସେ ସତ୍ୟବାଦୀ ବିଦ୍ୟାପୀଠର ଶିକ୍ଷାପ୍ରୟୋଗରେ ଜଣେ କର୍ମୀ ହିସାବରେ ଯୋଗ ଦେଇଥିଲେ । ସେଥିରେ ଯଦି ସେ ସ୍ଥାୟୀଭାବରେ ତିଷ୍ଠିପାରିଥାନ୍ତେ, ତେବେ ଆଜି ହୁଏତ ସତ୍ୟବାଦୀର ସାଧନାପୀଠହିଁ ସାରା ଓଡ଼ିଶାକୁ ବାଟ ଦେଖାଉଥାଆନ୍ତା; ସତ୍ୟବାଦୀହିଁ ସାରା ଓଡ଼ିଶାର ପୁଣ୍ୟ ସଂସ୍କୃତିମଣ୍ଡପ ହୋଇ ରହିଥାନ୍ତା । ସାରା ଓଡ଼ିଶାରୁ ଦାରିଦ୍ର୍ୟ ଓ ଅଜ୍ଞତା ଦୂର କରିବା ଲାଗି ସତ୍ୟବାଦୀ ହୁଏତ ଆଜି ମଧ୍ୟ ବ୍ରତୀଦଳ ତିଆରି କରୁଥାଆନ୍ତା । କିନ୍ତୁ ସେ ସୌଭାଗ୍ୟ ଓଡ଼ିଶାର ହେଲା ନାହିଁ ।

 

ଓଡ଼ିଶାର ସାହିତ୍ୟ-କ୍ଷେତ୍ରରେ ଗୋଦାବରୀଶଙ୍କ ଦାନ କିଛି କମ୍ ନୁହେଁ; କିନ୍ତୁ ନାନାପ୍ରକାର ଅନ୍ୟ ଅନୁରକ୍ତିରେ ବିଭକ୍ତ ହୋଇପଡ଼ି ତାଙ୍କର ସାହିତ୍ୟ ସାଧନାକୁ ମଧ୍ୟ ସେ ଯଥେଷ୍ଟ ଅନୁରକ୍ତି ଦେଇପାରିଲେ ନାହିଁ । ତାଙ୍କର ଲେଖନୀ ଆହୁରି ସମୃଦ୍ଧ ହୋଇଥାନ୍ତା, ଯଦି ସେ ସାହିତ୍ୟ କ୍ଷେତ୍ରରେ ଅଧିକ ମନୋନିବେଶ କରିପାରିଥା’ନ୍ତେ । ରାଜନୀତି କ୍ଷେତ୍ରରେ ମଧ୍ୟ ଗୋଦାବରୀଶଙ୍କୁ ସେହି ଦଶା ପଡ଼ିଲା । ସ୍ଥାନ ବଦଳାଇବାରେହିଁ ତାଙ୍କ ରାଜନୈତିକ ଜୀବନର ଅଧିକ ଶକ୍ତି ସରିଲା । ଶେଷ ପର୍ଯ୍ୟନ୍ତ ମଧ୍ୟ ସେ କେଉଁ ରାଜନୈତିକ ଆଦର୍ଶରେ ବିଶ୍ୱାସ କରୁଥିଲେ ବା ଦେଶ ଓ ଜାତିକୁ ନେଇ ସେ କି ଚିତ୍ରର କଳ୍ପନା କରୁଥିଲେ, ସେତିକି କେହି ଜାଣିପାରିଲେ ନାହିଁ । ଆପଣା ଆସ୍ଥାନରେ ସତତ ପରିବର୍ତ୍ତନର ବ୍ୟସ୍ତତା ଭିତରେ ଆପଣାର ପାଦକୁ ସ୍ଥିର କରୁ କରୁ ସେ ଏପରି ଏକ ଚିତ୍ରର କଳ୍ପନା କରିବାକୁ କେତେଦୂର ଅବକାଶ ପାଇଥିବେ, ସେଥିରେ ସନ୍ଦେହ କରିବାର ଯଥେଷ୍ଟ କାରଣ ରହିଛି ।

 

ତେଇଶବର୍ଷ ତଳେ ଖଣ୍ଡେ ବହିର ମୁଖବନ୍ଧରେ ପଣ୍ଡିତ ଗୋଦାବରୀଶ ଲେଖିଥିଲେ–“ମୋର ମନେହୁଏ, ନିମ୍ନ କ୍ଷେତ୍ରରେ ରହି ସେବା କରିବା ନିମନ୍ତେ ବିଧାତା ମୋତେ ଶକ୍ତି ଦେଇଥିଲା । ସେ ଶକ୍ତି ଧରି ଉପରେ ଉଡ଼ିବାକୁ ବସିବା ମୋ ପକ୍ଷରେ ଭୁଲ୍ ହୋଇଛି ।” ଗତ ତେଇଶବର୍ଷ ଭିତରେ ଗାଦାବରୀଶ କିଛି କମ୍ ଉପରେ ଉଡ଼ିନାହାନ୍ତି । ତଥାପି ଯେତେ ଯୁଆଡ଼େ ଉଡ଼ି ଯେତେ ବାହା ବାହା ପାଇଲେ ମଧ୍ୟ ହୁଏତ ଆପଣା କ୍ଷେତ୍ରରୁ ଉଡ଼ି ଆସିବାର ଅସନ୍ତୋଷ ସବୁବେଳେ ତାଙ୍କୁ ଖାଇ ଗୋଡ଼ାଇଥିବ । ଯିଏ ଆପଣାର ସ୍ୱତନ୍ତ୍ର କ୍ଷେତ୍ର ଜୀବନରେ ପାଏ ଓ ସେଇଠି ରହିବାର ଧୈର୍ଯ୍ୟ ଅର୍ଜନକରେ, ସଂସାରରେ ସେଇ ମଣିଷର ଜୀବନ ଧନ୍ୟ ହୁଏ, ସେଇ ଜୀବନ ବଞ୍ଚିବାର ଯଥାର୍ଥ ଆନନ୍ଦ ପାଏ । ଯିଏ ନାନା କ୍ଷେତ୍ରରେ କୁଦାମାରିବାର ଲୋଭରେ ପଡ଼େ, ସେ ଆପଣାକୁ ହରାଇ ବସେ । ଆପଣାର ପ୍ରିୟ କ୍ଷେତ୍ର–ସେ ଯେତେ ନିମ୍ନ ହେଉ ପଛକେ,–ଛାଡ଼ି ପଣ୍ଡିତ ଗୋଦାବରୀଶ ଉପରେ ଉଡ଼ିଲେ, ତାହାହିଁ ଓଡ଼ିଶାର ବଡ଼ ଦୁର୍ଭାଗ୍ୟ ।

 

୬ । ୮ । ୫୬

 

ଦେଶଲାଗି ଆଜି ଅନେକେ ଅନେକ ପ୍ରକାରର କଲ୍ୟାଣ କାମନା କରୁଛନ୍ତି । ଏ ଦେଶରେ ବଡ଼ବଡ଼ କୋଠା ହେବ, ଏ ଦେଶରେ ନଈ-ନାଳ ବନ୍ଧାହୋଇ ଘରେ ଘରେ ବିଜୁଳିବତି ଜଳିବ, ରେଡ଼ିଓ ଲାଗିବ, ଏତେ ବର୍ଷ ଭିତରେ ଏତେଟା କାରଖାନା ବା ଏତେଟା କଳ ବସିବ–ଏସବୁ ଖବର ତ ନିତି ଆମେ କାଗଜରେ ପଢ଼ିବାକୁ ପାଉଛୁ । ସେଥିଲାଗି ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କା ଖରଚ ହେଉଛି । କେତେ ପାଠୁଆ ହାକିମ ରଖାଯାଉଛନ୍ତି । ଆମର ଆଖି ଆଗରେ ସୁଖ ଓ ସମୃଦ୍ଧିର ଆଦର୍ଶ ହୋଇ ଆମେରିକା ରହିଛି, ରୁଷିଆ ରହିଛି । ଦେଶର କଲ୍ୟାଣ-କଳ୍ପନା ବଦଳିବା ସହିତ ବ୍ୟକ୍ତିଗତ କଲ୍ୟାଣର କଳ୍ପନାମାନ ମଧ୍ୟ ବଦଳୁଛି । ଆମର ଚାହିଦା ଅନୁସାରେ ବଜାରରେ ଆବଶ୍ୟକ ଓ ଅନାବଶ୍ୟକ ନାନା ସାମଗ୍ରୀ ଭର୍ତ୍ତି ହୋଇ ଗଲାଣି । ଲୋକଙ୍କ ଅଭାବ ଦିନୁଦିନ ବଢ଼ିଚାଲିଛି । ଆଜି ଭଲ କମିଜର ଅଭାବ ହେଉଛି ତ କାଲି ଭଲ ଶାଢ଼ିର ଅଭାବ ହେଉଛି-। ଆଉ ଟିକିଏ ଉପର ସ୍ତରକୁ ଉଠିଗଲେ କେଉଁଠି ଜୋତା, ମୋଜା ବା ମଟର ଗାଡ଼ିର ଅଭାବ ରହିଛି । ଅଭାବ ମେଣ୍ଟାଇବାର ନାନା ଫନ୍ଦି ଓ ଫିକର ଏ ଦେଶରେ ଚବିଶଘଣ୍ଟା ଚାଲିଥିଲେ ମଧ୍ୟ ଅଭାବବୋଧର ଏକ ଅପ୍ରତିହତ ଅଜଟ ଆମକୁ ନିତି ବ୍ୟସ୍ତକରି ଲାଗିରହିଛି । ଦେଶର ଏ ହାଉଆ ଆମର ଏ ଜଙ୍ଗଲ ଭିତରେ ମଧ୍ୟ ଛୁଇଁ ଯାଉଛି । ଆମର ନାନା ଅଭାବର କଳ୍ପନାରେ ଆମେବି ବେଳେବେଳେ ହନ୍ତସନ୍ତ ହୋଇପଡ଼ୁଛୁ । କୋଉ ବଜାରରେ ବା କୋଉ ସଭାରେ ଆମେ କାହାର ଗୋଟାଏ ନୂଆ ପ୍ରକାରର କମିଜ ଦେଖି ଆସିଲୁ ତ, ଆମର ମନ ହେଉଛି, ଆମେବି ସେମିତି ଖଣ୍ଡିଏ କମିଜ କରି ଆନନ୍ଦ ଟିକିଏ ପାଇବା । କାହା ଗୋଡ଼ରେ ନୂଆ ଜୋତା ହଳେ ଦେଖି ଆସି ଆମେ ଭାବୁଛୁ, ଆମ ଗୋଡ଼ତଳେ ସେଥିରୁ ପଟେ ପଟେ ଚିକ୍କଣ ଚମଡ଼ା ରହନ୍ତା କି ! ତଳେ ତିନି ପରସ୍ତ ଆଉ ଉପରେ ତିନି ପରସ୍ତ ପୋଷାକ ପିନ୍ଧିବାର ନିଶା ଆମକୁ ବେଳେବେଳେ ବେଶ୍ ଗରମ କରି ରଖୁଛି । ଏଇଠି, ଏ ସଭ୍ୟତାରୁ ଅନେକ ଦୂରରେ ଥିବା ଜଙ୍ଗଲରେ ମଧ୍ୟ ଆମେ ଫେସନର ପ୍ରତିଯୋଗିତା ବେଶ୍ ଜମାଇ ରଖୁଥାଇ ।

 

ତୁମ୍ଭମାନଙ୍କୁ ମୁଁ ଈର୍ଷା କରିବାକୁ ଯାଉନାହିଁ । ତୁମେମାନେ ଭଲ ପିନ୍ଧିବାକୁ ଚାହୁଁଚ ବୋଲି ତୁମ ସହିତ ବିବାଦ ଲଗାଇବା ମୋର ଇଚ୍ଛା ନୁହେଁ । ମୁଁ ବି ପିଲାଦିନେ କମ୍ ଫେସନ ହୋଇନାହିଁ । ସବୁରି ଜୀବନରେ ଏମିତି ଗୋଟାଏ ସମୟ ଆସେ; ସବୁଠି ଅଶିକ୍ଷା ବା କୁଶିକ୍ଷା ଏମିତି ବାଉଳା କରେ । ଶିକ୍ଷାର ଅଭାବ ହେଉଛି କୁଶିକ୍ଷା ବା ଅଶିକ୍ଷା । ଜୀବନର ଶିକ୍ଷା ଯେତିକି ଯେତିକି ମହତ୍ତ୍ୱ ସଂଗ୍ରହ କରେ, ଯେତିକି ଯେତିକି ସେ ସବୁପ୍ରକାର ଅନୁକରଣ ଲାଳସାକୁ ଦୂର କରି ଆପଣା ବାଟ ଆପେ ଗଢ଼ିବାର ସମ୍ମାନ ଓ ବିଶ୍ୱାସ ମଣିଷକୁ ଦିଏ, ସେତିକି କୁଶିକ୍ଷାର ଭ୍ରମ ତୁଟିଯାଏଁ । ଆପଣା ବାଟ ଆପେ କାଢ଼ି ସେଇଥିରେ ଚାଲିବାର ସମ୍ମାନ ଓ ସାହସ ଯାହାର ଆସିନାହିଁ, ପନ୍ଦର ଜଣଙ୍କର ହୀନ ଅନୁକରଣ କରି ଯିଏ ଅତି ଦୁର୍ବଳ ଆଉ ବିକଳ ହୋଇ ପଡ଼ିଛି, ସେଇ ହୁଏତ ଆପଣାକୁ ନାନାଭାବେ ସଜାଇବାର ଲୋଭରେ ଜର୍ଜର ହୋଇ ପଡ଼ିଛି । ଜୀବନର ବିକାଶ ସୂତ୍ରଟି ମିଳିଗଲାକ୍ଷଣି ଏ ମୋହ ତୁଟିଯିବ । ସାପ ତା’ର କାତି ଛାଡ଼ିଦେଲାପରି ଆମେବି ଦିନେ ଆମର ସମସ୍ତ ଅନୁକରଣର ତୁଚ୍ଛ ଆଡ଼ମ୍ବର ଛାଡ଼ି ନିର୍ମଳ ଓ ନିର୍ଭୀକ ହୋଇ ବାହାରି ଆସିବା-। ଆମରବି ଦିନେ ରାତି ପାହିବ । ସୁଶିକ୍ଷା ମଣିଷକୁ ସରଳ କରେ, ବିନୀତ କରେ, ନିର୍ଭୀକ ଓ ଅନାଭରଣ କରେ । ଯାହାର ଜୀବନକୁ ସରଳ କରି ଯିଏ ଯେତିକି ଖୁସି ହୋଇପାରିଛି, ତା’ ଜୀବନରେ ଶିକ୍ଷା ସେତିକି ଭେଦିଛି ବୋଲି ବୁଝିବାକୁ ହେବ ।

 

ମୌଳିକ ବିଦ୍ୟାଳୟର ପିଲାମାନଙ୍କୁ ସୂତା କାଟି ମୋଟା ଲୁଗା ପିନ୍ଧିବାକୁ ପଡ଼େ । ଦୁର୍ଭାଗ୍ୟବଶତଃ ସେହିପରି ଗୋଟାଏ ରିଓ୍ୟାଜ ରହି ଆସୁଥିବାରୁ ହୁଏତ ଆମେ ଏଠି ସୂତା କାଟିବାକୁ ବା ମୋଟା ଖଦଡ଼ ପିନ୍ଧିବାକୁ ବାଧ୍ୟ ହେଉଛୁ; ହୁଏତ ଆମର ମନଖୁସିରେ ଏହାକୁ ଏକ ବ୍ରତରୂପେ ଗ୍ରହଣ କରିନାହୁଁ । ସୂତାକାଟି ଖଦଡ଼ ପିନ୍ଧିବାଦ୍ୱାରା ତୁମମାନଙ୍କର କ’ଣ ଉପକାର ବା ଅପକାର ହୁଏ ସେ କଥା ମୁଁ ଜାଣେ ନାହିଁ । ଏହା ମଣିଷକୁ ସରଳ ଜୀବନଯାପନ କରି ଶିଖାଏ । ମୋ ମତରେ ଏହାହିଁ ସୂତା କାଟିବାର ଓ ଖଦଡ଼ ପିନ୍ଧିବାର ସବୁଠାରୁ ବଡ଼ କଥା । ଖାଲି ଏ ଦେଶରେ ନୁହେଁ, ଏ ପୃଥିବୀରେ ଅଧିକରୁ ଅଧିକ ଲୋକଙ୍କର ଲୁଗା ଅଭାବରୁ ଲାଜ ଲୁଚିପାରୁ ନାହିଁ । ଏହି ପୃଥିବୀର ମଣିଷ ହିସାବରେ ସେମାନଙ୍କୁ ଲଙ୍ଗଳା କରି ରଖିଥିବା ଅର୍ଥନୀତି ଓ ସାମାଜିକ ବ୍ୟବସ୍ଥାର ପ୍ରତିବାଦ କରି ମୁଁ ସୂତା କାଟିବି ଓ ଖଦଡ଼ ପିନ୍ଧିବି । ଭୋଗ କରିବା ଓ ଫେସନ କରିବା ଅପେକ୍ଷା ମଣିଷପଣିଆ ମୋର ବେଶି ଦରକାର । ସାରା ପୃଥିବୀ ଲାଗି ମଧ୍ୟ ମଣିଷପଣିଆ ବେଶି ଦରକାର । ସେଥିଲାଗି ମୁଁ ଜୀବନକୁ ସରଳ କରିବି, ମୋର ବେଶଭୂଷାକୁ ସରଳ କରିବି, ମୋର ରୁଚିକୁ ସରଳ କରିବି । ଏ ପୋଷାକ, ଏ ଅଳଙ୍କାର ଓ ଏ ଆଡ଼ମ୍ବର କେବଳ ମୋର ଶାରୀରିକ ଜୀବନର ପରିଚର୍ଯ୍ୟା ମାତ୍ର । ଶରୀର ମୋର ଜୀବନର ଧେୟ ନୁହେଁ; ତାହା ଏକ ସାଧନମାତ୍ର । ତେଣୁ ବାହାରଟାକୁ ତୋଫା କରି ଦେଖାଇବାର ଜଟିଳତା ମୋ ଜୀବନରେ ଯେତିକି ଯେତିକି ବଢ଼ୁଥିବ, ଶରୀରଟାକୁ ନାନା ଢଙ୍ଗରେ ଲୁଚାଇ ରଖିବା ଲାଗି ଯେତିକି ମୋର ମୁଣ୍ଡବ୍ୟଥା ଲାଗିରହିଥିବ, ସେତିକି ମୋର ଭିତରଟା ମରି ମରି ଯିବ; ମୋର ଅନ୍ତର ସେତିକି ଶୁଖି ଶୁଖି ଯିବ । ସଂସାରରେ ଓ ଇତିହାସରେ ଯୋଉଠି ମଣିଷ ଭୋଗ ଆଉ ବାହାର ମଣ୍ଡନରେ ମାତିଛି, ସେଠି ତା’ର ସଂସ୍କୃତି ମରିଯାଇଛି; ତା’ର ଅନ୍ତର ନୀରସ ହୋଇଯାଇଛି, ତା’ର ଜୀବନ ଯନ୍ତ୍ରବତ୍ ହୋଇଯାଇଛି । ମୁଁ ଏ ଭୁଲ୍ କରିବି ନାହିଁ । ମୁଁ ମୋର ମନର, ମୋର ବିଚାରର ଓ ମୋର ହୃଦୟର ନିର୍ଭୀକ ବିକାଶ କରିବାକୁ ଚାହେଁ–ଏହି ବ୍ରତସାଧନର ଯଜ୍ଞରେ ଦେହକୁ ମୋତେ କେବଳ ଏକ ସାଧନ ହିସାବରେ ବ୍ୟବହାର କରିବାକୁ ହେବ । ଦେହ ମୋର ଧେୟ ନୁହେଁ, ଦେହକୁ ସଜାଇବାର ଭ୍ରମରେ ମୁଁ ପଡ଼ିବି ନାହିଁ–ଏହି ସତ୍ୟର ଅଭ୍ୟାସ କରିବାପାଇଁ ମୁଁ ସରଳ ହେବି । ଆମର ସୂତାକଟା ଓ ଆମର ଖଦଡ଼ ପିନ୍ଧା ଆମକୁ ପ୍ରଧାନତଃ ଏହି ସରଳ ହେବାର ସାଧନାରେ ଆଗେଇ ନେଉ ।

 

କିନ୍ତୁ ଖଦଡ଼ ପିନ୍ଧି ମଧ୍ୟ ଜଣେ ସରଳତାର ଜୀବନ-ରୁଚିକୁ ଭୁଲିଯାଇପାରେ । ଆମ ଦେଶରେ ଅନେକ କୋଟିପତି ମଧ୍ୟ ଆଜି କେତେକ କାରଣରୁ ଖଦଡ଼ ପିନ୍ଧୁଛନ୍ତି । ମିଲଲୁଗାର ଦୋକାନ କରିଥିବା ଧନୀ ବ୍ୟବସାୟୀ ମଧ୍ୟ ନାନା ଉପଲକ୍ଷରେ ଖଦଡ଼ର ଚପକନ୍ ଓ ଶେର୍‍ଓ୍ୟାନୀ ପିନ୍ଧି ବାହାରୁଛନ୍ତି । ଲୋଭୀ ପୁଞ୍ଜିପତିର ଗଦି ବିରୁଦ୍ଧରେ ଲଢ଼ାଇ ଘୋଷଣା କରି ଖଦିର ପ୍ରବର୍ତ୍ତନ ହୋଇଥିଲା । ଆଜି ଅନେକ ସ୍ଥାନରେ ଗଦି ଆଉ ଖଦି ବଡ଼ ନିର୍ଲଜ୍ଜ ଭାବରେ ହାତ ମିଳାଇ ସାରିଲେଣି । ଏ ଅଭିସନ୍ଧି ଖଦିର ଅନ୍ତର୍ନିହିତ ସରଳତାର ସମସ୍ତ ବିଚାରକୁ ବାହାରକୁ ଫିଙ୍ଗି ଦେଇଛି । ଆମର ବିଦ୍ୟାର୍ଥୀ ଜୀବନରେ ଯେପରି ଆମେ ସେ ଦୁର୍ବୁଦ୍ଧିରେ ନ ପଡ଼ିବା, ତା’ର ବିଚାର ଆମେ କରିବା । ମୋର ମନ ଯଦି ଶରୀରକୁ ସଜାଇବାର ଜାଲରେ ପଡ଼ିଥିବ, ସଂସାରକୁ ଜଡ଼କରି ରଖିଥିବା ନାନାପ୍ରକାର ଭୋଗ ଓ ଆଡ଼ମ୍ବର ଭାବନାରେ ଯଦି ମୁଁ ଆପଣାକୁ ହରାଇ ବସିଥିବି, ତେବେ ଏ ସୂତାକଟା ଓ ଖଦଡ଼ପିନ୍ଧାର ରୁଟିନ୍ ମୋତେ କଦାପି ସରଳ କରାଇ ପାରିବ ନାହିଁ ।

 

୭ । ୮ । ୫୬

 

ସ୍ୱାଧୀନତା ପାଇବା ପରେ ଆମ ଦେଶରେ ପ୍ରତିଭା-ପୂଜାର ଆଗ୍ରହ ବଢ଼ୁଛି । ଦେଶର ଜୀବନକୁ ଯେଉଁମାନେ ନିଜ ନିଜର ସାଧନାଦ୍ୱାରା ସମୃଦ୍ଧ କରିଛନ୍ତି, ଏଣିକି ଏଣିକି ଆମେ ସେମାନଙ୍କର ଜନ୍ମ ତିଥି ଓ ଶ୍ରାଦ୍ଧତିଥି ପାଳନ କରିବାକୁ ଆରମ୍ଭ କଲୁଣି । ସେମାନଙ୍କ ଲାଗି ଚାରିଆଡ଼େ ସଭାସମିତି ହେଉଛି; ପଣ୍ଡିତମାନେ ସେମାନଙ୍କ ବିଷୟରେ ବକ୍ତୃତା ଦେଉଛନ୍ତି; ନାନା ଆଡ଼ମ୍ବରରେ ବଡ଼ବଡ଼ ମଣିଷଙ୍କୁ ମନେପକାଇ ଆମେ ଭାରି ଗୌରବ ପାଉଛୁ । ଏବେ ଦେଶସାରା ଲୋକମାନ୍ୟଙ୍କର ଜନ୍ମ ଶତବାର୍ଷିକୀ ପାଳନ କରାଗଲା । ସେମିତି ଅନେକ ସ୍ଥାନ ଓ ଅନୁଷ୍ଠାନରେ ଗୁରୁଦେବ ରବିନ୍ଦ୍ରନାଥଙ୍କର ଶ୍ରାଦ୍ଧସଭା ବସୁଥିବ । ତାଙ୍କର ବିରାଟ ଜୀବନର ନାନା ବିଚିତ୍ର ଧାରାର ପାଣ୍ଡିତ୍ୟପୂର୍ଣ୍ଣ ଆଲୋଚନା ହେଉଥିବ । ତାଙ୍କର ଦେହତ୍ୟାଗ ଆଜିକୁ ପନ୍ଦରବର୍ଷ ହୋଇଗଲା । ତଥାପି ଏ ଦେଶର ଅନେକ ସ୍ଥାନରେ ଆଜି ଅନେକେ ତାଙ୍କୁ ଅତି ଆପଣାର ଲୋକ ବୋଲି ଅନୁଭବ କରୁଥିବେ ।

 

ପ୍ରତିଭା-ପୂଜାର ଆଡ଼ମ୍ବର ଖାଲି ଆମ ଦେଶରେ କାହିଁକି, ସାରା ପୃଥିବୀରେ ମଧ୍ୟ ବଢ଼ୁଛି । ଶହେବର୍ଷ ତଳେ ଇଉରୋପର ଭୂମିରେ ନୂଆ ପ୍ରେରଣା ଆଣି ଦେଇଥିବା ଜାତୀୟତାବାଦର ଆଦର୍ଶ ପୃଥିବୀର ଯୋଉ ଦେଶକୁ ବ୍ୟାପୁଛି, ଜାତୀୟପ୍ରତିଭାର ପୂଜା କରିବାର ଆଗ୍ରହ ସେଠି ପ୍ରବଳ ହୋଇଉଠୁଛି । ଜାତୀୟପତାକା, ଜାତୀୟସଙ୍ଗୀତ ଓ ଜାତୀୟସାହିତ୍ୟ ପରି ଜାତୀୟପ୍ରତିଭାର ପୂଜାବି ସବୁଠାରେ ଗୋଟାଏ ସ୍ଳୋଗାନ ପରି ମଣିଷର ମନକୁ ଆକୃଷ୍ଟ କରିନେଉଛି । କିନ୍ତୁ ଏ ପ୍ରତିଭା-ପୂଜାର ଆଗ୍ରହ ଗୋଟାଏ ନିଶା ପରି ଆମକୁ ମାଡ଼ି ବସି ନାହିଁ ତ ? ପ୍ରତିଭାର ପୂଜା କରି ବାକ୍‍ନୈବେଦ୍ୟରେ ପ୍ରତିଭା ସହିତ ଆମର ଭକ୍ତିଜର୍ଜର ସମ୍ପର୍କ ସ୍ଥାପନ କରି ଆମେ ପ୍ରତିଭା ପ୍ରତି ଆମର କର୍ତ୍ତବ୍ୟ ସମାପ୍ତ କରିଦେଉ ନାହୁଁ ତ ? କୌଣସି ବଡ଼ ମଣିଷଙ୍କ ତିଥି ପାଳିଲାବେଳେ ମୋ ମନରେ ଏହିପରି ଗୋଟାଏ ପ୍ରଶ୍ନ ଅନେକ ସମୟରେ ଉଠେ । ଗୁରୁଦେବଙ୍କ ଶ୍ରାଦ୍ଧ ତିଥିରେ ଠିକ୍ ସେହି ପ୍ରଶ୍ନହିଁ ଉଠୁଛି ।

 

ପୂଜା କରିବାର ସମାରୋହ ସଂସାରରେ ଯେତିକି ବଢ଼ୁଛି, ମଣିଷ ମନରେ ଘୃଣା ମଧ୍ୟ ସେତିକି ପ୍ରବଳ ହୋଇ ଉଠୁଛି । ନାନାପ୍ରକାର ବିବାଦ ଓ ବିସମ୍ବାଦରେ ମଣିଷ ମଣିଷଠାରୁ ଅଧିକରୁ ଅଧିକ ବ୍ୟବଧାନକୁ ଚାଲିଯାଉଛି; ଜୀବନ ବଞ୍ଚିବାର ସମସ୍ତ ନୈତିକ ଭୂମି ସେତିକି ବିସ୍ମୃତି ହୋଇଯାଉଛି । ଗୁରୁଦେବଙ୍କର କବିତା, ଗୁରୁଦେବଙ୍କର କାର୍ଯ୍ୟ ଓ ଗୁରୁଦେବଙ୍କର ଜୀବନ ପ୍ରଧାନତଃ ସଂସାରରୁ ଘୃଣା ଦୂର କରିବାର ସାଧନା କରିଥିଲା । ମଣିଷକୁ ମଣିଷ ସହିତ ଯୋଡ଼ି ରଖିବା ଲାଗି ନାନା ସ୍ନେହସୂତ୍ରର ସ୍ୱପ୍ନ ଦେଖିଥିଲା, ମଣିଷର ଅନ୍ତର ଭିତରେ ସାରା ବିଶ୍ୱବ୍ରହ୍ମାଣ୍ଡ ଲାଗି ପ୍ରଶସ୍ତ ସ୍ଥାନ ଖୋଜିବାର ବାସନା ରଖିଥିଲା । ଆମେ ସମସ୍ତେ ତାଙ୍କର ସାହିତ୍ୟ ଅଧ୍ୟୟନ କରିଚେ, ତାଙ୍କ ବିଷୟ ନେଇ କେତେ ଗୌରବର ସୁଅରେ ଭାସି ଯାଇଚେ, ତାଙ୍କୁ ଆମ ଜାତୀୟସଂସ୍କୃତିର ପ୍ରତିନିଧି ବୋଲି କହିଚେ, ତାଙ୍କୁ ବିଶ୍ୱକବିର ବରେଣ୍ୟ ଆସନ ଉପରେ ନେଇ ବସାଇ ଦେଇଚେ । କାହିଁକି ? ତାଙ୍କ ସ୍ୱପ୍ନ ଓ ସାଧନାର କି ପ୍ରଭାବ ବା ପ୍ରେରଣା ଆମ ଜୀବନ ଉପରେ ପଡ଼ିଚି ? ସ୍ୱାଧୀନତା ପରେ ଆମ ଦେଶରେ ଘୃଣା ବଢ଼ିଚି, ପ୍ରତିଯୋଗିତା ଓ ଧୂର୍ତ୍ତତା ବଢ଼ିଚି, ମଣିଷ ମଣିଷଠାରୁ ଅଧିକ ବିଚ୍ଛିନ୍ନ ହୋଇଯାଇଛି, ଟଙ୍କା ପଇସାର ଭେଳିକିରେ ମଣିଷ ଅଧିକ ଭୁଲିଚି । ଗୁରୁଦେବ ଠିକ୍ ଯେଉଁସବୁ ବିଷକୁ ଆମ ଜୀବନରୁ ଛଡ଼ାଇବାର ପ୍ରୟାସ କରିଥିଲେ ସେହି ସବୁ ବିଷହିଁ ଆମର ବ୍ୟାବହାରିକ ଜୀବନରେ ଆମକୁ ସବୁଠାରୁ ଅଧିକ ଉତ୍ତେଜନା ଦେଉଚି-। ଅଥଚ ଏଣେ ଗୁରୁଦେବଙ୍କର ପୂଜାସ୍ତୁତିରେ ଆମେ କୌଣସି ତ୍ରୁଟି କରିନୁ । ଏପରି କାହିଁକି ହେଉଚି ? ସାରା ସଂସାରର ଇତିହାସରେ ମହାପୁରୁଷର ଅଭାବ କୋଉଠି ନାହିଁ । ବୁଦ୍ଧ ଓ ଯିଶୁଙ୍କଠାରୁ ଆରମ୍ଭ କରି ରାମକୃଷ୍ଣ ଓ ଗାନ୍ଧୀ ପର୍ଯ୍ୟନ୍ତ ଏ ପୃଥିବୀରେ ଅନେକ ମହାପୁରୁଷଙ୍କର ଜୀବନ-ଇତିହାସ ରହିଚି । ନାନା କ୍ଷେତ୍ରରେ ଆଜି ପୂର୍ଣ୍ଣ ସନ୍ତର୍ପଣରେ ସେମାନଙ୍କର ପୂଜା ଚାଲିଚି; କିନ୍ତୁ ସେହିମାନଙ୍କ ସତ୍ତ୍ୱେ ସଂସାରରେ ଘୃଣା ବଢ଼ୁଚି, ହିଂସା ବଢ଼ୁଚି; ପ୍ରେମ କମୁଚି, ସ୍ନେହ ମରି ଯାଉଚି ।

 

ଆମର ପୂଜା ବୋଧହୁଏ ଆମକୁ ଭୁଲ୍ ପ୍ରେରଣା ଦେଉଚି । ମହାପୁରୁଷମାନେ ଅନ୍ୟ କୋଉ ପୃଥିବୀରୁ ଗଢ଼ି ହୋଇ ଆସନ୍ତି ନାହିଁ । ସେମାନେ ସମସ୍ତେ ଏଇ ପୃଥିବୀର । ଏଇ ପୃଥିବୀର ସବୁ ପିଲାଙ୍କ ପରି ସେମାନେ ଧୂଳି ଖେଳ କରନ୍ତି । ଏଇଠି କାମନା–ବାସନାର ନିତ୍ୟ–ଆଲୋଡ଼ନ ଭିତରେ ସେମାନେ ଆପଣାର ବାଟ ତିଆରି କରନ୍ତି । ମହାପୁରୁଷର ଜୀବନ ପ୍ରଧାନତଃ ସାଧନାର ଜୀବନ, ଖୋଜିବାର ଜୀବନ, ସଂସାରର ଘନାରଣ୍ୟରେ ଆପଣାକୁ ଆବିଷ୍କାର କରିବାର ଜୀବନ । ସେମାନଙ୍କ ଜୀବନରେ କେତେବେଳେ ହେଲେ ଦୁଇଟା ପୃଥିବୀର ଦ୍ୱନ୍ଦ୍ୱ ନଥାଏ । ଏଇ ପୃଥିବୀର ଜନ୍ମକୁ ସେମାନେ ବିଧାତାର ଆଶୀର୍ବାଦରୂପେ ଗ୍ରହଣ କରନ୍ତି । ଏହି ଜୀବନର ପରିପୂର୍ଣ୍ଣ ବିକାଶ କରି ବିଧାତା ଦେଇଥିବା ଦାୟିତ୍ୱକୁ ତୁଲାଇ ପାରିଲେ ସେମାନେ ପରିତୃପ୍ତି ପାଆନ୍ତି । ସେମାନେ ଶରୀର ମୋହରେ ପଡ଼ିଯାଆନ୍ତି ନାହିଁ । ଶରୀରର ପରିଚର୍ଯ୍ୟାଠାରୁ ଆହୁରି ଅନେକ ମହତ୍ତର ଏକ ସ୍ୱପ୍ନ ସେମାନଙ୍କୁ ସର୍ବଦା ମଗ୍ନ ଓ ମସ୍ତ କରି ରଖିଥାଏ । ସଂସାରର ଖ୍ୟାତି ଓ ସୁନାମ ସେମାନଙ୍କୁ ଜାଲରେ ପକାଇ ପାରନ୍ତି ନାହିଁ । ସେମାନେ ଆପେ ଆପେ ଭଗବଦ୍-ଗତ ଜୀବନରେ ଧରାଦେଇ, ତାହାରି ବନ୍ଧନ ଭିତରେ ରହି, ଆପଣାକୁ ମୁକ୍ତ କରି ଦେଇଥାନ୍ତି । ମହାପୁରୁଷ-ଜୀବନର ଏହି ସାଧନାମୂଳତାକୁ ଗ୍ରହଣ କରିପାରୁଥିଲେ ଆମେ କେବଳ ପୂଜା ଦେଇ ସେମାନଙ୍କୁ ଦୁଆର ପାଖରୁ ଫେରାଇ ଦେବାର ଭ୍ରମରେ ପଡ଼ନ୍ତୁ ନାହିଁ । ପୂଜାର ମୋହ ପୂଜକକୁ ଗୋଟାଏ ମିଛ ସାନ୍ତ୍ୱନା ଦିଏ; ପ୍ରତିଭାକୁ ଆଉ ଗୋଟିଏ ସଂସାରକୁ ନିର୍ବାସିତ କରିଦେଇ ସେ ତା’ର ଆପଣାର କ୍ଷୁଦ୍ର ସଂସାରରେ ହୀନ ହୋଇ ପଡ଼ିରହିବା ଲାଗି ଗୋଟିଏ ଯୁକ୍ତି ପାଏ । ଏହି ଯୁକ୍ତି ତାକୁ ଅନ୍ଧ କରେ, ତା’ର ସମସ୍ତ ପୂଜାର ଫଳ ଅପହରଣ କରିନିଏ ।

 

ସାଧନା କେବଳ କେତେଜଣ ମହାପୁରୁଷଙ୍କର ଏକଚାଟିଆ ନୁହେଁ । ଏହା ତୁମର, ମୋର, ସମସ୍ତଙ୍କର । ଏ ସାଧନାର ଅନ୍ତ ନାହିଁ । ସାଧନା ଲାଗି ସବୁ କ୍ଷେତ୍ରରେ ପ୍ରଶସ୍ତ ସ୍ଥାନ ରହିଛି-। ଜଙ୍ଗଲରେ ଘର କରି ବୈରାଗ୍ୟର ଅଭ୍ୟାସ କରିବାକୁ ଦିନେ ଏକମାତ୍ର ସାଧନା ବୋଲି କୁହାଯାଉଥିଲା । ଆଜି ସାଧନାର ଅର୍ଥ ସର୍ବବ୍ୟାପୀ । ଘରେ ଗୃହସ୍ଥ ହେବାର ସାଧନା, ପ୍ରୟୋଗଶାଳାରେ ବୈଜ୍ଞାନିକ ହେବାର ସାଧନା, ବିଦ୍ୟାଳୟରେ ବିଦ୍ୟାର୍ଥୀ ଓ ଶିକ୍ଷକ ହେବାର ସାଧନା,–ଏ ସବୁଗୁଡ଼ିକ ଜୀବନରେ ପରିପୂର୍ଣ୍ଣ ମଣିଷ ହେବାର ସାଧନାର ଗୋଟିଏ ଗୋଟିଏ ଅଙ୍ଗ ମାତ୍ର । ଯିଏ ଆପଣା ଜୀବନକୁ କେବଳ ତୁଣ୍ଡ, ଉଦର ଓ କାମ-ଶାନ୍ତିର ଏକ ଜଞ୍ଜାଳ ବୋଲି ମନେ କରୁଥିବ, ତା’ କଥା ମୁଁ କହିପାରିବି ନାହିଁ । କିନ୍ତୁ ଯିଏ ଆପଣା ଜୀବନକୁ ଭଗବାନ୍‍ଙ୍କର ଦାନ ଓ ଆଶୀର୍ବାଦ ବୋଲି ଗ୍ରହଣ କରୁଥିବ, ଯେଡ଼େ ବଡ଼ ବା ଯେଡ଼େ କ୍ଷୁଦ୍ର କ୍ଷେତ୍ରରେ ଥାଉ ପଛକେ ସିଏ ସେଇଠି ଆପଣାର ସାଧନା ଆରମ୍ଭ କରିବ; ମହାପୁରୁଷମାନଙ୍କର ଜୀବନରୁ ସେଇ ଯୋଗ୍ୟତମ ପ୍ରେରଣା ପାଇପାରିବ ।

 

୮ । ୮ । ୫୬

 

ହାଟ ବଜାରରେ ମଣିଷ କିଣାବିକା କରିବାକୁ ଏକାଠି ହୁଏ, ବିଚାରାଳୟରେ ମଣିଷ ଦୋଷୀକୁ ଶାସ୍ତି ଆଉ ନିର୍ଦ୍ଦୋଷକୁ ମୁକ୍ତି ଦେବାକୁ ଯାଏଁ । ପୁଲିସ ଜୀବନର ସଂସାରରେ ଚୋର ଆଉ ପୁଲିସର ଲୁଚକାଳି ଖେଳ ନିତି ଲାଗିଥାଏ । କିନ୍ତୁ ବିଦ୍ୟାଳୟରେ ଏସବୁ ନୀତି ମୋଟେ ଚଳିପାରେ ନାହିଁ । ଆମ ଦେଶରେ ସୁବିଧାବାଦୀମାନେ ଏ ପର୍ଯ୍ୟନ୍ତ ଆମ ବିଦ୍ୟାଳୟଗୁଡ଼ିକୁ ପାଠ କିଣିବା ଓ ବିକିବାର ହୀନ ସ୍ଥାନ କରି ରଖିଛନ୍ତି । ତଥାପି ବିଦ୍ୟାଳୟକୁ ଆମେ ହାଟ ବଜାର ସହିତ ତୁଳନା କରିପାରିବା ନାହିଁ । ବିଦ୍ୟାଳୟ ବିଚାରାଳୟ ମଧ୍ୟ ନୁହେଁ । ଦୋଷୀକୁ ଦଣ୍ଡ ଦେବା ଓ ସୁନାପୁଅକୁ ପୁରସ୍କାର ଦେବାର ସହପାଠ ବିଦ୍ୟାଳୟରେ ଚଳିପାରେ ନାହିଁ । ଦୋଷୀ ଆଉ ନିର୍ଦ୍ଦୋଷ ଦୁଇଟା ମାର୍କାରେ ବିଦ୍ୟାଳୟର କାମ ଚଳିପାରେ ନାହିଁ । ସବୁପ୍ରକାର ବ୍ୟାବହାରିକ ମାର୍କାକୁ ଭେଦ କରିବା ହେଉଚି ବିଦ୍ୟାଳୟର ପ୍ରଥମ କାମ । ତା’ ନ ହେଲେ କୌଣସି ବିଦ୍ୟାଳୟକୁ ଯଥାର୍ଥ ବିଦ୍ୟାଳୟ ବୋଲି କୁହାଯାଇ ପାରିବ ନାହିଁ । ବିଦ୍ୟାଳୟର ବାଟ ପୁଲିସଥାନାର ବାଟଠାରୁ ଏକବାରେ ଓଲଟା ଦିଗକୁ । ଆଜି ଆମର ଦୁର୍ଭାଗ୍ୟ–ସମାଜରେ ପ୍ରାୟ ପ୍ରତ୍ୟେକ ମଣିଷ ପୁଲିସ ଆଉ ଚୋର ହେବାର ଦୁଇଟା ମୁଖା ରଖିଛନ୍ତି । ଜୀବନର ଯେଉଁ ପ୍ରହସନରେ ଯେଉଁ ମୁଖା ଦରକାର ପଡ଼ୁଚି ସେଇଟାକୁ ପିନ୍ଧି ପକାଉଚନ୍ତି । ବାହାର କାରବାରରେ ସେ ଫିକର ବେଶ୍ କାମ ଦେଉଚି । କିନ୍ତୁ ଆପଣା ଜୀବନର ବିଧାତା ପାଖରେ ଜବାବଦେହି ଦେଲାବେଳକୁ ସେ ମୁଖା ଦୁଇଟା ମଣିଷକୁ କୌଣସି ସାହାଯ୍ୟ କରିପାରୁନାହିଁ । ପ୍ରତ୍ୟେକ ବିଦ୍ୟାଳୟର ପାରସ୍ପରିକ ଜୀବନରୁ ଏ ମୁଖା ଦୁଇଟା ଫିଙ୍ଗି ଦେବାକୁହିଁ ପଡ଼ିବ । ଶିକ୍ଷକ ଖାଲି ପୁଲିସ ହେଲେ ଚଳିବ ନାହିଁ, କି ଶିକ୍ଷାର୍ଥୀ ଖାଲି ଚୋର ହେଲେ ଚଳିବ ନାହିଁ । ଯୋଉ ସମ୍ପର୍କରେ ପୁଲିସ ଆଉ ଚୋର ହେବାର ଗନ୍ଧମାତ୍ର ଥାଏ, ସେଠି ସବୁ ଆଡ଼ମ୍ବର ତଳେ ଅଜସ୍ର ଭୟ ଛକି ଛକି ରହିଥାଏ । ଭୟ ଭାଙ୍ଗିବା ହେଉଚି ପ୍ରତ୍ୟେକ ବିଦ୍ୟାଳୟର ଧର୍ମ, ବିଦ୍ୟାର୍ଥୀର ଧର୍ମ ଓ ଶିକ୍ଷାର୍ଥୀର ଧର୍ମ ।

 

ଏଠିକାର ବିଦ୍ୟାଳୟକୁ ଆମେ କାହିଁକି ଆସିଚେ ? କିଣାବିକାର ହାଟପସରା ନେଇ କ’ଣ ଆମେ ଆସିଚେ ? ଏ ବିଦ୍ୟାଳୟରେ ଆମେ ଅଳପ କଷ୍ଟରେ ପାଠରୁ ପାର ହୋଇଯିବା, ପାଠରେ ପାସ୍ କରିଥିବାର ପଗଡ଼ି ବାନ୍ଧି ବାହାରିବା–ଯୋଉ ପଗଡ଼ିର ଦାମ୍ କି ମାସକୁ ଏତେ ଟଙ୍କା ହୋଇପାରିବ । ଆମ ଭିତରୁ କେହି ଯଦି ଏପରି କୌଣସି ଭାବନାକୁ ମନ ଭିତରେ ପୋଷି ରଖିଥାନ୍ତି, ତେବେ ତାଙ୍କୁ ଦିନେ ବଡ଼ ନିରାଶ ହେବାକୁ ପଡ଼ିବ ବୋଲି ମୁଁ କହିବି । କୌଣସି ପାଠର ପୁଟୁଳି ମୁଣ୍ଡ ଉପରକୁ ଟେକି ଦେଇ ତୁମକୁ ଏତେ ଟଙ୍କା ରୋଜଗାର କରିବାର ସାମର୍ଥ୍ୟ ଏ ବିଦ୍ୟାଳୟ ଦେଇ ପାରିବ ନାହିଁ । ଏ ବିଦ୍ୟାଳୟକୁ ଆମେ ବିଚାରାଳୟରୂପେ ମଧ୍ୟ ଗ୍ରହଣ କରିପାରିବା ନାହିଁ । ଏଠି ଦୋଷୀ ଆଉ ନିର୍ଦ୍ଦୋଷର ଦୁଇଟା ମାର୍କାରେ ବିଧାନ ଚଳିବ ନାହିଁ । ଆମେ କେହି କେବଳ ଦୋଷୀ ନୋହୁ, କି କେହି କେବଳ ନିର୍ଦ୍ଦୋଷ ନୋହୁ । ଆମେ ସମସ୍ତେ ପଥର ପଥିକ, ତେଣୁ ପରସ୍ପରର ସାଥୀ । ଆମେ ବାଟ ଚାଲିବା, ଆପଣାକୁ ଆବିଷ୍କାର କରିବାର ବ୍ରତ ନେବା, ଆମ ବାଟ ଚାଲିବାର ଓ ଆବିଷ୍କାର କରିବାର ସମସ୍ତ ଫଳକୁ ଏକାଠି ଉପଭୋଗ କରିବା । ଏହାହିଁ ଏ ବିଦ୍ୟାଳୟର ବ୍ୟାବହାରିକ ଧର୍ମ ହୋଇ ରହିବ । ଏଠିକାର ଶିକ୍ଷାର୍ଥୀ ଚୋର ସାଜିବାର ମୋହରେ ପଡ଼ିବ ନାହିଁ । ଏଠିକାର ଶିକ୍ଷକ ପୁଲିସ ହେବାକୁ ଲଜ୍ଜାବୋଧ କରିବ । ପୁଲିସ ଆଉ ଚୋର ହେବାର ତାମସା ଲଗାଇବାକୁ କୌଣସି ଆଗ୍ରହ ଥିଲେ ଆମେ ଏଠି ଗୋଟାଏ ଇସ୍କୁଲ ଆଖଡ଼ା ବସାଇ ଏ ସୁନ୍ଦର ଜଙ୍ଗଲର ଶାନ୍ତିଭଙ୍ଗ କରିବାକୁ ଆସି ନଥାନ୍ତୁ ।

 

ହାଟ-ବଜାରର ବେପାରୀ ହୋଇ ବିଚାରାଳୟର ବିଚାର ଲୋଡ଼ିବା, ପୁଲିସ ଓ ଚୋର ସାଜିବାର କୌଣସି ହୀନବୁଦ୍ଧି ନେଇ ଆମେ ଏ ବିଦ୍ୟାଳୟର ବିଦ୍ୟାର୍ଥୀ ହୋଇ ରହିବାର ଦାବି କରିପାରିବା ନାହିଁ । ସେପରି ଦାବି କଲେ ତାହା ବଡ଼ ଅନ୍ୟାୟ ହେବ । କେବଳ ବିଦ୍ୟାର୍ଥୀ ଲାଗିହିଁ ବିଦ୍ୟାଳୟରେ ସ୍ଥାନ ରହିଛି । ଏଠି ବିଦ୍ୟାର୍ଥୀ ବୋଇଲେ ମୁଁ ଖାଲି ପାଠ ପଢ଼ି ଆସିଥିବା ପିଲାଙ୍କୁ ବୁଝାଉ ନାହିଁ; ମୁଁ ଶିକ୍ଷକଙ୍କୁ ମଧ୍ୟ ଏହି ବିଦ୍ୟାର୍ଥୀ ସମ୍ପ୍ରଦାୟର ଅନ୍ତର୍ଗତ କରୁଚି । ଶିକ୍ଷାର୍ଥୀଙ୍କୁ ନେଇହିଁ ଶିକ୍ଷକ; ଶିକ୍ଷକର କୌଣସି ସ୍ୱତନ୍ତ୍ର ସଂଜ୍ଞା ହୋଇ ନ ପାରେ । ଶିକ୍ଷାର ମହତ୍ତର ଦୃଷ୍ଟିରୁ ଦେଖିଲେ ଶିକ୍ଷକ ମଧ୍ୟ ଜଣେ ଶିକ୍ଷାର୍ଥୀ । ଏ ସଂସାର-ଆଶ୍ରମରେ କାହାରି ଶିକ୍ଷା ସମାପ୍ତ ହୋଇନାହିଁ । ଯିଏ ନିଜର ସବୁ ଶିକ୍ଷା ହୋଇଗଲା ବୋଲି ଦମ୍ଭ କରୁଚି, ସେ କେବଳ ଅଜ୍ଞାନତା ଭିତରେ ପଡ଼ିଛି । ସେ ଆପଣାକୁ ଠିକ୍ କରି ଚିହ୍ନିପାରି ନାହିଁ । ସଂସ୍କୃତ ଭାଷାରେ ଶିଖାଇବା ବୋଲି ଏକ ସ୍ୱତନ୍ତ୍ର କ୍ରିୟାପଦ ନାହିଁ । ଶିଖିବାରୁହିଁ ଶିଖାଇବା ହୋଇଛି । ଡେନ୍‍ମାର୍କ ଭାଷାରେ ଆଜି ମଧ୍ୟ ଶିଖିବା ଓ ଶିଖାଇବା ଲାଗି କେବଳ ଗୋଟିଏ ଶବ୍ଦ ବ୍ୟବହୃତ ହେଉଚି । ଯିଏ ଯଥାର୍ଥରୂପେ ଶିଖିବାର ମନ ରଖିପାରିଚି, ଖାଲି ସେଇ ଯଥାର୍ଥରୂପେ ଶିଖାଇ ପାରିବ । ତା’ ନ ହେଲେ ଶିକ୍ଷା ଓ ଶିକ୍ଷାଳୟରେ କୌଣସି ଜୀବନହିଁ ରହିବ ନାହିଁ ।

 

ଆମର ଆଳସ୍ୟକୁ ଜୟ କରିହିଁ ଆମେ ସମସ୍ତେ ଯଥାର୍ଥ ଶିକ୍ଷାର୍ଥୀ ହୋଇପାରିବା । ଆଲୁଅ ଆସି ପ୍ରଭାତର ଦ୍ୱାରୋଦ୍‍ଘାଟନ କଲାପରି ଆଳସ୍ୟକୁ ଜୟ କରିପାରିଲେ ଯାଇ ଜ୍ଞାନର ଦ୍ୱାରୋଦ୍‍ଘାଟନ ହୋଇପାରିବ । ଉଚ୍ଚ ଆଗ୍ରହଦ୍ୱାରା ଆମେ ଆଳସ୍ୟକୁ ଜୟ କରିପାରିବା । ଦୁଷ୍ଟାମିରେ ଖୁବ୍ ବେଶି ଆପଦ ନାହିଁ; କିନ୍ତୁ ଆଳସ୍ୟରେ ରହିଛି । କଅଁଳା ବାଛୁରୀ କେତେ ଦୁଷ୍ଟାମି କରେ, ଦୌଡ଼ି ଦୌଡ଼ି କେତେଥର ଗୋଡ଼ ହାତ ଭାଙ୍ଗେ, କେତେ ଶକ୍ତି କ୍ଷୟ କରେ; କିନ୍ତୁ ଜୀବନର ଦାବି ତା’ର ସବୁ ଦୁଷ୍ଟାମି ହରେଇ ନିଏ । ଜୀବନର ଶିକ୍ଷା ଅଧିକରୁ ଅଧିକ ପ୍ରସାରିତ ହେବା ସଙ୍ଗେ ସଙ୍ଗେ ଆମର ଦୁଷ୍ଟାମି ବଳେ ବଳେ ଥମିଯିବ, ଚିତ୍ତ ସ୍ଥିର ହୋଇଯିବ; କିନ୍ତୁ ଆଳସ୍ୟକୁ ଆବୋରି ବସିଥିବା ପର୍ଯ୍ୟନ୍ତ ଆମେ ଆଦୌ ବଢ଼ିପାରିବା ନାହିଁ, ବଦଳି ପାରିବା ନାହିଁ, ବିକଶିତ ହୋଇପାରିବା ନାହିଁ ।

 

ତୁମମାନଙ୍କ ସହିତ ମୋର କୌଣସି ବିବାଦ ନାହିଁ । କାହାରି ପ୍ରତି ମୋର କୌଣସି ଈର୍ଷା ନାହିଁ । ମୁଁ ସବୁରି ବିକାଶ ଚାହେଁ । ସେଇଥିଲାଗିହିଁ ଏ ବିଦ୍ୟାଳୟର କ୍ରୀଡ଼ାଘର ଲଗାଇ ଦେଇ ମୁଁ ଏଠି ପଡ଼ିରହିଚି । ତୁମ ସମସ୍ତଙ୍କୁ ନେଇ କରିହିଁ ଏ ଜଙ୍ଗଲ ଏଡ଼େ ସୁନ୍ଦର ଦିଶୁଚି । ଏ ପବନ ଆଉ ଆକାଶ ଏଡ଼େ ଭଲ ଲାଗୁଚି । ଏଠିକାର ପ୍ରତିଦିନର ଖାଦ୍ୟ ଏଡ଼େ ସୁଆଦ ଲାଗୁଚି । ଭବିଷ୍ୟତ୍‍ରେ ତୁମେମାନେ ଆପଣାର ପଥରେ ନିର୍ଭୀକ ଓ ନିର୍ମଳ ହୋଇ ବାଟ ଚାଲିବ, ସେଇ କଳ୍ପନାରେହିଁ ମୁଁ ଅଶେଷ ଆନନ୍ଦ ପାଉଚି । ତୁମରିମାନଙ୍କର ବିକଶିତ ଜୀବନର ଚିତ୍ର ଆଙ୍କୁ ଆଙ୍କୁ ମୁଁ ମଧ୍ୟ ତୁମରି ପରି ପିଲା ହୋଇଯାଉଛି; ଭିତରେ ଅପାର ଶକ୍ତିର ନିର୍ଭର ପାଉଛି । ତୁମମାନଙ୍କ ସହିତ ମୋର କୌଣସି କଳହ ନାହିଁ, ମୋର କଳହ ସେଇ ଆଳସ୍ୟଟାର ସହିତ । ସେହି ଆଳସ୍ୟର ରାକ୍ଷସଟା ଆସି ଯେତେବେଳେ ଏଠିକା ଜୀବନର ଗତିରେ ବାଧା ପହଞ୍ଚାଉଚି, ଏଠିକାର ଯୌବନ ସୁଅରେ ସେ ଯେତେବେଳେ ବୁଢ଼ା ହୋଇଯିବାର ବିଷ ଗୋଳାଇ ଦେଉଚି, ସେତେବେଳେ ମୁଁ ସହିପାରୁ ନାହିଁ, ମୋର ଆଉ ଧୈର୍ଯ୍ୟ ରହୁନାହିଁ । ଏ ବିଦ୍ୟାଳୟକୁ ତୁମେମାନେ ଯଦି ନିଜର ବୋଲି ମନେ କରୁଥାଅ ତେବେ ଆପଣାର ଜୀବନରୁ ଏଇ ଆଳସ୍ୟକୁ ଦୂର କରିଦିଅ । ଆଳସ୍ୟକୁ ତଡ଼ିବାରେ ତୁମେମାନେ ସମସ୍ତେ ସହଯୋଗ କର । ତୁମେମାନେ ମୋର ଏଇ କଥାଟି ମାନ, ଆଉ ମୋର ରାଗକୁ କ୍ଷମା କର । ତାହାହିଁ ସବୁଠାରୁ ବଡ଼ ଆନନ୍ଦର କଥା ହେବ ।

 

୯ । ୮ । ୫୬

 

ଅଗଷ୍ଟ ନଅ ତାରିଖର ବିପ୍ଳବ କଥା ଭାବୁ ଭାବୁ ହଠାତ ଆଉ ଗୋଟିଏ କଥା ଆମ ସମସ୍ତଙ୍କର ମନେ ପଡ଼ିଗଲା । ଆଜି କବି ଗଙ୍ଗାଧର ମେହେରଙ୍କର ଜନ୍ମଦିନ । ତାଙ୍କରି ବିଷୟରେ ଆମେ ସକାଳେ ଆଲୋଚନା କଲେ; ତାଙ୍କ ଲେଖା ପଢ଼ିଲେ ଓ ତାଙ୍କର ରଚିତ ଗୀତମାନ ଗାଇଲେ । ମହାପୁରୁଷମାନଙ୍କର ଦିନଗୁଡ଼ିକ ଏଇମିତି ଅତୀତ ସହିତ ଆମର ସୂତ୍ରଟିକୁ ଧରାଇ ଦେଇଯାଏଁ । ସାଧାରଣ ଦିନମାନଙ୍କରେ ଆମେ କ୍ଷଣ କ୍ଷଣର ଜୀବନ ବଞ୍ଚୁ । ଆମ ପଛରେ ଯେ ଏତେ ବଡ଼ ଗୋଟାଏ ଅତୀତ ରହିଛି, ସାଧାରତଃ ସେ କଥା ଆମର ଖିଆଲ ନ ଥାଏ । ମୁହୂର୍ତ୍ତ ମୁହୂର୍ତ୍ତର ହାନିଲାଭ ଓ ମାନ ଅପମାନ କଥା ବିଚାର କରୁ କରୁ ଆମର ଜୀବନ ଗଡ଼ି ଚାଲିଯାଏ, ଶତଧା ହୋଇ ତାହାର ଶକ୍ତି ସରିଯାଏଁ । ଆମର ଜୀବନର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ୍‍କୁ ନେଇ ଆମେ ଗୋଟିଏ ଧାରାର ଜୀବନ ବଞ୍ଚି ପାରୁନାହୁଁ ।

 

ତଥାପି ଅତୀତକୁ ସ୍ମରଣ କରିବାରେ ବିପଦବି ରହିଛି । ଅତୀତ ଆମ ଜୀବନର ସୂତ୍ର ଧରାଇ ଦିଏ । ପୁଣି ସେହି ଅତୀତ ମଧ୍ୟ ଆମକୁ ବାନ୍ଧି ରଖେ । ଅତୀତର ଗୌରବ ଗାଇବାର ମିଛ ଆଶ୍ୱାସନାରେ ପଡ଼ି ଆମେ ବର୍ତ୍ତମାନକୁ ଭୁଲି ବସୁ । ଅତୀତର ମୂଳଦୁଆ ଉପରେ ଯେ ଆମକୁ ନୂତନର ସୃଷ୍ଟି କରିବାକୁ ପଡ଼ିବ, ସେ କଥା ଆମର ମନେ ରହେ ନାହିଁ । ଅତୀତ ଆମକୁ କୌଣସି ପ୍ରକାର ନୂଆ ପ୍ରେରଣା ଦିଏ ନାହିଁ । କୌଣସି ପ୍ରକାର ନୂଆ ବ୍ୟଞ୍ଜନା ଆମେ ପାଉନାହୁଁ । ସତେ ଅବା ଆମର ଅତୀତ ଗୋଟିଏ ଚିତ୍ରପଟ ମାତ୍ର, ବା ଗୋଟିଏ କାହାଣୀର ବହି ମାତ୍ର । ଆମରି ବିନୋଦନ ସକାଶେ ଖାଲି ସେସବୁର ଆବଶ୍ୟକତା ରହିଛି । ପିଲାଏ ଯେଉଁ ପରି ବିନୋଦନ ପାଇଁ ଛବିବହି ଦେଖନ୍ତି; ଅନେକ ସମୟରେ ଖାଲି ସେତିକି ପାଇବାକୁ ଆମେ ଅତୀତର କଥା ଶୁଣୁ, ଅତୀତର ଆଲୋଚନା କରୁ ।

 

Unknown

ଏହିପରି ଏକ ଅଯୋଗ୍ୟ ଆଗ୍ରହ ନେଇ ଆମେ ଓଡ଼ିଶାରେ ଅନେକ ସମୟରେ ଅତୀତର ଆଲୋଚନା କରିବାକୁ ମନ ବଳାଇଥାଉଁ । ଏଠି ଅତୀତରେ ଯାହା ଥିଲା ତାହା ସବୁଠାରୁ ବଢ଼ିଆ ଥିଲା,–ଆପଣା ଘରର ସଂକୀର୍ଣ୍ଣ ଡିହ ଉପରେ ବସି ଆମେ ବେଳେବେଳେ ଭାରି ଚିତ୍କାର କରିବାରେ ଲାଗିପଡ଼ୁ । ଆପଣା କାନ ପାଖରେ କେବଳ ଆପଣାର ପ୍ରଶଂସାଗୁଡ଼ାକ ଶୁଣାଇ ଓ ଶୁଣି ସେତେବେଳେ ଆମେ ଭାରି ଆନନ୍ଦ ପାଉ; କିନ୍ତୁ ଏହାଦ୍ୱାରା ଆମର ଅନେକ କ୍ଷତି ହୁଏ । ଏହାଦ୍ୱାରା ଜୀବନର ବିସ୍ମୟ ମରିଯାଏ, ଜୀବନର ରୁଚି ମରିଯାଏ । ଜୀବନରେ କିଛି ସୃଷ୍ଟି କରିବାର ପ୍ରବୃତ୍ତି ମରିଯାଏ । ଅତୀତ ଅଫିମ ଭଳି ହୋଇ ଆମକୁ ଜଡ଼ କରିପକାଏ । ଆମର ଜ୍ଞାନ, ବଳ ଓ କ୍ରିୟାକୁ ବଡ଼ ଅବଶ ଓ ଅସ୍ୱାଭାବିକ କରିପକାଏ, ତେଣୁ ଆମେ ଅତୀତର ମୋହରେ ବାନ୍ଧିହୋଇ ପଡ଼ିବା ନାହିଁ, ଅତୀତର ଅଠାରେ ଲାଖିକରି ରହିଯିବା ନାହିଁ । ଅତୀତ ଆମ ଲାଗି ମୂଳଦୁଆ ପକାଇବ, ଆମ ଲାଗି ଆସନ ତିଆରି କରିଦେବ । ସେହି ଆସନ ଉପରେ ଆମେ ନୂତନ ସୃଷ୍ଟିର ଆବାହନ କରିବା । ବର୍ତ୍ତମାନ ଓ ଭବିଷ୍ୟତ୍ ଲାଗି କୌଣସି ସୃଷ୍ଟି କରି ଆମେ ଅତୀତର ବ୍ୟଞ୍ଜନାଟିକୁ ଅଧିକ ସୁନ୍ଦର ଭାବରେ ଆମର ମାନମନ୍ଦିର ଭିତରେ ଧରି ରଖିପାରିବା ।

 

କବିମାନଙ୍କର ଜନ୍ମଦିନ ଓ ଶ୍ରାଦ୍ଧଦିନମାନଙ୍କରେ ଓଡ଼ିଶାରେ ମଧ୍ୟ ସଭା ସମିତି ହୁଏ, ସ୍ମରଣ-ଅନୁଷ୍ଠାନମାନ ଆୟୋଜିତ ହୁଏ । ଅତୀତର କବିମାନଙ୍କୁ ସ୍ମରଣ କରିବା ଲାଗି ଓଡ଼ିଶାରେ ମଧ୍ୟ ବହି ଲେଖା ହୁଏ, ଚର୍ଚ୍ଚାଲୋଚନାର ପରିସର ସୃଷ୍ଟି କରାଯାଏ; କିନ୍ତୁ ଅନେକ ସମୟରେ ଏହି ସବୁ ପରିସରରୁ ନିରାଶ ହୋଇ ଫେରି ଆସିବାକୁ ହୁଏ । ଯିଏ ସାହିତ୍ୟରୁ ଆନନ୍ଦ ପାଇବାକୁ ବାହାରିଚି, ଅତୀତରୁ ଉଦ୍‌ବୋଧନ ପାଇବାକୁ ବାହାରିଚି, ତା’ର ମନ ଅଫିମରେ ବୋଧ ହେବ କିପରି ? କବିମାନଙ୍କର ଆଲୋଚନା କଲାବେଳେ ଆମେ ଆମ ସାହିତ୍ୟିକ ବାସନାର ଯେତେ ପରିଚୟ ନ ଦେଉ, ଏକ ଅସାହିତ୍ୟିକ ସମ୍ପତ୍ତିଲାଳସାଦ୍ୱାରା ଆମେ ସାହିତ୍ୟ ଭୂମିକୁ ତାହାଠାରୁ ଅଧିକ ଦୂଷିତ କରି ପକାଇଥାଉ । ଓଡ଼ିଶାର ସାହିତ୍ୟାଲୋଚନା କ୍ଷେତ୍ରରେ ବିଚାର, ବିବେକ ଓ ବୈଜ୍ଞାନିକ ଦୃଷ୍ଟିକୋଣ ଯେତେ ନାହିଁ, ଅତୀତକୁ ବିଭିନ୍ନ ବ୍ୟଞ୍ଜନା ଦେଇ ଦେଖିବାର ବଳିଷ୍ଠ ଓ ସୃଷ୍ଟିଧର୍ମୀ ଆଗ୍ରହ ଯେତେ ନାହିଁ, ମୋହ ତାହାଠାରୁ ଢେର୍ ଅଧିକ ରହିଚି; ତେଣୁ ମୋ ଓଡ଼ିଶାର ଅମୁକ କବି ଭାରତରେ ଶ୍ରେଷ୍ଠ କବି ବା ଅମୁକ କବିଙ୍କ ଭଳି ସାରା ପୃଥିବୀରେ ଏତେ ଉଚ୍ଚକୋଟୀର କାବ୍ୟ ଆଉ କେହି ରଚନା କରିନାହାନ୍ତି ବା କରିବେ ନାହିଁ–ଏହିପରି ଏକ ବାହାଦୁରି କରି ଆମେ ଭାରି ଲାଞ୍ଜ ପିଟୁଚୁ, ଭାରି ଧୂଳି ଉଡ଼ାଉଚୁ । ସଂସାରରେ ପ୍ରକୃତରେ କୋଉଠି କ’ଣ ଅଛି ଆମ ପଡ଼ିଶାରେ କୋଉଠି କ’ଣ ଅଛି, ତାହା ଅନାଇ ଦେଖିବାକୁ ଆମର ବେଳ ନାହିଁ କି ଧୈର୍ଯ୍ୟ ନାହିଁ । ଆମ ଆପଣା ଘରର ସୁନ୍ଦର ରତ୍ନମାନ ଆମକୁ ସଂସାରରେ ଥିବା ଅନ୍ୟାନ୍ୟ ଘରର ସାଇତା ରତ୍ନଗୁଡ଼ିକୁ ଚିହ୍ନିବା ଲାଗି କୌଣସି ରୁଚି ଦେଇପାରୁନାହିଁ, ଆପଣା ହୃଦୟର ଅନ୍ଧକାର ଭିତରେ ବାଟ କଢ଼ାଇବାକୁ କୌଣସି ସାହାଯ୍ୟ କରିପାରୁନାହିଁ । ଏହା ଆମର ବଡ଼ ଦୁର୍ଭାଗ୍ୟ । ଯଥାର୍ଥ ସାହିତ୍ୟ ଆହୁରି ଅଧିକ ସାହିତ୍ୟିକ ଆଗ୍ରହକୁ ବାଟ କଢ଼ାଏ; ଅତୀତ ପ୍ରତି ଯଥାର୍ଥ ଆଗ୍ରହ ଅନାଗତ ଅନେକ ଆଡ଼କୁ ବାଟ କଢ଼ାଏ, ଯଥାର୍ଥ ସୌନ୍ଦର୍ଯ୍ୟ ଅନାବିଷ୍କୃତ ଅନେକ ସୌନ୍ଦର୍ଯ୍ୟ ଆଡ଼କୁ ବାଟ କଢ଼ାଏ–ଏହାହିଁ ହେଉଚି ଯଥାର୍ଥ ରୀତି; କିନ୍ତୁ ଆମର ଦୁର୍ଭାଗ୍ୟ ଯେ ଆମ ଜୀବନରେ ତାହା ସମ୍ଭବ ହୋଇପାରୁ ନାହିଁ । ଓଡ଼ିଶାର ଭଙ୍ଗା ମନ୍ଦିର ପରି ଓଡ଼ିଶାର ଅତୀତ ସାହିତ୍ୟ ମଧ୍ୟ ଆମ ଆଗରେ ପଡ଼ି ରହିଚି; କିନ୍ତୁ ଏ ସବୁକୁ କେବଳ ଆମର ବୋଲି କହିବା ବ୍ୟତୀତ ଆମ ପାଖରେ ଆଉ ଅନ୍ୟ କୌଣସି ଭାଷା ନାହିଁ; ଆଉ ଅନ୍ୟ କୌଣସି ଅଭିପ୍ରାୟ ନାହିଁ ।

 

ମେହେର, ରାଧାନାଥ, ଭଞ୍ଜ, ଫକୀରମୋହନ, ଗୋପବନ୍ଧୁ ଏମାନେ ସମସ୍ତେ ଓଡ଼ିଶାର ସାହିତ୍ୟ ଗଗନରେ ଗୋଟିଏ ଗୋଟିଏ ତାରା ପରି । ସମସ୍ତେ ସେମାନଙ୍କର ଲେଖନୀଦ୍ୱାରା ଆମର ଅତୀତକୁ ସମୃଦ୍ଧ କରିଦେଇଚନ୍ତି; ଆମଲାଗି ଓ ଭବିଷ୍ୟତ୍‍ର ଅନେକ ବଂଶଧରଙ୍କ ଲାଗି ସେମାନେ ଅନେକ ପ୍ରେରଣାର ପୁଞ୍ଜି ରଖିଯାଇଚନ୍ତି । କେହି ସେ କଥା ଅସ୍ୱୀକାର କରିବ ନାହିଁ; କିନ୍ତୁ ସେମାନଙ୍କୁ ଚିହ୍ନିଲାବେଳେ ବା ସେମାନଙ୍କ ବିଷୟରେ ସାହିତ୍ୟିକ ଆଲୋଚନା କଲାବେଳେ ଆମେ ସେମାନଙ୍କୁ କେବଳ ଆମର ବୋଲି କହି ଛାତି ଫୁଲାଇଲେ ତାହାକୁ ଅତି ନିକୃଷ୍ଟ ସାହିତ୍ୟିକ ମନୋଦୃଷ୍ଟି ବୋଲି କହିବାକୁ ହେବ । କବି ବା ବୈଜ୍ଞାନିକ, ଶିଳ୍ପୀ ବା ଦାର୍ଶନିକଙ୍କୁ କୌଣସି ପ୍ରକାର ଭୌଗୋଳିକ ସୀମାବନ୍ଧନ ଭିତରେ ରଖିହେବ ନାହିଁ । ସେମାନଙ୍କର ଇହ ଜୀବନ ଦୃଷ୍ଟିରୁ ଦେଖିଲେ ଅବଶ୍ୟ ସେମାନେ କୌଣସି ଏକ ନିର୍ଦ୍ଦିଷ୍ଟ ଦେଶର ବା ନିର୍ଦ୍ଦିଷ୍ଟ ଜାତିର; କିନ୍ତୁ ସେମାନଙ୍କର ସାଧନା ବା କୃତି କୌଣସି ଗୋଟିଏ ଦେଶର ବା ଗୋଟିଏ ଜାତିର ସତ୍ତ୍ୱ ହୋଇ ରହିପାରିବ ନାହିଁ । ଆମ ଦେଶ ଓଡ଼ିଶାର କବି ନିଶ୍ଚୟ ଆମର, କିନ୍ତୁ ତଥାପି ସେ ଖାଲି ଆମର ନୁହନ୍ତି । ଗଙ୍ଗାଧର ମେହେରଙ୍କୁ ଖାଲି ଓଡ଼ିଶାର କବି ବୋଲି କହିଦେଲେ ତାଙ୍କ ପ୍ରତି ବଡ଼ ଅନ୍ୟାୟ ପ୍ରଦର୍ଶନ କରାହେବ ବୋଲି ମୁଁ କହିବି ।

 

କିନ୍ତୁ ଆଜିକାଲି ଆମର କବିଙ୍କୁ ଆମେ ଖାଲି ଆମର ବୋଲି କହିବାର ମୋହରେ ପଡ଼ିଯାଇଚୁ । ସାହିତ୍ୟକୁ ଆମ ମମତାର ଲାଳସାରେ ଦୂଷିତ କରିଦେବାର ଦୁର୍ବୁଦ୍ଧିରେ ଆମେ ପଡ଼ିଯାଇଛୁ । ସାହିତ୍ୟିକକୁ ବିବେଚନାର ନ୍ୟାୟ ଅନୁସାରେ ଏହାକୁ ଅହଂକାର ବୋଲି କହିଲେ ଆଦୌ ଭୁଲ୍ ହେବ ନାହିଁ । ଏହାଦ୍ୱାରା ଆମରହିଁ ସବୁଠାରୁ ଅଧିକ କ୍ଷତି ହେଉଛି । ଆମ କବିମାନେ ଆମଠାରୁ ଅନେକ ଦୂରରେ ରହିଯାଉଚନ୍ତି, ସେମାନଙ୍କଠାରୁ ଆମେ ଯଥାର୍ଥ ପ୍ରେରଣା ପାଇପାରୁ ନାହୁଁ । ଆମ ଜୀବନରେ ସେମାନଙ୍କର ସ୍ମୃତି ବେଶ୍ ଅଫିମ ପରି କାମ ଦେଉଚି, ଆମକୁ ବେଶ୍ ଉତ୍ତେଜିତ କରି ରଖୁଚି । ବିଭିନ୍ନ ଯୁଗରେ ପ୍ରତ୍ୟେକ କବିଙ୍କର ସ୍ୱତନ୍ତ୍ର ସାଧନା ଓ ସ୍ୱତନ୍ତ୍ର ମନୋଦୃଷ୍ଟି ରହିଆସିଚି । ସେମାନେ ସେମାନଙ୍କର ନିଜସ୍ୱ ଆଖିରେ ସଂସାରକୁ, ସୌନ୍ଦର୍ଯ୍ୟକୁ ଓ ଜୀବନକୁ ଚିହ୍ନିବାର ପ୍ରୟାସ କରିଚନ୍ତି ଓ ଆପଣା ସାଧନାର ବଳିଷ୍ଠତା ଅନୁସାରେ ସେଥିରେ ସେହି ପରିମାଣରେ ସଫଳ ହୋଇଚନ୍ତି । ସେମାନଙ୍କର ଏହି ସାଧନା ସାରା ଯୁଗକୁ ବା ଜାତିକୁ ଏକ ନୂତନ ପଥର ସୂଚନା ଦେଇଚି । ଜାତିଲାଗି ଏକ ନୂତନ ସମ୍ଭାବନାର ଦ୍ୱାର ଖୋଲି ଦେଇଚି । ତତ୍‍କାଳୀନ ବା ଭବିଷ୍ୟତ୍‍ର ସମାଜ ଓ ସଂସ୍କୃତିକୁ ଏକ ପରିବର୍ତ୍ତିତ ଜୀବନ ଦର୍ଶନ ଅନୁସାରେ ଗଢ଼ିବା ଲାଗି ଅନେକ ପ୍ରେରଣା ଦେଇଚି । ମଣିଷ ମନର ବର୍ତ୍ତୀଧାରୀ ଅଗ୍ରଦୂତ ହିସାବରେ ଆମର କବି ଚିରଦିନ ଆମର ସବୁ ବିପ୍ଳବ ଓ ସବୁ ଆଲୋଡ଼ନର କାରିଗର ହୋଇ ରହିଆସିଚି । ସେହି ସାଧନାଟିର ସୂତ୍ର ଦେଇ ଆମେ କବିକୁ ଚିହ୍ନିବା, ଶିଳ୍ପୀକୁ ଚିହ୍ନିବା । ପ୍ରତ୍ୟେକ କବିଙ୍କର ନିଜସ୍ୱ ସାଧନା ଓ ଜୀବନଦୃଷ୍ଟି ଆମକୁ ତାଙ୍କର ନିଜସ୍ୱ ପରିଚୟ ଦେଇଯିବ । ସେଠି ଆଉ ସବୁ କବିଙ୍କୁ ଏକାଠି ଜମା କରି ମୋର ବୋଲି କହିବାର କୌଣସି ଅବକାଶ ରହିବ ନାହିଁ । ପ୍ରତ୍ୟେକଟି ପ୍ରତିଭା ତାଙ୍କର ନିଜସ୍ୱ ଜ୍ୟୋତିରେ ଆମ ଆଗରେ ଆସି ଦେଖାଦେବେ । ଆମ ସମ୍ପତ୍ତି ହିସାବରେ ନୁହେଁ–ଆମର ଯାତ୍ରାପଥର ପ୍ରେରକ ଓ ପ୍ରଦର୍ଶକ ହିସାବରେ ସେମାନେ ଆମର ନିକଟତର ହେବେ । ସାହିତ୍ୟ ସମୀକ୍ଷାର ମୁଗ୍ଧ ଯୁଗ ଯାଇ ଓଡ଼ିଶାରେ ଏକ ନୂତନ ଯୁଗ କେବେ ଆରମ୍ଭ ହେବ କେଜାଣି-?

 

୧୦ । ୮ । ୫୬

 

ଦିନେ ଫେସନ ହେବା ବିଷୟରେ ମୁଁ ଏଥର ଦିପଦ ଲେଖି ଦେଇଥିଲି । ତାକୁ ଶୁଣି ତୁମମାନଙ୍କ ମନରେ କି ପ୍ରକାର ଭାବ ଜାତ ହେଲା ସେ କଥା ମୁଁ ଜାଣେ ନାହିଁ । ଅନେକ ହୁଏତ ସେକଥାକୁ ଖରାପ ଭାବିଥିବେ । ତୁମ ମନରେ କୌଣସି ପ୍ରକାର ବିରକ୍ତି ଜାତ କରିବା ମୋର ଉଦ୍ଦେଶ୍ୟ ନଥିଲା । ସାରା ସଂସାରରେ ଆଜି ଫେସନର ହାଉଆ ବହୁଚି । ଖାଲି ଆପଣାର ବାହାରଟାକୁ ସଜାଇବାର, ଅନ୍ୟ ସହିତ ପ୍ରତିଯୋଗିତା କରିବାର ମାତଲାମି ଆଜି ଅନେକ ଜାଗାରେ ଘାରିଚି । ଏଠି ସେ ହାଉଆର ଆଞ୍ଚ ଆସି ବାଜିବା ଅତି ସ୍ୱାଭାବିକ; କିନ୍ତୁ ସେହି ହାଉଆ ଆସି ଆମର ମନକୁ ଉଡ଼ାଇ ନିଏ । ତେବେ ଏଠିକାର ସରଳ ଜୀବନ ଓ ସୁନ୍ଦର ପ୍ରକୃତି ଆଉ ଆମକୁ ଭଲ ଲାଗିବ ନାହିଁ । ଆମର ବିଦ୍ୟାର୍ଥୀ ହେବାର ସାଧନାରେ ନାନାଦି ଅସୁସ୍ଥ ଆଗ୍ରହ ପଶି ଆମକୁ ବୁଢ଼ା କରି ଦେଇଯିବ । ଆମ ଭିତରେ ଜଳୁଥିବା ଜିଜ୍ଞାସାର ନିଆଁକୁ ସେ ଥଣ୍ଡା କରି ଦେଇଯିବ । ସେଦିନ ଏତିକି କହିବାର ମୋର ଉଦ୍ଦେଶ୍ୟ ଥିଲା ।

 

ସବୁଠାରେ ଆଜି ସାଜିବାର ପ୍ରବୃତ୍ତି ବେଶ୍ ପ୍ରବଳ ହୋଇଛି । ସଂସାରରେ ସଫଳ ହେବାକୁ ମଣିଷ ଆପଣାକୁ ନାନାଭାବେ ଫିଟ୍‍ଫାଟ୍ କରି ରଖିଲାଣି । ତା’ର ବେଶ, ତା’ର କଥାବାର୍ତ୍ତା ଓ ତା’ର ବ୍ୟବହାର କାଇଦାରୁ ସେଥିପାଇଁ କ୍ରମେ ସବୁ ସ୍ୱାଭାବିକତା ଖସି ପଡ଼ିଲାଣି । ତା’ର ଶରୀରଟା ତା’ର ଚବିଶ ଘଣ୍ଟାର ଜଞ୍ଜାଳ ହୋଇଚି । ଶରୀରକୁ ବଞ୍ଚାଇ ରଖିବାପାଇଁ ଓ ଶରୀରକୁ ପ୍ରସନ୍ନ ରଖିବାପାଇଁ ସେ ଶରୀରକୁ ସଜାଇବାର ଅଦ୍ଭୁତ ଫନ୍ଦା ଧରିଲାଣି । ଅନ୍ୟ କେଉଁ ଯୁଗରେ ଆପଣାର ଶରୀର ବିଷୟରେ ମଣିଷ ଏପରି ସଚେତ ଥିଲା ବା ଆପଣାର ବ୍ୟାବହାରିକ ଜୀବନକୁ ଏତେ ଜଟିଳ କରି ପକାଇଥିଲା, ସେ କଥା ଭାବି ବସିଲେ ବଡ଼ ଆଶ୍ଚର୍ଯ୍ୟ ଲାଗେ । ଆମ ଶରୀର ଆମ ଜୀବନର ସର୍ବସ୍ୱ ନୁହେଁ, ଏହି କଥା ଶାସ୍ତ୍ର ସବୁ ଦେଶରେ କହିଚି । ତଥାପି ଆମ ଜୀବନର ଶରୀରାବଲମ୍ବିତା କ୍ରମେ ବଢ଼ିବଢ଼ି ଚାଲିଚି । ଶରୀର ଭିତରେ ଯେଉଁ ଅଶରୀରୀ ମହାସମ୍ପଦ ପ୍ରଚ୍ଛନ୍ନ ରହି ଆମର ଜୀବନକୁ ଚାଳିତ କରିବାର କଥା, ତାକୁ ଆମେ ଅନେକ ଦିନରୁ ଆମ ଦୃଷ୍ଟିରୁ ବହିଷ୍କୃତ କରିସାରିଲୁଣି ।

 

ଶରୀରକୁ ସଜାଇବାର ଆଡ଼ମ୍ବର ବିଷୟରେ ମହାତ୍ମା ଗାନ୍ଧୀ ଅନେକଥର ଅନେକ କଥା କହିଚନ୍ତି । ଜଳବାୟୁ ଅର୍ଥାତ୍ ଖରା, ଶୀତ ଓ ବରଷାରୁ ଶରୀରକୁ ବଞ୍ଚାଇ ରଖିବାକୁ ଆମେ ପ୍ରଥମେ ପୋଷାକ ବ୍ୟବହାର କରି ଶିଖିଲୁ; କିନ୍ତୁ ସେ ଆବଶ୍ୟକତାର ବିଚାର ବର୍ତ୍ତମାନ ଆଉ ନାହିଁ । ବର୍ତ୍ତମାନ ପୋଷାକ ମଧ୍ୟ ଗୋଟିଏ ପ୍ରକାର ମଣ୍ଡନ-ସାମଗ୍ରୀ ହୋଇଗଲାଣି । ଏ ଯୁଗର ବାଳିକାମାନଙ୍କୁ ଲକ୍ଷ୍ୟ କରି ଗାନ୍ଧିଜୀ କହିଛନ୍ତି–ଆଧୁନିକା ବାଳିକା ସମାଜର ଅଧଡ଼ଜନେ ଯୁବକଙ୍କର ଗୋପନପ୍ରଣୟିନୀ ହେବାକୁ ଇଚ୍ଛା କରେ । ଖରା କାକରରୁ ରକ୍ଷା ପାଇବାକୁ ସେ ପୋଷାକ ପିନ୍ଧେ ନାହିଁ; ଆପଣାକୁ ସଜାଇବାକୁ ଓ ଅପରର ଦୃଷ୍ଟି ଆକର୍ଷଣ କରିବାକୁ ସେ ପ୍ରଧାନତଃ ପୋଷାକ ପିନ୍ଧେ । ଆମ ସମାଜର ଆଧୁନିକ ବାଳକ ବାଳିକାଠାରୁ ଏ ଦିଗରେ କୌଣସି ଗୁଣରେ ଊଣା ନୁହେଁ । ଆଗେ ଯେଉଁ ସବୁ କଳାକୁ ସାଧାରଣତଃ ନାରୀ ପ୍ରତି ପ୍ରଯୁଜ୍ୟ କରାଯାଉଥିଲା, ଆଜି ପୁରୁଷ ମଧ୍ୟ ଚମତ୍କାର ପରିପାଟୀରେ ସେସବୁ କଳାକୁ ଆୟତ୍ତ କରି ଶିଖିଲାଣି । ନାନା ଭୂଷଣ ଓ ପ୍ରସାଧନରେ ଦେହକୁ ମଣ୍ଡାଇବାର ଉତ୍ସାହ ଆଧୁନିକ ପୁରୁଷଠାରେବି ବେଶ୍ ଅଛି । ସେଇଥିରେ ସେ ଜୀବନର କମ୍ ସମୟ ଦେଉ ନାହିଁ । ନାରୀ ପରି ହେବାର ଗୋଟାଏ ଶୋଧିତ ବାସନା ତାକୁ ଗ୍ରାସ କରି ରଖିଚି । ଆମର ଫେଶନ, ଆମର ଆଡ଼ମ୍ବର ଏହି ବାସନାର ଗୋଟିଏ ଗୋଟିଏ ସୂଚନା ମାତ୍ର । ଆମର ଶରୀରକୁ ଆମେ ଛୋଟ ଆଖିରେ ଦେଖୁଚୁ, ସେଥିଲାଗି ସେଇଟାକୁ ଲୁଚାଇ ରଖିବାରେ ଆମର ଅବିଶ୍ରାନ୍ତ ଉଦ୍ୟମ ଚାଲିଚି । ଗୋଟାଏ ପ୍ରକାର ଅଦ୍ଭୁତ ଅଥଚ ବିକୃତ ସାମାଜିକ ନୈତିକତା ଆମକୁ ଆମ ଶରୀର ବିଷୟରେ ଏତେ ଲଜ୍ଜିତ କରି ରଖିଚି । ଏଇ ହାତ, ଏଇ ଗୋଡ଼, ଏଇ ପିଠି ଆଉ ଏଇ ବକ୍ଷ, ଅଥଚ ତା’ ଉପରେ ପାଞ୍ଚଜଣଙ୍କର ଆଖି ପଡ଼ିଗଲେ ଗୋଟାଏ ପ୍ରକାର ଅସ୍ୱାଭାବିକ ସଙ୍କୋଚ ଆମକୁ କାମୁଡ଼ି ଧରୁଚି । ଏ ଶରୀରକୁ ଢାଙ୍କିବାକୁ ହେବ । ନିର୍ମଳ ଖରା ଓ ଜୀବନଭରା ପବନର ଦେଶରେ ରହି ମଧ୍ୟ ଆମେ ତାକୁ ଢାଙ୍କି ରଖିବାର ନାନା ଫନ୍ଦି ଲଗାଇ ଦେଇଚୁ । କାଳ ଯେତିକି ବୁଢ଼ା ହେଉଚି, ଆମର ସାମାଜିକ ଜୀବନ ଯେତିକି ଜଟିଳ ହେଉଚି, ସେମିତି ଆମେ ଦେହକୁ ଘୋଡ଼ାଇ ରଖିବାର ନାନା କୌଶଳ ବାହାର କରୁଚୁ । ଆଗେ ଯୋଉଠି ଖଣ୍ଡେ ଲୁଗା ଆଉ ଖଣ୍ଡେ ଗାମୁଛାରେ କାମ ଚାଲୁଥିଲା, ସେଠି ଆଜି ତିନି ପରସ୍ତ ପୋଷାକ ଦରକାର ହେଉଚି । ଦେହକୁ ଲୁଚାଇ ରଖିବାର ଏ ଅସ୍ୱାଭାବିକ ଉତ୍ସାହ ସମସ୍ତ ପୋଷାକ ସତ୍ତ୍ୱେ ଦେହ ସମ୍ବନ୍ଧରେ ଆମର ଲାଜକୁ ବେଶ୍ ପଦାରେ ପକାଇ ଦେଉଚି ।

 

ଆଉ ଗୋଟିଏ ଦିଗରୁ ଦେଖିଲେ ଏ ପୋଷାକ ଆମର ବେଶ୍ ଉପକାର କରୁଚି; ଆମକୁ ଅନେକ ନୈରାଶ୍ୟରୁ ବଞ୍ଚାଇ ରଖୁଚି । ଏ ଦେଶରେ ଯୁବକଙ୍କ ଭିତରୁ ଶତକଡ଼ା ନବେ ଜଣଙ୍କର ଛାତିକୁ କଙ୍କାଳର ହାଡ଼ ବୁଡ଼ାଇ ରଖିଥାଏ । ପେଟ ଉପରେ ପ୍ଳୀହାର ପରାକ୍ରମ ବେଶ୍ ପ୍ରକଟ ହେଉଥାଏ । ଯୌବନର ସମସ୍ତ କାନ୍ତିକୁ ମଇଳା ରୋଗଣା ଚମ ଆବୋରି ରଖିଥାଏ । ସେଇ ଶ୍ରୀହୀନ ରୂପଟାକୁ ଦେଖୁଥିଲେ ଆମ ଦେଶର ଯୁବକ ଆପଣା ବିଷୟରେ ବଡ଼ ନିରାଶ ହେଉଥାନ୍ତା । ସେଇଥିଲାଗି ସେ ଆପଣାର ଅସୁନ୍ଦର ଶରୀରକୁ ଘୋଡ଼ାଇ ରଖିବାକୁ ସୁନ୍ଦର ପୋଷାକରେ ଆଶ୍ରୟ ନେଇଚି । ସେଇଥିଲାଗି ତା’ର ଆପଣା ଶରୀରଠାରୁ ତା’ର ଭଳିକି ଭଳି ଅଙ୍ଗରକ୍ଷା ତା’ ଲାଗି ଅଧିକ ଧ୍ୟାନର ସାମଗ୍ରୀ ହୋଇଚି । କୁରୂପ ଶରୀରକୁ ସୁନ୍ଦର ପୋଷାକରେ ଯଦି ସୁରୂପ କରାଯାଇ ପାରିଲା, ତେବେ ମନ୍ଦ କ’ଣ ?

 

କିନ୍ତୁ ବଳିଷ୍ଠ ସୁସ୍ଥ ଜୀବନ ଲାଗି ଏ ସାନ୍ତ୍ୱନା ଯଥେଷ୍ଟ ନୁହେଁ । ଏ କେବଳ ଫଟା କାନ୍ଥରେ ମାଟି ନେଶି ପୁଣି ନୂଆ ଫଟାର କ୍ଷେତ୍ର ପ୍ରସ୍ତୁତ କରିବାର କଥା । ମୋର ଶରୀର ମଧ୍ୟ ମୋର । ସଂସାରରେ ମୋର ଜୀବନକୁ ନିବେଦନ କରିଦେବା ଲାଗି ଏହା ମୋର ସର୍ବଶ୍ରେଷ୍ଠ ସାଧନା । ଏତେ ଶକ୍ତି ଆଉ ଏତେ ସାମର୍ଥ୍ୟରେ ଭରି ରହିଥିବା ମୋର ଏହି ଶରୀର; ତାକୁ ଲୁଚାଇ ରଖିବାର ମନ୍ଦ ବୁଦ୍ଧି ମୁଁ କାହିଁକି କରିବି ? ମୁଁ କେବଳ ଶରୀର ନୁହେଁ, ଏ କଥା ଯେପରି ସତ, ଶରୀରକୁ ବାଦ୍‍ଦେଇ ମଧ୍ୟ ମୁଁ ନୁହେଁ, ଏ କଥାବି ସେହିପରି ସତ । ମୋ ଶରୀର ମୋ ଜୀବନ ସାଧନାର ଏକ ଅମୂଲ୍ୟ ସାଧନା; ତେଣୁ ତାହାର ଗୋଟିଏ ଅଙ୍ଗ ଏ । ମୁଁ ତାକୁ ଲୁଚାଇବାକୁ ଯିବି କୋଉ ଲାଳସାରେ । କେଉଁ ଅଭିସନ୍ଧି ନେଇ ତାକୁ ମୁଁ ସଂସାରର ଆଲୁଅ ଆଉ ପବନରୁ ବଞ୍ଚିତ କରି ରଖିବି କାହିଁକି ? ଏ କଥା ଆମେ ସମସ୍ତେ ଭାବିବା; ଆମ ବିଦ୍ୟାର୍ଥୀ ଜୀବନର ଭୂମି ଉପରେ ଆଡ଼ମ୍ବର ଇଚ୍ଛାକୁ ବିଚାର କରି ଦେଖିବା ।

 

୧୪ । ୮ । ୫୬

 

ଯେଉଁଠି ଶୃଙ୍ଖଳାକୁ ଜୋର୍ କରି ଲଦି ଦିଆଯାଉ ନାହିଁ, ସେଇଠି ଯଥାର୍ଥ ଶୃଙ୍ଖଳା ରହିଚି ବୋଲି ମୁଁ କହିବି । ଏଠି ଆମର ତାହା ହୋଇପାରୁ ନାହିଁ । ଆମେ ଆପେ ଆପେ ଏଠିକାଲାଗି ଅନେକ ନିୟମ କାନୁନ କରୁଚେ; କେତେ ଦିନ ଟାଣିଓଟାରି ତାକୁ କାର୍ଯ୍ୟକାରୀ କରିବାର ଅଭିନୟ କରୁଚେ । ତା’ପରେ ସବୁ ପାସୋର ହୋଇଯାଉଚି । ପୁଣି ପୁରୁଣା ଅଳସୁଆମି ଆମକୁ ସବୁ ଭ୍ରମରେ ପକାଇ ଦେଉଚି । ଏଠି ଯଦି କୌଣସି ରୁଟିନ୍ ଚାଲୁଥାଏ ବୋଲି କୁହାଯାଇ ପାରିବ, ତେବେ ତାହା ହେଉଚି ଏ ଅଳସୁଆମିର ରୁଟିନ୍ । ଆମର ଅଳସୁଆମି ଆମର ଜୀବନ ନିୟନ୍ତ୍ରଣ କରି ଚାଲିଚି । ଆମେ ଯେଉଁଠି ବସୁଚେ, ସେଠି ଢଳି ପଡ଼ୁଚେ । ଯୋଉଠି ପାଞ୍ଚଜଣ ଏକାଠି ହେଉଚେ ସେଠି ଖଟି ଆରମ୍ଭ କରିଦେଉଚେ । ଯେତେବେଳେ ସାଙ୍ଗ ମେଳରେ କୁଆଡ଼େ ବୁଲି ଯାଉଚେ, ସେଠି ଆମେ ପାଞ୍ଚଟା ମନଖୋଲା କଥା କହି ତ୍ରାହି ପାଉଚେ । ମଝିରେ ମଝିରେ ବାଧ୍ୟରେ ପଡ଼ି ଅନେକ ନିୟମ ଏଠାରେ ହେଉଚି । ଭାରି ଭଦ୍ରତା ସହକାରେ ଆମେ ବେଶ୍ କେତେ ଦିନ ମାନୁଚେ । ଅଳସୁଆମିର ଜଳାଶୟରେ କ୍ଷଣକ ଲାଗି ପାଣି ଚହଲିଯାଉଚି; କିନ୍ତୁ ମାତ୍ର କେତେଟା ଦିନ ପରେ ଅତି ନିର୍ଲିପ୍ତଭାବରେ ଆମେ ସେ ନିୟମକୁ ଭାଙ୍ଗୁଚେ; ଏଠି ଆପଣା ସମାଜରେ ନାନା ଅରାଜକତା ସୃଷ୍ଟି କରୁଚେ । ଅଳସୁଆମିଟାହିଁ ଜିତୁଛି । ଆମର ଅସଲ ରୁଟିନ୍‍ଟାହିଁ ଜାରି ରହୁଚି; କିନ୍ତୁ ଗୋଟିଏ ବିଦ୍ୟାଳୟରେ ବା ଶିକ୍ଷା ଗୋଷ୍ଠୀରେ ଯେଉଁପରି ଶୃଙ୍ଖଳା ରହିବା ଉଚିତ, ସେ ଶୃଙ୍ଖଳା ଆମର ଏଠି ନାହିଁ ।

 

କାମ ଲାଗି ଅନେକ ସମୟରେ ଆମର ସରାଗ ହେଉନାହିଁ । ଜେଲ୍‍ରେ କଇଦୀକୁ ପହରା ଜଗୁଆଳୀ ଥାଇ କାମକୁ ନିଆଯାଏ । କାମ ନ କଲେ କଇଦୀମାନେ ଶାସ୍ତି ପାଆନ୍ତି–ସେହି ଡରରେ ସେମାନେ କାମ କରନ୍ତି; ଏମିତିକି ବେଳେବେଳେ ଠିକ୍ ପଶୁପରି ଖଟିଥାନ୍ତି । ଆମର ଏଠି ଅନେକେ ଆପଣାକୁ ହୁଏତ କଇଦୀ ପରି ମନେ କରୁଛନ୍ତି । କାମ ନ କଲେ ତ ଏଠି କୌଣସି ପ୍ରକାର ଶାସ୍ତି ଦିଆଯାଉନାହିଁ, ତଥାପି ସେମାନେ କାହାକୁ ଭୟ କରୁଚନ୍ତି ? ମନ ଭିତରେ କାମ କରିବାର କୌଣସି ଆଗ୍ରହ ନଥିଲେ ମଧ୍ୟ କାହିଁକି ସେମାନେ ବାହାରେ ଘଣ୍ଟା ବାଜିବା ଅନୁସାରେ ହତିଆର ଧରି କାମକୁ ବାହାରି ପଡ଼ୁଚନ୍ତି । ଲୋକଲଜ୍ଜା ସେମାନଙ୍କୁ ଦେଖା ଯାଉଚି । ଭିତରେ ଆସ୍ଥାନ ଜମାଇ ବସିଥିବା କୋଢ଼ି ମନଟା ଯେପରି ପାଞ୍ଚ ଜଣଙ୍କ ପାଖରେ ଧରାପଡ଼ି ନ ଯାଉ, ସେଥିଲାଗି ନାନା ଅଭିନୟ କରି ସେମାନେ ଭିତରଟାକୁ ଘୋଡ଼ାଇ ରଖିଚନ୍ତି । ଆପଣା ଲାଜଟା ଧରା ପଡ଼ିବାର ଭୟରେ ସେମାନେ ସନ୍ତାପିତ ହୋଇ ରହିଚନ୍ତି ।

 

ଏହିମାନଙ୍କୁ ମୁଁ ଏଠାକାର ସଂସାରରେ ସବୁଠାରୁ ବଡ଼ ଦୁର୍ଭାଗ୍ୟ ବୋଲି କହିବି । ସେମାନେ ସଂସାର ଆଖିରେ ଧରା ନ ପଡ଼ିବାକୁ କି ଅଧ୍ୟବସାୟ କରୁନାହାନ୍ତି ! କିନ୍ତୁ ସେମାନଙ୍କର ସମସ୍ତ ଦୁଶ୍ଚେଷ୍ଟା କେବଳ ସେହିମାନଙ୍କ ଉପରେ ଅଭିଶାପ ହୋଇ ପଡ଼ୁଚି । ଏଠିକାର ଶିକ୍ଷକଙ୍କୁ ସେହିମାନେ ପ୍ରଧାନତଃ ଶାସକ ବୋଲି ବିଚାରୁଚନ୍ତି, ପ୍ରଧାନତଃ ଭୟ କରୁଚନ୍ତି; ସେହିମାନଙ୍କ ଆଖି ଆଗରେ ଥିଲାବେଳେ ଆପଣାକୁ ଯତ୍‍ପରୋନାସ୍ତି ତତ୍ପର ଓ ଉଦ୍ୟମଶୀଳ ବୋଲି ଦେଖାଇବାର ଚେଷ୍ଟା କରୁଚନ୍ତି; ଆଉ ଶିକ୍ଷକମାନଙ୍କର ତ୍ରାସ ଦୂରେଇ ଗଲେ ସେହିମାନେ ଏକ ଅରାଜକ ରାଜ୍ୟର ପରାକ୍ରମୀ ଯୁବରାଜ ସାଜି ବାହାରୁଚନ୍ତି । ମଣିଷ ମଣିଷ ଭିତରେ ଯେ ଶ୍ରଦ୍ଧାର ସମ୍ପର୍କ ରହିପାରେ, ଶିକ୍ଷକ ଓ ବିଦ୍ୟାର୍ଥୀ ଭିତରେ ଯେ ସହଯୋଗ ଓ ସ୍ନେହର ସମ୍ପର୍କ ସମ୍ଭବ ହୋଇପାରେ, ଏକଥା ସେମାନେ ହୁଏତ କଳ୍ପନାହିଁ କରିପାରୁ ନାହାନ୍ତି । କାମକୁ ସେମାନେ ନିଜର ବୋଲି ଭାବିପାରି ନାହାନ୍ତି । ଆପଣା ବିକାଶର ଏକ ସାଧନରୂପେ ଯେ ମଣିଷ କାମକୁ ବ୍ୟବହାର କରିପାରେ, ସେ କଥା ସେମାନେ ବୁଝିପାରି ନାହାନ୍ତି । ସେଥିପାଇଁ ସେମାନେ କାମ କଲାବେଳେ ଖୁସି ହୋଇପାରୁ ନାହାନ୍ତି । ଆପଣାକୁ ଏକ କଇଦୀ ପରି ଭାବୁଚନ୍ତି । କାମ ସେମାନଙ୍କର ଜୀବନ ଗଢ଼ିବାରେ କୌଣସି ସାହାଯ୍ୟ କରିପାରୁ ନାହିଁ । ପାଠକୁ ସେମାନେ ଗୋଟିଏ ଆବଶ୍ୟକ ବୋଝ ପରି ଗ୍ରହଣ କରିଚନ୍ତି । ସେଥିପାଇଁ ପାଠ ଅର୍ଜନ ଓ ହଜମ କରିବାର କୌଣସି ଶୃଙ୍ଖଳା ଦେଖିଲେ ସେମାନଙ୍କୁ ଭୟ ଲାଗୁଚି । ଆପଣା ଜୀବନର ବିକାଶ ଲାଗି ମୁଁ ପାଠ ପଢ଼ୁଚି, ତେଣୁ ପାଠ ପଢ଼ିବାର ଦାୟିତ୍ୱ ଓ ଗୌରବ ପ୍ରଧାନତଃ ମୋର ହେବା ଉଚିତ–ଏ ବିଶ୍ୱାସ ଏପର୍ଯ୍ୟନ୍ତ ସେମାନଙ୍କର ହୋଇନାହିଁ । କେଉଁ ଅତୃପ୍ତିର ତାଡ଼ନାରେ ସେମାନେ କେବଳ ତ୍ରସ୍ତ ହୋଇ ପଳାଇଚନ୍ତି । ଏହି ପଳାୟନ-ଲିପ୍‍ସାର ପରାକ୍ରମୀ ପ୍ରବୃତ୍ତିରେ ସେମାନଙ୍କର ସମୟ ଚାଲିଯାଉଚି । ସେମାନଙ୍କର ଯୌବନ ଚାଲିଯାଉଚି । ସେମାନଙ୍କର ଜୀବନ ସରି ଯାଉଚି । ଅଟକାଇ ରଖିବାର ଶକ୍ତି ସେମାନଙ୍କର ନାହିଁ । ଆଳସ୍ୟ ଆଉ ବାର୍ଦ୍ଧକ୍ୟ ସେମାନଙ୍କର ଭାଗ୍ୟର ଅଧିପତି ହୋଇ ବସିଚି ।

 

ମଣିଷ ଆପେ ଆପଣା ଜୀବନର ବିଧାୟକ ହେବ, ଆପଣାର ବାଟ ସେ ଆପେ ବାହାର କରିବ । ଆପଣାର ନିର୍ବାଚିତ ଶୃଙ୍ଖଳାରେ ଆପେ ସେ ଆପଣାକୁ ବାନ୍ଧିବ–ଏହାହିଁ ଜୀବନର ଓ ଜୀବନ ଶୃଙ୍ଖଳାର ଉତ୍କର୍ଷ । ସେହି ଜୀବନ ସ୍ଥିତିକୁ ଧେୟ କରି ଆମେ ଏଠି ପ୍ରସ୍ତୁତ ହେବୁ । ବାହାରର ଶୃଙ୍ଖଳା କ୍ରମେ ଆମକୁ ଆତ୍ମଶୃଙ୍ଖଳା ଆଡ଼କୁ ନେଇଯିବ । ବାହାରର ଜୀବନଚର୍ଯ୍ୟା କ୍ରମେ ଆମକୁ ଅଧିକରୁ ଅଧିକ ଅନ୍ତର୍ମୁଖ କରାଇବ । ଯୋଗସାଧନାରେ ନାନାଦି ନିୟମ ଶୃଙ୍ଖଳା ଥିଲା । ନାନାଦି କଠୋର ସାଧନାର ଶୃଙ୍ଖଳାରେ ଯୋଗଗତ ଜୀବନକୁ ବାନ୍ଧି ଦିଆଯାଉଥିଲା; କିନ୍ତୁ ଯୋଗୀ ହେବାପରେ ଅର୍ଥାତ୍ ସିଦ୍ଧିଲାଭ କରିବା ପରେ ମଣିଷକୁ କୌଣସି ନିୟମର ଅନୁଗତ ହୋଇ ରହିବାକୁ ପଡ଼ୁ ନଥିଲା । ସମସ୍ତ ନିୟମ ଓ ଶୃଙ୍ଖଳା ତା’ର ସ୍ୱଭାବଗତ ହୋଇ ଯାଉଥିଲା । ସେଥିପାଇଁ ବାହାରର କୌଣସି ଶୃଙ୍ଖଳାଶାସ୍ତ୍ରର ସାହାଯ୍ୟ ନେବା ତା’ ଲାଗି ଆବଶ୍ୟକ ପଡ଼ୁ ନଥିଲା । ଯୋଗର ସିଦ୍ଧିଅଙ୍ଗରେ ସାଧନା-ଅଙ୍ଗର କୌଣସି ଶୃଙ୍ଖଳା ଆବଶ୍ୟକ ହେଉ ନଥିଲା । ତନ୍ତ୍ରଶାସ୍ତ୍ର କୌଳାବଳୀ ନିର୍ଣ୍ଣୟ (୨-୬୪।୬୫)ରେ ସିଦ୍ଧଯୋଗୀକୁ ଦ୍ୱିତୀୟ ମହେଶ ବୋଲି କୁହାଯାଇଚି ।

 

ବୈଜ୍ଞାନିକ ଆଜି ଆପଣାର ପ୍ରୟୋଗ-ଶାଳାରେ ଆପଣାକୁ ନାନା ନିୟମରେ ବାନ୍ଧୁଚି, କାଲି ଆପଣା ସାଧନା ଜନିତ ଆନନ୍ଦରେ ମୁକ୍ତି ଲାଭ କରିବ ବୋଲି । ଜ୍ଞାନୀ ଆପଣାକୁ ନାନା ଅଧ୍ୟୟନ ଓ ଅଭ୍ୟାସର ଶୃଙ୍ଖଳାରେ ବାନ୍ଧୁଚି, ଜ୍ଞାନର ଆନନ୍ଦରେ ମୁକ୍ତି ଲାଭ କରିବ ବୋଲି । ଭକ୍ତ ଆପଣାକୁ ନାନା ପୂଜା ଓ ଆରାଧନାର ଉପଚାରରେ ବାନ୍ଧୁଚି, ଭକ୍ତିର ଆନନ୍ଦରେ ମୁକ୍ତିଲାଭ କରିବ ବୋଲି । କର୍ମଯୋଗୀ ଆପଣାକୁ ନାନା କର୍ମର ବ୍ରତରେ ବାନ୍ଧୁଚି, କର୍ମ କରିବାର ଆନନ୍ଦରେ ମୁକ୍ତିଲାଭ କରିବ ବୋଲି । ବିଦ୍ୟାର୍ଜନ ଓ ଆତ୍ମପରିଚୟର ଅମୂଲ୍ୟ ଆନନ୍ଦରେ ମୁକ୍ତିଲାଭ କରିବାର ଉଦ୍ଦେଶ୍ୟରେହିଁ ବିଦ୍ୟାର୍ଥୀ ବିଦ୍ୟାଲାଭ ଓ ଆତ୍ମଗଠନର ନାନା ଶୃଙ୍ଖଳାରେ ଆପଣାକୁ ବାନ୍ଧି ରଖୁ । ଖୁସି ହୋଇ ସେ ଆପଣାକୁ ଆପଣାର ସାଧନା ଭିତରେ ଧରା ଦେଉ ।

 

‘ସା ବିଦ୍ୟା ଯା ବିମୁକ୍ତୟେ’–ଯିଏ ବିମୁକ୍ତ ଦିଏ ତାହାହିଁ ବିଦ୍ୟା; ଆମର ଋଷିମାନେ ବିଦ୍ୟାର ଏହି ଅର୍ଥ କରିଛନ୍ତି । ଆମର ବିଦ୍ୟା ଆମକୁ ମୁକ୍ତ କରୁ, ନିର୍ଭୀକ କରୁ, ଆପଣାକୁ ସମ୍ମାନ କରି ଶିଖାଉ, ନାନାପ୍ରକାରେ ନାନା ତ୍ରାସର କଇଦୀ ହେବାର ସବୁ ଦୁର୍ଗତିରୁ ସେ ଆମକୁ ଉଦ୍ଧାର କରିନେଉ ।

 

୧୫ । ୮ । ୫୬

 

ମଣିଷର ଶରୀର ମଣିଷର ଅସଲ ପରିଚୟ ନୁହେଁ । ଆହାର, ନିଦ୍ରା, ମୈଥୁନ ଏବଂ ତତ୍ ସମ୍ବନ୍ଧୀୟ ଯାବତୀୟ ଆସକ୍ତି ଓ ଅନାସକ୍ତି ମଣିଷ ଜୀବନର ସମ୍ପୂର୍ଣ୍ଣ କାହାଣୀ ନୁହେଁ । ମଣିଷ ଭିତରେ ଅପାର ଶକ୍ତି ନିହିତ ହୋଇ ରହିଚି । ମଣିଷର ଚେତନାରେ ଅସୀମ ସମ୍ଭାବନାର ବୀଜ ପ୍ରଚ୍ଛନ୍ନ ହୋଇ ରହିଚି । ଦୃଶ୍ୟ ବ୍ୟାବହାରିକ ଜୀବନର ସବୁ ସାଧାରଣତଃ ତଳେ ଏକ ଅସାଧାରଣ ଚେତନ ଶକ୍ତି ଲୁଚି ରହିଚି । ଆପଣାର ଏ ମହତ୍ ପରିଚୟ ବିଷୟରେ ମଣିଷ ବିସ୍ମୃତ ହୋଇ ଗଲାଣି । ଆପେ ଏତେ ବଡ଼ ବା ବିରାଟ ବୋଲି ବିଶ୍ୱାସ କରିବାକୁ ମଣିଷର ସାହସ ହେଉନାହିଁ । ତଥାପି ଆପଣାର ଚେତନାକୁ ଆହୁରି ଉଚ୍ଚତର ସ୍ତରକୁ ଉଠାଇ ପାରିବାର ସାଧନା ମଣିଷ ଲାଗି ପ୍ରଶସ୍ତ ପଡ଼ିଚି । ଏହି ଉପରକୁ ଉଠାଇ ନେବାକୁହିଁ ଯଥାର୍ଥରେ ଯୋଗସାଧନାର ମୂଳ ବୋଲି କୁହାଯାଇ ପାରିବ । ଶ୍ରୀ ଅରବିନ୍ଦ ତାଙ୍କର ଜୀବନସାଧନାଦ୍ୱାରା ପ୍ରଧାନତଃ ଏହାର ଘୋଷଣା କରିଯାଇଚନ୍ତି । ଆଜି ତାଙ୍କର ଜନ୍ମଦିନ । ନଅବର୍ଷ ହେଲା ଅଗଷ୍ଟ ୧୫ ତାରିଖକୁ ସ୍ୱାଧୀନତା ଦିବସରୂପେ ପାଳନ କରାଯାଉଛି । ସେଥିଲାଗି ଅନେକ ଜାଗାରେ ଅନେକ ପାଲା ମଉଛବ ଲାଗିଚି । ସେଇ ପାଲାର କୋଳାହଳରେ ପଡ଼ିଯାଇ ଯଦି ଆମେ ଏତେ ବଡ଼ ମହାତ୍ମାଙ୍କର ପୁଣ୍ୟତିଥିକୁ ବିସ୍ମରି ଚାଲିଯିବା ତା’ ହେଲେ ଆମେ ଭାରି ଅନ୍ୟାୟ କରିବା । ପ୍ରତ୍ୟେକ ସ୍ୱାଧୀନ ମଣିଷ ତା’ ସଂସ୍କୃତିର ସାରଗୁଡ଼ିକୁ ସାଇତି ରଖେ । କୌଣସି ପ୍ରକାରେ ଭୋଗ ବିଳାସର ମୋହ ତାକୁ ଏ ଗୌରବରୁ ବଞ୍ଚିତ କରେ ନାହିଁ । ଗାନ୍ଧୀ, ରବୀନ୍ଦ୍ରନାଥ ଆଉ ଅରବିନ୍ଦ ଭାରତୀୟ ମନର ସର୍ବଶ୍ରେଷ୍ଠ ପ୍ରତିନିଧି ହୋଇ ରହିଚନ୍ତି । ଆପଣା ଆପଣାର ବିଶିଷ୍ଟ ଜୀବନ ସାଧନାଦ୍ୱାରା ସେମାନେ ଭାରତୀୟ ସଂସ୍କୃତିର ଉତ୍କର୍ଷ ଦେଖାଇ ଯାଇଚନ୍ତି । ନାନା ନୈରାଶ୍ୟରେ ଜର୍ଜର ହୋଇ ପଡ଼ିଥିବା ପୃଥିବୀରେ ସେମାନେ ତଥାପି ଆଶାର ବାଟ ଦେଖାଇ ଯାଇଚନ୍ତି । ଶ୍ରୀ ଅରବିନ୍ଦଙ୍କର ଜନ୍ମ ତିଥିରେ ଆଜି ଆମେ ତାଙ୍କୁ ଆମର ପ୍ରଣାମ ଜଣାଇ ଯିବା ।

 

ଅନ୍ୟାନ୍ୟ ଦେଶର ସଂସ୍କୃତିଠାରୁ ଭାରତୀୟ ସଂସ୍କୃତିର ଗୋଟିଏ ବିଶେଷ ଲକ୍ଷଣ ଅଛି ଯେ ଏହା ପରାକ୍ରମୀ ରାଜାର ପୂଜା ନ କରି ସବୁ ପରାକ୍ରମୀକୁ ଏଡ଼ି ଚାଲିଯାଇଥିବା ସନ୍ନ୍ୟାସୀର ପୂଜା କରେ । କ୍ଷମତାର ପୂଜା କରିବା ଏ ଦେଶର ସାଂସ୍କୃତିକ ଜଳବାୟୁରେ ଯାଏଁ ନାହିଁ । କ୍ଷମତାକୁ ଏଡ଼ିଯାଇଥିବା ସର୍ବତ୍ୟାଗୀର ଆଦର ଏ ଦେଶରେ ସବୁଠାରୁ ଅଧିକ । ସଂସାରର ଧନ ସମ୍ପଦ ଓ ବେପାର ବଣିଜ ବଢ଼ାଇବାରେ ଭାରତ ବେଶି କିଛି ଭାଗ ନେଇ ନାହିଁ; କିନ୍ତୁ ସଂସାରର ଆଧ୍ୟାତ୍ମିକ ସଂସ୍କୃତିରେ ଭାରତ ଆପଣାର ଦାନକୁ ସବୁ ଯୁଗରେ ପ୍ରତିଷ୍ଠିତ କରି ଆସିଚି । ଆଧ୍ୟାତ୍ମିକ ଜୀବନରେହିଁ ଜୀବନର ପରାକାଷ୍ଠା ନିହିତ ରହିଚି । ଏହାକୁ ସ୍ୱୀକାର କରୁ ନଥିଲେ, ଆମେ ଭାରତୀୟ ସଂସ୍କୃତିରୁ ଖୁବ୍ ବେଶି ପ୍ରେରଣା ପାଇପାରିବା ନାହିଁ । ଭାରତର ଆଧ୍ୟାତ୍ମିକ ସାଧନାରେ ଋଷି ଅରବିନ୍ଦ ସବୁଦିନେ ଆମର ପ୍ରଣିଧାନର ଯୋଗ୍ୟ ହୋଇ ରହିଥିଲେ ।

 

ମଣିଷ ଭିତରେ ଭଗବାନ୍ ରହିଚନ୍ତି । ଆମର ରକ୍ତ, ମାଂସ, ହାଡ଼ ଆଉ ହଜମ କରିବାର ଯନ୍ତ୍ରଟା,–ଏ ଆମର ଅସଲ ପରିଚୟ ନୁହେଁ । ଏହାରି ଭିତରେ ହୃଦୟର ଗୁହାଭିତରେ ଆତ୍ମା ରହିଚି । ଆତ୍ମା ଆମ ସମସ୍ତଙ୍କ ଭିତରେ ରହିଚି । ଆତ୍ମା ବିଶ୍ୱ ବ୍ରହ୍ମାଣ୍ଡଯାକ ଭରି ରହିଚି । ଏହା ପୋଥି ପାଠ ନୁହେଁ, ଅସଲ ପଣ୍ଡିତଙ୍କୁ ସାନ୍ତ୍ୱନା ଦେବାଲାଗି ଖାଲି ଏସବୁର ଉଦ୍‌ଗାର ହୋଇନାହିଁ । ଯୋଉ ମଣିଷ ବା ଯୋଉ ଋଷି ଏ ସତ୍ୟ ଉଚ୍ଚାରଣ କରିଚି, ଅତି ନିର୍ଭୟରେ ଏହି ବାଣୀର ଘୋଷଣା କରିଚି । ସେ ତାହାର ଚେତନାକୁ ଏକ ଉଚ୍ଚତର ସ୍ତରକୁ ଉତ୍ତୋଳିତ କରି ନେଇପାରିଚି, ଯାହା ଫଳରେ କି ସେ ଏତେ ବିଶ୍ୱାସର ସହିତ ସବୁରି ଭିତରେ ଆତ୍ମାର ଏକସୂତ୍ରତା ରହିଚି ବୋଲି ଘୋଷଣା କରିଚି । କାଗଜ କଲମରେ ବୁଝାଇ କେହି ଆତ୍ମାର ଏକସୂତ୍ରତା ପ୍ରମାଣ କରିପାରିବ ନାହିଁ । ଯୁକ୍ତି କରି କେହି ସବୁରି ଭିତରେ ଭଗବାନ୍ ଅଛନ୍ତି ବୋଲି ଦେଖାଇ ଦେଇ ପାରିବ ନାହିଁ । ଏଥିଲାଗି ଅନୁଭୂତିର ସ୍ତର ବଦଳିବା ଦରକାର, ଚେତନାର ସ୍ତର ବଦଳିବା ଦରକାର । ଜୀବନର ଯେଉଁ ସ୍ତରରେ ଆମେ ଜଡ଼ ହୋଇ ପଡ଼ିଚୁ, ଯେଉଁଠି ବୁଦ୍ଧିର ପଞ୍ଜରା ଭିତରେ ମିଥ୍ୟା-ନିଶ୍ଚିତତାର ନିଶା ଆମକୁ ଘାରି ରଖିଚି, ସେହି ସ୍ତରରୁ ଉପରକୁ ଉଠିଥିବା ଦରକାର । ଜୀବନର ସାଧନା ଏଇଥିଲାଗି ହେବା ଉଚିତ । ଆତ୍ମପରିଚୟ ମଣିଷର ଧେୟ ହେବା ଉଚିତ । ଏହି ବିରାଟ ପରିଚୟହିଁ ମଣିଷକୁ ସମସ୍ତ ବିଶ୍ୱଜଗତ ସହିତ ଏକରସ କରିଦେଇ ପାରିବ ।

 

ସଂସାରରେ ଆଜି ସମସ୍ୟାର ଅନ୍ତ ନାହିଁ । ଛୋଟରୁ ବଡ଼ଯାଏଁ ନାନା ଘୃଣା ଓ ନାନା ମୋହ ମଣିଷକୁ ବଡ଼ ଦୁର୍ବଳ କରି ସାରିଲାଣି । ମଣିଷର ବୁଦ୍ଧି ଯେଉଁ ବିରାଟ ବାରୁଦଘର ଗଢ଼ି ଠିଆ କରିଦେଉଚି, ତା’ର ଅପରିପକ୍ୱ ହୃଦୟ ସେଇଥିରେ ନିଆଁ ଲଗେଇ ଦେବାର ଭୟାବହ ଉତ୍ସାହରେ ମାତିଚି । ଏହି ସଙ୍କଟରୁ ଉଦ୍ଧାର ପାଇବାକୁ ନାନା ବାଟର ଚିନ୍ତା କରାଯାଉଚି । ସଂସାରର ଧନ ସମ୍ପତ୍ତି ବଢ଼ାଇ କିଏ ମଣିଷର ଦୁଃଖ ଦୂର କରିଦେବ ବୋଲି ଭାବୁଚି । ଯନ୍ତ୍ର ପରେ ମହାଯନ୍ତ୍ରର ସୃଷ୍ଟିକରି ମଣିଷକୁ ଶ୍ରମ ଓ ସମୟର କବଳରୁ ମୁକ୍ତି କରି ମଣିଷକୁ ସୁଖୀ କରାଇବ ବୋଲି ହୁଏତ କେଉଁ ବୈଜ୍ଞାନିକ ଚିନ୍ତା କରୁଚି । କିଏ ରାଜନୀତିର ଭେକ ଧରୁଚି, କିଏ ଅର୍ଥନୀତିର ଦୁଆ ଲଗାଉଚି; ପୁଣି କିଏ ଗୋଟାଏ ନିର୍ଦ୍ଦିଷ୍ଟ ବାନା ଧରିଲେ ଦୁଃଖ ଯିବ ବୋଲି ପ୍ରଚାର କରୁଚି । ଅରବିନ୍ଦ କହୁଚନ୍ତି–ଏ କୌଣସିଟି ବାଟ ମଣିଷକୁ ତା’ର ସୁଖର ଧେୟ ପାଖକୁ ନେଇଯାଇ ପାରିବନାହିଁ । ମଝିରେ ମଝିରେ ଜଣେ ଜଣେ ମହାତ୍ମା ଆସି ଭକ୍ତିର ଗୁଡ଼ାଏ ଧୁମ୍‍ଧାମ୍ କରିଗଲେ ମଧ୍ୟ ସଂସାର ବଦଳିଯିବ ନାହିଁ । ଏଥିଲାଗି ପ୍ରତ୍ୟେକ ମଣିଷର ଜୀବନର ସ୍ତର ବଦଳିବା ଦରକାର-। ଖଣ୍ଡ-ଚେତନାରୁ ଆପଣାକୁ ଉନ୍ନୀତ କରି ସେ ଏକ ପୂର୍ଣ୍ଣତର ଚେତନାର ସ୍ତରକୁ ଆପଣାକୁ ଉତ୍ତୋଳିତ କରିନେବା ଦରକାର । ମହାପୁରୁଷମାନେ ଆପଣା ଜୀବନରେ ଯାହା କରୁଚନ୍ତି, ସବୁ ମଣିଷ ଭିତରେ ସେସବୁ ସମ୍ଭବ ହୋଇ ପାରିବ । ସେଥିପାଇଁ ସାଧନା ଦରକାର । ଏହି ସାଧନା ଲାଗି ଘର ଛାଡ଼ି ଜଙ୍ଗଲକୁ ପଳାଇବା ଦରକାର ନାହିଁ । ଯିଏ ଯେଉଁଠି ଯୋଉ କ୍ଷେତ୍ରରେ ରହିଚି, ସେ ଗୃହସ୍ଥ, ସନ୍ନ୍ୟାସୀ, କବି ବା ଶିଳ୍ପୀ ଯାହା ହୋଇଥାଉ ପଛକେ, ସେହି କ୍ଷେତ୍ରରୁହିଁ ତା’ର ସାଧନା ଆରମ୍ଭ ହୋଇପାରିବ । ଏହିପରି ଯେତେ ବେଶି ମଣିଷ ସାଧନାର ପଥିକ ହେବେ, ଆପଣାର ଅନୁସନ୍ଧାନ ଓ ଉତ୍ତୋଳନ କରି ବାହାରିବା ପଥର ପଥିକ ହେବେ, ପୃଥିବୀ ସେତିକି ବଦଳିବ; ପୃଥିବୀରୁ ସେତିକି ଦୁଃଖ ଓ ଜର୍ଜରତା ଚାଲିଯିବ । ମଣିଷର କର୍ମ, ମଣିଷର ଜ୍ଞାନ ଓ ମଣିଷର ଶ୍ରଦ୍ଧା ତା’ର ସ୍ୱାର୍ଥର ସଂକୀର୍ଣ୍ଣ ସୀମା ଡେଇଁଯାଉ । ନିତ୍ୟ ଜୀବନର ଯୋଗ-ସାଧନାରେ ସେ ଆପଣାର ମହାନ୍ ପରିଚୟ ପାଉ । ତା’ର ଦୃଷ୍ଟିରୁ ସବୁ ପ୍ରକାର ମଳିନତା ଯାଉ–ଅରବିନ୍ଦଙ୍କର ସାଧନା ଓ ବାଣୀ ଏହି ଅଭିଳାଷ କରିଥିଲା । ତାଙ୍କର ଜନ୍ମତିଥି ଆମକୁ ସେହି ପ୍ରେରଣା ଦେଇଯାଉ ।

 

୧୬ । ୮ । ୫୬

 

ରାଜା ନ ଥିବା ଦେଶରେ କାହାର କୌଣସି ଦ୍ରବ୍ୟ ଆପଣାର ହୋଇ ରହେ ନାହିଁ । ମାଛପରି ସମସ୍ତେ ପରସ୍ପରକୁ ଖାଇବାରେ ଲାଗି ଯାଆନ୍ତି:–ବାଲ୍ମୀକି ରାମାୟଣ (୬୭-୩୧ ଆ: କା:)ରେ ଦିନେ ଏଇ ପଦକ ଆଖିରେ ପଡ଼ିଗଲା । ହଠାତ ଆମ ଏଠିକାର କଥା ମୋର ମନେପଡ଼ିଗଲା । ଆମର ବିଦ୍ୟାଳୟକୁ ଆମେ ଗୋଟିଏ ଦେଶ ସହିତ ବେଶ୍ ତୁଳନା କରି ପାରିବା-। ବେଳେ ବେଳେ ମୋତେ ଲାଗୁଚି, ଯେପରି ଏ ଦେଶରେ ଆମେ ପରସ୍ପରକୁ ଖାଇବାରେ ଲାଗିଯାଇଚୁ । ମଣିଷର ସଂସାରରେ ଲୋକନ୍ୟାୟ ଚଳିବାର କଥା; ବିଦ୍ୟାଳୟର ସଂସାରରେ ବିଦ୍ୟାର୍ଥୀ-ନ୍ୟାୟ ଚଳିବାର କଥା; କିନ୍ତୁ ଆମର ଏଠି ଅନେକ ସମୟରେ ମତ୍ସ୍ୟ-ନ୍ୟାୟହିଁ ଚାଲୁଛି-

 

ମୋତେ କେହି ଭୁଲ୍ ବୁଝିବ ନାହିଁ । ଆମର ଅପମାନ କରିବା ମୋର ମତଲବ ନୁହେଁ । ଆପଣାକୁ ଛୋଟ କରି ଦେଖାଇ ହେବାକୁ ମୁଁ ମୋଟେ ପସନ୍ଦ କରେ ନାହିଁ । ମଣିଷକୁ ମୁଁ ଛୋଟ ବୋଲିଭାବେ ନାହିଁ । ଆପଣାକୁ ମୁଁ ଯେପରି ସମ୍ମାନ କରେ, ସବୁ ମଣିଷଙ୍କୁ ସେହିପରି ସମ୍ମାନ କରିବାକୁ ଚେଷ୍ଟା କରେ । ଜ୍ୟେଷ୍ଠ କନିଷ୍ଠ ସମସ୍ତଙ୍କୁ ମଣିଷର ଉଚିତ ସମ୍ମାନ ଦେବାକୁ ମୁଁ ଚେଷ୍ଟା କରେ । ବୟସରେ ତୁମେମାନେ ମୋ’ଠାରୁ ଅନେକ ଛୋଟ, କିନ୍ତୁ ମଣିଷକୁ କେବଳ ଏତେ ବୟସର ପୁରୁଖା ଶରୀର ବୋଲି ମୁଁ କଦାପିଭାବେ ନାହିଁ । ମୋର ବୟସ ଅଧିକ । ତୁମର ଶରୀର ଠାରୁ ମୋର ଶରୀର ଅଧିକ ପାକଳ । କିନ୍ତୁ ତା’ ବୋଲି ମୋର ଆଦର୍ଶ, ଆକାଂକ୍ଷା ଓ ଉଦ୍ୟମଠାରୁ ତୁମମାନଙ୍କ ଆଦର୍ଶ, ଆକାଂକ୍ଷା ଓ ଉଦ୍ୟମ ମୋଟେ କମ୍ ମୂଲ୍ୟବାନ୍ ନୁହେଁ । ମୋର ବାଟ ଚାଲିବାର ଆନନ୍ଦ ତୁମମାନଙ୍କର ବାଟ ଚାଲିବାର ଆନନ୍ଦର ସହୋଦର ହୋଇ ରହିବା ଉଚିତ । ପ୍ରତ୍ୟେକ ମଣିଷର ଜୀବନକୁ ଯୋଉ ଦିନ ଆମେ ଆମ ଜୀବନର ସାଥୀ ବା ସହୋଦର ବୋଲି ମନେ କରିପାରିବା, ସେହିଦିନ ଜୀବନ ବଞ୍ଚିବାରେ ଆମେ ଅନେକ ଆନନ୍ଦ ପାଇପାରିବା । ଏଇ ଆନନ୍ଦ ଟିକକର ଲୋଭରେ ମୁଁ ସଂସାରର ମଣିଷ ସହିତ ସାଥୀ ହେବାକୁ ଏତେ ଲୋଭୀ ହୋଇ ବୁଲୁଚି । ସେଇ ଲୋଭରେ ଏଠି ଏ ବିଦ୍ୟାଳୟର କ୍ରୀଡ଼ାଘର ଆରମ୍ଭ ହୋଇଚି । ଯେଉଁଦିନ ଏଠିକାର ସମସ୍ତଙ୍କର ଜୀବନକୁ ମୋ’ ଜୀବନର ସହୋଦର ହିସାବରେ ପାଇ ପାରିବି, ଯେଉଁ ଦିନ ଆପେ ସବୁରି ସହୋଦର ହେବାର ଯୋଗ୍ୟତା ଅର୍ଜନ କରିପାରିବି, ସେଇଦିନ ଆପଣାକୁ ଜଣେ ଶିକ୍ଷକ ବା ମଣିଷ କହିବାର ଯୋଗ୍ୟତା ମୋର ରହିବ ।

 

ମାଛର ସଂସାରରେ କେହି କାହାକୁ ମାନେ ନାହିଁ । ଛୋଟ ମାଛକୁ ମଝିଆ ମାଛ ଖାଏ, ପୁଣି ମଝିଆ ମାଛକୁ ବଡ଼ ମାଛ ଖାଏ । Darwin ଖାଇ ଗୋଡ଼ାଇବା ତତ୍ତ୍ୱ ବୋଧହୁଏ ମାଛଙ୍କ ସଂସାରରେ ସବୁଠାରୁ ଅଧିକ ପ୍ରାମାଣିକ ଭାବରେ ଚାଲିଛି । ସେଠି ସମ୍ମାନର ସ୍ଥାନ ନାହିଁ, ବ୍ୟକ୍ତି ପ୍ରତି ସମ୍ମାନ ନାହିଁ କି ଜୀବନ ପ୍ରତି ସମ୍ମାନ ନାହିଁ । ପ୍ରୟୋଜନ ହେଉଚି ସେଠିକା ଜୀବନର ପରମତତ୍ତ୍ୱ । ଯିଏ ଯେତେ ଜଣଙ୍କୁ ଆପଣାର ଆହାର ବା ପ୍ରୟୋଜନ ସିଦ୍ଧିରେ ଲଗାଇ ପାରିଲା, ସେଠି ସିଏ ସେତେ ଅଧିକ ପରାକ୍ରମୀ । ପ୍ରୟୋଜନର ଶୂଳିକାଠରେ ସେଠି ସବୁ ମୂଲ୍ୟ ଓ ମୂଲ୍ୟବୋଧ ବଳିପଡ଼ିବାକୁ ବାଧ୍ୟ ।

 

ଆମେ ଏଠି କ’ଣ ସମ୍ମାନକୁ ପ୍ରୟୋଗର ଶୂଳିକାଠରେ ବଳି ଦେଇ ଦେବାକୁ ଚାହୁଁଚୁ କି-? ଆମର ଅଭ୍ୟାସ, ଆମର ଆଚରଣ, ପରସ୍ପର ପ୍ରତି ଆମର ବ୍ୟବହାର ଯେପରି ବେଳେବେଳେ ଏହିପରି ଏକ ଅଶୁଭ ସୂଚନା ଦେଇଯାଉଛି । ଯିଏ ସମସ୍ତଙ୍କ ପ୍ରତି ସମ୍ମାନ ରଖିଥାଏ, ସେ ବ୍ୟବହାରରେ ନମ୍ର ହୁଏ, ଆଚରଣରେ ସଂଯତ ହୁଏ, ଆପଣାର ଅଧିକାର ଜାରି କରିବା ଆଗରୁ ଆପଣାର କର୍ତ୍ତବ୍ୟ ସେ କରିଯାଏ । କର୍ତ୍ତବ୍ୟ କରିହିଁ ସେ ଆନନ୍ଦ ପାଏ, ତେଣୁ ଆଉ କାହାରି ଅପମାନର ଜ୍ୱାଳାରେ ସନ୍ତପ୍ତ ହେବାକୁ ତାକୁ ପଡ଼େ ନାହିଁ । କେତେ ଜଣ ଆମେ ଅଧିକାର ଜାରି କରିବା ଆଗରୁ ନିଜର କର୍ତ୍ତବ୍ୟ କରିଯାଉଚୁ ଓ ସେଇଥିରେ ଆନନ୍ଦ ପାଉଚୁ । କେତେ ଜଣ ଆମେ ପରସ୍ପରକୁ ସାଥୀ ସହୋଦର ବୋଲି ଭାବୁଚୁ ? ଏ କଥା ଆମ ପ୍ରତ୍ୟେକଙ୍କର ବିଚାର କରିବା ଉଚିତ । କିଏ କଥାରେ ଅନ୍ୟକୁ ମାଡ଼ି ଚାଲିଯିବାକୁ ଚାହୁଁଚି, କିଏ ପାଞ୍ଚ ପ୍ରକାରରେ ଆପଣାକୁ ସଜାଇ ଆପଣାର ପାଞ୍ଚ ଜଣ ଭାଇ ଭଉଣୀକୁ ବଳିଯିବାର ପରାକ୍ରମ ଦେଖାଉଚି; କିଏ ଆପେ ଅଳସୁଆ ରହି ଆଉ ପାଞ୍ଚଜଣଙ୍କ ଦ୍ୱାରା କାମ ଚଳାଇ ନେବାର ଚତୁର ଉପାୟ ପାଞ୍ଚିବାରେ ରହିଚି-। ଏ ପାଞ୍ଚରେ ଶ୍ରଦ୍ଧାର ଲେଶମାତ୍ର ନାହିଁ; ଖାଲି ଉପେକ୍ଷାହିଁ ଅଛି । ଯଥାସମ୍ଭବ ଉପେକ୍ଷା କରି ମୁଁ ଚାଲିଯିବି । ଆପଣାର ପ୍ରତିଷ୍ଠା ଜାରି କରିବା, ଆପଣାର ଶରୀର ଓ ମନକୁ ସୁଖରେ ରଖିବା ଯେପରି ମୋର ସବୁ ସାଧନାର ପ୍ରଥମ କଥା । ଏ ସଂସାରଟା ଯେପରି କେବଳ ମୋର-। ଏ ବିଦ୍ୟା ଶିକ୍ଷାର ଆଖଡ଼ା ସତେଅବା ମୋରି ସୁଖ ବିଧାନ ଲାଗି ତିଆରି ହୋଇଛି । ମୋରି ବାଟ ସତେ ଅବା ଏ ସଂସାରର ଏକମାତ୍ର ବାଟ, ଏହିପରି ଗୋଟିଏ ଭ୍ରମ ଆମକୁ ମାଡ଼ି ବସିଚି-। ଆମର ଅହଂକାର-ଯାତ୍ରାରେ ଆମେ ବେଶ୍ ଆଖି ବୁଜି ଚାଲିଚୁ; କିନ୍ତୁ ଅନ୍ୟକୁ ଉପେକ୍ଷା କରିବାର ଦୁର୍ବୁଦ୍ଧିରେ ପଡ଼ି ଯେ ଆମେ ଆପଣାକୁ ସବୁଠାରୁ ଅଧିକ ଉପେକ୍ଷା କରୁଚୁ, ସେ କଥା କିଏ ଆମକୁ ଚେତେଇ ଦେବାକୁ ଆସିବ ?

 

ଏଠି ମତ୍ସ୍ୟନ୍ୟାୟକୁ ଲୋପ କରି ବିଦ୍ୟାର୍ଥୀ-ନ୍ୟାୟର ପ୍ରତିଷ୍ଠା କରିବାକୁ ହେଲେ ଆମର ଜଣେ ରାଜା ଦରକାର । ଦେଶରେ ଜଣେ ରାଜା ନ ରହିଲେ ଦେଶ ଅରାଜକ ହେବାର ଭୟ ଥାଏ-। ଆମର ଏଠାରେ ଆମେ କାହାକୁ ରାଜା ବୋଲି ମାନିବା ? କୌଣସି ଜଣେ ବ୍ୟକ୍ତି ରାଜା ହେଲେ ଏ ବିଦ୍ୟାଳୟ ଶୋଭା ପାଇବ ନାହିଁ । ଜଣେ ରାଜାର ଇଚ୍ଛା ଚଳିଲେ ତାହାକୁ ସ୍ୱେଚ୍ଛାଚାରହିଁ କହିବାକୁ ହେବ । ବିଦ୍ୟାଳୟର ହୁକୁମ ତାଲିମ କରିବାର ରାଜସଭା ଏ ନୁହେଁ; ଜୀବନ ଗଢ଼ିବାର ମହାନ୍ ସାଧନା ଏଠିକାର ପ୍ରଧାନ ଲକ୍ଷଣ ହୋଇ ରହିବ । ଜୀବନ ଗଢ଼ିବାର ଅନୁକୂଳ ପରିସ୍ଥିତି ସୃଷ୍ଟି କରିବାକୁ ହେଲେ ଆମକୁ ବିଦ୍ୟାର୍ଥୀ ହେବାର ମନ ରଖିବାକୁ ହେବ; ବିଦ୍ୟାର୍ଥୀ ହେବାର ଶୃଙ୍ଖଳାକୁ ଆପଣା ଆପଣା ଜୀବନରେ ସ୍ୱୀକାର ଓ ଗ୍ରହଣ କରିନେବାକୁ ପଡ଼ିବ । ମୁଁ କହୁଚି ବିଦ୍ୟାର୍ଥୀହିଁ ଏଠାରେ ରାଜା ହୋଇ ରହୁ । ବିଦ୍ୟାର୍ଥୀର ମନ ଏଠାକାର ସବୁ ବିଧାନ ଗଢ଼ୁ-। ବିଦ୍ୟାର୍ଥୀର ଶୃଙ୍ଖଳା ଏଠାକାର ସଂସାରକୁ ନିୟନ୍ତ୍ରଣ କରୁ । ଯିଏ ଘଟନାଚକ୍ରରେ ପଡ଼ି କୌଣସି ବିଦ୍ୟାଳୟରେ ଆସି ପହଞ୍ଚିଯାଇଚି, ତାକୁ ଖାଲି ସେତିକି ଦେଖି ଆମେ ବିଦ୍ୟାର୍ଥୀ ବୋଲି କଦାପି ଗ୍ରହଣ କରିପାରିବା ନାହିଁ । ବିଦ୍ୟାର୍ଥୀଠାରେ ଆଳସ୍ୟ ନ ଥିବ, କୌଣସି ପ୍ରକାର ଭୋଗଲାଳସା ନ ଥିବ, ପ୍ରତିଯୋଗିତାରେ ଅନ୍ୟକୁ ଆପଣାଠାରୁ ହୀନ ବୋଲି ପ୍ରମାଣିତ କରିବାର କୌଣସି ଚେଷ୍ଟା ତା’ର ନ ଥିବ । ସେ ସବୁରି ପ୍ରତି ଶ୍ରଦ୍ଧା ରଖିବ, ସମ୍ମାନର ଆଖିରେ ସମସ୍ତଙ୍କୁ ଦେଖିବ । ସେ ନମ୍ର ହେବ, ଅଥଚ କାହାରିକୁ ଭୟ କରିବ ନାହିଁ, କାହାରି ପ୍ରବର୍ତ୍ତାଇବାକୁ ନ ଡରି ଆପଣା ବାଟ ଆପେ ତିଆରି କରିବାର ସାହସ ତା’ ଠାରେ ଥିବ । ସେ ଆପଣାକୁ ବିଶ୍ୱାସ କରିବ । ମଣିଷ ହିସାବରେ ସେ ଆପଣାକୁ ଉଚିତ ସମ୍ମାନ ଦେବ । ସେହିପରି ବିଦ୍ୟାର୍ଥୀହିଁ ଯେକୌଣସି ବିଦ୍ୟାଳୟରେ ରାଜା ହୋଇ ରହିବାର ଉପଯୁକ୍ତ ହୋଇପାରିବ ।

 

ଏହି ବିଦ୍ୟାର୍ଥୀ-ସମାଜରୁ ମୁଁ ଶିକ୍ଷକଙ୍କୁ ମଧ୍ୟ ବାଦ୍ ଦେଉ ନାହିଁ । ବିଦ୍ୟାଳୟର ସାଧନାରେ ଓ ଆନନ୍ଦରେ ବିଦ୍ୟାର୍ଥୀ ପରି ଶିକ୍ଷକର ସମାନ ଭାଗ ରହିବା ଉଚିତ । ଶିକ୍ଷକ ଆପଣାକୁ ବିଦ୍ୟାର୍ଥୀର ସହଯାତ୍ରୀ ବାଟୋଇ ବୋଲି ଭାବିବ । ବିଦ୍ୟାର୍ଥୀ ହେବାର ସମସ୍ତ ଶୃଙ୍ଖଳା ସେ ନିଜେ ମଧ୍ୟ ଗ୍ରହଣ କରିବ । ଅନେକ କୋମଳ ବିଦ୍ୟାର୍ଥୀ ହୃଦୟକୁ ମାଡ଼ିମକଚି ସେ ବିଦ୍ୟାଳୟରେ ରାଜା ହୋଇ ବସିବାର ଦୁଃସାହସ କରିବ ନାହିଁ । ଶିକ୍ଷକ ଅଭିମାନବଶ ହେଲେ ବା କର୍ତ୍ତବ୍ୟ-ଅକର୍ତ୍ତବ୍ୟର ଜ୍ଞାନ ହରାଇ କୁମାର୍ଗରେ ଗଲେ ତାକୁ ମଧ୍ୟ ଶାସନ କରିବାର ବିଧାନ ରାମାୟଣରେ (୨୧-୧୩ ଆ. କା.)ରେ ଅଛି । ତେଣୁ ଶିକ୍ଷକ କଦାପି ବିଦ୍ୟାଳୟରେ ରାଜା ହୋଇପାରିବ ନାହିଁ । ତା’ର ବିଦ୍ୟାର୍ଥୀ ମନ ଅନ୍ୟ ବିଦ୍ୟାର୍ଥୀମାନଙ୍କର ମନର ସହୋଦର ହୋଇପାରିବ । ଏହି ବିଦ୍ୟାର୍ଥୀ ମନହିଁ ବିଦ୍ୟାଳୟର ବିକାଶପଥ ଆବିଷ୍କାର କରି ଚାଲିବ ।

 

୧୭ । ୮ । ୫୬

 

ଫୁଲ କାହିଁକି ଫୁଟୁଚି ? ଦେଉଳର ପୂଜାରୀ କହିବ, ଦେବତାଙ୍କ ପାଖରେ ଲାଗି ହେବାକୁ ଫୁଲ ଫୁଟୁଚି । ସଂସାରରେ ମଣିଷର ସେବା ପାଇବ ବୋଲି ଭଗବାନ୍ ଫୁଲର ସୃଷ୍ଟି କରିଚନ୍ତି । ମହୁ ବେପାର କରୁଥିବା ବେପାରୀ କହିବ, ମହୁମାଛି ମହୁ ସଞ୍ଚିବା ଲାଗି ଫୁଲ ଫୁଟେ । ରସିକ କହିବ ବେକରେ ପକାଇବାକୁ ଫୁଲ ଫୁଟେ । ସଉକିନିଆ ବଡ଼ଲୋକ ହୁଏତ କହିବ, ବୈଠକଖାନାର ଟେବୁଲ ସୁନ୍ଦର ଦିଶିବାକୁ ଫୁଲ ଫୁଟେ । ଯିଏ ଯାହାର ପ୍ରୟୋଜନ ମତେ ବୁଦ୍ଧି ଖଟାଇ ଫୁଲ ଫୁଟିବାର କାରଣ ଖୋଜିବାକୁ ନିଶ୍ଚୟ ବାହାରି ପଡ଼ିବେ; କିନ୍ତୁ ଟିକିଏ ଭିତରକୁ ଭେଦି ବିଚାର କଲେ ଆମେ ପ୍ରତ୍ୟେକେ ଅତି ସହଜରେ କହିପାରିବା ଯେ କେବଳ କୌଣସି ପ୍ରୟୋଜନ ପୂରଣ କରିବା ଲାଗି ଫୁଲ ଫୁଟୁ ନାହିଁ । ଫୁଲ ଫୁଟୁଚି; ଆମେ ହୁଏତ ଆମର ପ୍ରୟୋଜନ ମତେ ତାକୁ କାମରେ ଲଗାଉଚୁ । କୌଣସି ପ୍ରୟୋଜନରେ ନ ଲାଗି ମଧ୍ୟ ଫୁଲ ଫୁଟୁଚି । ଫୁଟିବାର ଅନୁକୂଳ ବାୟୁମଣ୍ଡଳରେ ସ୍ତବକ ଭିତରୁ କଢ଼ର ପେନ୍ଥା ବାହାରି ପଡ଼ୁଚି, ଆପଣାର ସମୟ ନେଇ ସେଇ କଢ଼ ଫୁଲ ହୋଇ ଫୁଟୁଚି । ଯୋଉଠି ଅନୁକୂଳ ପରିସର ମିଳୁ ନାହିଁ, ସେଠି ଫୁଟିବା ଆଗରୁ କଢ଼ ଝଡ଼ି ପଡ଼ୁଚି ବା ଫୁଲ ରୋଗଣା ହୋଇଯାଉଚି । ସୃଷ୍ଟିରେ ନିତି ନିତି ଫୁଲ ଫୁଟାଇବାର ବିଚିତ୍ର କାର୍ଯ୍ୟକ୍ରମ ଯିଏ ରଖିଚି, ଫୁଲ ଫୁଟାଇବାର କାରଣ ହୁଏତ କେବଳ ତାହାକୁହିଁ ଜଣାଥିବ ।

 

ଆମ ପୃଥିବୀରେ ଏମିତି ଅନେକ ଦାମ୍ଭିକ ଲୋକ ଅଛନ୍ତି, ଯେଉଁମାନେ କି ମଣିଷକୁ ନେଇ ସଂସାରଟାକୁ ‘ଐସା କରେଙ୍ଗେ, ତୈସା କରେଙ୍ଗେ’ ବୋଲି ପ୍ରଚାର କରନ୍ତି । ଆଦର୍ଶ ମଣିଷକୁ ପ୍ରେରଣା ଦିଏ, ମଣିଷକୁ ଯୋଗ୍ୟରୁ ଯୋଗ୍ୟତା କରେ; କିନ୍ତୁ ଯୋଉଠି ଆଦର୍ଶକୁ ନିଜର ଜୀବନର ବାହାରକୁ ନେଇଯାଇ ମଣିଷ ତାକୁ ଗୋଟାଏ ସହଜ ତାବିଜ ପରି ବ୍ୟବହାର କରିବାର ଭ୍ରମରେ ପଡ଼ିଯାଏ, ସେଇଠି ସେ ଆଦର୍ଶର ଭୂତକୁ ନେଇ ନାନାପ୍ରକାର ସ୍ୱର୍ଣ୍ଣଲଙ୍କାର ସ୍ୱପ୍ନ ଦେଖେ-। ଏଇଠି ଆଦର୍ଶ ଅନ୍ଧବିଶ୍ୱାସରେ ରୂପାନ୍ତରିତ ହୋଇଯାଏ । ଅନ୍ଧବିଶ୍ୱାସୀ ରାଜନୀତିଜ୍ଞ ଏତେ ବରଷରେ ଲୋକଙ୍କର ଦୁଃଖ ମୋଚନ କରି ଦେବାକୁ ବାହାରେ । ଅନ୍ଧବିଶ୍ୱାସୀ ସାହିତ୍ୟିକ ବା ଶିଳ୍ପୀ ତା’ର ଆରାଧନାର ମନ୍ଦିରରେ ଗୋଟାଏ ନିର୍ଦ୍ଦିଷ୍ଟ ମାର୍କା ମାରି ଦିଏ ବା ଝଣ୍ଡା ଉଡ଼ାଇଦିଏ-। ଅନ୍ଧବିଶ୍ୱାସୀ ଶିକ୍ଷକ ଗୋଟାଏ ନିର୍ଦ୍ଦିଷ୍ଟ ସାମାଜିକ ଆଦର୍ଶର ପ୍ରତିଷ୍ଠା ଲାଗି ପିଲାଙ୍କୁ ମଣ କରିବାକୁ ଦମ୍ଭ କରେ । ସବୁ ପିଲାଙ୍କୁ ଏକାଠି ଗୋଟିଏ କାର୍ଯ୍ୟକ୍ରମ ଓ ଶିକ୍ଷଣପଦ୍ଧତିର ଚଟୁରେ ଜନ୍ତି ସେ ଆପଣାର ପ୍ରିୟ ସମାଜକୁ ଗଢ଼ିବାକୁ ବାହାରେ । ସଂସାରରେ ଦଳେ ମଣିଷ ଅଛନ୍ତି, ଯେଉଁମାନେ ବଞ୍ଚିବା ଅପେକ୍ଷା ବଞ୍ଚାଇବାର ଦୁଆ ଧରି ବୁଲିବାରେ ଭାରି ସାନ୍ତ୍ୱନା ପାଆନ୍ତି । ଯେଉଁମାନେ ବର୍ତ୍ତମାନକୁ ପାସୋରି ଭବିଷ୍ୟତ୍‍ର ବାନା ଧରି ବୁଲନ୍ତି, ଲୋକ ଭୁଲାଇବାର ଆଳ ଧରି ସେମାନେ ସଂସାରକୁ ବିପର୍ଯ୍ୟସ୍ତ କରିପକାନ୍ତି । ଏଇ କାଟର ମଣିଷ ଯୋଉ କ୍ଷେତ୍ରକୁ ଯାଆନ୍ତି, ସେ କ୍ଷେତ୍ରକୁ ବିପର୍ଯ୍ୟସ୍ତ କରି ପକାନ୍ତି । ରାଜନୀତି, ସାହିତ୍ୟ, ଧର୍ମ ବା ଶିକ୍ଷା–ଯାବତୀୟ କ୍ଷେତ୍ରରେ ସେମାନେ ସହଜ ପ୍ରବର୍ତ୍ତନର ବିଭୂତି ବାଣ୍ଟି ମଣିଷର ମୁଣ୍ଡ ଖାଇବାକୁ ଆସନ୍ତି; ମଣିଷକୁ ମାରିଦେଇ ସାମାଜିକ ଆଦର୍ଶର ହର୍ମ୍ୟ ଗଢ଼ିବାର ଦମ୍ଭରେ ସଂସାରକୁ ସନ୍ତପ୍ତ କରି ରଖନ୍ତି ।

 

ଆମେରିକାରେ ଆଜି ଗଣତନ୍ତ୍ରର ବାନା ଉଡ଼ୁଚି । ରୁଷିଆର କମ୍ୟୁନିଷ୍ଟବାଦର ବାନା ଉଡ଼ୁଚି । ଏହାଦ୍ୱାରା ଆମେରିକାର ମଣିଷ ଯଥାର୍ଥ ଗଣତନ୍ତ୍ରର ଆଦର୍ଶରେ ବା ରୁଷିଆର ମଣିଷ ଯଥାର୍ଥ କମ୍ୟୁନିଷ୍ଟବାଦର ଆଦର୍ଶରେ କେତେଦୂର ଆପଣାର ଜୀବନ ଓ ବିଚାରର ପରିବର୍ତ୍ତନ କରିପାରୁଚି, ଦୂର ଭବିଷ୍ୟତ୍ ତା’ର ଉତ୍ତର ଦେଇପାରିବ; କିନ୍ତୁ ଦୁଇ ଦେଶରେ ମଣିଷ ଅପେକ୍ଷା ଆଦର୍ଶ ଆଜି ବଡ଼ ହୋଇଚି । ଆଦର୍ଶର ଚାହିଦା ଓ କଟକଣା ଅନୁସାରେ ସେ ସବୁ ଦେଶରେ ମଣିଷକୁ କାଣ୍ଟଛାଣ୍ଟ କରି ତିଆରି କରିବାର ବେଶ୍ ପାଲା ଲାଗିଚି । ଧ୍ୱଜା ଉଡ଼ାଇ, ଦୁଆ ଦେଇ ବାହାରିଥିବା ଅନ୍ଧବିଶ୍ୱାସୀ ନେତାମାନେ ଏଥିରେ ଭାରି ଆତ୍ମପ୍ରସାଦ ପାଉଚନ୍ତି । ନୂଆ ଦେଶ ଇସ୍ରାଏଲରେବି ଏଇ ଆଦର୍ଶର ଉତ୍ତେଜନା ମଣିଷକୁ ଭାରି ଘାରିଚି । ସାମୂହିକ ଗାଁମାନଙ୍କରେ ସେ ଦେଶରେ ମଣିଷକୁ ଚରମ ଧେୟ ବୋଲି ଯେତେ ଗ୍ରହଣ କରାଯାଇ ନାହିଁ, ଆପଣା ଆପଣା ରାଜନୈତିକ ମତବାଦକୁ ତା’ଠାରୁ ଉଚ୍ଚତର ଧେୟ ବୋଲି ଧରି ନିଆଯାଇଚି । ମଣିଷ ଯେପରି ତା’ର ରାଜନୈତିକ ମତବାଦର ଅନୁଗ୍ରହରୁ ବଞ୍ଚିପାରିଚି । ଏହିପରି ଗୋଟାଏ ଖଣ୍ଡବିଶ୍ୱାସ ସେଠି ଶାସନ ଜମେଇଚି । ପରସ୍ପରର ଜୀବନରେ ସମଭାଗୀ ଓ ସହଯୋଗୀ ହୋଇ ରହିବାର ଯେଉଁ ସ୍ୱାଭାବିକ ପ୍ରବୃତ୍ତି ମଣିଷର ରହିଚି, ରାଜନୀତିକ ଆଦର୍ଶର ପ୍ରୟୋଜନ ଲାଗି ସେହି ପ୍ରବୃତ୍ତିକୁ ବେଶ୍ କାମରେ ଲଗାଯାଇଚି । ଆମେବି ଆମ ଦେଶରେ କିଛି କମ୍ ମାତିନାହୁଁ । କିଏ କହୁଚି, ଏଇ ପାଞ୍ଚବର୍ଷ ଭିତରେ ଆମ ଦେଶକୁ ଆମକୁ ଏମିତି କରି ଅବଶ୍ୟ ଗଢ଼ିବାକୁ ହେବ । ଏଥିଲାଗି ସ୍କୁଲ କଲେଜରେ ସବୁ ପିଲାଙ୍କୁ ଏମିତି ଛାଞ୍ଚରେ ତିଆରି କର । ଆଉ କିଏ କହୁଚି, ଆମର ସାମାଜିକ ଆଦର୍ଶ ଦେଶରେ ପ୍ରତିଷ୍ଠିତ ହେଲେ ଆଉ ଶୋଷଣ ରହିବ ନାହିଁ, ବିଷମତା ରହିବ ନାହିଁ, ଗାଁ ଗାଁରେ ଲକ୍ଷ୍ମୀ ବିରାଜମାନ କରିବେ । ତେଣୁ ସ୍କୁଲ ପିଲାମାନଙ୍କୁ ସେହିପରି ଆଦର୍ଶର ଚାହିଦା ଅନୁସାରେ ଗଢ଼ିବାକୁ ହେବ । ରୁଷିଆ, ଆମେରିକା, ଇସ୍ରାଏଲ ବା ଭାରତବର୍ଷ ଯୋଉଠି ଦେଖ, ଆଜି ସାଧାରଣତଃ ଏକ ନିର୍ଦ୍ଦିଷ୍ଟ ପ୍ରୟୋଜନର ପୂର୍ତ୍ତି ଲାଗି ଶିକ୍ଷାବ୍ୟବସ୍ଥାକୁ କାମରେ ଲଗାଯାଉଚି । ଆପଣା ଆଦର୍ଶର ଗୁଣି-ମନ୍ତ୍ର ବୋଲି ସବୁଠି ଆଜି ମଣିଷ ପିଲାକୁ ସାପ କରି ଖେଳାଯାଉଚି । ଦରକାର ପଡ଼ିଲେ ସେଥିଲାଗି ଶାସନର ପାଞ୍ଚଣ ମଧ୍ୟ ରୀତିମତ ବ୍ୟବହାର କରାଯାଉଚି ।

 

ମଣିଷ ଗଢ଼ିବାର ଶିକ୍ଷାରେ ଅମୁକ ଛାଞ୍ଚରେ ଗଢ଼ିବାର ଗ୍ୟାରେଣ୍ଟି କେହି ଦେଇପାରିବ ନାହିଁ । ଯିଏ ସେ ଭ୍ରମ କରିବ, ସେ ବାଟ ହୁଡ଼ିଚି ବୋଲି କହିବାକୁ ହେବ । ଯୋଉଠି ଆଦର୍ଶର ଅମୁକ ମାର୍କା ଛାଞ୍ଚ ଭିତରେ ମଣିଷର ଅପାଳକ ମନକୁ ଜୁଆଇ ରଖିବାର ଅପଚେଷ୍ଟା କରାଯାଉଚି, ସେଠି ସବୁ ଶିକ୍ଷାର ଅପଳାପ ହେଉଚି । ମଣିଷପିଲା ଏ ସଂସାରର ବଗିଚାରେ ଫୁଲ ପରି ଫୁଟି ଉଠିବାର ସୁବିଧା ପାଇବ; ସବୁ ଆଦର୍ଶ ସହିତ ତା’ର ନିର୍ମଳ ପରିଚୟ ହେବ; କିନ୍ତୁ ନାନାପ୍ରକାର ଦୁଆ ବୋଲି କୌଣସି ଗୋଟାଏ ଆଦର୍ଶକୁ ତା’ ଉପରେ ଲଦି ଦେବାକୁ ଚେଷ୍ଟା କଲେ ତାକୁ ଆମର ଅହଂକାରହିଁ କହିବାକୁ ହେବ । ଏପରି ହେଲେ ମଣିଷର ମନକୁ ଆମେ ପାକଳ କରିପାରିବା ନାହିଁ-। ଆପଣା ଉପରୁ ମଣିଷ ତା’ର ବିଶ୍ୱାସ ହରାଇ ବସିବ । ତା’ର ରାଜନୀତି, ଧର୍ମ, ତା’ର ଜୀବନଦର୍ଶନ–ସବୁ ବହିର୍ମୁଖ ହୋଇଯିବ । ସବୁ ଆଦର୍ଶ ଓ ସବୁ ଘଟନାକୁ ଗମ୍ଭୀରଭାବେ ବିଚାର କରି ଶିଖିବାକୁ ହେବ । ଆପଣା ବାଟ ଆପେ ଫିଟାଇବାର ବିଶ୍ୱାସ ଓ ଆତ୍ମନିର୍ଭରତା ରଖିବାକୁ ହେବ । ଏ ସଂସାରରେ ମଣିଷ ହେବାକୁ ହେଲେ ପ୍ରଥମେ ଏସବୁ ଦରକାର । ଏହିପରି ଯୋଗ୍ୟତା ଅର୍ଜନ କରିବାର ବାତାବରଣ ଓ ବିଶ୍ୱାସ ସୃଷ୍ଟି କରିବା ସବୁ ବିଦ୍ୟାଳୟର ପ୍ରଧାନ କର୍ତ୍ତବ୍ୟ ହୋଇ ରହିବା ଉଚିତ । ଏବେ ଗୋଟିଏ ଗ୍ରନ୍ଥର ମୁଖବନ୍ଧ ଲେଖିବାକୁ ଯାଇ ଆଇନ୍‍ଷ୍ଟାଇନ୍ ଏହି କଥା ସୂଚାଇ ଦେଇଛନ୍ତି–“ଗଣତନ୍ତ୍ରକୁ ସୁରକ୍ଷିତ କରି ରଖିବାଲାଗି ବିଦ୍ୟାଳୟମାନଙ୍କରେ ରାଜନୈତିକ ମତବାଦର ପ୍ରଚାର ହେବା ଆଦୌ ଆବଶ୍ୟକ ହେବ ନାହିଁ । ଗମ୍ଭୀର ମୋହଯୁକ୍ତ ଚିନ୍ତା କରିପାରୁଥିବା ଏବଂ ସାମାଜିକ ଦୃଷ୍ଟି ଅର୍ଜନ କରିଥିବା ମଣିଷ ତିଆରି କରିପାରିଲେ ପ୍ରତ୍ୟେକ ବିଦ୍ୟାଳୟ ତା’ର ଯଥେଷ୍ଟ କର୍ତ୍ତବ୍ୟ କରୁଚି ବୋଲି ମୁଁ କହିବି ।’’

 

କୌଣସି ଆଦର୍ଶକୁ ନେଇ ଅନ୍ଧ ହେବା ମଣିଷର ଧର୍ମ ନୁହେଁ । କୌଣସି ନିର୍ଦ୍ଦିଷ୍ଟ ଆଦର୍ଶକୁ ଆଣି ବିଦ୍ୟାଳୟର କାନ୍ଧରେ ଯୁଆଳି କରି ପକାଇବାର ସତ୍‍ଶିକ୍ଷାର ଧର୍ମ ନୁହେଁ । ଆମେ ଏହି ଅନ୍ଧ ହେବାରୁ ଆପଣାକୁ ବଞ୍ଚାଇବା । ଆମେ କୌଣସି ଅଲକ୍ଷ୍ୟ ବା ଉପଲକ୍ଷ୍ୟର ଦ୍ୱାହି ଦେଇ କଦାପି ଅନ୍ଧ ହେବା ନାହିଁ । ଦେଶପାଇଁ ନୁହେଁ, ଜାତିପାଇଁ ନୁହେଁ, ଭଗବାନ୍‍ଙ୍କ ପାଇଁ ମଧ୍ୟ ନୁହେଁ, ସବୁଠାରେ ସମୁଚିତ ବିଚାର ଗ୍ରହଣ କରିବା ଲାଗି ଆମ ମନର ଶତଦ୍ୱାର ଉନ୍ମୁକ୍ତ ହୋଇ ରହିବ । ସବୁଟିର ବିଚାରପୂର୍ଣ୍ଣ ମନ୍ଥନ କରିବାଲାଗି ଆମର ବୁଦ୍ଧି ଉନ୍ମୁକ୍ତ ହୋଇ ରହିବ । ସବୁକୁ ଉଚିତ ସମ୍ମାନ ଦେବାଲାଗି ଆମର ହୃଦୟ ମୋହମୁକ୍ତ ହୋଇ ରହିବ । ବିଚାରଦ୍ୱାରା ଆମର ଜୀବନର ରାସ୍ତା କାଢ଼ିବାଲାଗି ଆମେ ଆପଣାକୁ ପ୍ରସ୍ତୁତ କରି ରଖିବା ।

 

୨୦ । ୮ । ୫୬

 

ପାଠ ଆମେ ବାଧ୍ୟ ହୋଇ ପଢ଼ୁଚୁ । ସେଥିଲାଗି ପାଠଟା ଆମକୁ ବୋଝ ପରି ଲାଗୁଚି । କାମ ଆମେ ବେଠି ଖଟିଲାପରି କରୁଚେ, ତେଣୁ କାମଟା ଆମର ବୋଲି ମନେ ହେଉନାହିଁ ! ଜୀବନଟା ସତେ ଅବା ଆମେ ବାଧ୍ୟ ହୋଇ ବଞ୍ଚୁଚେ, ତେଣୁ ଆମର ଜୀବନ ଆମ ଉପରେ ବୋଝ ହୋଇ ରହିଚି । ଭୋଗ ଜୀବନ ନୁହେଁ, ଭୋଗ ଜୀବନର ଉଦ୍ଦେଶ୍ୟ ମଧ୍ୟ ନୁହେଁ । ଜୀବନର ଅଭାବ ଯୋଉଠି ଯେତେ ବେଶି, ଭୋଗର ଲାଳସା ସେଠି ମଣିଷକୁ ସେତିକି ଜର୍ଜର କରି ରଖିଚି । ଆନନ୍ଦହିଁ ଜୀବନର ଉଦ୍ଦେଶ୍ୟ, ଆନନ୍ଦହିଁ ଜୀବନର ସୁଆଦ । ବାଧ୍ୟ ହୋଇ କୌଣସି କାମ କଲାବେଳେ ଏହି ଆନନ୍ଦ ମଣିଷ ପାଇପାରେ ନାହିଁ । ତେଣୁ ଯାବତୀୟ ଅର୍ଜନ, ଉଦ୍ୟମ ଓ ସଞ୍ଚୟ ସତ୍ତ୍ୱେ ମଣିଷର ଜୀବନ ବୃଥା ହୋଇଯାଏ । ତା’ର ମାଟିରୁ ଜନ୍ମିଥିବା ଜୀବନ ମାଟି ହୋଇହିଁ ପଡ଼ିରହେ । ମାଟିରୁ ସାର ନେଇ ଆଲୁଅ ଓ ପବନରେ ଆପଣାକୁ ସମ୍ପ୍ରସାରିତ କରି ସେ ଫୁଟି ଉଠିପାରେ ନାହିଁ ।

 

ଭୋଗକୁ ଆମେ ଆମ ନୀରସ ଜୀବନର ସାର ସମ୍ପଦ କରି ରଖିବାକୁ ଭାରି ଲାଗିପଡ଼ିଚୁ । ଖାଉଚୁ ଆମେ ଏଇ ଭୋଗଲାଗି, ପୋଷାକ ପିନ୍ଧୁଚୁ ଏଇ ଭୋଗ ଲାଗି, ବିଦ୍ୟାଲାଭ କରିବାର ଆଡ଼ମ୍ବର କରୁଚୁ ହୁଏତ ଏଇ ଭୋଗଲାଗି । ଆଗେ ବିଦ୍ୟାଲାଭକୁ ଜୀବନର ଏକ ମହାର୍ଘ ସାଧନାରୂପେ ବିଚାର କରାଯାଉଥିଲା । ବିଦ୍ୟାର୍ଥୀ ବାଳକ ବା ବାଳିକାକୁ ସେହି ସାଧନାଲାଗି ସବୁ ପ୍ରକାରେ ପ୍ରସ୍ତୁତ ହେବାକୁ ପଡ଼ୁଥିଲା, ତେଣୁ ତା’ର ବିଦ୍ୟାଲାଭରେ ଯଥେଷ୍ଟ ମୂଲ୍ୟ ବା ମହତ୍ତ୍ୱ ଥିଲା-। ଆମେ ଯେଉଁମାନେ ବିଦ୍ୟାର୍ଥୀର ମୁଖା ପିନ୍ଧି ଏଠି ପହଞ୍ଚିଚେ, ଆମର ସେ ସାଧନା ଏଠି କାହିଁ-? ଆମ ଜୀବନର ଜଳାଶୟରୁ କେବଳ ଆମେ ଶକ୍ତିର ନିଷ୍କାସନ କରିହିଁ ଚାଲିଚେ, ସମୟର ନିଷ୍କାସନହିଁ କରି ଚାଲିଚେ । କିନ୍ତୁ ଯେ କୌଣସି ପ୍ରକାରେ କୌଣସି ଗୋଟାଏ ଉତ୍ତେଜନାର ବଶବର୍ତ୍ତୀ ହୋଇ ଆପଣାର ଶକ୍ତି ବା ସମୟର ନିଷ୍କାସନ କରିବାକୁ କେହି ସାଧନା ବୋଲି କହିବେ ନାହିଁ । ଆମେବି କହିବା ନାହିଁ । ଭୋଗୀର ମନ ନେଇ ଆମେ କୌଣସି ପ୍ରକାରର ବିଦ୍ୟାପୀଠରେ ପ୍ରବେଶହିଁ କରିପାରିବା ନାହିଁ । ଆମକୁ ଅର୍ଜନ କରିବାକୁ ହେବ, ସଞ୍ଚୟ କରିବାକୁ ହେବ, ସମୃଦ୍ଧ ଓ ବିକଶିତ ହେବାକୁ ହେବ । ଆତ୍ମବିଶୃଙ୍ଖଳା ଓ ଆତ୍ମନିର୍ମାଣଦ୍ୱାରା ଆମେ ସତତ ଅର୍ଜନ କରିବା-। ନାନା ସାଧନା ଭିତରେ ଆପଣାକୁ ସ୍ୱାଭାବିକ ଭାବରେ ଧରା ଦିଆଇ ଆମେ ସତତ ସଞ୍ଚୟ କରିବା,– ଆପଣାର ବାଟ ଆପେ ଖୋଜି ବାହାର କରିବାର ତପସ୍ୟାକୁ ଗ୍ରହଣ କରି ଆମେ ସମୃଦ୍ଧ ଓ ବିକଶିତ ହୋଇ ଉଠିବା । ଯୋଉଠି ସତତ ଅର୍ଜନ ଓ ସଞ୍ଚୟ ଚାଲିଚି, ଯୋଉଠି ନିତି ନାନା କ୍ଷେତ୍ରରେ ଫୁଟି ଉଠିବାର ପ୍ରଣାଳୀଟିକୁ ସ୍ୱଭାବଗତ କରି ନିଆଯାଇପାରିଚି, ସେଇଠି ମଣିଷ ଯଥାର୍ଥ ବିଦ୍ୟାଲାଭ କରୁଚି । ଯୋଉଠି ସବୁ ବିଦ୍ୟାଲାଭର ମୁଖାତଳେ ଭୋଗୀ ମନ ଅଳସୁଆ ଶରୀରର ପଞ୍ଜୁରୀ ଭିତରେ ଜଡ଼ସଡ଼ ହୋଇ ପଡ଼ିଚି, ସେଠି ସହସ୍ର ଆଡ଼ମ୍ବର ସତ୍ତ୍ୱେ କୌଣସି ବିଦ୍ୟାର୍ଜନ ହେଉ ନାହିଁ । ଆନନ୍ଦ ଲାଗି ସେଠି ସବୁ ଦୁଆର ବନ୍ଦ ହୋଇ ରହିଚି; ବୁଦ୍ଧିବିତ୍‍ର ନାନା ଆଇନଦ୍ୱାରା ହୃଦୟର ମୁହଁ କିଳା ହୋଇ ପଡ଼ିଚି ।

 

ଏ ଜଙ୍ଗଲଟାକୁ ବିଦ୍ୟାଳୟ କହିବା ପୂର୍ବରୁ ଆଗ ଆମକୁ ବିଦ୍ୟାର୍ଥୀ ହେବାକୁ ପଡ଼ିବ । ପାଠ ପଢ଼ିବାର ମୁଖା ପିନ୍ଧି ନୁହେଁ, ସାଧନାମୂଳ ଜୀବନବାଟକୁ ଆପଣାର ବାଟ ବୋଲି ବାଛିନେଇ ପାରିଲେ ଆମେ ବିଦ୍ୟାର୍ଥୀ ହେବାର ଯୋଗ୍ୟତା ଅର୍ଜନ କରିପାରିବା । ଭୋଗ ବା ବାଣିଜ୍ୟକୁ ଛାଡ଼ି ଆନନ୍ଦକୁ ଆମର ଧେୟ ବୋଲି ଗ୍ରହଣ କରି ପାରିଲେ ଆମେ ଯଥାର୍ଥ ବିଦ୍ୟାର୍ଥୀ ବୋଲାଇ ପାରିବା-। ମୂଲିଆ ଏ ଦେଶରେ ନିତି କାମ କରୁଚନ୍ତି; କିନ୍ତୁ ସେ କାମରେ ଆନନ୍ଦ ନାହିଁ । କାରଣ ସେମାନେ ବାଧ୍ୟ ହୋଇ କାମ କରୁଚନ୍ତି । କାମ ନ କଲେ ଉପାସ ରହିବାକୁ ପଡ଼ିବ ବୋଲି ସେମାନେ ମୂଲ ଲାଗୁଚନ୍ତି ମାତ୍ର । ଆମର କାମକୁ ମୂଲିଆର ମୂଲ ଲାଗିବା ସହିତ ତୁଳନା କଲେ ଆମେ ଭାରି ଭୁଲ୍ କରିବା । କାମ ନ କଲେ ଉପାସରେ ରହିବାର ଭୟ ଆମର ନାହିଁ । ଆମ କାମ ଆମ ଶିକ୍ଷାର ଗୋଟିଏ ଅଙ୍ଗ । ଏହି କାମ ଜରିଆରେ ଆମେ ଜୀବନର ପ୍ରତ୍ୟକ୍ଷ ସମ୍ପର୍କରେ ଆସିବା-। ଆପଣା ହାତରେ ଆମ ସାଧନାରୁ କିଛି ସୃଷ୍ଟି କରିବାର ନିର୍ମଳ ଅନୁଭୂତି ଆମର ହୋଇପାରିବ-। ଆମ ଶରୀରକୁ ଆମେ ମନର ଅଧୀନ କରି ରଖିବା । ଶରୀରର ଅଳସୁଆମୀ ଆମର ମନ ଉପରେ କୌଣସି ପ୍ରକାର ଅଶୋଭନୀୟ ପ୍ରଭୁତ୍ୱ ଦେଖାଇ ପାରିବ ନାହିଁ; ଏଇଥିଲାଗି ଆମେ ଏଠି କାମ କରୁଚୁ । ଏଇଥିଲାଗି କାମ ଆମ ଶିକ୍ଷାକ୍ରମର ଅନ୍ତର୍ଗତ ହୋଇ ରହିଚି । ଏହି କାମ ଜରିଆରେ ବିଦ୍ୟାଳୟର ନିକଟତର ସମ୍ପର୍କକୁ ଆସି ବିଦ୍ୟାଳୟକୁ ନିଜର ବୋଲି ମନେ କରୁଚୁ-। ତେଣୁ ଏଠି ସବୁ ମଣିଷ ମଧ୍ୟ ଆପଣାର ପରି ଲାଗୁଚନ୍ତି । ଏ ନିର୍ମଳ ଆକାଶ ଆଉ ପବନ ଭିତରେ ବଢ଼ି ଆମେ ମଣିଷକୁ ଆପଣାର ଶତ୍ରୁ ପରି ନୁହେଁ, ବନ୍ଧୁ ପରି ଦେଖି ଶିଖୁଚେ-। ଏ ଛୋଟିଆ ସମାଜରେ ନାନା ଦାୟିତ୍ୱ ତୁଲାଇ ଆମେ ପରସ୍ପରର ଅତି ଆପଣାର ହୋଇଯାଉଚୁ-। ସାରା ସଂସାର ଲାଗି ଆପଣା ଜୀବନକୁ ପ୍ରଶସ୍ତ କରି ରଖିପାରିବାର ସାହସ ଓ ଶ୍ରଦ୍ଧା ଆମେ ଏହାରିଦ୍ୱାରାହିଁ ଅର୍ଜନ କରୁଚେ-। ଆମ ଦେଶରେ କାମକୁ ଘୃଣା କରି ମଣିଷ ମଣିଷକୁ ଘୃଣା କରୁଚି-। ଧନୀ ମଣିଷ ଦରିଦ୍ର ଠାରୁ ଦୂରେଇ ରହୁଚି । ପାଠୁଆ ଅପାଠୁଆକୁ ଅନାଦର କରୁଚି । ଆମେ କାମକୁ ଭଲପାଇ ମଣିଷକୁ ଭଲପାଇ ଶିଖିବା । ଆମ ଶିକ୍ଷାର ସୌରଭକୁ ସମାଜର ସବୁରି ସମ୍ପଦରେ ପରିଣତ କରି ଶିଖିବା । ମଣିଷ ସହିତ ନିଜକୁ ନାନା ଡୋରିରେ ବାନ୍ଧି ଜୀବନକୁ ସରସ କରି ଶିଖିବା; କିନ୍ତୁ କାମକୁ ଯେତେ ଦିନଯାଏଁ ଆମେ ବେଠି ପରି ମନେ କରୁଥିବା, ସେତେ ଦିନଯାଏଁ କାମରୁ ଆମେ କୌଣସି ରସ ପାଇପାରିବା ନାହିଁ; ଆମର ନିକୃଷ୍ଟ ଜୀବନ-ସ୍ତରକୁ ଆମେ କଦାପି ଉପରକୁ ଉଠାଇ ପାରିବା ନାହିଁ-

 

କାମରେ ଯେମିତି, ପାଠରେ ମଧ୍ୟ ସେମିତି । ଆମ ପାଠ ଆମକୁ ଅଧିକରୁ ଅଧିକ ଆନନ୍ଦ ଦେଇଯାଉ । ଖୁସି ହୋଇ ଆମେ ପାଠ ପଢ଼ିଶିଖେ । ପାଠ ପଢ଼ିବାର ପଛରେ ଆଉ କୌଣସି ପ୍ରୟୋଜନ ରହିବା ଉଚିତ ନୁହେଁ । ଆନନ୍ଦହିଁ ଏହାର ସର୍ବପ୍ରଧାନ ପ୍ରୟୋଜନ ହୋଇ ରହୁ-। ଭୋଗ ବା ଅନ୍ୟ କୌଣସି ମନ୍ଦ ଲାଳସା ଆମ ପାଠ ପଢ଼ିବାର ପ୍ରବୃତ୍ତିକୁ ମାରି ନ ଦେଉ-। କୌଣସି ପ୍ରକାର ମୁଖାର ଆଶ୍ରୟ ନେଇ ଆମେ ଯେପରି ବିଦ୍ୟାର୍ଜନର ଆନନ୍ଦରୁ ବଞ୍ଚିତ ନ ହେଉ-। ଯୋଉଦିନ ଆନନ୍ଦକୁ ଆମେ ଆମ ବିଦ୍ୟାଲାଭର ସରଣି ବୋଲି ମାନିନେବା, ସେହିଦିନ ଆମ ଜୀବନର ସକଳ ଦୃଷ୍ଟି ବଦଳିଯାଇ ପାରିବ । ସେଦିନ ଜୀବନର ଶତଦ୍ୱାର ଖୋଲିଯିବ । ସବୁ ଗଣ୍ଠି ସେଦିନ ଫିଟିଯିବ । ଏ ଗଛ, ପତ୍ର, ଆଲୁଅ ଆଉ ଆକାଶ ସେଦିନ ଅନ୍ୟ ପ୍ରକାର ଦେଖାଯିବ । ଏ ପବନର ପରଶ ସେଦିନ କେଉଁ ଅଦୃଶ୍ୟ ଶକ୍ତିର ଆଶ୍ୱାସନା ପରି ବୋଧ ହେବ । ଏ ସଂସାର ସେଦିନ ବିଧାତାର ଆଶୀର୍ବାଦ ପରି ମନେ ହେବ । ସେଦିନ ସବୁ ମଣିଷ ଆମକୁ ଭଲ ଲାଗିବେ । ସବୁ ମଣିଷ ଭିତରକୁ ସେଦିନ ଆମେ ସମ୍ପ୍ରସାରିତ ହୋଇଯାଇ ପାରିବା । କାହାରିଠାରୁ ଡରି, ସଙ୍କୋଚ କରି, ପଳାଇବା ଲାଗି ଆଉ ଆମେ କୌଣସି ଅବକାଶ ପାଇବା ନାହିଁ । ସେହି ଦିନହିଁ ଆମର ବିଦ୍ୟାଲାଭ ସାର୍ଥକ ହେବ । ଆମର ବିଦ୍ୟାର୍ଥୀ ମନକୁ ସମ୍ଭାଳି ରଖି ସେଦିନ ଏ ବିଦ୍ୟାଳୟ ଧନ୍ୟ ହେବ । ଆମେ ସମସ୍ତେ ଏହି ଆନନ୍ଦର ସାଧନାକୁ ଜୀବନର ସାଧନା ବୋଲି ଗ୍ରହଣ କରିନେବା । ତାହାହେଲେ ଏ ଜୀବନଟା ଆଉ ବୋଝପରି ଲାଗିବ ନାହିଁ । ଏ ପାଠ ଆଉ ବୋଝପରି ଲାଗିବ ନାହିଁ, କି ଏ କାମ ଆଉ ବୋଝ ପରି ଲାଗିବ ନାହିଁ । ଆମର ନବଜନ୍ମର ଅନୁପ୍ରେରଣାରେ ଏ ବିଦ୍ୟାଳୟରବି ନୂଆ କଳେବର ହୋଇଯିବ ।

 

୨୧ । ୮ । ୫୬

 

ତାନ୍ତ୍ରିକ ଯୋଗୀମାନଙ୍କର ସାଧନାରେ ଶବ-ସାଧନାକୁ ଗୋଟିଏ ମାର୍ଗ ବୋଲି ଧରାଯାଇଚି । ବର୍ତ୍ତମାନ ଅବଶ୍ୟ ଏଇ ଶବ-ସାଧନାକୁ ନେଇ ଅନେକେ ଅନେକ ପ୍ରକାରର କ୍ଳିଷ୍ଟ ଅର୍ଥ କରନ୍ତି । ଅନେକ ତଥାକଥିତ ସାଧକ ଏହାକୁ ଆକ୍ଷରିକ ଅର୍ଥରେ ଗ୍ରହଣ କରି ଧର୍ମ ମାର୍ଗରେ ଅନେକ ଭ୍ରଷ୍ଟତା ପୂରାଇ ଦେଇଚନ୍ତି । ଶବ ଅର୍ଥାତ୍ ମଲା ଦେହ ଉପରେ ବସି ସାଧନା ନ କଲେ ଶକ୍ତି ପ୍ରସନ୍ନ ହେବେ ନାହିଁ; ତେଣୁ ଆମ ଦେଶରେ ଅନେକ ସାଧକ ଶବ ଖୋଜିବାକୁ ମଶାଣିକୁ ଯାଆନ୍ତି । ଧର୍ମକୁ ଆକ୍ଷରିକ ଅର୍ଥରେ ଗ୍ରହଣ କରି ଯୁଗେ ଯୁଗେ ଯେଉଁ ବ୍ୟଭିଚାର ଓ ଶକ୍ତିର ଅପଚୟ ଘଟିଚି, ଏ କ୍ଷେତ୍ରରେ ମଧ୍ୟ ତାହାହିଁ ହୋଇଚି । ଭାଷାର୍ଥ ପଛରେ ନିହିତ ରହିଥିବା ବ୍ୟଞ୍ଜନାର୍ଥ ଖୋଜିବାର ସଦ୍‌ବୃତ୍ତି ଆମର ଥିଲେ ଧର୍ମ ହରାଇବାର ହରବରରେ ଆମେ ଆଦୌ ପଡ଼ୁ ନ ଥାନ୍ତେ ।

 

ଶବର ସାଧନା ଅର୍ଥାତ୍ ପୁରାତନର ସାଧନା; ପୁରୁଣାର ସମର୍ପଣ-ବେଦୀ ଉପରେ ନୂଆକୁ ଅର୍ଜନ କରିବାର ସାଧନା । ଆମର ସଂସ୍କାର, ଆମର ଇତିହାସ, ଆମର ବଦ୍ଧବିଚାର–ଏସବୁ ହେଉଚି ଆମର ପୁରାତନ । ଏହି ପୁରାତନକୁ ଯିଏ ଗଣ୍ଠି କରି ରଖିବ, ପୁରାତନର ଅର୍ଜନକୁ ଲୋଭରେ ଯିଏ କାନିରେ ବାନ୍ଧି ରଖିବ, ତା’ର ବିକାଶ ସେଇଠି ବନ୍ଦ ହୋଇଯିବ, ସେଇଠି ସିଏ ଅଟକି ଯିବ । ଖାଲି ପୁରାତନକୁ ଆବୋରି ଧରି କେହି ଶକ୍ତିମାନ୍ ହୋଇପାରିବ ନାହିଁ । ଆପଣାର ଅର୍ଜନକୁ ଆହୁରି ଉଚ୍ଚତର ଅର୍ଜନ ଲାଭ କରିବାର ସାଧନାରେ ଲଗାଇବାକୁ ହେବ । ଆପଣାର ସଂସ୍କାରକୁ ସଂସ୍କାରମୁକ୍ତ ହେବାର ସାଧନାରେ ଲଗାଇବାକୁ ହେବ । ଆପଣାର ବିଦ୍ୟାକୁ ଉଚ୍ଚତର ବିଦ୍ୟାର ସାଧନାରେ ଲଗାଇବାକୁ ହେବ । ପୁରାତନକୁ ଯିଏ ବର୍ତ୍ତମାନର ଜୀବନ-ସାଧନାରେ ପରିପୂର୍ଣ୍ଣ କରି ଲଗାଇ ପାରିବ, ତାହାରି ଶକ୍ତି ଉତ୍ତରୋତ୍ତର ବଢ଼ି ଚାଲିବ । ନିତି ସେ ନୂତନ ଓ ନିର୍ମଳ ହୋଇ ଚାଲିଥିବ । ତାହାରି ଜୀବନହିଁ ଉଜ୍ଜ୍ୱଳ ହେବ । କାଲିର ସଞ୍ଚୟକୁ ମୁଁ ଆଜିର ଅର୍ଜନ ଲାଗି ଲଗାଇ ଶିଖିବି, ଆଜିର ଅର୍ଜନ ପୁଣି କାଲିର ସଞ୍ଚୟ ହୋଇ ମୋତେ ନୂତନ ଅର୍ଜନ ଲାଗି ପ୍ରେରିତ କରିବ । ମୋର ଜ୍ଞାନକୁ ମୁଁ ସିନ୍ଦୁକରେ ବନ୍ଦକରି ରଖିବି ନାହିଁ । ସବୁ କ୍ଷେତ୍ରରେ ତାକୁ ମୁଁ ଆହୁରି ଜ୍ଞାନ ହାସଲ କରିବାରେ ଯେପରି ଲଗାଇପାରେ, ସେଥିଲାଗି ତତ୍ପର ରହିବି । ମୋର ବିଦ୍ୟା ବା ବିଚାରର ଚାରିପାଖରେ ବନ୍ଧ ଦେଇ ମୁଁ ଆପଣାକୁ ଜଳାଶୟ କରି ପକାଇବି ନାହିଁ । ମୋର ବିଦ୍ୟା ଓ ବିଚାର ମୋତେ ଅଧିକତର ବିଦ୍ୟା ଓ ବିଚାରମୟ ଜୀବନରେ ପ୍ରବୃତ୍ତ କରାଇପାରିବ । ଏହିପରି ଦେଖିଲେ ସାଧନାକୁ କେବଳ ଅନନ୍ତ ବୋଲି କୁହାଯାଇ ପାରିବ । ଏହାର ଶେଷ ନାହିଁ । ଆଜିର ସାଧନା ଯାହା ମୋତେ ଆଣିଦେଲା, ତାକୁ ମୁଁ ପାଥେୟ କରି କାଲିର ସାଧନାରେ ବାହାରିବି । ତେବେ ଯାଇ ମୋର ସାଧନା ମୋତେ ଶକ୍ତିମାନ୍ କରିପାରିବ । ତାହାହେଲେ ମୋର ବିଚାର ଏକ କୁତ୍ସିତ ସଂସ୍କାର ହୋଇ ମୋତେ ବାନ୍ଧିପାରିବ ନାହିଁ । ଯୋଉ ସାଧନା ମଣିଷକୁ ନିତି ସମୃଦ୍ଧ କରାଏ, ନିତି ତାକୁ ନବ ନବ ପଥରେ ଯିବାର ଅଦମ୍ୟ ଉତ୍ସାହ ଦେଇଯାଏ, ସେହି ହେଉଚି ଯଥାର୍ଥ ସାଧନା । ଆପଣାକୁ, ଅର୍ଥାତ୍ ଆପଣାର ସମସ୍ତ ସଂଗ୍ରହ ଓ ଅର୍ଜନକୁ ଶବରୂପେ ସଜାଇ ଦେଇପାରିଲେ ଯାଇ ମଣିଷ ସତତ ଆଗେଇ ଯାଇପାରିବ । ଶବ-ସାଧନାର ଏହି ତାତ୍ପର୍ଯ୍ୟଟି ଆମେ କଦାପି ଭୁଲିଯିବା ନାହିଁ ।

 

ଏଠିକାର ବିଦ୍ୟାର୍ଥୀ ଏହି ଶବ-ସାଧନାକୁ ଆପଣା ସାଧନାର ଅଙ୍ଗରୂପେ ଗ୍ରହଣ କରୁ । ଆମ ବିଦ୍ୟାଳୟର ଦ୍ୱିତୀୟ ଜନ୍ମଦିନ ବିଷୟରେ ଭାବୁ ଭାବୁ କାଲି ହଠାତ ମୋ ମନରେ ଏହି କଥା ଉଠିଲା । ଶବ-ସାଧନା ଆଦୌ ସହଜ ସାଧନା ନୁହେଁ । ଏଥିଲାଗି ପ୍ରସ୍ତୁତ ହେବାକୁ ହେଲେ ଆମକୁ କେତେକ ଶୃଙ୍ଖଳାକୁ ସ୍ୱୀକାର କରିବାକୁହିଁ ପଡ଼ିବ । ମୁଁ କାଲି ଯାହା ଥିଲି, ଆଜି ସେପରି ରହିବି ନାହିଁ; ବିକାଶର ବହୁମୁଖୀ ପଥରେ ମୁଁ ଅବଶ୍ୟ ଆଗକୁ ଯିବି–ଏହିପରି ଏକ ମନ୍ତ୍ରର ମନନ ଆମକୁ କରିବାକୁ ପଡ଼ିବ । ନିଜକୁ ସାଧାରଣଙ୍କ ଭିତରେ ଜଣେ ବୋଲି ଧରିନେଇ ଆମେ ଗୋଟାଏ ପ୍ରକାର ସାନ୍ତ୍ୱନା ପାଉ, ଆପଣାର ଦୁର୍ବଳତାକୁ ଘୋଡ଼ାଇ ରଖୁ । ଏକାଦିନକେ ମୁଁ କ’ଣ ବଦଳି ପାରିବି, ମୁଁ କ’ଣ ସଂସାରରୁ ବାହାର; ଏହିପରି ନାନା କଥା ଆମ ପାଟିରୁ ବାହାରି ଥାଏ । ପରିବର୍ତ୍ତନ ଲାଗି ଯେତେବେଳେ ଆମର ସ୍ପୃହା କମିଯାଏ, ଯେତେବେଳେ ପରିଚିତର ଆଶ୍ରୟ ଛାଡ଼ିଯିବାକୁ ଆମକୁ ଭୟ ଲାଗେ, ସେତିକିବେଳେ ଆମେ ଏକଥା କହୁ, ସଂସାରରେ ଗତିହୀନ ହୋଇ ପଡ଼ିରହିଥିବା ଆଉ ହଜାର ମେଳରେ ଆପଣାକୁ ନେଇ ମିଶାଇ ଦେଉ । ତାହାରି ଫଳରେ ଆମେ ଆମର ଦୁଆର ନିଜେ ବନ୍ଦ କରିଦେଉ, ଆପଣା ବାଟ ମୁହଁରେ ଆମେ ନିଜେ ପଥର ପକାଇ ଦେଉ ।

 

କେବଳ ସବଳ ହୋଇପାରିଲେହିଁ ଆମେ ଶବ-ସାଧନାର ଯୋଗ୍ୟ ହୋଇପାରିବା । ‘ନାୟମାତ୍ମା ବଳହୀନେନ ଲଭ୍ୟଃ’–ଦୁର୍ବଳ ଭାଗ୍ୟରେ କେବଳ ଆପଣାକୁ ହରାଇ ବସିବାର ଦୁର୍ଭାଗ୍ୟ । ବରାଦ ହୋଇ ରହିଚି । ଏ ବିଦ୍ୟାଳୟର ବିଦ୍ୟାଲାଭ ଆମର ଦୁର୍ବଳତା ହରଣ କରିନେଉ, ଆମକୁ ପ୍ରତ୍ୟେକ ଦିନ ଓ ପ୍ରତ୍ୟେକ କ୍ଷେତ୍ରରେ ସାଧନା ଲାଗି ଶକ୍ତିଶାଳୀ କରି ସଜାଇ ଦେଉ । ମୋର ପୁରୁଣା ବିଚାର, ପୁରୁଣା ମନ ଓ ପୁରୁଣା ସଂସ୍କାରକୁ ମୁଁ ନୂଆକୁ ପାଇବାର ସାଧନାରେ ଶବକରି ସଜାଇ ଦିଏ, ପୁରୁଣାକୁ ଆବୋରି ଧରିବାର ଜଳାଶୟକୁ ଜଳସ୍ରୋତ ବୋଲି ଭ୍ରମ କରିବାର ଦୁର୍ବୁଦ୍ଧି ଯେପରି ମୋର କୌଣସି ଦିନ ନ ହୁଏ–ଏହିପରି ବିଶ୍ୱାସ ଯିଏ ରଖିପାରିବ, ଏହିପରି ସଂକଳ୍ପ ଯିଏ କରିପାରିବ, ସାଧାରଣ ମଣିଷଙ୍କ ପରି ଏକା ରକ୍ତମାଂସ ଓ ହାଡ଼ରେ ଗଢ଼ାହେଲେ ମଧ୍ୟ ସେ ତା’ର ଆପଣା ଜୀବନର ସାଧନାକୁ ଅସାଧାରଣ କରିପାରିବ; ତା’ର ଆପଣା ଜୀବନର ପରିପୂର୍ଣ୍ଣତାର ପରିଚୟ ସେ ପାଇପାରିବ ।

 

ଯିଏ ପୁରୁଣାକୁ ଜାବୁଡ଼ି ଧରି ପଡ଼ିଥାଏ, ପୁରୁଣା ଆଳସ୍ୟ ଓ ପୁରୁଣା ଭ୍ରମକୁ ଯିଏ ଯୁକ୍ତି ଦେଇ ପୁଷ୍ଟ କରିବାର ଫନ୍ଦି ପାଞ୍ଚେ ତା’ର ଦୃଷ୍ଟିକୁ ସେ ଏକ ଅସ୍ୱାଭାବିକ ଫାନ୍ଦରେ ପକାଇ ଦିଏ; ଅନେକ ଜଟିଳତାରେ ସେ ଆପଣାର ସ୍ପଷ୍ଟ ପଥକୁ ଆକୀର୍ଣ୍ଣ କରିଦିଏ । ଆମେ ଏ ବାଟରେ ଯିବାନାହିଁ । ସଂସାରରେ ଅନେକ ଜାଗାରେ ଅନେକଙ୍କୁ ଏହି ପୁରୁଣା ସଂସାରକୁ ଧରି ପଡ଼ିରହିବାର ମୋହ ଘାରି ରହିଚି । ପୁରୁଣା ସଂସ୍କାରରେ ମଣିଷକୁ ମଣ କରାଇବାକୁ ଅନେକ ପୁରାତନବାଦୀ ପଣ୍ଡିତ ଉଚିତ ଶିକ୍ଷାବୋଲି କହୁଚନ୍ତି । ବିକଶିତ ହେବାର କୁହୁକ ସ୍ପର୍ଶ ସେମାନେ ପାଇନାହାନ୍ତି । ସେଥିଲାଗି ଆପଣାର ସବୁ ସଂସ୍କାରକୁ ଶବରୂପେ ସଜାଇ ଦେଇ ନୂଆ ହେବାର ସାଧନା କରିବାକୁ ସେମାନଙ୍କୁ ଏତେ ଭୟ ଲାଗୁଚି । ଆମେ ଭୟ କରିବା ନାହିଁ, ଆମର ସଂସ୍କାରକୁ ଆମେ ଆମକୁ ଛନ୍ଦି ରଖିବାକୁ ଦେବାନାହିଁ । ଏ ଜୀବନର ଅନ୍ତ ନାହିଁ । ଏ ସାଧନାର ଅନ୍ତ ନାହିଁ, ତେଣୁ ଏ ବିଦ୍ୟାର ଅନ୍ତ ନାହିଁ । ଏଠି ଆମେ ଚାରିବର୍ଷ ରହିବା; କିନ୍ତୁ ଏଠିକାର ସାଧନା ଯେପରି ଚାରି ବରଷରେ ଖତମ୍ ହୋଇ ନ ଯାଏଁ । ନୂଆ ଗଛ ବଢ଼ି ପୁରୁଣା ହୁଏ । ପୁଣି ସେ ବୀଜ ହୋଇ ନୂଆ ଅନେକ ଗଛର ସୃଷ୍ଟି କରେ । ଆମର ବିଦ୍ୟା ସେହିପରି ଆମ ଜୀବନର ନାନା କ୍ଷେତ୍ରରେ ବୀଜବପନ କରି ଚାଲିଥାଉ । ଆମର ଅର୍ଜନ ଶବହୋଇ କାଲିର ସୃଷ୍ଟି ଲାଗି ପ୍ରାର୍ଥନା କରୁ । ଆମର ମଙ୍ଗଳ ହେଉ ।

 

୨୨ । ୮ । ୫୬

 

କାଲି ଶବ ହେବାର ସାଧନା କରିବା ବିଷୟରେ ଲେଖିଥିଲି । ଆଜି ଶିବ ହେବାର ସାଧନା କଥା ମନେ ପଡ଼ୁଚି । ଶବ ଉପରେ ଶକ୍ତିର ସଞ୍ଚାର ହେଲେ ତାହା ଶିବରେ ପରିଣତ ହୁଏ–ଶଙ୍କରାଚାର୍ଯ୍ୟ ଏହି କଥା କହିଚନ୍ତି । ଶିବ କହିଲେ ସାଧାରଣତଃ ଆମେ ମହାଦେବଙ୍କୁ ବୁଝୁ । ସାହିତ୍ୟର ଭାଷାରେ ମଙ୍ଗଳକୁ ଶିବ କୁହାଯାଏ । ଶିବଙ୍କର ସାଧନା କହିଲେ ହୁଏତ ମହାଦେବଙ୍କର ବିଭୂତି-ଭୂଷଣ ରୂପ ଆମର ମନେପଡ଼ି ଯାଏଁ । ଦେହସାରା ବିଭୂତି ବୋଳା ହୋଇଚି । ପରିଧାନ ବୋଲି ଖଣ୍ଡେ ମାତ୍ର ବାଘଚମ, ମୁଣ୍ଡ ଉପରେ ଅସଂବୃତ ଜଟାଜୂଟ ପ୍ରଳୟର ତରଙ୍ଗ ପରି ଉଡ଼ୁଚି । ବିଦ୍ୟାର୍ଥୀ ପୁଣି ଶିବ-ସାଧନା କ’ଣ କରିବ ?

 

ଶିବ-ସାଧନା ଶବ-ସାଧନାର ପରିପୂରକ ସାଧନା । ଶିବ-ସାଧନା ସବୁ ବାଧା ଭାଙ୍ଗି ଜୀବନ-ବାଟର ନିର୍ଦ୍ଦେଶ ଦିଏ । ଶିବ ସାଧନା ଏହି ଜୀବନର ବାଟ ଚାଲିବାକୁ ଗୋଟାଏ ସାର୍ଥକ ଓ Positive ରୂପ ଦେଇଯାଏ । ଏ ଜୀବନରେ ଯାହା କିଛି ପୁରୁଣା ରହିଚି, ଯାହା କିଛି ସଂସ୍କାର ଆମେ ସାଇତି ରଖିଚୁ, ସବୁଟିକୁ ଅର୍ଘ୍ୟ ଓ ନୈବେଦ୍ୟ କରି ସଜାଡ଼ି ଦେବାକୁ ପଡ଼ିବ । ସବୁ ଅହଂକାର ଓ ଅଭିମାନ ସେଇ ନୈବେଦ୍ୟରେ ଧୂପ ହେବ । ଆପଣାକୁ ବଡ଼ କରିବାର ସବୁ ଲାଳସା ସେଠି ଦୀପଶିଖା ହୋଇ ଜଳି ଉଠିବ । ତେବେ ଯାଇ ଜୀବନର ଅଭ୍ୟୁଦୟ ହେବ । ନୂତନ ଜୀବନର ପତ୍ତନ ପଡ଼ିବ । ଆପଣା ଜୀବନଲାଗି ନିଜସ୍ୱ ବାଟର ସନ୍ଧାନ ମିଳିବ । ସେଇଠି ଶିବ-ସାଧନାର ଆରମ୍ଭ ହେବ । ଏ ଜୀବନରେ ଅର୍ଜନ କରି ରଖିଥିବା ଏତେ ଶକ୍ତି ଆମେ କାହାକୁ ଦେବା ? ଆମର ଶରୀରଶକ୍ତି, ମନଃଶକ୍ତି ଓ ଜ୍ଞାନଶକ୍ତି ଆମେ କାହା ଉଦ୍ଦେଶ୍ୟରେ ଅର୍ପଣ କରିଦେବା ? ପୁରାକାଳର ଋଷିମାନେ ଉପନିଷଦ୍‍ରେ ଆପଣାକୁ ଠିକ୍ ଏଇ ପ୍ରଶ୍ନ ପଚାରିଥିଲେ–‘କସ୍ମୈ ଦେବାୟ ହବିଷା ବିଧେମ’–କେଉଁ ଦେବତାର ଉଦ୍ଦେଶ୍ୟରେ ଆମର ହବି ଓ ଅର୍ଘ୍ୟ ଉଦ୍ଦିଷ୍ଟ ହେବ ?

 

ଜୀବନର ଯଜ୍ଞରେ ଆମର ଅର୍ଜିତ ଶକ୍ତି ହେଉଚି ଆମର ହବି । ଏହି ଶକ୍ତିକୁହିଁ ଅର୍ଘରେ ପରିଣତ କରି ଆମର ଈପ୍ସିତ ଦେବତାକୁ ଆମକୁ ଟେକି ଦେବାକୁ ହେବ । ଆମ ଶରୀରରେ ବଳ ରହିଚି, ସ୍ୱାସ୍ଥ୍ୟ ରହିଚି, ଆମର ହୃଦୟ ଭିତରେ ଅନୁଭବ କରିବାର ଅପୂର୍ବ ପରାକ୍ରମ ରହିଚି, ନାନାଦି ଶାସ୍ତ୍ରଜ୍ଞାନ ଓ ବୁଦ୍ଧି ସମ୍ପଦରେ ଆମର ମନ ପରିପକ୍ୱ ହୋଇ ଚାଲିଚି; ଆମେ ଏ ଶରୀର, ଏ ହୃଦୟ ଓ ମନକୁ କାହାକୁ ଦେବା ? ନିତି ଖାଦ୍ୟ ଖାଇ ଆମେ ଶରୀରକୁ ପୁଷ୍ଟ କରୁଚୁ । ବିଦ୍ୟାଲାଭ କରି ନିତି ଆମେ ଆମର ମନକୁ ପୁଷ୍ଟ କରୁଚୁ, ସ୍ନେହ ପାଇ ସ୍ନେହ ଦେଇ ଆମ ହୃଦୟକୁ ପୁଷ୍ଟ କରୁଚୁ । ଏସବୁ କାହାକୁ ଦେବାଲାଗି ଆମେ କରୁଚୁ ? ଏ ଶରୀର, ଏ ମନ, ଏ ହୃଦୟ, ଏ ସବୁକୁ କେନ୍ଦ୍ର କରି ଆମର ଜୀବନଯାତ୍ରା ଚାଲିଛି । ତଥାପି ଏ ସବୁ ଆମର ନୁହେଁ । ଏ ସବୁକୁ ପୁଷ୍ଟ କରିବା ଓ ବିକଶିତ କରିବାର ଦାୟିତ୍ୱ ଆମର–ଆମେ ଆମର ସାଧନାଦ୍ୱାରା ଏ ସବୁର ଯଥାର୍ଥ ବିକାଶ କରାଇବୁ । କିନ୍ତୁ ତା’ପରେ ଏ ସବୁକୁ ସମର୍ପଣ କରିଦେବାରେହିଁ ଏ ସବୁର ସାର୍ଥକତା । ମାଳୀ ଏତେ ଯତ୍ନ କରି ଗଛଟିରେ ଫୁଲ ଫୁଟାଉଚି; କିନ୍ତୁ ଫୁଲ ଫୁଟାଇ ସାରିବା ପରେ ଫୁଲ ଆଉ ତା’ର ହୋଇ ରହୁନାହିଁ–ଦେବତାର ଚରଣରେ ଥୁଆ ହୋଇ ଫୁଲ ଧନ୍ୟ ହେଉଚି । ଏହି ସମର୍ପଣରେହିଁ ମାଳୀର ସାଧନା ସାର୍ଥକ ହେଉଚି । ଆମ ଜୀବନ-ଉଦ୍ୟାନର ମାଳୀ ଆମେ ପ୍ରତ୍ୟେକେ; କିନ୍ତୁ ଆମ ଜୀବନ-ଫୁଲର ମାଲିକ ଆମେ ନୋହୁ । ଆମ ସାଧନାର ଫୁଲଟି ଆମର ନୁହେଁ, ଏହା ଦେବତାର-। କେଉଁ ଦେବତାର ଚରଣ ତଳେ ଆମେ ଆମ ଫୁଲଟିକୁ ସମର୍ପି ଦେବାକୁ ବାହାରିଚୁ ? ଆମର ବିଦ୍ୟା, ଆମର ଜ୍ଞାନକୁ କାହାକୁ ସମର୍ପି ଦେଇ ପରିପୂର୍ଣ୍ଣ ହେବୁ ବୋଲି ଆମେ ବିଚାର କରିଚୁ-?

 

ଏ ଯୁଗରେ ମଣିଷର ଜୀବନ ବଡ଼ ଶସ୍ତା ହୋଇଗଲାଣି । ନାନାପ୍ରକାର ଉତ୍ତେଜିତ ମତବାଦ, ଜାତି ଓ ଦେଶର ଦ୍ୱାହି ଦେଇ ଆଜି ମଣିଷ ଜୀବନକୁ ସମର୍ପି ଦିଆଯାଉଚି । ନାନା ଖଣ୍ଡ ଆଦର୍ଶର ବଳି ବେଦୀ ଉପରେ ଅନ୍ଧ ମୁଗ୍ଧ ମଣିଷ-ଜୀବନର ନିତି ବଳି ପଡ଼ୁଚି । ଗୋଟାଏ ଗୋଟାଏ ଯୁଦ୍ଧରେ ଶହ ଶହ ମଣିଷଙ୍କୁ ସ୍ୱାହା କରି ଦିଆଯାଉଚି । ଆମ ଦେଶରେ ଚାକିରି ଓ ଟଙ୍କା କମେଇବାର ଅପଦେବତା ଆଗରେ ବିଦ୍ୟାର ବଳି ପଡ଼ୁଚି । ଚାଉଳ ମୁଠାଏ ଓ କନା ଖଣ୍ଡେ ସଂଗ୍ରହ କରିପାରିବାର ସନ୍ତାପିତ ଚେଷ୍ଟାରେ ଏ ଦେଶର ସହସ୍ର ସହସ୍ର ପାଠୁଆ ଆପଣା ପାଠକୁ ସମର୍ପି ଦେଉଚନ୍ତି । ଏ ଶସ୍ତା ସମର୍ପଣର ହାଟରେ ଆମ ବିଦ୍ୟାକୁ ଆମେ କାହା ଉଦ୍ଦେଶ୍ୟରେ ସମର୍ପଣ କରିବା ? ଆମର ବିଦ୍ୟା ଶିବ ଲାଗି ସମର୍ପିତ ହେଉ, ଆମର ଫୁଲଟି ଶିବ ଲାଗି ଉଦ୍ଦିଷ୍ଟ ହୋଇ ରହୁ । ଏହାକୁହିଁ ମୁଁ ଶିବ-ସାଧନା ବୋଲି କହିଚି । ସଂସାରରେ ଯାହାହିଁ ଶିବ, ଯାହାହିଁ କଲ୍ୟାଣକର, ତାହାରି ଉଦ୍ଦେଶ୍ୟରେ ଆମେ ଜୀବନଯଜ୍ଞରେ ହବି ଉତ୍ସର୍ଗ କରିଦେବା ।

 

ଆମର ବିଦ୍ୟାଲାଭଦ୍ୱାରା ଯଦି ଜଗତର କଲ୍ୟାଣ ନ ହେଲା, ତେବେ ଆମର ବିଦ୍ୟାକୁ ବିଦ୍ୟା ବୋଲି କୁହାଯାଇ ପାରିବ ନାହିଁ । ଶରୀରକୁ ବଞ୍ଚାଇ ରଖିବାର କୌଶଳଟାଏ ଶିଖିବାକୁ ଆମେ ବିଦ୍ୟା କହିପାରିବା ନାହିଁ । ପଶୁବି ଶରୀରକୁ ବଞ୍ଚାଇ ରଖିବାକୁ ନାନା ପ୍ରକାର କୌଶଳ ଆୟତ୍ତ କରିଥାଏ । ତା’ ବୋଲି ପଶୁକୁ ଆମେ କଦାପି ବିଦ୍ୱାନ୍ କହିବା ନାହିଁ । ସଂସାରରେ ଆଜି ପଶୁବୃତ୍ତିକୁହିଁ ମଣିଷବୃତ୍ତି କହିବାର ହାଉଆ ବହୁଚି । ହାଟ ବଜାରରେ ମଣିଷ ଆଜି ପଶୁପରି କିଣାବିକା ହେଉଚି । ଶରୀରକୁ ଭୋଗବୃତ୍ତିଦ୍ୱାରା ବଞ୍ଚାଇ ରଖିବାର କୌଶଳକୁହିଁ ବିଦ୍ୟା ବୋଲି କୁହାଯାଉଚି । ଯିଏ ଏ କୌଶଳଟା ଆୟତ୍ତ କରିନେଉଚି, ସେଇ ଏ ସଂସାରରେ ସବୁରି ସ୍ୱୀକାର ପାଉଚି । ଅପରର ସ୍ୱୀକାର ପାଇବାକୁ ଆମେ ବିଦ୍ୟାଲାଭ କରିବା ନାହିଁ । ଶିବର ସାଧନା ଲାଗି ଆମେ ବିଦ୍ୟାଲାଭ କରିବା । ଜଗତଯାକର ଆଜି ନାନା ଅଶିବର ଭିଡ଼ଲାଗିଚି । ତାହାରି ଫଳରେ ନାନାପ୍ରକାର ଦାରିଦ୍ର୍ୟ ମଣିଷକୁ ଆଜି ବଡ଼ ବିକଳ କରି ରଖିଚି । ନାନାପ୍ରକାର ବିକାର ମଣିଷର ସଂସାରକୁ ନାନାପ୍ରକାରେ ଆଚ୍ଛନ୍ନ କରିପକାଇଚି । ମଣିଷ ଏ ପର୍ଯ୍ୟନ୍ତ ଆପଣାର ବିରାଟ ରୂପର ପରିଚୟ ପାଇନାହିଁ । ସେଥିଲାଗି ନାନାମନ୍ତେ କ୍ଷୁଦ୍ର ହୋଇ ବସିବାର ବିକଟରୂପ ସେ ଧାରଣ କରିଚି । ଏ ଦୁଃଖୀ ସଂସାରରେ ବିଦ୍ୟାର୍ଥୀର ଦାୟିତ୍ୱ ଅନେକ ବେଶି । ତାହାରି ହାତରେ ଆରୋଗ୍ୟର ଚାବି ରହିଚି । ତାହାରି ମନକୁ ସେ ତାହାରି ବିଦ୍ୟାପରି ବଡ଼ କରିପାରିଲେ ଜଗତକୁ ଅନେକ ପରିମାଣରେ ରୋଗମୁକ୍ତ କରିପାରିବ; କିନ୍ତୁ ତରତର ହୋଇ ହାଟ ଭିତରେ ଆପଣାକୁ ବିକି ବାହାରିଲେ, ଆମେ ଏ ଦାୟିତ୍ୱକୁ ତୁଲାଇ ପାରିବା ନାହିଁ । ଆମର ଅନୁଷ୍ଠାନର ଜନ୍ମଦିନ ପାଖେଇ ଆସୁଚି । ଏଇ ଉପଲକ୍ଷରେ ଆପଣାକୁ ନେଇ ନାନା ବିଚାର ଆମ ମନ ଭିତରେ ଆସୁଥିବ । ନାନାପ୍ରକାର ଶୁଦ୍ଧି ଓ ସଂକଳ୍ପର କଳ୍ପନା ଆମ ଭିତରେ ଶକ୍ତି ଭରାଇ ଦେଇଯାଉଥିବ । ଏତିକିବେଳେ ଶିବ-ସାଧନାର ବିଚାର ଆମେ କରିବା । ଆମର ବିଦ୍ୟା ଜଗତ ଲାଗି କେବଳ କଲ୍ୟାଣକର ହେଉ, ଜୀବନ ଲାଗି କେବଳ କଲ୍ୟାଣକର ହେଉ, ମଣିଷ ଲାଗି କେବଳ କଲ୍ୟାଣକର ହେଉ । ଆମର ଜୀବନ ସାଧନା ଆମର; କିନ୍ତୁ ଅର୍ଜିତ ବିଦ୍ୟା ଆମର ନୁହେଁ । ତାହା ସବୁ ମଣିଷର ମଙ୍ଗଳ ଲାଗି ଉଦ୍ଦିଷ୍ଟ ହୋଇପାରିଲେହିଁ ଆମ ବିଦ୍ୟା ସାର୍ଥକ ହେବ । ଆଜି ସବୁ ଅହଂକାର ଓ ପ୍ରଲୋଭନର ବାଧା ଅପସରାଇ ଦେଇ ଶିବ-ସାଧନାର ସଂକଳ୍ପ ଆମକୁ ସଞ୍ଚାଳିତ କରି ନେଉ ।

 

୨୪ । ୮ । ୫୬

 

ଆଉ ଦୁଇ ଦିନ ଗଲେ ଆମ ବିଦ୍ୟାଳୟକୁ ଦୁଇବର୍ଷ ପୂରିଯିବ । ସେଥିଲାଗି ଆମେ ସମସ୍ତେ ଖୁସିରେ ଆୟୋଜନ ଲଗାଇ ଦେଲେଣି । ବାହାରର ଏ ଆୟୋଜନ ସହିତ ଭିତରେ ଆମର କେତେ ଦୂର ଆୟୋଜନ ଚାଲିଚି, ସେ କଥା ଅବଶ୍ୟ ମୁଁ କହିପାରିବି ନାହିଁ । ତଥାପି ଭିତରେ ସେ ଆୟୋଜନ ଚାଲିଚି, ବାହାରୁ ମଧ୍ୟ ତା’ର ସୂଚନା ମିଳିଲାଣି । ଏ ଉତ୍ସବ ପାଳନ କରିବାର ଆଦେଶ ଆମକୁ କେହି ଦେଇନାହିଁ । କାହାରି ଫରମାସରେ ଆମେ ସଜାସଜ୍ଜିର ନାନା କାମରେ ମାତି ନାହୁଁ । ଏ ଦୁର୍ଭାଗ୍ୟ ଦେଶରେ ଆନନ୍ଦଟାବି ଫରମାସ ଅନୁସାରେ ହୁଏ । ଉପର ହାକିମ ତଳ ହାକିମକୁ ଫରମାସ ଦିଏ । ଶିକ୍ଷାବିଭାଗର ଅଫିସର ନିରୀହ ଇସ୍କୁଲ ମାଷ୍ଟରକୁ ଫରମାସ ଦିଏ । ଆମ ଏ ଦେଶରେ ଅଧିକାଂଶ ମେଳା, ମଉଛବ, ପର୍ବପର୍ବାଣୀ ପ୍ରଧାନତଃ ଫରମାସ ଅନୁସାରେ ହେଉଚି; କୋଉ ହାକିମଙ୍କର ଆଦେଶ ବା କୋଉ ମନ୍ତ୍ରୀଙ୍କର ଖିଆଲ ମାନି ହେଉଚି । ତେଣୁ ଫରମାସର ତାଡ଼ନାରେ ଆନନ୍ଦ ମରିଯାଉଚି, ଆଜ୍ଞାପାଳନର ନୀରସ ରୁଟିନ୍‍ଟା ରହୁଚି । ବୃକ୍ଷରୋପଣ କରିବାର ଏକ ସରଳ ଅଥଚ ମହାନ୍ କାର୍ଯ୍ୟକ୍ରମକୁ ମଧ୍ୟ ରୁଟିନ୍‍ର ମନ୍ଥନୀ ପୂରାଇ ଆମେ ସବୁ ଆନନ୍ଦ କାଢ଼ିନେଇଚୁ । ସେଥିଲାଗି ମହାଡ଼ମ୍ବରେ ସବୁ ହେଉଚି, ଅଥଚ ଗଛଟିଏ ଲଗାଇବାର ସରଳ ଆନନ୍ଦ କେହି ପାଇପାରୁ ନାହାନ୍ତି । ସ୍ୱାଧୀନତା ଦିବସର ଦଶା ମଧ୍ୟ ସେଇଆ । ମହାପୁରୁଷମାନଙ୍କର ଜନ୍ମତିଥି ବା ଶ୍ରାଦ୍ଧଦିନ ପାଳନ କଲାବେଳକୁ ମଧ୍ୟ ସେଇଆ ।

 

ଆମର ଗୌରବ ଯେ ଏଠି ଆମେ କିଛି ଫରମାସ ତୁଲାଇବାକୁ ଆମେ କିଛି କରୁନାହୁଁ-। କାହାରି ଇଚ୍ଛା ପୂରଣ କରିବାର ତାମସା ଆମର ଏଠି ଚାଲିନାହିଁ । ଆମର ଖୁସିରେ ଆମେ ବିଦ୍ୟାଳୟର ଜନ୍ମଦିନ ପାଳନ କରିବାକୁ ଯାଉଚୁ । ଜଙ୍ଗଲର ଡାଳପତ୍ର ଓ ଫୁଲରେ ଆମର ଘର ସଜାଉଚୁ । ଆମ ସୃଷ୍ଟିକାରୀ ମନର ପରଶ ଦେଇ ଏ ବନଭୂଇଁକୁ ସେଦିନ ଲାଗି ମନୋମତ ସଜାଇ ପାରିବାର ଆୟୋଜନ ଆମେ ଲଗାଇ ଦେଇଚୁ । ସେଇଥିଲାଗି ମୋର ବିଶ୍ୱାସ ହେଉଚି, ଛବିଶ ତାରିଖ ଗତ ହୋଇଗଲେ ମଧ୍ୟ ସେଇ ଗୋଟାଏ ଦିନରେ ଆମର ଖୁସି ସରିଯିବ ନାହିଁ-। ଯୋଉଠି ଫରମାସ ପାଇ କାମ ହେଉଥାଏ, ସେଠି ଫରମାସର ଉପଲକ୍ଷଟି ଗତ ହୋଇଗଲେ ଖୁସିଟି ମଧ୍ୟ ଗତ ହୋଇଯାଏ । ପୁରୁଣା ମଣିଷ ତା’ର ପୁରୁଣା ଚିରାଚରିତତାକୁ ନେଇ ପୁଣି ତା’ର ଜଞ୍ଜାଳ ଭିତରେ ଛନ୍ଦି ହୋଇଯାଏ । ଆମର ଆନନ୍ଦ ଗୋଟିଏ ଦିନରେ ସରିଗଲେ, ତାହା ଆମର ବଡ଼ ଦୁର୍ଭାଗ୍ୟ ହେଉଥାନ୍ତା । ବିଦ୍ୟାର୍ଥୀ ପକ୍ଷରେ ଏ ଆନନ୍ଦକୁ ସ୍ୱାଭାବିକ ଆନନ୍ଦ କୁହାଯାଇ ପାରନ୍ତା ନାହିଁ । ନା–ଏ ଆନନ୍ଦ ସବୁଦିନର ହୋଇ ରହିବା ଚାହିଁ । ବିଦ୍ୟାଲାଭ ଓ ଜୀବନବିକାଶର ଯେଉଁ ଧାରା ଏଠି ବର୍ଷସାରା ଚାଲିଚି, ଛବିଶ ତାରିଖ ସେଇ ଧାରାର ଏକ ଅଂଶ ହୋଇ ରହିବା ଦରକାର-। ବରଷସାରାର ଆନନ୍ଦକୁ ଆମେ ଗୋଟିଏ ଦିନର ଉତ୍ସବରେ କେବଳ ସୂଚେଇ ଦେବାକୁ ଯାଉଚେ-। ଆମ ଉତ୍ସବ ପାଳନର ରୀତି ଏହିପରି ହେବା ଉଚିତ ।

 

ଅନୁଷ୍ଠାନର ପୁଣି ଜନ୍ମଦିନ କ’ଣ ? ଅନୁଷ୍ଠାନ କ’ଣ ମଣିଷ ହୋଇଚି ? ଅନୁଷ୍ଠାନ କହିଲେ ଅନେକେ ଘରବାଡ଼ି ଓ ସାଧନା-ସାମଗ୍ରୀକୁ ବୁଝନ୍ତି । ବିଦ୍ୟାଳୟ କହିଲେ ଭୁଲ୍‍ରେ ଆମେ ବିଦ୍ୟାଳୟର ବହିପତ୍ର ଓ କୋଠରିଗୁଡ଼ାକୁ ବୁଝାଇଥାଉ । ବିଦ୍ୟାଳୟ କହିଲେ ମୁଁ କିନ୍ତୁ ବିଦ୍ୟାର୍ଥୀ-ପରିବାର ବ୍ୟତୀତ ଆଉ କିଛି ବୁଝିପାରେ ନାହିଁ । ଛାତ୍ର ଓ ଶିକ୍ଷକ ଉଭୟଙ୍କୁ ମୁଁ ବିଦ୍ୟାର୍ଥୀ ବୋଲି ଗଣନା କରେ । ତେଣୁ ବିଦ୍ୟାଳୟର ଜନ୍ମଦିନ ଅର୍ଥ ଆମ ସମସ୍ତଙ୍କର ଜନ୍ମଦିନ-ସମସ୍ତଙ୍କ ସାଧନାର ଜନ୍ମଦିନ–ଜୀବନ-ବିକାଶର ଜନ୍ମଦିନ । ସେହି ମର୍ମରେ ଆମେ ଛବିଶ ତାରିଖକୁ ଗ୍ରହଣ କରିବା; ସେହି କଥା ମନନ କରୁ କରୁ ଆମେ ପ୍ରତ୍ୟେକ କାର୍ଯ୍ୟକ୍ରମରେ ସେଦିନ ଭାଗ ନେବା; ସେ ଦିନର ହସଖୁସିରେ ଏତିକି ବିଚାର ଆମେ ମିଶାଇ ରଖିବା । ତାହାହେଲେ ଆମର ହସଖୁସି ସାରା ବରଷ ସ୍ଥାୟୀ ହୋଇପାରିବ; ସାରା ବରଷ ଆମେ ସରସ ରହିପାରିବା । ପରିବାରରେ ଯେଉଁ ଦିନ ଯାହାର ଜନ୍ମଦିନ ପାଳନ କରାଯାଏ, ସେଦିନ ତାହାକୁ କେନ୍ଦ୍ର କରି କେତେ ଆନନ୍ଦ ଉତ୍ସବର ଉପଚାର ଲାଗି ରହିଯାଏ । ତାକୁ ଯେଉଁମାନେ ଭଲପାଆନ୍ତି, ସେମାନେ ସମସ୍ତେ ତାକୁ ଆଶୀର୍ବାଦ କରନ୍ତି; ସମସ୍ତେ ତାହାରି ମଙ୍ଗଳ କାମନା କରନ୍ତି । ଆମ ପ୍ରିୟ ବିଦ୍ୟାଳୟକୁ କେନ୍ଦ୍ର କରି ଆମେ ତା’ର ଜନ୍ମଦିନ ପାଳନ କରିବାକୁ ଯାଉଚେ । କିନ୍ତୁ କାହାର ଆମେ ମଙ୍ଗଳ ମନାସିବା ? ଏଠି କାହାକୁ ଆମେ ଭଲପାଉ ? ଆରବର୍ଷ ଏଠି ଖାଲି ଚାଳଘର ଥିଲା । ଏ ବର୍ଷ କେତେ ବଖରା ପକ୍କାଘର ହେଲାଣି; ତେଣୁ ଏବର୍ଷ ହଇରାଣ କମ୍ ହେବାକୁ ପଡ଼ିଚି । ଏଇଥିଲାଗି କ’ଣ ଆମେ ବିଦ୍ୟାଳୟକୁ ଭଲପାଉଚୁ ? ନା, ଆମକୁ ନେଇ ଏ ବିଦ୍ୟାଳୟ । ତେଣୁ ଆମେ ଆମକୁ ଯଥାର୍ଥଭାବରେ ଭଲ ପାଇପାରିଲେ ଯାଇ ଏ ବିଦ୍ୟାଳୟ ପ୍ରତି ଆମର ଶ୍ରଦ୍ଧା ସାର୍ଥକ ହେବ; ଆମ ସହିତ ଲାଗିଥିବା ବିଦ୍ୟାଳୟର ଡୋରିଟି ଆହୁରି ଦୃଢ଼ ହେବ; ଆମେ ଆମର ଜୀବନକୁ ଭଲପାଇବା; ଆମର ଆଦର୍ଶକୁ ଭଲପାଇବା । ଆଦର୍ଶ ଉଦ୍ଦେଶ୍ୟରେ ଆମର ବାଟ ଚାଲିବାକୁ ଭଲପାଇବା; ଆମର ବାସନା, ସାଧନା ଓ ସମୟକୁ ଆମେ ଭଲପାଇବା–ତେବେ ଯାଇ ଏ ବିଦ୍ୟାଳୟକୁ ଆମେ ଭଲପାଇ ଶିଖିବା । ଆମକୁ ନେଇହିଁ ଏ ବିଦ୍ୟାଳୟର ମଙ୍ଗଳ ହେବ । ତେଣୁ ଛବିଶ ତାରିଖ ଦିନ ଆମେ ଆମର ମଙ୍ଗଳ କାମନା କରିବା–ଆମର ଜୀବନ, ଆମର ସାଧନାକୁ ଆମର ବିଦ୍ୟା ଆହୁରି ନିର୍ମଳ ଓ ଉଦାର କରିବାକୁ ଆମେ ସେଦିନ ଭଗବାନ୍‍ଙ୍କଠାରେ ପ୍ରାର୍ଥନା କରିବା । ଆମରି ହୃଦୟର ଦୁଆର ଖୋଲିବା ସଙ୍ଗେ ସଙ୍ଗେ ଏ ବିଦ୍ୟାଳୟର ଦୁଆର ଖୋଲିବ । ଆମରି ମନର ବଳ ବଢ଼ିବା ସଙ୍ଗେ ସଙ୍ଗେ ଏ ବିଦ୍ୟାଳୟର ବଳ ବଢ଼ିବ । ଆମେ ଆମର ଜୀବନରେ ଜୟଲାଭ କରିପାରିଲେ ଏ ବିଦ୍ୟାଳୟ ମଧ୍ୟ ଦିନେ ଜଗତରେ ଜୟଲାଭ କରିପାରିବ । ଏହାର ବାଟରୁ ଯାବତୀୟ ବାଧା ଅପସରି ଯିବ ।

 

ସେତିକି ଆମର ଭୁଲ୍ ରହିଯାଉଚି ବୋଲି ମୁଁ ଭାବୁଚି । ଆମେ କେହି ଏ ବିଦ୍ୟାଳୟକୁ ଯଥାର୍ଥ ଆପଣାର ବୋଲି ଭାବୁନାହୁଁ । ଶିକ୍ଷକ ଏହାକୁ ଅତିରିକ୍ତ ଭାବରେ ନିଜର ସମ୍ପତ୍ତି କରିପକାଉଚନ୍ତି । ଆଉ ଛାତ୍ର ଏଠି ବିଦେଶୀ ପରି ରହିଯାଉଚନ୍ତି । ଫଳରେ କ୍ଷମତାର ଅଙ୍କୁଶରେ ଜୋର୍ କରି ଧରି ରଖିବାର ଲୋଭରେ ପଡ଼ି ଶିକ୍ଷକ ପ୍ରମତ୍ତ ହୋଇପଡ଼ୁଚନ୍ତି, ବାଟ ଭୁଲୁଚନ୍ତି । ଆପଣାର ଧନକୁ ଚିହ୍ନି ନ ପାରି ଛାତ୍ରଗଣ ମଧ୍ୟ ଏଠି ଉଦାସ ହୋଇ ରହିଯାଉଚନ୍ତି । ସେମାନେ ମଧ୍ୟ ବାଟ ଭୁଲୁଚନ୍ତି । ଏ ବିଦ୍ୟାଳୟ ଶିକ୍ଷକ ଓ ଶିକ୍ଷାର୍ଥୀ ଉଭୟଙ୍କର । ଉଭୟଙ୍କର ଏହାର ଭାଗ୍ୟନିର୍ମାଣରେ ସମାନ ଭାଗ ରହିଚି । ଦୁଇଦିନ ପରେ ଏତେ ଖୁସିରେ ପୂଜା ଉପଚାର ନେଇ ଯେଉଁ ବିଦ୍ୟାଳୟର ଜନ୍ମତିଥି ପାଳିବାକୁ ଆମେ ବାହାରିଚେ, ସେହି ବିଦ୍ୟାଳୟର ଜଣେ ବିଦ୍ୟାର୍ଥୀ ହିସାବରେ ମୁଁ ଅତି ବିନୟରେ ସମସ୍ତଙ୍କୁ କହିବି–ଆମେ ଏ ସ୍ଥାନକୁ ଆଉ ଚାରି ବରଷର ଗୋଟିଏ ଧର୍ମଶାଳା ବୋଲି ଭାବିବା ନାହିଁ । ଆମେ ଏହାକୁ ଭଲପାଇବା; ଆପଣାର ଘର ବୋଲି ମନେ କରିବା । ତାହାହେଲେ ଏଠିକାର ଖରାପ ଜଳବାୟୁ ଓ ଏଠିକାର ନାନା ଅସୁବିଧାକୁ ଆମେ ପାର ହୋଇ ଚାଲିଯିବା । ଏ ବିଦ୍ୟାଳୟ ସହିତ ଆମେ ଡୋରି ବାନ୍ଧିଦେବା, ଏ ବିଦ୍ୟାଳୟର ଆଦର ଯତ୍ନ ପାଖରେ ଖୁସିହୋଇ ଆମେ ଧରାଦେବା; ଏଠିକାର କାର୍ଯ୍ୟକ୍ରମକୁ ସରସ ଓ ପ୍ରାଣବନ୍ତ କରି ରଖିବା-। ସଭ୍ୟ ମଣିଷ ଆଜି ନାନାପ୍ରକାରେ ବିକାରଗସ୍ତ ହୋଇ ଟିକିଏ ଆନନ୍ଦ ପାଇବାଲାଗି ଘରଛାଡ଼ି ନାନା ସ୍ଥାନରେ ଉପଭୋଗ ଖୋଜି ବୁଲୁଚି । ଘରକୁ ଆସିବାର ଡରରୁ ରକ୍ଷା ପାଇବାକୁ ସେ ସର୍କସ, ସିନେମା ଓ କାଫେ (Cafe)ରେ ବସି ସମୟ କାଟିଦେଉଚି । ଏ ଘର ଛାଡ଼ି ଯିବାର ନିର୍ବୋଧତା ଯେପରି ଆମର କେବେ ନ ହୁଏ । ଅନ୍ୟ ଅନୁରକ୍ତି ବା ଉପଭୋଗର ଲାଳସାରେ ପଡ଼ି କେବେ ଯେପରି ଆମେ ଏ ଘରର ହତାଦର ନ କରୁ; ଏ ବର୍ଷର ଜନ୍ମଦିନରେ ବାରବାର ଏହି ପ୍ରାର୍ଥନା ମୁଁ ଭଗବାନ୍‍ଙ୍କୁ ଜଣାଉଚି । ଏଠି ପକ୍କାଘରର ସଂଖ୍ୟା ନ ବଢ଼ୁ ପଛକେ, ଆମେ ସମସ୍ତେ ଏହି ବିଦ୍ୟାଳୟକୁ ଆପଣାର ଘର ବୋଲି ଗ୍ରହଣ କରିବା । ଆପଣା ଘରେ ରହିଲାପରି ଏଠି ମଧ୍ୟ ଆମେ ନିର୍ଭୟ ଓ ମୁକ୍ତ ହୋଇ ରହିବା ।

 

୨୫ । ୮ । ୫୬

 

‘ଆମରା ପାଖେର ଜାତ,

ହେଁଟେ ଚଲାର ଭାଓ ଜାନିନା ଉଡ଼େ ଚଲାର ଜାତ ।’

 

ବଙ୍ଗଳାର ବାଉଲମାନଙ୍କର ଏହି ଗୀତ ପଦଟିରେ ଆଜି ମନ ମଜି ଯାଇଛି । କାଲି ଏ ବିଦ୍ୟାଳୟର ଜନ୍ମ-ଉତ୍ସବରେ କୋଳାହଳ ଭିତରେ ଆମେ ଯେପରି ଛନ୍ଦି ହୋଇ ରହି ନ ଯାଉ । ବିଦ୍ୟାର୍ଥୀକୁ ଏକ ଆକାଶଚାରୀ ପକ୍ଷୀ ହିସାବରେ ବେଶ୍ କଳ୍ପନା କରାଯାଇପାରିବ । ଉଡ଼ିବାହିଁ ବିଦ୍ୟାର୍ଥୀର ପରମ ଧର୍ମ । ମନର ନାଆରେ ବସି ଜ୍ଞାନ, କର୍ମ ଓ ଭକ୍ତିର ଆକାଶମାର୍ଗରେ ଆତ୍ମ ଆବିଷ୍କାର କରିଯିବାରେହିଁ ବିଦ୍ୟାର୍ଥୀ ଅପାର ଆନନ୍ଦ ପାଇବ । ତା’ର ଆକାଂକ୍ଷା ତାକୁ ଏକ ସ୍ୱର୍ଗୀୟ ଅତୃପ୍ତିର ଆଲୋଡ଼ନରେ ଆଗକୁ ଆଗକୁ ଉଡ଼ାଇ ନେବ । ବାଉଲମାନେ ଆପଣାକୁ ଏହି ନିୟତ ଉଡ଼ିଯାଉଥିବା ପକ୍ଷୀଜାତିର ବୋଲି କହନ୍ତି । ଆକାଶର ଅଶେଷ ପଥଚାରଣାରେହିଁ ସେମାନେ ଜୀବନର ଶ୍ରେଷ୍ଠ ଆନନ୍ଦ ପାଆନ୍ତି । ଅଜ୍ଞାତ ଭବିଷ୍ୟତ୍ ଓ ଅପରିଚିତ ପଥ ସେମାନଙ୍କୁ ଭୟ ଦେଖାଇପାରେ ନାହିଁ, ବରଂ ସେମାନଙ୍କୁ ଆହୁରି ଆକୃଷ୍ଟ କରି ନେଇଯାଏ ।

 

ଭୋଗ ମଣିଷକୁ ବସାଇଦିଏ । ମଣିଷ ଭିତରେ ରହି ଉଡ଼ି ବୁଲିବାର ସ୍ୱପ୍ନ ଦେଖୁଥିବା ଚଢ଼େଇର ଡେଣା ସେ କାଟି ଦିଏ । ତେଣୁ ଆଦର୍ଶ ମଣିଷ ଆଗ ଭୋଗକୁ କାଟି ଚାଲିଯିବାକୁ ଆପଣାର ବ୍ରତ ବୋଲି ଗ୍ରହଣ କରେ । ଦୁଇହଜାରବର୍ଷ ତଳେ ଏହିପରି ଉଡ଼ିଯିବାକୁ ବାୟା ହୋଇ ରାଜକୁମାର ଗୌତମ ଭୋଗର ସବୁ ବନ୍ଧନ କାଟି ଯାଇଥିଲେ । ଯୁଗେ ଯୁଗେ ଏମିତି କେତେ ମହାପୁରୁଷ ଭୋଗକୁ କାଟି ଉଡ଼ି ପଳାଇଛନ୍ତି; କେତେ ନିଜ ଭିତରର ଚଢ଼େଇଟି ଲାଗି ବାଟ ପରିଷ୍କାର କରିଛନ୍ତି; ଆତ୍ମ-ଆବିଷ୍କାରର ପଥରେ ବାହାରି ପଡ଼ିଚନ୍ତି । ସାରା ସଂସାରର ସମସ୍ତ ବନ୍ଧନ କାଟି ଖାଲି ଏହି ଏକାକୀ ଉଡ଼ିଯିବା ଉପରେ ସେମାନେ ଅଟଳ ବିଶ୍ୱାସ ରଖିଛନ୍ତି । ଆମର ଡେଣା ଉପରେ ଆମେ ବିଶ୍ୱାସ ରଖିବା ତ ଦୂରର କଥା, ଆମ ଭିତରେ ଏପରି ଗୋଟାଏ ଚଢ଼େଇ ଅଛି ବୋଲି ହୁଏତ ଆମେ ଏପର୍ଯ୍ୟନ୍ତ ଅନୁଭବ କରିନାହୁଁ । ଆମ ଭିତରେ ଏତେ ବାସନା ଓ ଆକାଂକ୍ଷା ଡେଣାଟିଏ ହୋଇ ଆମର ଆଦେଶକୁ ଅପେକ୍ଷା କରି ରହିଚି ବୋଲି ଆମେ ହୁଏତ ବୁଝିହିଁ ପାରିନାହୁଁ । ଆମ ଶରୀରଟା ଆମର ସମସ୍ତ ଜୀବନ ଆବୋରି ବସିଚି । ଭୋଗ ଆମର ମନକୁ ବେଶ୍ ବଜ୍ରକବାଟ ଦେଇ କିଳି ରଖିଚି । ସେଥିଲାଗି ଉଡ଼ିଯିବାର ବୟସ ଓ ଶକ୍ତି ଥାଇ ମଧ୍ୟ ଆମେ ଶୋଇ ରହିବାର ଅଭିନୟ କରୁଚୁ । ଆପଣାର ଅସଲ ପରିଚୟକୁ ଆମେ ନାନାପ୍ରକାରର ନିର୍ବୋଧତାଦ୍ୱାରା ଘୋଡ଼ାଇ ପକାଉଚୁ ।

 

‘ମାନୁଷ ଜବ ଉଡ଼ଚାଲତେ କହତେ ମାରଗମାହିଁ, ଦାଦୁ ପହୁଞ୍ଚେ ପଥଚଲ କହୈଁ ସୋ ମାରଗ ନାହିଁ’–ସନ୍ଥ ଦାଦୁ ତାଙ୍କର ଗୋଟିଏ ପଦରେ କହିଛନ୍ତି;– ଯେତେବେଳେ ମଣିଷ ଉଡ଼ିଚାଲେ, ସେତେବେଳେ ସେ କହେ ମୁଁ ରାସ୍ତାରେ ଯାଉଛି; ଅର୍ଥ–ବାଟୋଇ ହୋଇ ସାଧନା-ମାର୍ଗରେ ଚାଲିଚି । ଯିଏ କହେ ମୁଁ ପହଞ୍ଚିଗଲିଣି, ମୋରି ବାଟରେ ଅନ୍ୟମାନେବି ଚାଲିଆସ, ସେ ନିଜେବି କେବେ ରାସ୍ତା ଦେଖିନାହିଁ । ଯିଏ ଉଡ଼ିଚାଲିଚି, ଯିଏ ପହଞ୍ଚି ନାହିଁ; ଅଥଚ ପହଞ୍ଚିବାର ବ୍ୟାକୁଳତାର ଯାହାକୁ ସତତ ଆଗେଇ ନେଇଯାଉଚି, ସେଇହିଁ ଯଥାର୍ଥରେ ଚାଲିଚି । ତା’ର ଫୁଲଟି ଦିନକୁ ଦିନ ପାଖୁଡ଼ାପାଖୁଡ଼ା କରି ଫୁଟି ଚାଲୁଚି; ତା’ର ଜୀବନର ଦ୍ୱାର ପ୍ରତ୍ୟେକ ଦିନ ଖୋଲୁଚି; ପ୍ରତ୍ୟେକ ଦିନ ସେ ବଞ୍ଚିବାର ନୂଆ ନୂଆ ଅର୍ଥ ପାଉଚି; ନୂଆ ନୂଆ ରସ ଚାଖୁଚି । ବିଦ୍ୟାର୍ଥୀର ବାଟ ଠିକ୍ ଏମିତି ହେବା ଉଚିତ । ତା’ର ଜୀବନରେ ଆବିଷ୍କାରର ଅନ୍ତ ନାହିଁ, କି ଅନୁସନ୍ଧାନର ଅନ୍ତ ନାହିଁ; ପାଇଲିଣି ବୋଲି କହି ବସିଯିବାର ଭ୍ରମ ନାହିଁ, କି ବାଟ ସରିଲା ବୋଲି କହି ବିଶ୍ରାମ କରିବାର ଭ୍ରମ ନାହିଁ । ଜ୍ଞାନ ମଣିଷକୁ ଏହିପରି ମସ୍ତ କରି ରଖିବା ଉଚିତ; ଜୀବନ ମଣିଷକୁ ଏହିପରି ଅନୁରକ୍ତ କରି ରଖିବା ଉଚିତ । ଆମର ଜଗତରେ ବିଦ୍ୟାର୍ଥୀ କୋଟିକେ ଜଣେ ଅଛନ୍ତି; କିନ୍ତୁ ବିଦ୍ୟା ହାସଲ ହୋଇଗଲା ବୋଲି ଦମ୍ଭ କରିବାର ଭଣ୍ଡ ଅନେକ ଅଛନ୍ତି । ସେମାନେ କ’ଣ ପାଇଥାନ୍ତି, କେତେ ବାଟ ଚାଲିଥାନ୍ତି, ସେ କଥା କେବଳ ସେହିମାନେ ଜାଣନ୍ତି; କିନ୍ତୁ ବାଟ ସରିଗଲା ବୋଲି କହି ସେମାନେ ଭାରି ଗୌରବ ନିଅନ୍ତି । ଅନ୍ୟମାନକୁ ରାସ୍ତା ଦେଖାଇବାର ଏକ ଅସ୍ୱାଭାବିକ ଆଗ୍ରହ ନେଇ ସେମାନେ ସଂସାରଟାକୁ ବ୍ୟସ୍ତ କରି ରଖନ୍ତି । ଅନ୍ୟକୁ ତାରିବାର ଉତ୍ତେଜନାରେ ସେମାନେ ସଂସାରଟାକୁ ସନ୍ତପ୍ତ କରିପକାନ୍ତି । କିନ୍ତୁ ହାୟ, ସଂସାର ସେମାନଙ୍କ ଦ୍ୱାରା ଆଦୌ ଉପକୃତ ହୋଇପାରେ ନାହିଁ । ଆପଣାର ବାଟ ଚିହ୍ନିବାରେ ମଣିଷ ସେମାନଙ୍କ ଠାରୁ କୌଣସି ସାହାଯ୍ୟ ପାଏ ନାହିଁ । ଯେଉଁ ଶିକ୍ଷକ ଶୁଭଚିନ୍ତକର ଭେଳା ଧରି ଅଗାଧ ଅଜ୍ଞାନସାଗରରୁ ଶିକ୍ଷାର୍ଥୀମାନଙ୍କୁ କେବଳ ଉଦ୍ଧାର କରିନେବାର ଭ୍ରମ କରି ଶିକ୍ଷାଳୟକୁ ଆସେ, ସେ କେବଳ ଅମଙ୍ଗଳହିଁ କରେ । ତା’ର ଅଭାଗା ଛାତ୍ରମାନଙ୍କୁ ସେ ଗୋଟିଏ ବୋଲି କଣ୍ଟା ମାଡ଼ିବାକୁ ଦିଏ ନାହିଁ; ବିନ୍ଦୁଏ ହେଲେ ଲୁହ ଗଡ଼ାଇବାକୁ ଦିଏ ନାହିଁ । ଆପଣାର ଦେଖା ପଥରେ ସେ ସମସ୍ତଙ୍କୁ ଅଡ଼ାଇ ନେବାର ଦୁର୍ବୁଦ୍ଧି ଦେଖାଏ । କିନ୍ତୁ ସେ ବାଟ ବାଟ ନୁହେଁ–ଆତ୍ମ-ଆବିଷ୍କାରର ବାଟ ହେଉଚି ପ୍ରକୃତ ବାଟ । ଯିଏ ଏପର୍ଯ୍ୟନ୍ତ ଆକାଶ ମାର୍ଗରେ ଉଡ଼ିଚାଲିଚି, ଆପଣାର ସନ୍ଧାନରେ ବାହାରି ଏପର୍ଯ୍ୟନ୍ତ ଯିଏ କ୍ଳାନ୍ତ ହୋଇ ପଡ଼ିନାହିଁ, ବୀତଶ୍ରଦ୍ଧ ହୋଇ ପଡ଼ିନାହିଁ, ସେହି ଏ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ର ହୋଇ ଆସୁ । ସେହି ଏ ବିଦ୍ୟାଳୟର ସବୁଠାରୁ ଅଧିକ ମଙ୍ଗଳ କରିବ । ସଂସାରରେ ଆଜି ସବୁଠାରେ ମଣିଷର ଡେଣା କାଟିଦେବାର ତାମସା ଲାଗିଚି । ସବୁଠି ନାନାପ୍ରକାର ଶାରୀରିକ ଓ ମାନସିକ ଚର୍ବ୍ୟ ଚୋଷ୍ୟରେ ମଣିଷକୁ ପୋଷା ମନାଇବାର ଦୁରାଗ୍ରହ ଲାଗିଚି । ରୁଷିଆ, ଆମେରିକାଠୁ ଆରମ୍ଭ କରି ଏ କାଙ୍ଗାଳ ଭାରତବର୍ଷରେ ମଧ୍ୟ ଅହଂକାରୀ ପଣ୍ଡିତ ଆପଣାର ପାଠକୁ ସବୁରି ମୁହଁ ଦେଇ ମୁଖସ୍ଥ କରାଇ ରଖିବାର ଷଡ଼ଯନ୍ତ୍ର ଲଗାଇ ଦେଇଚି । ନାନା ନୂଆ ଭେକ ଓ ନାନା ନୂଆ ପାଗ ଦେଇ ସେ ସେହି ପୁରୁଣା ଔଷଧଟାକୁ ସମସ୍ତଙ୍କୁ ଖୁଆଇବାର ସୁଆଙ୍ଗ ଲଗାଇଚି-। ଆମେ ସେ ସୁଆଙ୍ଗରେ ଭଳିଯିବା ନାହିଁ । ଆମେ ଆପଣାର ଦ୍ରୋହୀ ହେବାଲାଗି ପଣ୍ଡିତର ଏ ସହଜ ବଟିକୁ ଗିଳିବା ନାହିଁ ।

 

ଆମ ଜଙ୍ଗଲରୁ ଆମେ ଏହି କଥାଟିକୁ ଶିଖିରଖିବା । ଜଙ୍ଗଲରେ କେହି କାହାରି ପରି ହେବାର ଅପଚେଷ୍ଟା କରୁନାହିଁ । ମାଳୀର କତୁରୀ ଏଠି କାହାରି ଶାଖାପ୍ରଶାଖା କାଟି ଦେଉ ନାହିଁ । ମାଟିରୁ ରସନେଇ ଆଲୁଅ ଓ ପବନର ସୋହାଗ ଭିତରେ ଠିକ୍ ଆପଣା ପରି ବିକଶିତ ହେବାର ସୁଯୋଗ ଏଠି ସମସ୍ତେ ପାଉଛନ୍ତି । ଆମ ବନ-ବିଦ୍ୟାଳୟରେ ଆମେ ସେହି ରୀତି ଚଳାଇବା । ଆମେ କେହି କାହାରି ସମାନ ହେବାଲାଗି ଚେଷ୍ଟା କରିବା ନାହିଁ; କାହାରିକୁ ଆପଣାର ବାଟରେ ଚଳାଇ ନେବାର ଦମ୍ଭ କରିବା ନାହିଁ । କୌଣସି ନିର୍ଦ୍ଦିଷ୍ଟ ଛାଞ୍ଚରେ ଢାଳି ହେବାର ଭୟ ଏଠି କାହାରିକୁ କୌଣସି ପ୍ରକାରେ ସଂକୁଚିତ କରିଦେବ ନାହିଁ । କୌଣସି ଗୋଟାଏ ମାର୍ଗକୁ ସବୁରି ପରମଗତି ବୋଲି ପ୍ରଚାର କରିବାର ଦୁର୍ଗତି ଏଠି କାହାରି ହେବ ନାହିଁ । ଆମର ଧର୍ମପକ୍ଷୀର ଧର୍ମ ହେବ ଏହି ରକ୍ତମାଂସର ଉଷ୍ମ ପେଶୀତଳେ ନିରତ ଆକୁଳ ହୋଇ ରହିବା; ଆମ ଡେଣାକୁ ଆମେ ଚିହ୍ନି ରଖିବା; ଆମର ଆକାଂକ୍ଷା ଓ ଅଭିଳାଷକୁ ଆମେ ଚିହ୍ନିବା; ଆପଣାର ବାଟ ଆମେ ଆପେ ଫିଟାଇବା । ଏଠି ଆମେ ସମସ୍ତେ ବାଟୋଇ ବନିଯିବା । କଥାରେ ବଳାତ୍କାର କରି ଆମେ କେହି ଆମ ତଥାକଥିତ ଆଦର୍ଶକୁ ପ୍ରଚାର କରିବାର ଭୁଲ୍ କରିବା ନାହିଁ । ଆମର ଜୀବନ ଆମ ଆଦର୍ଶର ପ୍ରଚାର କରିବ । ଯେତିକି ଆମେ ନିର୍ଭୟ ହେବା, ଯେତିକି ଆମେ ଶୁଦ୍ଧ ହୋଇ ନିଜର କର୍ତ୍ତବ୍ୟ କରିଯିବା, ସେତିକି ଆମେ ଅନ୍ୟ ଲାଗି ବାଟ ଚାଲିବାର ପ୍ରେରଣା ଯୋଗାଇ ପାରିବା । ଏକ ବାଟୋଇର ଧର୍ମରେ ଏଠି ଶିକ୍ଷକ ଓ ଛାତ୍ର ଉଭୟେ ଏକତ୍ର ହେବେ । ପରିପୂର୍ଣ୍ଣତାର ପଥିକ ହେବାର ସାଧନାହିଁ ଏଠିକାର ବିଦ୍ୟା-ସାଧନାର ପ୍ରଥମ ମନ୍ତ୍ର ହୋଇ ରହିବ ।

 

ଆଜି ଆମ ଦେଶରେ ଯୁବକକୁ ବୁଢ଼ା କରିଦେବାର ଭାରି ପ୍ରଲୋଭନ ଦେଖାଯାଉଚି । କେଉଁଠି ଅତିରିକ୍ତ ଉପଭୋଗରେ ଯୁବକ ବୁଢ଼ା ହୋଇଯାଉଚି; କେଉଁଠି କେଉଁ ଖଣ୍ଡ ଆଦର୍ଶର ସାନ୍ତ୍ୱନାରେ ଯୁବକ ବୁଢ଼ା ହୋଇଯାଉଚି; କେଉଁଠି ଭେକ, ବାନା ଆଉ ବକ୍ତୃତାର ନୂଆ ବାଣମାନ ମରା ହୋଇ ଯୁବକକୁ ବୁଢ଼ା କରିଦେବାର ଅପଚେଷ୍ଟା ହେଉଚି । ଆମେ ବୁଢ଼ା ହେବାକୁ ନାସ୍ତି କରିଦେବା । ଆମର ଆପଣା ବାଟରେ ଆମେ ଝୁଣ୍ଟି ପଡ଼ି ମରିବା ପଛକେ, ବୁଢ଼ା ହେବାର ପ୍ରମାଦ ଭିତରକୁ କଦାପି ଯିବା ନାହିଁ । ଆମର ବିଶ୍ୱାସ ଓ ବିଦ୍ୟା ଏ ସଂସାରର ବୁଢ଼ାକୁ ମଧ୍ୟ ଯୁବକ ହେବାର ପ୍ରେରଣା ଦେବ ।

Image